Unknown

 

 

 

 

 

 

 

 

 

 

ବୈଦେହୀଶ ବିଳାସ (ଚତୁର୍ଥ ଖଣ୍ତ)

କବିସମ୍ରାଟ ଉପେନ୍ଦ୍ର ଭଞ୍ଜ

 

ସୂଚୀପତ୍ର

 

ଛାନ୍ଦ

ବିଷୟ

୪୦ଶ ଛାନ୍ଦ

ବଳିଲା ରାଘବ ଆଶା ସୀତା ପ୍ରାପତିରେ

୪୧ଶ ଛାନ୍ଦ

ବୋଧ କ୍ରବ୍ୟାଦେଶ ଶ୍ରୀରାମ ସନ୍ଦେଶ

୪୨ଶ ଛାନ୍ଦ

ବୁଧ ବୁଧ ଯୁଦ୍ଧ ନ ପାଇଲା ଜନ

୪୩ଶ ଛାନ୍ଦ

ବଳାରାତି ଅରାତି ଜାଗରେ ସାରି ରାତି

୪୪ଶ ଛାନ୍ଦ

ବିଭାବରୀ ବିନାଶ ବିଭାବସୁ ପ୍ରକାଶ

୪୫ଶ ଛାନ୍ଦ

ବାହୁଡ଼ିଲାସାନୁମାନଶୃଙ୍ଗ ଥୋଇ ହନୁମାନ

୪୬ଶ ଛାନ୍ଦ

ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେ

୪୭ଶ ଛାନ୍ଦ

ବିଳାସ ଅଚ୍ଛରେ ସେହି ଚତୁର ପାଳିଲେ ଶୋହି

୪୮ଶ ଛାନ୍ଦ

ବୋଇଲା, ବସି ପୁରେବଶ ଭୁତ ବାମରେ ଲଙ୍କେଶ

୪୯ଶ ଛାନ୍ଦ

ବରି ବିଭାବରୀ ଥାଉଁ ଯେ ବେଭାର

୫୦ଶ ଛାନ୍ଦ

ବିଶ୍ରବା ନନ୍ଦନ ତପ ଉଦିତ ପର୍ବତ ରୂପ

୫୧ଶ ଛାନ୍ଦ

ବଲ୍ଲଭ ଦୁର୍ଲ୍ଲଭ ସନ୍ଦେଶ ଲଭନ୍ତେ ସୀତା

୫୨ଶ ଛାନ୍ଦ

ବର୍ଣ୍ଣନେ କବି ଅଶେଷ ଯେଉଁ ମହୋତ୍ସବ

 

ଚତ୍ୱାରିଂଶ ଛାନ୍ଦ

ରାଗ – ଆଶାବରୀ

 

ବଳିଲା ରାଘବ ଆଶା ସୀତା ପ୍ରାପତିରେ

ବିଚାରିଲେ ସିନ୍ଧୁପୋତିଯିବା ପର୍ବତରେ ଯେ।୧।

ବୁଡ଼ିଗଲା ପକାଇଲେ କପି ଯେତେଗିରି।

ବୁଦ୍‌ବୁଦ୍‌ନ ଦିଶେ ଜଳ ଫିଫିକୃତ କରି ଯେ । ୨ ।

ବିସ୍ମୟ ନିଃଶ୍ୱାସ ତେଜି ବରୁଣ ପ୍ରସନ୍ନେ ।

ବିନାଶନରେ ଶୟନ ସେ ଦର୍ଭଶୟନେ ଯେ । ୩ ।

ବୁଧେ ଶୁଣ ଅନ୍ୟ ପ୍ରସଙ୍ଗକୁ ଦଶଶିର।

ବରଗିଲା ସେ ଶୁକ ସାରଣ କରି ଚାର ଯେ । ୪ ।

ବିଭୀଷଣେ କହ ଜ୍ୟେଷ୍ଠଭ୍ରାତା ପିତା ସରି ।

ବୂଝି ନ ବୁଝି କୋପି ତା ବାଣୀ ପିତା କରି ଯେ । ୫ ।

୧ମ ପଦ :- ବିଭୀଷଣ ଆସି ପଶିବାରୁ ରାମଚନ୍ଦ୍ରଙ୍କର ସୀତା ପାଇବା ଆଶା ବଳବତୀ ହେଲା । ସୁତରାଂ ସେ ପର୍ବତମାନଙ୍କ ଦ୍ୱାରା ସମୁଦ୍ରକୁ ପୋତି ଲଙ୍କାଗଡ଼କୁ ଯିବାକୁ ବିଚାର କଲେ ।

୨ୟ ପଦ :- ଗିରି - ପର୍ବତ । ବୁଦ୍‌ବୁଦ – ପାଣିଫୋଟକା । ଫିଫିକୁ - ଫିଫିକାର ଶବ୍ଦ କରି ।

୨ୟ ପଦ :- ଋକ୍ଷ କପିମାନେ ଯେତେ ପର୍ବତ ଆଣି ସମୁଦ୍ରରେ ପକାଇଲେ, ସେ ସବୁ ବୁଡ଼ିଗଲା; ପାଣିଫୋଟକା ମଧ୍ୟ ଦିଶିଲା ନାହିଁ । କେବଳ ପାଣି ଫିଫି ଶବ୍ଦ ଶୁଣାଗଲା ଏହାଦ୍ୱାରା ଜଳର ଗଭୀରତା ସୂଚିତ ହେଲା ) ।

୩ୟ ପଦ :- ବିନାଶନରେ - ଅନାହାରରେ । ଦର୍ଭଶୟନେ–କୁଶଶଯ୍ୟାରେ।

୩ୟ ପଦ :- ପର୍ବତ ସବୁ ବୁଡ଼ିଯିବାରୁ ରାମଚନ୍ଦ୍ର, ବିସ୍ମିତ ହୋଇଦୀର୍ଘନିଶ୍ୱାସଛାଡ଼ିଲେ। (ସମୁଦ୍ରରେ ବନ୍ଧ ପଡ଼ିବା ଅସମ୍ଭବ- ଏହା ଜାଣିପାରିଲେ ) । ତତ୍‌ପରେ ବରୁଣ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଉପବାସରେ ରହି ସମୁଦ୍ର କୂଳରେ କୁଶଶଯ୍ୟାରେ ଶୟନ କଲେ ।

୪ର୍ଥ ପଦ :- ହେ ପଣ୍ଡିତମାନେ ! ଏହାପରେ ଅନ୍ୟ ପ୍ରସଙ୍ଗକୁ ଶୁଣ । ରାବଣ ଶୁକ ସାରଣ ନାମକ ଦୁଇ ମନ୍ତ୍ରୀକୁ ଦୂତ କରି ପଠାଇଲା ।

୫ମ ପଦ :- ତାଙ୍କୁ କହିଲା, ‘‘ବିଭୀଷଣକୁ କହିବ, ବଡ଼ ଭାଇ ପିତା ସମାନ । ସେ ବୁଝନ୍ତୁବାନବୁଝନ୍ତୁ କ୍ରୁଦ୍ଧ ହୋଇ କଟୁକଥା କହିଥିଲେ। ତାଙ୍କ କଥାକୁ ପିତା ପରି ମନେ କରିବା କଣ ଉଚିତ ? ଗୁରୁଜନଙ୍କ କଥାରେ ମନ କଷ୍ଟ କରିବା ଠିକ୍‌ନୁହେଁ।’’

 

ବିଭୂତିକି ଭୁଞ୍ଜୁଥିଲୁ ବିଭୂତିଭୂଷଣେ।

ବଡ଼ କୁଳେ ଜନମି ଶରଣ କି କାରଣେ ଯେ ?। ୬ ।

ବୋଲ ଅଙ୍ଗଦକୁ ପିତା ଶତ୍ରୁ ଭକ୍ତି ପୁଣ୍ୟ ।

ବାଦ ରଚଇ ପିତୃବ୍ୟେବାହୁଡ଼ାଅ ସୈନ୍ୟ ଯେ । ୭ ।

ବିହାୟସେବିହରି ସାଗର ଜିଣି ଯାଇ ।

ବର୍ତ୍ତକ ସ୍ୱରୂପ ଧୃତ କେଁ କେଁଟିହୋ କହି ଯେ । ୮ ।

ବିଖ୍ୟାତ କରୁଁ ବିଂଶତି - କର କହିବାର ।

ବୋଧ ଉଭୟ ଭୟରେ ପଳାଇ ସତ୍ୱର ଯେ । ୯ ।

ବାହୁଡ଼ି ରାବଣେ କହି ଶୁଣ ଦେବ - ରିପୁ ।

ବୋଇଲା ଅନୁଜ ଯିବି ସୀତାଙ୍କୁ ସମର୍ପୁ ଯେ । ୧୦ ।

 

୬ଷ୍ଠ ପଦ :- ବିଭୂତି - ଐଶ୍ୱର୍ଯ୍ୟ।ବିଭୁତିଭୁଷଣ -ଭସ୍ମବିଲିପ୍ତ।

୬ଷ୍ଠ ପଦ :- ଉଚ୍ଚ ବଂଶରେ ଜନ୍ମ ହୋଇ ଐଶ୍ୱର୍ଯ୍ୟ ଭୁଞ୍ଜୁଥିଲୁ । ଏବେ କେଉଁ କାରଣରୁ ବନବାସୀ ତପସ୍ୱୀଜନ ପାଶରେ ଶରଣ ପଶିଲୁ ?’’
      ୭ମ ପଦ :- ବାଦ - କଳହ । ରଚାଇ -ରଚନା କରି, ଆରମ୍ଭ କରି । ପିତୃବ୍ୟ - ଖୁଡ଼ୁତା।

୭ମ ପଦ :- ‘‘ଅଙ୍ଗଦକୁ କହିବ, ପିତୃ ଶତ୍ରୁଠାରେ ଭକ୍ତି କଲେ କଣ ପୁଣ୍ୟ ହୁଏ ? ତେଣୁ ଖୁଡ଼ୁତା ସୁଗ୍ରୀବ ସହିତ ବିବାଦ କରାଇ ସୈନ୍ୟ ବାହୁଡ଼ାଇ ନିଅ ।’’

୮ମ ପଦ :- ବିହାୟସେ - ଆକାଶରେ । ବିହରି - ଭ୍ରମଣକରି। ବର୍ତ୍ତକ - ତେଣ୍ଟୋଇ ପକ୍ଷୀ । ଧୃତ - ଧାରଣ କରି ।

୮ମ ପଦ :- ରାବଣର ଆଦେଶ ପାଇ ମନ୍ତ୍ରୀଦ୍ୱୟ ଆକାଶରେ ଉଡ଼ି ସମୁଦ୍ର ଜିଣିଯାଇ ତେଣ୍ଟୋଇ ପକ୍ଷୀରୂପ ‘କେଁ କେଁ ଟି ହୋ’ ତୁମ୍ଭେ କିଏ କିଏ ଅଛ ବୋଲି ପଚାରିଲେ ।

୯ମ ପଦ :- ବିଖ୍ୟାତ କରୁଁ - ପ୍ରକାଶ କରିବାରୁ । ବିଂଶତିକର - ରାବଣ ।ବୋଧ - ଜାଣି । ଉଭୟ - ଦୁହେଁ । ସତ୍ୱର - ଶୀଘ୍ର ।

୯ମ ପଦ :- ରାବଣ କହିଥିବା କଥା ପ୍ରକାଶକରି ବିଭୀଷଣ ଓ ଅଙ୍ଗଦକୁ କହିବାରୁ ଅଙ୍ଗଦ ତାଙ୍କୁ ବିନାଶ କରିବାକୁ ଉଦ୍ୟତ ହେଲା । ତେଣୁ ସେ ଦୁହେଁ ଶୀଘ୍ର ପଳାଇ ଗଲେ ।

୧୦ ମ ପଦ :- ଦେବରିପୁ - ଦେବତାମାନଙ୍କର ଶତ୍ରୁ । ଅନୁଜ - ସାନଭାଇ - ସମର୍ପୁ - ଫେରାଇ ଦେଉ ।

୧୦ମ ପଦ :- ଫେରି ଆସି ମନ୍ତ୍ରୀଦ୍ୱୟ ରାବଣକୁ କହିଲେ, ‘‘ହେ ଦେବରିପୁ ! ଶୁଣ, ତୁମ୍ଭ ସାନଭାଇ କହିଲେ, ସେ ସୀତାଙ୍କୁ ସମର୍ପି ଦେଉ ମୁଁ ଯିବି ।’’

 

ବଞ୍ଚିଲୁ ଅଙ୍ଗଦେ ଅଙ୍ଗ ଦେବାରୁ କି ଧର୍ମେ ।

ବଜ୍ରାଘାତ ସମ ତଳ ପ୍ରହାରିଲାବ୍ୟୋମ ଯେ । ୧୧ ।

ବାଜିଥିଲେ ଚୂର୍ଣ୍ଣ ବା ପାତାଳେ ଭଜିଥିବ ।

ବିନ୍ଧ୍ୟ ଭାନୁ ତୋଷି ହେଲେ ବଞ୍ଚାଇ ଦଇବ ଯେ । ୧୨ ।

ବଳ କେତେ ବୋଲୁଁବୋଲେ ଯେତେ ଶଙ୍ଖ ସେହି ।

ବାରିରାଶିରେ ଜନିତ ତେତେ ଶଙ୍ଖ ନାହିଁ ଯେ । ୧୩ ।

ବିତରଣେ ସାଗର କି ପାଞ୍ଚ ପଚାରିଲା ।

ବିହେ ରାମ କୁଶଶଯ୍ୟା ପ୍ରତ୍ୟୁତ୍ତର ଦେଲା ଯେ । ୧୪ ।

ବିରସକୁ ମନ୍ଦ କରି ମନ୍ଦହାସ ଜନ୍ମେ ।

ବୋଲେ କି କରିବ ଏଡ଼େହୀନପରାକ୍ରମେ ଯେ । ୧୫ ।

 

୧୧ଶ ପଦ :- ତଳ - ଚାପୁଡ଼ା ! ବ୍ୟୋମେ - ଆକାଶରେ । ଅଙ୍ଗ ଦେବାରେ - ଶରୀର ପାତ ନ କରି ।

 

୧୧ଶ ପଦ :- ‘‘ଅଙ୍ଗଦକୁ ତୁମ୍ଭ କହିବାକଥା ବୁଝାଇ କହିବାରୁ, ସେ ଆକାଶରେ ବଜ୍ରାଘାତ ପ୍ରାୟ ଏକ ଚାପୁଡ଼ା ପ୍ରହାର କଲା, ମାତ୍ର କେଉଁ ଧର୍ମବଳରୁ ଆମ୍ଭେ ବଞ୍ଚିଗଲୁଁ।’’

୧୨ଶ ପଦ :- ବିନ୍ଧ୍ୟ – ବିନ୍ଧ୍ୟପର୍ବତ । ଭାନୁ - ସୂର୍ଯ୍ୟ । ତୋଷି - ଆନନ୍ଦିତ ।

୧୨ଶ ପଦ :- ‘‘ସେ ଚାପୁଡ଼ା ବାଜିଥିଲେ ବିନ୍ଧ୍ୟଗିରି ଚୂର୍ଣ୍ଣ ହୋଇ ଯାଇଥାନ୍ତା ବା ପାତାଳରେ ପଶି ଯାଇଥାନ୍ତା । ଗମନାଗମନର ପ୍ରତିବନ୍ଧକ ଦୂର ହୋଇଥାନ୍ତା ଭାବି ସୂର୍ଯ୍ୟ ସନ୍ତୁଷ୍ଟ ହୋଇଥାନ୍ତା। ଆମ୍ଭଙ୍କୁ ବିଧାତା ସେ ଆଘାତରୁ ବଞ୍ଚାଇ ଦେଲା ।( ଦୈବକ୍ରମେ ଆମ ଦେହରେ ସେ ଚାପୁଡ଼ା ବାଜିଲାନାହିଁ) ।

୧୩ଶ ପଦ :- ବଳ - ସୈନ୍ୟ । ଶଙ୍ଖ - ସାମୁଦ୍ରିକ ଜୀବବିଶେଷ। ବାରିରାଶିରେ - ସମୁଦ୍ରରେ । ଜନିତ – ଜାତ। ଶଙ୍ଖ - ସଂଖ୍ୟାବିଶେଷ।

୧୩ଶ ପଦ :- ଏହା ଶୁଣି ‘ସୈନ୍ୟସଂଖ୍ୟା କେତେ’ ବୋଲି ରାବଣ ପଚାରନ୍ତେ ସେ ଦୁହେଁ କହିଲେ, ‘‘ତାଙ୍କସୈନ୍ୟ ସଂଖ୍ୟା ଏତେ ଶଙ୍ଖ ଯେ, ସେତେ ଶଙ୍ଖ ସମୁଦ୍ରରେ ଜାତ ହୋଇ ନ ଥିବ । (ବହୁ ଶଙ୍ଖ ପରିମତି ସୈନ୍ୟ)।’’

୧୪ଶ ପଦ :- ବିଚରଣେ – ପାରହେବା ନିମିତ୍ତ। ସାଗର - ସମୁଦ୍ର । ପାଞ୍ଚ - ଉପାୟ, ଯତ୍ନ । ବିହେ - ବିଧାନ କରେ।

୧୪ଶ ପଦ :- ରାବଣ ପୁଣି ପଚାରିଲା, ‘‘ସମୁଦ୍ର ତରିବାପାଇଁ ସେ କି କି ବିଚାର କରୁଅଛନ୍ତି ?’’ ମନ୍ତ୍ରୀଦ୍ୱୟ ପ୍ରତ୍ୟୁତ୍ତରଦେଲେ ‘‘ରାମ କୁଶ ଶଯ୍ୟାରେ ଶୋଇ ସମୁଦ୍ରକୁ ପ୍ରାର୍ଥନା କରୁଅଛି ।’’

୧୫ଶ ପଦ :- ବିରାମ - ଦୁଃଖ, ବିମର୍ଷ । ମନ୍ଦ - ଛାଡ଼ି।ମନ୍ଦହାସ - ଅଳ୍ପହାସ। ହୀନପରାକ୍ରମ - ଦୁର୍ବଳତା ।

୧୫ଶ ପଦ :- ଏହା ଶୁଣି ରାବଣ ବିମର୍ଷ ଭାବ ତ୍ୟାଗ କରି (ରାମ ଆସି ସମୁଦ୍ର କୂଳରେ ସୈନ୍ୟସହ ଅଛନ୍ତି ଏହା ଶୁଣି ବିମର୍ଷ ହୋଇଥିଲା, ତାହା ଛାଡ଼ି) ଈଷତ୍‌ ହସି କହିଲା, ‘‘ଯେ ପରାକ୍ରମରେ ଏପରି ହୀନ, ସେ ମୋର କଣ କରିବ ?’’

 

ବୁଧେ ଶୁଣ ଅନ୍ୟ ରସ ରଘୁନାଥ ଉଠି ।

ବିରକ୍ତି ହୋଇଣ କରିଛନ୍ତି ରକ୍ତଦୃଷ୍ଟି ଯେ । ୧୬ ।

ବିକଶିତ କାଳିନ୍ଦୀରେ କୋକନଦ ମତ ।

ବିଚଳିତ ଭ୍ରୁବଲ୍ଲିକା ଶୈବାଳ ଯେମନ୍ତ ଯେ । ୧୭ ।

ବିଦୁଳ ଚାପରେ କରି ହେବାରୁ ସଂଯୁତ ।

ବୀରି ହସ୍ତ ଉତ୍ତୋଳିତ କାଣ୍ଡ ପୂର୍ଣ୍ଣ ସତ ଯେ । ୧୮ ।

ବୋଲନ୍ତିପୃଥ୍ୱୀନାଶନଦୈତଙ୍କୁ ଲୁଚାଉ ।

ବିରଚି କବନ୍ଧ ନଟଜନକୁ ଡରାଉ ଯେ । ୧୯ ।

ବିଦିତ ଜ୍ୟାଜାମାତା ମୁଁ ଦୈତ୍ୟାରି ବୋଲାଇ।

ବଧ କବନ୍ଧ କରିଛି ଯିବୁ ଆଜ କାହିଁ ଯେ । ୨୦ ।

 

୧୬ଶ ପଦ :- ବୁଧେ - ପଣ୍ଡିତମାନେ । ରଘୁନାଥ - ରାମଚନ୍ଦ୍ର । ବିରକ୍ତ - କୋପାନ୍ୱିତ । ରକ୍ତଦୃଷ୍ଟି - ଆରକ୍ତ ନୟନ।

 

୧୬ଶ ପଦ :- ହେ ପଣ୍ଡିତମାନେ ! ଏବେ ଅନ୍ୟ କଥା ଶୁଣ । ବରୁଣ ଦେବତା ପ୍ରସନ୍ନ ନ ହେବାରୁ ରାମ କୁଶଶଯ୍ୟାଛାଡ଼ି ବିରକ୍ତିର ସହିତ ସମୁଦ୍ର ପ୍ରତି ରକ୍ତଦୃଷ୍ଟି କଲେ ।

୧୭ଶ ପଦ :- ବିକଶିତ – ପ୍ରସ୍ଫୁଟିତ । କାଳିନ୍ଦୀରେ - କାଳିନ୍ଦୀନାମ୍ନୀ ନଦୀରେ । କୋକନଦ - ରକ୍ତପଦ୍ମ। ଭ୍ରୁବଲ୍ଲିକା – ଭ୍ରୁଲତା। ଶୈବାଳ - ଶିଉଳୀ ବା ଜଳଜ ଉଦ୍ଭିଦ ବିଶେଷ ।

୧୭ଶ ପଦ :- ସେ ରକ୍ତଦୃଷ୍ଟି ଯମୁନା ନଦୀରେ ଫୁଟିଥିବା ରକ୍ତପଦ୍ମ ସଦୃଶ ଦେଖାଗଲା । ଭ୍ରୁଲତା ବିଚଳିତ ହେବାରୁ ଶିଉଳିପ୍ରାୟ ପ୍ରତୀୟମାନ ହେଲା । ରାମଚନ୍ଦ୍ର ନୀଳବର୍ଣ୍ଣ ହେତୁ ଯମୁନା ନଦୀ ଓ ଚକ୍ଷୁ ରକ୍ତବର୍ଣ୍ଣ ହେତୁ ରକ୍ତପଦ୍ମ ସହିତ ଉପମିତ।

୧୮ଶ ପଦ :- ବିଦୁକ – ପାଣିବେତ । ଚାପରେ - ଧନୁରେ । ବୀଚି - ଲହରୀ ।

୧୮ଶ ପଦ :- ରାମଚନ୍ଦ୍ର ହସ୍ତରେ ଧନୁ ଧାରଣ କରିବାରୁ ସେ ଧନୁ ନଦୀକୂଳରେ ଥିବା ପାଣିବେତ ସଦୃଶ ଓ ହସ୍ତଦ୍ୱୟ ଲହରୀ ସଦୃଶ ଦୃଶ୍ୟହେଲା । ନଦୀ ଜଳପୂର୍ଣ୍ଣ ହେଲା ପ୍ରାୟ ତାଙ୍କ ଧନୁଶର ପୁର୍ଣ୍ଣହୋଇଅଛି। (ବରୁଣକୁ ବିନ୍ଧିବାପାଇଁ ରାମଚନ୍ଦ୍ର ଧନୁରେ ଶର ସନ୍ଧାନ କଲେ ।

୧୯ଶ ପଦ :- ଦୈତ୍ୟଙ୍କୁ - ରାକ୍ଷସମାନଙ୍କୁ । ବିରଚି - ରଚନା କରି । କବନ୍ଧବାଟ - ମସ୍ତକହୀନ ଶବର ନୃତ୍ୟ ଲହରୀର ନୃତ୍ୟ ।

୧୯ ପଦ :- ସେ ସମୁଦ୍ରକୁ କହିଲେ, ‘‘ତୁ ପୃଥ୍ୱୀବିନାଶକାରୀ ଅଟୁ । କାରଣ, ପୃଥ୍ୱୀର ଅନିଷ୍ଠକାରୀ ରାକ୍ଷସମାନଙ୍କୁ ଲୁଚାଇ ରଖୁ, ପୁଣି ଯୁଦ୍ଧରେ ‘କବନ୍ଧ’ ମସ୍ତକହୀନ ବ୍ୟକ୍ତି ନୃତ୍ୟ କଲାପ୍ରାୟ ‘କବନ୍ଧ’ ଲହରୀର ନୃତ୍ୟକରି ଲୋକମାନଙ୍କୁ ଡରାଉ । (ତୋରଉତ୍ତୁଙ୍ଗ ଲହରୀ ଦେଖି ଲୋକେ ଭୀତ ହୁଅନ୍ତି ) ।’’

୨୦ଶ ପଦ :- ବିଦିତ - ପ୍ରକାଶିତ । ଜ୍ୟା - ପୃଥ୍ୱୀବୀ । ଜାମାତା - ଜ୍ୱାଇଁ । ଦୈତ୍ୟାରି - ରାକ୍ଷସମାନଙ୍କର ଶତ୍ରୁ ।

୨୦ଶ ପଦ :- ‘‘ମୁଁ ପୃଥିବୀରେ ଜାମାତା ବୋଲିଲୋକ ମଧ୍ୟରେ ଖ୍ୟାତ, ପୁଣି ମୋର ନାମ ଦୈତ୍ୟାରି ଅଟେ । ମୁଁ କବନ୍ଧ ରାକ୍ଷସ ବଧ କରିଛି । ତୁ ସବୁପ୍ରକାରେ ମୋର ଶତ୍ରୁ ହେଲୁ, ଆଜି ତୋତେ ବିନାଶ କରିବି, ତୁ କୁଆଡ଼େ ଯିବୁ ?

 

ବାଟ ଦେଖା ଆଗେ ତୁ ନୋହିଲେ ହେବୁ ଲୋପ ।

ବ୍ୟାକରଣ ସାଧନରେ ବର୍ଣ୍ଣର ସ୍ୱରୂପ ଯେ । ୨୧ ।

ବେଳୁ ବେଳ କୋପବୃଦ୍ଧି ଚାପ ଚକ୍ରୀକୃତ।

ବିଧବା ଅବସ୍ଥା ଜହ୍ନୁ ତନୟା ସଭୀତ ଯେ । ୨୨ ।

ବ୍ୟକ୍ତ ପାରାବାର ବାର ବାରଶରମୁନେ।

ବିନ୍ଦୁ କୁଶର ଅଗ୍ରରେ କୁଶର ଯେସନେ ଯେ । ୨୩ ।

ବଡ଼ବାନଳ ଖ-ଦ୍ୟୋତକାରୀ ଯେ ଖଦ୍ୟୋତ।

ବତ ଦିଶେ ସେ ନାରାଚରାଜତ ରାଜତ ଯେ । ୨୪ ।

ବ୍ୟାକୁଳ ସଲିଳ - ଚର ସଲିଳ ତେଜିଲେ ।

ବାଡ଼ - ଲେଖା ଲେଖା ଚିତ୍ର ଭାବକୁ ଭଜିଲେ ଯେ । ୨୫ ।

 

୨୧ଶ ପଦ :- ଲୋପ - ଲୀନ । ବର୍ଣ୍ଣର - ଅକ୍ଷରର ।

୨୧ଶ ପଦ -‘‘ତୁ ଅଗ୍ରସର ହୋଇ ପଥ ଦେଖା, ନ ହେଲେ ବ୍ୟାକରଣ ସାଧନରେ ଅକ୍ଷର ଲୋପହେଲାପରି ତୁ ଲୋପ ଅର୍ଥାତ୍‌ବିନାଶ ହେବୁ ।

୨୨ଶ ପଦ :- ଚାପ - ଧନୁ । ଚକ୍ରୀକୃତ - ଚକ୍ରାକାର। ଜହ୍ନ ତନୟ - ଗଙ୍ଗା ! ସଭୀତ - ଭକ୍ତଯୁକ୍ତ।

୨୨ଶ ପଦ :- ବେଳକୁ ବେଳ କୋପ ବୃଦ୍ଧି ହେବାରୁ ଧନୁ ମଣ୍ଡଳକାର ଧାରଣ କଲା । (ଜ୍ୟା ଟାଣିବାରୁ ଧନୁ ବେଶି ବକ୍ର ହେବାକୁ ଲାଗିଲା ) ତାହା ଦେଖି ଗଙ୍ଗା ନଦୀ ବିଧବା ହେବେ ବୋଲି ବିଶେଷରେ ଭୟ କଲେ (ସମୁଦ୍ର ନଦୀମାନଙ୍କର ପତି) ।

୨୩ଶ ପଦ :- ବ୍ୟକ୍ତ - ପ୍ରକାଶିତ । ପାରାବାର - ସମୁଦ୍ର । ବାର - ଜଳ । ବାର - ସମୂହ । କୁଶର ବିନ୍ଦୁ - ଜଳ କଣିକା ବା ଜଳବିନ୍ଦୁ।

୨୩ଶ ପଦ :- ରାମଚନ୍ଦ୍ର ଧନୁରେ ସନ୍ଧାନ କରିଥିବା ଶରମୁନରେ ସମୁଦ୍ରର ଜଳସମୂହ କୁଶ ଅଗ୍ରରେ ଲାଗିଥିବା ଜଳ ବିନ୍ଦୁ ପ୍ରାୟ ଦେଖାଗଲା ।

୨୪ଶ ପଦ :- ବଡ଼ବାନଳ - ସମୁଦ୍ରଜାତ ଅଗ୍ନି । ଖ- ଦ୍ୟୋତକାରୀ- ଆକାଶ ଉଜ୍ଜ୍ୱଳକାରୀ।ଖଦ୍ୟୋତ-ଜୁଳୁଜୁଳାପୋକ। ବତ-ସମ । ନାଚାର-ରାଜତ - ଉତ୍କୃଷ୍ଟ ଶର ।

୨୪ଶ ପଦ :- ସେହି ଶରସବୁଶରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ । ତାହାର ତେଜରେ ସୁମଦ୍ରସ୍ଥବଡ଼ବାନଳ ଓ ସୂର୍ଯ୍ୟଉଭୟେଜୁଳୁଜୁଳାପୋକ ପ୍ରାୟ ଦେଖାଗଲେ ।

୨୫ଶ ପଦ :- ସଳିଳଚର- ଜଳଚର ପ୍ରାଣୀ । ସଲୀଳ-କ୍ରୀଡ଼ା। ବାଡ଼ଲେଖା - କାନ୍ଥଲିଖିତ ଚିତ୍ର।

୨୫ଶ ପଦ :- ସେ ଶର ତେଜରେ ଜଳଜନ୍ତୁମାନେ ବ୍ୟାକୁଳ ହୋଇକ୍ରୀଡ଼ାଯୁକ୍ତ ଆନନ୍ଦକୁ ତ୍ୟାଗ କଲେ ଏବଂ କାନ୍ଥରେ ଲେଖା ଯାଇଥିବା ଚିତ୍ରର ଭାବକୁ ଭଜିଲେ ଅର୍ଥାତ ଚକ୍ରପ୍ରାୟ ସ୍ତମ୍ଭୀଭୂତ ହୋଇ ରହିଲେ ।

 

ବେଳାରେ ସ୍ୱର୍ଣ୍ଣସରର ସୁଦର୍ଶନ ପ୍ରାୟେ ।

ବିକାଶ ପ୍ରଚେତା ନାମୁ ସୁ-ଦର୍ଶନ ପାଏ ଯେ । ୨୬ ।

ବିଲୋକି ଶରର ସୁଦର୍ଶନ ପରି ପ୍ରଭା ।

ବିଦୁରେ ସେ ପାଶୀ ହେଲା ପାଶୀ ନୋହି ଉଭା ଯେ । ୨୭।

ବସୁଧାଭୃତରେପ୍ରଜାବନ୍ତ ଶାନ୍ତି ପାଇ ।

ବେଧିଲା ସେ କରୁ ରତ୍ନ ଅଳଙ୍କାର ଦେଇ ଯେ । ୨୮ ।

ବୋଲିସ୍ୱବଂଶକୀର୍ତ୍ତିକିନାଶିବ କି ଏତେ ।

ବଧାଇଲା ସେ ବାଣେ ଅସାଧ୍ୟ ଥିଲେ ଯେତେ ଯେ । ୨୯ ।

ବୋଲେ ବିଚାର ତିମିରେ ଜଗତ ଗ୍ରାସିତ ।

ବିଚିତ୍ର ନିଜ ତିମିରେ ଗ୍ରାସିତ ପର୍ବତ ଯେ । ୩୦ ।

 

୨୬ଶ ପଦ :- ବେଳାରେ - ତଟରେ । ସ୍ୱର୍ଣ୍ଣସର - ଜମ୍ବୁନଦ (ଜମ୍ବୁଦୀପସ୍ଥ ଗୋଟିଏ ନଦୀ ) । ସୁଦର୍ଶନ - ଜାମୁଗଛ ବିଶେଷ । ବିକଶି - ପ୍ରକାଶିତ କରି । ସୁ-ଦର୍ଶନ - ଉତ୍ତମ ଦର୍ଶନ ।

୨୬ଶ ପଦ :- ପୂର୍ବକାଳରେ ପ୍ରଚେତା ନାମକ ଋଷି ଜମ୍ବୁନଦୀତୀରରେ ଥିବା ସୁଦର୍ଶନ ନାମକ ଜାମୁ ଗଛର ଶୋଭା ପ୍ରଥମେଦର୍ଶନ କଲାପରି, ବରୁଣ ଆସି ସମୁଦ୍ର ତଟରେ ଶୋଭା ପାଉଥିବା କ୍ରୁଦ୍ଧ ରାମଚନ୍ଦ୍ରଙ୍କୁ ପ୍ରଥମେ ଦର୍ଶନ କରିଥିଲେ ।

୨୭ଶ ପଦ :- ବିଲୋକ - ଦେଖି । ସୁଦର୍ଶନ - ବିଷ୍ଣୁଙ୍କର ଚକ୍ରାୟୁଧ। ପ୍ରଭା - ଦିପ୍ତୀ। ବିଦୂର - ବହୁଦୂରରେ । ପାଶୀ ବରୁଣ’ ନିକଟସ୍ଥ ।

୨୭ଶ ପଦ :- ବାଣର ପ୍ରଭା ସୁଦର୍ଶନ ଚକ୍ରପ୍ରାୟ ଭୟଙ୍କର ଦେଖିପାରି ବରୁଣ ଭୟରେ ପାଖକୁ ନ ଆସି ବହୁତ ଦୂରରେ ଉଭା ହେଲେ ।

୨୮ଶ ପଦ :- ବସୁଧାଭୁତ – ରାଜା । କର - ରାଜସ୍ୱ ।

୨୮ଶ ପଦ :- ପ୍ରଜାମାନେ ରାଜାଙ୍କୁ ଖଞ୍ଜଣା ଦେଇ ସନ୍ତୁଷ୍ଟ କରାଇଲା ପରି, ବରୁଣ ବହୁତ ରତ୍ନ ଅଳଙ୍କାର ରାମଚନ୍ଦ୍ରଙ୍କୁ ଭେଟି ଦେଇ ବୋଧ କରାଇଲେ।

୨୯ଶ ପଦ :- ‘‘ଆପଣା ବଂଶରେ କୀର୍ତ୍ତିକି ବିନାଶ କରିବେ କି ?’’ (ସମୁଦ୍ର ରାମଚନ୍ଦ୍ରଙ୍କ ପୂର୍ବପୁରୁଷ ସାଗର ରାମଙ୍କ ପୁତ୍ରମାନଙ୍କଦ୍ୱାରାଖୋଦିତ ଏତିକି ମାତ୍ର କହି ଯେ ରାମଚନ୍ଦ୍ରଙ୍କୁ ତୋଷ କରାଇ ରାମଚନ୍ଦ୍ର ସନ୍ଧାନ କରିଥିବା ଅମୋଘ ଅସ୍ତ୍ରଦ୍ୱାରା ନିଜର ଯେତେ ଅସାଧ୍ୟଶତ୍ରୁ ଥିଲେ, ସୋମନଙ୍କୁ ବିନାଶ କରାଇଲେ ।

୩୦ଶ ପଦ :- ତିମିରେ - ଅନ୍ଧକାରରେ । ବିଚିତ୍ର - ଆଶ୍ଚର୍ଯ୍ୟ । ତିମି - ତିମିନାମକ ମତ୍ସ୍ୟ ।

୩୦ଶ ପଦ :- ବରୁଣ କହିଲେ, ‘‘ହେ ରାମଚନ୍ଦ୍ର ! ବିଚାର କରନ୍ତୁ, ଅନ୍ଧକାର ଦ୍ୱାରା ଯେବେ ସଂସାର ଗ୍ରସ୍ତ ହେଉଅଛି, ତେବେ ତିମି ମାଛ ଦ୍ୱାରା ପର୍ବତ ଗ୍ରାସ ହେବା ବିଚିତ୍ର କଣ ? (ଆପଣ ଯେଉଁ ପର୍ବତସବୁ ପକାଇଲେ ତାକୁ ତିମିମାଛ ଗିଳିଦେଲେ)।’’

 

ବାର୍ଦ୍ଧି ଗର୍ଭସ୍ଥିତ ଲକ୍ଷ୍ମୀମନ୍ଦରତାଡ଼ନେ।

ବିରାଟମୂର୍ତ୍ତିମାନେ ସେ ପରାପତ ଘେନେ ଯେ । ୩୧ ।

ବାର୍ଦ୍ଧି- ଗର୍ଭସ୍ଥତ ଏବେ କମଳା ଅବଧି ।

ବିରାଟମୂର୍ତ୍ତିମାନେ ତୁମ୍ଭର ବଡ଼ସିଦ୍ଧ ହେ । ୩୨ ।

ବାନ୍ଧ ସେତୁ ହେତୁ ଅଛି ବିଶ୍ୱକର୍ମାସୁତ।

ବସ୍ତ୍ର ମାଳା ଜଳେ କ୍ଷେପେ ଶିଶୁକାଳେ ନିତ୍ୟ ଯେ । ୩୩ ।

ବାଳ ବୋଲି କୋପୀନୋହି କହି ମୁନିସର୍ବ।

ବୁଡ଼ ନା ନୀରରେ ତୁ ଛୁଇଁବୁ ଯେତେ ଦ୍ରବ୍ୟ ଯେ । ୩୪ ।

ବୁହାଇଣଗୋତ୍ର - ପକାଅ ଛୁଆଇଁ।

ବାର୍ଦ୍ଧି କଳନାରେ ନଳ ନାମ ଅଛି ପାଇ ଯେ । ୩୫ ।

 

୩୧ଶ ପଦ :- ‘‘ସମୁଦ୍ର ମନ୍ଦିର ଓ ପର୍ବତ ଦ୍ୱାରାମନ୍ଥିତ ହେଲା ବେଳରେ ଆପଣ ବିରାଟ ମୂର୍ତ୍ତି ଧାରଣ କରିଥିଲେ ଓ ସମୁଦ୍ରଗର୍ଭସ୍ଥିତ ଲକ୍ଷ୍ମୀଙ୍କୁ ପ୍ରାପ୍ତ ହୋଇଥିଲେ। ଏ କଥା ମୁଁ ଜାଣେ ।’’

୩୨ଶ ପଦ :- ବାର୍ଦ୍ଧିଗର୍ଭସ୍ଥିତ- ସମୁଦ୍ର ମଧ୍ୟରେ ଥିବା । ମନ୍ଦର - ପର୍ବତବିଶେଷ। (କୁଳାଚଳ ମଧ୍ୟରୁ ଗୋଟିଏ ) କମଳା – ଲକ୍ଷ୍ମୀ । ତାଡ଼ନେ - ମନ୍ଥନଦ୍ୱାରା।ଭୀଷଣମୂର୍ତ୍ତି - ଭୟଙ୍କର ରୂପ କ୍ଷତ୍ରୀୟ ମୂର୍ତ୍ତି ।

୩୨ଶ ପଦ :- ଏବେ ଲଙ୍କାପୁରରେ ଲକ୍ଷ୍ମୀରୂପିଣୀ ସୀତାଅବସ୍ଥାନ କରିଅଛିନ୍ତି।ମନ୍ଦସ୍ୱଭାବବିଶିଷ୍ଟ ରାବଣର ବିନାଶରେ ଆପଣ ତାଙ୍କୁ ପ୍ରାପ୍ତ ହେବେ; ସେଥିପାଇଁ ଧାରଣ କରିଥିବା ଆପଣଙ୍କର ଏ କ୍ଷତ୍ରିୟମୂର୍ତ୍ତି ପ୍ରସିଦ୍ଧି ଲାଭ କରିଅଛି। ’’

୩୩ଶ ପଦ :- ହେତୁ - କାରଣ ।ବିଶ୍ୱକର୍ମାସୁତ - ନଳ ।

୩୩ଶ ପଦ :- ‘‘ଆପଣ ସମୁଦ୍ରରେ ସେତୁବନ୍ଧ ବାନ୍ଧନ୍ତୁ, ତାର କାରଣ ଅଛି ବିଶ୍ୱକର୍ମାପୁତ୍ର ନଳ ବାଳକ ସମୟରେ ମୁନିମାନଙ୍କର ବସ୍ତ୍ର ଓ ମାଳାମାନ ପାଣିରେ ପକାଇ ଦେଉଥିଲେ ।’’

୩୪ଶ ପଦ :- ସେ ମୁନିମାନେ ଶିଶୁସୁଲଭ ଖେଳ ହେତୁ କି ପିତନହୋଇ ତାଙ୍କୁ କହିଲେ, ତୁ ଆଜିଠାରୁ ଯେତେ ଦ୍ରବ୍ୟନେଇ ଜଳରେ ପକାଇବୁ ସେ ସବୁ ବୁଡ଼ିବନାହିଁ ।’’

୩୫ଶ ପଦ :- ଗୋତ୍ରଗୋତ୍ର - ପର୍ବତସମୁହ।ବାର୍ଦ୍ଧି - ସମୁଦ୍ର । ନଳ - ପଦିକା ।

୩୫ଶ ପଦ :- ବର୍ତ୍ତମାନ ପର୍ବତସମୂହ ବୁହାଇ ଆଣି ନଳ ହାତରେ ଛୁଆଁଇ ସୁମଦ୍ରରେ ପକାନ୍ତୁ । ନଳ (ପଦିକା) ଦ୍ୱାରା ଜମିର ପରିମାଣ କଳନା କଲାପରି, ସମୁଦ୍ରର କଳନା କରିବାକୁ ଏ ନଳ ନାମ ବହି ଅଛନ୍ତି ।’’

 

ବୋଲି ପ୍ରଦକ୍ଷିଣ କରି ହୋଇଲା ଅନ୍ତର ।

ବିଶ୍ୱକର୍ମା ପୁତ୍ରେ କରି ଶ୍ରୀରାମ ଆଦର ଯେ । ୩୬ ।

ବ୍ୟାପି କପି ଶିଖରୀ ଉତ୍ପାଟିଲେ ଅଦ୍ଭୁତେ ।

ବିଚ୍ଛନ୍ଦସୁତ ସ୍ପରଶେ ଉଦକେ ପକାନ୍ତେ ଯେ । ୩୭ ।

ବଳ୍‌କଳ ତିଳର ଯଥା ଉଶ୍ୱାସେ ରହିଲା ।

ବିଶେଷିତ ଅଦ୍ଭୁତ ଏ ସେ ସମାନେ ହେଲା ଯେ । ୩୮ ।

ବିହୀନଭୀତେ ରହିଲେ ଏତେ ଗିରବର।

ବିଜେ ରାମ ଭାବେ ମେରୁ ମୁଁ ଦେବନଗର ଯେ । ୩୯ ।

ବନ୍ଦନ୍ତି ସେ ଚଣ୍ଡୀ ଶମ୍ବୁଭାବି ହିମାଳୟ ।

ବାସବ - ନପ୍ତା ବାତକ ଥିବାରୁ ମଳୟ ଯେ । ୪୦ ।

 

୩୬ଶ ପଦ :- ପ୍ରଦକ୍ଷିଣ - ଭ୍ରମଣ କରି । ବିଶ୍ୱକର୍ମାପୁତ୍ର - ନଳ ।

୩୬ଶ ପଦ :- ବରୁଣ ଏହା କହି ରାମଙ୍କୁ ପ୍ରଦକ୍ଷିଣ କରି ଚାଲିଗଲେ । ରାମଚନ୍ଦ୍ର ଏହା ଶୁଣି ବିଶ୍ୱକର୍ମା ପୁତ୍ର ନଳକୁ ଆଦରକଲେ।

୩୭ଶ ପଦ :- ବ୍ୟାପି – ବ୍ୟାପ୍ତହୋଇ । ଶିଖରୀ - ପର୍ବତ । ଉତ୍ପାଟିଲେ - ଉପାଡ଼ିଲେ। ବିଚ୍ଛନ୍ଦସୁତ - ନଳ । ଉଦକେ ପାଣିରେ ।

୩୮ଶ ପଦ :- କଳକଳ – ଚେପା । ତିଳ - ରାଶି ।

୩୭ଶ ଓ ୩୮ଶ ପଦ :- ବାନରମାନେ ଚାରିଆଡ଼େ ବ୍ୟାପିଯାଇ ଆଶ୍ଚର୍ଯ୍ୟ ରୂପେ ପର୍ବତମାନଙ୍କୁ ଉପାଡ଼ିଲେ । ସେ ପର୍ବତକୁ ‘ବିଚ୍ଛନ୍ଦ ସୁତ’ ନଳକୁ ଛୁଆଁଇ ସମଗ୍ର ଜଳରେ ପକାନ୍ତେ, ତାହା ତିଳଚୋପାପ୍ରାୟ ଉଶ୍ୱାସ ହୋଇ ଭାସିଲା । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ ଅଟେ ।

୩୯ଶ ପଦ :- ବୀହୀନଭୀତେ - ନିର୍ଭୟରେ । ଗିରିବର - ପର୍ବତଶ୍ରେଷ୍ଠ। ମେରୁ – ପର୍ବତବିଶେଷ । ଦେବନଗର - ଦେବତାମାନଙ୍କର ଆବାସଭୂମି ।

୩୯ଶ ପଦ :- ଏଇ ପର୍ବତମାନେ ନିର୍ଭୟରେ ରହିଲେ । ମେରୁଗିରି ଭାବିଲା, ‘‘ମୁଁ ଦେବତାମାନଙ୍କର ରହିବା ସ୍ଥାନ । ଦେବତାଙ୍କ ହିତ ପାଇଁ ଅବତୀର୍ଣ୍ଣ ହୋଇଥିବା ରାମଚନ୍ଦ୍ର ସେଠାରେ ଅଛନ୍ତି । (ସୁତରାଂ ସେ ମୋତେ ନେବାକୁ ଆଦେଶ ଦେବେ ନାହିଁ ।’’

୪୦ଶ ପଦ :- ଚଣ୍ଡୀ – ପାର୍ବତୀ, ଦୁର୍ଗା । ଶମ୍ବୁ – ମହାଦେବ । ବାସବନପ୍ତା - ଇନ୍ଦ୍ରଙ୍କର ନାତି (ଅଙ୍ଗଦ) । ବାତକ - ପବନପୁତ୍ର (ହନୁମାନ) ।

୪୦ଶ ପଦ :- ହିମାଳୟ ଭାବିଲା, ‘ରାମଚନ୍ଦ୍ର ମହାଦେବ ଓ ପାର୍ବତୀଙ୍କୁ ପୂଜା କରନ୍ତି, ମୁଁ ତ ଈଶ୍ୱର ପାର୍ବତୀଙ୍କ ବାସସ୍ଥାନ, ତେଣୁ ମୋତେ ନେବେ ନାହିଁ ।’ ବାସବ ନାତି ଅଙ୍ଗଦ ଓ ପବନପୁତ୍ର ହନୁମାନ ଥିବାରୁ ମଳୟପର୍ବତ ବିଚାର କଲା, ମୁଁ ଇନ୍ଦ୍ର ଓ ପବନର କ୍ରୀଡ଼ାସ୍ଥାନ, ତେଣୁ ମୋତେ ନେବେ ନାହିଁ ।

 

ବ୍ରହ୍ମାପୁତ୍ର ଅଶ୍ୱନୀକୁମାର ସୁତ ସ୍ଥିତ ।

ବିଧୀରକୁ ତେବ ଗନ୍ଧମାର୍ଦନ ଏ ସତ ଯେ ।୪୧।

ବିଭୀଷଣ ଭେଟିଅଛି କଇଳାସ ସ୍ଥିର ।

ବିଦୃଶ୍ୟତା ଭାବି ଲୋକାଲୋକ ମହୀଧର ଯେ ।୪୨।

ବିବେକ ଏ ଚିତ୍ରକୂଟ ମାଲ୍ୟବନ୍ତ କରେ ।

ବିଳସି ରାଘବ ଯାଇଛନ୍ତି ଆମ୍ଭପରେ ଯେ ।୪୩।

ବିନ୍ଧ୍ୟ ମନ୍ଦର ସଭୟ ଅଛି ରବିସୁତ।

ବିଚାରିଲେ ଏହି ବିଧି ପର୍ବତ ବହୁତ ଯେ ।୪୪।

ବାମେ ଛୁଉଁ ବାମ ହେଉଁ ମାରୁତିକି ବୋଧି।

ବନ୍ଧ ପଡ଼ିବାରେ ଶୋଭା ହୋଇଲା ବାରିଧି ଯେ ।୪୫।

 

୪୧ଶ ପଦ :- ବ୍ରହ୍ମାପୁତ୍ର - ଜାମ୍ବବାନ୍‌ । ଅଶ୍ୱିନୀକୁମାରସୁତ – ସୁଷେଣ । ବିଧୀରକୁ - ଚଞ୍ଚଳତାକୁ ।

 

୪୧ଶ ପଦ :- ବ୍ରହ୍ମାପୁତ୍ର ଜାମ୍ବବାନ ଓ ଅଶ୍ୱିନୀ କୁମାରସୁତ ସୁଷେଣ ଥିବାରୁ ଗନ୍ଧମାର୍ଦନ ଚଞ୍ଚଳତାକୁ ତ୍ୟାଗ କଲା। (ଗନ୍ଧମାର୍ଦନ ବ୍ରହ୍ମାଙ୍କର କ୍ରୀଡ଼ାସ୍ଥାନ ଓ ଅଶ୍ୱିନୀକୁମାରଙ୍କ ଔଷଧ ବନ, ତେଣୁ ସେ ଭୟ ତ୍ୟାଗ କଲା ।

୪୨ଶ ପଦ :- ବିଦୃଶ୍ୟଣା - ଯାହାକୁ କେହି ଦେଖି ପାରନ୍ତି ନାହିଁ । ମହୀଧର - ପର୍ବତ ।

୪୨ଶ ପଦ :- କୁବେର ଭାଇ ବିଭୀଷଣ ରାମଙ୍କୁ ଭେଟି ଥିବାରୁ କୈଳାସ ପର୍ବତ (କୁବେରଙ୍କର ଆବାସସ୍ଥାନ) ନିଶ୍ଚିତରହିଲା । ଲୋକାଲୋକ ପର୍ବତ ଅଦୃଶ୍ୟ ହୋଇରହିଥିବାରୁ ସ୍ଥିର ହେଲା ( ସେ ଭାବିଲା, ମୋତେ କେହି ଦେଖି ପାରିବେନାହିଁ)।

୪୩ଶ ପଦ :- ବିବେକ - ଜ୍ଞାନ । ବିଳସି - କ୍ରୀଡ଼ା କରି ।

୪୩ଶ ପଦ :- ଚିତ୍ରକୂଟ ଓ ମାଲ୍ୟବନ୍ତ ପର୍ବତ ବିଚାରକଲେ, ‘ରାମଚନ୍ଦ୍ର ଆମ୍ଭ ଉପରେ ବିହାର କରି ଯାଇ ଅଛନ୍ତି । ତେଣୁ ଆମ୍ଭଙ୍କୁ ଉପାଡ଼ିବେ ନାହିଁ ।’

୪୪ଶ ପଦ :- ରବିସୁତ - ସୁଗ୍ରୀବ । ବିଧି - ନିୟମ ।

୪୪ଶ ପଦ :- ସୂର୍ଯ୍ୟପୁତ୍ର ସୁଗ୍ରୀବ ଥିବାରୁ ବିନ୍ଧ୍ୟ ଓ ମନ୍ଦରପର୍ବତ ଦୁହେଁ ଉପଯୁକ୍ତ ହେଲେ । (ବିନ୍ଧ୍ୟ ଓ ମନ୍ଦର ପର୍ବତ ଦୁହେଁ ପରଷ୍ପରରେ ବିବାଦୀ ହୋଇ ସୂର୍ଯ୍ୟଙ୍କୁ ଗତି ପଥ ବନ୍ଦ କରିବାଇଚ୍ଛାରେ ଶୂନ୍ୟକୁ ବଢୁଥିଲେ । ମାତ୍ର ଅଗସ୍ତ୍ୟଙ୍କ କୌଶଳରୁ ତହିଁରୁ କ୍ଷାନ୍ତ ହୋଇଥିଲେ।ସୂର୍ଯ୍ୟପୁତ୍ର ସୁଗ୍ରୀବ ଥିବାରୁ ସେ ଭୟ କଲେ, ଏ କାଳେ ପିତ୍ରାଶତ୍ରୁ ଭାବି ଆମ୍ଭଙ୍କୁ ଉପାଡ଼ି ନେବ) ଏହିପରି ଅନ୍ୟାନ୍ୟ ପର୍ବତମାନେ ମଧ୍ୟ ବିଚାର କଲେ ।

୪୫ଶ ପଦ :- ବାମେ – ବାମହସ୍ତରେ। ବାମ - ବିପକ୍ଷ । ମାରୁତି- ହନୁମାନ ।ବୋଧି - ଶାନ୍ତକରାଇ।ବାରିଧି - ସମୁଦ୍ର।

୪୫ଶ ପଦ :- ହନୁମାନ ଆଣିବା ପର୍ବତକୁ ନଳ ବାମ ହସ୍ତରେ ଛୁଇଁ ଦେବାରୁ ହନୁମାନ ତାଙ୍କର ଶତ୍ରୁତାଚରଣ କଲେ । ମାତ୍ର ରାମଚନ୍ଦ୍ର ହନୁମାନକୁ ବୋଧ କରାଇଲେ । ଏହିପରି ବନ୍ଧ ପଡ଼ିବାରୁ ସମୁଦ୍ର ସୁନ୍ଦର ଦିଶିଲା ।

 

ବାଲୁକା ପକାଅ ବନ୍ଧେ ରାମ ଆଜ୍ଞା ହେଲା ।

ବହୁତ ନଗର ରୁଚି ଏକ ହୋଇଗଲା ଯେ ।୪୬।

ବିଖ୍ୟାତ ହୋଇଲା ସେ ଆଶ୍ଚର୍ଯ୍ୟ ଜଗତରେ ।

ବିଭ୍ରାଜେ କୁମ୍ଭୀର ଗତି ସେ ତଳ ଉପରେ ଯେ ।୪୭।

ବାଜୀଗତାଗତ ରାଜି ହେଲା ଅତିଶୟ ।

ବିଦୂର ହୋଇଲା ଯହିଁ କୁଳଟାର ଭୟ ଯେ ।୪୮।

ବିଳସିତ ହୋଇଲାସୁଜାତି ଆଖୁ କରେ ।

ବିଭୁ କରେ ଆଶ୍ୱାସିଲେ ପ୍ରକ୍ଷାତ ଶୁଭରେ ଯେ ।୪୯।

ବିଜେ ରାମ ପ୍ରାପ୍ତି ଇଚ୍ଛା ସୁବଳୟଶୋଭୀ।

ବଳ ତେଜି କୁ-ବଳୟ ସୁବେଳକୁ ଲଭି ଯେ ।୫୦।

 

୪୬ଶ ପଦ :- ନଗ - ପର୍ବତ । ରୁଚି - ଶୋଭା।

୪୬ଶ ପଦ :- ବନ୍ଧ ଉପର ଅସମାନ ହୋଇଥିବାରୁ ରାମଚନ୍ଦ୍ର ଆଦେଶ ଦେଲେ, ‘‘ବନ୍ଧ ଉପରେ ବାଲି ପକାଅ’’ ବାଲି ପଡ଼ିବାରୁ ସବୁ ପର୍ବତର ଶୋଭା ଏକ ହୋଇଗଲା (ସବୁ ସମାନ ଦେଖାଗଲା) ।

୪୭ଶ ପଦ :- ବିଖ୍ୟାତ - ପ୍ରସିଦ୍ଧ । ଜଗତୀ - ସଂସାର ।ବିଭ୍ରାକେ - ଶୋଭାପାଏ। କୁମ୍ଭୀର - ହିଂସ୍ର ଜଳଜନ୍ତୁ ବିଶେଷ, ହସ୍ତୀ।

୪୭ଶ ପଦ :- ପର୍ବତ ଜଳରେ ଭାସିବାରୂପ ଆଶ୍ଚର୍ଯ୍ୟ ଘଟନା ସଂସାରରେ ବିଖ୍ୟାତ ହେଲା । ସେ ବନ୍ଧର ତଳ ବାଟରେ କୁମ୍ଭୀରମାନଙ୍କର ଗତାଗତ ହେଲା ଓ ଉପରେ ହସ୍ତୀମାନଙ୍କର ଗମନାଗମନ ଶୋଭା ପାଇଲା ।

୪୮ଶ ପଦ :- ବାଜୀ -ଘୋଡ଼ା।ଗତାଗତ - ଗମନାଗମନ। ରାଜି ମନୋହର। କୁଳଟା - ବିଟପୀ ସ୍ତ୍ରୀ ।

୪୮ଶ ପଦ :- ଅସତୀ ସ୍ତ୍ରୀମାନଙ୍କର ଯେପରି କୁଳ ବୁଡ଼ିଯିବାର ଭୟ ନ ଥାଏ, ସେହିପରି ରାମଚନ୍ଦ୍ର ବନ୍ଧଉପରେ ହାତୀ ଘୋଡ଼ାମାନଙ୍କୁ ନେବା ଆଣିବା କରିବାଦ୍ୱାରା ବନ୍ଧ ବୁଡ଼ିଯିବା ଭୟ ମନରୁ ଦୂରକଲେ।

୪୯ଶ ପଦ :- ବିଳସିତ - ଖେଳିବା । ଆଖୁ - ଗୁଣ୍ଡୁଚିମୂଷା । କରେ - ଜଳରେ । ବିଭୁ - ପ୍ରଭୁ (ରାମଚନ୍ଦ୍ର) । କରେ – ହସ୍ତରେ। ଆଶ୍ୱାସିଲେ - ଆଉଁଷିଲେ । ପ୍ରକ୍ଷତ - ପ୍ରକାଶିତ । ଶୁଭ୍ରରେ - ଶୁକ୍ଳ ବର୍ଣ୍ଣରେ ।

୪୯ଶ ପଦ :- ଉତ୍ତମ ଜାତୀୟ ଗୁଣ୍ଡୁଚିମୂଷା ଜଳରେ ବୁଡ଼ି ବାଲିରେ ଗଡ଼ିଆସି ବନ୍ଧରେ ଝାଡ଼ିଦେବାରୁ (ଜଳରେ ବୁଡ଼ି ଦେହକୁ ଓଦା କରେ । ଓଦାଦେହରେ ବାଲିରେ ଗଡ଼ିଲେ ଦେହରେ ବାଲି ଲାଗିଯାଏ । ସେ ବାଲି ଆଣି ବନ୍ଧରେ ପକାଏ ) ରାମ ସନ୍ତୁଷ୍ଟ ହୋଇ ତା ଦେହ ହାତରେ ଆଉଁଷି ଦେଲେ, ଆଉ ମଧ୍ୟ ଉତ୍ତମ ବର ଦେଇ ‘ସୁବରଦ ଏହି ନାମରେ ପ୍ରସିଦ୍ଧି ଲଭିଲେ ।

୫୦ଶପଦ :- ସୁବଳୟଶୋଭା- ସ୍ୱର୍ଣ୍ଣକଙ୍କଣ ଶୋଭା, ସୀତା । ବଳ - ସୈନ୍ୟ । କୁ - ବଳୟ – ସୁମଦ୍ର । ସୁବେଳ– ପର୍ବତବିଶେଷ ।

୫୦ଶପଦ :- ବନ୍ଧକାମ ଶେଷ ହେବାପରେ ସ୍ୱର୍ଣ୍ଣକଙ୍କଣଶୋଭିନୀ ସୀତାଙ୍କୁ ଲଭିବା ଇଚ୍ଛାରେ ରାମ ବନ୍ଧଉପରେ ବିଜେ କଲେ । ସୈନ୍ୟସବୁ କୁବଳୟ ସମୁଦ୍ର ପାର ହୋଇ ଯାଇ ସୁବେଳ ପର୍ବତରେ ରୁଣ୍ଡ ହେଲେ । (ସୁବଳୟ ପ୍ରାପ୍ତ ହେବା ଲୋକ କୁବଳୟକୁ ତ୍ୟାଗ କରିଥାଏ ) ।

 

ବିସ୍ତାରେ ସ୍ୱର୍ଗ ସୁସଞ୍ଚ ଅଧିକରେ ସତ ।

ବୃନ୍ଦ ବୃନ୍ଦ ରମ୍ଭା ଶତାବରୀ ଐରାବତ ଯେ ।୫୧।

ବୋଲିବାରେ ହନୁମାନ ତହିଁ ଦୁର୍ଗ କରି ।

ବିଲକ୍ଷିଲେ ଲଙ୍କାଗଡ଼ ପାତାଳର ପରି ଯେ ।୫୨।

ଗଳି ରହିଅଛନ୍ତି ଯହିଁରେ କରି ସ୍ଥାନ ।

ବିହରିତ ହୋଇଛନ୍ତି ନାଗସାରମାନ ଯେ ।୫୩।

ବିଜ୍ଜ୍ୱଳିତହୋଇଅଛି ମଣି କିରଣରେ ।

ବେଭାରେ ସେ ରାଜିତ ରାକ୍ଷସ ଶରଣରେ ଯେ ।୫୪।

ବାର୍ତ୍ତିକ ଆସର-ଚାର ଖର ଲଙ୍କାରାଜେ।

ବିଜେ ଖରପର ଯୁକ୍ତ ଲକ୍ଷ୍ମଣ ରବିଜେ ଯେ ।୫୫।

 

୫୧ଶପଦ :- ସୁସଞ୍ଚ – ମନୋହର । ରମ୍ଭା - କଦଳୀଗଛ, ସ୍ୱବେଶ୍ୟ । ଶତାବରୀ - ଛତୁଆରୀଗଛ, ଶଚୀ । ଐରାବତ - ସ୍ୱର୍ଗହସ୍ତୀ, ନାରଙ୍ଗଗଛ ।

୫୧ଶପଦ :- ସେ ସୁବେଳ ପର୍ବତ ସ୍ୱର୍ଗଶୋଭାଠାରୁ ଅଧିକ ସୁନ୍ଦର ଅଟେ । ସ୍ୱର୍ଗରେ ଗୋଟିଏ ରମ୍ଭା, ଗୋଟିଏ ‘ଶତାବରୀ’ ଶଚୀଦେବୀଓ ଗୋଟିଏ ଐରାବତ ଗଜ ଅଛି, ମାତ୍ର ଏ ପର୍ବତରେ ଅସଂଖ୍ୟ ‘ରମ୍ଭା କଦଳୀ ଗଛ, ବହୁତ ‘ଶତାବରୀ’ ଛତୁଆରିଗଛ ଓ ଅନେକ ‘ଐରାବତ’ ନାରଙ୍ଗ ବିଦ୍ୟମାନ ।

୫୨ଶ ପଦ :- ଦୁର୍ଗ - ଗଡ଼ । ତିଲକ୍ଷିଲେ - ଦେଖିଲେ ।

୫୨ଶ ପଦ :- ହନୁମାନ କହିବାମୁତାବକ ରାମଚନ୍ଦ୍ର ସେ ପର୍ବତରେ ଗଡ଼ କରି ତା ଉପରେ ଠିଆ ହୋଇ ଦେଖିଲେ ଯେ, ଲଙ୍କାଗଡ଼ ପାତାଳପୁର ପ୍ରାୟ ଦିଶୁଛି ।

୫୩ଶ ପଦ :- ବଳୀ - ଯୋଦ୍ଧା, ବଳିରାଜ। ନାଗସାରମାନ- ସର୍ପବିଶେଷ, ହସ୍ତୀଶ୍ରେଷ୍ଠ।

୫୩ଶ ପଦ :- ପାତାଳରେ ବଳିରାଜା ଗୃହ କରିରହିଛନ୍ତି ଓ ଶ୍ରେଷ୍ଠ ନାଗସର୍ପମାନେ ବିହାର କରୁଅଛନ୍ତି । ସେହିପରି ଲଙ୍କାଗଡ଼ରେ ବଳିଷ୍ଠ ଲୋକମାନେ ବାସ କରି ଅଛନ୍ତି ଏବଂ ଶ୍ରେଷ୍ଠ ହସ୍ତୀସବୁ କ୍ରୀଡ଼ା କରୁଅଛନ୍ତି ।

୫୪ଶ ପଦ :- ବିଜ୍ୱଳିତ - ଦୀପ୍ତି ମନ୍ତ । ମଣି - ରତ୍ନବିଶେଷ। କିରଣରେ – ତେଜରେ । ବେଭାରେ- ପ୍ରକୃତରେ । ରାଜିତ- ଶୋଭିତ।

୫୪ଶ ପଦ :- ପାତାଳପୁରସର୍ପଙ୍କମଣି କିରଣରେ ପ୍ରଦୀପ୍ତ ହୋଇଅଛି । ପୁଣି ସେ ପୁର ରାକ୍ଷସମାନଙ୍କ ଶରଣ ରକ୍ଷା କରି ଶୋଭା ପାଇଥାଏ । ସେହିପରି ଏ ଲଙ୍କା ରତ୍ନମାନଙ୍କ କିରଣ ପ୍ରଭାରେ ଉଜ୍ଜ୍ୱଳ ଏବଂ ରାକ୍ଷସମାନଙ୍କ ଗୃହରେ ଶୋଭିତ ହୋଇଅଛି।

୫୫ଶ ପଦ :- ବାର୍ତ୍ତିବ - ବାର୍ତ୍ତାବହ । ଆସ - ଚୋର - ରାକ୍ଷସହିତ। ଖର –ଶୀଘ୍ର । ଖରପର - ରାମଚନ୍ଦ୍ର । ରବିଜ - ସୁଗ୍ରୀବ, ପୁର୍ବଦିଗ।

୫୫ଶ ପଦ :- ରାମଚନ୍ଦ୍ର ସୁବେଳ ପର୍ବତରେ ଦୁର୍ଗ କରି ରହିବାର ଦେଖି ରାକ୍ଷସଦୂତ ଶୀଘ୍ର ଯାଇ ରାବଣ ଅଗ୍ରତରେ ବାର୍ତ୍ତା କହିଲା, ଲକ୍ଷ୍ମଣ ଓ ସୁଗ୍ରୀବ ସହିତ ରାମଚନ୍ଦ୍ର ଲଙ୍କାକୁ ବିଜେ କଲେ ।

 

ବିଧିପୂର୍ବରେ ଦକ୍ଷିଣ ପ୍ରତୀଚୀରେ ଉଜ ।

ବିଦିତ ତବ ଭ୍ରାତାର ଉତ୍ତର ସହଜ ଯେ ।୫୬।

ବାରତା ଶୁଣୁ ରାବଣ ତ୍ରିଜଟା ଶୁଣିଲା ।

ବୈଦେହୀ ପାଶେ ବଲ୍ଲଭ ପ୍ରବେଶ କହିଲା ଯେ ।୫୭।

ବ୍ୟର୍ଥଲକ୍ଷ ଦରିଦ୍ର ପ୍ରାପତ ଲକ୍ଷ ଧନ ।

ବୋଲିବ ମୃତପିଣ୍ଡରେ ପ୍ରବେଶ ଜୀବନ ଯେ ।୫୮।

ବିମଳକମଳନେତ୍ରୁଁ କମଳ ଜନିତ

ବିଗତ ସେ ହେଲା ଯେଣୁ ଋଣା ଉତପାତ ଯେ ।୫୯।

ବିଜନ୍ୟ ଗତି ଚଞ୍ଚଳେ କମଳ ହୋଇଲା।

ବୋଲିବାରୁ ତାହିଁ ସୁବେଳେବୋଇଲା ଯେ ।୬୦।

ବଚନ ସୁଧା ସେଚନ ପରାୟେ ମଣିଲେ ।

ବିମୋଚନଶୋଚନ ସୀତାର ମନୁ କଲେ ଯେ ।୬୧।

ବାଞ୍ଛିଲେ ପାବନୀ ହେଉ ଚିରାୟୁଷ ହୃଦେ

ବୀରବର ବାଷଠି ପଦରେ ଛାନ୍ଦ ଛନ୍ଦେ ଯେ ।୬୨।

 

୫୬ଶ ପଦ :- ବିଧିପୂର୍ବରେ- ଯଥା ବିଧି । ଦକ୍ଷିଣ- ପ୍ରବୀଣ । ପ୍ରତୀଚୀ - ଚିରକାଳ, ପଶ୍ଚିମଦିଗ। ଉଜ- ସକ୍ଷମ।

୫୬ଶ ପଦ :- ‘‘ସେ ରାମଚନ୍ଦ୍ର ନିୟମାନୁଯାୟୀ କାର୍ଯ୍ୟସବୁ ସମ୍ପାଦନ କରିବାର ବଡ଼ ଚତୁର ଏବଂ ପ୍ରତ୍ୟେକ ବିଷୟରେ ଉପଯୁକ୍ତ ବିଚାର ସହିତ ଅଗ୍ରସର ହେବାରେ ସକ୍ଷମ ଅଟନ୍ତି । ତୁମ୍ଭ ଭାଇ ବିଭୀଷଣର କଥାନୁସାରେ ସେ ଅନାୟାସରେ ଏଠାକୁ କ୍ଷମ ହୋଇ ଅଛନ୍ତି ।’’ (୫୫ଶ ଓ ୫୬ଶ ପଦଦ୍ୱୟରେ ବର୍ଣ୍ଣନା ବ୍ୟାଜରେ ଚାରିଦିଗର ବ୍ୟବହାର କରାଯାଇଅଛି ।)

୫୭ଶ ପଦ :- ବୈଦେହୀ ସୀତା ।ବଲ୍ଳଭ - ସ୍ୱାମୀ।

୫୭ଶ ପଦ :- ରାବଣ ଚାରି ମୁଖରୁ ଏପରି ବାର୍ତ୍ତା ଶୁଣିବା ସମୟରେ ତ୍ରିଜଟା ତାହା ଶୁଣିପାରିଲା । ସେ ଯାଇ ସୀତାଙ୍କ ଆଗରେ କହିଲା, ‘‘ତୁମ୍ଭପତି ପ୍ରବେଶ ହେଲେ ।’’

୫୮ଶ ପଦ :- ତାହା ଶୁଶି ସୀତା ଯେପରି ଆନନ୍ଦିତା ହେଲେ, ତାକୁ ‘ଦରିଦ୍ର ଲୋକ ଧନ ପ୍ରାପ୍ତି ହେଲା’ ଏ ଲକ୍ଷ ବ୍ୟର୍ଥ ହୋଇଯିବ। ମୃତପିଣ୍ଡରେ ଜୀବନ ପ୍ରବେଶ ହେଲା - ଏହା ବରଂ କହିବା ଠିକ୍‌।

୫୯ଶ ପଦ :- ବିମଳ - ନିର୍ମଳ ।କମଳନେତ୍ରୁଁ - ପଦ୍ମନୟନରୁ। କମଳ - ଜଳ । ବିଗତ - ବିଦୁରିତ।

୫୯ଶ ପଦ :- ସୀତାଙ୍କର ନିର୍ମଳ ନ ପଦ୍ମନେତ୍ରରୁ ଜାତ ହେଉଥିବା ଲୋତକ ଜଳ ଦୂରହେଲା, ପୁଣି ରାକ୍ଷସୀମାନଙ୍କର ଉପଦ୍ରବ ଶାନ୍ତ ହେଲା । (ଭୟରେ ରାକ୍ଷସୀମାନେ ଆଉ ବେଶି ଉତ୍ପାତ କଲେ ନାହିଁ ) ।

୬୦ତମ ପଦ :- ବିଜନ୍ୟ- ଜାତ । କମଳ - ମୃଗ ।

୬୦ତମ ପଦ :- ରାମଚନ୍ଦ୍ରଙ୍କ ସମ୍ବାଦ ପାଇ ସୀତାଙ୍କ ନେତ୍ର ତାଙ୍କୁ ଦର୍ଶନ କରିବା ପାଇଁ ଅସ୍ଥିର ହୋଇ ମୃଗପରି ଚଞ୍ଚଳ ଗତିକୁ ବିହିଲା (ସେ ଏଣେ ତେଣେ ଘନ ଘନ ଚାହିଁବାକୁ ଲାଗିଲେ) । ଉତ୍କଣ୍ଠାରେ ସେ ପଚାରିଲେ, ‘‘ରାମ କାହାନ୍ତି?’’ ତ୍ରିଜଟା ଉତ୍ତର ଦେଲା, ‘‘ସୁବେଳ ପର୍ବତରେ ବିଜେ କରି ଅଛନ୍ତି ।’’

୬୧ତମ ପଦ :- ସାଧାସେଚନ - ଅମୃତସେଚନ।ବିମୋଚନ - ତ୍ୟାଗ ।

୬୧ତମ ପଦ :- ତ୍ରିଜଟାର ବାକ୍ୟ ସୀତାଙ୍କୁ ଅମୃତ ସେବନ ପ୍ରାୟ ବୋଧ ହେଲା ଏବଂ ତାଙ୍କ ମନରୁ ଶୋକ ଦୂର ହେଲା ।

୬୨ତମ ପଦ :- ପାବନୀ - ହନୁମାନ । ଚିରାୟୁଷ - ଦୀର୍ଘାୟୁ ।

୬୨ତମ ପଦ :- ‘ହନୁମାନ ଚିରଂଜୀବୀ ହେଉ’ ସୀତା ହୃଦୟରେ ଏହି କଲ୍ୟାଣ ମନାସିଲେ । ବୀରବର ଏ ଛାନ୍ଦକୁ ବାଷଠି ପଦରେ ଛନ୍ଦିଲେ ।

 

ଏକଚତ୍ୱାରିଂଶ ଛାନ୍ଦ

ରାଗ-ବିଚିତ୍ର ଦେଶାକ୍ଷ

 

ବୋଧତ୍ରବ୍ୟାଦେଶ ଶ୍ରୀରାମ ସନ୍ଦେଶ ପାଇଣସ୍ୱଦେଶ ଜନ।

ବାହାର ବିହାର ନ କରାଇ ସାଜି ଯୁଦ୍ଧ ଉପଚାର ମାନ ସେ ।

ବିଭାବରୀ ପ୍ରବେଶରେ । ବଳ କଳା ଆଦେଶରେ ହେ ।୧।

 

ବେନି ମନ୍ତ୍ରୀ ପେଷେ ସେ ମର୍କଟବେଶେ ପ୍ରକଟ ସେ ସୈନ୍ୟ ଯାଇ

ବିଚେତନ ବୀର ମୁକୁଟ-ରତନ ଏଣାଜିନ ଶେଯେ ଶୋଇ ସେ ।

ବସି ଲକ୍ଷ୍ମଣ ସମୀପେ ! ବିବିରାଜେ ମାର୍ଗଣ ଚାପେ ହେ ।୨।

 

ବିଚାରେ ସୁଗ୍ରୀବ ଜମ୍ବବସୁଷେଣ ଲଙ୍କା ଜୟ କରିବାରେ ।

ବାଜଣା ଦିଆଇ ବୁଲେ ବିଭୀଷଣ ଜଣାଗଲେ ସେହିଠାରେ ସେ।

ବନ୍ଧାଇ ରଖିଲା ସେହି । ବାସର ପ୍ରବେଶ ତହିଁ ହେ ।୩।

 

ବିଜେ ସଭା କରି ଅରି କରୀ ହରୀଶେ ଦେଇଣ ଶିର ।

ବାଳିସୁତ ପର କର ହନୁମାନ ମର୍ଦ୍ଦନ କରେ ପୟର ସେ ।

ବେଳ ଭଲ ଭିଲ୍ଲମନ୍ତ୍ରୀ। ବ୍ୟବସ୍ଥିତରେ କହନ୍ତି ସେ ।୪।

 

ବିଶିଖ ସଳଖେ ଲକ୍ଷ୍ମଣ ଚରମେ ବନ୍ଦିରେ ଦତ୍ତ ଈକ୍ଷଣ ।

ବାଣେ ଦେଖନ୍ତି ରାବଣ ବଧ ଏଣେକର୍ଣ୍ଣେ କହେ ବିଭୀଷଣ ସେ ।

ବୈଦେହୀସମୀପେ ମନ । ବିଧାନ ଅଷ୍ଟବିଧାନ ହେ ।୫।

 

୧ମ ପଦ :- କ୍ରବ୍ୟାଦେଶ – ରାକ୍ଷସରାଜ । ସନ୍ଦେଶ - ବାର୍ତ୍ତା । ବିଭାବରୀ - ରାତ୍ରି । ବଳ - ସୈନ୍ୟ ।

 

୨ୟ ପଦ :- ବିଚେତନ - ସଂଜ୍ଞାହୀନ, ଚେତାଶୂନ୍ୟ । ବୀରମୁକୁଟରତନ - ରାମଚନ୍ଦ୍ର ।ଏଣାଜିନ - ମୃଗଚର୍ମ । ମାର୍ଗଣ-ଶର।

 

୧ମ ଓ ୨ୟ ପଦ :- ରାକ୍ଷସେନ୍ଦ୍ର ରାବଣ ଶ୍ରୀରାମ ଆସିବା ବାର୍ତ୍ତା ପାଇ ଆପଣା ରାଜ୍ୟ ଲୋକଙ୍କୁ ବାହାରେ ବୁଲା ବୁଲି କରିବା ବନ୍ଦ କରାଇଦେଲା ଓ ଯୁଦ୍ଧର ଉପକରଣମାନ ସଜକଲା । ରାତ୍ର ପ୍ରବେଶ ହେବାରୁ ରାମଙ୍କ ସୈନ୍ୟ କଳନା କରିବା ପାଇଁ ଶୁକ ସାରଣ ନାମକ ମନ୍ତ୍ରୀଦ୍ୱୟଙ୍କୁ ପଠାଇଲା । ସେ ମନ୍ତ୍ରୀଦ୍ୱୟବାନରରୂପରେ ରାମଙ୍କ କପିସୈନ୍ୟ ମଧ୍ୟରେ ଯାଇ ମିଳିଲେ । ଦେଖିଲେ ବୀରଶ୍ରେଷ୍ଠ ରାମ ଅଚେତନ ହୋଇ ମୃଗ ଚର୍ମରେ ଶୋଇଅଛନ୍ତି । ତାଙ୍କ ପାଖରେ ଧନୁଶର ଧରି ଲକ୍ଷ୍ମଣ ବସିଅଛନ୍ତି।

 

୩ୟ ପଦ :- ବାସର - ଦିବସ ।

 

୩ୟ ପଦ :- ସୁଗ୍ରୀବ ଦୁଇ ମନ୍ତ୍ରୀ ଜାମ୍ବବ ଓ ସୁଷେଣଙ୍କୁ ଘେନି ଲଙ୍କା ଜୟ କରିବା କଥା ବିଚାରୁଛନ୍ତି । ବିଭୀଷଣ ବାଦ୍ୟକାରଙ୍କ ହସ୍ତରେ ବାଦ୍ୟ ବଜାଇ ସୈନ୍ୟ ମଧ୍ୟରେ ବୁଲୁ ଅଛନ୍ତି । ସେହିଠାରେ ଶୁକ ସାରଣ ମନ୍ତ୍ରୀଦ୍ୱୟ ଚିହ୍ନା ପଡ଼ିଲେ । ବିଭୀଷଣ ତାଙ୍କୁ ଚିହ୍ନି ବନ୍ଧାଇ ରଖିଲେ । କ୍ରମେ ରାତ୍ରି ଶେଷ ହେବାରୁ ଦିବସ ଉପସ୍ଥିତ ହେଲା ।

 

୪ର୍ଥ ପଦ :- ଅରି - ଶ୍ରୁ। କରୀ -ହସ୍ତୀ । ହରି - ସିଂହ ।ହରୀଶ- ସୁଗ୍ରୀବ ।ବାଳିସ୍ତୁତ-ଅଙ୍ଗଦ । ପୟର - ପାଦ ।ଭଲ୍ଲମନ୍ତ୍ରୀ - ଜାମ୍ବବାନ୍‌। ବ୍ୟବସ୍ଥିତ - ନିର୍ଦ୍ଧାରିତା।

 

୪ର୍ଥ ପଦ :- ଶକ୍ରରୂପ ହସ୍ତୀ ପଲରେ ସିଂହସମ ରାମଚନ୍ଦ୍ର ସୁଗ୍ରୀବଙ୍କ ଉପରେ ମସ୍ତକ ରଖି ଅଙ୍ଗଦ ଉପରେ ହାତ ଭାରା ଦେଇ ଆଉଜି ବସି ଅଛନ୍ତି । ହନୁମାନ ନିଜ କରରେ ଚରଣଦ୍ୱୟ ମର୍ଦ୍ଦନ କରୁଅଛି । ଭଲ୍ଲୁକ ମନ୍ତ୍ରୀ ଜାମ୍ବବାନ ଉତ୍ତମ ସମୟ ବୁଝି କହୁଅଛନ୍ତି ।

 

୫ମ ପଦ :- ବିଶିଖ -ଶର । ଚରମେ - ପୃଷ୍ଠ ଦେଶରେ । ବନ୍ଦିରେ-ବନ୍ଧନ ହୋଇଥିବା। ଈକ୍ଷଣ - ଚକ୍ଷୁ ।

 

୫ମ ପଦ :- ଲକ୍ଷ୍ମଣ ପିଠି ପାଖରେ ବସି ବାଣ ସଳଖୁଅଛନ୍ତି । ରାମଚନ୍ଦ୍ର କଟାକ୍ଷରେ ତାହା ଦେଖି ଓ ବନ୍ଧନରେ ଥିବା ଶୁକ ସାରଣମନ୍ତ୍ରୀଦ୍ୱୟକୁ ଚାହିଁ ବ୍ରହ୍ମାସ୍ତ୍ର ଦେଖାଇ କହୁଅଛନ୍ତି, ‘ଏହି ବାଣରେ ରାବଣ ବିନାଶ ହେବ । ବିଭୀଷଣ କର୍ଣ୍ଣରେ କହୁଥିବା ଗୁପ୍ତ କଥାମାନଙ୍କ ପ୍ରତି କର୍ଣ୍ଣ ଡେରିଅଛନ୍ତି । ସୀତାଙ୍କ ନିକଟରେ ମନ ସର୍ବଦା ଟାଣି ହୋଇ ରହିଅଛି। ବିଧାତା ରାମଚନ୍ଦ୍ରଙ୍କୁ ଏହିପରି ଅଷ୍ଟାବଧନୀ (ଯେ ଏକ ସମୟରେ ଆଠ ପ୍ରକାର କାର୍ଯ୍ୟ କରି ପାରନ୍ତି ) ଲକ୍ଷ୍ମଣ ପ୍ରଦାନ କରିଅଛି ।

 

ବଧ ନ କରି ବରଦ ହେଲେ ବେଗ ରଚନ ରାମ ବଚନ ।

ବିଭୀଷଣ ସଙ୍ଗେ ରଙ୍ଗେ ମନ୍ତ୍ରୀପଣେ ବେନି ଜନେ ହରି ଦିନ ସେ ।

ବନ୍ଧନମୁକ୍ତ ଓଳଗେ । ବାହୁଡ଼େ ଲଙ୍କାକୁ ବେଗେ ହେ ।୬।

 

ବୃଥା କଲା ଦଶମଥା ତାଙ୍କ କଥା ଭଲ ସେହି ଭଲ୍ଲ ହେଲା ।

ବ୍ୟଥା ହୃଦୟରେ ଉଦୟ ତକ୍ଷଣ ଶାଦ୍ଦୂଳକୁ ବରଗିଲା ସେ ।

ବିହି ଅଞ୍ଜନ ଘେନିଲା । ବରଣେ ଉଠି ଚାହିଁଲା ହେ ।୭।

 

ବିଲୋକନ କରି ବାହୁଡ଼ି କହିଲା ଭୁଲୋକ ବ୍ୟାପିତ କପି ।

ବୋଇଲା ରାବଣ ଇନ୍ଦ୍ରଜାଲ ମାୟାଶିକ୍ଷା କରିଥିବ ତପୀ ସେ ।

ବଚନରେ ଭାଙ୍ଗି ଦୂତ । ବିଭୋ ! ମିଥ୍ୟା ନୁହେ ସତ ହେ ।୮।

 

ବୀରତରୁ ସମ ସାମାନ୍ୟ ବାନର ଗିରୀଷମ ଗିରିସମ ।

ବଡ଼ବଡ଼ ଯେହି ଯୁଥପତି ସେହି କୋପ-ଅନଳ ଜନମ ସେ।

ବୋଲେ ଦଶାସ୍ୟ ତୁ କବି । ବକ୍ଷୋରୁହେ ମେରୁ ଭାବି ହେ ।୯।

 

ବଡ଼-ଭୀ ହୃଦେ ଜନିତ ବ୍ୟାଜଦମ୍ଭବଡ଼ଭୀ ଯାଇ ଆରୋହି।

ବିମ୍ବ ଚନ୍ଦ୍ର ବିମ୍ବ କିରଣ ଯହିଁରେ ହେଠବଦନରେ ଚାହିଁ ସେ ।

ବାରିଯନ୍ତ୍ର ପରି ଯହିଁ । ବିୟତ ଗଙ୍ଗାହିଁ ବହି ହେ ।୧୦।

 

୬ଷ୍ଠ ପଦ :- ବରଦ - ବରଦାତା । ରଙ୍ଗେ - କୌତୁକରେ । ନମସ୍କାର - କରେ ।

 

୬ଷ୍ଠ ପଦ :- ରାମଚନ୍ଦ୍ର ବନ୍ଦୀ ହୋଇଥିବା ଶୁକ ସାରଣଦ୍ୱୟଙ୍କୁ ବର ଦେଇ କହିଲେ, ଆନନ୍ଦରେ ଦୁଇଜଣଯାକ ବିଭୀଷଣଙ୍କର ମନ୍ତ୍ରୀରୂପେ ଦିନକାଟ।’ ସେ ଦୁଇ ମନ୍ତ୍ରୀ ବନ୍ଧନରୁ ମୁକ୍ତ ହୁଅନ୍ତେ ରାମଙ୍କୁ ପ୍ରଣାମ କରି ଶୀଘ୍ର ଲଙ୍କାକୁ ଫେରିଗଲେ । (ରାମଚନ୍ଦ୍ର ମନ୍ତ୍ରୀଦୁହିଁଙ୍କୁ ବନ୍ଧନରୁ ଫିଟାଇ ବର ଦେଲେ ‘ରାବଣ ମଲେ ଲଙ୍କାରେ ବିଭୀଷଣ ରାଜା ହେବେ, ସେତେବେଳେ ତୁମ୍ଭେ ତାଙ୍କର ମନ୍ତ୍ରୀ ହେବ) ।

 

୭ମ ପଦ :- ଦଶମଥା -ରାବଣ । ଭଲ୍ଲ - ଅସ୍ତ୍ରବିଶେଷ। ଶାର୍ଦ୍ଦୁଳ - ରାବଣର ମନ୍ତ୍ରୀ ବିଶେଷ । ବରଗିଲା - ପଠାଇଲା । ବରଣେ-ପ୍ରାଚୀରରେ ।

 

୭ମ ପଦ :- ମନ୍ତ୍ରୀଦ୍ୱୟ ରାବଣ ଆଗରେ ଯାଇ ରାମଙ୍କ କଥା କହିବାରୁ ରାବଣ ତାଙ୍କ କଥା ମିଥ୍ୟା ବୋଲି ମନେ କଲା । ସେହି ସତ୍ୟ କଥା ରାବଣ ହୃଦୟକୁ ଭେଲ ଅସ୍ତ୍ରପରି ବିଦ୍ଧ କଲା । ତେଣୁ ସେ ଶାର୍ଦ୍ଦୁଳ ନାମକ ରାକ୍ଷସକୁ ପଠାଇଲା । ସେ ଶାର୍ଦ୍ଦୁଳ ବ୍ରହ୍ମଦତ୍ତ ଅଞ୍ଜନକୁ ନେତ୍ରରେ ଲଗାଇ ପାଚେରୀ ଉପରେ ଉଠି ଚାହିଁଲ। (ସେ ଅଞ୍ଜନ ନେତ୍ରରେ ଘେନିଲେ ଚଉଦଭୁବନ ସ୍ପଷ୍ଟରୂପେ ଦେଖାଯାଏ ।)

 

୮ମ ପଦ :- ସେ ଶାର୍ଦ୍ଦୁଳ ରାକ୍ଷସ ରାମଙ୍କ ସୈନ୍ୟ ଦେଖି ଫେରିଯାଇ କହିଲା, ‘କପି ସୈନ୍ୟ ମର୍ତ୍ତ୍ୟଲୋକ ବ୍ୟାପି ରହିଅଛନ୍ତି ।’’ ଏହା ଶୁଣି ରାବଣ କହିଲା, ‘‘ରାମଚନ୍ଦ୍ର ସନ୍ନ୍ୟାସୀ, ସେ ଇନ୍ଦ୍ରଜାଲ ମାୟା ଶିକ୍ଷା କରିଥିବ ।’’ ତେଣୁ ତୋତେ ଏତେ କପି ଦେଖାଗଲେ ) । ଉତ୍ତରରେ ଶାର୍ଦ୍ଦୁଳ ସେ କଥା ଭାଙ୍ଗିଦେଇ କହିଲା, ‘‘ନା ପ୍ରଭୁ ! ମୋ କଥା ମିଥ୍ୟା ନୁହେଁ, ସମ୍ପୁର୍ଣ୍ଣ ସତ୍ୟ ।’’

 

୯ମ ପଦ :- ବୀରତରୁ- ଅର୍ଜ୍ଜୁନ ବୃକ୍ଷ । ଗିରୀଷମ – ଗ୍ରୀଷ୍ମକାଳ । ଗିରିସମ - ପର୍ବତ ସମାନ । ଦଶାସ୍ୟ – ରାବଣ। ବକ୍ଷୋରୁହ - ସ୍ତନ ।

 

୯ମ ପଦ :- ‘‘ସାମାନ୍ୟ କପିମାନେ ଅର୍ଜ୍ଜୁନ ବୃକ୍ଷ ସମାନ ଦେଖା ଯାଉଅଛନ୍ତି । ତାଙ୍କ ମଧ୍ୟରେ ଯେଉଁ ବଡ଼ କପିମାନେ ଯୁଥପତି ହୋଇଛନ୍ତି, ସୋମନେ ପର୍ବତ ପ୍ରାୟ ଅଟନ୍ତି । ଗ୍ରୀଷ୍ମ ସମୟରେ ପର୍ବତରୁ ଅନଳ ଜାତ ହେଲାପରି, ସେମାନଙ୍କଠାରୁ କ୍ରୋଧାନଳ ଜନ୍ମୁଅଛି ।’’ ଏହା ଶୁଣି ରାବଣ କହିଲା, ‘‘ତୁ ତ ଗୋଟିଏ କବି । କବିମାନେ ସ୍ତନକୁ ମେରୁପର୍ବତ ବୋଲି ବର୍ଣ୍ଣନା କଲାପରି ତୁ ବର୍ଣ୍ଣନା କରୁଅଛୁଁ।’’

 

୧୦ମ ପଦ :- ବଡ଼ଭୀ – ଅତିଭୟ । ବ୍ୟାଜଦ୍ୱୟ –କପଟଦମ୍ଭ । ବଡ଼ମ୍ଭୀ- ଚନ୍ଦ୍ରଶାଳାପୁର-। ଆରୋହି – ଚଢ଼ି । ବିମ୍ବ – ଦର୍ପଣ । ହେଠ ବଦନରେ - ଅବନତ ମୁଖରେ । ବିୟତଗଙ୍ଗା - ସ୍ୱର୍ଗଗଙ୍ଗା ।

 

୧୦ମ ପଦ :- ରାବଣର ମନରେ ବଡ଼ ଭୟ ଜାତ ହେଲା, ମାତ୍ର ପ୍ରକାଶ୍ୟରେ କପଟ ଧୈର୍ଯ୍ୟ ଦେଖାଇ ଚନ୍ଦ୍ରଶାଳା ଗୃହ ଉପରେ ଯାଇ ଆରୋହଣ କଲା । ସେହି ଚନ୍ଦ୍ରଶାଳାପୁର ଏତେ ଉଚ୍ଚ ଯେ, ସେଠାରେ ରହିଲେ ଚନ୍ଦ୍ର ମଣ୍ଡଳକୁ ଦର୍ପଣ ପ୍ରାୟ କରି ଅଧୋମୁଖରେ ଚାହିଁବାକୁ ହୁଏ ଓ ସ୍ୱର୍ଗଗଙ୍ଗାର ପ୍ରବାହ ସେଠାରେ ଜଳଯନ୍ତ୍ର ପ୍ରାୟ ପ୍ରବାହିତ ହୁଏ । (ଚନ୍ଦ୍ରଶାଳାପୁର ଚନ୍ଦ୍ରମଣ୍ଡଳର ଉପରେ ଓ ସ୍ୱର୍ଗଗଙ୍ଗାର ପାର୍ଶ୍ୱରେ ଅବସ୍ଥିତ ) ।

 

ବିତାନର ମୋତିପନ୍ତି ତାର ତାର ଉଦୟ ଯା ମଧ୍ୟପୁରେ।

ବିଭାବସୁ ଫେର ଗତି କରି ମେରୁପ୍ରଦକ୍ଷିଣ ପରକାରେ ସେ।

ବସି ତହିଁ ଅନାଇଲା । ବେଗେ ଦୃଷ୍ଟି ମନାଇଲା ହେ ।୧୧।

 

ବିଶ୍ମସୃକ ବିଶ୍ୱଯାକ ଏକ ପଟ୍ଟ କରି କି କଲା ଚିତ୍ରିତ ।

ବଦନ କଳା ଧଳା ରଙ୍ଗେ ରଞ୍ଜିତବାନରେ ଯେଣୁ ପୂରିତ ସେ

ବିସ୍ମୟେ ନିଶ୍ୱାସସାନ୍ଦ୍ର । ବିଚାରେ ରାକ୍ଷସ ଇନ୍ଦ୍ର ହେ ।୧୨।

 

ବୋଲି ଉତ୍ତର ଦ୍ୱାରମୋର ପଶ୍ଚିମେ ରଖିଲା ଇନ୍ଦ୍ରଜିତକୁ।

ବଜ୍ରଦଂଷ୍ଟ୍ରକୁ ନିବେଶିଲା ପୂର୍ବରେ ଦକ୍ଷିଣରେ ପ୍ରଶସ୍ତକୁ ସେ ।

ବାଛି ଯେ ଯାହାର ପ୍ରୀତି । ବାଣ୍ଟିନେଲେ ସୈନ୍ୟପନ୍ତି ହେ ।୧୩।

 

ବାଜୀ ରଥ ଗଜ ସାଜି ଆରୋହିରେ ମନକୁ ହୃଷ୍ଟ କୁମାରେ।

ବାଣ ଶରାସନ ଖଡ଼୍‌ଗ ଚକ୍ର ଗଦା ତ୍ରିଶୂଳ ପରିଘ କରେ ସେ।

ବଳିଦିଗକୁ ଉପର । ବରିବା କରି ବିଚାର ହେ ।୧୪।

 

ବାହାରି ଧୂନ୍ୟ ହୋଇଣ ଋକ୍ଷ ସୈନ୍ୟ ଯାଇ ପୁଣ୍ୟଜନ ପୁର।

ବେଢ଼ିଏ ସମୟେ ଯଥା ହିମାଳୟେ ଅଧୋଭାଗେ ଜଳଧର ସେ ।

ବିରବପ୍ଲବଗ କରେ ବିଦିତ ଘନୋପଳରେ ହେ ।୧୫।

 

୧୧ଶ ପଦ :- ବିତାନ - ଚାନ୍ଦୁଆ । ତାର - ଉଜ୍ଜ୍ୱଳ । ତାର -ନକ୍ଷତ୍ର । ବିଭାବସୁ- ସୂର୍ଯ୍ୟ । ପ୍ରଦିକ୍ଷଣ - ବୁଲିବା ।

 

୧୧ଶ ପଦ :- ଆକାଶର ଉଜ୍ଜ୍ୱଳ ନକ୍ଷତ୍ରମାଳା ଯେଉଁ ଚନ୍ଦ୍ରଶାଳା ପୁରର ମଧ୍ୟଭାଗରେ ଟଙ୍ଗା ହୋଇଥିବା ଚାନ୍ଦୁଆର ମୋତିମାଳା ପ୍ରାୟ ଦେଖାଯାଏ । ମେରୁ ପ୍ରଦକ୍ଷିଣ କଲାପରି ସୂର୍ଯ୍ୟ ଯେଉଁ ପୁରକୁ ବୁଲି ବକ୍ରଭାବରେ ଗତି କରନ୍ତି, ସେହି ପୁରରେ ବସି ରାବଣ ଶୀଘ୍ର କପିସୈନ୍ୟଙ୍କ ପରେ ଦୃଷ୍ଟି ରଖି ମନକୁ ବୋଧ ଦେଲା ।

 

୧୨ଶ ପଦ :- ବିଶ୍ୱସୃକ - ବିଧାତା । ବିଶ୍ୱଯାକ - ସଂସାରଯାକ। ପଟ୍ଟା - ଚିତ୍ରପଟ । ରଞ୍ଜିତ - ଚିତ୍ରିତ । ସାନ୍ଦ୍ର - ଘନ। ରାକ୍ଷସଇନ୍ଦ୍ର - ରାବଣ ।

 

୧୨ଶ ପଦ :- କଳା, ଧଳା; ଲାଲ ବର୍ଣ୍ଣରେ ରଞ୍ଜିତ ମୁଖବିଶିଷ୍ଟ ବାନରଙ୍କ ଦ୍ୱାରା ପୃଥିବୀ ପୂର୍ଣ୍ଣ ହୋଇଥିବାର ଦେଖି ରାବଣ ବିଚାର କଲା, ‘‘ବିଧାତା ସଂସାରଯାକ ଗୋଟିଏ ପ୍ରକାର ଚିତ୍ରପଟ କରି ଚିତ୍ରିତ କଲା କି ? (ସଂସାରଯାକ କେବଳ କଳା, ଧଳା, ଲାଲମୁଖ ବାନର ବ୍ୟତୀତ ଆଉ କିଛି ଦିଶୁ ନାହିଁ) ।’’ ଏହା ଭାବିଲାକ୍ଷଣି ବିସ୍ମୟରେ ତାହାର ନିଃଶ୍ୱାସ ଘନ ଘନ ରହିବାକୁ ଲାଗିଲା !

 

୧୩ଶ ପଦ :-ସେଠାରୁ ଫେରିଆସି ରାବଣ ‘‘ଉତ୍ତରଦ୍ୱାର ମୋର ହେଲା’’ କହି ପଶ୍ଚିମ ଦ୍ୱାରରେ ଇନ୍ଦ୍ରଜିତକୁ ରଖିଲା । ପୂର୍ବ ଦ୍ୱାରରେ ବଜ୍ରଦଂଷ୍ଟ୍ରକୁ ସ୍ଥାପି ଦକ୍ଷିଣ ଦ୍ୱାରରେ ପ୍ରଶସ୍ତକୁ ଜଗାଇଲା । ଯେ ଯାହାର ପ୍ରିୟ ଲୋକମାନଙ୍କୁ ବାଛି ନେଲେ ଓ ସୈନ୍ୟସମୂହ ଭାଗ କରିନେଲେ ।

 

୧୪ଶ ପଦ :-ବାଜି-ଅଶ୍ୱ । କୁମାରେ-ପୁତ୍ରମାନେ । ଶରାସନ-ଧନୁ । ବଳିଦିଗକୁ-ପାତାଳପୁରକୁ।

 

୧୪ଶ ପଦ :-ରାବଣର ପୁତ୍ରମାନେ ହୃଷ୍ଟହୋଇ ନିଜ ଇଚ୍ଛାନୁସାରେ ଘୋଡ଼ା, ରଥ, ହସ୍ତୀ ସଜ କରି ଆରୋହଣ କଲେ। ପୁଣି ସେମାନେ ଧନୁଶର, ଖଡ଼୍‌ଗ, ଚକ୍ର, ଗଦା, ତ୍ରିଶୂଳ, ପରିଘ ହସ୍ତରେ ଧରି ‘ପାତାଳକୁ ଉପରକୁ କରିଦେବା ଅର୍ଥାତ୍‌ ପୃଥ୍ୱୀକୁ ଲେଉଟାଇ ପକାଇବା’, ଏହା ଭାବି ବାହାରିଲେ ।

 

୧୫ଶ ପଦ :-ଧନ୍ୟ-କମ୍ପମାନ । ଋକ୍ଷସୈନ୍ୟ-ବାନରସୈନ୍ୟ । ପୁଣ୍ୟଜନପୁର-ଲଙ୍କାପୁର । ଜଳଧର-ମେଘ । ବିରବ-ଉଚ୍ଚଶବ୍ଦ। ପ୍ଳବଣ-ମର୍କଟ, ବେଙ୍ଗୀ । ଘନୋପଳ-କୁଆପଥର ।

 

୧୫ଶ ପଦ :- ଏ ସମୟରେ ପ୍ରଶଂସ୍ୟ ଭଲ୍ଲୁକ ସୈନ୍ୟ ବାହାର ହୋଇ ହିମାଳୟର କଟି ପ୍ରଦେଶରେ ମେଘମାଳାବେଢ଼ି ରହିଲା ପ୍ରାୟ ଲଙ୍କାପୁରର ଚତୁର୍ଦ୍ଦିଗରେ ବେଢ଼ିଗଲେ । ମେଘହେଲେ ‘ପ୍ଳବଗ’ ବେଙ୍ଗମାନେ ବିଶେଷ ଭାବରେ ଧ୍ୱନି କରନ୍ତି ପୁଣି ‘ଘନ ଉପଳ’ କୁଆପଥର ବୃଷ୍ଟିହୋଇଥାଏ, ସେହିପରି ଏଠାରେ ‘ପ୍ଳବଗ’ କପିଥାଟ ଭୟଙ୍କର ଶବ୍ଦ କଲେ ଓ ବଡ଼ବଡ଼ ପଥରମାନ ବୃଷ୍ଟି ହେଲା ।

 

ବାତଜ ପ୍ରଖର ଅତ୍ୟନ୍ତ ରାଜେନ୍ଦ୍ରକୋଦଣ୍ଡ ଉଦିତ ଯହିଁ ।

ବିଭୀଷଣ ଡାକଚଞ୍ଚଳା ଗତିରେ ସୁମନା ପ୍ରଫୁଲ୍ଲ ତହିଁ ସେ ।

ବିବେକ କର ବିଦୂଷ । ବିଜନ୍ୟ ରୂପକ ଶ୍ଲେଷ ହେ ।୧୬।

 

ବରଗି ସୁଗ୍ରୀବ ଦକ୍ଷିଣେ, ଅଙ୍ଗଦ ପୂର୍ବେ, ମାରୁତି ପଶ୍ଚିମେ ।

ବିଜେ ଉତ୍ତରେ ଆପଣେ,ଯୂଥପତି ବାଣ୍ଟି ହେଲେ ଏହି କ୍ରମେ ସେ।

ବିମାନ ଚଢ଼ି ରାବଣ । ବିହାୟସରେ ଭ୍ରମଣ ହେ ।୧୭।

 

ବିଶେଷରେ ମଲ୍ଲି ସ୍ଫୁଟ ହୋଇଗଲା ମହାସନ୍ତାପ ସଞ୍ଚରି।

ବିଲ୍ୟନ ଜୀବନ କରି ପରା ଏ ତପ-ଆଚରଣ-ଧାରୀ ସେ ।

ବକ୍ଷରେ ଯେ ମଣି ସ୍ଥିତ । ବିହ୍ୱଳେ ଏ ପାଞ୍ଚକୃତ୍ୟ ହେ ।୧୮।

 

ବିଚାରେ ଅଶେଷ ସୈନ୍ୟ ସଞ୍ଚୟକୁ ଏହିଠାରେ ବିହିବିହି।

ବୋଲାନ୍ତି ଶାଖାମୃଗ ମୂର୍ଖ ସ୍ୱଭାବେ ଦେବପ୍ରାୟ ହୋଇମୋହି ସେ ।

ବାରି ମରୀଚିକା ଦୃଶ୍ୟ । ବିଅର୍ଥ ମନୁଷ୍ୟ ବଶ ହେ ।୧୯।

 

ବେଭାର ବୁଡ଼ା ଅନୁଜ ମୋ ମନୁଜ ଶରଣ ମାରିବି ଆଗ ।

ବହନ ବହିବା ଗନ୍ଧବହ ଗଦା ହସ୍ତରୁ କଲା ପ୍ରୟୋଗ ସେ ।

ବିପତିତ ଉଲ୍‌କାପରି । ବାୟୁପୁତ୍ର ନେଲା ଧରି ହେ।୨୦।

 

୧୬ଶ ପଦ :- ବାତଜ-ବତାସ, ହନୁମାନ । ପ୍ରଖର-ଚଞ୍ଚଳ । ରାଜେନ୍ଦ୍ର କୋଦଣ୍ଡ -ଇନ୍ଦ୍ରଧନୁ, ରାମଚନ୍ଦ୍ରଙ୍କ ଧନୁ । ଉଦିତ-ପ୍ରକାଶିତ । ଚଞ୍ଚଳା-ବିଜୁଳି । ସୁମନା-ଦେବତାମାନେ, ମାଳତୀ ଫୁଲ । ବିବେକ-ଜ୍ଞାନ । ବିଦୂଷ-ପଣ୍ଡିତ । ବିଜନ୍ୟ-ଜାତ ।

 

୧୬ଶ ପଦ :- ବର୍ଷାକାଳରେ ଯେପରି ପ୍ରଖର ପବନ ବା ବତାସ ଜାତ ହୁଏ, ଇନ୍ଦ୍ରଧନୁ ଉଦିତ ହୁଏ, ଭୟଙ୍କର ମେଘଗର୍ଜନ ହୁଏ, ବିଜୁଳି ସଞ୍ଚାର କରେ ଓ ମାଳତୀଫୁଲ ଫୁଟେ, ସେହିପରି ସୈନ୍ୟଙ୍କ ମଧ୍ୟରେ ହନୁମାନ ଅତ୍ୟନ୍ତ ପ୍ରଖର ହୋଇଅଛି, ରାମଚନ୍ଦ୍ରଙ୍କର ଧନୁ ଉଦିତ ହୋଇଅଛି, ବିଭୀଷଣର ଡାକ ଓ ଚଞ୍ଚଳ ଚାଲି ପ୍ରକଟିତ ହେଉଅଛି ଓ ଦେବତାମାନେ ଆନନ୍ଦିତ ହେଉଅଛନ୍ତି । ହେ ପଣ୍ଡିତମାନେ । ଏଠାରେ ଜାତ ହୋଇଥିବା ରୂପକ ଓ ଶ୍ଳେଷ ଦୂର ଅର୍ଥକୁ ବିଚାର କରନ୍ତୁ ।

 

୧୭ଶ ପଦ :- ଶ୍ରୀରାମ ସୁଗ୍ରୀବଙ୍କୁ ଦକ୍ଷିଣାଦ୍ୱାରକୁ ପଠାଇଲେ । ପୂର୍ବଦ୍ୱାରକୁ ଅଙ୍ଗଦକୁ ଓ ପଶ୍ଚିମ ଦ୍ୱାରକୁ ହନୁମାନକୁ ପଠାଇଲେ । ଆପେ ଉତ୍ତର ଦ୍ୱାରରେ ବିଜେ କଲେ । ଏହି ପ୍ରକାର ଯୁଥପତିମାନେ ଚାରି ଦ୍ୱାରକୁ ବାଣ୍ଟି ହୋଇଗଲେ। ରାବଣ ଏହି ସମୟରେ ବିମାନରେ ବସି ଆକାଶରେ ଭ୍ରମଣକଲା ।

 

୧୮ଶ ପଦ :- ସ୍ଫୁଟ-ପ୍ରସ୍ଫୁଟିତ। ସନ୍ତାପ-ଗ୍ରୀଷ୍ମ ଦୁଖ, ବ୍ୟାକୁଳ । ସଞ୍ଚରି-ଭ୍ରମଣ କରି । ବିଲୀନ-ବିନାଶ, ଶୁଷ୍କ । ଜୀବନ-ପ୍ରାଣ, ଜଳ ।ତପଆଚରଣଧାରୀ-ରାମଚନ୍ଦ୍ର । ପାଞ୍ଚକୃତ-ଇଚ୍ଛାକଲା ।

 

୧୮ଶ ପଦ :- ରାବଣ ଶୂନ୍ୟରେ ରହି ରାମଚନ୍ଦ୍ରଙ୍କ ସୈନ୍ୟଦେଖି ବିହ୍ୱଳ ଚିତ୍ତରେ ବିଚାର କଲା, ‘ଏ ତପ’ ଆଚରଣକରୀ ରାମ ଗ୍ରୀଷ୍ମକାଳ ଜଳକୁ ଶୁଷ୍କ କଲା ପ୍ରାୟ ମୋ ପ୍ରାଣକୁ ବିନାଶ କରିବ । ବିଶେଷରେ ଗ୍ରୀଷ୍ମ କାଳରେ ମଲ୍ଲୀଫୁଲ ଫୁଟିଲା ସଦୃଶ ‘‘ମଲି’’ ଏହିକଥା ତାହା ମୁହଁରୁ ପ୍ରକାଶ ପାଇଲା । ବକ୍ଷସ୍ଥଳରେ ଥିବା ଅମୋଘ ମଣିକୁ ଦୃଷ୍ଟି ପଡ଼ିବାରୁ ରାବଣ ମୋହିତ ହୋଇ ବିଚାରିଲା ।

 

୧୯ଶ ପଦ :- ବିହି- ବିଧାତା, ବିଧାନ । ଶାଖାମୃଗ-ମୃଗ, ବାନର । ବାରି-ଜଳ । ମରୀଚିକା-ମୃଗତୃଷ୍ଣା ।

 

୧୯ଶ ପଦ :- ସେ ବିଚାର କଲା-‘ଅସଂଖ୍ୟ ସୈନ୍ୟ ସଂଗ୍ରହ କରି ବିଧାତା ଏଠାରେ ରଖିଅଛି । କପିମାନେ ତ ଶାଖାମୃଗ ବୋଲାନ୍ତି, ତେଣୁ ସୁଖସ୍ୱଭାବ ଯୋଗୁ ମୃଗପ୍ରାୟ ମୋହିତ ହୋଇଅଛନ୍ତି। ମୃଗ ଯେପରି ମୃଗତୃଷ୍ଣାକୁ ଦେଖି ପାଣି ମନେ କରି ଗୋଡ଼ାଇ ଯାଏ, ସେହିପରି ଏମାନେ ମନୁଷ୍ୟକୁ ଭ୍ରମବଶତଃ ଦେବତା ଜ୍ଞାନ କରି ତାଙ୍କର ବଶ ହୋଇ ପଛରେ ଗୋଡ଼ାଇ ଅଛନ୍ତି ।

 

୨୦ଶ ପଦ :- ଅନୁଜ-ସାନଭାଇ । ମନୂଜ-ମନୁଷ୍ୟ । ଉଲକା-ଜ୍ୟୋତିଷ୍କ ପଦାର୍ଥ ବିଶେଷ (ସମୟରେ ଆକାଶରୁ ପତିତ ହୁଏ ) ।

 

୨୦ଶ ପଦ :- ‘ମୋର କୁଳବୁଡ଼ା ସାନଭାଇ ସେହି ମନୁଷ୍ୟ ପଦରେ ଶରଣ ପଶିଛି, ତେଣୁ ତାକୁ ଆଗ ମାରିବି’ । ଏହା ବିଚାରି ଧରିଥିବା ପବନ ପ୍ରଦତ୍ତ ଗଦା ବେଗରେ ହସ୍ତରୁ ଫୋପାଡ଼ିଲା । ସେ ଗଦା ଉଲ୍‌କା ଖସିଲା ପ୍ରାୟ ତଳକୁ ଖସନ୍ତେ ବାୟୁପୁତ୍ର ହନୁମାନ ଶୂନ୍ୟରୁ ତାହା ଧରିନେଲେ ।

 

ବୋଲନ୍ତି ଜନାଭିରାମ ରାମଚନ୍ଦ୍ର ଚନ୍ଦ୍ରହାସକୁ ଜନ୍ମାଇ ।

ବଳାହକ ବିନା ବିନାଶନପ୍ରଭା ଭାନୁ ଭାନୁ କାହିଁପାଇଁ ସେ ।

ବିଚସ୍ମୃତ ବିଭୀଷଣ । ବିଳସେ ନଭେ ରାବଣ ହେ ।୨୧।

 

ବିମଳ ଲକ୍ଷ ଶ୍ୱେତଛତ୍ର ଚାମର ଏହି ପ୍ରମାଣରେ ଜାଣ ।

ବିରୋଧୀହୋଇଛି ଆଦିତ୍ୟ ପ୍ରଭାରେଲକ୍ଷ ଶଙ୍ଖଶବ୍ଦ ଶୁଣ ସେ ।

ବୀରେନ୍ଦ୍ରପ୍ରହାରି କାଣ୍ଡ । ବିଚ୍ଛେଦିଲେ ଛତ୍ରଦଣ୍ଡ ସେ ।୨୨।

 

ବିହରି ବିହରି ଚକ୍ରାଙ୍ଗକି କରି ଶୂନ୍ୟୁଁ ଖସି ।

ବିଦ୍ଧ ହେବା ଶଙ୍କା ଲଙ୍କାପତି ଲଭି ବାହୁଡ଼ି ସଭାରେ ବସି ସେ ।

ବେଢ଼ି କଉଣପେ ତହିଁ । ବିବିଧ ପ୍ରତିଜ୍ଞା କହି ହେ ।୨୩।

 

ବିବସ୍ୱାନ ବଂଶୀ ଆଦେଶେ ଏକାଳେ ଆସି ମୁଁ ଅଙ୍ଗଦ ଭଣି ।

ବୈଦେହୀ ସମର୍ପ ଜୀବେ ଥିଲେ ଆଶ ମୁଠା-ଆଜ୍ଞା ଅଛି ଆଣି ମୁଁ ।

ବୋଲେ ଲଙ୍କେଶ ଏ ପଦ । ବିଳମ୍ବେ ହେବୁ ଅଙ୍ଗଦରେ ।୨୪।

 

ବ୍ୟାଖ୍ୟାନ କଲା ଯୁବରାଜ ନ ଚିହ୍ନୁ ମୋତେ ବିଂଶଚକ୍ଷୁ ଥାଇ।

ବଣା ମୁଁ ଘେନି ତୁ କେଉଁ ରାବଣ ରାବଣ କରନ୍ତି ମୁହିଁ ସେ ।

ବିଧା ପ୍ରହାରି ଏକ୍ଷଣି । ବିଭୁ ଆଜ୍ଞା ନାହିଁ ଶୁଣି ରେ ।୨୫।

 

୨୧ଶ ପଦ :- ଜନାଭିରାମ-ଜନମନୋହର । ଚନ୍ଦ୍ରହାସ-ଚନ୍ଦ୍ର କିରଣ ତୁଲ୍ୟ ହାସ । ବଳାହକ-ମେଘ । ଭାନୁଭାନୁ-ସୂର୍ଯ୍ୟକିରଣ ।

 

୨୧ଶ ପଦ :- ଜନମନୋହର ରାମଚନ୍ଦ୍ର ଚନ୍ଦ୍ର ତୁଲ୍ୟ ସୁନ୍ଦର ହାସ୍ୟ ପ୍ରକାଶ କରି କହିଲେ, ‘‘ବିନାମେଘରେ ସୂର୍ଯ୍ୟ କିରଣ ବିଶେଷଭାବରେ ନଷ୍ଟ ହେଲା କାହିଁକି ?’’ ତାହା ଶୁଣି ବିଭୀଷଣ କହିଲେ, ‘‘ଦେଖ, ରାବଣ ଆକାଶରେ ବିହାର କରୁଅଛି’’।

 

୨୨ଶ ପଦ :- ବିମଳ-ନିର୍ମଳ । ଶ୍ୱେତ ଛତ୍ର-ଧଳାଛତି । ବିରୋଧୀ-ବିପକ୍ଷ । ଆଦିତ୍ୟ-ସୂର୍ଯ୍ୟ । ବୀରେନ୍ଦ୍ର-ବୀରଶ୍ରେଷ୍ଠ।

 

୨୨ଶ ପଦ :- ରାବଣର ଲକ୍ଷେ ସଂଖ୍ୟକ ଶ୍ୱେତଛତ୍ର ଓ ସେହି ପରିମାଣରେ ଶ୍ୱେତ ଚାମର ଅଛି । ସେ ଛତ୍ର ଓ ଚାମର ରାବଣ ଶିରରେ ଟେକା ହେବାଦ୍ୱାରା ସୂର୍ଯ୍ୟକିରଣ ପଡ଼ିବାରେ ବାଧା ଦେଉଅଛି । ଲକ୍ଷ ସଂଖ୍ୟକ ଶଙ୍ଖର ଧ୍ୱନି ହେଉଅଛି, ଶୁଣନ୍ତୁ ।’ ତାହା ଶୁଣି ବୀରଶ୍ରେଷ୍ଠ ରାମ ଶର ପ୍ରହାର କରି ଛତ୍ରଦଣ୍ଡକୁ କାଟି ଦେଲେ ।

 

୨୩ଶ ପଦ :- ବିହରିବିହରି-ଖେଳି ଖେଳି । ଚକ୍ରାଙ୍ଗ-ହଂସ । ଶୂନ୍ୟୁ-ଆକାଶରୁ ! କୌଣପେ-ରାକ୍ଷସମାନେ ।

 

୨୩ଶ ପଦ :- ସେ ଛିନ୍ନ ହୋଇଥିବା ଛତ୍ର ଓ ଚାମର ସବୁ ଶୂନ୍ୟରୁ ଖସି ତଳେ ପଡ଼ିଲାବେଳେ ହଂସମାନେ ବକ୍ର ଗତି କରି ଶୂନ୍ୟରୁ ଖସିଲାପ୍ରାୟ ଦେଖାଗଲା । ରାବଣ ବିନାଶ ହେବାର ଭୟ କରି ସେଠାରୁ ବାହୁଡ଼ି ଯାଇ ସଭାରେ ବସିଲା । ସେ ସଭାରେ ରାକ୍ଷସମାନେ ଚଉପାଶରେ ବେଢ଼ି ନାନାପ୍ରକାର ପ୍ରତିଜ୍ଞାମାନ କରିବାକୁ ଲାଗିଲେ ।

 

୨୪ଶ ପଦ :- ବିବସ୍ୱାନବଂଶୀ-ସୂର୍ଯ୍ୟବଂଶୀୟ । ଆଦେଶ-ଆଜ୍ଞାରେ । ଅଙ୍ଗଦ-ବିନାଶ ।

 

୨୪ଶ ପଦ :- ଏହି ସମୟରେ ଅଙ୍ଗଦ ଆସି କହିଲା, ‘‘ସୂର୍ଯ୍ୟବଂଶୀୟ ରାମଚନ୍ଦ୍ରଙ୍କ ଆଜ୍ଞାରେ ମୁଁ ଆସିଅଛି ।ତୋର ଜୀବନରେ ଆଶା ଥିଲେ ସୀତାଙ୍କୁ ସମର୍ପଣ କର- ମୁଁ ଏହି ଆଜ୍ଞା ପତ୍ରିକା ଆଣିଅଛି ।’’ ଏହା ଶୁଣି ରାବଣ ଏହି କଥା ପଦକ କହିଲା, ‘‘ତୁ ଶୀଘ୍ର ପଳା । ବିଳମ୍ୱ କଲେ ତୋର ଦେହ ଦେଇ ଯିବୁ (ବିନାଶ ହେବୁ)।’

 

୨୫ଶ ପଦ :- ବ୍ୟାଖ୍ୟାନ-ବୁଝାଇ କହିବା । ରାବଣ-ଶବ୍ଦଯୁକ୍ତ ।

 

୨୫ଶ ପଦ :- ତତ୍ପରେ ଅଙ୍ଗଦ ବୁଝାଇ କହିଲା, ‘‘ମୁଁ କିଷ୍କିନ୍ଧ୍ୟା ପୁର ଯୁବରାଜ, ମୋତେ ଚିହ୍ନି ପାରୁନାହୁଁ? କୋଡ଼ିଏଟାନେତ୍ରଥାଇ ମଧ୍ୟ ଅନ୍ଧ ପ୍ରାୟ କହୁଅଛୁ, ସେଥିପାଇଁ ମୁଁ ବଣା ହେଉଅଛି । ତୁ କେଉଁ ରାବଣ ତାହା ଜାଣିଲେ ମୁଁ ଏକ୍ଷଣି (ବିଧା ପ୍ରହାର କରି ତୋତେ ରାବଯୁକ୍ତ ଅର୍ଥାତ୍‌ କ୍ରନ୍ଦନରତ କରି ଦିଅନ୍ତି । ବିଧା ପ୍ରହାରରେ ତୁ ସର୍ବଦା କାନ୍ଦୁଥାନ୍ତୁ); କିନ୍ତୁ ମୁଁ ରାମଚନ୍ଦ୍ରଙ୍କ ଆଜ୍ଞା ପାଇନାହିଁ ।’’

 

ବଇଶ୍ରବଣ ବୋଲେ କେତେ ରାବଣଜାଣୁ ଶୁଣିବା ସେ କହି।

ବାଳି ଅର୍ଜ୍ଜୁନ ଭବଗିରି ପୀଡ଼ାରେ ରାବକୁ ଥିଲେ ଯେ ବିହି ସେ ।

ବାମାଚୋରେ ଅଛି ମୃତ୍ୟୁ । ବିବେକ କର ତ କେ ତୁ ରେ ।୨୬।

 

ବେଢ଼ାଉଁ ସେ ମଲ୍ଲଜାଳକୁ ଚାଳକୁ ବଧି ଜଗତୀଚାଳକୁ।

ବହି ଗଗନେ ରାମେ ଯାଇ କହିଲାସେ ସନ୍ଦେଶ ସକଳକୁ ଯେ ।

ବକ୍ରମାଳୀ ଏ ସମୟେ  । ବଞ୍ଜଳବନକୁ ଯାଏ ସେ ।୨୭।

 

ବୁହାଇ ମାୟାଶିର ବେନି ଅସୁର ଛେଦନ ପରା ସେକ୍ଷଣି ।

ବହଇ ରୁଧିର ଧାର ବସୁଧାର ସୁତାକୁ ଦେଖାଇ ଭଣି ସେ

ବଧିଲି ଦେବର ବର  । ବରାରୋହା ମୋତେ ବର ହେ ।୨୮।

 

ବୋଲୁଁ ଦେଲେ ଚାହିଁ ଫୁଲ୍ଲ ପଦ୍ମ ଦୁଇ ଜାତ ସରସ୍ୱତୀ ନୀର।

ବିକ୍ଷେ ଜର ଜରହୋଇଲା ପରାୟେ ମୁଖ ଗଳ ମନୋହର ସେ ।

ବିଦେହଜାଶୋଭା-ବନ । ବହିଲେ ସେହି ବିଧାନ ହେ ।୨୯।

 

ବିରାଜିତ ହୋଇଥିଲା କୁନ୍ଦଦନ୍ତୀ ବହିଲା ହିମନ୍ତ ଆଣି ।

ବୁହାଇଲା ଜଳ ମାତୁଳୁଙ୍ଗ ସ୍ଥଳ ଶୋକ ପରିବାର ଆଣି ସେ ।

ବୀର ଡାକ କପି ଡାକି । ବିତର୍କି ଜାନକୀ ଏ କି ହେ ।୩୦।

 

୨୬ଶ ପଦ :- ବଇଶ୍ରବଣ-ରାବଣ । ଅର୍ଜ୍ଜୁନ-ସହସ୍ରାର୍ଜ୍ଜୁନ । ଭବଗିରି-କୈଳାସ ପର୍ବତ । ବାମାଚୋର-ସ୍ତ୍ରୀ ଚୋର।

 

୨୬ଶ ପଦ :- ଅଙ୍ଗଦ କଥା ଶୁଣି ରାବଣ କହିଲା, ‘‘ତୁ କେତେ ରାବଣ ଜାଣୁ କି ? ତାହା କହିଲୁ, ଶୁଣିମା ।’’ ଅଙ୍ଗଦ ଉତ୍ତର ଦେଲା ‘ବାଳିସହସ୍ରାର୍ଜ୍ଜୁନ ଓ କୈଳାସ ପର୍ବତର ଆଘାତରେ ଯେଉଁ ରାବଣମାନେ ଉଚ୍ଚଶବ୍ଦରେ କାନ୍ଦିଥିଲେ; ପୁଣି ନାରୀ ଚୋର ରାବଣ ଗୋଟିଏ ଅଛି-ଏ ସମସ୍ତଙ୍କୁ ମୁଁ ଜାଣେ । ନାରୀଚୋର ରାବଣର ମୃତ୍ୟୁ ନିକଟରେ ହେବ । ତୁ କେଉଁ ରାବଣ-ତା ବିଚାର କର।’’

 

୨୭ଶ ପଦ :- ମଲ୍ଲଜାଳଙ୍କୁ-ବୀରମାନଙ୍କୁ । ଚାଳକୁ-ଚଳାଇବାରୁ । ଜଗତୀଚାଳ-ଅଟ୍ଟାଳିକାର ଛାତ । ଗଗନେ-ଆକାଶରେ । ସନ୍ଦେଶ-ବାର୍ତ୍ତା । ବକ୍ରମାଳୀ-ରାବଣ । ବଞ୍ଜୁଳବନ-ଅଶୋକବନ ।

 

୨୭ଶ ପଦ :- ଅଙ୍ଗଦ ଏହିପରି ଛଳାଇ କହିବାରୁ ରାବଣ ମଲ୍ଲମାନଙ୍କୁ ଜାଲ ପ୍ରାୟ କରି ତା ଚାରି ପାଶରେ ଘେରାଇ ଦେଲା। ସେ ଅଙ୍ଗଦ ମଲ୍ଲମାନଙ୍କୁ ବଧ କରି ଜଗତୀ ଚାଳକୁ ଘେନି ଗଗନ ମାର୍ଗରେ ଗଲା ଓ ରାମଙ୍କ ଅଗ୍ରତରେ ସକଳ ସନ୍ଦେଶ କହିଲା । ରାବଣ ସେହି ସମୟରେ ଅଶୋକ ବନକୁ ଗଲା ।

 

୨୮ଶ ପଦ :- ମାୟାଶିର-କପଟ ମସ୍ତକ । ବସୁଧାସୁତା-ସୀତା । ବରାରୋହା-ବରାଙ୍ଗନା ।

 

୨୮ଶ ପଦ :- ଧାର ଧାର ରକ୍ତ ବହି ପଡ଼ୁଥିବା, ଖଡ଼୍‌ଗରେ ସଦ୍ୟ ଛେଦନ ଦେଲା ପ୍ରାୟ ଦୁଇଗୋଟି ମାୟା ମୁଣ୍ଡ ଲୋକଙ୍କ ହାତରେ ନେଇ ରାବଣ ସୀତାଙ୍କୁ ତାହା ଦେଖାଇ କହିଲା, ‘‘ତୋର ବର ଓ ଦିଅରକୁ ବଧ କଲିରେ ବରାଙ୍ଗନ।। ଏବେ ମୋତେ ତୁ ବରଣ କର ।’’

 

୨୯ଶ ପଦ :- ଫୁଲ୍ଲ-ପ୍ରସ୍ଫୁଟିତ। ନୀର-ଜଳ । ବିଦେହଜା-ସୀତା । ବିଧାନ-ନିୟମ । ବିଷ-ପଦ୍ମନାଡ଼।

 

୨୯ଶ ପଦ :- ରାବଣର ବଚନ ଶୁଣି ସୀତା ଚାହିଁ ଦେଖିଲେ, ସରସ୍ୱତୀ ନଦୀର ରକ୍ତବର୍ଣ୍ଣ ଜଳରେ ଦୁଇଟି ଫୁଟିଲା ପଦ୍ମଫୁଲ ପରି ଦୁଇଗୋଟି ଛିନ୍ନ ମୁଣ୍ଡ ରକ୍ତରେ ଜର ଜର ହୋଇଅଛି। ପଦ୍ମ ମୃଣାଳରେ ଯୁକ୍ତ ହୋଇଥାଏ, ସେହିପରି ଏ ମୁଣ୍ଡ ଗଳଦେଶଦ୍ୱାରା ଯୁକ୍ତ ହୋଇ ସୁନ୍ଦର ଦିଶୁଅଛି । ତାହା ଦେଖି ସୀତାଙ୍କ ବଦନ ସେହିପରି ରକ୍ତବର୍ଣ୍ଣ ଦେଖାଗଲା ।

 

୩୦ଶ ପଦ :- ବି-ରାଜିତ-ପକ୍ଷିମଣ୍ଡିତ । କୁନ୍ଦଦନ୍ତୀ-ସୀତା, କୁନ୍ଦ ଓ ଦନ୍ତୀବୃକ୍ଷ । ଆଣି-ଟେକ । ମାତୁଳୁଙ୍ଗ-ଟଭାଫଳ।

 

୩୦ଶ ପଦ :- ହେମନ୍ତ କାଳରେ ଯେପରି କୁନ୍ଦ ଓ ଦନ୍ତୀ ବୃକ୍ଷ ଦ୍ୱାରା ଏବଂ ନାନା ଜାତୀୟ ପକ୍ଷୀମାନଙ୍କଦ୍ୱାରା ଅରଣ୍ୟମଣ୍ଡିତ ହୋଇଥାଏ ସେହିପରି ରାମଚନ୍ଦ୍ରଙ୍କ ଆଗମନ ବାର୍ତ୍ତା ଶ୍ରବଣରେ କୁନ୍ଦଦନ୍ତୀ ସୀତା କାନ୍ତିଯୁକ୍ତା ଓ ବିଭୂଷିତା ହୋଇଥିଲେ; ମାତ୍ର ରାବଣର ବାଣୀ ହେମନ୍ତ କାଳରେ ଲୋକ ଟଭା ଗଛକୁ ପାଣି ବୁହାଇଲା ପରି ସେ ବକ୍ଷସ୍ଥିତ ଟଭା ସଦୃଶ ସ୍ତନମଣ୍ଡଳକୁ ଲୋତକ ଜଳ ବୁହାଇଲେ (ସେ କାନ୍ଦିବାରୁ ତାଙ୍କ ଅଶ୍ରୂ ଜଳରେ ବକ୍ଷ ତିନ୍ତିଗଲା) । ଏହି ସମୟରେ କପିମାନେ ବୀରତ୍ୱ ବ୍ୟଞ୍ଜକ ଶବ୍ଦ କଲେ । ତାହା ଶୁଣି ସୀତା ମନରେ ଯୁକ୍ତି କଲେ ‘‘ଏ କି ଶବ୍ଦ ? (ରାମ ଲକ୍ଷ୍ମଣଙ୍କର ମୁଣ୍ଡ କଟା ହୋଇଥିଲେ କପିମାନେ ଏପରି ରଣଶବ୍ଦ କରନ୍ତେ କାହିଁକି ? ଅତଏବ ଏହା ମିଥ୍ୟା) ।

 

ବାହୁଜବର ଆଦେଶେ ହନୁମାନ ସୁଗ୍ରୀବ ଅଙ୍ଗଦ ଭାଷେ ।

ବାଟ ନ ପାଇ କପାଟ ଆଣ୍ଟ ଘେନି ପ୍ରକାରେ ଉଠିଲେ କୀଣେ ସେ ।

ବିଂଶବାହୁ ପାଶେ ଚାର । ବାରତା କହୁଁସତ୍ୱର ହେ ।୩୧।

 

ବର୍ତ୍ମେ ପକାଇ ଦିଆଇ ମାୟାମୁଣ୍ଡ ଲଜ୍ଜିତେ ଗଲା ବାହୁଡ଼ି।

ବିଭାବସୁର ପ୍ରକାଶ କେତେବେଳେ ଆଚ୍ଛାଦି ପାଉ କୁହୁଡ଼ି ସେ ।

ବସନ୍ତେ ବଦନପଦ୍ମ । ବିକାଶେ ହରଷସଦ୍ମ ହେ ।୩୨।

 

ବିନାଶ ଅଶ୍ରୁ ତୁଷାର ବୃଷ୍ଟି ହେଲା ପ୍ରକଟ କୋକିଳବାଣୀ।

ବୋଇଲେ ତ୍ରିଜଟାକୁ ଏଡ଼େ କପଟ ରାତ୍ରି ମଟହେଲେ ଜାଣି ସେ ।

ବିଶ୍ୱଜୟ କେତେ ମାତ୍ର । ବିହ୍ୱଳାଇ ମୋର ଚିତ୍ତ ହେ ।୩୩।

 

ବୀର ମହାବୀର ଏହି ସମୟରେ ସେନା ସେନାପତି ସଙ୍ଗେ ।

ବିହରିଲେ ରଣରଙ୍ଗରେ ରାକ୍ଷସ ଋକ୍ଷ କପି ମିଶି ରଙ୍ଗେ ସେ।

ବ୍ୟବସ୍ଥାତେ ଦଶଶିର । ବନ ଜଗାଇ ସୀତାର ହେ ।୩୪।

 

ବିପତନ ଗୁଳି ମୁଦ୍‌ଗର ପଥର ପଥର ସଙ୍ଗର ବଶେ ।

ବିଭୀଷଣ ଶର କରକା ପତନ ନୀରଦ ପରାୟେ ଦିଶେ ସେ।

ବିଶ୍ୱାଏ ଭୟ ଉଭୟ । ବଳେ ନାହିଁ ବଳେ ଲୟ ହେ ।୩୫।

 

୩୧ଶ ପଦ :- ବାହୁଜବର-କ୍ଷତ୍ରିୟଶ୍ରେଷ୍ଠ (ରାମଚନ୍ଦ୍ର) । ପ୍ରାକାରେ-ପ୍ରାଚୀରରେ । କୀଶେ-ବାନରମାନେ ।

 

୩୨ଶ ପଦ :- ବର୍ତ୍ମେ-ବାଟରେ । ବିଭାବସୁ-ସୂର୍ଯ୍ୟ । ହରଷସଦ୍ମ-ଆନନ୍ଦ ଗୃହ ।

 

୩୧ଶ ଓ ୩୨ଶ ପଦ :- ହନୁମାନ, ସୁଗ୍ରୀବ ଓ ଅଙ୍ଗଦ କହିବାରୁ ରାମଚନ୍ଦ୍ର ଆଦେଶ ଦେଲେ ଯେ ଗଡ଼ ଭିତରେ ସୈନ୍ୟଘେନି ପ୍ରବେଶ କର । ମାତ୍ର ବଡ଼ଦ୍ୱାରର କବାଟ ଖୁବ୍‌ଗାଢ଼ ଭାବରେ କିଳା ହୋଇଥିବାରୁ ବାଟ ନ ପାଇ କପି ସୈନ୍ୟମାନେ ପାଚେରୀ ଉପରେ ଉଠିଲେ । ଦୂତ ଶୀଘ୍ର ଯାଇ ଏ ବାର୍ତ୍ତା ରାବଣକୁ ଦିଅନ୍ତେ, ରାବଣ ମାୟା ମୁଣ୍ଡ ବାଟରେ ପକାଇ ଦେଇ ଲାଜଭର ହୋଇ ବାହୁଡ଼ିଗଲା । ସୂର୍ଯ୍ୟର କିରଣକୁ କୁହୁଡ଼ି କେତେ ସମୟ ବା ଘୋଡ଼ାଇପାରେ? (ସେହିପରି ସୂର୍ଯ୍ୟବଂଶୀୟ ରାମଚନ୍ଦ୍ରଙ୍କ ଶୌର୍ଯ୍ୟକୁ ରାବଣର କପଟବେଶି ବେଳ ଘୋଡ଼ାଇ ରଖି ପାରିଲାନାହିଁ । ବସନ୍ତ ଋତୁରେ ପଦ୍ମ ଫୁଟି ସୁନ୍ଦର ଦେଖାଗଲା ପରି ସୀତା ସ୍ଥିର ଚିତ୍ତରେ ବସିବାରୁ ତାଙ୍କ ମୁଖପଦ୍ମ ଆନନ୍ଦର ଗୃହ ହେଲା (ମୁଖରେ ଆନନ୍ଦର ଚିହ୍ନ ପ୍ରକାଶିତ ହେଲା) ।

 

୩୩ଶ ପଦ :- ତୁଷାର-କକାର, ବରଫ । ରାତ୍ରିମଟ-ରାକ୍ଷସ ।ବିଶ୍ୱଜୟ-ସଂସାର ଜୟ ।

 

୩୩ଶ ପଦ :- ବସନ୍ତ ଋତୁରେ ଶିଶିରପାତ ବିନାଶ ହୁଏ ଓ କୋକିଳର ରାବ ଶୁଣାଯାଏ,ସେହିପରି ସୀତାଙ୍କର ନେତ୍ରରୁ ପଡ଼ୁଥିବା ଲୋତକ ବନ୍ଦ ହେଲା ଏବଂ ତାଙ୍କ ମୁଖରୁ କୋକିଳ ଶବ୍ଦପରି ଶବ୍ଦ ଉଚ୍ଚାରିତ ହେଲା । ସେ ତ୍ରିଜଟାକୁ କହିଲେ, ‘‘ରାକ୍ଷସମାନେ ଏତେ କପଟ ଜାଣନ୍ତି ? ଯେ ମୋର ଅଟଳ ଚିତ୍ତକୁ ସୁଦ୍ଧା ବିଚଳିତ କରିଦେଲା, ତାଙ୍କ ପକ୍ଷରେ ବିଶ୍ୱଜୟ କରିବା କେତେ ଅବା ?’’(ଖୁବ୍‌ ସାମାନ୍ୟ କଥା) ।

 

୩୪ଶ ପଦ :- ରଣରଙ୍ଗରେ-ଯୁଦ୍ଧାଡ଼ମ୍ୱରେ । ଋକ୍ଷ-ଭଲ୍ଲୁକ । ବ୍ୟବସ୍ଥାତେ-ନିୟମିତ ରୂପେ।

 

୩୪ଶ ପଦ :- ଏହି କାଳରେ ରାକ୍ଷସ ସୈନ୍ୟ ସେନାପତିକମାନଙ୍କ ସଙ୍ଗରେ ଋକ୍ଷକପି ବୀର ମହାବୀରମାନେ ଏବଂ ଅନ୍ୟାନ୍ୟ ରାକ୍ଷସଙ୍କ ସଙ୍ଗରେ ଭଲ୍ଲୁକ କପି ସୈନ୍ୟମାନେ ମିଶି ରଣ କେଳିରେ ବିହାରକଲେ। ସୀତା ରହିଥିବା ଅଶୋକବନକୁ ରାବଣ ନିୟମିତରୂପେ ପ୍ରହରୀ ଜଗାଇଦେଲା। (କାଳେ କପି ସୈନ୍ୟମାନେ ସୀତାଙ୍କୁ ଚୋରାଇ ନେବେ, ଏହି ଭୟ ତାର ହେଲା)।

 

୩୫ଶ ପଦ :- ବିପତନ-ବିଶେଷରେ ପଡ଼ିବା । ପଥର-ବାଟର । ସଙ୍ଗର-ଯୁଦ୍ଧ । କରକା-କୁଆପଥର । ନୀରଦ-ମେଘ ।ବିଶ୍ୱାଏ-କଣିକାଏ। ବଳେ-ସୈନ୍ୟମଧ୍ୟରେ। ବଳେ-ପରାକ୍ରମରେ । ଲୟ-ମନଯୋଗ ସହିତ ଦେଖିବା ।

 

୩୫ଶ ପଦ :- ଯୁଦ୍ଧଯୋଗେ ଗୁଳି ମୁଦ୍‌ଗର ପଥର ବିଶେଷଭାବରେ ପଡ଼ି ପଥସବୁ ରୋଧ କରିଦେଲା । ଅତି ଭୟଙ୍କର ମେଘପ୍ରାୟ ବିଭୀଷଣ କୁଆ ପଥର ପରି ଶରବୃଷ୍ଟି କଲେ । ଦୁଇ ଦଳଙ୍କୁ ମଧ୍ୟରେ ଲିତାଏ ସୁଦ୍ଧା ଭୟ ନାହିଁ, କେବଳ ନିଜର ସାମର୍ଥ୍ୟ ଉପରେ ଲକ୍ଷ୍ୟ ରହିଅଛି ।

 

ବିଛେଦିଲେ କେ କରବାଳ ଯୋଗରେ କେହି କଲେ କରବାଳ।

ବିଦାରି ଯୂଥପତିଙ୍କୁ ସେନାପତି ଦୈତ୍ୟେ ଭଲ୍ଲେ ଭୂଷି ଭଲ୍ଲ ସେ ।

ବିନ୍ଧାଣି ମଲ୍ଲ ମଲ୍ଲରେ । ବୋଲାବୋଲି ସେ ମଲରେ ହେ ।୩୬।

 

ବାଜୀ ବାଜି ତହିଁ କେତେକ କେତକ ଛବି ସମ୍ଭବି ଯେ ଢଳି ।

ବିଧି ବାଜୀ-ରାଜି ରାଜିଲା କେବହି ସତ୍ୱରେ ମହିଷ ଝଳି ସେ ।

ବର୍ଷାର କୀଲାଲ ପରି । ବହେ କୀଲାଲ ସଞ୍ଚରି ହେ ।୩୭।

 

ବିଖ୍ୟାତକ ମାର ସମସ୍ତେ ଦର୍ପକଅନଙ୍ଗ ହୋଇଲେ କେତେ।

ବିଘ୍ନତନୋହିଲେ ମକରକେତନ ଲକ୍ଷିତ ସକଳମତେ ସେ ।

ବ୍ୟକ୍ତ କାମଭବଜୟେ । ବିରୋଧ ସ୍ମର ପର୍ଯ୍ୟାୟେ ହେ ।୩୮।

 

ବ୍ୟାଘ୍ରପରି ରଣେ ବଜ୍ରଦ୍ରଂଷ୍ଟ ଧନୁ ପ୍ରଶସ୍ତ ପ୍ରଶସ୍ତ ଦିଶି ।

ବୃକ ପରି ବେଢ଼ି ସେନାପତିମାନେ ବୃକୋଦରପୁରେ ପେଷି ସେ ।

ବିଲୋକେ କୁରଙ୍ଗ ହେଲେ । ବଳୀ ଯେତେ ଋକ୍ଷ ଥିଲେ ହେ ।୩୯।

 

ବୀରଚନ୍ଦ୍ର ଇନ୍ଦ୍ର ଅରାତିକି ଧନୁ ଭଗନେ ଏ କଡ଼ିଅଇଁ ।

ବିଚିତ୍ର ନୋହେ କି କୁମ୍ଭସ୍ଥାନେ ରଖିଥାନ୍ତେ ରାହୁଭୂତି ଦେଇ ସେ ।

ବିନାଶନ ସୈନ୍ୟ ଯେତେ । ବୁଝିବେ ତା ଚିତ୍ରଗୁପ୍ତେ ହେ । ୪୦ ।

 

୩୬ଶ ପଦ :- ବିଛେଦିଲେ-ଚ୍ଛେଦନ କଲେ । କରବାଳ-ଖଣ୍ଡା । କରବାଳ-କେଶ ହସ୍ତରେ । ଯୂଥପତି-ସୈନ୍ୟାଧ୍ୟକ୍ଷ ବା ସେନାପତି । ଭଲ୍ଲେ-ଭଲ୍ଲୁକମାନେ ।

 

୩୬ଶ ପଦ :- କେହି ଶତ୍ରୁକୁ ଖଡ଼୍‌ଗ ଧରି ହାଣିଲେ, କିଏ ବା ହସ୍ତରେ ଶତ୍ରୁର ବାଳ ଧରି ମାଡ଼ଦେଲେ। ସେନାପତିମାନେ ଯୁଥପତିମାନଙ୍କୁ ବିଦାରି ପକାଇଲେ, ଦୈତ୍ୟମାନେ ଭଲ୍ଲଅସ୍ତ୍ର ଧରି ଭଲ୍ଲୁକମାନଙ୍କୁ ଭୁଷି ଦେଲେ । ମାଲଙ୍କ ସହିତ ମାଲମାନଙ୍କର ବିନ୍ଧାଣ ହେଲା (ମାଲମାନେ ଧରାଧରି ହୋଇ ମୁଣ୍ଡରେ ମୁଣ୍ଡ, ବାହୁରେ ବାହୁ, ଛାତିରେ ଛାତି ମରାମରି ହେଲେ) ସେତେବେଳେ ସେମାନେ ପରସ୍ପର କୁହା କୁହି ହେଲେ, ‘‘ଏଥରକ ମଲ ।’’

 

୩୭ଶ ପଦ :- ବାଜୀ-ଶର । ବାଜି-ବିଦ୍ଧହୋଇ। କେତେକ ଛବି-କେତକୀପୁଷ୍ପରଶୋଭା । ବାଜିରାଜି-ଅଶ୍ୱସମୂହ। ରାଜିଲା-ପ୍ରକାଶିତ ହେଲା ବା ଶୋଭାପାଇଲା । କୀଲାଲ-ଜଳ, ରକ୍ତ । ସଞ୍ଚରି-ଝରି ।

 

୩୭ଶ ପଦ :- କେତକୀ ଫୁଲ ଅଧୋମୁଖରେ ଢଳିପଡ଼ିଲା ପରି ଶର ବାଜିବାରୁ କେତେକ ସୈନ୍ୟ ସେ ରଣଭୂମିରେ ଢଳି ପଡ଼ିଲେ । କେହି ଶୀଘ୍ର ଅଶ୍ୱସମୂହ ବଧ କରି ମଇଁଷିର ତେଜ ବହି ଅପୂର୍ବ ଶୋଭା ଦେଖାଗଲେ । (ମଇଁଷି ଘୋଡ଼ାଙ୍କର ପରମ ଶତ୍ରୁ) । ରକ୍ତ ସ୍ରୋତ ବର୍ଷା କାଳରେ ଜଳ ଧାରା ପ୍ରାୟ ବୋହିବାକୁ ଲାଗିଲା ।

 

୩୮ଶ ପଦ :- ବିଖ୍ୟାତକ ମାର-ମାର ମାର ଶବ୍ଦ । ଦର୍ପକ-ବୀର । ଅନଙ୍ଗ-ଅଙ୍ଗହୀନ । ବିଘ୍ନ-ଅନ୍ତରାୟ । ମକର କେତନ-ସମୁଦ୍ର । କାମଭବ ଜୟେ-ଜୟ ବିଷୟରେ ମନୋରଥ ଜାତ । ସ୍ମର ପର୍ଯ୍ୟାୟେ-କନ୍ଦର୍ପ ନାମ କ୍ରମରେ । ସକଳମତେ-ହସ୍ତୀ ପ୍ରଭୃତିଙ୍କୁ।

 

୩୮ଶ ପଦ :- ରଣକ୍ଷେତ୍ରରେ ସମସ୍ତେ ଗର୍ବବନ୍ତ ହୋଇ ମାର ମାରବୋଲି ଶବ୍ଦ କଲେ । କେତେକ ବୀର ଦେହ ଶୂନ୍ୟ ହେଲେ ଅର୍ଥାତ୍‌ ମଲେ । ହସ୍ତୀ ପ୍ରଭୃତିଙ୍କୁ ସମୁଦ୍ରର ନିଦର୍ଶନ ଅନ୍ତରାୟ ହେଲା ନାହିଁ (ହସ୍ତି ପ୍ରଭୃତି ମରିବାରୁ ସମୁଦ୍ର ପ୍ରାୟ ସେ ସ୍ଥାନ ଦେଖାଗଲା ) । ଜୟକରିବା ଆଶା ସମସ୍ତଙ୍କ ମନରେ ଜାତ ହେଉଅଛି । ଏହି ପଦ ସ୍ମର ପର୍ଯ୍ୟାୟର ବିରୋଧରେ ଉତ୍ପନ୍ନ ହେଲା । କ, ମାର, ଦର୍ପକ, ଅନଙ୍ଗ, ମକର, କେତନ, କାମ ଏବଂ ଭବଜୟ ଏହି ନାମଗୁଡ଼ିକ ସ୍ମର ପର୍ଯ୍ୟାୟ ଅନ୍ତର୍ଗତ)

 

୩୯ଶ ପଦ :- ବଜ୍ରଦଂଷ୍ଟ୍ର-ରାକ୍ଷସବିଶେଷ । ଧନୁପ୍ରଶସ୍ତ-ଧନୁବିଦ୍ୟାରେ ପାରଗ । ପ୍ରଶସ୍ତ-ରାକ୍ଷସବିଶେଷ। ବୃକ-ଶ୍ୱାନ ଜାତୀୟ ପଶୁବିଶେଷ (ବଳିଆ କୁକୁର) । ବୃକୋଦର-ଯମ । ପେଷି-ପଠାଇ । କୁରଙ୍ଗ-ମୃଗ, କୁତ୍ସିତ ସ୍ୱଭାବ । ବଳୀ-ବଳିଷ୍ଠ ।

 

୩୯ଶ ପଦ :- ରଣକ୍ଷେତ୍ରରେ ବଜ୍ରଦ୍ରଂଷ୍ଟ ଓ ଧନୁର୍ବିଦ୍ୟା ବିଶାରଦ ପ୍ରଶସ୍ତ ସେନାପତି ଦ୍ୱୟ ବ୍ୟାଘ୍ର ସଦୃଶ ଦେଖାଗଲେ । କପି ସେନାପତିମାନେ ବଳିଆ କୁକୁର ପରି ବେଢ଼ି ତାଙ୍କୁ ଯମପୁରକୁ ପଠାଇ ଦେଲେ । ଆଉ ଯେତେ ବଳିଷ୍ଠ ରାକ୍ଷସମାନେ ଥିଲେ, ସେମାନେ ଏହାଦେଖି ମୃଗପ୍ରାୟ ଚଞ୍ଚଳ ପଳାୟନ କଲେ ଅଥବା କୁତ୍ସିତ ସ୍ୱଭାବକୁ ବହିଲେ (ପୃଷ୍ଠଭଙ୍ଗ ଦେଇ ପଳାୟନ କଲେ ) ।

 

୪୦ଶ ପଦ :- ବୀରଚନ୍ଦ୍ର-ରାମଚନ୍ଦ୍ର । ଇନ୍ଦ୍ରଅରାତି-ଇନ୍ଦ୍ରଜିତ । କୁମ୍ଭସ୍ଥାନେ-ହସ୍ତି ମସ୍ତକରେ । ରାହୁଭୁତି-ରାହୁସମ୍ପତ୍ତି । ବିନାଶନ-ବିନାଶପ୍ରାପ୍ତ ।

 

୪୦ଶ ପଦ :- ବୀର ଚୂଡ଼ାମଣି ରାମଚନ୍ଦ୍ର ଇନ୍ଦ୍ରଜିତରଧନୁଭଗ୍ନ କରିବାରୁ ସେ ତତ୍‌କ୍ଷଣାତ୍‌ ଡେଇଁ ହସ୍ତୀର ମସ୍ତକ ଉପରେ ବସିଲା । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ଏବଂ କହିଲେ, ‘‘ସେ ଯଦିକୁମ୍ଭ ରାକ୍ଷସ ପାଖରେ ବସିଥାନ୍ତା, ସେ ତେବେ ରାମଚନ୍ଦ୍ର ତାକୁ ରାହୁ ସମ୍ପତ୍ତି ଦେଇଥାନ୍ତେ (ରାହୁ ପ୍ରାୟ ଦୁଇଖଣ୍ଡ କରି ଦେଇଥାନ୍ତେ) ।

 

ଅନ୍ୟାର୍ଥ :- (ଇନ୍ଦ୍ରଜିତ ବ୍ୟଗ୍ରଗାମୀ ଚନ୍ଦ୍ର ସଦୃଶ ଅଟେ । ତାକୁ ଧନୁ ରାଶିରୁ ତାଡ଼ିତ କରି ମକର ରାଶିକୁ ଡିଆଇଁ କୁମ୍ଭରାଶିରେ ରଖିଲେ-ତେଣୁ ବିଚିତ୍ର ହେଲା । କାରଣ ଧନୁକୁ ମକର ଦ୍ୱିତୀୟ, ମକରକୁ ଧନୁ ଦ୍ୱାଦଶହୋଇଥାନ୍ତା।ତେଣୁ ଯେଉଁ ରାହୁ ଭୂତି ଦେଇଥାନ୍ତେ ତା ହେଲା ନାହିଁ ) । ସେଦିନ ରଣକ୍ଷେତ୍ରରେ ଯେତେ ସୈନ୍ୟବିନାଶ ହେଲେ, ତାହା କେବଳ ଚିତ୍ରଗୁପ୍ତମାନେ ବୁଝି ପାରିବେ ଅନ୍ୟ କେହି କଳନା କରିବା ଅସମ୍ଭବ ) ।

 

ବାତିପୋତ ତରୁ ସ୍ଫୁଟପ୍ରାୟ ସର୍ବେ ଏକାଳେ ରଘୁନନ୍ଦନ ।

ବେଳାସ୍ତ ଅନାଇ ଦ୍ୱିବିଦକୁ ପେଷିବାହୁଡ଼ାଇ ନେଲେ ସୈନ୍ୟ ସେ ।

ବାଜୁଅଛି ରାମତାଳି । ବେଗେ ସୁବେଳରେ ମିଳି ହେ । ୪୧ ।

 

ବଢ଼ାଇଲେ ଦେବନଦୀରେ ସମସ୍ତେ ସ୍ନାନ କଲେ ଫଳାଶନ।

ବଇଶ୍ରବଣ ଶ୍ରବଣ କରି ସେନାପତିଙ୍କ ନାଶ ବିମନ ସେ ।

ବୋଲେ ଭଞ୍ଜ ଉପଇନ୍ଦ୍ର । ବୟାଳିଶ ପଦେ ଛାନ୍ଦ ହେ । ୪୨ ।

 

୪୧ଶ ପଦ :- ବାତପୋତ ତରୁ-ପ୍ରକାଶ ବୃକ୍ଷ । ସ୍ଫୁଟପ୍ରାୟ-ଫୁଟିଲା ପରି । ବେଳାସ୍ତ-ସନ୍ଧ୍ୟା ।

୪୧ଶ ପଦ :- ରକ୍ତାକ୍ତ କଳେବର ସୈନ୍ୟମାନେ ପ୍ରଷ୍ଫୁଟିତ ପଲାଶ ବୃକ୍ଷ ପ୍ରାୟ ଦେଖାଗଲେ । ଏହି ସମୟରେ ସୂର୍ଯ୍ୟ ଅସ୍ତ ହେବାର ଦେଖି ରାମଚନ୍ଦ୍ର ଦ୍ୱିବେଦି କପିକୁ ପଠାଇ ସୈନ୍ୟ ବାହୁଡ଼ାଇ ନେଲେ । ସୈନ୍ୟମାନେ ହର୍ଷରେ ରାମତାଳି ବାଦ୍ୟ ବଜାଇ ଆସି ସୁବେଳ ପର୍ବତରେ ପହଞ୍ଚିଲେ । (ସେଦିନ ଯୁଦ୍ଧରେ ଜୟଲାଭ କଲେ ବୋଲିହର୍ଷ ହେଲେ ।)

 

୪୨ଶ ପଦ :- ଦେବନଦୀ-ଲଙ୍କାର ନଦୀ ବିଶେଷ । ଫଳାଶନ-ଫଳାହାର । ବିମନ-ଦୁଃଖମନ।

 

୪୨ଶ ପଦ :- ସମସ୍ତେ ଦେବନଦୀରେ ସ୍ନାନ କର୍ମ ବଢ଼ାଇ ଫଳାହାର କଲେ । ରାବଣ ସେନାପତିଙ୍କ ମୃତ୍ୟୁ ଶ୍ରବଣ କରି ବିରସ ହେଲା । ଉପେନ୍ଦ୍ର ଭଞ୍ଜ ଏ ଛାନ୍ଦକୁ ବୟାଳିଶ ପଦରେ ରଚିଲେ ।

 

Unknown

ଦ୍ୱିଚତ୍ୱାରିଂଶ ଛାନ୍ଦ

ରାଗ-କୌଶିକ

 

ବୁଧ ବୁଧ ଯୁଦ୍ଧ ନ ପାଇଲା ଜନ ପ୍ରତିଜ୍ଞାରେ ଉଠେ ଜଳି ।

ବର୍ତ୍ତନେ ଆଜି କି କପିଗଣ ରଣମଧ୍ୟେ ଆମ୍ଭେ ଥିଲେ ମିଳି ସେ ।

ବୋଲେ । ବୀରମାନେ ରାଜା ନାଶ କଲେ ।

ବେଢ଼ ଗଡ଼େ ଯାହାଟି ରଖିଲେ । ୧ ।

 

ବାଜୀ ଝପଟକୁ ଗଜ ଚହଟକୁ ସ୍ଥାନ ନେହି ଯନ୍ତାଯନ୍ତି ।

ବୁଲିଲା ନାହିଁ ତ ଅୟ ଶସ୍ତ୍ରମାନ ଏ ଘେନିଯେତେକ ହତି ସେ ।

ବୋଲେ । କିଂଶଲୋଚନ ରାତ୍ର ପାହିଲେ ।

ବିଜେ କରିବେ ବିସ୍ତାର ସ୍ଥଳେ । ୨ ।

 

ବିନିଦ୍ରେମୋଦେ ବିଷାଦେ ନିଶି ନେଲେ ଉଦ୍ଧାରୁ ସମରେ ସାଜେ ।

ବଦନଚହଳେ ମଦନ ସୁନ୍ଦର ପ୍ରସନ୍ନ ଶ୍ୱସନମୂଜେ ସେ ।

ବୋଲେ । ବିକ୍ରମ ତୁ ଲଙ୍କା ଆଉ ବେଳେ ।

ବ୍ରହ୍ମଶର ନିଅ କରତଳେ । ୩ ।

 

ବିଧାନ କରାଇ କରୁଣାନିଧାନ ସୁଷେଣେ ଚିଟାଉ ଦେଲେ ।

ବସିଛି ଜଗତ ଉପରେ ରାବଣ ହନୁମାନ ଯାଇ ମିଳେ ସେ ।

ବୀର । ବୋଲେ ଉଠ ଉଠବିଂଶକର।

ପ୍ରଭୁ ଆଜ୍ଞା ଘେନି ଲଗା ଶିର । ୪ ।

 

ବୈଦେହୀ ନ ସମର୍ପିଲେ ମୃତ୍ୟୁ ଏଥି ଚିହ୍ନିଥା ମାର୍ଗଣ ଏହି ।

ବୋଲେ ରାବଣ ମାର୍ଗଣ ବୋଲି ତାକୁଆଗୁଁ ଚିହ୍ନେ ଚିହ୍ନି ଦେଇ ରେ ।

ବାଇ । ବୋଲି ହେଜି ପାରିନାହୁଁ ତୁହି ।

ବେଳେ ବେଳେ ମାଗି ପଠିଆଇ । ୫ ।

 

୧ମ ପଦ :- ବୁଧ-ପଣ୍ଡିତ । ବର୍ତ୍ତନ୍ତେ-ବଞ୍ଚନ୍ତେ ।

 

୧ମ ପଦ :- ହେ ପଣ୍ଡିତମାନେ ! ଏ ଛାନ୍ଦକୁ ବିଚାର କର । ଯୁଦ୍ଧକୁ ଯାଇ ନ ଥିବା ରାବଣର ସୈନ୍ୟମାନେ ଖୁବ୍‌ ଦୃଢ଼ ଭାବରେ ପ୍ରତିଜ୍ଞା କରି କହିଲେ, ‘‘ଆମେ ରଣମଧ୍ୟକୁ ଆଜି ଯାଇଥିଲେ କପିଗଣ ଆଉ ଜୀବନରେ ରହିଥାନ୍ତେ କି ? ଆମେ ସମସ୍ତଙ୍କୁ ବିନାଶ କରିଥାନ୍ତୁ ।’’ ଯୁଦ୍ଧକୁ ଯାଇ ନଥିବା ଲୋକଙ୍କର ଏହି କଥା ଶୁଣି ଯୁଦ୍ଧକୁ ଯାଇଥିବା ସୈନ୍ୟମାନେ କହିଲେ, ରାଜା ଆପେ ଆପେ ବୀରମାନଙ୍କୁ ନାଶ କଲେ ସିନା, କାରଣ ସେ ଗଡ଼ ମଧ୍ୟରେ ବେଢ଼ ପକାଇ ସୈନ୍ୟମାନଙ୍କୁ ଏକାଠି ରଖିଲେ । (ଗଡ଼ ମଧ୍ୟରେ ରଖି ନ ଥିଲେ ଆମେ କପି ସୈନ୍ୟଙ୍କୁ ମାରି ପକାଇଥାନ୍ତୁ । ତାହା ନ ହେବାରୁ ଆମର ସୈନ୍ୟ ମଲେ ଓ ଆମେ ପରାଜିତ ହେଲୁ ) ।

 

୨ୟ ପଦ :- ଝପଟ-ଦୌଡ଼। ଚହଟ-ଗମନ । ହତି-ବିନାଶ । ବିଂଶଲୋଚନ-ରାବଣ । ବିସ୍ତାରସ୍ଥଳେ-ବିସ୍ତୃତ ସ୍ଥାନରେ।

 

୨ୟ ପଦ :- ‘‘ଘୋଡ଼ାମାନେ କଦମ ପକାଇବାକୁ, ହସ୍ତୀମାନେ ଫେରିବାକୁ ସ୍ଥାନ ନ ହେବାରୁ ସମସ୍ତେ ଜନ୍ତାଜନ୍ତି ହାଇଗଲେ। ଗୁଣି ସୈନ୍ୟମାନଙ୍କ ହସ୍ତରେ ଥିବା ଖଡ଼୍‌ଗାଦି ଅସ୍ତ୍ରଶସ୍ତ୍ର ସବୁ ବୁଲିପାରିଲା ନାହିଁ । ସେହି କାରଣରୁ ଯାହା ମରିବାର ମଲେ ।’’ ଏହା ଶୁଣି ଯୁଦ୍ଧକୁ ଯାଇ ନ ଥିବା ସୈନ୍ୟମାନେ କହିଲେ, ‘‘ରାତ୍ର ପାହିଲେ ରାବଣ ସୁବିସ୍ତୃତ ରଣ କ୍ଷେତ୍ରରେ ବିଜେ କରିବେ । (ସେତେବେଳେ ତୁମ୍ଭ ବୀରତ୍ୱ ଦେଖିବା ।)’’

 

୩ୟ ପଦ :- ବିନିଦ୍ରେ-ଅନିଦ୍ରାରେ । ମୋଦେ-ଆନନ୍ଦରେ । ବିଷାଦେ-ଦୁଃଖରେ । ନିଶି-ରାତ୍ରି । ଉଷାରୁ-ପ୍ରଭାତରୁ । ସମରେ-ଯୁଦ୍ଧରେ । ବଦନଚହଳେ-ମୁଖରବରେ। ମଦନସୁନ୍ଦର-ରାମଚନ୍ଦ୍ର । ଶ୍ୱସନାତ୍ମଜ-ହନୁମାନ। ବିକ୍ରମ-ଯାଅ ।

 

୩ୟ ପଦ :- ଏହିପରି କଥାବାର୍ତ୍ତା ହୋଇ ରଣକ୍ଷେତ୍ରକୁ ଯାଇ ନ ଥିବା ଲୋକଙ୍କର ଆନନ୍ଦ ହେତୁ ଓ ରଣକୁ ଯାଇଥିବା ଲୋକଙ୍କର ଦୁଃଖ ହେତୁ ନିଦ ନ ହେବାରୁ ଅନିଦ୍ରାରେ ରାତ୍ର କଟାଇଲେ । ପ୍ରାତଃକାଳରୁ ରାବଣ ସମର ନିମିତ୍ତ ସୈନ୍ୟ ସଜ କଲା । ସୈନ୍ୟ ସଜବାଜ ହେବା ସମୟରେ ମୁଖଗୋଳ ଶୁଣି ରାମ ହନୁମାନକୁ ପ୍ରସନ୍ନ ହୋଇ କହିଲେ, ‘‘ତୁ ଆଉ ଥରେ ଲଙ୍କାକୁ ଯା, ବ୍ରହ୍ମଶରକୁ ହାତରେ ଧରି ନେଇଥା ।’’

 

୪ର୍ଥ ପଦ :- ବିଧାନ କରାଇ-ଲେଖାଇ । କରୁଣାନିଧାନ-ଦୟାଳୁ (ରାମଚନ୍ଦ୍ର) । ଜଗତୀ-ଅଟ୍ଟାଳିକା ।

 

୪ର୍ଥ ପଦ :- ରାମଚନ୍ଦ୍ର ସୁଷେଣକପିଦ୍ୱାରା ଚିଟାଉ ଲେଖାଇ ହନୁମାନକୁ ଦେଲେ । ହନୁମାନ ବ୍ରହ୍ମଶର ଓ ଚିଟାଉ ଘେନି ଯାଇ ରାବଣ ଜଗତୀ ଉପରେ ବସିଥିବା ସମୟରେ ସେଠାରେ ପହଞ୍ଚିଲା ଏବଂ କହିଲା, ‘‘ହେ ବିଂଶବାହୁ ରାବଣ ! ଉଠ, ପ୍ରଭୁ ଆଜ୍ଞା ହସ୍ତରେ ନେଇ ମସ୍ତକରେ ଲଗା ।’’

 

୫ମ ପଦ :- ବୈଦେହୀ-ସୀତା । ମାର୍ଗଣ-ଶର, ମାଗିଖିଆ ।

 

୫ମ ପଦ :- ‘‘ଏ ‘ମାର୍ଗଣ’ ଶରକୁ ଚିହ୍ନିଥା; ବୈଦେହୀ ଫେରାଇ ନ ଦେଲେ ଏ ଶରରେ ତୋହର ମୃତ୍ୟୁ ସୁନିଶ୍ଚିତ।’’ ଏହାଶୁଣି ରାବଣ କହିଲା, ‘‘ମୁଁ ଆଗରୁ ତାକୁ ‘ମାର୍ଗଣ’ ମାଗନ୍ତା ଲୋକବୋଲି ଭଲ କରି ଚିହ୍ନିଛି । ତୁ ବାତୁଳ ବୋଲି ସେ କଥାକୁ ହେଜି ପାରୁନାହୁଁ । ସେ ଥରକୁ ଥର ମାଗି ପଠିଆଇ ମାଗନ୍ତାର ପରିଚୟ ଦେଉଅଛି ।’’

 

ବାର୍ତ୍ତାଯେ ଲେଖିଛି ଆଜ୍ଞାପତ୍ର ନୋହେ ଜଣାଣ ସେ ଦେଇଥିବ।

ବ୍ରହ୍ମାନପ୍ତା ସୁତ କୁବେର ମୋ ଭ୍ରାତ ପୁତ୍ରକିଣିଛି ବାସବ ରେ।

ବାଇ । ବନବାସୀ ସେ ତା ଦୂତ ତୁହି।

ବାରେ ଶୁଣିବା ପଢ଼ ଶୁଭାଇ । ୬ ।

 

ବସେ ସମାନେ ଲାଙ୍ଗୁଳ ଚକ୍ର କୃତେ ପଠନ ଶ୍ଳେଷ ବଚନ ।

ବପୁବନ୍ତ ନାମେ ରାମ ବୋଲାଉଛୁଁରାଜରାଜପ୍ରଭା ଘେନ ସେ ।

ବଳି । ବିମର୍ଦ୍ଦନେ ଆମ୍ଭେ ଗୁଣଶାଳୀ ।

ବିଧିପୂର୍ବେ ଦର ନାଶେ ଝଳି । ୭ ।

 

ବଦନ୍ତି ତ୍ରିପୁରବିଜୟୀ ଆମ୍ଭକୁ ନରସିଂହ ତେବେ ଏବେ ।

ବସୁନ୍ଧରା ଶିରୀ ସୀତା ରମ୍ୟ ପ୍ରେମରସରେ ବଶ ସ୍ୱଭାବେ ସେ ।

ବଦେ । ବଡ଼ ଲାଜ ରାବଣାରି ପଦେ ।

ବେନି ଅର୍ଥ ଯେଣୁ ନ ସମ୍ବାଦେ । ୮ ।

 

ବୋଇଲା ରାବଣ ଜାଣିଲି ଜଟିଳ ହୋଇଛି ପ୍ରକାଶେ ତହିଁ ।

ବିଜୟୀ ରଣେ ମୁଁ ବିଜୟ କରୁଛି ଆଜି ଥାଉ ସଜ ହୋଇ ତା।

ବୋଲେ । ବେଗେ ବିକ୍ରମ ନଭୋମଣ୍ଡକେ।

ବାୟୁପୁତ୍ର ରାମପାଶେ ମିଳେ । ୯ ।

 

ବିଗ୍ରହ ବତନମାନଙ୍କୁ କହନ୍ତେ ସୁଗ୍ରୀବ ସୈନ୍ୟ ସଜାଇ ।

ବାଜଣିଆ ବଳ ଲଙ୍କାରୁ ବାହାର ଏକାଳେ ବାଦ୍ୟ ସଜାଇ ସେ ।

ବ୍ୟାପେ । ବଳ ସାଜି କି ମେଘ କଳପେ ।

ବ୍ୟକ୍ତ ଥିଲେ ଦୁର୍ଗ ନରାଧିପେ । ୧୦ ।

 

୬ଷ୍ଠ ପଦ :- ବ୍ରହ୍ମନପ୍ତା-ବ୍ରହ୍ମାଙ୍କର ନାତି।

 

୬ଷ୍ଠ ପଦ :- ‘‘ସେ ଯାହା ବାର୍ତ୍ତା ଲେଖିଛି, ତୁ ତାକୁ ଆଜ୍ଞା ପତ୍ରିକା ବୋଲି କହୁଛୁ, ମାତ୍ର ସେ ଆଜ୍ଞା ପତ୍ରିକା ନୁହେଁ ଜଣାଣ ପତ୍ରିକା ଦେଇଥିବ । ମୁଁ ବ୍ରହ୍ମାଙ୍କ ନାତି, କୁବେର ମୋହର ବଡ଼ଭାଇ, ମୋହର ପୁତ୍ର ଇନ୍ଦ୍ରକୁ ଜିଣିଅଛି । ସେ ତ ଛାର ବନବାସୀ ମାତ୍ର, (ସେ ଆଜ୍ଞା ପତ୍ରିକା କଣ ଦେବ ?) ତୁ ପୁଣି ତାର ଦୂତ ହୋଇ ଆସିଅଛୁ । ଥରେ ବଡ଼ ପାଟିରେ ପଢ଼, ଶୁଣିବା ।’’

 

୭ମ ପଦ :- ଶ୍ଲେଷ-ଦ୍ୱିବିଧର୍ଥବୋଧକ। ବପୁବନ୍ତ-ଦେହବନ୍ତ ଅର୍ଥାତ୍‌ ମନୋହର ଦେହବିଶିଷ୍ଟ। ରାଜରାଜପ୍ରଭା- ଭୟନାଶପୂର୍ବକ, ଶଙ୍ଖାସୁର ବିନାଶରେ । ଝଳି-ପ୍ରକାଶିତ ।

 

୭ମ ପଦ :- ଏହା ଶୁଣି ହନୁମାନ ଆପଣା ଲାଙ୍ଗୁଳକୁ ଚକ୍ରକୃତି କରି ତା ଉପରେ ରାବଣର ସିଂହାସନ ସମାନରେ ବସି ଶ୍ଳେଷାର୍ଥରେ ଲିଖିତ ସେ ପତ୍ରକୁ ପାଠକଲା-‘ରେ ରାବଣ ! ଆମ୍ଭେ ସ୍ୱୟଂ ପରମବ୍ରହ୍ମ ନାରାୟଣ ଅଟୁ, ଏବେ ରମଣୀୟ ଦେହ ଧାରଣ କରିଥିବାରୁ ରାମ ବୋଲାଉଛୁ। ଆମ୍ଭଠାରେ ରାଜଚକ୍ରବର୍ତ୍ତୀ ଚିହ୍ନମାନ ଅଛି । ଏବେ ମଧ୍ୟ ଚନ୍ଦ୍ରପ୍ରଭା ଧାରଣ କରି ରାମଚନ୍ଦ୍ର ହୋଇଅଛୁ। ବଳି ଦୈତ୍ୟକୁ ବିମର୍ଦ୍ଦନ କରିବାରେ ଗୁଣବନ୍ତ ହୋଇଥିଲୁ, ଏବେ ବଳିଷ୍ଠମାନଙ୍କୁ ବିନାଶ କରିବାକୁ ଶୌର୍ଯ୍ୟାଦି ଗୁଣରେ ଭୂଷିତ ହୋଇଅଛୁ। ବିଧାନବଶତଃ ପୂର୍ବ ଶଙ୍ଖାସୁର ବିନାଶ କରି ତେଜସ୍ୱୀ ହୋଇଥିଲୁଁ, ଏବେ ଭୟ ନାଶ କରିବା ପାଇଁ ତେଜ ବହନ କରିଅଛୁଁ। (ଏହାଦ୍ୱାରା ବାମନାବତାର ଓ ମତ୍ସ୍ୟାବତାରର ସୂଚନା ଦିଆଗଲା ।)’’

 

୮ମ ପଦ :- ବଦନ୍ତି-କହନ୍ତି । ତ୍ରିପୁରବିଜୟୀ- ତ୍ରିଭୁବନଜେତା, ମହାଦେବ । ନରସିଂହ - ନରଶ୍ରେଷ୍ଠ ନୃସିଂହ ମୂର୍ତ୍ତି । ବସୁନ୍ଧରାଶିରୀ-ପୃଥିବୀର ଲକ୍ଷ୍ମୀସ୍ୱରୂପା-ସୀତା। ରମ୍ୟପ୍ରେମ ରସରେ-ସୀତାଙ୍କ ପ୍ରଗାଢ଼ ପ୍ରେମରେ ।ବଦେ-କହେ । ରାବଣାରି-ରାବଣର ଶତ୍ରୁ । ସମ୍ୱାଦେ-ପ୍ରକାଶିତ।

 

୮ମ ପଦ :- ‘‘ତ୍ରିପୁର ବିଜୟୀ ମହାଦେବ ଆମ୍ଭଙ୍କୁ ସ୍ତୁତି କରନ୍ତି । ପୂର୍ବେ ହିରଣ୍ୟ କଶିପୁ ବିଦାରଣ ସମୟରେ ନୃସିଂହ ରୂପ ଧରିଥିଲୁଁ, ଏବେ ତ୍ରିପୁର ବିଜୟୀ ଓ ନରଶ୍ରେଷ୍ଠବୋଲି ଆମ୍ଭଙ୍କୁ ସମସ୍ତେ ବନ୍ଦନା କରୁଅଛନ୍ତି । ପୂର୍ବେ ଶର୍କରା ତୁଲ୍ୟ ମନୋହର ପ୍ରେମରସରେ ସ୍ୱାଭାବିକ ଭାବରେ ବଶ ହୋଇ ବସୁମତୀର ଶୋଭାକୁ ବଢ଼ାଇଥିଲୁ (ବରାହ ବତାରରେ ପୃଥ୍ୱୀକୁ ଦନ୍ତାଗରେ ଧରି ତାର ଶୋଭାସମ୍ପଦ ବୃଦ୍ଧି କରିଥିଲୁଁ); ଏବେ ବସୁମତୀର ଲକ୍ଷ୍ମୀ ସୀତାଙ୍କ ମନୋହର ପ୍ରେମରେ ବଶ ହୋଇଅଛୁଁ। ମାତ୍ର ବର୍ତ୍ତମାନ କହୁଅଛୁ ଯେ ରାବଣାରି’ ପଦ ପାଇଲେ ବଡ ଲଜ୍ଜା ହେବ । କାରଣ ତାହା ଭୂଲ ଅର୍ଥକୁ ବୁଝାଉ ନାହିଁ । ପୂର୍ବେ ଦୈତ୍ୟମାନଙ୍କୁ ବିନାଶ କରି ଯେଉଁ ନାମ ପାଇଲୁ ତାହା ଦୁଇ ଅର୍ଥବୋଧକ, ମାତ୍ର ବର୍ତ୍ତମାନ ତୋତେ ମାଇଲେ ଯେ ରାବଣାରି ନାମକୁ ପାଇବୁ, ତାହା ଏକ ଅର୍ଥବୋଧକ, ତେଣୁ ଏ ନାମ ବହିବାକୁ ଲାଜ ମାଡ଼ୁଛି ) ।’’

 

୯ମ ପଦ :- ଜଟିଳ-ଜଟାଧାରୀ, ଦୂରଧିଗମ୍ୟ। ବିଜୟ-ଜୟଯୁକ୍ତ । ବିଜୟ କରୁଛି-ବାହାରୁଛି । ନଭୋମଣ୍ଡଳେ-ଆକାଶରେ।

 

୯ମ ପଦ :- ହନୁମାନର ପତ୍ର ପାଠ ଶୋଷ ହୁଅନ୍ତେ ରାବଣ କହିଲା, ‘‘ଜାଣିଲି’ ସେ ତ ଜଟାଯୁକ୍ତ ହୋଇଅଛି, ତେଣୁ ସେହି ଜଟିଳ କଥା ପ୍ରକାଶ କରିଅଛି । ମୁଁ ଯୁଦ୍ଧରେ ବିଜୟବନ୍ତ ଅଟେ । ଆଜି ତାକୁ ଉତ୍ତମ ରୂପେ ଜୟକରିବି (ତାହାର ଅସ୍ତିତ୍ୱ ଆଉ ରଖିବିନାହିଁ) l ସେସଜ ହୋଇଥାଉ ।’’ ରାବଣର କଥା ଶୁଣି ବାୟୁପୁତ୍ର ହନୁମାନ ଆକାଶ ମଣ୍ଡଳରେ ଶୀଘ୍ର ବିକ୍ରମି ଯାଇ ରାମଚନ୍ଦ୍ରଙ୍କ ନିକଟରେ ମିଳିଲା ।

 

୧୦ମ ପଦ :- ବିଗ୍ରହ-ଯୁଦ୍ଧ । ବାଜଣିଆ ଦଳ-ବାଦ୍ୟକାରୀ ସୈନ୍ୟ । କଳପେ-ସମୁହ। ଦୁର୍ଗ-ଗଡ଼। ନଗାଧିପ-ମେରୁ ପର୍ବତ ।

 

୧୦ମ ପଦ :- ରାବଣ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋଇଅଛି,-ଏହି କଥା ହନୁମାନ କହିବାରୁ ବାନରରାଜ ସୁଗ୍ରୀବ ସୈନ୍ୟସବୁ ସଜାଇଲେ । ଏହି ସମୟରେ ଲଙ୍କାରୁ ବାଦ୍ୟକାର ସୈନ୍ୟ ବାଦ୍ୟ ବଜାଇ ବାହାର ହେଲେ । ଯେପରି ମେଘସମୂହ ମେରୁ ପର୍ବତରୁ ବାହାର ହୋଇ ଚତୁର୍ଦ୍ଦିଗରେ ବ୍ୟାପିଯାନ୍ତି, ସେହିପରି ରାକ୍ଷସ ସୈନ୍ୟ ଲଙ୍ଗାଗଡ଼ରୁ ବାହାରି ବ୍ୟାପ୍ତ ହୋଇଗଲେ।

 

ବଇଜୟନ୍ତୀ ପୀତସ୍ୱତଃ ବିଦ୍ୟୁତ ପରି ପ୍ରକଟ ସେ ସଙ୍ଗେ ।

ବରହିଣ ଗଣନୃତ୍ୟ କଲାପ୍ରାୟ ଆସନ୍ତି ପଦାତି ରଙ୍ଗେ ସେ ।

ବାଜେ । ବିଦ୍ୟ ଘଣ୍ଟି ଶାମୁକ ସମାଜେ ସେ ।

ବଦାଉ କି ପକ୍ଷକର୍ମ ସାଜେ । ୧୧ ।

 

ବାର୍ଦ୍ଧିଏ ଏମନ୍ତ ବୁଦ୍ଧି ପ୍ରକଟିତ ସ୍ୟନ୍ଦନ କୁମ୍ଭୀ ତୁରଙ୍ଗେ।

ବହିତ୍ର କୁମ୍ଭୀର ମହାମୀନମାନ ଗତିକରନ୍ତି କି ରଙ୍ଗେ ସେ ।

ବୀଜୀ । ବାରସାଦୀସଦୃଶ ବିରାଜି ।

ବାସ ଉଷ୍ଣୀଶ ହିଣ୍ଡୀର ସାଜି । ୧୨ ।

 

ବାରିବ୍ୟାଳଜାଳ କଚ୍ଛପ ମଞ୍ଜୁଳ ସାବେଳୀଆଡ଼ଣୀ ବହି ।

ବ୍ୟୁତପତ୍ତି ହୁଏ ଭ୍ରମେ ଚକ୍ରାକୃତ ପୁଚ୍ଛନ୍ତି ଶ୍ରୀରାମ ଚାହିଁ ଏ ।

ବ୍ୟୁହ । ବିଧାନରେ ଶ୍ରେଷ୍ଠ କେ କେ କହ ।

ବିରାଜନ୍ତି ଯଥା ମହାଗ୍ରଜ। ୧୩ ।

 

ବିଭୀଷଣ ଭଣି ଶୁଣ ରଘୁମଣି କାହାକୁ ବିରିବି ତୁଚ୍ଛ ।

ବ୍ରହ୍ମାଣ୍ଡ ଏକେ ଏକେ ଜିଣି ପାରନ୍ତି ଅଷ୍ଟାଦଶ ଗଣ୍ଡା ବତ୍ସ ହେ।

ବୀର । ବଜ୍ରିଜିତ ପ୍ରଥମ କୁମର ।

ବାରିଦରୁ ଜନ୍ମି ରଡ଼ଘୋର । ୧୪ ।

 

ବୋଲାଇ ଯେହି ଅତିକାୟ ସେ ସ୍ୱରେ ସମରେ ନାଗରେ ନାହିଁ ।

ବିବୁଧେ ମହାପାରୁଶ୍ୱ ପାରୁଶରେ ନ ବସନ୍ତି ଭୟ ବହି ସେ ।

ବୀର । ବଡ଼ଦର ଦାତା ମହୋଦର ।

ବାମେ ଟେକି ପାରଇ କନ୍ଦର । ୧୫ ।

 

୧୧ଶ ପଦ :- ବଇଜୟନ୍ତୀ-ପତାକା । ପୀତ-ହଳଦିଆ । ବିଦ୍ୟୁତ୍‌-ବିଜୁଳି । ବିରହିଗଣ-ମୟୁରମାନେ । ରଙ୍ଗେ-କୌତୁକରେ । ବିଦ୍ୟ-ପ୍ରକାଶିତ । ବଦାଉ-ଅସ୍ତ୍ରବିଶେଷ ।

 

୧୧ଶ ପଦ :- ମେଘପରି ବ୍ୟାପ୍ତ ହୋଇଥିଲା ସୈନ୍ୟମାନଙ୍କ ସଙ୍ଗରେ ଉଡ଼ୁଥିବା ହଳଦିଆ ଧଳା ବର୍ଣ୍ଣର ପତାକା ସବୁ ବିଜୁଳି ଓ ବକ ସମୂହ ପରି ପ୍ରକାଶିତ ହେଲା । ମେଘ ଉଦିତ ହେବା ସମୟରେ ମୟୁରଗଣ ନୃତ୍ୟ କଲା ପ୍ରାୟ ପାଇକମାନେ ନୃତ୍ୟ କରି ଆସିଲେ । ଉଚ୍ଚ ଶବ୍ଦରେ ବାଜୁଥିବା ସୈନ୍ୟମାନଙ୍କ କଟୀର ଘାଗୁଡ଼ିସବୁ ମେଘଦିନର ଶାମୁକା ଶବ୍ଦ ପରି ଶୁଣାଗଲା । ଢାଲର କମ୍ପନ ପକ୍ଷୀମାନଙ୍କର ପକ୍ଷ ଝାଡ଼ିଲା ପ୍ରାୟ ପ୍ରତେ ହେଲା ।

 

୧୨ଶ ପଦ :- ବାଦ୍ଧ-ସମୁଦ୍ର । ସ୍ୟନ୍ଦନ-ରଥ । କୁମ୍ଭୀ-ହସ୍ତୀ । ତୁରଙ୍ଗ-ଘୋଡ଼ା।ବହିତ – ବୋଇତ । ମହାମୀନମାନେ – ବଡ଼ବଡ଼ମାଛସବୁ । ବାଜୀ – ଘୋଡ଼ା । ସାଦୀ-ଅଶ୍ୱାରୋହୀ, ଉଷ୍ଣୀଶ-ପଗଡ଼ି । ହିଣ୍ଡୀର-ଫେଣ । ବାଜୀବାର-ପକ୍ଷୀସମୂହ।

 

୧୨ଶ ପଦ :- ରାବଣର ଚତୁରଙ୍ଗ ବଳ ଦେଖି ମନେ ହୁଏ,- ସମୁଦ୍ରରେ ବୋଇତ, କୁମ୍ଭୀର, ରାଘବାଦି ବଡ଼ବଡ଼ ମତ୍ସ୍ୟ ସବୁ ଗତି କଲାପ୍ରାୟ ସୈନ୍ୟବଳ ମଧ୍ୟରେ ରଥ, ହସ୍ତୀ, ଅଶ୍ୱ ସବୁ ଅବଲୀଳାକ୍ରମେ ଗତି କରୁ ଅଛନ୍ତି । ପକ୍ଷୀସମୂହ ସଦୃଶ ଅଶ୍ୱାରୋହୀମାନେ ଶୋଭା ପାଉଅଛନ୍ତି (ସମୁଦ୍ରର ଅଳ୍ପ ଉପରେ ପକ୍ଷୀ ସବୁ ଉଡ଼ୁଥିଲା ପରି ଅଶ୍ୱାରୋହୀମାନେ ଅଶ୍ୱ ଉପରେ ବସିଥିବା ହେତୁ ସୈନ୍ୟବଳଙ୍କର ଅଳ୍ପ ଉପରେ ଗତି କଲା ପ୍ରାୟ ଦେଖା ଯାଉଅଛନ୍ତି । ସୈନ୍ୟମାନଙ୍କର ମୁଣ୍ଡରେ ପଗଡ଼ି ସମୁଦ୍ରର ଫେଣ ସାଜିଅଛି (ଫେଣ ତୁଲ୍ୟ ପ୍ରତୀୟମାନ ହୁଏ )।

 

୧୩ଶ ପଦ :- ବାରିବ୍ୟାଳଜାଳ-ପାଣିଧଣ୍ଡସାପ ସମୂହ । ମଞ୍ଜୁଳ-ମନୋହର। ସାବେଳୀ-ଅସ୍ତ୍ରବିଶେଷ। ଆଡ଼ଣୀ-ଢାଲ । ବ୍ୟୁତ୍‌ପତ୍ତି-ଜାତ । ମହାଗ୍ରହ-ସୂର୍ଯ୍ୟ ।

 

୧୩ଶ ପଦ :- ପାଣିଧଣ୍ଡ ସାପ ଓ କଇଁଛ ସମୁଦ୍ର ମଧ୍ୟରେ ଚକ୍ରଗତିରେ ବିହାର କଲା ପରି ସୈନ୍ୟମାନଙ୍କ ହସ୍ତରେ ଥିବା ସାବେଳୀ ଅସ୍ତ୍ର ଓ ଢାଲ ଚକ୍ରାକାରରେ ଘୁରି ସୁନ୍ଦର ଦିଶୁଅଛି । ସେହି ସୈନ୍ୟ ସମୁଦ୍ରକୁ ଚାହିଁ ଶ୍ରୀରାମ ବିଭୀଷଣଙ୍କୁ ପଚାରିଲେ, ‘‘ଏ ସୈନ୍ୟବ୍ୟୁହ ମଧ୍ୟରେ କେଉଁମାନେ ଶ୍ରେଷ୍ଠ ତାହା ମୋତେ କହ । ଏମାନେ ତ ସୂର୍ଯ୍ୟସମ ତେଜଶାଳୀ ଦେଖାଯାଉ ଅଛନ୍ତି ।’’

 

୧୪ଶ ପଦ :- ଭଣି-କହିଲା । ବତ୍ସ-ପୁତ୍ର । ବଜ୍ରଜିତ-ଇନ୍ଦ୍ର ବିଜୟୀ । ବାରିଦରୁ-ମେଘରୁ ।

 

୧୪ଶ ପଦ :- ଶ୍ରୀରାମଙ୍କ ପ୍ରଶ୍ନ ଶୁଣି ବିଭୀଷଣ କହିଲେ, ‘‘ହେ ରଘୁମଣି ଶୁଣ । ଏମାନଙ୍କ ମଧ୍ୟରୁ ମୁ କାହାକୁ ତୁଚ୍ଛ ବୋଲି କହିବି ? ଏ ସମସ୍ତେ ସମାନ । ହେ ବୀର । ଏ ଅଠରଗଣ୍ଡା ପୁଅଙ୍କ ମଧ୍ୟରୁ ଜଣେ ଜଣେ ବ୍ରହ୍ମାଣ୍ଡକୁ ଜୟ କରିପାରନ୍ତି। ପ୍ରଥମ ପୁତ୍ର ଇନ୍ଦ୍ରଜିତ ଜନ୍ମସମୟରେ ଏପରି ଶବ୍ଦ କଲା ଯେ, ତାହା ମେଘ ଶବ୍ଦଠାରୁ ଭୟଙ୍କର ଶୁଣାଗଲା ।’’

 

୧୫ଶ ପଦ :- ସୁରେ-ଦେବାଲୋକରେ (ସ୍ୱର୍ଗ) । ନାଗରେ-ନାଗଲୋକରେ (ପାତାଳରେ) । ବିବୁଧେ-ଦେବତାମାନେ । ପାରୁରେ-ସମୀପରେ । ମନ୍ଦର-ପର୍ବତବିଶେଷ ।

 

୧୫ଶ ପଦ :- ‘‘ଯେଉଁ କୁମରର ନାମ ଅତିକାୟ, ‘ଦେବଲୋକରେ’ ନାଗଲୋକରେ ତା ସମାନ ଯୁଦ୍ଧ କରିବାକୁ କେହି ନାହିଁ । ମହାପାର୍ଶ୍ୱନାମକ କୁମର ପାଖରେ ଦେବତାମାନେ ଭୟ କରି ବସନ୍ତିନାହିଁ । ହେ ବୀର ମହୋଦର ନାମକ ଯେ ପୁତ୍ର, ସେ ବଡ଼ ଦାତା ଅଟେ । ସେ ବାମ ହସ୍ତରେ ମନ୍ଦର ପର୍ବତକୁ ଟେକି ଦେଇପାରେ ।’’

 

ବିଷରୂ ବିଷମ ସ୍ଥଳଜଙ୍ଘଶର ଘାରିବେ ହର ହୋଇଲେ।

ବିଶ୍ୱଧୂମ୍ରାକ୍ଷଧୂମ୍ରମୟ କରିବ ଶାୟକ ଏକ ବିନ୍ଧିଲେ ହେ ।

ବୀର । ବହେ ମିତ୍ରଘ୍ନ ନାମ ଯେ ସାର ।

ବିଘ୍ନ କରେ ମିତ୍ର ତାରତର । ୧୬ ।

 

ବାଜୁଁକାଳଘଣ୍ଟ ଯମଘଣ୍ଟ ଘଣ୍ଟି ଯମ ଉପଯମ ଭାବି ।

ବଜ୍ରଦଂଷ୍ଟ୍ର ଦନ୍ତ ରଗଡ଼କୁ ଏକା ଲକ୍ଷ ହୋଇଅଛି ପବି ହେ ।

ବୀର । ବ୍ୟକ୍ତ ମହୀରାବଣ ନାମ ।

ବାଞ୍ଛେ ମହିମା ବିଷ୍ଣୁ ଉପର । ୧୭ ।

 

ବୋଲୁଁ ଦୈତ୍ୟବଳ ଅନିଳ ଗତିରେ ନୀଳଠଣା ବେଢ଼ ଦେଲେ ।

ବାଣାସନେ ଗୁଣ ଧନ୍ୱୀ ତିନିଜଣ ଦେଇ ରଣକୁ ଧାଇଁଲେ ଯେ ।

ବୃକ୍ଷେ । ବସିଥିଲେ ତହିଁ କପିମୁଖ୍ୟେ ।

ବେଗେ ଉପାଡ଼ି ଧାଇଁ ତ ଦକ୍ଷେ । ୧୮ ।

 

ବେନି ସୈନ୍ୟ ଭେଟି ଅଟବୀ ସମାନ କଣ୍ଟକଭାବେ ଅଗମ୍ୟ ।

ବିହରେ କେଶରୀ ସିଂହ ବେନି ବନେ ବହନ୍ତିଏ ତର୍କେ ସମ କେ ।

ବନେ । ବିଭ୍ରାଜିତଗବୟ ଗମନେ ।

ବନେ ଶାର୍ଦ୍ଦୂଳ କ୍ରୀଡ଼ାକୁ ଘେନେ । ୧୯ ।

 

ବନକେ ଡାଳିମ୍ବ ଜାମ୍ବବ ପନସ ଚନ୍ଦନ ହିଁ ମନୋରମ।

ବନକରେ ମେଘନାଦ ଶୁକ କଙ୍କ ମଣ୍ଡଳୀଯେ ହୁଏ ରମ୍ୟ କେ ।

ବନେ । ବିପତନ ଶାଖା ଅବିଚ୍ଛିନ୍ନେ।

ବନେ ଖଡ୍‌ଗ ଆତପାତ ଘନେ । ୨୦ ।

 

୧୬ଶ ପଦ :- ବିଷମ-ଉତ୍କଟ । ଘାରିବେ-ସଂଜ୍ଞାହୀନ ହେବେ । ହର-ଶିବ । ବିଶ୍ୱ-ସଂସାର । ସାୟକ-ଶର । ସାର-ଶ୍ରେଷ୍ଠ । ମିତ୍ର-ସୂର୍ଯ୍ୟ । ତାରତର-ଅତିଶୟ ଦୀପ୍ତିମନ୍ତ।

 

୧୬ଶ ପଦ :- ସ୍ଥୂଳଜଙ୍ଘ ପୁତ୍ରରର ଶର ବିଷଠାରୁ ମଧ୍ୟ ଭୟଙ୍କର ଅଟେ । ମହାଦେବ ମଧ୍ୟ ସେ ଶରାଘାତରେ ଅଚେତ ହୋଇଯିବ। (ବିଷଭକ୍ଷ ମହାଦେବ ମଧ୍ୟ ଶରାଘାତରେ ଅଚେତ ହେବ । ତେଣୁ ତାହା ବିଷରୁ ବିଷମ ଅଟେ) । ଧୂମ୍ରାକ୍ଷ ନାମକ ପୁତ୍ରଗୋଟିଏ ମାତ୍ର ବାଣ ବିନ୍ଧି ସଂସାରକୁ ଧୂମ୍ରମୟ କରିଦେବ । ହେ ବୀର । ଯେଉଁ ପୁତ୍ରର ନାମ ମିତ୍ରଘ୍ନ, ତାହାର ସେ ନାମ ସାର୍ଥକ ଅଟେ । କାରଣ, ତାହାର ଜ୍ୟୋତିଦେଖି ସୂର୍ଯ୍ୟ ସୁଦ୍ଧା ତେଜହୀନ ହୋଇଯାନ୍ତି।’’

 

୧୭ଶ ପଦ :- ପବି-ବଜ୍ର । ବ୍ୟକ୍ତ-ପ୍ରକାଶିତ । ମହିମା-ଆଧିପତ୍ୟ ।

 

୧୭ଶ ପଦ :- ‘‘କାଳିଘଣ୍ଟ ଓ ଯମଘଣ୍ଟ ନାମକ ପୁତ୍ର ଦୁହିଙ୍କର ଘଣ୍ଟି ବାଜନ୍ତେ ଯମ ତାହା ଶୁଣି ଭାବେ, ‘ଏ ଦୁହେଁ ମୋର ବିନାଶକର୍ତ୍ତା ଅଟନ୍ତି ।’ ବଜ୍ରଦଂଷ୍ଟ ନାମକ ପୁତ୍ରର ଦନ୍ତ କଡ଼ମଡ଼ ଶବ୍ଦ ସହିତ ବଜ୍ରଶବ୍ଦ ଏକା ତୁଳନୀୟ; (ଆଉ କିଛି ତୁଳନୀୟ ହୋଇ ନପାରେ) ହେ ବୀର ।ମହୀରାବଣ ନାମା ପୁତ୍ର; ବିଷ୍ଣୁଙ୍କ ଉପରେ ମଧ୍ୟ ଆଧିପତ୍ୟ ବିସ୍ତାର କରିବାକୁ ଇଚ୍ଛାକରେ।’’

 

୧୮ଶ ପଦ :- ଅନିଳ-ପବନ । ନୀଳଠଣା-ନୀଳ ସେନାପତି ଥିବା ସ୍ଥାନ । ବେଢ଼ଦେଲେ-ବେଢ଼ିଗଲେ। ବାଣାସନେ-ଧନୁରେ । ଧନ୍ୱୀ-ଧନୁର୍ଦ୍ଧାରୀ। କପିମୁଖ୍ୟେ-ଶ୍ରେଷ୍ଠ ମର୍କଟମାନେ । ଦକ୍ଷେ-ଦକ୍ଷିଣ ହସ୍ତରେ ।

 

୧୮ଶ ପଦ :- ବିଭୀଷଣ ଏହି କଥା କହିବା ସମୟେ ଦୈତ୍ୟବଳ ପବନଗତିରେ ଆସି ନୀଳ ସେନାପତିର ବ୍ୟୁହକୁ ବେଢ଼ିଗଲେ । ତାହା ଦେଖି ଧନୁର୍ଦ୍ଧାରୀ ତିନିଜଣ-ରାମ’ ଲକ୍ଷ୍ମଣ ଓ ବିଭୀଷଣ ଧନୁରେ ଗୁଣ ବସାଇ ରଣକ୍ଷତ୍ରକୁ ଧାଇଁଲେ । ତତ୍ପର କପିଶ୍ରେଷ୍ଠମାନେ ଯେଉଁ ବୃକ୍ଷରେ ବସିଥିଲେ, ସେ ବୃକ୍ଷକୁ ଉପାଡ଼ି ଦକ୍ଷିଣହସ୍ତରେ ଧରି ଅତିଶୀଘ୍ର ଧାଇଁଲେ ।

 

୧୯ଶ ପଦ :- ଅଟବୀ-ଅରଣ୍ୟ । କଣ୍ଟକଭାବେ-ଶତ୍ରୁ ଭାବରେ । ଅଗମ୍ୟ - ଯେଉଁଠାରେ ପ୍ରବେଶ କରଯାଇନପାରେ। ବିହିରେ-ଭ୍ରମଣ କରେ । କେଶରୀ -ସିଂହ । ବିଭାଜିତ-ପ୍ରକାଶିତ । ଶାର୍ଦ୍ଦୂଳ-ବ୍ୟାଘ୍ର, ରାକ୍ଷସବିଶେଷ।

 

୧୯ଶ ପଦ :- ରାମ ଓ ରାବଣର ସୈନ୍ୟ ଭେଟାଭେଟି ହେବାରୁ ତାହା ଅରଣ୍ୟ ତୁଲ୍ୟ ପ୍ରତୀୟମାନ ହେଲା । ଯେପରି କଣ୍ଟକ ବୃକ୍ଷ ଥିବା ହେତୁ ଅରଣ୍ୟ ଅଗମ୍ୟ ହୋଇଥାଏ, ସେହିପରି ଦୁଇ ସୈନ୍ୟମଧ୍ୟରେ ଶତ୍ରୁଭାବ ଥିବାରୁ ତାହା ଦୁର୍ଗମ ହୋଇଅଛି (ଗୋଟିଏ ପାଖର ସୈନ୍ୟ ଅନ୍ୟପାଖର ସୈନ୍ୟମଧ୍ୟରେ ହଠାତ୍‌ ପଶିପାରୁନାହିଁ) । ବନରେ ସିଂହ ବିହାର କଲାପରି ରାମଙ୍କ ସୈନ୍ୟରେ କେଶରୀ ନାମକ ମର୍କଟ ଓ ରାବଣ ସୈନ୍ୟରେ ସିଂହ ନାମକ ରାକ୍ଷସ ଭ୍ରମଣ କରୁଅଛନ୍ତି । ଏ ଦୁହେଁ ଉତ୍‌ପ୍ରେକ୍ଷାରେ ସମାନ ଭାବକୁ ବହନ୍ତି । ବନମଧ୍ୟରେ ଗୟଳ ଓ ବ୍ୟାଘ୍ର କ୍ରୀଡ଼ାକଲାପରି ରାମଙ୍କ ସୈନ୍ୟ ମଧ୍ୟରେ ଗବୟ ନାମକ ମର୍କଟ ଓ ରାବଣ ସୈନ୍ୟମଧ୍ୟରେ ଶାର୍ଦ୍ଦୂଳ ନାମକ ରାକ୍ଷସ କ୍ରୀଡ଼ା କରୁଅଛନ୍ତି ।

 

୨୦ଶ ପଦ :- ରମ୍ୟ - ମନୋହର। ବିପତନ-ପଡ଼ିବା । ଅବିଚ୍ଛିନ୍ନେ - ନିରନ୍ତର । ଘନେ-ନିବିଡ଼ ବା ସାନ୍ଦ୍ରଭାବରେ। ଖଡ଼୍‌ଗ-ଗଣ୍ଡା, ଖଣ୍ଡା । ମେଘନାଦ - ମୟୁର ଇନ୍ଦ୍ରଜିତ।

 

୨୦ଶ ପଦ :- ରାମଙ୍କ ସୈନ୍ୟ ବନରେ ଜାମ୍ୱବ ନାମକ ରୁକ୍ଷରାଜା । ଜାମୁଛେ ତୁଲ୍ୟ, ଡାଳିମ୍ୱ ନାମକ କପି ଡ଼ାଳିମ୍ବ ଗଛ ତୁଲ୍ୟ, ପନସ ନାମକ କପି ପଣସ ଗଛ, ଚନ୍ଦନ ନାମା କପି ଚନ୍ଦନଗଛ ପ୍ରାୟ ମନୋହର ଦେଖା ଯାଉଅଛନ୍ତି । ରାବଣ ସୈନ୍ୟ-ବନରେ ମେଘନାଦ ମୟୁର ତୁଲ୍ୟ, ଶୁକ ମନ୍ତ୍ରୀ ଶୁକପକ୍ଷୀ ତୁଲ୍ୟ, କଙ୍କନାମକ ଦୈତ୍ୟ କଙ୍କପକ୍ଷୀ ପ୍ରାୟ ମନୋରମ ହୋଇଅଛନ୍ତି। ରାମଙ୍କ ସୈନ୍ୟ ବନରେ ବୃକ୍ଷ ଡାଳ ସବୁ ଅନବରତ ପଡ଼ୁଅଛି । (କପି ସୈନ୍ୟମାନେ ବୃକ୍ଷ ଡାଳ ଭାଙ୍ଗି ପ୍ରହାର କରୁଅଛନ୍ତି) । ରାବଣ ସୈନ୍ୟ-ବନରେ ଖଣ୍ଡାରୂପ ଗଣ୍ଡା ପଶୁସବୁ ନିବିଡ଼ ଭାବରେ ଆତଯାତ ହେଉଅଛନ୍ତି ।

 

ବାରିଦେ ବାରିଦ ମେଳ ହେଲା ପ୍ରାୟ ଋଷି ରାକ୍ଷସଙ୍କ ଦ୍ୱନ୍ଦ୍ୱ ।

ବରଷେକେ ତହିଁ ଉପଳକେ କରେ ଆୟୁଧକୁଳିଶେ ଭେଦ ସେ ।

ବେନି । ବିକାଶନ୍ତି ତହିଁ ଘୋରଧ୍ୱନି।

ବିଗ୍ରହରୁ ଜଳଧାରା ଦାନୀ । ୨୧ ।

 

ବିଶେଷେ ଚଞ୍ଚଳା ଗତି କେ ଘେନନ୍ତି ଅଚଳାଲିଙ୍ଗନ କେତେ।

ବହିବାରୁ ତହିଁ କୀଲାଲ ସରିତ ପ୍ରକଟ କବନ୍ଧ ନୃତ୍ୟେ ସେ ।

ବାରେ । ବିଲୋକନକୁଆନନକରେ।

ବିଦ୍ୟତରଣୀ ଯୁକ୍ତ ବାସରେ । ୨୨ ।

 

ବାଦୀ ଅଷ୍ଟସେନା ଯୁଥପତି ସଙ୍ଗେ ରାଜପୁତ୍ର ଏକ ଏକ।

ବାହିନୀମାନେ ଜଗଜ୍ଜେଠିମାନଙ୍କେ ଏ ବିଧିରଣରଚକ ସେ ।

ବଳୀ । ବ୍ୟାଘ୍ର ବ୍ୟାଘ୍ର କି କରନ୍ତି କଳି ।

ବୃକ୍ଷ ବୃକ୍ଷ କି ବିରୋଧୀ ମିଳି । ୨୩ ।

 

ବିଭୀଷଣ ମିତ୍ର ଘନରବିସୁତ ମହୋଦର କଲେ ଦ୍ୱନ୍ଦ।

ବାଳିତନୟେ ଅତିକାୟ ମାରୁତି ମହାପାରୁଶ୍ୱର ବାଦ ସେ ।

ବୁଝ । ବହ୍ନିସୁତ ସ୍ଥୂଳଜଙ୍ଘ ଯୁଝ ।

ବଜ ଦଂଷ୍ଟ୍ର ନଳ ରଣମଝ। ୨୪ ।

 

ବେଢ଼ିଶତ ପରିପନ୍ଥୀ ଆଦି ଅଷ୍ଟରଥୀ ଦିଗଦନ୍ତୀ ସମ ।

କିରାଜେ ତଥିମଧ୍ୟରେ ଦାଶରଥି ଶୋଭାରତ୍ନସାନୁ ରମ୍ୟ ସେ ।

ବେଳେ । ବିବସ୍ୱାନ ପ୍ରଭା ନ ଛାଡ଼ିଲେ।

ବିବୁଧଙ୍କ ହିତ ସବୁକାଳେ । ୨୫ ।

 

୨୧ଶ ପଦ :- ବାରିଦ-ମେଘମାଳା । ଋକ୍ଷ-ଭଲ୍ଲୁକ । ଦ୍ୱନ୍ଦ୍ୱ-କଳହ । ଉପଳ-ପ୍ରସ୍ତର, କୁଆପଥର । ଆୟୁଧ-ଅସ୍ତ୍ର ଶସ୍ତ୍ର ପ୍ରଭୃତି । କୁଳିଶେ-ବଜ୍ରରେ । ବିକାଶନ୍ତି-ପ୍ରକାଶ କରନ୍ତି । ବିଗ୍ରହରୁ-ଯୁଦ୍ଧରୁ ।

 

୨୧ଶ ପଦ :- ମେଘମଣ୍ଡଳ ସହିତ ମେଘମଣ୍ଡଳର (ବଉଦ ସହିତ ବଉଦର ) ମେଳ ହେଲା ପ୍ରାୟ ରୁକ୍ଷ ରାକ୍ଷସଙ୍କର ଯୁଦ୍ଧ ହେଲା । ସେ ଯୁଦ୍ଧରେ କେହି କୁଆପଥର ପ୍ରାୟ ପଥରମାନ ବୃଷ୍ଟିକଲା। କେହି ବଜ୍ରରୂପ ଶସ୍ତ୍ରମାନ ନିକ୍ଷେପ କରି ଶତ୍ରୁକୁ ଭେଦ କଲା । ଦୁଇ ଥାଟ ସେ ଯୁଦ୍ଧଭୂମିରେ ଭୟଙ୍କର ଶବ୍ଦ କରିବାକୁ ଲାଗିଲେ । ତାଙ୍କ ଦେହରୁ ଜଳଧାରା ପ୍ରାୟ ଶ୍ରମଝାଳ ବହିବାକୁ ଲାଗିଲ ।

 

୨୨ଶ ପଦ :- ଚଞ୍ଚଳା-ବିଦ୍ୟୁତ୍‌, ଚଞ୍ଚଳ । ଅଚଳାଲିଙ୍ଗନ-ପର୍ବତକୁ ଆଲୀଙ୍ଗନ। କୀଲାଲ-ରକ୍ତ । ସରିତ-ନଦୀ । କବନ୍ଧ-ମସ୍ତକହୀନ ଦେହ। ଜଳ-ଲହରୀ । ବାରେ-ଥରେ । ଆନ-ଅନ୍ୟଥା । ତରଣୀ-ନୌକା, ସୂର୍ଯ୍ୟ । ବାସରେ-ଦିବସରେ ।

 

୨୨ଶ ପଦ :- ଯେପରି ବର୍ଷାକାଳରେ ମେଘରେ ବିଜୁଳି ଗତି କରେ, କେଉଁ କେଉଁ ମେଘମାଳ ସବୁ ପର୍ବତକୁ ଆଲିଙ୍ଗନ କରିଥାନ୍ତି (ପର୍ବତ ଉପରେ ଉଡ଼ି ବୁଲୁଥାନ୍ତି), ଜଳ ବଢ଼ିବାରୁ ନଦୀରେ ତରଙ୍ଗସବୁ ନୃତ୍ୟ କରୁଥାଏ, ପୁଣି ସେ ବଢ଼ିଜଳରେ ‘ନଳରେ’ (ନତ୍ରେ) କୁମ୍ଭୀରମାନେ ଦେଖାଯାନ୍ତିନାହିଁ, ନୌକାସବୁ ଗୃହପରି ସଜ୍ଜିତ ହୋଇ ନଦୀରେ ବିଦ୍ୟମାନ ଥାଏ; ସେହିପରି ଯୁଦ୍ଧ ସମୟରେ ବୀରମାନେ ଖୁବ୍‌ଶୀଘ୍ର ଗତିକରି ଧାଉଁ ଅଛନ୍ତି, କେତେକ ବୀର ପର୍ବତଖଣ୍ଡମାନ ଧରି ଅଛନ୍ତି,ରକ୍ତନଦୀ ବଢ଼ିଅଛି, ଛିନ୍ନମସ୍ତକ ସୈନ୍ୟନୃତ୍ୟ କରୁଅଛନ୍ତି, ସୂର୍ଯ୍ୟ ଥାଇ ସୁଦ୍ଧା ଦିନରେ ଯୁଦ୍ଧକ୍ଷେତ୍ର ଶରଜ୍ୱାଳାଦ୍ୱାରା ଚତୁର୍ଦ୍ଦିଗ ଏପରି ଆଚ୍ଛନ୍ନ ହୋଇଛି ଯେ, କେହି କାହାକୁ ଥରେ ଦେଖି ପାରୁନାହାଁନ୍ତି ।

 

୨୩ଶ ପଦ :- ବାହିନୀମାନେ-ବଳିଷ୍ଠ ସେନାମାନେ ।

 

୨୩ଶ ପଦ :- ଅଷ୍ଟସେନା ଓ ପଚିଶ ଯୁଥପତି ପ୍ରତ୍ୟେକଙ୍କ ସଙ୍ଗରେ ରାବଣର ପୁତ୍ର ନାତିମାନେ ଜଣେ ଜଣେ ହୋଇ ବିବାଦୀ ହେଲେ । ବଳିଷ୍ଠ ସେନାମାନେ ଜଗଜ୍ଜେଠିମାନଙ୍କ ସହିତ ଯଥାବିଧାନରେ ଯୁଦ୍ଧରେ ରତ ହେଲେ । ତାହା ଦେଖି ବୋଧ ହେଲା, ବ୍ୟାଘ୍ର ସହିତ ବ୍ୟାଘ୍ର କଳି କରୁଛି କି ? କିମ୍ୱା ଷଣ୍ଢ ଷଣ୍ଢ ମିଶି ଲଢ଼େଇ କରୁଅଛନ୍ତି କି ?

 

୨୪ଶ ପଦ :- ରବିସୁତ-ସୁଗ୍ରୀବ । ବହ୍ନି ସୁତ-ନୀଳ ।

 

୨୪ଶ ପଦ :- ବିଭୀଷଣ ମିତ୍ରଘ୍ନ ସହିତ, ସୁଗ୍ରୀବ ମହୋଦର ସହିତ ଯୁଦ୍ଧ କଲେ । ଅଙ୍ଗଦ ଅତିକାୟ ସଙ୍ଗରେ, ହନୁମାନ ମହାପାର୍ଶ୍ୱ ସଙ୍ଗରେ ବିବାଦରେ ରତ ହେଲେ । ହେ ସାଧୁଜନେ ! ବୁଝ, ନୀଳ ଓ ସ୍ଥୂଳଜଙ୍ଘ ଏ ଦୁହିଁଙ୍କର ଏବଂ ନଳ ଓ ବ୍ରଜଦଂଷ୍ଟ୍ର ଏ ଦୁହିଁଙ୍କର ଯୁଦ୍ଧ ହେଲା ।

 

୨୫ଶ ପଦ :- ଶକ୍ରପରିପନ୍ଥୀ-ଇନ୍ଦ୍ରଙ୍କର ଶତ୍ରୁ ଅର୍ଥାତ୍‌ ଇନ୍ଦ୍ରଜିତ । ଦିଗଦନ୍ତୀ-ଦିଗ୍‌ଗଜ । ଦାଶରଥି-ରାମଚନ୍ଦ୍ର । ରନସାନୁ- ସୁମେରୁ ପର୍ବତ । ରମ୍ୟ-ସୁନ୍ଦର, ବିବସ୍ୱାନ-ସୂର୍ଯ୍ୟ । ପ୍ରଭା-ତେଜ ବା ଦୀପ୍ତି ।

 

୨୫ଶ ପଦ :- ଇନ୍ଦ୍ରଜିତ ପ୍ରଭୃତି ଅଷ୍ଟରଥୀ ଦିଗ୍‌ଗଜ ପ୍ରାୟ ରାମଚନ୍ଦ୍ରଙ୍କୁ ବେଢ଼ି ଗଲାରୁ ରାମଚନ୍ଦ୍ର ସେମାନଙ୍କ ମଧ୍ୟରେ ରହି ମେରୁ ପର୍ବତ ଶୋଭାଧାରଣ କଲେ । ମେରୁ ପର୍ବତ ଦେବତାମାନଙ୍କର ଆବାସସ୍ଥଳ ଏବଂ ସୂର୍ଯ୍ୟ ପ୍ରଭା ସର୍ବଦା ମେରୁ ପର୍ବତରେ ବିଦ୍ୟମାନ ଥାଏ, ସେହିପରି ସୂର୍ଯ୍ୟବଂଶୀୟ ବା ସୂର୍ଯ୍ୟସମ ତେଜସ୍ୱର ରାମଚନ୍ଦ୍ର ଦେବତାମାନଙ୍କର ହିତ ଇଚ୍ଛାରେ ଏଠାରେ ବିଦ୍ୟମାନ ରହିଲେ ।

 

ବିପତ୍ତି ଇଚ୍ଛିତ ଲକ୍ଷ୍ମଣ ରାବଣେ ଝାମ୍ପି କାଳୀ ପ୍ରଭା ଲଭି ।

ବକ୍ରମାଳୀଭୋଗିବର ଜ୍ୟେଷ୍ଠ ପୂଣ କଞ୍ଚୁକରେ ଯେଣୁ ଶୋଭୀ ସେ ।

ବିନ୍ଧି । ବେଗେ ମନ୍ତ୍ର କଙ୍କପତ୍ର ସନ୍ଧି ।

ବିଷପ୍ରତିଜ୍ଞା ଝାଡ଼ିଲେ ଶୋଧି। ୨୬ ।

 

ବାରେ ବାରେ କଲା ସେତକ ପ୍ରୟାସ ନବାଜୁଁ ଚ୍ଛେଦିଲେ ଗାତ୍ରେ।

ବାରଣୀ ଜାଣଇ ଯତି ବୋଲି ଗୁଣି ହୋଇଲା ତାହାର ଚିତ୍ତେ ସେ ।

ବୀର । ବ୍ୟାକୁଳରେ ଛାଡ଼ିରଡ଼ି ଘୋର।

ବ୍ରଣ ପୂରିଲା ଯହୁ ଶରୀର । ୨୭ ।

 

ବପ୍ତାରପଞ୍ଚତ୍ୱ ଏହିକ୍ଷଣି ହେବ ପଞ୍ଚମନେ ଏହା ଚିନ୍ତି ।

ବାମେ ଥାଇ ବାମ ହୋଇ ଇନ୍ଦ୍ରଜିତ ପ୍ରହାରେ ଅମୋଘ ଶକ୍ତି ସେ ।

ବେଗେ । କିଶୋଇଲା ସେ ଲକ୍ଷ୍ମଣ ଅଙ୍ଗେ ।

ବିଜ୍ଞାନ ସେ ଯଥା ଛୁଇଁ ନାଗେ । ୨୮ ।

 

ବିଂଶାକ୍ଷ ଦେଖି ସୁଖୀ ରଥୁ ଓହ୍ଲାଇ ତୋଳୁଁ ନ ଚଳି ଲିତାଏ ।

ବାସୁକି ବିନା ଧରଣୀ ଧରକୁ କ୍ଷମ କିମହୀଲତାଏ ସେ ।

ବିଧା । ଜିହୁଁ ମାରୁତି ହୋଇ ସକ୍ରୋଧା ।

ବହୁଡ଼ିଲାଛାଡ଼ିଦଶମୁର୍ଦ୍ଧ । ୨୯ ।

 

ବିନୟରେ ଲୟ ପବନ ତନୟ ଟେକି ଘେନିଗଲା ବହି ।

ବାଳ ଉଡ଼ାଇ କି ତ୍ରିକୂଟରେ ଏକ କୂଟକୁ ଏଲକ୍ଷ ବହି ସେ ।

ବାଞ୍ଛି। ବାମ ଦେତାଦ୍ରିରୁ ଗରୁ ଅଛି ସେ ।

ବଳ ଏଡ଼େ ତା କପି ନେଉଛି ସେ । ୩୦ ।

 

୨୬ଶ ପଦ :- ବିପତି (ତ୍ତି)-ଗରୁଡ଼, ବିପଦ । ଇଚ୍ଛି-ଇସ୍ପିତ, ଇଚ୍ଛାକରି କାଳୀ-ପ୍ରଭା, କାଳୀୟ ସର୍ପର ଶୋଭା। କଞ୍ଚୁକ-ସାଞ୍ଜୁ, କାତି । କଙ୍କପତ୍ର-ଶର । ଶୋଧି-ଶୋଧନ କରି । ଜ୍ୟେଷ୍ଠ-ପ୍ରଥମ, ଶ୍ରେଷ୍ଠ ।

 

୨୬ଶ ପଦ :- କାଳୀସର୍ପ ଯେପରି ବହୁ ଫଣା ବିଶିଷ୍ଟ ସର୍ପଙ୍କ ମଧ୍ୟରେ ପ୍ରଧାନ ଏବଂ ତାହାର ଶରୀର କାତିଦ୍ୱାରା ଆବୃତ ଅଟେ, ସେହିପରି ରାବଣ ବହୁ ମୁଖ ବିଶିଷ୍ଟ, ଶ୍ରେଷ୍ଠ ଭୋଗୀଙ୍କ ମଧ୍ୟରେ ପ୍ରଥମ ଓ ତାହାର ଶରୀର ବର୍ମ ଦ୍ୱାରା ଆବୃତ ଅଟେ । ତେଣୁ ସେ କାଳୀ ସର୍ପର ଶୋଭାକୁ ଧାରଣ କରିଅଛି । ପକ୍ଷୀରାଜ ଗରୁଡ଼ ପରି ଲକ୍ଷ୍ମଣ ତାହାର ବିପଦକୁ ଇଚ୍ଛା କରି ତା ଉପରକୁ ଝାମ୍ପିଲେ, ପୁଣି ଧନୁରେ ଯେଉଁ ଶର ଯୋଚିଲେ, ତା ମନ୍ତ୍ର ପ୍ରାୟ ହୋଇ ରାବଣର ପ୍ରତିଜ୍ଞା ବିଷକୁ ଝାଡ଼ି ଦେଲା ।

 

୨୭ଶ ପଦ :- ଗାତ୍ରେ-ଦେହରେ । ବାରଣୀ-ନିବାରଣ ଉପାୟ । ଯତି-ତପସ୍ୱୀ । ଗୁଣି-ଭାବି । ବ୍ରଣ-କ୍ଷତ ।

 

୨୭ଶ ପଦ :- ରାବଣ ଥରକୁଥର ଯେତେ ଶର ପ୍ରୟୋଗ କଲା, ତାହା ଦେହରେ ନ ବାଜୁଣୁ ଲକ୍ଷ୍ମଣ ତାହା ସବୁ ଛେଦି ପକାଇଲେ । ତାହା ଦେଖି ରାବଣ ଚିତ୍ତରେ ଭାବିଲା, ‘‘ଏ ଯତି ବାଣ ବାରଣୀ’ ବାଣ ଦେହରେ ନ ବାଜିବା ମନ୍ତ୍ର ଜାଣେ ( ନ ହେଲେ ବାଣ ଏହା ଦେହରେ ନ ବାଜନ୍ତା କାହିଁକି ?) । ରାବଣର ଦେହ ଲକ୍ଷ୍ମଣର ଶରାଘାତରେ କ୍ଷତ ହୋଇଯିବାରୁ ସେ ଆତଙ୍କରେ ଘୋର ରଡ଼ି ଛାଡ଼ିଲା।

 

୨୮ଶ ପଦ :- ବପ୍ତା-ପିତା । ପଞ୍ଚତ୍ୱ-ମରଣ । ପଞ୍ଚମନେ-ପଞ୍ଚଭୂତାତ୍ମାରେ । ବାମେ-ବାମପାର୍ଶ୍ୱରେ । ବାମ-ବିପକ୍ଷ । ବିଜ୍ଞାନ-ଅଚେତନ । ନଗେ-ନାଗସର୍ପ ।

 

୨୮ଶ ପଦ :- ରାବଣ ବ୍ୟାକୁଳ ରଡ଼ି ଶୁଣି ଇନ୍ଦ୍ରଜିତ ପଞ୍ଚମନରେ ଭାବିଲା, ‘‘ଏହିକ୍ଷଣି ପିତାର ମୃତ୍ୟୁ ହେବ ।’’ ଏହା ଭାବି ସେ ଆସି ରାବଣର ବାମ ଭାଗରେ ରହି ଲକ୍ଷ୍ମଣଙ୍କର ପ୍ରତିକୂଳ ହୋଇ ଅମୋଘ ଶକ୍ତି ପ୍ରହାର କଲା । ସେ ଶକ୍ତି ଶୀଘ୍ର ଯାଇ ଲକ୍ଷ୍ମଣଙ୍କ ଦେହରେ ବାଜିଲା, ସର୍ପମାନେ ଦଂଶନ କଲାପରି ଲକ୍ଷ୍ମଣ ହତଜ୍ଞାନ ହୋଇ ପଡ଼ିଗଲେ।

 

୨୯ଶ ପଦ :- ତୋଳୁ-ଟେକିବାରୁ । କ୍ଷମ-ସମର୍ଥ । ମହୀଲତାଏ-ଜିଆସବୁ । ମାରୁତି-ହନୁମାନ । କ୍ରୋଧ-ରାଗ । ଦଶମୂର୍ଦ୍ଧା-ରାବଣ ।

 

୨୯ଶ ପଦ :- ଲକ୍ଷ୍ମଣ ଅଚେତ ହୋଇ ପଡ଼ିବାର ଦେଖି ରାବଣ ସୁଖୀ ହୋଇ ରଥରୁ ଓହ୍ଲାଇ ଆସି ନେବା ଇଚ୍ଛାରେ ଲକ୍ଷ୍ମଣଙ୍କୁ ତୋଳିବାରୁ ସେ ତିଳେ ମାତ୍ର ଚଳିଲେ ନାହିଁ । ପୃଥ୍ୱୀର ଭାର ବହିବାକୁ ନାଗରାଜବାସୁକି ବିନା ଜିଆସବୁ ସକ୍ଷମ ହେବେ କି ? ଏହା ଦେଖି ହନୁମାନ କ୍ରୋଧଯୁକ୍ତ ହୋଇ ବିଧା ପ୍ରହାର କରିବାରୁ ରାବଣ ଲକ୍ଷ୍ମଣଙ୍କୁ ଛାଡ଼ି ଫେରିଗଲା ।

 

୩୦ଶ ପଦ :- ଲୟ-ଧ୍ୟାନ୍ଦ। ବାତ-ପବନ । ତ୍ରିକୂଟ-ପର୍ବତ ବିଶେଷ । କୂଟ-ଶୃଙ୍ଗ । ବାମଦେବାଦ୍ରିରୁ-କୈଳାସ ପର୍ବତରୁ।

 

୩୦ଶ ପଦ :- ପବନପୁତ୍ର ହନୁମାନ ଲକ୍ଷ୍ମଣଙ୍କୁ ବିନୟରେ ସ୍ତୁତି କରି ଟେକି ନେଇ ଗଲାବେଳେ ଏହି ତୁଳନା ଧାରଣ କଲା, ତ୍ରିକୂଟ ପର୍ବତର ଗୋଟିଏ ଶୃଙ୍ଗକୁ ପବନ ଉଡ଼ାଇ ନେଉଅଛି କି ? ତାହା ଦେଖି ରାବଣ ବିଚାରିଲା, ‘ମାଙ୍କଡ଼ଟାର ଏତେ ବଳ ଯେ, କୈଳାସ ପର୍ବତରୁ ଗରିଷ୍ଠ ଏ ଲକ୍ଷ୍ମଣଙ୍କୁ ଟେକି ନେଉଅଛି ।’

 

ବାଳି ଅନୁକ ବିଭୀଷଣ ସୁଷେଣଜାମ୍ବବ ଲକ୍ଷ୍ମଣ ତୁଲେ ।

ବାଟେ ଯାଉ ସେ ସୁବେଳକୁ ଚେତନା ପାଇଁଯୁଦ୍ଧ କାମ କଲେ ସେ ।

ବୀର । ବୋଧିକପିବଜ କଲେ ଧୀର ସେ ।

ବ୍ୟାପେ କୋପେ ରଘୁନାୟକର ସେ । ୩୧ ।

 

ବରଷିବ ନାହିଁ କେତେ ନୀର ଘନ ଶର ପ୍ରହାରିଲେ ଯେତେ।

ବିଦିଶ ଦିଶକୁ କୁଜ୍‌ଝଟୀ ଝଟିତ ଘୋଡ଼ାଇ ନାହିଁ ତେମନ୍ତେ ସେ ।

ବୈରୀ । ବଳପାକକାଣ୍ଡପୂର୍ଣ୍ଣ କରି ସେ ।

ବିରାଜିଲେ ସେ ଶ୍ୱାବିତ ପରି ସେ । ୩୨ ।

 

ବିରକ୍ତେ ରକ୍ତେ ଜରଜର କବଚ ଭିନ୍ନ ବଚନ ସ୍ଫୁରିତ।

ବିଦ୍ରାବଣ କଉଣପଗଣ ହେଲେ ଚରମେ ଜନିତ ଘାତ ସେ ।

ବାମ । ବିଚ୍ଛେଦନ କଲେ ଧ୍ୱଜସ୍ତୋମ ସେ ।

ବେପଥୁ ତ ଗାତରେ ଜନମ ସେ । ୩୩ ।

 

ବଢ଼ିଲା ନଦୀ ଭେଳକରେ ମେଳକହୋଇଣ ନିସ୍ତେଜ ଯଥା।

ବୃଶ୍ଚିକ କର୍କଟ ଭାସି ଯାଉଥାନ୍ତି ରଥେ ଲଙ୍କପତି ତଥା ସେ ।

ବକ । ବ୍ୟୁହ ବସିଥିଲା ଲକ୍ଷ ତର୍କ ସେ ।

ବାସବାରି ଆଦି ରଥିଯାକ ସେ । ୩୪ ।

 

ବାନରେ ଭୟତଭୂତ ପ୍ରାୟ ହୋଇ ଶାଖା ପ୍ରସ୍ତର ପତନେ ।

ବଳାଇ ଦ୍ୱାର ବାହୁଡ଼େ ରାମଚନ୍ଦ୍ର ବିଜେ ସୁବେଳରେ ଘନେ ସେ ।

ବୀର । ବର ଲକ୍ଷ୍ମଣ ନମେ ପୟର ସେ ।

ବଡ଼ ଆଶଙ୍କା ମାନସୁଁ ଦୁର ସେ । ୩୫ ।

 

୩୧ଶ ପଦ :- ବାଳି-ଅନୁୀଜ-ବାଳିରସାନଭାଇ ସୁଗ୍ରୀବ ।

 

୩୧ଶ ପଦ :- ସୁଗ୍ରୀବ, ବଭୀଷଣ, ସୁଷେଣ, ଜାମ୍ୱବ ଏ ଚାରିଜଣ ଲକ୍ଷ୍ମଣଙ୍କ ସହିତ ଗଲେ । ସୁବେଳ ପର୍ବତକୁ ଯିବା ସମୟରେ ବାଟରେ ଲକ୍ଷ୍ମଣ ଚେତନା ପାଇ ପୁଣି ଯୁଦ୍ଧ କରିବାକୁ ଇଚ୍ଛା କଲେ । ତାଙ୍କୁ କପିରାଜ ସୁଗ୍ରୀବ ବୋଧ ଦେଇ ସ୍ଥିର କଲେ । ଏଣେ ଇନ୍ଦ୍ରଜିତ ଲକ୍ଷ୍ମଣଙ୍କୁ ଶକ୍ତି ପ୍ରହାର କରିବା ଶୁଣି ରାମଙ୍କର କ୍ରୋଧ ବୃଦ୍ଧି ପ୍ରାପ୍ତ ହେଲା ।

 

୩୨ଶ ପଦ :- ନୀର-ଜଳ । ଘନ-ମେଘ । ବିଦିଶଦିଶ-ଦିଗ ଓ ବିଦିଗ । କୁଗ୍‌ଝଟୀ-କୁହୁଡ଼ି । ବୈରୀ-ଶତ୍ରୁ । ଶ୍ୱାବିତ-ଝୀଙ୍କ ପକ୍ଷୀ ।

 

୩୨ଶ ପଦ :- ରାମ କ୍ରୋଧାନିତ୍ୱ ହୋଇ ଯେତେ ଶର ପ୍ରହାରକଲେ, ମେଘ ସେତେ ଜଳ ବର୍ଷିବ ନାହିଁ । (ରାମଙ୍କର ଶରକ୍ଷେପଣ ବୃଷ୍ଟିଧାରା ସଂଖ୍ୟାଠାରୁ ବେଶୀ ହେଲା) । ସେ ଶରଦ୍ବାରା ତତ୍‌କ୍ଷଣାତ୍‌ ଚତୁର୍ଦ୍ଦିଗ ଏପରି ଅନ୍ଧକାର ହୋଇଗଲା ଯେ, କୁହୁଡ଼ି ମଧ୍ୟ ଦିଗବିଦିଗ ଏପରି ଆଚ୍ଛନ୍ନ କରିପାରିବ ନାହିଁ । ରାକ୍ଷସ ସୈନ୍ୟଯାକଙ୍କ ଦେହ ରାମଙ୍କ ଶରରେ ଏପରି ପୂର୍ଣ୍ଣ ହୋଇଗଲା ଯେ, ସେମାନେ ଝିଙ୍କ ପକ୍ଷୀ ପ୍ରାୟ ଦେଖାଗଲେ ।

 

୩୩ଶ ପଦ :- କବଚ-ସାଞ୍ଜୁ । ବିଦ୍ରାବଣ-ପଳାଇଯିବ । କଲ୍ୟାପ-ରାକ୍ଷସ । ଚରମେ-ପୃଷ୍ଠଦେଶରେ । ଧ୍ୱଜସ୍ତୋମ-ପତାକାସମୂହ । ବେପଥୁ-କମ୍ପନ ।

 

୩୩ଶ ପଦ :- ରାକ୍ଷସ ସୈନ୍ୟଙ୍କ ଦେହରେ ଥିବା ସାଞ୍ଜୁ ବାଣାଘାତରେ ଛିଣ୍ଡିଯିବାରୁ ସେମାନେ ରକ୍ତରେ ଜରଜର ହୋଇଗଲେ। (ସାଞ୍ଜୁ ଛିଣ୍ଡିଯିବାରୁ ଶର ତାଙ୍କ ହୃଦୟ ଭେଦ କରି ରକ୍ତ ବୁହାଇ ଦେଲା ) ତାଙ୍କ ପାଟିରୁ କଥା ବାହାରିଲା ନାହିଁ । ରାକ୍ଷସମାନେ ବିରକ୍ତ ହୋଇ ପଳାଇ ଯିବାରୁ ତାଙ୍କ ପୃଷ୍ଠଦେଶରୁ ବାଣ ବିଦ୍ଧ ହୋଇ ଆଘାତ ଦେଲା । ତାଙ୍କର ଶତ୍ରୁ ରାମଚନ୍ଦ୍ର ବାଣ ଦ୍ୱାରା ତାଙ୍କ ପତାକାସବୁ ଛିନ୍ନ କରି ପକାଇଲେ । ଭୟରେ ପୃଷ୍ଠଭଙ୍ଗ ଦେଇ ପଳାଉଥିବା ରାକ୍ଷସମାନେ ଥରିବାକୁ ଲାଗିଲେ।

 

୩୪ଶ ପଦ :- ଭଳକରେ-ଭେଳାରେ । ମେଳକ-ଏକତ୍ରିତ । ନିସ୍ତେଜ-ତେଜହୀନ । ବୃଶ୍ଚିକ-ବିଛା । କର୍କଟ-କଙ୍କଡ଼ା । ବ୍ୟୁହ-ସମୁହ । ବାସବାରି-ଇନ୍ଦ୍ରଜିତ ।

 

୩୪ଶ ପଦ :- ବଢ଼ିଥିବା ନଦୀଜଳରେ ତେଜୋହୀନ ହୋଇଥିବା ବିଛା ଓ କଙ୍କଡ଼ା ମେଳ ହୋଇ ଯେପରି ଭେଳା ସାହାଯ୍ୟରେ ଭାସିଗଲା ବେଳେ ଦେଖାଯାନ୍ତି; ସେହିପରି ରଥ ଉପରେ ବସିଥିବା ରାବଣ ଦେଖାଯାଉଅଛି । ଇନ୍ଦ୍ରଜିତ ଆଦି ବୀରମାନେ ରଥରେ ଥାଇ ବଗସମୂହ ଏକ ଦୃଷ୍ଟରେ ଚାହିଁ ରହିଲା ପ୍ରାୟ ଯୁଦ୍ଧକୁ ଚାହିଁ ଅଛନ୍ତି ।

 

୩୫ଶ:- ଭୟଦ-ଭୟପ୍ରଦ । ଘନେ-ସତ୍ୱରେ । ମନାସୁଁ-ମନରୁ ।

 

୩୫ଶ ପଦ :- ସେହି ସମୟରେ କପିସେନାମାନେ ଡାଳ ପଥର ପକାଇବାରୁ ଭୂତ ପ୍ରାୟ ଭୟପଦ ହେଲେ । ଅସୁର ସୈନ୍ୟଙ୍କୁ ଲଙ୍କାଗଡ଼ଦ୍ୱାର ବଳାଇ ଦେଇ ରାମଚନ୍ଦ୍ର ଫେରି ଶୀଘ୍ର ସୁବେଳ ପର୍ବତରେ ବିଜେ କଲେ ।ବୀରବର ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ପାଦରେ ନମସ୍କାର କଲେ । ତାଙ୍କୁ ଦେଖି ରାମଙ୍କ ମନରେ ଥିବା ଭୟର ଆଶଙ୍କା ଦୂର ହେଲା ।

 

ବୋଲନ୍ତି ଶ୍ରୀରାମ ଅଟନ୍ତି ଉତ୍ତମତୁଙ୍ଗତୁମୁଳେ ସେ ଦୁଇ ।

ବିଭୀଷଣ ତୋତେ ଯେ ଶକ୍ତି ମାଇଲା,ଲକ୍ଷ୍ମଣେ ଯେ ଶକ୍ତି ବିହି ହେ ।

ବୀର । ବଞ୍ଚାଇଲୁ ତୁ ଖଗପ୍ରକାର ହେ ।

ବାଜି ଅନୁଜ ମୋହମୋହରେ ହେ । ୩୬ ।

 

ବୋଇଲେ ଲକ୍ଷ୍ମଣ ଶୁଣି ତା ତତକ୍ଷ୍‌ଣ ପାଶୁଁପ୍ରହାର ଅଜାଗେ।

ବାଣସନ ଛୁଇଁ ନିୟମ କରୁଛି ତା-ସମର ମୋ ଭାଗେ ସେ ।

ବୀର । ବୋଲୁଁକୋପେ କମ୍ପେ କଳେବର ସେ ।

ବିଜେ ଯାଇ ଶିଖରିଶିଖର ସେ । ୩୭ ।

 

ବିରସେ ରଥୁ ଓହ୍ଲାଇ ସଭା କରି ବସି ରାବଣ ଭାଷିଲା ।

ବହୁତ କାଳ ବୃଦ୍ଧେ ଅଛ ଅଛ କି ଏଗୋଲଯୁଦ୍ଧ ଦେଖିଲା ଏ।

ବିଧି । ବେନି ଭ୍ରାତ ସମ ଧନ୍ୱୀଯୋଧୀ ଏ ।

ବଜବନ୍ତେ ଏକେ ଏକେ ସିଦ୍ଧି ଏ । ୩୮ ।

 

ବୋଲେ କି ଥିଲି ତ୍ରିପୁର ହର ରଣେ ବୋଲେକେ ତାରକ ହବେ ।

ବୋଲେ କେ ଥିଲି ଚଣ୍ଡୀଯୁଦ୍ଧେ ନୋହିଛି ଏଦ୍ୱନ୍ଦ୍ୱ ନୋହିବ କେବେହେ ।

ବୀର । ବୃଷଧ୍ୱଜ ବିଷ୍ଣୁ ଦୁର୍ଗାଙ୍କର ହେ ।

ବିନ୍ଧିବାକୁ କାହିଁଛି ସତ୍ୱର ହେ। ୩୯ ।

 

ବୃକ୍ଷଭଖଗେନ୍ଦ୍ର ସିଂହ ଐରାବତେ କପିଙ୍କ-ପ୍ରାକର୍ମ ନାହିଁ ।

ବୋଲୁଁ ଇନ୍ଦ୍ରଜିତ ବୋଇଲାଦଣ୍ଡେକ ନ ସହିଲକାହିଁ ପାଇଁ ମୁଁ।

ବଧି । ବୀର ସାନୁଜକୁ ଶକ୍ତି ସନ୍ଧି ମୁଁ ।

ବଡ଼ଯତିକି ଆଣନ୍ତି ବାନ୍ଧି ମୁଁ । ୪୦ ।

 

୩୬ଶ ପଦ :- ତୁଙ୍ଗ-ଉଚ୍ଚ । ତୁମୂଳ-ପ୍ରଗାଢ଼ । ଖଗପ୍ରକାର-ପକ୍ଷୀସଦୃଶ। ଅନୂଜ-ସାନଭାଇ । ମୋହ-ଅଚେତନ ।

 

୩୬ଶ ପଦ :- ଶ୍ରୀରାମ କହିଲେ, ‘‘ହେ ବିଭୀଷଣ । ତୁମ୍ଭଙ୍କୁ ଯେ ଶକ୍ତି ମାଇଲା, ଯେ ପରି ଲକ୍ଷ୍ମଣଙ୍କୁ ଶକ୍ତି ପ୍ରହାର କଲା, ସେ ଦୁଇଜଣ ଭୀଷଣ ରଣ କ୍ଷେତ୍ରରେ ପ୍ରଧାନ ଯୋଦ୍ଧା ଅଟନ୍ତି । ହେ ବୀର । ତୁମ୍ଭେ ପକ୍ଷୀ ପ୍ରାୟ ଶୂନ୍ୟକୁ ଉଡ଼ିଯାଇ ନିଜକୁ ରକ୍ଷାକଲେ । ମାତ୍ର ମୋହରସାନଭାଇ ଲକ୍ଷ୍ମଣ ଶକ୍ତିଘାତରେ ମୋହ ଗଲା ।’’

 

୩୭ଶ ପଦ :- ପାଶୁଁ-ପାର୍ଶ୍ୱଦେଶରୁ । ଅଜାଗେ-ଅସାବଧାନତାରେ । ବାଣାସନ- ଧନୁ । କଳେବର-ଦେହ । ଶିଖରିଶିଖର-ପର୍ବତଶୃଙ୍ଗ ।

 

୩୭ଶ ପଦ :- ତାହା ଶୁଣି ଲକ୍ଷ୍ମଣ ତତ୍‌କ୍ଷଣାତ୍‌ କହିଲେ, ‘‘ପାର୍ଶ୍ୱଦେଶରୁ ଶକ୍ତି ପ୍ରହାର କରିବାରୁ ଅସାବଧାନତା ହେତୁ ତାହା ନିବାରଣ କରି ହେଲାନାହିଁ । ଏବେ ଧନୁ ଛୁଇଁ ନିୟମ କରୁଛି, ତା ଯୁଦ୍ଧ ମୋ ଭାଗରେ ରହିଲା ।’’ ବୀର ଲକ୍ଷ୍ମଣ ଏହା କହିବା ବେଳେ କ୍ରୋଧହେତୁ ତାଙ୍କ ଶରୀର ଥରିବାକୁ ଲାଗିଲା । ସେଠାରୁ ସମସ୍ତେ ସୁବେଳ ପର୍ବତର ଶିଖରରେ ଥିବା ଛାଉଣୀକୁ ବିଜେ କଲେ ।

 

୩୮ଶ ପଦ :- ଭାସିଲା-କହିଲା । ଗୋଳଯୁଦ୍ଧ-ଭୟଙ୍କର ଯୁଦ୍ଧ । ବିଧି-ବିଧାନକାରୀ । ଧନ୍ୱୀ-ଧନୁର୍ଦ୍ଧର।

 

୩୮ଶ ପଦ :- ରାବଣ ବିରସ ମନରେ ରଥରୁ ଓହ୍ଲାଇ ସଭାକରି ବସି କହିଲା, ‘‘ଏଠାରେ ବହୁତ କାଳର ବୃଦ୍ଧଲୋକମାନେ ଅଛ, ତୁମ୍ଭମାନଙ୍କ ମଧ୍ୟରୁ କେହି ଏପରି ଭୟଙ୍କର ଯୁଦ୍ଧ କେବେ ଦେଖିଅଛ କି ? ରାମ ଲକ୍ଷ୍ମଣ ଦୁଇଭାଇ ସମାନ ଧନୁର୍ଦ୍ଧର ଓ ଯୋଦ୍ଧା ଅଟନ୍ତି । ଜଣେ ଜଣେ ବଳବନ୍ତ ପଣରେ ସିଦ୍ଧି ଲାଭ କରି ଅଛନ୍ତି ।’’

 

୩୯ଶ ପଦ :- ତ୍ରିପୁର ହର ରଣେ-ତ୍ରିପୁରାସୁର ଓ ଶିବଙ୍କର ଯୁଦ୍ଧରେ । ତାରକାହବେ-ତାରକାସୁର ଯୁଦ୍ଧରେ । ଦ୍ୱନ୍ଦ୍ୱ-କଳହ, ଯୁଦ୍ଧ । ବୃଷଧ୍ୱଜ-ଶିବ ।

 

୩୯ଶ ପଦ :- ରାବଣର ପ୍ରଶ୍ନ ଶୁଣି କେହି ବୃଦ୍ଧ କହିଲା, ‘‘ମୁଁ ଶିବ ଓ ତ୍ରିପୁରାସୁରଙ୍କ ଯୁଦ୍ଧ କାଳରେ ଥିଲି, କେହି କହିଲା; ମୁଁ କାର୍ତ୍ତିକେୟ ଓ ତାରକାସୁର ଯୁଦ୍ଧ ସମୟରେ ଥିଲି, କେହି କହିଲା, ମୁଁ କାର୍ତ୍ତିକେୟ ଓ ତାରକାସୁର ଯୁଦ୍ଧ ସମୟରେ ଥିଲି। କେହି କହିଲା, ମୁଁଚଣ୍ଡୀ ଓ ମହିଷାସୁର ଯୁଦ୍ଧ କାଳରେ ଥିଲି । ଏପରି ଯୁଦ୍ଧ କେବେ ହୋଇ ନାହିଁ କି ଭବିଷ୍ୟତରେ କେବେ ହେବ ନାହିଁ ।’’ ହେ ବୀର । ଏ ଦୁଇ ଭାଇ (ରାମ ଓ ଲକ୍ଷ୍ମଣ) ଯେପରି ଭାବରେ ଶର ବିନ୍ଧୁ ଅଛନ୍ତି, ସେପରି ଶୀଘ୍ର ଶର ନିକ୍ଷେପ କରିବା କ୍ଷମତା ମହାଦେବ, ବିଷ୍ଣୁ, ଦୁର୍ଗାଙ୍କର ମଧ୍ୟ ନାହିଁ ।’

 

୪୦ଶ ପଦ :- ବୃଷଭ-ଷଣ୍ଢ । ଖଗେନ୍ଦ୍ର-ଗରୁଡ଼ । ପ୍ରାକର୍ମ-ପରାକର୍ମ ବା ବଳ । ସାନୁଜକୁ-ସାନଭାଇକୁ । ଯତି-ତପସ୍ୱୀ।

 

୪୦ଶ ପଦ :- ‘‘ମହାଦେବ ବାହନ ବୃଷଭ; ବିଷ୍ଣୁ ବାହାନ ଗରୁଡ଼, ଦୁର୍ଗାଙ୍କ ବାହାନ ସିଂହ, ଇନ୍ଦ୍ର ବାହାନ ଐରାବତଗଜ ଏମାନଙ୍କଠାରେ ମଧ୍ୟ ସେ କପିସୈନ୍ୟମାନଙ୍କର ପରାକ୍ରମ ନାହିଁ ।’ ବୃଦ୍ଧମାନେ ଏପରି କହନ୍ତେ ଇନ୍ଦ୍ରଜିତ କହିଲେ, ‘‘ଦଣ୍ଡେ ମାତ୍ର କାହିଁ ପାଇଁ ସହ୍ୟକରି ନରହିଲ ? ମୁଁ ବୀର ଲକ୍ଷ୍ମଣକୁ ତ ଶକ୍ତି ମାରିଥିଲି, ଆଉ କ୍ଷଣେ ମାତ୍ର ରହିଥିଲେ ସମସ୍ତଙ୍କୁ ମାରି ବଡ଼ ଯତି ରାମକୁ ବାନ୍ଧି ଆଣି ଥାଆନ୍ତି ।’

 

ବାର୍ତ୍ତାବହେ ଆସି ଏ ସମୟେ ଭାଷି ଶକ୍ତି ଚର୍ମେ ନ ଫୁଟିଲା ।

ବାଜିବା ବେଗରେ ତେଜରେ ମାତ୍ରକ କ୍ଷଣେ ମୋଦି ହୋଇଥିଲା ସେ ।

ବୀର । ବାଟେ ଚେତନା ହୋଇଲା ତାର ସେ ।

ବଦି ପ୍ରତିଜ୍ଞା କଲା ଅପାର ସେ । ୪୧ ।

 

ବଇଶ୍ରବଣ ପୁତ୍ରମୁଖ ଚାହଁନ୍ତେ ବୋଇଲା କୃପାଣ କଷି ।

ବର୍ତ୍ତିବେ ନାହିଁ ଏଥର ରଣେ ଏକ ସହ ଶେଷକେଉ ନିଶି ହେ ।

ବିହେ !  ବୀରବର ଏ ରସସମୂହେ ।

ବୟାଳିଶ ପଦ ଚିତ୍ତ ମୋହେ ହେ । ୪୨ ।

 

୪୧ଶ ପଦ :- ବାର୍ତ୍ତାବହେ-ଦୂତମାନେ । ଭାଷି-କହି । ବଦି-ବୋଲି । ଅପାର-ଅସୀମ ।

 

୪୧ଶ ପଦ :- ଏହି ସମୟରେ ଗୋଟିଏ ଦୂତ ଆସି କହିଲା, ‘ଇନ୍ଦ୍ରଜିତ ମାରିଥିବା ଶକ୍ତି ଲକ୍ଷ୍ମଣଙ୍କ ଚର୍ମରେ ସୁଦ୍ଧା ଫୁଟି ନ ଥିଲା । ଶକ୍ତିବାଜିବାର ବେଗ ଓ ତାର ତେଜ ପ୍ରଭାବରେ ସେ କ୍ଷଣେ ମାତ୍ରକ ଯାହା ମୋହ ଯାଇଥିଲା । ସେ ବୀର ଲକ୍ଷ୍ମଣର ଫେରିଯିବା ବାଟରେ ଚେତନା ଆସିଲା । ସେ ବହୁତ ପ୍ରତିଜ୍ଞାମାନ କହି ଛାଉଣୀକୁ ଚାଲିଗଲା ।’

 

୪୨ଶ ପଦ:-ବଇଶ୍ରବଣ-ରାବଣ ।କୃପଣ-ଖଡ଼୍‌ଗ। ବର୍ତ୍ତିବେ- ବଞ୍ଚିବେ । ରଣେ-ଯୁଦ୍ଧରେ । ନିଶି-ରାତ୍ର । କଷି-ଝମକାଇ।

 

୪୨ଶ ପଦ:- ରାବଣ ଏହା ଶୁଣି ଇନ୍ଦ୍ରଜିତ୍‌ର ମୁଖକୁ ଚାହାଁନ୍ତେ, ସେ ଖଡ଼୍‌ଗ ଝମକାଇ କହିଲା, ‘‘ଏ ଥରର ଯୁଦ୍ଧରେ ଜଣେମାତ୍ର ବର୍ତ୍ତିବେ ନାହିଁ । ଆଜି ରାତ୍ର ଶେଷ ହେବା ପର୍ଯ୍ୟନ୍ତ ସମ୍ଭାଳିହୋଇ ରୁହ ।’’ ମନମୁଗ୍‌ଧକର ରସ ସମୁହ ଯୁକ୍ତ ଏ ଛାନ୍ଦ ବୟାଳିଶ ପଦରେ ବୀରବର ରଚନା କଲେ ।

 

ତ୍ରିଚତ୍ୱାରିଂଶ ଛାନ୍ଦ

ରାଗ – ଖଣ୍ଡକାମୋଦୀ

 

(ଯଦୁ ସିଂହ ଚଉତିଶା ବାଣୀରେ)

ବଳାରାତିଅରାତି ଜାଗରେ ସାରିରାତି ବଳାଉଁ ହୋମେ ମତି ଯେ ।

ବିପତ୍ତି ଉତ୍ପତ୍ତି ସେ ବମାନ ମାନବଶେ ଦେବଦଳନ ଖ୍ୟାତି ସେ ।

ବସି ତହିଁ । ବାହି ସୂତ ଚଞ୍ଚଳେ ଯେ ।

ବଇଜୟନ୍ତୀ ରମ୍ୟ ଦିଗଦହନ ନାମ ନଭେଲଭେ ପ୍ରଚଳେ ସେ । ୧ ।

 

ବାହାର ପଦ୍ମ ପଦ୍ମ ପଦ୍ମୀ ନୋହେଏ ଛଦ୍ମ ସ୍ୟନ୍ଦନ କୋଟିକୋଟି ଯେ ।

ବିଭ୍ରମେ ଖର୍ବ ଖର୍ବଅର୍ବବଇରି ଗର୍ବଖର୍ବରେ ପରକଟି ସେ।

ବାଦିତ୍ରକ । ବଳହିଁ ପନ୍ତି ପନ୍ତି ଯେ ।

ବସୁଦ୍ଧା ମେରୁ ସୁଦ୍ଧା କମ୍ପମାନ ବିଶୁଦ୍ଧଲେଖ ଅଲେଖ ପତ୍ତି ଯେ । ୨ ।

 

ବାହିନୀଏ ସୁସମ ସମସ୍ତେ ନାହିଁ ସମସମରେ ଏକୁ ଏକ ସେ ।

ବାଛି ବାଛି ନେଇଛି ରଣଜୟକୁ ଇଚ୍ଛି କିଛିହିଁ ନାହିଁ ଶଙ୍କ ଯେ ।

ବେଗେ ଯାଇ । ବହ୍ନିନନ୍ଦନଠଣା ସେ।

ବାଜୁ ବାଜଣା ଜଣା ସୁଗ୍ରୀବେ ରଣାଙ୍ଗଣାସ୍ଥିତ ହୋଇ ଅଗଣା ସେ ।୩।

 

ବିଜେ ଦୁଷଣଅରି ଭୀଷଣଗଣ ମାରିଲକ୍ଷ୍ମଣ ସହିତରେ ଯେ ।

ବାଣାସନ ଟଙ୍କାରେ ସେନାନୀ ରେକାରେ ଧ୍ରୁବମଣ୍ଡଳ ପୁରେ ଯେ ।

ବଡ଼କୋପୀ ! ବୃଷାରି ଭ୍ରାତ ମେଳ ଯେ ।

ବାଣତୁଷାର ବୃଷ୍ଟି କପିସାରସ ତୁଟି ସଞ୍ଚରଣ ଭୂସ୍ଥଳ ଯେ । ୪ ।

 

ବୃଷ୍ଟି ଗଦାମୁଦ୍‌ଗର ଭଲ୍ଲୁ ଶୁଳ ସଙ୍ଗର ନଗ ନଗରପାତ ଯେ ।

ବୋମୋପଥରେ ରଥ ଅଚଳ ମନୋରଥଥରେ ମିତ୍ରର ଗାତ୍ର ଯେ ।

ବସନ୍ତେ କି ବିରଚିତ ଚର୍ଚ୍ଚରୀ ଯେ ।

ବରରଙ୍ଗ ଅବି(ବୀ) ରେ ପିଚିକା କରିମାରେ ବିଳାସ ଲସ୍ୟ ଧରି ସେ । ୫ ।

 

୧ମ ପଦ :- ବଳାରାତି ଅରାତି-ଇନ୍ଦ୍ରଙ୍କର ଶତ୍ରୁ ଅର୍ଥାତ୍‌ଇନ୍ଦ୍ରଜିତ୍‌। ଜାଗରେ-ଉଜାଗରେ । ଉତ୍ପତ୍ତି-ବହିର୍ଗତ ।ମାନବଶେ-ମାନ ରକ୍ଷା ନିମିତ୍ତ । ଦେବତାଦଳନଖ୍ୟାତି-ବିଖ୍ୟାତ ଯାନବିଶେଷ। ସୁତ-ସାରଥି ।ବଇଜୟନ୍ତୀ -ପତାକା ।

 

୧ମ ପଦ :- ବିପଦ ପଡ଼ିବାରୁ ଇନ୍ଦ୍ରଜିତ୍ ଅଭିମାନ ବଶରେ ଉଜାଗର ହୋଇ ରାତି ପୁହାଇ, ପ୍ରତ୍ୟୁଷରୁ ହୋମ କରିବାକୁ ମନ ବଳାଇଲା । ସେ ହୋମକୁଣ୍ଡରୁଗରୁଡ଼ପ୍ରାୟଶୂନ୍ୟଗାମୀଦେବଦଳନ ନାମକ ବିଖ୍ୟାତ ରଥ ଉତ୍ପନ୍ନ ହେଲା । ଇନ୍ଦ୍ରଜିତ୍ ସେ ରଥର ବସିବାରୁ ସାରଥି ତାହା ଚଞ୍ଚଳ ଯୁଦ୍ଧକ୍ଷେତ୍ରକୁ ଚଳାଇ ନେଲା । ସେ ରଥରେ ଥିବା ସୁନ୍ଦର ଦିଗ୍‌ଦହନ ନାମକ ପତାକା ଆକାଶରେ ଉଡ଼ୁଥିଲା।

 

୨ୟ ପଦ :- ପଦ୍ମା-ହସ୍ତୀ । ଛଦ୍ମ-କପଟ । ସ୍ୟନ୍ଦନ-ରଥ। ବିଭ୍ରମେ - ଭ୍ରମଣ ।ଅର୍ବ-ଘୋଟକ। ବାଦିତ୍ରକ - ବାଦ୍ୟକାରୀ। ବଳ-ସୈନ୍ୟମାନେ । ବସୁଧା-ପୃଥିବୀ । ଅଲେଖ - ଅସଂଖ୍ୟ ।ପତ୍ତି-ପାଇକ ।ଶୁଦ୍ଧା-ପାଷାଣ ।

 

 

୨ୟ ପଦ :- ଯୁଦ୍ଧକୁ ପଦ୍ମସଂଖ୍ୟକ ହସ୍ତୀ ବାହାର ହେଲେ- ଏହା କପଟ କଥା ନୁହେଁ (ପ୍ରକୃତରେ ପଦ୍ମ ସଂଖ୍ୟକ ହସ୍ତୀ ବାହାରିଥିଲେ, ରଥ କୋଟିକୋଟି ସଂଖ୍ୟାରେ ବାହାରିଲେ, ଶତ୍ରୁମାନଙ୍କ ଗର୍ବକୁ ଖର୍ବ କରିବା ପାଇଁ ଖର୍ବ ସଂଖ୍ୟକ ଘୋଟକ ବିହାର ଛଳରେ ପ୍ରକଟିତ ହେଲେ, ଚତୁର୍ବିଧ ବାଦ୍ୟକର ମଧ୍ୟ ଧାଡ଼ି ଧାଡ଼ି ହୋଇ ଅଗ୍ରସର ହେଲେ । ଅଗଣନା ପଦାତିକ ସୈନ୍ୟ ଯାତ୍ରା କଲେ । ଏହାଙ୍କ ଅଭିଯାନ ଯୋଗୁଁ ପୃଥିବୀ ଓ ମେରୁ ପର୍ବତ ସହିତ ପାଷାଣ ସବୁ କମ୍ପମାନ ହେଲେ । (ଚତୁରଙ୍ଗ ବଳର ଭାର ସହିନ ପାରି ପୃଥ୍ୱୀ କମ୍ପିଲା, ହସ୍ତୀବଳ ବାହାରିବାରୁ ମେରୁ ଭୟ କଲା, କାଳେ ଏମାନେ ମୋତେ ଦନ୍ତାଘାତରେ ଚୂର୍ଣ୍ଣ କରିବେ । ଅଶ୍ୱଙ୍କର ଖୁରାଦ୍ୱାରା ଚୂର୍ଣ୍ଣ ପାଷାଣମାନେ ପ୍ରକମ୍ପିତ ହେଲେ) ।

 

୩ୟ ପଦ :- ବାହିନୀଏ - ସୈନ୍ୟମାନେ । ସୁସୁମ – ଉତ୍ତମରୂପେ, ସମାନ । ସମରେ- ଯୁଦ୍ଧରେ । ଶଙ୍କ-ଭୟ । ବହ୍ନିନନ୍ଦନ-ନୀଳସେନାପତି । ଅଗଣା-ଅସଂଖ୍ୟ । ଠଣା-ରହିବା ସ୍ଥାନ ।

 

୩ୟ ପଦ :- ସେହି ସୈନ୍ୟମାନ ସମସ୍ତେ ନିଜକୁ ନିଜେ ସମାନ ଅଟନ୍ତି । (ଆଉ ତାଙ୍କୁ ସମାନ ହେବାକୁ କେହି ନାହାଁନ୍ତି)। ଯୁଦ୍ଧରେ ଜଣକୁ ଜଣେ ବଳି ଅଦ୍ୱିତୀୟ ବୀର ଅଟନ୍ତି । ରଣ ଜୟ କରିବାକୁ ଇଚ୍ଛା କରି ବାଛି, ବାଛି ଇନ୍ଦ୍ରଜିତ ସେ ବୀରମାନଙ୍କୁ ସଙ୍ଗରେ ନେଇଛି । ତେଣୁ ସେ ନିର୍ଭୟରେ ଅତିଶୀଘ୍ର ଯାଇ ନୀଳ ସେନାପତିର ସୈନ୍ୟବୂହ ପାଖରେ ପହଞ୍ଚିଲା । ଅସଂଖ୍ୟ ବାଜା ବାଜିବାରୁ ସୁଗ୍ରୀବ ଜାଣି ପାରିଲେ ଯେ, ଅଗଣନ ସୈନ୍ୟ ଆସି ରଣ କ୍ଷେତ୍ରରେ ରୁଣ୍ଡ ହେଲେ ।

 

୪ର୍ଥ ପଦ :- ଦୂଷଣଅରି -ରାମଚନ୍ଦ୍ର । ଭୀଷଣଗଣମାରି - ରାକ୍ଷସମାନଙ୍କ ବିନାଶକାରୀ । ବାଣାସନ ଟଙ୍କାରେ-ଧନୁଷ୍ଟଙ୍କାର କରି । ସେନାନୀରେ - ସେନାପତି ବିଶେଷ । ପୁରେ-ପୂର୍ଣ୍ଣକରେ । ବାଣତୁଷାର-ତୁଷାର ତୁଲୁ ଶର । ବୃଷାରି-ଇନ୍ଦ୍ରଜିତ୍‌ । ସାରସ – ପଦ୍ମବନ ।

 

୪ର୍ଥ ପଦ :- ରାକ୍ଷସମୂହର ବିନାଶକାରୀ ଦୁଷଣ ରାକ୍ଷସ ଶତ୍ରୁ ରାମ ଲକ୍ଷ୍ମଣଙ୍କ ସହିତରେ ଯୁଦ୍ଧକୁ ବିଜେ କରି ଧନୁ ଟଙ୍କାର କରିବାରୁ ଏବଂ ସେନାପତିମାନେ ରେ ରେ କାର ଶବ୍ଦ କରିବାରୁ, ସେ ଶବ୍ଦ ଧ୍ରୁବଲୋକରେ ପୂର୍ଣ୍ଣହେଲା । ବଡ଼କୋପୀ ଇନ୍ଦ୍ରଜିତ୍‌ ନିଜର ଭାଇମାନଙ୍କ ସହିତ ମିଳିତ ହୋଇ ଶବ୍ଦରୂପ କାକର ବୃଷ୍ଟି କରିବାରୁ କପିରୂପ ପଦ୍ମବନ ବିନଷ୍ଟ ହୋଇ ରଣକ୍ଷେତ୍ରରେ ଶୋଇଲେ ।

 

୫ମ ପଦ :- ନଗ- ପର୍ବତ । ବ୍ୟୋମପଥରେ- ଆକାଶମାର୍ଗରେ । ମିତ୍ରରେ-ସୂର୍ଯ୍ୟର । ଗାତ୍ର - ଦେହ । ଚର୍ଚ୍ଚରୀ-ଚାଚେରୀ (ବସନ୍ତୋତ୍ସବ) । ବରବଙ୍ଗ - ଉତ୍କଷ୍ଟ ବର୍ଣ୍ଣ, ଶ୍ରେଷ୍ଠଯୁଦ୍ଧ । ଅବି(ବୀ)ରେ –ଫଗୁରେ,ରାମରୁପୀ ବିଷ୍ଣୁଙ୍କ ବୀରମାନେ । ବିଳାସ-କ୍ରୀଡ଼ାଚାତୁରୀ । ଲାସ୍ୟ-ନୃତ୍ୟ, କ୍ରୀଡ଼ା । ସଙ୍ଗର-ଯୁଦ୍ଧ । କରବୀରେ- କରବୀଫୁଲପରି, ରାକ୍ଷସମାନେ ।

 

୫ମ ପଦ :- ଯୁଦ୍ଧରେ ରାକ୍ଷସମାନଙ୍କ ଗଦା, ମୁଦ୍‌ଗର, ଭଲ୍ଲ, ଶୂଳ ପ୍ରଭୃତି ଅସ୍ତ୍ର ବୃଷ୍ଟି ହେଲା ଏବଂ ବାନରମାନଙ୍କ ପକ୍ଷରୁ ପର୍ବତ ଓ ବୃକ୍ଷମାନଙ୍କର ପତନ ହେଲା । ଅଟକ ଓ ମନବାଞ୍ଛା ପୂର୍ଣ୍ଣକାରୀ ଦେବଦଳନ ରଥ ଆକାଶମାର୍ଗରେ ଅବସ୍ଥାନ କରନ୍ତେ ସୂର୍ଯ୍ୟଙ୍କ ଦେହ ଥରିଲା । (ଦେବଦଳନ ରଥ ସୂର୍ଯ୍ୟଙ୍କ ଅପେକ୍ଷା ବେଶୀ ତେଜସ୍କର) । ଯୁଦ୍ଧ ଲାଗି ଯିବାରୁ ବସନ୍ତ କାଳରେ ଚାଚେରୀ ଖେଳର ଉତ୍ସବ ହେଲା ପ୍ରାୟ ବୋଧହେଲା । ବସନ୍ତ ଉତ୍ସବରେ ଯେପରି ଲୋକମାନେ କରବୀର ପୁଷ୍ପ ପ୍ରାୟ ମେଳ ମେଳହୋଇ ନୃତ୍ୟ ରସରେ ମତ୍ତ ଥାନ୍ତି ଓ ଫଗୁଦ୍ୱାରା ଶ୍ରେଷ୍ଠ ରଙ୍ଗରେ ରଞ୍ଜିତ ହୁଅନ୍ତି, ସେହିପରି ଯୁଦ୍ଧ କ୍ଷେତ୍ରରେ ଦୈତ୍ୟ ଓ ରାମଚନ୍ଦ୍ରଙ୍କ ସୈନ୍ୟମାନେ ( ଅ=ବିଷ୍ଣୁ; ଅବୀରେ=ବିଷ୍ଣୁଙ୍କ ବୀର ଅର୍ଥାତ୍‌ ରାମଚନ୍ଦ୍ରଙ୍କ ସୈନ୍ୟ) ମେଳ ହୋଇ କ୍ରୀଡ଼ାଚାତୁରୀ ଛଳରେ ମହାଯୁଦ୍ଧରେ ମତ୍ତ ହେଲେ ।

ବ୍ୟକତ କେତେ ଗାତ୍ର ରକତ ଅର୍ଦ୍ଧ ଗାତ୍ର ଜର୍ଜ୍ଜର ଅଶକତେ ଯେ ।

ବିଳାସ କୃକଲାସ ସଦୃଶ ବହି ଲାସ୍ୟ କୃତ୍ତଶିରଏମନ୍ତେ ଯେ ।

ବିଚ୍ଛେଦିତ । ବପୁ ମସ୍ତକ କେତେ ଯେ ।

ବିଧୁନ୍ତୁଦ କେତୁ କି ବିଧୂଗ୍ରାସରେ ତର୍କିଭ୍ରମେ ପ୍ରବର୍ତ୍ତ ନୃତ୍ୟେ ଯେ । ୬ ।

 

ବିହି ଭୁଜଙ୍ଗରୀତି ଭୁଜ ପଡ଼ୁଅଛନ୍ତି କ୍ଷତଜ ସରିତରେ ଯେ ।

ବିଶାଖା ତରୁପବି ଶବ ଶବଦ କରି ଢଳନ୍ତି ନିରନ୍ତରେ ସେ ।

ବ୍ୟାକୁଳେ କେ । ବିଖଣ୍ଡୁ ପଦ ପଡ଼ି ଯେ ।

ବିଲକ୍ଷ ଅଜଗରେ ପଡ଼େ ଭୂମିରାଗରେ ଜନେ ଗମନ୍ତି ମାଡ଼ି ଯେ । ୭ ।

 

ବେଳୁଁ ବେଳୁ ସେ ରଣ ଅଧିକ ପ୍ରସରଣ ପ୍ରଭାକିରଣ ହତ ଯେ ।

ବୀରଚନ୍ଦ୍ର ସେ ଇନ୍ଦ୍ରଜିତ ପ୍ରଭାତ ସାନ୍ଦ୍ର ଲକ୍ଷ୍ମଣ ଶରମାନ ସେ ।

ବିଭାବରୀ । ବିଭବଜ୍ୟୋତି ବଶ ଯେ ।

ବୋଲାଇ ସେହି ନିଶାଚର ମାୟାମନୀଷା ଘେନି ମହାତାମସ ଯେ । ୮ ।

 

ବନଧବ ଯୋଖର ଖର ଶର ନଖର ଯୂଥପତିଙ୍କି ଦଳି ସେ ।

ବିସ୍ୱର କଲା ଆଗ ବେଗେ ପ୍ଲବଗବର୍ଗ ଶରଦଛବି ଝଳି ଯେ ।

ବହି ଅକ୍ଷ । ବିନୋଦ ତଦୁତ୍ତାରେ ଯେ ।

ବପତିତ କାଠିକି ଧରିଦୃଢ଼ ମୃଷ୍ଟିକି ପ୍ରହାର ସାର ସାରେ ସେ । ୯ ।

 

ବିଧିବଶେ ଅସୁରସ୍ଥୁ (ଶୂ)ର ସଭାରେ ତାର ନାଗବରେ ତ୍ୱରିତ ସେ ।

ବେଢ଼ାଇ ରଣଅବଧି ମନ୍ଥନାଚଳେ ସିଦ୍ଧି ଯଶ - ପୀୟୁଷ ଜାତ ସେ ।

ବିଷଜନ୍ମ । ବିଧୁ କି ନ ଚିନ୍ତିଲା ସେ ।

ବେଭାରେ ଶିରୀବ୍ରୋହୀ ମଧୁ ମତ୍ତରେ ସ୍ନେହୀ ଢଳିବାର ଚାହିଁଲା ସେ । ୧୦ ।

 

୬ଷ୍ଠ ପଦ:- ବ୍ୟକତ-ପ୍ରକାଶିତ ।ଗାତ୍ର-ଦେହ ।କୃକଲାସ-ଏଣ୍ଡୁଅ ।ଲସ୍ୟ-ମନୋହରକ୍ରୀଡ଼ା।କୃତ୍ତଶିର - କବନ୍ଧ । ବପୁ - ଦେହ ।ବିଧୁନ୍ତୁତ - ରାହୁ । ବିଧୁଗ୍ରାସରେ - ଚନ୍ଦ୍ରକୁ ଗ୍ରାସ କରିବାରେ ।

 

୬ଷ୍ଠ ପଦ :- କେଉଁ ସୈନ୍ୟର ଦେହ ଫୁଟି ରକ୍ତ ପ୍ରକାଶିତ ହୋଇଅଛି। କାହାର ଅର୍ଦ୍ଧେକ ଶରୀର ରକ୍ତରେ ଜର୍ଜର ହେବାରୁ ସେ ଅକ୍ଷମ ହୋଇପଡ଼ିଛି। କବନ୍ଧଏଣ୍ଡୁଅ ସମାନ କ୍ରୀଡ଼ାଚାତୁରିକି ବହନ କରିଅଛି । (ଏଣ୍ଡୁଅପରି କବନ୍ଧ ନୃତ୍ୟ କରୁଅଛି) । କେତେକ ସୈନ୍ୟଙ୍କର ଗଣ୍ଡି ଓ ମୁଣ୍ଡ ବିଚ୍ଛେଦିତ ହେବାରୁ ସେମାନେ ରାହୁ ଓ କେତୁ ପ୍ରାୟ ପ୍ରତୀୟମାନ ହେଉ ଅଛନ୍ତି । ରାମଚନ୍ଦ୍ରଙ୍କୁ ଚନ୍ଦ୍ର ମନେ କରି ଏହି କବନ୍ଧରୂପ ରାହୁ କେତୁ ତାଙ୍କୁ ଗ୍ରାସ କରିବାକୁ ନୃତ୍ୟରେ ମତ୍ତହୋଇ ଭ୍ରମୁ ଅଛନ୍ତି କି ? ଏହି ଯୁକ୍ତି ମନରେ ଆସେ ।

 

୭ମ ପଦ :- ଭୁଜଙ୍ଗ ରୀତି - ସର୍ପର ପ୍ରକୃତି । କ୍ଷତଜ-ରକ୍ତ । ସରିତରେ - ନଦୀରେ । ବିଶାଖା- ଶାଖାବିହୀନ। ନିରନ୍ତର- ସର୍ବଦା । ବିଖୁଣ୍ଡୁ - ଖଣ୍ଡ ଖଣ୍ଡ। ବିଲକ୍ଷ- ବିଶେଷ ଲକ୍ଷ୍ୟ ।

 

୭ମ ପଦ :- ହସ୍ତସବୁଛିଡ଼ି ସାରି ସର୍ପପ୍ରାୟ ହୋଇର କ୍ତନଦୀରେ ଗଡ଼ୁଅଛନ୍ତି । ଲଣ୍ଡାଗଛ ପରି ଶବସବୁ ଭୟଙ୍କର ଶବ୍ଦ କରି ସର୍ବଦା ଢଳି ପଡ଼ୁଅଛନ୍ତି । କେଉଁ ଲୋକର ପାଦ ବିଚ୍ଛିନ୍ନ ହେବାରୁ ସେ ଭୂମିରେ ଅଜଗର ପ୍ରାୟ ପଡ଼ି ବ୍ୟାକୁଳ ହେଉଅଛି, ତାକୁ ଦଳି ଦେଇ ସୈନ୍ୟମାନେ ଚାଲି ଯାଉଅଛନ୍ତି ।

 

୮ମ ପଦ :- ରଣ- ଯୁଦ୍ଧ । ପ୍ରସାରଣ- ପ୍ରସାର, ବୃଦ୍ଧି। ପ୍ରଭାକିରଣ- ତେଜକିରଣ । ହତ-ବିନାଶ । ବିଭାବରୀ-ରାତ୍ରୀ। ନିଶାଚର - ରାକ୍ଷସ । ମାୟା ମନୀଷି-ମାୟାବୃଦ୍ଧ। ତାମସା-ଅନ୍ଧକାର ।

 

୮ମ ପଦ :- ବେଳକୁ ବେଳ ସେ ଯୁଦ୍ଧ ଭୟଙ୍କର ଭାବରେ ବୃଦ୍ଧି ପାଇବାକୁ ଲାଗିଲା । ଲକ୍ଷ୍ମଣଙ୍କ ଦ୍ୱାରା ନିକ୍ଷିପ୍ତ ନିବିଡ଼ ଶରସମୂହ ପ୍ରଭାତ କାଳ ସଦୃଶ ହୋଇବୀର ଚନ୍ଦ୍ର ଇନ୍ଦ୍ରଜିତର ତେଜକୁ ହୀନପ୍ରଭ କରିଦେଲା । ତେଣୁ ଇନ୍ଦ୍ରଜିତ୍ ଅନ୍ଧକାର ଜ୍ୟୋତିରେ ବଶ ହେଲା । ସେ ତ ପୁଣି ‘ନିଶାଚର’ ରାକ୍ଷସ କ୍ରୋଧରେ ମାୟା ବୁଦ୍ଧି ପ୍ରକାଶ କରି ମହାନ୍ଧକାର କରିଦେଲା । (ଲକ୍ଷ୍ମଣଙ୍କ ଶରଘାତରେ ଇନ୍ଦ୍ରଜିତ ବ୍ୟତିବ୍ୟସ୍ତ ହୋଇ ଉପାୟ ନ ଦେଖି ମାୟାଯୁଦ୍ଧ ଆରମ୍ଭ କଲା ଓ ମାୟାରେ ଯୁଦ୍ଧକ୍ଷେତ୍ର ଅନ୍ଧକାରାଚ୍ଛନ୍ନ କରି ପକାଇଲା) ।

 

୯ମ ପଦ :- ବନଧବ-ସିଂହ । ଯୋଖ-ସମାନ । ଖର-ଶୀଘ୍ର । ବିସ୍ତାର-ନୀରବ ବା ନିଃଶବ୍ଦ । ପ୍ଳବଗବର୍ଗ-ବେଙ୍ଗସମୂହ, ମର୍କଟସମୂହ । ଅକ୍ଷବିନୋଦ-ପଶାଖେଳ । ସାର-ପଶାଗୋଟି । ନଖର-ନଖ । ଯୁଥପତି -ହସ୍ତୀ ।

 

୯ମ ପଦ :- ସଂହରୁପ ଇନ୍ଦ୍ରଜିତ୍‌ ନଖ ସମ ତାର ତୀକ୍ଷ୍‌ଣ ଶବ୍ଦଦ୍ୱାରା ହସ୍ତୀରୂପ କପିସେନାମାନଙ୍କୁ ବିଦାରି ପକାଇଲା । ପୁଣି ସେ ଇନ୍ଦ୍ରଜିତ୍‌ ଶରତ କାଳର ଶୋଭାପ୍ରାୟ ଦେଖାଗଲା । ଶରତକାଳ ପ୍ରଥମେ ଭେକମାନଙ୍କର ପୁରକୁ ଭଙ୍ଗକରେ। (ବର୍ଷାଦିନେ ଭେକସ୍ୱର କରୁଥାନ୍ତି । ଶରତ୍‌ ଆସିଲେ ସେମାନଙ୍କର ସ୍ୱର ବନ୍ଦ ହୁଏ ) ସେହିପରି ଇନ୍ଦ୍ରଜିତ୍‌ ମର୍କଟଥାଟକୁ ପ୍ରଥମେ ମୂକ କରାଇଦେଲା । ଇନ୍ଦ୍ରଜିତ୍ରର ଅଦ୍ଭୁତ ରଣ ଦେଖି ଭୟରେ ମର୍କଟମାନେ ମୂକ ହୋଇଗଲେ) । ତତ୍‌ପରେ ପଶାଖେଳରେ ବିଧାନକୁ ଧାରଣ କଲା, ଅର୍ଥାତ୍‌ ପଶାଖେଳରେ ଦୃଢ଼ମୁଷ୍ଟିରେ ଧରିଥିବା ପଶାକାଠିକୁ ପକାଇ ସାରକୁ ସାରରେ ପ୍ରହାର କରି ସାରକୁ ମାରନ୍ତି ସେହିପରି ଇନ୍ଦ୍ରଜିତ୍‌ ଧନୁକୁ ଦୃଢ଼ ମୁଷ୍ଟିରେ ଧରି କାଠି ସଂଖ୍ୟକ ସୈନ୍ୟଙ୍କୁ ଭୂତଳଶାୟୀ କରାଇଲେ ଏବଂ ଶ୍ରେଷ୍ଠ ଶ୍ରେଷ୍ଠ କପିମାନଙ୍କୁ ବାଛି ବିନାଶ କଲା (ଅଥବା-‘ସାରେସାର’ ଅତି ଶ୍ରେଷ୍ଠ ଶରସବୁ ବାଛି କପିଙ୍କ ଉପରକୁ ପ୍ରହାର କଲା) ।

 

୧୦ମ ପଦ :- ନାଗବରେ – ନାଗପାଶରେ ବାସୁକି । ରଣଅବିଧି - ଯୁଦ୍ଧକ୍ଷେତ୍ରରୂପ ସମୁଦ୍ର । ମନ୍ଥନାଚଳ – ମନ୍ଥନ ଦଣ୍ଡରୂପ ପର୍ବତ ।ପୀୟୁଷ - ଅମୃତ । ବିଧୁ - ବିଷ୍ଣୁ । ଶିରୀଦ୍ରୋହୀ - ଲକ୍ଷ୍ମୀଙ୍କର ଶତ୍ରୁ । ମଧୁମତ୍ତରେ-ଦୈତ୍ୟବିଶେଷ, ମଦ୍ୟପାନଦ୍ୱାରା ମତ୍ତ ହୋଇ । ଅସୁରଶୁର ସଭା- ଅସୁର ବୀରସମୂହ । ଅସୁରଶୂରସଭା-ଅସୁର ଦେବସମୂହ ।

 

୧୦ମ ପଦ :- ଦୈବବଶରେ ‘ଅସୁରଶୁରପରି, ଅସୁରବୀରସମୂହ ‘ଅସୁରସୁରସଭା, ଅସୁର ଦେବତାମାନଙ୍କ ପରି ହେଲେ । ଇନ୍ଦ୍ରଜିତ୍‌ର ନାଗପାଶ ଶରରୂପ ବାସୁକିକୁ ରାମଲକ୍ଷ୍ମଣରୂପ ମନ୍ଦର ପର୍ବତର ଚୌପାଶରେ ଗୁଡ଼ାଇ ଅତିଶୀଘ୍ର ରଣଭୂମି ରୂପ ସମୁଦ୍ରକୁ ମନ୍ଥନ କରି ଯଶରୂପ ଅମୃତଜାତ କରାଇଲା । ସେ ନାଗଫାଶ ରାମଲକ୍ଷ୍ମଣଙ୍କୁ ବିଷ୍ଣୁ ବୋଲି ଚିହ୍ନି ନ ପାରି ବିଷ ଉଦ୍‌ଗାରିଲା। ଇନ୍ଦ୍ରଜିତ୍‌ ମଦ୍ୟପାନ ହେତୁ ମତ୍ତହୋଇ ମଧୁଦୈତ୍ୟ ଗର୍ବକୁ ବହି ଲକ୍ଷ୍ମୀରୂପା ସୀତାଙ୍କଠାରେ ଦ୍ରୋହ ଆଚରଣ ପୂର୍ବକ ଢଳି ପଡ଼ୁଥିବା ରାମ ଲକ୍ଷ୍ମଣକୁ ଚାହିଁ ରହିଲା । (ଇନ୍ଦ୍ରଜିତ୍‌ ନାଗପାଶ ଶର ନିକ୍ଷେପ କରିବାରୁ ରାମ ଲକ୍ଷ୍ମଣ ବନ୍ଧନରେ ପଡ଼ି ଢଲିଲେ । ରଣକ୍ଷେତ୍ର ଶୋକ ଓ ଆନନ୍ଦରେ ଉଦ୍‌ବେଳିତ ହେବାକୁ ଲାଗିଲା । କପିମାନେ ଶୋକରେ ବିହ୍ୱଳ ହେଲେ ଓ ଅସୁରମାନେ ଯଶ ଲାଭ ହେତୁ ଉନ୍ମୁତ୍ତ ହେଲେ) ।     

 

ବଜାଇ କମ୍ବୁବର ବାହୁଡ଼େ ତରତର ତର ଳଚିତ୍ତୁଁନାଶି ସେ ।

ବିଧାନ ସଭାପରି କହିବାରେ କୁମରପାମର ଶୁଣି ହସି ସେ ।

ବିଂଶପାଣି । ବଚନକୁ ରଚିଲା ସେ ।

ବରେ ଅମରଣରଣରେ କେହି ସତ୍ୱର ପିତୃବ୍ୟ ତୋରହେଲା ଯେ । ୧୧ ।

 

ବୋଧହୋଏ ଏ ସିଦ୍ଧ ଧରି ବଧିଲେ ସିଦ୍ଧ ବୋଧ ଦେଇଣ ଗତ ସେ ।

ବୋଲେ ଡାକି ତ୍ରିଜଟା ବିନାଶହେଲା ଜଟାଧାରୀ ଜଟାୟମତ ସେ ।

ବିମାନରେ । ବୈଦେହୀ ନେଇ ଦେଖା ଯେ ।

ବିଶାଖାମତି ମୁହିଁ ନ ଭାଳୁଁ କହ ମୁହିଁଶିଖା ଜଳେ ମୋ ଶିକ୍ଷା ଯେ । ୧୨ ।

 

ବାରତରଣ ମୁଖ ନିରତା ମ୍ଳାନମୁଖ ନୀର ତା ନେତ୍ରୁଁ ବହେ ଯେ ।

ବିଜେ ପୁଷ୍ପକଯାନ ଜାନକୀ ଛନ୍ନମନ ଗମନ ନଭେ ଶୋହେ ଯେ ।

ବିମାନର ! ବିବେକ ତ ଏମାନ ଯେ ।

ବହୁଥିଲି ଦୁସ୍କୃତି ଆଜଠାରୁ ନିସ୍କୃତି ସୁକୃତି ଉତପନ୍ନ ଯେ ।୧୩।

 

ବିଶେଷ କପି ଦୃଶ୍ୟ ଶେଷରେ ନୋହେ ଶେଷ ନ ଦିଶେ ମହୀପର ଯେ ।

ବୈଦେହୀ ଚାହିଁ ଭାଳି କାହିଁ ଥିଲେ ସମ୍ଭାଳି ଅମ୍ଭାଳି ପ୍ରଳୟର ସେ ।

ବୁଦ୍ଧିହୀନ । ବିଲୋକନେ ଦିଶନ୍ତି ସେ ।

ବିନାଶିବେ ଏ ରକ୍ଷ ସୃଷ୍ଟିକି ନାହିଁ ରକ୍ଷ ଉଠୁ ଅଛନ୍ତି ଚେତି ଯେ । ୧୪ ।

 

ବର ଦେବର ପର ପରମା ସାଧବୀର ଲୋଚନପାତ ହୋଇ ଯେ ।

ବିଜ୍ଞ ବିଜ୍ଞାନୀ ହେଲେ ଉଚ୍ଚଧ୍ୱନିକି କଲେ ଅଶ୍ରୁଧାର ବୁହାଇ ଯେ ।

ବିଭୁବିଭୁ ।  ବିଭୁତି ବିବର୍ଦ୍ଧନ ହେ ।

ବିଳେଶୟଶୟନ ହେ ରାଜୀବନୟନ ଦର୍ଶନରେ ପ୍ରସନ୍ନ ହେ । ୧୫ ।

 

୧୧ଶ ପଦ :- କମ୍ବୁବର - ଉତ୍କୃଷ୍ଟ ଶଙ୍ଖ । ପାମର-ମୂଢ଼।

 

୧୨ଶ ପଦ :- ସିଦ୍ଧ-ଯୋଗୀ, ପ୍ରସିଦ୍ଧ । ବିଶାଖାପତି ମୁହଁ-ଚନ୍ଦ୍ରମୁଖୀ । ଶିଖା-କିରୀଟ । ଶିଖା-ଅଗ୍ନି, ଶିକ୍ଷାଦେବ ।

 

୧୧ଶ ପଦ :- ରାମ ଲକ୍ଷ୍ମଣ ବନ୍ଧନରେ ପଡ଼ିବାର ଦେଖି ଆଉ ସମସ୍ତେ ମଲେଣି, ଏହାଭାବି ଇନ୍ଦ୍ରଜିତ୍ ଜୟଶଙ୍ଖ ବଜାଇ ମନ ଚଞ୍ଚଳତା ତ୍ୟାଗକରି ଅତିଶୀଘ୍ର ରଣକ୍ଷେତ୍ରରୁ ଫେରିଗଲା । ସେ ଯାଇ ରାଜସଭାରେ ଯୁଦ୍ଧର ବାର୍ତ୍ତାମାନ କହିବାରୁ ଦୁଷ୍ଟ ରାବଣ ସମସ୍ତ ବିନାଶ ହେବାର ଶୁଣି ହସିଲା । ପୁଣି ଇନ୍ଦ୍ରଜିତ୍‌କୁ କହିଲା, ‘‘ତୋର ପିତୃବ୍ୟ ବିଭୀଷଣ ବ୍ରହ୍ମାଙ୍କ ବରଯୋଗୁଁ ତ ଅମର ହୋଇଥିଲା ସେ କିପରି ମୃତ୍ୟୁ ମୁଖରେ ପଡ଼ିଲା’’ ?

 

୧୨ଶ ପଦ :- ରାବଣର ପ୍ରଶ୍ନ ଶୁଣି ଇଦ୍ରଜିତ୍ ଉତ୍ତର ଦେଲା, ‘‘ସିଦ୍ଧପୁରୁଷଙ୍କୁ ବଳ ପୂର୍ବକ ଧରି ବିନାଶ କଲେ ସେମାନେ ମୃତ୍ୟୁ ଲଭିବେ ଏ କଥା ସମସ୍ତେ ଜାଣନ୍ତି ।’’ ଏହିପରି ବୋଧଦେଇ ଇନ୍ଦ୍ରଜିତ୍‌ ସେଠାରୁ ଅନ୍ତଃପୁର ଗଲା । ରାବଣ ତ୍ରିଜଟା ଅସୁରୁଣୀକୁ ଡାକି କହିଲା, ‘‘ଜଟାଧାରୀ ରାମ ଲକ୍ଷ୍ମଣ ଜଟାୟୁ ପକ୍ଷୀପରି ବିନାଶ ହେଲେ, ସୀତାକୁ ବିମାନରେ ନେଇ ତାହାଙ୍କୁ ଦେଖାଇ ଆଣ ଆଉ ମଧ୍ୟ ସେ ଚନ୍ଦ୍ରମୁଖୀ ସୀତାଙ୍କୁ ଶିକ୍ଷା ଦେବୁ ଯେ, ମୁଁ ତ ତାହାର ପତି ଅଛି, ମୋର ତେଜ ସମସ୍ତଙ୍କ ଉପରେ ଶ୍ରେଷ୍ଠ, ତେଣୁ ସେ ରାମ ଲକ୍ଷ୍ମଣଙ୍କ ମୃତ୍ୟୁରେ ଭାବନା କରିବ କାହିଁକି ?’’

 

୧୩ଶ ପଦ :- ବାରତାରୁଣ- (ବାରତା+ଅରୁଣ) ବାର୍ତ୍ତା, ଖବର ରକ୍ତବର୍ଣ୍ଣ । ମୁଖ -ପ୍ରଥମ ।ନିରତା – ଅନୁରକ୍ତା । ମୁଖନୀର-ଲୋତକ। ନଭେ-ଆକାଶରେ ।ଶୋଭେ-ଶୋଭିପାଏ। ବିବେକ-ବିଚାର । ଦୁସ୍କୃତ-ପାପୀ ।ନିସ୍କୃତ-ଉଦ୍ଧାର, ମୁକ୍ତି । ସୁକୃତି- ସୌଭାଗ୍ୟ ।

 

୧୩ଶ ପଦ :- (ତ୍ରିଜଟା ଯାଇ ରାବଣର କଥାଯାକ ସୀତାଙ୍କୁ କହିବାରୁ ସୀତାଙ୍କ ସର୍ବଦା ଅମ୍ଳାନ ମୁଖ ରଙ୍ଗବର୍ଣ୍ଣ ଦେଖାଗଲା, ପୁଣି ନୟନରୁ ଲୋତକ ବହିବାକୁ ଲାଗିଲା । ସେ ବିକଳ ମନରେ ପୁଷ୍ପକ ଯାନରେ ଯାଇ ବସିବାରୁ ପୁଷ୍ପକ ଯାନ ଆକାଶମାର୍ଗରେ ଉଡ଼ି ଶୋଭାପାଇଲା । ସେ କେତେବେଳେ ସେ ବିମାନ ବିଚାର କଲା, ‘ମୁଁ ଆଜିଯାଏ ରାକ୍ଷସକୁ ବହି ପାପ ଅର୍ଜିଥିଲି, ଆଜି ସୀତାଙ୍କୁ ବହନ କରିବାରୁ ନିର୍ମଳ(ପାପଶୂନ୍ୟ) ହେଲି, ମୋହର ପୁଣ୍ୟ ଆଜିଠାରୁ ଜାତ ହେଲା ।’

 

୧୪ଶ ପଦ :- ଶେଷରେ-ଶେଷଦେବଙ୍କଦ୍ୱାରା । ମହାପର-ପୃଥିବୀପୃଷ୍ଠରେ । ଅମ୍ଭାଳି-ଜଳସମୂହ। ରକ୍ଷସୃଷ୍ଟି - ରାକ୍ଷସ ବଂଶ । ରକ୍ଷ-ରକ୍ଷ ବା ଉଦ୍ଧାର ।

 

୧୪ଶ ପଦ :- ପୁଷ୍ପକ ଯାନରେ ରହି ସୀତା ରଣକ୍ଷେତ୍ରକୁ ଯାଇ ପ୍ରଥମେ ଦେଖିଲେ ଯେ, ଅନନ୍ତଙ୍କ ଦ୍ୱାରା କେହି ଶେଷ କରି ନ ଦେବାଭଳି ଅସଂଖ୍ୟ କପି ମହୀରେ ପଡ଼ିଥିବାରୁ ଭୂମିତଳ ଦେଖାଯାଉ ନାହିଁ । ବୈଦେହୀ ତାଙ୍କୁ ଚାହିଁ ଭାବିଲେ, ସମୁଦ୍ର ଜଳପ୍ରାୟ ଏହି କପିସୈନ୍ୟ କେଉଁଠାରେ ସମ୍ଭାଳି ହୋଇ ରହିଥିଲେ ? ଏହାଙ୍କୁ ଦେଖିଲେ ବୁଦ୍ଧି ପାଉନାହିଁ । ଯେପରି ଦେଖାଯାଉଛି, ରାକ୍ଷସ ବଂଶକୁ ବିନାଶ କରିବାକୁ ଏହାଙ୍କ ବ୍ୟତୀତ ଆଉ କେହି ନାହାନ୍ତି ।’ ସେହି ସମୟରେ ଭଲ୍ଲୁକ ସେନାମାନେ କ୍ରମେ କ୍ରମେ ଚେତନା ପାଇ ଉଠୁଥିବାର ସେ ଦେଖିଲେ ।

 

୧୫ଶ ପଦ :- ବିଜ୍ଞା-ପଣ୍ଡିତା ବା ବିବେକବତୀ । ବିଜ୍ଞାନ-ମୂର୍ଖ, ବିବେକହୀନା । ବିଭୁତି-ସମ୍ପତ୍ତି । ବିଳେଶୟନ-ସର୍ପଶୟନ । ରାଜୀବନୟନ-ପଦ୍ମନେତ୍ର ।

 

୧୫ଶ ପଦ :- ତତ୍ପରେ ମହାସତୀ ସୀତାଙ୍କର ରାମଲକ୍ଷ୍ମଣଙ୍କ ଉପରେ ଦୃଷ୍ଟି ପଡ଼ିଲା । ରାମଲକ୍ଷ୍ମଣ ବନ୍ଧନରେ ପଡ଼ିଥିବାର ଦେଖି ବୁଦ୍ଧିମତୀ ସୀତା ଜ୍ଞାନଶୂନ୍ୟ ହେଲେ । ନେତ୍ରରୁ ଲୋତକଧାରା ବୁହାଇ କାନ୍ଦି କାନ୍ଦି କହିଲେ, ‘‘ହେ ପ୍ରଭୋ ! ତୁମ୍ଭେ ମହାପ୍ରଭୁଙ୍କ ଅଷ୍ଟୈଶ୍ୱର୍ଯ୍ୟକୁ ବିଶେଷ ଭାବରେ ବଢ଼ାଇପାର। ହେ ପଦ୍ମଲୋଚନ ! କ୍ଷୀର ସିନ୍ଧୁର ସର୍ପଶୟନରେ ପ୍ରସନ୍ନ ହୋଇ ଏ ରୀତି ବହନ କରିଅଛ ?’’

 

ବିଭୂଷଣ ସେ ସର୍ପ ଯେହୁ କନ୍ଦର୍ପଦର୍ପ ଦଳନ କି ଆଶ୍ଚର୍ଯ୍ୟ ହେ ।

ବାଦୀ ଦେବରିପୁରେ ସ୍ଥିତି ନିର୍ଜ୍ଜନପୁରେ ପ୍ରାୟେ ତ ନିଦ୍ରା ଭଜ ହେ ।

ବାଣୀ ଶୁଣି । ବିଚାରେ ରଘୁମଣି ସେ ।

ବୀଣା କି ନାରଦର କେଳିପ୍ରବୀଣ ସ୍ୱର ଶୁଭୁଛି ପୁଣି ପୁଣି ଯେ । ୧୬ ।

 

ବୋଧେ ରହସ୍ୟମୟ ବଚନେ ଏସମୟ ସମର୍ପା ମଇଥିଳୀ ଯେ ।

ବିରହତୋହ ବଂଶେ ଜନ୍ମି ବୀର ବିରସେ ସାରସନାଳେ ଢଳି ସେ ।

ବୁଦ୍ଧି ଏହି ।  ବ୍ୟାଧିକ ବ୍ୟାଜ ପରି ଯେ ।

ବିଚେତନ ପତନ ଯୋଧା ଚେତୁଁ ପତ୍ତନ ବାହୁଡ଼ାକୁ ଆଦରି ସେ । ୧୭ ।

 

ବିଶ୍ୱରଞ୍ଜନ ପାଶେ ଯାଉଁ ଦେଖିଲେ ପାଶେ ବନ୍ଧନ ହୋଇଛନ୍ତି ଯେ ।

ବ୍ୟଥିତ ଅବଧିରେ ଅକଥିତ ଯଥା ସ୍ଥିତ ନୀରଜ ପନ୍ତି ପନ୍ତି ଯେ ।

ବିସ୍ମୟରେ l  ବିଭୀଷଣ ପଚାରେ ସେ ।

ବିନାୟକପୂଜନ ହେଲେ ଏ ବେନିଜନ ସ୍ମରୁ ଆସିବ ଖରେ ଯେ । ୧୮ ।

 

ବିସ୍ତାରି କରି କହି ତାରକ ଆନ ନାହିଁ ତାରକ୍ଷର ବିହୀନ ଯେ ।

ବିନୟ ଲୟ ତହିଁ ନୟନ ବୁଜି ଦେଇରାମ ଜାଣି ବିଇନ ଯେ ।

ବାହରିଲା । ବିଭୁଦର୍ଶନ ମୋଦେ ଯେ ।

ବିସ୍ତାର ପକ୍ଷ ପକ୍ଷପାତେ ଧବଳପକ୍ଷ ପୂର୍ଣ୍ଣଚନ୍ଦ୍ର କି ଉଦେ ଯେ । ୧୯ ।

 

ବାହାରେ ଗନ୍ଧବାହା ବାହାରେ ସର୍ବସହାଧରମାନେ କମ୍ପିଲେ ଯେ ।

ବଜ୍ର ଚଞ୍ଚୁରେ ଚୂରେ ନ ପୁଣ ଅଗ୍ରଚୁରେ ଶଙ୍କା ଜନମି ଗଲେ ଯେ ।

ବ୍ୟାଜପାଶ ।  ବେଗେ ତ୍ରାସେ ପଳାଇ ଯେ ।

ବିଳେ ପଶି ପାତାଳେ ମିଳେ ନାଗଙ୍କ ମେଳେ ରାଜେ ତର୍ଜନା ପାଇ ଯେ । ୨୦ ।

 

୧୬ଶ ପଦ୍ମ- ବିଭୂଷଣ-ବିଶେଷଭାବରେ ଭୂଷିତ । କନ୍ଦର୍ପଦର୍ପ ଦଳନ-କନ୍ଦର୍ପର ଗର୍ବଖର୍ବକାରୀ । ବାଦୀ-ବିଦ୍ରୋହୀ । ଦେବରିପୁ-ଦେବତାମାନଙ୍କର ଶତ୍ରୁ(ରାବଣ) ।

 

୧୬ଶ ପଦ :- ‘‘ତୁମ୍ଭେ କାମଗର୍ବ ହରଣକାରୀ (କନ୍ଦର୍ପ ଅପେକ୍ଷା ଅଧିକ ସୁନ୍ଦର) ତେଣୁ ସର୍ପହରା ଭୂଷିତ ହେବାରେ ଆଶ୍ଚର୍ଯ୍ୟ କଣ ଅଛି ? (କାମଗର୍ବ ହରଣକାରୀ ମହାଦେବ ସର୍ପଭୂଷିତ ଅଟନ୍ତି) । ମହାଦେବ ଯେପରି କାମଦର୍ପହାରୀ, ସର୍ପ ବିଭୂଷଣ, ଅସୁରଙ୍କର ଶତ୍ରୁ ଓ ନିର୍ଜ୍ଜନ ପୁର ଅବସ୍ଥାନକାରୀ ଅଟନ୍ତି, ସେହିପରି ତୁମ୍ଭେ ଶରୀରର ଲାବଣ୍ୟ ହାରା କାମ ଗର୍ବ ଦଳନକାରୀ, ଲକ୍ଷ୍ମଣ ସ୍ୱୟଂ ଶେଷାବତାର, ତେଣୁ ବର୍ତ୍ତମାନ ସର୍ପଭୁଷିତ ପୁଣି ଉଭୟେ ରାବଣଠାରେ ବାଦୀ ହୋଇ ଏହି ନିର୍ଜ୍ଜନ ପୁରରେ(ସମସ୍ତେ ମୂର୍ଚ୍ଛିତ ଥିବାରୁ ରଣକ୍ଷେତ୍ର ନିର୍ଜ୍ଜନ ହୋଇଅଛି) ନିଦ୍ରାଗତ ହୋଇଅଛି। ସୀତାଙ୍କର ଏହିପରି ରୋଦନ ବାଣୀ ଶୁଣି ରଘୁମଣି ବିଚାର କଲେ, ମୋର କେଳିପ୍ରବୀଣାର ରୋଦନସ୍ୱର ପରି ପୁନଃ ଏ ଯେଉଁ ସ୍ୱର ଶୁଭୁଅଛି, ଏ ନାରଦଙ୍କର ବୀଣା ସ୍ୱର କି ?’’

୧୭ଶ ପଦ :- ବୋଧେ-ପ୍ରବୋଧନା କରି । ମଇଥଳୀ - ସୀତା । ସାରସ-ପଦ୍ମ । ନାଳେ-ନାଡ଼ରେ। ବ୍ୟାଜ-ସର୍ପ । ସମର୍ପା-ରାକ୍ଷସୀ ବିଶେଷ । ପତ୍ତନ-ଆଶ୍ରମ ।

 

୧୭ଶ ପଦ :- ସେହି ସମୟରେ ସମର୍ପା ନାମ୍ନୀ ରାକ୍ଷସୀ ସୀତାଙ୍କୁ ବୋଧ ଦେଇ ବଚନ କହିଲେ, ‘‘ଅସ୍ଥିର ନ ହୋଇ ଧୈର୍ଯ୍ୟ ଧର; ତୁମ୍ଭ ବିଚ୍ଛେଦରେ ବିରହ ଜନ୍ମିବାରୁ ରାମଚନ୍ଦ୍ର ବିରସ ମନରେ ପଦ୍ମନାଡ଼ିରେ ଢଳି ପହୁଡ଼ି ଅଛନ୍ତି । ମୋତେ ଏହି ବୁଦ୍ଧି ଦେଖାଯାଉଅଛି, ଯେ ସର୍ପକୁ ପଦ୍ମନାଡ଼ ମନେ କରି ବାନ୍ଧି ହୋଇଅଛନ୍ତି କି ?’’ ଅନନ୍ତର ଅଚେତନ ହୋଇ ପଡ଼ିଥିବା ଯୋଦ୍ଧାମାନେ ଚେତା ପାଇ ଉଠିବାର ଦେଖି ସେ ନିଜେ ରହୁଥିବା ସ୍ଥାନକୁ (ଅଶୋକ ବନକୁ) ଫେରିଗଲେ ।

 

୧୮ଶ ପଦ :- ବିଶ୍ୱରଞ୍ଜନ-ରାମଚନ୍ଦ୍ର । ଅବିଧିରେ-ସମୁଦ୍ରରେ । ନୀରଜ-ପଦ୍ମ । ବି-ନାୟକପୁଜନ-ଗରୁଡ଼ ପୂଜା । ପନ୍ତିପନ୍ତି – ଧାଡ଼ିଧାଡ଼ି ।

 

୧୮ଶ ପଦ :- ଚେତା ପାଇ ଉଠି ଯୋଦ୍ଧାମାନେ ବିଶ୍ୱରଞ୍ଜନକାରୀ ରାମଚନ୍ଦ୍ରଙ୍କ ପାଖକୁ ଯାଇ ଦେଖିଲେ ଯେ, ସେ ନାଗପାଶରେ ବନ୍ଧନ ହୋଇ ଅଛନ୍ତି ।

 

୧୯ଶ ପଦ :- ତାରକ-ପରିତ୍ରାଣକାରୀ । ତାରକ୍ଷର (ତାର୍ଯ୍ୟର) – ଗରୁଡ଼ର । ଲୟ-ଏକାଗ୍ରଚିତ୍ତରେ । ବି-ଇନ-ଗରୁଡ଼। ପକ୍ଷ-ଡେଣା । ଧବଳପକ୍ଷ-ଶୁକ୍ଳପକ୍ଷ ।

 

୧୯ଶ ପଦ :- ଏହା ଚିନ୍ତା କରି ବିଭୀଷଣ ବଡ଼ପାଟି କରି କହିଲେ, ‘‘ଏ ବିପଦବେଳେ ଗରୁଡ଼ ବିନା ଉଦ୍ଧାରକର୍ତ୍ତା ଆଉ କେହି ନାହିଁ ।’’ ରାମଚନ୍ଦ୍ର ଏହି କଥା ଶୁଣିପାରି ନୟନ ବୁଜି ସେହି ଗରୁଡ଼କୁ ବିନୟରେ ଧ୍ୟାନ କଲେ । ‘ରାମରୂପୀ ବିଷ୍ଣୁ’ ଚିନ୍ତାକଲେ,-ଏହା ଜାଣିପାରି ଗରୁଡ଼ ନିଜ ପ୍ରଭୁଙ୍କ ଦର୍ଶନ ପାଇବା ଆଶାରେ ଆନନ୍ଦିତ ହୋଇ ବାହାରିଲା । ରାମଙ୍କର ପକ୍ଷପାତୀ ହୋଇ ଧବଳ ବର୍ଣ୍ଣ ଡେଣା ବିସ୍ତାର କରି ବାହାରନ୍ତେ ଜଣାଗଲା, ଶୁକ୍ଳପକ୍ଷରେ ପୂର୍ଣ୍ଣଚନ୍ଦ୍ର ଉଦେ ହେଲେ କି ?

 

୨୦ଶ ପଦ :- ବାହାରେ-ଭୁଜରେ । ଗନ୍ଧବାହା-ପବନ । ସର୍ବସହାଧର-ପର୍ବତ । ଚୂରେ-ଚୂର୍ଣ୍ଣରେ । ବ୍ୟାଳପାଶ-ନାଗପାଶ । ତ୍ରାସେ– ଭୟରେ । ବିଳେ –ଗର୍ଭରେ । ତର୍ଜ୍ଜନା– ଭର୍ତ୍ସନା ।

 

୨୦ଶ ପଦ :- ଗରୁଡ଼ ପକ୍ଷ ବିସ୍ତାରି ଉଡ଼ନ୍ତେ ସେ ପକ୍ଷରୁ ଯେଉଁ ପବନ ବାହାରିଲା, ତଦ୍ଦ୍ୱାରା ପର୍ବତମାନେ ସର୍ବତୋ ଭାବରେ କମ୍ପିଲେ । ଆଉ ମନରେ ଶଙ୍କା କଲେ, ‘ଗରୁଡ଼ ତାର ବଜ୍ରତୁଲ୍ୟ ଥଣ୍ଟରେ ଆମକୁ ବିଦାରଣ କରି ପକାଇବ ନାହିଁ ତ ? ଗରୁଡ଼ର ଆଗମନ ହେତୁ ପ୍ରବଳ ପବନ ବହିବାରୁ ନାଗପାଶ ଭୟରେ ଶୀଘ୍ର ପଳାଇଯାଇ ଗାତରେ ପଶି ପାତାଳରେ ସର୍ପମାନଙ୍କ ସଙ୍ଗରେ ମିଳିତ ହୋଇଗଲା । (ସର୍ପଙ୍କ ସହିତ ମିଶିଗଲେ ଗରୁଡ଼ ଚିହ୍ନି ନ ପାରି ଖାଇ ପାରିବନାହିଁ) । ମାତ୍ର ସର୍ପରାଜ ବାସୁକିଙ୍କଠାରୁ ରାମଚନ୍ଦ୍ରଙ୍କୁ ବନ୍ଧନ କରିଥିବା ହେତୁ ଭର୍ତ୍ସନା ପାଇଲା ।

 

ବିଷମ ବିଷଧର ପୁରୁତର ଅନ୍ତର ଗରୁଡ଼ର ପ୍ରବେଶେ ଯେ ।

ବିରାଧବିରୋଧିର ଧୀରେ ଗିର ବିଧିର କରକୋରକେ ଭାଷେ ଯେ ।

ବିଭୋମୋର ।  ବିଘ୍ନ ସେବା ଦର୍ଶନ ଯେ ।

ବିଶ୍ୱମ୍ବର ଏ ଅବତାରେ ଅବନୀ ଅବତୀର୍ଣ୍ଣେ ମୋ ମନ ଛନ୍ନ ଯେ । ୨୧ ।

 

ବଡ଼ଭୃତ୍ୟ ବତ୍ସଳ ଅଯଶେ ନାହିଁ ଛଳ ଅନ୍ତର୍ଗତ ଜାଣିଲ ହେ ।

ବନ୍ଧା ସରୀସୃପରେ ହୋଇ ଏ ସ୍ୱରୂପରେ ଆଣି ଦର୍ଶନ ଦେଲ ହେ ।

ବାସୁଦେବ ।  ବର୍ଷରେ ପୁଣି ଭେଟ ଯେ ।

ବଧିବ ବହୁ ଅରି ଅରିରେ ବୋଲିକର ଗମିଲା ପକ୍ଷୀରାଜ ଯେ । ୨୨ ।

 

ବୁଧେ ଏ ପଦ ବେନି ବିଖ୍ୟାତ ହେବ ତିନିଠାରେ ସୁଖ ଦୁଃଖଦ ଯେ ।

ବଳ ଯେ ଦେଖି ଶୁଣି ରାବଣଦୂତେଜାଣି ସୀତାସଖି ସମ୍ବାଦ ଯେ ।

ବ୍ୟଗ୍ରବନ୍ତେ । ବାର ସେନାପତିଏ ଯେ ।

ବାହାର ଘେନି ମାନ କରି ଗୁମାନ ମାନଦେଖି ଦେବଙ୍କ ଭୟେ ଯେ ।।୧୩।

 

ବୃଷଭେ ଦେବାନ୍ତକ ବାଜିରେ ନରାନ୍ତକ ସ୍ୟନ୍ଦ୍ୟନେ ଭୟଙ୍କର ଯେ ।

ବରାହେ ଲୋହପୃଷ୍ଠେ ଶତାଙ୍ଗସାଜି ହୃଷ୍ଟେ ନକୁମ୍ଭ ମହୋଦର ଯେ ।

ରଥଚକ୍ରକୁ ବୁଲାଇଣ । ବରଛି ଆସି ଶକ୍ତି ଯେ ।

ବାଣାସନେ ତତ୍ପର ପୁରାଇ ଥୋଇଶର ମୋର ଆଉଁଶୁଚନ୍ତି ଯେ । ୨୪ ।

 

ବିଶିଷ୍ଟ କିମ୍ରାକ୍ଷ ନାହିଁ ଲକ୍ଷ୍ୟ ଯାଲୁହ ଲୁଲାପ ରଥେ ଯୋଚି ଯେ ।

ବ୍ୟାଘ୍ର ଓ ଘରେ ଶ୍ଲାଘ୍ୟ କ୍ରୋଧନ ରଥ ଶୀଘ୍ର ପରିଘ କହି ରୁଚି ଯେ ।

ବଜ୍ରଦଂଷ୍ଟ୍ର । ବିମାନେ କ୍ରୋଷ୍ଟୁ କୋଟି ଯେ ।

ବିମାନେ ଗୃଧ୍ରଯୋଚି ଚିତ୍ରଣରେ ରାଜନ୍ତି ଅକମ୍ପନାହିଁ ଘୋଟି ଯେ । ୨୫ ।

 

୨୧ଶ ପଦ :- ବିଷମ ବିଷଧର-ଭୟଙ୍କର ସର୍ପ । ବିରାଧବିରୋଧୀ - ବିରାଧ ରାକ୍ଷସର ଶତ୍ରୁ ରାମଚନ୍ଦ୍ର । ଧୀର-ଗିର-କୋମଳ ବାକ୍ୟ । କରବୋରକେ-କରମୁଦ୍ରିତ ପୂର୍ବକ । ଅବନୀ-ପୃଥିବୀ ।

 

୨୧ଶ ପଦ :- ଗରୁଡ଼ ପ୍ରବେଶ କରିବା ମାତ୍ରକେ ଅତି କଷ୍ଟଦାୟକ ବିଷପୂର୍ଣ୍ଣ ନାଗପାଶ ଦୂର ହୋଇଗଲା । ଗରୁଡ଼ ବିରାଧ ଶତ୍ରୁ ରାମଚନ୍ଦ୍ରଙ୍କୁ ଦେଖି କରଯୋଡ଼ି ସ୍ତୁତି ବାକ୍ୟରେ କହିଲା, ‘‘ହେ ବିଶ୍ୱମ୍ଭର ! ଆପଣଙ୍କ ଏ ଅବତାରରେ ମୋର ସେବା ଓ ଦର୍ଶନରେ ବିଘ୍ନ ଘଟିବାରୁ ମୋ ମନ ଛନ୍ନ ହେଉଥିଲା ।’’

 

୨୨ଶ ପଦ :- ଅନ୍ତର୍ଗତ-ହୃଦୟର କଥା । ସରୀସୃପରେ-ନାଗପାଶରେ । ବାସୁଦେବ ବର୍ଷରେ-ଶ୍ରୀକୃଷ୍ଣ ଅବତାରରେ । ଅରି-ଶତ୍ରୁ । ପକ୍ଷୀରାଜ-ପକ୍ଷିମାନଙ୍କର ରାଜା ଅର୍ଥାତ୍ ଗରୁଡ଼ । ଅରିରେ-ଚକ୍ରରେ ।

 

୨୨ଶ ପଦ :- ‘‘ଆପଣ ବଡ଼ ଭୃତ୍ୟସ୍ନେହୀ ଅଟନ୍ତି; ତେଣୁ ମୋପରି ଶୌର୍ଯ୍ୟ ବୀର୍ଯ୍ୟହୀନଠାରୁ ସେବା ଗ୍ରହଣ ନ କରିବା ଛଳ ଆପଣଙ୍କର କଦାପି ନାହିଁ । ସେହି ହେତୁରୁ ମୋ ମନକଥା ଜାଣି ଏ ରାମ ଅବତାରରେ ମଧ୍ୟ ନାଗପାଶରେ ବନ୍ଧା ହୋଇ ମୋତେ ଦର୍ଶନ ଦେବାର କାରଣ ଘଟାଇଲେ। ପୁଣି ଶ୍ରୀକୃଷ୍ଣ ରୂପରେ ଥରେ ଭେଟ ହେବ । (କାଳିନ୍ଦୀରେ କାଳୀ ଦର୍ଶନ କଲାବେଳେ ମୋତେ ସ୍ମରଣ କଲେ ମୁଁ ଯାଇ ଦର୍ଶନ ଲାଭ କରିବି) । ସେ ଅବତାରରେ ଆପଣ ଚକ୍ରଦ୍ୱାରା ବହୁତ ଶତ୍ରୁ ବିନାଶ କରିବେ ।’’ ଏହା କହି ଗରୁଡ଼ ସେଠାରୁ ଚାଲିଗଲା ।

୨୩ଶ ପଦ :- ବୁଧେ-ପଣ୍ଡିତମାନେ । ବିଖ୍ୟାତ-ପ୍ରସିଦ୍ଧ ।

 

୨୩ଶ ପଦ :- ହେ ବିଜ୍ଞଜନମାନେ ! ପୂର୍ବର ଏ ଦୁଇପଦ ତିନିଠାରେ ସୁଖ ଓ ଦୁଃଖ ପ୍ରଦାନ କରି ପ୍ରସିଦ୍ଧି ଲାଭ କଲା । ରାମଚନ୍ଦ୍ରଙ୍କ ସୈନ୍ୟମାନେ ଗରୁଡ଼ ଆସିବା ଓ ରାମଲକ୍ଷ୍ମଣ ମୁକ୍ତ ହେବା, ଏହା ଦେଖି ସୁଖୀ ହେଲେ । ରାବଣ ଦୂତଙ୍କ ମୁଖରୁ ଏ ସମ୍ବାଦ ଶୁଣି ଦୁଃଖୀ ହେଲା ଓ ସୀତା ସଖିଙ୍କ ସହିତ କଥାବର୍ତ୍ତା କାଳରେ ଏହା ଜାଣିପାରି ସୁଖୀ ହେଲେ। ଏହି ଖବର ପାଇ ରାବଣର ବାରଗୋଟି ସେନାପତି ଅଭିମାନ ବଶରେ ନାନାପ୍ରକାର ପ୍ରତିଜ୍ଞା ଦେଖାଇ ଅତିଶୀଘ୍ର ବାହାର ହେଲେ । ତାଙ୍କର ଗତିବିଧି ଦେଖି ଦେବତାମାନଙ୍କର ମଧ୍ୟ ଭୟ ଜାତ ହେଲା ।

 

୨୪ଶ ପଦ :- ବାଜିରେ-ଅଶ୍ୱପୃଷ୍ଠରେ । ସ୍ୟନ୍ଦନ-ରଥ । ବରାହ-ବାରହା, ବନ୍ୟଶୂକର । ଲୋହପୃଷ୍ଠ-ବଢ଼ିଆକାଙ୍କ। ଶତାଙ୍ଗ-ରଥ । ବାଣାସାନ-ଧନୁ । ମୋଚ-ନିଶ ।

 

୨୪ଶ ପଦ :- ଦେବାନ୍ତକ ରାକ୍ଷସ ଷଣ୍ଢ ଯୋଚି ନରାନ୍ତକ ରାକ୍ଷସ ଘୋଡ଼ାଯୋଚି ରଥ ସଜ କରିବାରୁ ଭୟଙ୍କର ଦେଖାଗଲେ ।ନିକୁମ୍ଭ ଅସୁର ବରାହ ଓ ସହୋଦର ବଢ଼ିଆକାଙ୍କ ରଥରେ ଯୋଚି ଆନନ୍ଦରେ ସଜାଇ ବର୍ଚ୍ଛା, ଖଡ଼୍‌ଗ ଶକ୍ତି ଆଦି ଶସ୍ତ୍ର ବୁଲାଇ ଧନୁରେ ଶର ସନ୍ଧାନ କରି ପାଶରେ ରଖି ତତ୍‌ପରେ ଦାଢ଼ି ଆଉଁସିବାକୁ ଲାଗିଲା ।

 

୨୫ଶ ପଦ :- ଲୁଲାପ-ମହିଷ ।ବ୍ୟାଘ୍ରଓଘରେ-ବାଘମାନଙ୍କରେ ।ଗୃଧ୍ର-ଶାଗୁଣାପକ୍ଷୀ।ଚତ୍ରିଣିରେ ରଥ ।ଶ୍ଲାଘ୍ୟ-ପ୍ରଶଂସ୍ୟ। ପରିଘ-ଅସ୍ତ୍ର ବିଶେଷ ।କ୍ରୋସ୍ଟୁ-ବିଲୁଆ ।

 

୨୫ଶ ପଦ :- ପ୍ରଧାନ ସେନାପତିଙ୍କ ମଧ୍ୟରେ ଅତୁଳନୀୟ ଧୂମ୍ରାକ୍ଷ ଏକ ଲକ୍ଷ ମଇଁଷି ରଥରେ ଯୋଚିଲା । କ୍ରୋଧନ ରାକ୍ଷସ ପ୍ରଶଂସାର ସହିତ ବ୍ୟାଘ୍ରସମୂହ ନିଜ ରଥରେ ଯୋଚି ପରିଘ ଅସ୍ତ୍ରକୁ ଧରି ତେଜୋବନ୍ତ ଦେଖାଗଲା। ବଜ୍ରଦଂଷ୍ଟ୍ର ନିଜ ରଥରେ କୋଟିଏ ଶୃଗାଳ ଯୋଚିଲା। ଅକମ୍ପନ ସେନାପତି ମଧ୍ୟ ଗର୍ବଭରେ ନିଜ ଚକ୍ରଯୁକ୍ତ ରଥରେ ଶାଗୁଣା ଯୋଚି ଯୁଦ୍ଧଭୂମିକି ଆଚ୍ଛାଦନ କଲା ।

 

ବନ୍ଧନ ସ୍ୟନ୍ଦନରେ ନାନାବର୍ଗ ରାଗରେ ପ୍ରବର ବାହୁ ବସେ ସେ ।

ବୁହାଇ ପିଶାଚକୁ ପିଶାଚ ତା ରଥକୁ ଭୟଦ ନାଦେ ଘୋଷେ ଯେ ।

ବଜ୍ର ଅଙ୍ଗ । ବିଡ଼ାଳେ ରଥ ସାଜି ଯେ ।

ବାନ୍ଧିଅଛି ପ୍ରମତ୍ତପଙ୍କାସ୍ୟ ରଥେମତ୍ତ ଉନ୍ମତ୍ତ ଉଷ୍ଟ୍ରେ ରାଜି ଯେ । ୨୭ ।

 

ବାୟସ ଶତ ଶତବିରଳାକ୍ଷଯୋଚିତଉଲ୍ଲୁକ ରଥେ ଉଲୁକ ଯେ ।

ବହେ ଅସୁରପନ୍ତି ତ୍ରିଶିର ରଥେ ତଥି କୁମ୍ଭୀଯୋଚି କୁମ୍ଭୁକ ଯେ ।

ବେଗେ ଯାଇ । ବେଢ଼ି କପାଟ ଫେଇ ଯେ ।

ବଡ଼ ଅନ୍ଧାର ରାତି ନିଶାଚର ଅରାତି ମାୟାଯୁଦ୍ଧ ଭିଆଇ ଯେ । ୨୭ ।

 

ବାହାର ଚଣ୍ଡୀ ଯେତେ ଡାକିନୀ ଅପ୍ରମିତେ ପଶୁଏ ନାରୀରୂପୀ ଯେ ।

ବୁଲାଇ ଜିହ୍ୱାଉଲ୍‌କା ଦେଖାଇ ରଡ଼ିଶଙ୍କା ଜନ୍ମାଇ ଗଲେ ବ୍ୟାପି ସେ ।

ବିଭୀଷଣେ । ବେଢ଼ିଲେ ଅଷ୍ଟରଥୀ ଯେ ।

ବିଚ୍ଛଦ ମାରଣରେ କଣା ହେଲେ ରଣରେ ରାମ ଲକ୍ଷ୍ମଣ ତିଥି ଯେ । ୨୮ ।

 

ବାନର ଯୁଥପତି ଭିନ୍ନ ଭିନ୍ନ ହୁଅନ୍ତି ପାଶ ଜନ ନ ଦିଶି ଯେ ।

ବୃନ୍ଦ ବୃନ୍ଦ ହୋଇଣ ରାକ୍ଷସରେ ବେଷ୍ଟନ ଭଲ୍ଲୁକ କପିରାଶି ଯେ ।

ବାତାତ୍ମଜ । ବିଶ୍ରାମିଦ୍ୱାର ପାଶେ ଯେ ।

ବିଜେ ଅଙ୍ଗଦସ୍କନ୍ଧେ ଲକ୍ଷ୍ମଣ ଚିହ୍ନିବୋଧେ ସୁଗ୍ରୀବ ମାର ଘୋଷେ ଯେ । ୨୯।

 

ବାରଣରେ ବାରଣ ସ୍ୟନ୍ଦନରେ ସ୍ୟନ୍ଦନହୟେ ହୟ କଚାଡ଼ିସେ।

ବନୌକାପତି ଗତି ତଦ୍‌ବତ ସେନାପତି ପଦଗ ପଦେ ତାଡ଼ି ଯେ ।

ବିନ୍ଧ ଦଶ । ବାଣ ଶ୍ରୀରାମ ନାଶି ଯେ ।

କାନକୋଟି କୁଞ୍ଜର ତ୍ରିକୋଟି ରଥୀସାର ତୁରଙ୍ଗ ଖର୍ବ ଅଶି ଯେ । ୩୦ ।

 

 

୨୬ଶ ପଦ :- ନାନାଗବର୍ଗ-ହସ୍ତୀସମୂହ। ପିଶାଚକୁ-ରାକ୍ଷସମାନଙ୍କୁ । ପଞ୍ଚାସ୍ୟ-ସିଂହ ।

 

୨୬ଶ ପଦ :- ପ୍ରବରବାହୁ ସେନାପତି କ୍ରୋଧବଶ ହୋଇ ହସ୍ତୀ ସମୂହ ବାନ୍ଧି ରଥରେ ବସିଲା । ପିଶାଚ ସେନାପତି ଭୟଙ୍କର ନାଦ କରୁଥିବା ପିଶାଚମାନଙ୍କଦ୍ୱାରା ନିଜ ରଥକୁ ବୁହାଇଲା । ବଜ୍ରଅଙ୍ଗ ବିରାଡ଼ି ଯୋଚି ରଥ ସାଜିଲା । ପ୍ରମତ୍ତ ରାକ୍ଷସ ମତ୍ତସିଂହ ରଥରେ ବାନ୍ଧିଲା ଏବଂ ଉନ୍ନତ୍ତ ଦୈତ୍ୟ ଓଟ ଯୋଚି ରଥକୁ ଶୋଭିତ କଲା ।

 

୨୭ଶ ପଦ :- ବାୟସ-କୁଆ । ଉଲ୍ଲୁକ-ପେଚା । କୁମ୍ଭୀ-ହସ୍ତୀ। ଫେଇ-ଫିଟାଇ । ନିଶାଚର-ରାକ୍ଷସ । ଅରାତି-ଶତ୍ରୁ।

୨୭ଶ ପଦ :- ବିରଳାକ୍ଷ ସେନାପତି ଶତଶତ କାଳ ଓ ଉଲୁକ ସେନାପତି ପେଚା ରଥରେ ଯୋଚିଲେ। ତ୍ରିଶିର ସେନାପତି ରଥକୁ ଅସୁରବୃନ୍ଦ ବହିଲେ । କୁମ୍ଭକ ସେନାପତି ତା ରଥରେ ହସ୍ତୀ ଯୋଚିଲା। ଏହିପରି ସଜ ହୋଇ ଯାଇ ଅତି ଶୀଘ୍ର ଗଡ଼ଦ୍ୱାର କବାଟକୁ ଫିଟାଇ ଦେଲେ ଏବଂ ସମସ୍ତ ଅସୁରେ ମିଳି ଅନ୍ଧକାର ରାତ୍ରିରେ ଶତ୍ରୁ ସଙ୍ଗେ ମାୟାଯୁଦ୍ଧ ଭିଆଇଲେ ।

୨୮ଶ ପଦ :- ଜିହ୍ୱାଉଲକା-ଅଗ୍ନିତୁଲ୍ୟଜିହ୍ୱା । ବିଚ୍ଛନ୍ଦ-ଅତିଶୟୀ କପଟ ।

 

୨୮ଶ ପଦ :- ଯୁଦ୍ଧ କ୍ଷେତ୍ରରେ ବହୁତ ଚଣ୍ଡୀ ଓ ଅପ୍ରମିତ ଡାଆଣୀ ବାହାରି ବୁଲିଲେ । ଶ୍ୱାନ ଶୃଗାଳାଦି ନାନାପ୍ରକାର ପଶୁ ଜିହ୍ୱା ଲହ ଲହ କରି ଓ ଡାଆଣୀ ନିଆଁ ଦେଖାଇବାଦ୍ୱାରା ଭୟ ଜାତ କରାଇ ବ୍ୟାପି ଗଲେ (ଏକ ପ୍ରକାର ବିଲୁଆ ପାଟି ଦେଖାଇଲେ ଅନ୍ଧକାର ରାତ୍ରିରେ ଆଲୋକ ଦେଖାଯାଏ, ତାକୁ ଚିରଗୁଣୀ ନିଆଁ କହନ୍ତି) । ବିଭୀଷଣକୁ ଆଠଗୋଟି ରଥୀ ବେଢ଼ି ସମର କଲେ। ସେହି ରଣକ୍ଷେତ୍ରରେ ରାମ ଲକ୍ଷ୍ମଣ ରାକ୍ଷସଙ୍କ ମାୟାଯୁଦ୍ଧ ହେତୁ ବଣା ହେଲେ ।

 

୨୯ଶ ପଦ :- ରାକ୍ଷସମାନେ ମାୟାଯୁଦ୍ଧ କରିବାରୁ କପିଯୁଥପତିମାନେ ଅଲଗା ଅଲଗା ହୋଇଗଲେ। ଅନ୍ଧକାର ହେତୁ ପାଖରେ ଥିବା ଲୋକମାନେ କେହି କାହାକୁ ଚିହ୍ନି ପାରିଲେନାହିଁ । ଭଲ୍ଲୁକ ଓ କପିସୈନ୍ୟମାନେ ଦଳ ଦଳ ହୋଇ ରାକ୍ଷସଙ୍କ ବେଢ଼ରେ ପଡ଼ିଲେ । ହନୁମାନ ଦ୍ୱାରର ଏକ ପାଖରେ ରହିଥିଲା । ଅଙ୍ଗଦ କନ୍ଧରେ ଲକ୍ଷ୍ମଣ ବିଜେ କରିଥିବାର ଦେଖିଲା ଏବଂ ସୁଗ୍ରୀବ ମାର ମାର ଶବ୍ଦ କପିଙ୍କ ବୋଧ ଦେଉଥିବାର ଶୁଣିପାରିଲା ।

 

୩୦ଶ ପଦ :- ବାରଣ-ହସ୍ତୀ ।ସ୍ୟନନ୍ଦ-ରଥ । ହୟେ-ଘୋଟକରେ ।ବନୌକାପତି-ବାନର ସେନାପତି ସୁଗ୍ରୀବ। ପଦଗ-ପାଇକ । କୁଞ୍ଜର-ହସ୍ତୀ । ତୁରଙ୍ଗ-ଅଶ୍ୱ ।

 

୩୦ଶ ପଦ :- ତତ୍ପରେ ହନୁମାନ ହସ୍ତୀ ଉପରେ ହସ୍ତୀକୁ ରଥ ଉପରେ ରଥକୁ ଅଶ୍ୱ ଉପରେ କଚାଡ଼ି ତାଙ୍କ ପ୍ରାଣ ନେଲା । ସେହିପରି ସୁଗ୍ରୀବ ଓ ଅଷ୍ଟସେନାପତିମାନେ ପାଇକ ସୈନ୍ୟମାନଙ୍କୁ ଗୋଇଠାମାଡ଼ ମାରି ବିନାଶ କଲେ । ଶ୍ରୀରାମ ଦଶବାର ବିନ୍ଧି ବାନକୋଟି ହସ୍ତୀ, ତିନିକୋଟି ଶ୍ରେଷ୍ଠରଥୀ ଓ ଅଶୀଖର୍ବ ଘୋଡ଼ା ବିନାଶ କଲେ ।

 

ବିଂଶପରାର୍ଦ୍ଧ ତହିଁ ପଦାତି ଖଣ୍ଡିହୋଇ ବହୁବାର ପ୍ରୟୋଗ ସେ।

ବିନାଶ କଲେ କେତେ ଲକ୍ଷ୍ମଣଏହିମତେ ପ୍ରବର୍ତ୍ତି ରଣରଙ୍ଗେ ଯେ ।

ବିଭାସବୁ ।  ବିଦିତେ ସର୍ବେ ଦିଶି ଯେ ।

ବାରଣ ପାଶେ ଥିଲା ଚ୍ଛେଦା ଶବ ଚାହିଁଲା ଏ ଦିଶେ ପ୍ରଭୁ ଘୋଷି ଯେ । ୩୧ ।

 

ବବାଦ ବିବର୍ଦ୍ଧନ ଶ୍ରୀରାମେ ଅକମ୍ପନ ପାବନି ଧାମେ ଯେ ।

ବାଜ ଝାମ୍ପେ କପୋତମାଡ଼ିବସିଲା ମତ ବଳୀ ବାହୁସଂଗ୍ରାମେ ଯେ ।

ବଧି ତାକୁ । ବିହି ଓଳଗ ବହି ଯେ ।

ବିନ୍ଧୁ ପିଶାଚ ନୀଳେ ସରଥେ ଚୁରୁଶେଳେ ଧ୍ରାକ୍ଷ ଚାହିଁ ଧାଇଁ ଯେ । ୩୨ ।

 

ବ୍ରହ୍ମାଣ୍ଡ ଯା ଉଦରେ ତାଙ୍କୁ ଧରିସ୍କନ୍ଧରେ ପବନୁ ଜବ କରି ଯେ ।

ବାଳ ଧରିଣ ନେଇ ବସୁଧାରେ ପକାଇପାଦ ପ୍ରହାରେ ମାରି ସେ ।

ବିବୁଧାଦି । ବୋଇଲେ ଧନ୍ୟ ଧନ୍ୟ ଯେ ।

ବଜ୍ରଦଂଷ୍ଟ୍ରର ଗ୍ରୀବ ଛିଣ୍ଡାଇଲା ସୁଗ୍ରୀବ ଫିଙ୍ଗିଲା କେଶମାନ ଯେ । ୩୩ ।

 

ବଧା ଚମୁଚତୁର ଆଉମନେ ଆତୁର ସଂଦ୍ରାବ ପୃଷ୍ଠ ଦେଇ ଯେ ।

ବିଳେ ଗରୁଡ଼ ଉରେ ସର୍ପର ପରକାରେ ଗଡ଼େ ପଶିଲେ ଯାଇ ଯେ ।

ବଳଯାକ ।  ବିଖଣ୍ଡିତ ଚରମ ଯେ ।

ବ୍ୟାଧସଂଗ ଭୂପତି ଘଉଡ଼ି ମୃଗପନ୍ତିଗିରି ପ୍ରବେଶେ ରମ୍ୟ ଯେ । ୩୪ ।

 

ବହି ଏହି ଉପମ କପିସୈନ୍ୟ ଶ୍ରୀରାମବାହନ ଯା ମାରୁତି ଯେ ।

ବିକ୍ରମ ରାଜଦାଣ୍ଡେ ଚାହିଁ କାମିନୀରୁଣ୍ଡେ ଚକ୍ଷୁ ନ ପିଛାଉନ୍ତି ସେ।

ବୋଲା ବୋଲି ।  ବନ୍ଧୁ ଏ କି ସୁନ୍ଦର ଗୋ।

ବିଦେହ ଦେହବନ୍ତ ଫଗୁଳେ ଚରିତଏଥୁ ଆନ ନ କର ଗୋ। ୩୫ ।

 

୩୧ଶ ପଦ :- ଖଣ୍ଡିହୋଇ-ହାଣି ହୋଇ,ହାଣି ହୋଇଗଲେ । ବିଭାବସ୍ତୁ- ସୂର୍ଯ୍ୟ । ବିଦିତ-ପ୍ରକାଶିତ । ବରଣ-ପ୍ରାଚୀର । ଛେଦ-ଛେଦନ । ଦିଶେ - ଦିଗକୁ ।

 

୩୧ଶ ପଦ :- ସେହି ଯୁଦ୍ଧରେ ରାମଚନ୍ଦ୍ର ବହୁତ ଥର ବାଣମାରି ବିଂଶ ପରାର୍ଦ୍ଧ ପଦାତିକ ସୈନ୍ୟଙ୍କୁ କାଟି ପକାଇଲେ । ଏହିପରି ଲକ୍ଷ୍ମଣ ରଣରେ ମାତି ଅସଂଖ୍ୟ ସୈନ୍ୟ ବିନାଶ କଲେ ।ଏହ ସମୟରେ ସୂର୍ଯ୍ୟ ଉଦିତ ହୁଅନ୍ତେ ସମସ୍ତେ ସମସ୍ତଙ୍କୁ ଦେଖାଗଲେ । ଲଙ୍କା ପାଚେରୀର ପାଖେ ପାଖେ ଥିବା ହନୁମାନ, ହଣା ହୋଇ ତଳେ ପଡ଼ିଥିବା ସୈନ୍ୟମାନଙ୍କର ମୁଣ୍ଡସବୁକୁ ଚାହିଁ ଭାବିଲା, ‘‘ଜଣାଯାଏ, ରାମଚନ୍ଦ୍ର ଏହି ଦିଗରେ ଅଛନ୍ତି ।     

 

୩୨ଶ ପଦ :- ବାଜ-ଛଞ୍ଚାଣ ପକ୍ଷୀ । ପିଶାଚ-ରାକ୍ଷସ । ସଭଥେ-ରଥ ସହିତ ।

 

୩୨ଶ ପଦ :- ଅନନ୍ତର ହନୁମାନ ଅଗ୍ରସର ହୋଇ ଦେଖିଲା ଯେ, ଅକମ୍ପନ ରାକ୍ଷସ ଶ୍ରୀରାମଙ୍କ ସହିତ ରଣରେ ରତ ହୋଇଅଛି। ଏହା ଦେଖି ସେ ଧାଇଁ ଯାଇ ସଞ୍ଚାଣପକ୍ଷୀ କପୋତପକ୍ଷୀକୁ ମାଡ଼ିବସିଲା ପରି ଅକମ୍ପନକୁ ମାଡ଼ିବସିଲା ଏବଂ ବାହୁଯୁଦ୍ଧରେ ତାକୁ ବିନାଶ କରି ରାମଚନ୍ଦ୍ରଙ୍କୁ ନମସ୍କାର ପୂର୍ବକ ନିଜ ସ୍କନ୍ଧରେ ବହନ କଲା । ପିଶାଚ ରାକ୍ଷସ ନଳ ସେନାପତିକୁ ବାଣ ବିନ୍ଧିବାରୁ, ନଳ ପଥର ନିକ୍ଷେପ କରି ରଥ ସହିତ ତାକୁ ଚୂର୍ଣ୍ଣ କରିଦେଲା । ଏହା ଦେଖି ଧୂମ୍ରାକ୍ଷ ରାକ୍ଷସ ଧାଇଁ ଆସିଲା ।

 

୩୩ଶ ପଦ :- ଉଦରେ-ଗର୍ଭରେ । ଜବ-ଶୀଘ୍ର । ବସୁଧାର-ପୃଥିବୀରେ । ବିବୁଧାଦି-ଦେବତାମାନେ । ଗ୍ରୀବା-ଗଳଦେଶ ବା ବେକ । କେଶମାନ-କେଶଗୁଚ୍ଛ । ଶୈଳ-ପଥର ।

 

୩୩ଶ ପଦ :- ଯାହାଙ୍କ ଉଦର ମଧ୍ୟରେ ବ୍ରହ୍ମାଣ୍ଡ ରହିଅଛି, ସେହି ଶ୍ରୀରାମଙ୍କୁ ହନୁମାନ ସ୍କନ୍ଧରେ ବହନ କରି ପବନଠାରୁ ଶୀଘ୍ର ଗତିରେ ଯାଇ ଧୂମ୍ରାକ୍ଷର ବାଳ ଧଇଲା ଏବଂ ତାକୁ ଭୂମିରେ ପକାଇ ପାଦ ପ୍ରହାର ଦ୍ୱାରା ମାରି ପକାଇଲା । ତାହା ଦେଖି ଦେବତାମାନେ ଧନ୍ୟ ଧନ୍ୟ କହିଲେ । ସୁଗ୍ରୀବ ବଜ୍ରଦଂଷ୍ଟ୍ରା ରାକ୍ଷସର କଣ୍ଠକୁ ଛିନ୍ନ କରି ତାକୁ ଦୂରକୁ ଫିଙ୍ଗିଦେଲା, ଯୁଦ୍ଧରେ ତା ସହିତ ବା କିଏ ସମାନ ହେବ ? (କେହି ସମାନ ହେବେ ନାହିଁ ।)

 

୩୪ଶ ପଦ :- ବଧ-ବିନାଶ । ଚମୂଚତୁର-ଚତୁରଙ୍ଗବଳ । ସଂଦ୍ରାବ-ପଳାୟନ । ବିଳେ-ଗର୍ତ୍ତରେ । ବଳଯାକ-ସୈନ୍ୟମାନେ । ବିଖଣ୍ଡିତ-କ୍ଷତବିକ୍ଷତ । ବ୍ୟାଧସଙ୍ଗ-ଶବର ସହିତ । ଭୂପତି-ରାଜା । ମୃଗପନ୍ତି-ମୃଗସମୂହ। ରମ୍ୟ-ମନୋହର।

 

୩୪ପଦ :- ଚତୁରଙ୍ଗବଳ ବିନାଶ ହୁଅନ୍ତେ ଅନ୍ୟ ରାକ୍ଷସମାନେ ବ୍ୟାକୁଳ ଭାବରେ ପୃଷ୍ଠଭଙ୍ଗ ଦେଇ ପଳାୟନ କଲେ । ଗରୁଡ଼ ଭୟରେ ପଳାଇ ଯାଇ ଗର୍ତ୍ତରେ ଲୁଚିଲା ପ୍ରାୟ ସେମାନେ ଗଡ଼ ମଧ୍ୟରେ ପ୍ରବେଶ କଲେ । ସବୁ ରାକ୍ଷସସୈନ୍ୟଙ୍କର ପୃଷ୍ଠ କ୍ଷତ ବିକ୍ଷତ ହୋଇଗଲା (ପଳାଇ ଗଲାବେଳେ ରାମଚନ୍ଦ୍ର ଓ କପି ସୈନ୍ୟ ପଛଆଡ଼ୁ ଆଘାତ କରିବା ଦ୍ୱାରା ପୃଷ୍ଠ କ୍ଷତବିକ୍ଷତ ହୋଇଗଲା ) । ବ୍ୟାଧମାନଙ୍କ ସହିତ ମୃଗପଲ ଆଡ଼େଇ ନେଇ ପର୍ବତରେ ଛାଡ଼ିଲା ପ୍ରାୟ ରାମ କପିସୈନ୍ୟ ସହ ରାକ୍ଷସବଳ ଆଡ଼େଇ ନେଇ ଲଙ୍କାଗଡ଼ରେ ଛାଡ଼ିଲେ।

 

୩୫ଶ ପଦ :- ଉପମ- ଉପମା । ମାରୁତି-ହନୁମାନ । କାମିନୀରୁଣ୍ଡେ- ସମାବେତନାରୀ ମଣ୍ଡଳୀ । ବିଦେହ-କନ୍ଦର୍ପ।

 

୩୫ଶ ପଦ :- ଏହି ଉପମାକୁ ବହନ କରି (ଅର୍ଥାତ୍ ମୃଗପଲ ପ୍ରାୟ ରାକ୍ଷସସୈନ୍ୟଙ୍କୁ ଗଡ଼ରେ ଛାଡ଼ି) ରାମଚନ୍ଦ୍ର ହନୁମାନର କାନ୍ଧରେ ବସି କପିସୈନ୍ୟସହ ଲଙ୍କା ରାଜଦାଣ୍ଡରେ ବିକ୍ରମ ପ୍ରକାଶ ପୂର୍ବକ ଫେରିଲାବେଳେ ଲଙ୍କାର ସ୍ତ୍ରୀମାନେ ରୁଣ୍ଡ ହୋଇ ପଲକ ନ ପକାଇ ରାମଙ୍କୁ ଚାହିଁ ରହିଲେ ଏବଂ କୁହାକୁହି ହେଲେ, ଗୋସଖି ! ଏ ପୁରୁଷ କେଡ଼େ ସୁନ୍ଦର ? ଜଣାଯାଏ କନ୍ଦର୍ପ ମୂର୍ତ୍ତିମନ୍ତ ହୋଇ ଫଗୁଖେଳ ରଚିଅଛନ୍ତି କି ? ଏହା କଦାପି ଅନ୍ୟଥା ନୁହେଁ ।’’ (ନିଶ୍ଚୟ ଏ କଥା ସତ । ରାମଚନ୍ଦ୍ର ରକ୍ତ ଜର୍ଜ୍ଜରିତ ହୋଇଥିବାରୁ ଫଗୁ ଖେଳର ଉପମା ଦିଆଯାଇଛି) ।

 

ବୋଲେ କେ ରତି ପାଇଁ କକ୍ଷାବନ୍ତହିଁ ସମ୍ବରପୁରୀ ହେଜି ଗୋ।

ବୁଲି ଆସିଅଛନ୍ତି ହୋଇଥାଇଟି ରତି ଜାନକୀ ଶୋଭାରାଜି ଗୋ।

ବୋଲେ କେହି । ବିଂଶାକ୍ଷ ଅଣୁଧରି ଗୋ।

ବାମରତ୍ନ ଦେଖିଛ ମୋର ମନେ ରଖିଛିରତି ରତିଏ ସରି ଗୋ। ୩୬ ।

 

ବୋଲେ କେ ଅଦର୍ଶନୁ ସୁନ୍ଦରେ ଫୁଲଧନୁ ଲକ୍ଷକୁ ଦେଉଥାଉ ଗୋ।

ବହଇ ସେହି ନାମ ସଂସାରେଏହି ରାମ ଚିତ୍ତକୁ ହରି ନେଇ ଗୋ।

ବୋଲେ କେହି !  ବିଧୁ ଲକ୍ଷିବା ନୋହି ଗୋ ।

ବିଶୁଦ୍ଧ ନାମ ସେହି ଏ ନାମ ପଛେଥାଇ ନିଶ୍ଚୟ ବିଧୁ ଏହି ଗୋ। ୩୭ ।

 

ବୋଲେ କେ କହିବାର ପ୍ରମାଣ ସଖିତୋର ସୁରଙ୍ଗ ପାଦ ପାଣି ସମ ।

ବିକାଶେ ସୁଦର୍ଶନ ପ୍ରଭା ଆନବିଧାନ ଅଛି ହୃଦୟମଣି ଗୋ।

ବୋଲେ କେହି । ବସନ୍ତବାସଧର ଯେ ।

ବିଜେ ଛଦ୍ମ ବିଇଶ କୀଶପର ବତିଶମୂର୍ତ୍ତିରେ ଏ ମଧୁର ଯେ । ୩୮ ।

 

ବିରଚି ହୁଳହୁତି ଶଙ୍କାକୁ ଦେଇ ଜାଳି ଲଙ୍କ କାମିନୀପୁଞ୍ଜେ ଯେ ।

ବଇରୀ ଶତ ଶତ ଉସତ ଚାହିଁସତ ରାମ ବାହୁଡ଼ା ବିଜେ ଯେ ।

ବିଳାସିତ । ବେଗରେ ସୁବଳୟେ ଯେ ।

ବରଣଅରି ଦ୍ୱାର ସମୀପେ ଦଶଶିର ଦେଖେ ସେନାନୀ ଭୟେ ଯେ । ୩୯ ।

 

ବାତେ କଦଳୀପତ୍ର ପ୍ରାୟ କଦଳିନେତ୍ର ମୋଚମର୍ଦ୍ଦ ପାଶୋର ଯେ ।

ବିଷୟ ଏ କିଂଭୁତ ବିଂଶକର ପୁଚ୍ଛିତ ସ୍ୱରଭଙ୍ଗହିଁ ଗିର ଯେ ।

ବୋଲନ୍ତି ସେ ।  ବିରାବ-ଭୟବଶେ ଯେ ।

ବଢ଼ାଇଛନ୍ତି କୋପ ସୁଗ୍ରୀ ହନୁ ଅମାପ ଲକ୍ଷ ଦେଇ କି ତ୍ରାସେ ଯେ । ୪୦ ।

 

 

୩୬ଶ ପଦ :- କକ୍ଷାବନ୍ତ-ଚନ୍ଦ୍ରହାରଯୁକ୍ତ । ସମ୍ଭରୀପୁରୀ-ଶମ୍ଭରାସୁରର ଗୃହ ଲଙ୍କାପୁର ।

 

୩୬ଶ ପଦ :- କୌଣସି ସ୍ତ୍ରୀ କହିଲା, ‘‘ସତ କଥା; ଏ କନ୍ଦର୍ପ ରତିକୁ ଧ୍ୟାନପୂର୍ବକ ତାଠାରେ କାମନା କରି ଏହି ‘ସମ୍ବରପୁରୀ’ ଶ୍ରେଷ୍ଠପୁରୀ ଲଙ୍କାକୁ ସମ୍ବରାସୁରର ପୁରୀ ବୋଲି ଭାବି ଏଠାକୁ ବୁଲି ଆସିଅଛନ୍ତି । ଶୋଭାର ଭଣ୍ଡାର ଜାନକୀ ନିଶ୍ଚୟ ରତି ଅଟନ୍ତି ।’’ ଅନ୍ୟ କେହି ସ୍ତ୍ରୀ କହିଲା ‘‘ରାବଣ ସେ ନାରୀରତ୍ନକୁ ଧରି ଆସିଲାବେଳେ ମୁଁ ଦେଖିଛି ମୋର ମନେ ହୁଏ, ରତି ତାକୁ ରତିଏ ସୁଧା ସମାନ ହୋଇନପାରେ।’’

 

୩୭ଶ ପଦ :- ଅଦର୍ଶନୁ-ନ ଦେଖିବାରୁ । ଫୁଲଧନୁ-କଦର୍ପ । ରାମ-ରାମଣୀୟ ବା ମନୋହର । ବିଧୂ-ଚନ୍ଦ୍ର । ବିଧୂ-ବିଷ୍ଣୁ ।

 

୩୭ଶ ପଦ :- ଅନ୍ୟ କେହି କହିଲା ‘‘କନ୍ଦର୍ପକୁ ଦେଖି ନ ଥିବାରୁ ଏ ସୁନ୍ଦର ପୁରୁଷକୁ ଦେଖି କନ୍ଦର୍ପ ସହିତ ଉପମା ଦେଉଛି; ମାତ୍ର ସଂସାର ମଧ୍ୟରେ ଏହି ରାମହିଁ କନ୍ଦର୍ପ ନାମ ବହିଛି, ତେଣୁ ସମସ୍ତଙ୍କ ଚିତ୍ତକୁ ହରଣ କରିନେଉଛି । (ଏ ସାକ୍ଷାତରେ ମନ୍ମଥ।) ଅନ୍ୟ ସ୍ତ୍ରୀ କହିଲା, ‘‘ଏହାଙ୍କୁ ଚନ୍ଦ୍ର ସଙ୍ଗେ ଲକ୍ଷ୍ୟ କରନ୍ତେ, ମାତ୍ର ତା ହୋଇନପାରେ । କାରଣ, ଚନ୍ଦ୍ର ନାମ ଅଯୁଦ୍ଧ ହେବାରୁ ପଛରେ ରହିଲା ଓ ରାମ ନାମ ବିଶୁଦ୍ଧ ହେତୁ ଆଦ୍ୟରେ ରହି ରାମଚନ୍ଦ୍ର ବୋଲାଇଲା । ଏ ନିଶ୍ଚୟ ବିଷ୍ଣୁ ଅଟନ୍ତି ।

 

୩୮ଶ ପଦ :- ସୁରଙ୍ଗ-ଉତ୍ତମବର୍ଣ୍ଣବିଶିଷ୍ଟ । ପାଦପାଣି-ପାଦ ଓ ହସ୍ତବିକାଶେ, ପ୍ରକାଶିତ ହୁଏ । ସୁଦର୍ଶନ-ବିଷ୍ଣୁଙ୍କର ଚକ୍ରାୟୁଧ ହୃଦୟମଣି, କୌସ୍ତୁଭମଣି । ବସନ୍ତବାସଧର-ପୀତାମ୍ବର । ଛଦ୍ମ-କପଟ । କୀଶପର-ହନୁମାନ ଉପରେ । ମଧୁର-ମନୋହର। ବଈଶ-ଗରୁଡ଼ ।

 

୩୮ଶ ପଦ :- ଆଉ ଏକ ସ୍ତ୍ରୀ କହିଲା, ଗୋସଖି । ତୋର କହିବା କଥା ସତ ଅଟେ । ଏହାଙ୍କ ହସ୍ତପଦ ରଙ୍ଗଯୁକ୍ତ ଓ ପଦ୍ମପରି ହୋଇଥିବାରୁ ଏ ସୁରଙ୍ଗ ପଦ୍ମପାଣି ଏବଂ ସୁଦର୍ଶନ ଚକ୍ରର ଦୀପ୍ତିଆନ ପ୍ରକାରରେ ଅର୍ଥାତ୍ ଧନୁଶର ରୂପରେ ଏହାଙ୍କ ହସ୍ତରେ ବିରାଜୁଅଛି । ହୃଦୟରେ ମଣି (ସୀତାଙ୍କ ମଥାମଣି) କୌସ୍ତୁଭମଣି ପରି ଜଳୁଅଛି।’’ ଆଉ କେହି କହିଲା, ‘‘ଏହି ପୀତାମ୍ବରଧାରୀ ବିଷ୍ଣୁ ହନୁମାନ ପୃଷ୍ଠରେ ବିଜେ କରିବା ଛଳରେ ଗରୁଡ଼ ପୃଷ୍ଠରେ ବିରାଜମାନେ କରିଅଛନ୍ତି । ବତ୍ରିଶଲୀଳାବତାରମାନଙ୍କ ମଧ୍ୟରେ ଏ ଅବତାର ମନୋରମ ଅଟେ ।’’ (ବତ୍ରିଶଲୀଳାବତାର, ଯଥା:- ଚତୁଃସନକ, ନାରଦ, ବରାହ, ମତ୍ସ୍ୟ, ଯଜ୍ଞ, ନର, ନାରାୟଣ କପିଳା, ଦତ୍ତ, ହୟଗ୍ରୀବ, ହଂସ, ପୃଶ୍ନିଗର୍ଭ ଋଷଭ, ପୃଥୁ, ନୃସିଂହ, କର୍ମ, ଧନ୍ୱନ୍ତରୀ, ଧର୍ମ, ଧ୍ରୂବ, ହରି, ମୋହିନୀ, ବାମନ, ପର୍ଶୁରାମ, ରାମ, ବ୍ୟାସ, ବଳଭଦ୍ର, କଳକି, କୃଷ୍ଣ, ବୁଦ୍ଧ) ।

 

୩୯ଶ ପଦ :- ଶଙ୍କା-ଭୟ । ଜାଳି-ବିନାଶ କରି, ଦୂର କରି । ଲଙ୍କାକାମିନୀପୁଞ୍ଜ-ଲଙ୍କାର ରମଣୀଗଣ । ବଇରୀ-ଶତ୍ରୁ । ଉସତ-ଉଲ୍ଲସିତ । ବିଳିସିତ-ପ୍ରକାଶିତ । ବରଣଅରିଦ୍ୱାର-ସିଂହଦ୍ୱାର । ଦଶଶିର-ରାବଣ । ସେନାନୀ-ସୈନ୍ୟମାନେ।

 

୩୯ଶ ପଦ :- ‘ଆମ୍ଭେମାନେ ହୁଳହୁଳି ଦେଲେ ରାବଣ ଆମ ଉପରେ କୋପ କରିବ, ଏହି ଭୟକୁ ତ୍ୟାଗ କରି ଲଙ୍କାର ସ୍ତ୍ରୀମାନେ ହୁଳହୁଳି ପକାଇଲେ । ରାମଙ୍କ ବାହୁଡ଼ାବିଜେ ଦେଖି ଶତ ଶତରାକ୍ଷସ ଶତ୍ରୁ ଉଲ୍ଲସିତ ହେଲେ, ମିଥ୍ୟା ନୁହେଁ । ରାମଚନ୍ଦ୍ର ଶୀଘ୍ର ଯାଇ ସୁବେଳ ପର୍ବତରେ ବିହାର କଲେ । ସିଂହଦ୍ୱାର ନିକଟରେ ରାବଣ ଭୟତ୍ରସ୍ତ ହୋଇଥିବା ନିଜର ସୈନ୍ୟମାନଙ୍କୁ ଦେଖିଲା ।

 

୪୦ଶ ପଦ :- କଦଳି-ମୃଗ । ମୋଚମର୍ଦ୍ଦି-ନିଶମୋଡ଼ିବା । ସ୍ୱରଭଙ୍ଗ-କ୍ଷୀଣକଣ୍ଠରେ । ଗିର-ବଚନ । ବିରାବ-ଉଚ୍ଚଧ୍ୱନି । ଅମାପ-ଅସୀମ । ତ୍ରାସେ-ଭୟରେ ।

 

୪୦ଶ ପଦ :- ଏହା ଦେଖି ରାବଣର ଦେହ ପବନରେ କଦଳୀପତ୍ର ଥରିଲା ପ୍ରାୟ ଥରିଲା । ମୃଗନେତ୍ର ପ୍ରାୟ ତାର ନେତ୍ର ଚଞ୍ଚଳ ହେଲା । ସେ ବୀରତ୍ୱ ବ୍ୟଞ୍ଜନ ନିଶମୋଡ଼ା ଭୁଲିଯାଇ ଦୂତଙ୍କୁ ପଚାରିଲା-‘‘ଏକି କଥା ?’’ ଦୂତମାନେ ଭୟହେତୁ କ୍ଷୀଣକଣ୍ଠରେ ଖଣ୍ଡବାକ୍ୟମାନ କହିଲେ (ରାମଚନ୍ଦ୍ରଙ୍କ ଭୟରେ କଥା ବାହାରୁ ନାହିଁ; ମାତ୍ର ନ କହିଲେ ରାବଣ କୃଦ୍ଧହେବ) ‘‘ସୁଗ୍ରୀ ଓ ହନୁ ଯେପରି କ୍ରୁଧହୋଇ ଗୋଡ଼ାଇଲେ, ତାକୁ ଆଉ ଉପମା ନାହିଁ । ଭୟ ପାଇ ଆମେ ପଳାଇ ଆସିଲୁ ।’

 

ବଜ୍ରଦଂଷ୍ଟ ଧୁମ୍ରାକ୍ଷ ଅକମ୍ପନ ପିଶାଚ ସେନାପତିଏ କାହିଁ ଯେ ।

ବୋଲନ୍ତେ ଦଶଶିର ଚାର ଯୋଡ଼ିଶକର ବୋଇଲା ନାଶ ସେହି ଯେ ।

ବିସ୍ମୟରେ । ବେଗେ ତେଜି ନିଶ୍ୱାସ ସେ ।

ବୃଷାହେଷୀ ପ୍ରବେଶ ସଙ୍ଗେ ଭ୍ରାତବିଶେଷ ବୋଲେ ତାଙ୍କୁ ଏ ଭାଷ ସେ ।୪୧।

 

ବ୍ୟାଘ୍ର କ୍ରୋଡ଼ରେ ଅଜ ପ୍ରବେଶ ହେଲା ଆଜ ନ ପାରିଲେ ବିନାଶି ଯେ ।

ବୀର ବୋଲାଅ ସର୍ବେ ପ୍ରତିଜ୍ଞା କହଗର୍ବେ ବ୍ୟର୍ଥେ ଆସିକି କଷି ଯେ ।

ବସୁଧାକୁ । ବଦନମାନ କଲେ ସେ ।

ବୟାଳିଶ ପଦରେ ଏ ଛାନ୍ଦ ମନୋହରେ ବୀରବର ଭାବିଲେ । ଯେ । ୪୨ ।

 

୪୧ଶ ପଦ :- ବୃକ୍ଷାଦ୍ଵେଷୀ-ଇନ୍ଦ୍ରଜିତ ।

 

୪୧ଶ ପଦ :- ତତ୍‌ପରେ ରାବଣ ପଚାରିଲା, ‘‘ବଜ୍ରଦଂଷ୍ଟ୍ର, ଧୂମ୍ରାକ୍ଷ, ଅକମ୍ପନ ଓ ପିଶାଚ ସେନାପତିମାନେ କାହାନ୍ତି?’’ ତାହା ଶୁଣି ଦୂତ ହାତଯୋଡ଼ି ଜଣାଇଲା, ‘‘ସେମାନେ ବିନାଶ ହେଲେ ।’’ ତାହା ଶୁଣି ରାବଣ ବିସ୍ମୟରେ ଅତିଶୀଘ୍ର ନିଶ୍ୱାସଛାଡ଼ିଲା । ସେହି ସମୟରେ ଇନ୍ଦ୍ରଜିତ ସେଠାରେ ପହଞ୍ଚିଗଲା । ତା ସହିତ ଅନ୍ୟ ଭାଇମାନେ ମଧ୍ୟ ଥିଲେ । ରାବଣ ତାଙ୍କୁ ଦେଖି କହିଲା।

 

୪୨ଶ ପଦ :- ଅଜା-ଛେଳି । ବ୍ୟର୍ଥେ-ବୃଥାରେ।ଅସି-ଖଣ୍ଡା । କଷି-ଝମକାଇ।ବସୁଧାକୁ-ପୃଥିବୀକୁ ଅର୍ଥାତ୍ ତଳକୁ ।ବଦନମାଳ-ମୁଖସବୁ।

 

୪୨ଶ ପଦ :- ‘‘ବାଘ କୋଳରେ ଆଜି ଛେଳି ପ୍ରବେଶ କରିଥିଲା । ତୁମ୍ଭେ ସମସ୍ତେ ବୀର ବୋଲାଅ, ଅଥଚ ତାକୁ ବିନାଶ କରି ପାରିଲନାହିଁ । ବୃଥାରେ ସିନା ଖଣ୍ଡା ଝମକାଇ ଏତେ ଗର୍ବ ଦେଖଉଥାଅ ।’’ ରାବଣର ଏବାଣୀ ଶୁଣି ସମସ୍ତେ ଲଜ୍ଜାରେ ତଳକୁ ମୁଖ ପୋତିଲେ। ଏହି ମନୋହର ଛାନ୍ଦ ବୟାଳିଶ ପଦରେ ବୀରବର ରଚନା କଲେ।

 

Unknown

ଚତୁଶ୍ଚତ୍ୱାଂରିଶ ଛାନ୍ଦ

ରାଗ-କାମୋଦୀ

(ହଂସଦୂତ ବାଣୀରେ)

 

ବିଭାବରୀ ବିନାଶ ବିଭାବସୁ      ପ୍ରକାଶ ପ୍ରକଟ ଅଶେଷ ।

ବିଷମବାମେ ତ୍ରାସ ବିଂଶନେତ୍ରନିଶ୍ୱାସତେଜି ବୋଇଲା ଉଚ୍ଚ ଭାଷ ସେ !

ବଂଶଧ୍ୱଂସ।

ବ୍ୟର୍ଥ ଆନନ୍ଦରେ କରି ଅଂଶ            ବୋଧିମୋ ଭ୍ରାତ ଘେନି ଆସ ।

ବିନିଦ୍ରରେ ରଭସ ବିନଶତ୍ୟି ଅବଶ୍ୟ କରିବ ବଇରୀସାହସ ସେ । ୧ ।

 

ବାରିଧି କୁମ୍ଭନୀର ଗ୍ରାସେ କୁମ୍ଭସୁତର ସମ୍ଭବ ନୁହଇ ଆନର ।

ବାନର ନରବଳ ବେନିଜାତ ରୁଧିରପାନ ହେବ କୁମ୍ଭକର୍ଣ୍ଣର ସେ ।

ବାରବାର ।

ବାରିଜୀବଙ୍କ ପରକାର            ବିରାଜିବ ମୃତ ଶରୀର ।

ବଞ୍ଚକ ଗୃଧ୍ର ଚିରକ୍ଷୁଧା ହୋଇବ ଦୂର ଭଜିବ ଲଙ୍କାପୁର ସ୍ଥିର ସେ । ୨ ।

 

ବୋଲନ୍ତେ ମହୋଦରେ ଚାହିଁ କୁଳୁପାକ୍ଷରେ ଯାଇ ସେ ସତ୍ୱରେ ଚତ୍ୱରେ

ବେଶ୍ୱବର ଭିତରେ ପଶିଣ ତଦୁତ୍ତାରେ ଦେଖିଲେ ପଲ୍ୟଙ୍କ ଉପରେ ସେ

ବିନ୍ଧ୍ୟଧରେ ।

ବପୁ ତାର ଉପମା ଧରେ            ବତାସ ଲକ୍ଷ ନିଃଶ୍ୱାସରେ।

ବସେ ନିଜସ୍ଥାନରେ ଗତି କରି ଊର୍ଦ୍ଧ୍ୱରେ ମନ୍ଦିରଚାଳ ନିରନ୍ତରେ ସେ । ୩ ।

 

ବୋଳି ଚନ୍ଦନ ଫଇଁ ଉଚ୍ଚରେ ଡାକଦେଇ ବହୁତ ଲୋକ ରୁଣ୍ଡ ହୋଇ।

ବିଚେଷ୍ଟା ନ ଭାଜଇ ଶ୍ରୂତିପାର୍ଶ୍ୱେ ତୁହାଇ ବିବିଧ ବାଦ୍ୟକୁ ବଜାଇ ସେ ।

ବାଜୀ ନେଇ ।

ବିସ୍ତାର ଅଙ୍ଗରେ ଧୂଆଇଁ            ବାରଣଦନ୍ତରେ ମରାଇ ।

ବସିଲା ଚେତା ପାଇ ବହୁ ଆହାର ଖାଇ ଦୁଧ ମଦ ରକତ ପିଇ ସେ । ୪ ।

 

ବାହାରି ଶତ ଶତଆହାରୀ ହୋଇ ଦୈତ୍ୟ ବାହାରି କରେ ଶୂଳଧୃତ।

ବିବୁଧ ତଳେ ସ୍ଥିତ କଳ୍ପପାଦପବତ ପ୍ରାକାରେ ଜିଣି ଦିଶେ ମତ ସେ ।

ଚଳବନ୍ତ ।

ବହେ ଅଭ୍ରମୁପତି ଭୀତ            ବାରବାର ଆଉଁଷେ ଦନ୍ତ ।

ବିମଳଜ୍ୟୋତି ହତ ଆଦିତ୍ୟ ସନ୍ତପନ୍ତ ତୁରଙ୍ଗରଙ୍ଗ ବିଳମ୍ବିତ ସେ ।୫।

 

୧ମ ପଦ :- ବିଭାବରୀ-ରାତ୍ରି । ବିଭାବବସୁ-ସୂର୍ଯ୍ୟ । ବିଭାଷ-ଶବ୍ଦ । ଅଶେଷ-ଅସଂଖ୍ୟ । ବିଷମବାମେ-ଭୟଙ୍କର ଶତ୍ରୁଠାରେ । ତ୍ରାସ-ଭୟ । ବଂଶଧ୍ୱଂସ-ବଂଶବିନାଶ । ରଭସ-ଶୀଘ୍ର ।

 

୧ମ ପଦ :- ରାତ୍ରି ଶେଷ ହୋଇ ପ୍ରଭାତ ହୁଅନ୍ତେ ସୂର୍ଯ୍ୟ ଉଦିତ ହେଲେ ଓ ବିଶେଷ ଭାବରେ ପକ୍ଷୀଙ୍କର ଶବ୍ଦ ଶୁଣାଗଲା । ରାବଣ ଶତ୍ରୁଠାରୁ ଅତିଶୟ ଭୟପ୍ରାପ୍ତ ହୋଇଥିବାରୁ ଦୀର୍ଘନିଶ୍ୱାସ ପକାଇ ଉଚ୍ଚ ସ୍ୱରରେ କହିଲା ‘‘ଅନ୍ୟବୀରଠାରେ ଆଶା ରଖି ବ୍ୟର୍ଥରେ ମୋ ବଂଶ ଧ୍ୱଂସହେଲା; ଏବେ ମୋ ଭାଇ କୁମ୍ଭକର୍ଣ୍ଣକୁ ନିଦ୍ରାରୁ ଉଠାଇ ବୋଧ ଦେଇ ଘେନିଆସ। ସେ ନିଦ୍ରାରୁ ଉଠିଲେ ଅବଶ୍ୟ ଶୀଘ୍ର ଯାଇ ଶତ୍ରୁମାନଙ୍କର ବଢ଼ିଯାଉଥିବା ସାହସକୁ ବିନାଶ କରିବ । ଅଥବା ଶତ୍ରୁଙ୍କୁ ସାହସ ପୂର୍ବକ ବିନାଶ କରିବ ।’’

 

୨ୟ ପଦ :- ବାରିଧି ସମୁଦ୍ର । କୁମ୍ଭନୀର-ମାଠିଆଏ ପାଣି । କୁମ୍ଭ ସୁତର-ଅଗସ୍ତିଙ୍କର । ରୁଧିର-ରକ୍ତ । ବାରବାର-ଅସଂଖ୍ୟ, ବାରମ୍ବାର ବା ଥରକୁଥର । ବାରିଜିବ- ଜଳଚର ପ୍ରାଣୀ । ବଞ୍ଚକ-ବିଲୁଆ ।ଗ୍ରୁଧ-ଶାଗୁଣା ।

 

୨ୟ ପଦ :- ‘‘କେବଳ କୁମ୍ଭସ୍ତୁତ ଅଗସ୍ତ୍ୟ ମୁନିଙ୍କଠାରେ ସମୁଦ୍ରକୁ କୁମ୍ଭଜଳ ପ୍ରାୟ ପାନ କରିବାର ସାମର୍ଥ୍ୟ ସମ୍ଭବ, ଅନ୍ୟଠାରେ ନୁହେଁ। ସେହିପରି ନର ବାନରଙ୍କ ଦେହରୁ ଜାତହେବା ରକ୍ତ ପାନ କରିବା ଶକ୍ତି କେବଳ କୁମ୍ଭବର୍ଣ୍ଣଠାରେ ହିଁ ସମ୍ଭବ । ସେ ଯୁଦ୍ଧ କଲେ ଯୁଦ୍ଧକ୍ଷେତ୍ରରେ ଜଳଜନ୍ତୁ ପ୍ରାୟ ଶବ ଥରକୁ ଥର ଭାସିବେ (ଶତ୍ରୁଙ୍କ ରକ୍ତ ଜଳପ୍ରାୟ ଯୁଦ୍ଧକ୍ଷେତ୍ରକୁ ପ୍ଲାବିତ କରିବ) । ଶୃଗାଳ ଶାଗୁଣାମାନଙ୍କର କ୍ଷୁଦ୍ଧ ଚିରକାଳ ପାଇଁ ଦୂର ହୋଇଯିବ। ଶତ୍ରୁଶୂନ୍ୟ ହେବାରୁ ଲଙ୍କାପୁର ସୂସ୍ଥ ହେବ ।’’

 

୩ୟ ପଦ :- ସତ୍ୱର-ଚଞ୍ଚଳ। ଚତ୍ୱରେ-ଅଗଣରେ । ବେଷ୍ମବର-ମନୋହର ଗୃହ । ବିନ୍ଧ୍ୟଧର-ବିନ୍ଧ୍ୟପର୍ବତ । ବପୁ-ଶରୀର । ଉର୍ଦ୍ଧରେ-ଉପରେ । ମନ୍ଦର ଚାଳ-ଘରର ଚାଳ। ନିରନ୍ତର-ସର୍ବଦ।

 

୩ୟ ପଦ :- ରାବଣ ମହୋଦର ଓ ଜୁଳୁପାକ୍ଷକୁ ଚାହିଁ ଏହା କହନ୍ତେ’ ସେ ଦୁହେଁ ଶୀଘ୍ରଯାଇ କୁମ୍ଭକର୍ଣ୍ଣର ଅଗଣାରେ ମିଳିଲେ । ତଦନନ୍ତର ସେହି ଶ୍ରେଷ୍ଠ ଗୃହ ଭିତରେ ପଶି ଦେଖିଲେ ଯେ, କୁମ୍ଭକର୍ଣ୍ଣ ପଲଙ୍କ ଉପରେ ଶୋଇଅଛି । ନିଶ୍ୱାସ ବହୁଅଛି । ସର୍ବଦା ନିଶ୍ୱାସ ଛାଡ଼ିବା ହେତୁ ଶୟନଗୃହର ଚାଳ ଉର୍ଦ୍ଧ୍ୱକୁ ଉଠି ପୁଣି ନିଜ ସ୍ଥାନରେ ରହୁଅଛି । (ସେ ଏଡ଼େଯୋରରେ ନିଶ୍ୱାସ ଛାଡ଼ୁଅଛି ଯେ, ଗୃହର ଚାଳ ଉଠୁଛି ଓ ପଡ଼ୁଛି) ।

 

୪ର୍ଥ ପଦ :- ବିଚେଷ୍ଟା-ଅଜ୍ଞାନ ।ଶ୍ରୁତିପାର୍ଶ୍ୱରେ-କର୍ଣ୍ଣପାର୍ଶ୍ୱରେ।ବାଜୀ-ଘୋଟକ।ଧୂଆଇଁ-ଦୌଡ଼ାଇ।ବାରଣଦନ୍ତରେ-ହାତୀଦାନ୍ତରେ। ଫାଇଁ-ପ୍ରଚୁର ।

 

୪ର୍ଥ ପଦ :- ସେମାନେ କୁମ୍ଭକର୍ଣ୍ଣର ନିଦ୍ରା ଭଗ୍ନ ନିମନ୍ତେ ବହୁତ ଚନ୍ଦନ ତାହାର ଦେହରେ ବୋଳିଲେ। ଅନେକ ଲୋକ ଏକାଠି ରୁଣ୍ଡହୋଇ ଉଚ୍ଚରେ ଡାକ ଦେଲେ । ତଥାପି ତାର ନିଦ୍ରା ଭଗ୍ନ ନ ହେବାରୁ କାନପାଖରେ ନାନାପ୍ରକାର ବାଦ୍ୟ ଘନ ଘନ ବଜାଇଲେ, ଘୋଡ଼ାମାନଙ୍କୁ ନେଇ ତାହାର ବିସ୍ତୃତ ବକ୍ଷ ଦେଶରେ, ଦଉଡ଼ାଇଲେ, ହାତୀକୁ ନେଇ ଦନ୍ତଦ୍ୱାରା ତାହାକୁ ଉଠାଇଲେ । ଏହିପରି ହେବାରୁ ସେ ଚେତା ପାଇ ବସିଲା ଏବଂ ବହୁଳ ଖାଦ୍ୟ ଖାଇ ଦୁଧ, ରକତ ଓ ମଦ୍ୟ ପାନକଲା।

 

୫ମ ପଦ :- ବାହାରି-(ବାହ-ମହିଷ, ଅରି-ଶତ୍ରୁ), ମହିଷଆହାରୀ-କୁମ୍ଭକର୍ଣ୍ଣ । ଆହାରୀ-ଭୋଜନପଟୁ । ଦୈତ୍ୟ-ରାକ୍ଷସ (କୁମ୍ଭକର୍ଣ୍ଣ) । ବିବୁଧାଚଳ-ମେରୁପର୍ବତ । କଳ୍ପପାଦପର୍ବତ-କଳ୍ପବୃକ୍ଷପରି ତାର ଦେହ ବିନ୍ଧ୍ୟପର୍ବତ ପ୍ରାୟ ଦେଖା ଯାଉଅଛି । ବତାସ ବହିଲା ପ୍ରାୟ ତା ଅଭ୍ରମୂତି-ଐରାବତ ହସ୍ତୀ । ବାରବାର-ପୁନଃପୁନ । ବିମଳଜ୍ୟୋତି-ନିର୍ମଳଛବି । ଆଦିତ୍ୟ-ସୂର୍ଯ୍ୟ । ତୁରଙ୍ଗରଙ୍ଗ-ଘୋଡ଼ାମାନଙ୍କରକ୍ରୀଡ଼ା । ବିଳମ୍ବିତ-ବିଳମ୍ବ । ପ୍ରକାର-ପ୍ରଚୀର।

 

୫ମ ପଦ :- ସେହି କୁମ୍ଭକର୍ଣ୍ଣ ଦୈତ୍ୟ ଶତ ଶତ ମଇଁଷି ଆହାର କରି ହସ୍ତରେ ଶଳଧରି ବାହାରି ପଡ଼ିଲା । ଏହା ସତ ଯେ, ମେରୁଗିରି ପରେ କଳ୍ପବୃକ୍ଷ ସ୍ଥିତ ହେଲା ପ୍ରାୟ ଲଙ୍କା ପାଚେରୀରୁ ବଳି ଦେଖାଯାଉଥିବା ମେରୁଗିରିସମ କୁମ୍ଭକର୍ଣ୍ଣ ହସ୍ତରେ କଳ୍ପବୃକ୍ଷସମ ଶୂଳ ଦେଖାଗଲା । ସେହି ବଳିଷ୍ଠ ବୀର ଉଠିବାରୁ ଐରାବତ ହସ୍ତୀ ଭୟ ପାଇ ବାରମ୍ବାର ତା ଦାନ୍ତକୁ ଆଉଁସିଲା । (ପୂର୍ବେ କୁମ୍ଭକର୍ଣ୍ଣ ତା ଦାନ୍ତ ଉପାଡ଼ି ପକାଇଥିଲା । କୁମ୍ଭକର୍ଣ୍ଣକୁ ଦେଖି ସୂର୍ଯ୍ୟ ସନ୍ତପ୍ତ ହେଲେ, ତାଙ୍କର ରଥରେ ଲାଗିଥିବା ଅଶ୍ୱଙ୍କର ଗମନ କ୍ରୀଡ଼ା ବିଳମ୍ବ ହେବା ଯୋଗୁଁ ତାଙ୍କର ନିର୍ମଳ ପ୍ରଭା ବିକାଶ ହେଲା । ସୂର୍ଯ୍ୟ ଭୟ କଲେ ଯେ କାଳେ କୁମ୍ଭକର୍ଣ୍ଣ ଆସି ତାଙ୍କ ଅଶ୍ୱମାନଙ୍କୁ ଭକ୍ଷଣ କରି ପକାଇବ ।

 

ବାସୁକି ଅସକତ ଅଶୁ ପୃଥ୍ୱୀ ଲସିତ ଉମାଗୁରୁ କମ୍ପିତ ।

ବଣାରୁ ଦମ୍ଭବ୍ରାତ ଠଣାରୁ ପଳାୟିତ ଅସର କପି ଇତସ୍ତତ ଯେ ।

ବିଲୋକିତ ।

ବୋଇଲେ ଏ କି ଅଦଭୂତ            ବିଭୀଷଣକୁ ରଘୁସୁତ

ବିଭାବୀକେ ଜାତ ଗଇରିକ ପର୍ବତ ଉନ୍ନତ ଛୁଉଁଛି ଅନନ୍ତ ସେ । ୬ ।

 

ବିଭୀଷଣ ଭାଷଣ ନୁହଇ ଗୋତ୍ରପୁଣ ଉଠିଲା ସେ ଘଟଶ୍ରବଣ।

ବିଭୀତିକ ନୋହିଣ ବ୍ରହ୍ମାଣ୍ଡେ ଏକଜଣ ନାହାନ୍ତି ଏକାକୁ ପ୍ରମାଣ ସେ ।

ବୀରପଣ ।

ବହେ ଦର୍ପକ କରି ଟାଣ            ବେଭାରେ ଯୋଗୀନ୍ଦ୍ର ଆପଣ

ବିହ ନାଶ ତତକ୍ଷଣ ପଡ଼ିଲାଣି ଈକ୍ଷଣହୁଅ ସୁକୃତି ବିଚକ୍ଷଣ ସେ । ୭ ।

 

ବହୁପଥେ ରାକ୍ଷସ ନଷ୍ଟ ଦେଖିଲାଦେଶ ଜୁଳୁପାକ୍ଷେ ପାଇ ସନ୍ଦେଶ ।

ବିନୟଭାବେ ବଶ ବସି ଲଙ୍କେଶ ପାଶପୁଚ୍ଛନ୍ତେ କଲା ସେ ପ୍ରକାଶ ସେ ।

ବୀରଈଶ।

ବିପଦ ବ୍ୟାଧିରେ ମୁଁ କୁଶ            ବୈଦ୍ୟ ହୋଇ ଆତୁର ନାଶ

ବିଦିତ ଏଥି ଦଶରଥଜ ଘେନି କୀଶ କ୍ରବ୍ୟାଦେ ରଚେ ଦଶାଦଶ ସେ । ୮ ।

 

ବୋଲନ୍ତେ କୁମ୍ଭଶ୍ରୁତି କାହିଁକି ସେ ଅରାତି କେମନ୍ତେ ବାନର ସଙ୍ଗତି।

ବୋଇଲା ଲଙ୍କପତି ଯାଇ ମାରୀଚକତି କରାଇ ତାକୁ ମାୟାମୂର୍ତ୍ତି ସେ ।

ବେନି ଯତି ।

ବିନ୍ଧି ଯାଉ ତାକୁ ଝଟିତି            ବଳେ ଆଣିଲି ତା ଯୁବତୀ

ବନେ ସୁଗ୍ରୀବେ ପ୍ରୀତି ବାଳିକି ହରିହତି ଶୈଳେ ସାଗର ସେତୁକୃତି ସେ । ୯।

 

ବୋଲେ କଲୁ କି ବୁଦ୍ଧି ନାରୀଚଉର ସିଦ୍ଧି ମାତର ହୋଇଲା ପ୍ରସିଦ୍ଧି ।

ବାଳିକ ଯେହୁ ବଧି ତାରେ ପୁଣି ବିରୋଧୀ ନ ଘେନ ବନ୍ଧେତରେବାର୍ଦ୍ଧି ସେ ।

ବଡ଼ଯୋଧୀ ।

ବିଶ୍ୱରେ ପାରିବ କେ ସାଧି            ବିଂଶାଷ କହେ କହୁଁବୋଧ

ବିଭୀଷଣ ସମୃଦ୍ଧି ଆଶେ କଲାଅବିଧି ପଳା ତୁ ହେଲୁଣି ଭୀତଧୀ ସେ । ୧୦ ।

 

୬ଷ୍ଠ ପଦ :- ଆଶୁ-ଶୀଘ୍ର । ଉମାଗୁରୁ-ହିମାଳୟ । ଗୁରୁ-ବିଶେଷ ଭାବରେ । ଠଣାରୁ-ସ୍ଥାନରୁ । ଅସର-ବହୁତ । ଇତସ୍ତତଃ-ଏଣେ ତେଣେ । ବିଲୋକିତ-ଦେଖି । ବିଭାବରୀ-ରାତ୍ରି । ଗଇରିକପର୍ବତ-ଗେରୁ ପର୍ବତ । ଉନ୍ନତ-ଉଚ୍ଚ । ଅନନ୍ତ-ଆକାଶ । ଲସିତା-ଦବିଯିବା । ଦମ୍ଭବ୍ରାତ-ଦମ୍ଭସବୁ।

 

୬ଷ୍ଠ ପଦ :- କୁମ୍ଭକର୍ଣ୍ଣ ଚାଲିବାବେଳେ ବାସୁକି ତାର ଭାର ସହିବାକୁ ଅସମର୍ଥ ହେଲା, ତେଣୁ ପୃଥ୍ୱୀ ଦବିଗଲା । ହିମାଦ୍ରିଶିଖର ବିଶେଷ ଭାବରେ କମ୍ପିତ ହେବାକୁ ଲାଗିଲା । କୁମ୍ଭକର୍ଣ୍ଣକୁ ଦେଖି କପିସୈନ୍ୟମାନଙ୍କର ଧୈର୍ଯ୍ୟ ନାଶ ହେବାରୁ, ସେମାନଙ୍କ ମଧ୍ୟରୁ ଅନେକ ବ୍ୟୁହ ଛାଡ଼ି ପଳାୟନ କଲେ ଏହା ଦେଖି ରାମଚନ୍ଦ୍ର ବିଭୀଷଣକୁ କହିଲେ, ‘‘ଏ କି ଅଦ୍ଭୁତ କଥା ! ରାତିକ ମଧ୍ୟରେ ଗୋଟିଏ ଗୈରିକ ପର୍ବତ ଜାତ ହୋଇ ଉଚ୍ଚତାରେ ଆକାଶକୁ ସ୍ପର୍ଶ କଲା କିପରି ?’’

 

୭ମ ପଦ :- ଗୋତ୍ର-ପର୍ବତ । ଘଟଣ୍ରବଣ-କୁମ୍ଭକର୍ଣ୍ଣ । ବିଭୀତିକ-ନିର୍ଭୟରେ । ଦର୍ପକପରି-କନ୍ଦର୍ପପରି। ଈକ୍ଷଣ-ଚକ୍ଷୁ । ସୁକୃତି-କୃତିତ୍ୱ ।

 

୭ମ ପଦ :- ଏହା ଶୁଣି ବିଭୀଷଣ ଉତ୍ତର ଦେଲେ ‘‘ସେ ପର୍ବତ ନୁହେଁ, କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠିଛି । ବ୍ରହ୍ମାଣ୍ଡ ମଧ୍ୟରେ ଜଣେ ହେଲେ ଏପରି କେହି ନାହିଁ-ଯେ କି ଏହାକୁ ଭୟ ନକରେ, ଏହା ସତ୍ୟ ଅଟେ । ଏ ବୀରପଣରେ କନ୍ଦର୍ପ ପ୍ରାୟ ଟାଣ ବହେ । ବିଧିରେ ତ ଆପଣ ଯୋଗୀଶ୍ରେଷ୍ଠ। ଯୋଗୀଶ୍ରେଷ୍ଠ ମହାଦେବଙ୍କ ନେତ୍ର ପଡ଼ିଲାଣି କନ୍ଦର୍ପ ଭସ୍ମ ହେଲା ପ୍ରାୟ ଆପଣ ନେତ୍ରପାତ ମାତ୍ରକେ ଏହାକୁ ବିନାଶ କରନ୍ତୁ, ଆପଣଙ୍କର କୀର୍ତ୍ତି ସଂସାରରେ ବିଖ୍ୟାତ ହେବ ।’’

 

୮ମ ପଦ :- ପଥେ-ବାଟରେ । ସନ୍ଦେଶ-ବାର୍ତ୍ତା । ଲଙ୍କେଶପାଶ- ରାବଣ ସମୀପରେ । ବୀରଈଷ-ବୀରଶ୍ରେଷ୍ଠ । କୁଶ-କ୍ଷୀଣ । ବିଦିତ-ପ୍ରକାଶିତ ଦଶରଥଜ-ଦଶରଥପୁତ୍ର । କୀଶ-ବାନର । କ୍ରବ୍ୟାଦେ-ରାକ୍ଷସଙ୍କଠାରେ । ଦଶାଦଶ-ଦଶମ ଦଶା ଅର୍ଥାତ୍ ମରଣଦଶା ।

 

୮ମ ପଦ :- କୁମ୍ଭକର୍ଣ୍ଣ ଗଲାବେଳେ ବାଟରେ ଦେଶର ବହୁତ କ୍ଷତି ହୋଇଥିବାର ଦେଖିଲା ଏବଂ ଜୁଳୁପାକ୍ଷଠାରୁ ସମସ୍ତ ଖବର ବୁଝିଯାଇ ରାବଣ ପାଖରେ ବସି ବିନୟ ପୂର୍ବକ କାରଣ ପୂଚ୍ଛା କଲା । ରାବଣ କହିଲା, ହେ ବୀର ଶ୍ରେଷ୍ଠ ! ବିପତ୍ତିରୂପ ରୋଗଗ୍ରସ୍ତ ହୋଇ ମୁଁ କ୍ଷୀଣ ହୋଇଅଛି, ତୁ ବୈଦ୍ୟ ହୋଇ ମୋର ସେହି ରୋଗକୁ ବିନାଶ କର । ଦଶରଥ ରାଜାର ପୁତ୍ର ରାମଚନ୍ଦ୍ର ଏ ଦେଶରେ ପ୍ରବେଶ କରି କପିଙ୍କୁ ସଙ୍ଗତରେ ଘେନି ରାକ୍ଷସକୁ ଦଶମଦଶା (ମରଣ ଦଶା) ପ୍ରଦାନ କରୁଅଛି ।

 

୯ମ ପଦ :- କୁମ୍ଭଶ୍ରୁତି-କୁମ୍ଭକର୍ଣ୍ଣ । ଅରାତି-ଶତ୍ରୁ । ସଙ୍ଗତି-ସଙ୍ଗରେ । ଲଙ୍କାପତି-ବେଣ। ମାୟାମୂର୍ତ୍ତି-କପଟରୂପ । ଯୁବତୀ-ସ୍ତ୍ରୀ (ଷୋଡ଼ଶ ବର୍ଷଠାରୁ ତ୍ରିଂଶବର୍ଷ ପର୍ଯ୍ୟନ୍ତ ସ୍ତ୍ରୀକୁ ଯୁବତୀ ବୋଲାଯାଏ) । ହତି-ବିନାଶ । ଶୈଳେ-ପର୍ବତରେ । ସାରେ-ସମୁଦ୍ର । ସେତୁକୃତି-ବନ୍ଧ ପକାଇ ।

 

୯ମ ପଦ :- ରାବଣର କଥା ଶୁଣି କୁମ୍ଭକର୍ଣ୍ଣ କହିଲା, ସେ ଦଶରଥସୁତ କାହିଁକି ତୁମ୍ଭର ଶତ୍ରୁ ହେଲା ? ପୁଣି ନର ହୋଇ ବାନରଙ୍କର କାହିଁକି ମିତ୍ର ହେଲା ? ଏହା ଶୁଣି ରାବଣ କହିଲା, ମୁଁ ମରୀଚ ପାଶକୁ ଯାଇ ତାକୁ ମାୟାମୃଗ କରାଇଲି । ସେହି ରାମ ଲକ୍ଷ୍ମଣ ଯତି ଦୁହେଁ ସେ ମାୟାମୃଗକୁ ବଧିବା ନିମିତ୍ତ ଶୀଘ୍ର ତା ପଛରେ ଗୋଡ଼ାଇ ଯାଆନ୍ତେ, ‘ମୁଁ ବଳପୂର୍ବକ ତା ଯୁବତୀ ସ୍ତ୍ରୀକୁ ଘେନି ଆସିଲି। ସେ ଦୁହେଁ ବନମଧ୍ୟରେ ସୁଗ୍ରୀବ ସଙ୍ଗେ ପ୍ରୀତି କରି ବାଳିକୁ ବଧ କଲେ ଏବଂ ସମୂଦ୍ରରେ ପର୍ବତ ପକାଇ ବନ୍ଧ ବାନ୍ଧିଲେ ।’’

 

୧୦ମ ପଦ :- ନାରୀଚଉର-ସ୍ତ୍ରୀଚୋର । ପ୍ରସିଦ୍ଧି-ଖ୍ୟାତି । ବାର୍ଚି-ସମୁଦ୍ର । ବିଶ୍ୱରେ-ପୃଥିବୀରେ । ସମୃଦ୍ଧି-ସମ୍ପତ୍ତି । ଆଶେ-ଆଶାରେ । ଭୀତଧୀ-ଭୟବୁଦ୍ଧ।

 

୧୦ମ ପଦ :- କୁମ୍ବକର୍ଣ୍ଣ କହିଲା, କି ମନ୍ଦ ବୁଦ୍ଧି କଲ ? କେବଳ ‘ନାରୀଚୋର’ ଏହି ପ୍ରସିଦ୍ଧି ରହିଲା । ଯେ ବାଳିକୁ ମାଇଲା ତୁମ୍ଭେ ପୁଣି ତାହାର ଶତ୍ରୁ ହେଲ ? ଯେ ବନ୍ଧ ବାନ୍ଧି ସମୁଦ୍ରକୁ ପାର ହେଲା, ତାକୁ କଣ ତୁମ୍ଭେ ବଡ଼ଯୋଦ୍ଧାବୋଲି ଜାଣିପାରିଲ ନାହିଁ । ତାକୁ ଏ ସଂସାରରେ କେହି ସାଧ୍ୟ କରିପାରିବେ ନାହିଁ । କୁମ୍ଭକର୍ଣ୍ଣ ଏହିପରି ବୋଧ ଦେଇ କହନ୍ତେ, ରାବଣ କୃଦ୍ଧହୋଇ କହିଲା, ‘ବିଭୀଷଣ ସମ୍ପତ୍ତି ଆଶାରେ ଅନିୟମ କରି ଶତ୍ରୁ ପାଦରେ ଶରଣ ପଶିଲା, ତୁତ ଭୀରୁବୁଦ୍ଧି ଧଇଲୁଣି, ଏବେ ପଳାଇ ଯାଇ ଶତ୍ରୁ ପାଦରେ ଶରଣ ପଶ ।’’

 

ବାଳକ ମେଘନାଦ ରାଚୁଁ ପ୍ରଥମେ ବାଦ ଲକ୍ଷ୍ମଣେ କଲା ଶକ୍ତିଭେଦ

ବାରେକ ପୁଣି ଦ୍ୱନ୍ଦ୍ୱ ବିହିଲା ଭ୍ରାତୃଦ୍ୱନ୍ଦ ଦନ୍ଦଶୁକପାଶରେ ଛନ୍ଦ ସେ ।

ବଳେ ମନ୍ଦ।

ବାରେ କି ବଡ଼ାଇ ସମ୍ବାଦ            ବ୍ୟାଘ୍ର ଆଗରେ ବଳୀବର୍ଦ

ବୋଲୁ କରି ନିନାଦ ବାହାର ହେଲା ମନ୍ଦ୍ୟ ବିହ୍ୱଳେ ବୁଦ୍ଧି କରି ମନ୍ଦ ସେ । ୧୧।

 

ବିଧାନ ଗରଜନ ଗର୍ଭସ୍ରାବ ସର୍ଜନବଧିର ପ୍ରାୟ ହେଲେ ଜନ ।

ବିଜ୍ରେ ବଜ୍ର ଯେସନ ଘରଷଣ ତେସନ ଶୁଭେ ରଟମଟ ଦର୍ଶନ ସେ ।

ବିବର୍ଦ୍ଧନ।

ବେଳୁଁ ବେଳୁଁ ତା ଅପଘନ            ବହଇ ନଦୀରୁ ଜବନ ।

ବନଚର ସତନ ହୀରାପନ୍ତି ସମାନ ଧରାରେ କଲ ସେ ମର୍ଦ୍ଦନ ଯେ । ୧୨ ।

 

ବିହୁ ଶ୍ୱାସ ଲସୁନଶୁଷ୍କଚୋପାରୁ ହୀନ ଉଡ଼ିଲେ ଜଗଜ୍ଜେଠିମାନ।

ବର୍ତ୍ମରେ ହନୁମାନ ଅଙ୍ଗଦ ଅଭିମାନ ଲଭି ବିରୋଧିଲେ ବହନ ସେ ।

ବଳବାନ।

ବିଘାତି ବେନି ସାନୁମାନ            ବାଜି ତନୂରେ ଭିନ୍ନ ଭିନ୍ନ।

ବାମପାଦ ଚାଳନ ଶଳପ୍ରହାରେ ଘନସେ ବେତ ହେଲେ ଅଚେତନ ସେ । ୧୩ ।

 

ବିକ୍ରମନ୍ତେ କପଟୀ ପଞ୍ଚସେନା ଲମ୍ପଟୀ ତାଙ୍କୁ ବିଧ୍ୱଂସି ଏକତ୍ରଟି।

ବାଟେ ସୁଗ୍ରୀବ ଭେଟି ପରିଘ ହୃଦେପିଟି ଯହୁଁ ପଡ଼ିଲେ ମହୀ ଲୋଟି ସେ ।

ବାଳ ଚୋଟି ।

ବିଧିରେ ଧଇଲା ସାଉଁଟି            ବକ୍ଷରେ ଲଗାଇ ଲେଉଟି ।

ବିଦ୍ୟପବନ ସୃଷ୍ଟି ସେ ମେଳରେ ପ୍ରକଟି ଗୋଳେ ସେନାଙ୍କ ମୂର୍ଚ୍ଛା ତୁଟି ସେ । ୧୪।

 

ବାହାରିଲେ ତ ପଛେ ତିମି କିକ୍ଷୁଦ୍ର ମତ୍ସ୍ୟେ ବେଷ୍ଟିତ ହେଲାପରୀ ସୃତେ।

ବିଧୃତ ଗଛେ ଗଛେ କେହି ତରିବା ବାଞ୍ଛେ ବାର୍ତ୍ତା ପ୍ରକେଟେ ରଘୁବତ୍ସେ ସେ ।

ବୀର ଇଚ୍ଛେ।

ବିଜ୍ଞାନହତେଥାଉଁ ବତ୍ସେ            ବଳିଷ୍ଠେ ଗଣିବେ ନିକୁତ୍ସେ।

ବିକୋତି ନାସାତୁଚ୍ଛେ ଶ୍ରୁତି ଛିନାଇ ପଛେ ଅନ୍ତରୀକ୍ଷରେ ଉତପିଞ୍ଛେ ସେ । ୧୫ ।

 

୧୧ଶ ପଦ :- ବାଦ-ଶତ୍ରୁତା । ଭ୍ରାତୃଦ୍ୱନ୍ଦ୍ୱ-ଭାଇଦୁହେଁ । ଦନ୍ଦଶୂକପାଶରେ-ନାଗପାଶରେ । ଛାନ୍ଦ-ଛନ୍ଦି । ବଳିବର୍ଦ୍ଦ-ବଳଦ । ନାନାଦି-ଶବ୍ଦ ।

 

୧୧ଶ ପଦ :- ‘‘ବାଳକ ମେଘନାଦ ପ୍ରଥମେ ଯାଇ ଯୁଦ୍ଧ କରିବା ମାତ୍ରକେ ଲକ୍ଷ୍ମଣକୁ ଶକ୍ତିରେ ବିଦ୍ଧ କଲା । ପୁଣି ଥରେ ଯୁଦ୍ଧ କରି ରାମ ଲକ୍ଷ୍ମଣ ଦୁହିଁଙ୍କୁ ନାଗପାଶରେ ବାନ୍ଧି ପକାଇଥିଲା । ସେ ଦୁହେଁ ବଳରେ ଆମ୍ଭଠାରୁ ହୀନ ତାଙ୍କ ବୀରତ୍ୱ କଥା କହିବାରେ ବା କଣ ଅଛି ? ବ୍ୟାଘ୍ର ସମ୍ମୁଖରେ ବଳଦର ବଡ଼ାଇ ରହିପାରେ କି ?’ ରାବଣ ଏହିପରି କହନ୍ତେ କୁମ୍ଭକର୍ଣ୍ଣ ରଡ଼ିଛାଡ଼ି ମଦ ନିଶାରେ ମତ୍ତ ହୋଇ ଗର୍ବର ସହିତ ଯୁଦ୍ଧକୁ ବାହାର ହେଲା ।

 

୧୨ଶ ପଦ :- ଗର୍ଭସ୍ରାବ-ଅତି ଭୟରେ ପେଟରୁ ପିଲା ଖସିପଡ଼ିବା । ବଧିର-କାଲ । ଦଶନ-ଦାନ୍ତ । ଅପଘନ-ଶରୀର । ଜବନ-ଶୀଘ୍ର । ହୀରାପନ୍ତି-ପିମ୍ପୂଡ଼ିସମୂହ । ଧରାରେ-ପୃଥିବୀରେ ।

 

୧୨ଶ ପଦ :- ଯୁଦ୍ଧକୁ ବାହାରିବା ବେଳେ କୁମ୍ଭକର୍ଣ୍ଣ ଯେଉଁ ଗର୍ଜନ କଲା, ତହିଁରେ ସ୍ତ୍ରୀମାନଙ୍କର ଗର୍ଭସ୍ରାବ ହୋଇ ପଡ଼ିଲା । ଲୋକେ ସେ ଶବ୍ଦ ଶୁଣି କାଲ ପ୍ରାୟ ହୋଇଗଲେ । ବଜ୍ରରେ ବଜ୍ର ଘଷିଲେ ଯେପରି ଶବ୍ଦଶୁଭେ ତାହାର ଦାନ୍ତ ରଗଡ଼ି ଶବ୍ଦ ସେହିପରି ଶୁଭିଲା । ତାହାର ଶରୀର ବେଳକୁ ବେଳ ବଢ଼ିବାକୁ ଲାଗିଲା । ସେ ନଦୀ ଅପେକ୍ଷା ବେଗରେ ବହିଗଲା ପ୍ରାୟ ଯାଇ କପିସୈନ୍ୟଙ୍କୁ ପିମ୍ପୁଡ଼ି ଧାରସମ ମାଟିରେ ମର୍ଦ୍ଦନ କରି ପକାଇଲା ।

 

୧୩ଶ ପଦ :- ଲସୁନ ଶୁଷ୍କଚୋପାରୁ-ଶୁଖିଲା ରସୁଣ ଚୋପାରୁ। ହୀନ-ନ୍ୟୂନ । ଜଗଜ୍ଜେଠିମାନ-ବୀରମାନେ । ବର୍ତ୍ମାରେ-ବାଟରେ । ବିଘାତି-ବିନାଶ କରି । ସାନୁମାନ-ପର୍ବତ ।

 

୧୩ଶ ପଦ :- କୁମ୍ଭକର୍ଣ୍ଣର ନିଶ୍ୱାସ ବହିବାବେଳେ ବଳିଷ୍ଠ ବୀରମାନେ ରସୁଣର ଶୁଷ୍କ ଚୋପାଠାରୁ ହୀନପ୍ରାୟ ହୋଇ ଉଡ଼ିବାକୁ ଲାଗିଲେ । ହନୁମାନ ଓ ଅଙ୍ଗଦ ଦୁହେଁ ମନରେ ଅଭିମାନ ବହି ଶୀଘ୍ର ତାର ପଥ ନିରୋଧ କଲେ । ସେହି ଦୁଇ ବଳବାନ ବୀର ଦୁଇଗୋଟା ପର୍ବତ ନେଇ ତା ଉପରେ ମାରନ୍ତେ, ପର୍ବତ ତାର ଦେହରେ ବାଜି ଖଣ୍ଡଖଣ୍ଡ ହୋଇଗଲା। ସେ ବାମ ପାଦ ଆଗକୁ ପକାଇ ନିଠାଇ ଶୂଳ ପ୍ରହାର କରିବାରୁ ହନୁମାନ ଓ ଅଙ୍ଗଦ ଦୁଇ ବୀର ମୂର୍ଚ୍ଛାଗତ ହେଲେ ।

 

୧୪ଶ ପଦ :- କପଟୀ-ମାୟାବୀ, ଏଠାରେ ରଣକୌଶଳୀ । ଲମ୍ପଟୀ-ଆସକ୍ତ, ଏଠାରେ ଯୁଦ୍ଧଲୋଭୀ । ବିଧ୍ୱଂସି-ବିନାଶ କରି । ବିଦ୍ୟ-ପ୍ରକାଶିତ । ମୂର୍ଚ୍ଛା-ମୋହ।

 

୧୪ଶ ପଦ :- ହନୁମାନ ଓ ଅଙ୍ଗଦଙ୍କର ମୂର୍ଚ୍ଛା ଦେଖି ଯୁଦ୍ଧ କୌଶଳୀ ସେନାପତି ପାଞ୍ଚଜଣ କୌଶଳ ସହ ବିକ୍ରମି ଯିବାରୁ ତାଙ୍କୁ କୁମ୍ଭକର୍ଣ୍ଣ ବିନାଶ କଲା । ବାଟରେ ସୁଗ୍ରୀବ କୁମ୍ଭକର୍ଣ୍ଣକୁ ଭେଟିଲେ । ସେ ସୁଗ୍ରୀବ ଛାତିରେ ରେ ପରଘ ପିଟିବାରୁ ସୁଗ୍ରୀବ ଧରାତଳରେ ପଡ଼ିଗଲେ। ବାଳକଙ୍କୁ ତୋଳି ନେଲା ପ୍ରାୟ କୁମ୍ଭକର୍ଣ୍ଣ ସୁଗ୍ରୀବକୁ ଗୋଟାଇ ନେଇ ଛାତିରେ ଲଗାଇ ଧରି ଲଙ୍କାକୁ ଫେରିଗଲା । ସେ ଗଲାବେଳେ ଏତେ ଯୋରରେ ଗଲା ଯେ, ତା ଗମନ ଯୋଗୁ ଜାତ ହେଉଥିବା ପବନ ବାଜି ମୂର୍ଚ୍ଛା ଯାଇଥିବା ସୈନ୍ୟଙ୍କର ମୂର୍ଚ୍ଛା ତୁଟିଗଲା ।

 

୧୫ଶ ପଦ :- ବିଧୃତ-ଧାରଣ କରି । ତରିବା-ଉଦ୍ଧାର ହେବା । ରଘୁବତ୍ସ-ରାମଚନ୍ଦ୍ର । ନିକୁତ୍ସ-ନିକୃଷ୍ଟ । ବିକୋତି-କାମୁଡ଼ି । ଅନ୍ତରାକ୍ଷରେ-ଆକାଶରେ । ଉତ୍‌ପିଞ୍ଛେ-ଉପରକୁ ଡେଇଁବା ।

 

୧୫ଶ ପଦ :- କପିସୈନ୍ୟମାନେ ଚେତନା ପାଇ ଉଠି କୁମ୍ଭକର୍ଣ୍ଣ ପଛରେ ଗୋଡ଼ାଇବାରୁ ବୃହଦାକାର ତିମି ମତ୍ସ୍ୟକୁ କ୍ଷୁଦ୍ର ମତ୍ସ୍ୟ ସବୁ ବେଢ଼ି ଚାଲିଲା ସଦୃଶ ଦେଖାଗଲା । ସେହି କପିସୈନ୍ୟମାନେ ଗୋଟାଏ ଗୋଟାଏ ବୃକ୍ଷ ହସ୍ତରେ ଧରିଥାନ୍ତି ଓ ମନରେ ଭାବୁଥାନ୍ତି, ‘କିପରି ସୁଗ୍ରୀବଙ୍କୁ ଉଦ୍ଧାର କରିବା ।’ କ୍ରମେ ରାମଙ୍କ ନିକଟରେ କୁମ୍ଭକର୍ଣ୍ଣ ସୁଗ୍ରୀବକୁ ନେଇଯିବା ବାର୍ତ୍ତା ପ୍ରକଟ ହେଲା । ଏହି ସମୟମଧ୍ୟରେ ବୀର ସୁଗ୍ରୀବ ଚେତନାପ୍ରାପ୍ତ ହୁଅନ୍ତେ ଅସୁର ଛାତିରେ ଥାଇ ବିଚାରିଲା, ‘ବୀରମାନେ ମୋତେ ହୀନବୀରଙ୍କ ମଧ୍ୟରେ ଗଣନା କରିବେ ।’ ଏହା ଭାବି ସେ କୁମ୍ଭକର୍ଣ୍ଣର ନାସାକୁ ଦନ୍ତରେ କାମୁଡ଼ି ଛିଣ୍ଡାଇ ଓ ଦୁଇ ହାତରେ ଦୁଇ କାନକୁ ଛିଣ୍ଡାଇ ପକାଇ ଉର୍ଦ୍ଧ୍ୱକୁ ଡେଇଁ ପଡ଼ି ଉଡ଼ି ଚାଲିଗଲା ।

 

ବିହରେ ତିନିକରୀ ଚଞ୍ଚୁ ପଦରେଧରି ଗଣ୍ଡଭେରଣ୍ଡ ସେ ମାଧୁରୀ ।

ବିଚାରୁଛନ୍ତି ହରି ଘାତକୀ ହେଲାପରି ହୋଇ କି ଆସିଲେ ଉତୁରି ସେ ।

ବିଦ୍ୟୁପରି ।

ବହିପଡ଼ୁଛି ରକ୍ତ ଝରି      ବର୍ଷେ କି ଘନ ରକ୍ତବାରି।

ବିଶୋଉଁ ଅନୁସରି ଯହିଁ କୋଦଣ୍ଡଧାରୀ ପ୍ରଶଂସି କୋଳକୁ ଆଦରି ସେ । ୧୬ ।

 

ବାହୁଡ଼ିଲା ଦନୁଜ ଲାଭ ପ୍ରବଳ ଲାଜ ବହିପଡ଼ୁ ଅଛି କ୍ଷତଜ।

ବଢ଼ାଇ ଦେଇ ଭୁଜ ଭୁଞ୍ଜେ କପିସମାଜ ନାସାକର୍ଣ୍ଣ ରନ୍ଧ୍ରରେ ତ୍ୟାଜ ସେ ।

ବୁଧେ ହେଜ ।

ବିଜନ୍ୟ ଇନ୍ଧ୍ରଗୋପପୁଞ୍ଜ            ବସୁଧା ତଳୁଁ କି ବିରାଜ ।

ବକୁକ୍ଷିଚିଂଶ ରାଜ ଭେଟୁଁ ବିନ୍ଧିନାରାଜ ଛେଦିଲେ ବାହୁପାଦ ତେଜ ସେ । ୧୭ ।

 

ବିଭୂତି ଭୋଗ ହେବ ସ୍ଥାଣୁବିଭାବ ସ୍ୱରବିଭବ ଭଇରବ ।

ବିଭୂଷାଗତି ଜବ ମାତୁଳାହି ପ୍ରଭାବ ଗରାସି ଦେଉଅଛି ପ୍ଳବ ସେ ।

ବହ୍ନିଇବ।

ବହନ ମ୍ଳାନ ତେଜ ଭାବ            ବୋଲଇ ମୁଁ ଆନ ଦାନବ ।

ବିନ୍ଧବିନ୍ଧ ରାଘବ ଯେତେ ତୋବାଣ ଥିବ ସେମାନେ ଭଜିବେ ଲାଘବ ସେ । ୧୮ ।

 

ବିରାଧବାଳି ଥିଲେ ସେ ବନପଶୁ ଭଲେ ଖର ଖର ମୋତେ ଚାହିଁଲେ ।

ବୋଲୁଁ ବାଛି ସନ୍ଧିଲେ ରାମଶର ବିନ୍ଧିଲେ ଯେତେ ତା ଶିର ନ ଛେଦିଲେ ସେ ।

ବିଭଳିଲେ ।

ବିଘାତ ଶିଳେ ଯଥା ଫୁଲେ            ବିସ୍ମୟ ମାନସ ହୋଇଲେ

ବିଷ୍ଣୁଅରି ପ୍ରଜ୍ଜ୍ୱଳେ ଅର୍ଦ୍ଧଚନ୍ଦ୍ରର ଛଳେ ଗୁପ୍ତ ହେଜି ପ୍ରୟୋଗ କଲେ ସେ । ୧୯ ।

 

ବସିଲା ଗଳେ ଗଣ୍ଡ ଗଳିଗଲା ପ୍ରଚଣ୍ଡ ରବେ ବୁଲିଲା ଜାଣି ମୁଣ୍ଡ ।

ବାଜି ପୁଣି ସେ କାଣ୍ଡ କଲା ତାକୁ ଦ୍ୱିଖଣ୍ଡ ଫାଳେକେ ପଡ଼ି ଭର୍ତ୍ତଖଣ୍ଡ ସେ ।

ବାରି କୁଣ୍ଡ ।

ବିପତିତରେ ଆର ଖଣ୍ଡ            ବରଣ ନାମେ ମେଘଦଣ୍ଡ।

ବିହିଲା ତାର ଦଣ୍ଡ କହିଲେ ଚାର-ରୁଣ୍ଡଶୁଣି ରୋଦନ୍ତେ ଦଶମୁଣ୍ଡ ସେ । ୨୦ ।

 

୧୬ଶ ପଦ:-ବିହରେ-ଭ୍ରମଣ କରେ । ତିନିକାରୀ-ତିନିଟାହସ୍ତୀ । ଚଞ୍ଚ-ଥଣ୍ଟ । ହରି-ମର୍କଟ । ରକ୍ତବାରି-ରକ୍ତରୂପ ଜଳ । ବିଦୁ-ବିଛୁଳି । କୋଦଣ୍ଡଧାରୀ-ରାମଚନ୍ଦ୍ର । ବିଶୋଉ-ପାଦତଳେ ପଡ଼ି ଶୋଇବା।

 

୧୬ଶ ପଦ :- ସୁଗ୍ରୀବ କୁମ୍ଭକର୍ଣ୍ଣର ନାସିକା ଓ ଦୁଇ କର୍ଣ୍ଣକୁ ତୁଣ୍ଡରେ ଓ ଦୁଇ ହସ୍ତରେ ଧରି ଶୂନ୍ୟରେ ଉଡ଼ି ଆସିଲାବେଳେ, ଗଣ୍ଡଭେରଣ୍ଡ ପକ୍ଷୀ ଥଣ୍ଟରେ ଓ ଦୁଇ ପାଦରେ ତିନିଗୋଟା ହସ୍ତୀକୁ ଶୂନ୍ୟରେ ବିହାର କରିବା ଶୋଭାକୁ ଧାରଣକଲେ। ତାଙ୍କୁ ଦେଖି ମର୍କଟ ସୈନ୍ୟମାନେ ବିଚାର କଲେ ସୁଗ୍ରୀବ ରାକ୍ଷସ ଦ୍ୱାରା ଘାଉଆ ହୋଇ କୌଣସି ପ୍ରକାରେ ଉବୁରି ବିଦ୍ୟୁତ୍‌ ପରି ପଳାଇ ଆସୁଅଛନ୍ତି । ତେଣୁ ମେଘ ରକ୍ତମିଶା ଜଳ ବୃଷ୍ଟି କଲା ପ୍ରାୟ ରକ୍ତ ଧାର ଧାର ହୋଇ ବହିପଡ଼ୁଛି ।’’ ଯେଉଁଠାରେ ରାମଚନ୍ଦ୍ର ଥିଲେ, ସୁଗ୍ରୀବ ସେହି ସ୍ଥାନରେ ଶୂନ୍ୟରୁ ଓହ୍ଲାଇ ତାଙ୍କୁ ପାଦତଳେ ପଡ଼ି ଶୁଅନ୍ତେ, ରାମଚନ୍ଦ୍ର ତାଙ୍କୁ ପ୍ରଶଂସା କରି ଆଦରର ସହିତ କୋଳକୁ ନେଲେ ।

 

୧୭ଶ ପଦ :- କ୍ଷତଜ-ରକ୍ତ । ଭୁଜ-ବାହୁ । ରନ୍ଧ୍ରରେ-ଛିଦ୍ର । ବୁଧେ-ପଣ୍ଡିତମାନେ । ଦନୁଜ-ରାକ୍ଷସ କୁମ୍ଭକର୍ଣ୍ଣ । ଇନ୍ଦ୍ରଗୋପପୁଞ୍ଜେ-ସାଧବବୋହୂ ପୋକସମୂହ । ବସୁଧା-ପୃଥିବୀ । ବିକୁକ୍ଷିବଂଶିରାଜ-ରାମଚନ୍ଦ୍ର । ନାରାଜ (ନାରାଚ)-ଶର।
 

୧୭ଶ ପଦ :- ନାସା କର୍ଣ୍ଣ ଛିନ୍ନ ହୁଅନ୍ତେ କୁମ୍ଭକର୍ଣ୍ଣ ବିଶେଷ ଲଜ୍ଜାପାଇ ପୁଣି ଯୁଦ୍ଧଭୂମିକୁ ଫେରିଲା । ତାହାର କ୍ଷତସ୍ଥାନରୁ ରୁଧିର ବହି ପଡ଼ୁଥାଏ । ସେ ତାହାର ହସ୍ତଦ୍ୱୟ ବଢ଼ାଇ ଦେଇ କପିସେନାମାନଙ୍କୁ ଗିଳି ପକାଇବାରୁ, ସେମାନେ ଛିନ୍ନ ହୋଇଥିବା ନାସିକା ଓ କର୍ଣ୍ଣର ଗହ୍ୱର ବାଟେ ବାହାରି ଆସୁଥାନ୍ତି । ହେ ପଣ୍ଡିତମାନେ ! ବିଚାର କର, ପୃଥିବୀରୁ ବହୁତ ସାଧବ ଘର ବୋହୂ ପୋକ ଜାତ ହୋଇ ବିରାଜ କରୁଅଛନ୍ତି କି ? (କପିମାନେ ନାସିକା ଓ କର୍ଣ୍ଣଗହ୍ୱରରୁ ବାହାରିଲାବେଳେ ରକ୍ତ ଜର୍ଜରିତ ହୋଇଥିବାରୁ ସାଧବ ଘର ବୋହୂ ପୋକପ୍ରାୟ ଦେଖା ଯାଉଅଛନ୍ତି) । କୁମ୍ଭକର୍ଣ୍ଣ ରାମଚନ୍ଦ୍ରଙ୍କୁ ଆସି ଭେଟନ୍ତେ, ରାମଚନ୍ଦ୍ର ନାରାଚ ବିନ୍ଧି ପ୍ରଥମେ କୁମ୍ଭକର୍ଣ୍ଣର ବାହୁ ଓ ପଦଦ୍ୱୟ ଛେଦିବା ଦ୍ୱାରା ତାହାର ଅହଂକାରକୁ ଛେଦି ପକାଇଲେ ।

 

୧୮ଶ ପଦ:-ବିଭୂତି-ପାଉଁଶ ବା ଭସ୍ମ । ସ୍ଥାଣୁ-ଲଣ୍ଡାଗଛ, ମହାଦେବ । ସ୍ଥାଣୁବିଭବ-ମହାଦେବଙ୍କର ଐଶ୍ୱର୍ଯ୍ୟ । ସ୍ୱରବିଭବ-ଦୀର୍ଘସ୍ୱର । ଭଇରବ-ଭୟଙ୍କର । ବିଭୂଷାଗତି-ମନୋହର । ଜବ-ଶୀଘ୍ର । ମାହିଳାହି-ବୋଡ଼ା ସାପ । ପ୍ଲବ-ବାନର, ବେଙ୍ଗ । ବହ୍ନିଇବ-ଅଗ୍ନିପରି । ଦାନବ-ରାକ୍ଷସ । ଲାଘବ-ଲଘୁତା ।

 

୧୮ଶ ପଦ:-ବାହୁ ଓ ପାଦ ଛିଡ଼ିଯିବାରୁ କୁମ୍ଭକର୍ଣ୍ଣ ଲଣ୍ଡାବୃକ୍ଷର ଶୋଭାକୁ ଧାରଣ କଲା । ଆଉ ମଧ୍ୟ ‘ସ୍ଥାଣୁବିଭବ’ ଈଶ୍ୱରଙ୍କ ବିଭବକୁ ବହିଲା, ତେଣୁ ଭସ୍ମଭୂଷିତ ହେବ । (ଲଣ୍ଡା ବୃକ୍ଷକୁ ମଧ୍ୟ ପୋଡ଼ି ଭସ୍ମରେ ପରିଣତ କରିଦିଅନ୍ତି) । ସେତେବେଳେ ସେ ଯେଉଁ ଗର୍ଜନ କଲା, ତାହା ମହାଦେବଙ୍କ ଭୈରବ ଶବ୍ଦ ପ୍ରାୟ ଶୁଣାଗଲା । ତତ୍ପରେ ସେ ବୋଡ଼ାସାପ ପ୍ରାୟ ଗତି କରି (ଗୋଡ଼ ହାତ ଛିଡ଼ି ଯାଇଥିବାରୁ ପେଟରେ ଘୁଷୁରି) ବେଙ୍ଗରୂପୀ କପିମାନଙ୍କୁ ଗ୍ରାସ କରିବାକୁ ଲାଗିଲା । ଅଗ୍ନିପ୍ରାୟ ତାର ଯେଉଁ ତେଜ ପ୍ରକାଶିତ ହୋଇଥିଲା, ତାହା ଶୀଘ୍ର ମ୍ଲାନ ପଡ଼ିବାକୁ ଲାଗିଲା । ତାହା ସତ୍ୱେ ସେ ରାମଙ୍କୁ କହିଲା, ‘‘ହେ ରାଘବ! ମୁଁ ଅନ୍ୟ ଦାନବ ପ୍ରାୟ ନୁହେଁ । ତୋହର ଯେତେ ବାଣ ଅଛି, ସେ ସମୁଦାୟ ବିନ୍ଧିଲେ ସୁଦ୍ଧା ମୋର କିଛି କ୍ଷତି ହେବ ନାହିଁ, ବରଂ ତୋର ସେ ବାଣ ସବୁ ଲଘୁତାକୁ ପ୍ରାପ୍ତ ହେବ ।’’

 

୧୯ଶ ପଦ:-ଖର-ରାକ୍ଷସବିଶେଷ । ଖର-ଗଧ । ଅରି-ଚକ୍ର । ବିଷ୍ଣୁଅରି-ବିଷ୍ଣୁଙ୍କର ଚକ୍ର । ଶିଳେ-ପଥରରେ ।

 

୧୯ଶ ପଦ:-‘‘ବିରୋଧ ରାକ୍ଷସ ଓ ବାଳି ଏ ଦୁହେଁ ବଣପଶୁ ପ୍ରାୟ ଥିଲେ, ଆଉ ମଧ୍ୟ ଖର ରାକ୍ଷସ ମୋ ତୁଳନାରେ ଗର୍ଦ୍ଦଭ ପରି ଥିଲା । (ତୁ ତାଙ୍କୁ ମାରିଛୁ ବୋଲି ମୋତେ ମାରିବାକୁ ଯେଉଁ ଗର୍ବ ବହିଅଛୁ, ପରିହାର କର) ।’’ କୁମ୍ଭକର୍ଣ୍ଣ ଏପରି କହନ୍ତେ, ରାମଚନ୍ଦ୍ର ବାଛି ବାଛି ଶରସବୁ ଧନୁରେ ସନ୍ଧି ବିନ୍ଧିଲେ, ମାତ୍ର ଯେତେ ଶର ବିନ୍ଧିଲେ, ସେ କୌଣସିଥିରେ କୁମ୍ଭକର୍ଣ୍ଣର ଶିର କାଟି ପାରିଲେ ନାହିଁ । ପଥର ଦେହରେ ଫୁଲ ବାଜି ଯେପରି ଖସି ପଡ଼େ, ସେହିପରି ଶରସବୁ ତା ଦେହରେ ବାଜି ଖସି ପଡ଼ିଲେ । ଏହା ଦେଖି ରାମଚନ୍ଦ୍ର ବିସ୍ମିତ ହେଲେ ଏବଂ ସୁଦର୍ଶନ ଚକ୍ରପରି ତେଜୋବନ୍ତ ଅର୍ଦ୍ଧଚନ୍ଦ୍ର ଶରକୁ ତାହାର ମର୍ମ ସ୍ଥାନକୁ ଲକ୍ଷ୍ୟକରି ପ୍ରୟୋଗ କଲେ ।

 

୨୦ଶ ପଦ:-ଚାଣ୍ଡ-ଶୀଘ୍ର । ପ୍ରଚଣ୍ଡ-ଭୟଙ୍କର । ବରଣ-ପ୍ରାଚୀର । ରୋଦନ୍ତେ-କାନ୍ଦିବାରୁ । ଦଶମୁଣ୍ଡ-ରାବଣ । ବାରିକୁଣ୍ଡ-ନିଳେନ୍ଦୀସରୋବର । ଉର୍ତ୍ତଖଣ୍ଡ-ଭାରତଖଣ୍ଡ ।

 

୨୦ଶ ପଦ:-ସେ ଅର୍ଦ୍ଧଚନ୍ଦ୍ର ଶର ଶୀଘ୍ର ଯାଇ କୁମ୍ଭକର୍ଣ୍ଣର ଗଳାରେ ବାଜି ତାକୁ ଭେଦ କରିବାରୁ, ସେ ମୁଣ୍ଡ ଘୋର ଶବ୍ଦ କରି ଘୂରି ଗଲା ।ଏହାଜାଣି ରାମଚନ୍ଦ୍ର ପୁଣି ଥରେ ଶର ପ୍ରୟୋଗ କରନ୍ତେ, ତାହା ଅସୁରର ମୁଣ୍ଡକୁ ଦୁଇଫାଳ କରି ଦେଲା । ସେଥିରୁ ଫାଳେ ଭାରତ ଖଣ୍ଡରେ ପଡ଼ି ବାରିକୁଣ୍ଡ (ନିଳେନ୍ଦୀ ସରୋବର) ହେଲା ଓ ଅନ୍ୟ ଫାଳକ ମେଘଦଣ୍ଡ ପାଚେରୀ ଉପରେ ପଡ଼ି ତାକୁ ଚୂନା କରି ପକାଇଲା । ଚାରମାନେ ରୁଣ୍ଡ ହୋଇ ରାବଣକୁ ଏହି କଥା ସବୁ କହିବାରୁ ସେ ରୋଦନ କରିବାକୁ ଲାଗିଲା ।

 

ବାଚକ ଉଠି ମହାପାରୁଶ ଦେଖିତାହା କିପାଇଁ ହେଉଛ ଉତ୍ସାହ ।

ବିଖନ ହେଲେ ସାହା ଲିଖନ ଥିବଯାହା ପୋଛି ମାରିବ ରଘୁନାହା ସେ ।

ବିଂଶବାହ ।

ବୋଲେ ବୋଲିବି ମୁହିଁ କାହା            ବିପକ୍ଷେ ବେଗେ କର ତାହା ।

ବିମାନବୋଲୁଁ ବାହାପଞ୍ଚସୋଦର ସେହାନୋହେତାଙ୍କ ପ୍ରତିଜ୍ଞାକୁହାସେ । ୨୧ ।

 

ବିଗତିଦେବାନ୍ତକ ତ୍ରିଶିରେ ନରନ୍ତକ ମହୋଦର ଅତିକାୟକ।

ବଜ୍ର କବଚ ଧୃକ ଭଲ୍ଲ ଗଦା ଶାୟକ କାର୍ମୂକ ଶକତି ଶାୟକ ସେ ।

ବୀର ଡାକ ।

ବଳହିଁ ଚଳେ ଅସଂଖ୍ୟକ            ବାହ ଗଜ ରଥ ପଦକ ।

ବାଜେ ବାଦ୍ୟ ଅନେକ ଉତ୍ସନ୍ନନାଗ ନାକଲୋକରେ ସ୍ଥିତ ଯେତେ ଲୋକ ଲୋକ ସେ । ୨୨ ।

 

ବର୍ତ୍ମେ ଓଗାଳି ନୀଳ କରନ୍ତେ ରଣଗୋଳ ଅଙ୍ଗଦ ହନୁମନ୍ତ ମେଳ ।

ବୃକ୍ଷସାର ଅଚଳ ଋକ୍ଷଭ ମହାବଳ ଘେନି ହେଲା ସମରଶୀଳ ସେ ।

ବୃଷ୍ଟି ଶିଳ ।

ବାଣ ପରିଘ ଭଲ୍ଲ ଶୂଳ            ବାଳିସୂତ ପ୍ରହାରୁ ଶାଳ ।

ବାଜିଲା ହୃଦସ୍ଥଳ ନରାନ୍ତକ ଆକୁଳ ଗଜୁଁ ପଡ଼ିଲା ମହୀସ୍ଥଳ ସେ । ୨୩ ।

 

ବାମେ ସେହି ବାରଣ ଧରିଣ ପ୍ରହାରଣ ଲଭିଲେ ସେ ବେନି ମରଣ ।

ବିନ୍ଧିଲା ମୋହବାଣ ଦେବାନ୍ତକ ଦେଖିଣ ବାଳିନନ୍ଦନ ଜ୍ଞାନକ୍ଷୀଣ ସେ ।

ବଜ୍ରଗଣ ।

ବିଶିଖେ କଲେ ସମୀରଣ            ବପ୍ତା ସା ତାର ଶରୀରେଣ ।

ବଡ଼ଗ୍ରାବେ ମାରିଣ ଗୁଣ୍ଡ ହେଲାତକ୍ଷଣ ଅସ୍ଥି ସହ ରକ୍ଷନିପୁଣ ସେ । ୨୪ ।

 

ବିକୋଷରେ ଅସିର ହାଣନ୍ତେ ସେତ୍ରିଶିର ଛଡ଼ାଇ ତା କରୁଁ ତତ୍ପର ।

ବାସରେ ଅନ୍ତକର ପେଶିଲା ଘାତକର ହେଲା ରୁଧିରେ ଜରଜର ସେ ।

ବୈଶ୍ୱାନର ।

ବିଜନ୍ୟ-ବାଦୀ ମହୋଦର            ବିଶେଷେ ଏହାର ଶରୀର ।

ବିଷେ ସେ ଯୁକ୍ତ ଘୋରଜ୍ୱାଳା କୃତଶରୀର ଧର ଯୋଗରେ ପ୍ରାଣହର ସେ । ୨୫ ।

 

୨୧ଶ ପଦ :- ବାଚକ-ବକ୍ତା । ବିଖନ-ବ୍ରହ୍ମା । ରଘୁନାହା-ରାମଚନ୍ଦ୍ର । ବିଂଶବାହା-ରାବଣ । ବିପକ୍ଷେ-ଶତ୍ରୁମାନଙ୍କୁ ।

 

୨୧ଶ ପଦ :- ରାବଣ ରୋଦନ କରିବା ଦେଖି ମହାପାର୍ଶ୍ୱ ନାମକ ରାକ୍ଷସ ଉଠି କହିଲା ‘‘ଏପରି ଉତ୍ସାହଶୂନ୍ୟ ହେଉଛନ୍ତି କାହିଁକି ? ବ୍ରହ୍ମା ତାହାପ୍ରତି ସହାୟ ହୋଇ ତାହା କପାଳରେ ଯାହା ଲେଖିଥିବ, ମୁଁ ତାହା ସବୁ ଲିଭାଇ ଦେଇ ସେ ରାମଚନ୍ଦ୍ରକୁ ବିନାଶ କରିବି ।’’ ଏହା ଶୁଣି ରାବଣ କହିଲା, ‘‘ମୁଁ ଆଉ ଅବା କଣ କହିବି ? ଏବେ ତୁମ୍ଭେ ଶତ୍ରୁଠାରେ ସେହି କଥା କର (ଶତ୍ରୁକୁ ବିନାଶ କର) ।’’ ରାବଣର ବାକ୍ୟ ଶୁଣିବା ମାତ୍ରକେ ମହାପାର୍ଶ୍ୱ ବିମାନ ଚଳାଇବାକୁ ଆଦେଶ ଦେଲା । ତାହା ଶୁଣି ତାହାର ପାଞ୍ଚଭାଇ ସ୍ନେହ ଯୁକ୍ତହୋଇ ବହୁ ପ୍ରତିଜ୍ଞା କରି ସଜ ହେଲେ ।

 

୨୨ଶ ପଦ :- ବିଗତି-ବିଶେଷ ଗତି । ଧକ-ଧାରଣ କରି । ଶାୟକ-ଶର । କାର୍ମୁକ-ଧନୁ । ଗଜ-ହସ୍ତୀ । ପଦକ-ପଦାତି । ନାଗ ନାକ ଲେକରେ-ପାତାଳ, ସ୍ୱର୍ଗ ଏବଂ ମର୍ତ୍ତ୍ୟ ପୁରରେ । ବାହ-ଅଶ୍ୱ ।

 

୨୨ଶ ପଦ :- ଦେବାନ୍ତକ, ତ୍ରିଶିର, ନରାନ୍ତକ, ମହୋଦର, ଅତିକାୟ ଏହି ପାଞ୍ଚ ଭାଇ ଗଦା, ଖଡ଼୍‌ଗ, ଶକ୍ତି, ଧନୁ, ଶର, ବଜ୍ରକବ ଇତ୍ୟାଦି ଅସ୍ତ୍ର ଶସ୍ତ୍ରମାନ ଧରି ମହାପାର୍ଶ୍ୱ ସହିତ ବାହାରିଲେ । ଅପ୍ରମିତ ସୈନ୍ୟମଧ୍ୟ ବୀର ଡାକ ଦେଇ ଗର୍ଜିଲେ।ଅଶ୍ୱ, ଗଜ, ରଥ, ପଦାତି ଏହିପରି ଚତୁରଙ୍ଗ ବଳ ଚଳିବାରୁ ଓ ଅନେକ ବାଦ୍ୟ ବାଜିବାରୁ ପାତାଳ, ସ୍ୱର୍ଗ ଏବଂ ମର୍ତ୍ତ୍ୟ ଭୁବନରେ ଥିବା ଲୋକମାନେ ଭୀତ ହେଲେ ।

 

୨୩ଶ ପଦ :- ବତ୍ମେ-ବାଟରେ । ବୃକ୍ଷସାର-ବଡ଼ଗଛ। ସମରଶୀଳ-ରଣକୁଶଳ । ଶିଳ-ପଥର । ବାଳିସୁତ-ଅଙ୍ଗଦ । ଗଜୁ-ହାତୀ ଉପରୁ ।

 

୨୩ଶ ପଦ :- ରାକ୍ଷସସୈନ୍ୟମାନେ ଯୁଦ୍ଧକ୍ଷେତ୍ରକୁ ଆସିବା ସମୟରେ ନୀଳ ସେନାପତି ବାଟରେ ଓଗାଳି ରଣଗୋଳ କଲେ । ଏହି ସମୟରେ ଅଙ୍ଗଦ ଓ ହନୁମାନ ଯାଇ ତାଙ୍କ ସହିତ ମିଶିଲେ । ଅତି ବଳବାନ ଋଷଭ କପି ବଡ଼ ବୃକ୍ଷ ଓ ପର୍ବତଧରି ଆସିଯୁଦ୍ଧରେ ରତ ହେଲା । ସେ ଯୁଦ୍ଧକ୍ଷେତ୍ରରେ ପଥର, ବାଣ, ପରିଘ, ଢାଲ, ଶୂଳ ପ୍ରଭୃତି ବୃଷ୍ଟି ହେବାକୁ ଲାଗିଲା । ଅଙ୍ଗଦ ଶାଳ ବୃକ୍ଷ ପ୍ରହାର କରିବାରୁ ତାହା ନରାନ୍ତକ ବକ୍ଷରେ ବାଜିଲା । ତେଣୁ ସେ ବ୍ୟାକୁଳ ହୋଇ ହସ୍ତୀ ଉପରୁ ଖସି ଭୂମିତଳେ ପଡ଼ିଗଲା।

 

୨୪ଶ ପଦ :- ବାରଣ-ହସ୍ତୀ । ବିଶିଖେ-ଶରଦ୍ୱାରା । ସମୀରଣ-ପବନ । ବପ୍ତା-ପିତା । ବଡ଼ଗାବେ-ପ୍ରକାଣ୍ଡ ପ୍ରସ୍ତରରେ । ଅସ୍ଥିସହ-ହାଡ଼ ସହିତ । ରକ୍ଷନିପୁଣ-ରାକ୍ଷସଶ୍ରେଷ୍ଠ । ବସ୍ତା ସମୀର-ଯାହାର ପିତା ପବନ ଅର୍ଥାତ୍ ହନୁମାନ ।

 

୨୪ଶ ପଦ :- ଅଙ୍ଗଦ ନରାନ୍ତକର ହସ୍ତୀକୁ ବାମ ହସ୍ତରେ ଧରି ନରାନ୍ତକ ଉପରେ ପ୍ରହାର କରନ୍ତେ, ସେ ଦୁହେଁ ବିନାଶ ହେଲେ । ତାହା ଦେଖି ଦେବାନ୍ତକୁ ମୋହବାଣ ବିନ୍ଧିବାରୁ ଅଙ୍ଗଦ ଅଚେତନ ହୋଇଗଲା । ଯାହାର ବାପ ପବନ ଅର୍ଥାତ୍ ହନୁମାନର ଶରୀରକୁ ସେ ବାଣଦ୍ୱାରା କ୍ଷତପୂର୍ଣ୍ଣ କରିଦେଲା । ହନୁମାନ କ୍ରୁଦ୍ଧ ହୋଇ ବଡ଼ ପଥରଖଣ୍ଡେ ଫୋପାଡ଼ନ୍ତେ ତଦ୍ୱାରା ଦେବାନ୍ତକ ତତ୍‌କ୍ଷଣାତ୍ ହାଡ଼ ସହିତ ଗୁଣ୍ଡା ହୋଇଗଲା।

 

୨୫ଶ ପଦ :- ବିକୋଷରେ-ଖାପରୁ ବାହାର କରି । ଅସି-ଖଣ୍ଡା । ବାସରେ-ଗୃହରେ । ରୁଧିରେ-ରକ୍ତରେ । ବୈଶ୍ୱାନର ବିଜନ୍ୟ-ଅଗ୍ନିପୁତ୍ର (ନୀଳ ।)

 

୨୫ଶ ପଦ :- ତତ୍‌ପରେ ତ୍ରିଶିର ରାକ୍ଷସ ଖଡ଼୍‌ଗକୁ ଖୋପରୁ ବାହାର କରି ହନୁମାନକୁ ହାଣିବାକୁ ବସନ୍ତେ ହନୁମାନ ତତ୍‌କ୍ଷଣାତ୍ ସେ ଖଡ଼୍‌ଗକୁ ତା ହସ୍ତରୁ ଛଡ଼ାଇ ସେଥିରେ ତ୍ରିଶିରର ମୁଣ୍ଡ ହାଣି ତାକୁ ଯମାଳୟକୁ ପଠାଇ ଦେଲା ଓ ନିଜେ ରକ୍ତରେ ଜର୍ଜରିତ ହୋଇ ପଡ଼ିଲା । ଅଗ୍ନି ପୁତ୍ର ନୀଳ ମହୋଦର ସଙ୍ଗେ ବିବାଦୀ ହୋଇ ଯୁଦ୍ଧ କରିବାରୁ ତାହାର ଶରୀର ମହୋଦରର ବିଷାକ୍ତ ବାଣରେ ଆଚ୍ଛାଦିତ ହୋଇ ଭୟଙ୍କର ଜଳାପୋଡ଼ା କଲା । ତେଣୁ ନୀଳ କ୍ରୁଦ୍ଧ ହୋଇ ନୀଳପର୍ବତ ପକାଇ ମହୋଦରର ପ୍ରାଣ ବିନାଶ କଲା ।

 

ବୃକ୍ଷଭପରି ତହିଁ ଋଷଭ ରୋଷ ବହି ମହାପରୁଶେ ଯୁଦ୍ଧ ବିହି।

ବିଶାଣ ନଖେ ଦେହି ଚିରି ଲୋଟାଇ ମହୀ ଗଦାଦଣ୍ଡ ପ୍ରହାର ସହି ସେ ।

ବାଣେ ଦହି ।

ବଳିଷ୍ଠ ଅତିକାୟ ଚାହିଁ            ବାତଜାଦି ନ ପାରେ ରହି ।

ବାନର ସୈନ୍ୟ ତହିଁ ସିନ୍ଧୁ ମନ୍ଦିର ସେହି ବିରାଜେ ରନୁବର ଅହି ସେ । ୨୬ ।

 

ବିଷୟ ଯେ ବିଷମ ବିଷ ହେଲାଜନମ ପ୍ରଜ୍ୱଳିତରେ ଅନୁପମ ।

ବିଲୀନକୃତେ କ୍ଷମ ରାମଅନୂଜ ଭୀମ ଆସିଣ ଆଗେ ତା ବିଶ୍ରାମ ସେ

ବୀରୋତ୍ତମ ।

ବାତାଦି ଦେବ-ଗିରେ ପ୍ରେମ            ବ୍ରହ୍ମାସ୍ତ୍ର ଅଞ୍ଜଳି ସୁଷମ

ବିଶୀର୍ଣ୍ଣ କଲେ କାମ ସର୍ଜନା ଗଙ୍ଗାହିମକର କୀର୍ତ୍ତି ଭୂଷଣେ ରମ୍ୟ ସେ । ୨୭ ।

 

ବାହୁନି କାନ୍ଦେ ଗୁଣ ଶ୍ରବଣରେ ରାବଣ କୁରରୀ ପରାୟ ପ୍ରମାଣ ।

ବିଷାଦ ଅସହଣ ନିଶେ ହସ୍ତ ଭରିଣ ଶତ୍ରାରି ଝମକି କୃପାଣ ସେ ।

ବୋଲେ ଟାଣ ।

ବିନ୍ଧୁ ମୁଁ ଘୋରତମ ବାଣ            ବିଧିରେ ସେ ରାମ ଲକ୍ଷ୍ମଣ ।

ବିହେ ଗ୍ରାସନ୍ତେତ୍ରାଣ ଏବେ ଦେବ ଚର୍ବଣ ମ୍ଳାନଭଜିବେ ଋକ୍ଷଗଣ ସେ । ୨୮ ।

 

ବଟତଳରେ ହୋମେ ରଥ ଜନ୍ମାଇ ରମ୍ୟେ ଖାତ ଦେବଦଳନ ନାମେ ।

ବଇଜୟନ୍ତୀ ବ୍ୟୋମେଦିଗଦହନେ ଭ୍ରମେ ଦେଖି ପଡ଼ିବେ ପର ଝାମେ ସେ ।

ବୀର ଗମେ ।

ବିଜୟ ତୁଣ ଅଭିରାମେ            ବାଣ ଦକ୍ଷିଣେ ଧନୁ ବାମେ ।

ବହୁବଳ ସଙ୍ଗମେ ଲକ୍ଷିତ ଲକ୍ଷ ଯମେ ପ୍ରବେଶ ହୋଇଲା ସଂଗ୍ରାମେ ସେ । ୨୯ ।

 

ବଳ ଉଭୟ ବାଦେ କେ ପ୍ରାବୃଟ ସମ୍ପଦେ କେତହିଁ ଲକ୍ଷିତ ଶରଦେ।

ବିପୁଳ ମେଘନାଦେ ଘନାଘନ ଆସ୍ପଦେ ବଢ଼େ ନିଶାଚର ସମ୍ମଦେ ସେ ।

ବିଶାରଦେ ।

ବିଶଦେ ରାମଚନ୍ଦ୍ର ଉଦେ            ବିରାଜିତ ହରି ବିନୋଦେ।

ବିକଶିତ କୁମୁଦେ ନଳିନୀ ପ୍ରଭାମୋଦେ ଦୁହେଁ ରୁଚିର ଶରଭେଦେ ସେ । ୩୦ ।

 

 

୨୬ଶ ପଦ :- ବିଷାଣ-ଶିଙ୍ଘ । ବାତଜାଦି-ହନୁମାନ ପ୍ରଭୃତି । ମନ୍ଦର-ପର୍ବତ । ଅହି-ସର୍ପ ।

 

୨୬ଶ ପଦ :- ସେ ଯୁଦ୍ଧରେ ଋଷଭ କପି ଷଣ୍ଢ ପ୍ରାୟ କୋପଯୁକ୍ତ ହୋଇ ମହାପାର୍ଶ୍ୱ ସହିତ ଯୁଦ୍ଧ କଲା । ସେ ଗଦାର ଭୀଷଣ ପ୍ରହାର ସହି ମଧ୍ୟ ଶୃଙ୍ଗତୁଲ୍ୟ ତାହାର ତୀକ୍ଷ୍‌ଣ ନଖମାନଙ୍କଦ୍ୱାରା ରାକ୍ଷସର ଦେହକୁ ଚିରି ତାକୁ ଭୂମିରେ ଲୋଟାଇ ଦେଲା। ବଳବାନ୍‌ ଅତିକାୟ ଏହିପରି ଭ୍ରାତାମାନଙ୍କର ମରଣ ଦେଖି ବାଣ ମାରି କପି ସୈନ୍ୟମାନଙ୍କୁ ଦହି ପକାଇଲା । ସେ ବାଣ ତେଜରେ ହନୁମାନାଦି ବୀରମାନେ ରହିପାରିଲେ ନାହିଁ । ସେ ଯୁଦ୍ଧ ଭୂମିରେ କପିସୈନ୍ୟ ସମୁଦ୍ରକୁ ଅତିକାୟ ରୂପୀ ମନ୍ଦର ପର୍ବତ ତାହାର ଶ୍ରେଷ୍ଠ ଧନୁରୂପ ବାସୁକି ସାହାଯ୍ୟରେ ମନ୍ଥି ପକାଇଲା କି ?

 

୨୭ଶ ପଦ :- ଅନୁପମ-ଅକଥନୀୟ । ବିଲୀନକୃତେ-ବିନାଶ କରିବା ନିମିତ୍ତ,କ୍ଷମଂସମର୍ଥ । ରାମଅନୂଜ-ରାମଙ୍କର ସାନଭାଇ (ଲକ୍ଷ୍ମଣ) । ବାତାଦି-ପବନ ପ୍ରଭୃତି । ଦେବଗିରେ-ଦେବତାମାନଙ୍କ ବାକ୍ୟରେ । ବିଶୀର୍ଣ୍ଣ-କ୍ଷୀଣ । ହିମକର-ଚନ୍ଦ୍ର । ରମ୍ୟ-ମନୋହର। ଭୀମ-ଶିବ ।

 

୨୭ଶ ପଦ :- (ସମୁଦ୍ର ମନ୍ଥନରୁ ବିଷ ଜନ୍ମ ହେଲା ପରି) ଅତିକାୟର କପିସୈନ୍ୟ ମନ୍ଥନ ହେତୁ ବିଷମ ଯୁଦ୍ଧ ବିଷପ୍ରାୟ ଜାତ ହୋଇ ଭୀଷଣ ଭାବେ ଜଳି ଉଠିଲା । ସିନ୍ଧୁଜାତ ବିଷ ଶିବ ଗ୍ରାସ କରିଥିଲେ; ସେହିପରି ଏହି କପି ସୈନ୍ୟ ମନ୍ଥନ ହେତୁ ଜାତ ବିଷରୂପ ବିଷମ ଯୁଦ୍ଧକୁ ଲୀନ କରିବା ପାଇଁ ଏକା ସମର୍ଥ ଯେ ରାମଚନ୍ଦ୍ରଙ୍କ ଭାଇ ଲକ୍ଷ୍ମଣ, ସେ ମହାଦେବ ରୂପେ ଆସି ଯୁଦ୍ଧ ମଧ୍ୟରେ ଉଭା ହେଲେ । ସେ ବୀରଶ୍ରେଷ୍ଠ ଲକ୍ଷ୍ମଣ ପବନ ପ୍ରଭୃତି ଦେବତାମାନଙ୍କ କଥାରେ ପ୍ରୀତ ହୋଇ ବ୍ରହ୍ମଶରକୁ ହସ୍ତରେ ଧାରଣ କଲେ ଏବଂ ଅତିକାୟକୁ ବ୍ରହ୍ମ ଶରରେ ବିନାଶ କରି ଯୁଦ୍ଧ ସନ୍ତାପକୁ ସଂହରଣ କଲେ । ଏବଂ ଅତିକାୟକୁ ବ୍ରହ୍ମ ଶରରେ ବିନାଶ କରି ଯୁଦ୍ଧ ସନ୍ତାପକୁ ସଂହରଣ କଲେ । ସେହେତୁ ମହାଦେବ ଗଙ୍ଗା ଓ ଚନ୍ଦ୍ରଙ୍କ ଦ୍ୱାରା ଭୂଷିତ ହେଲାପରି ବୀର ଲକ୍ଷ୍ମଣ ଗଙ୍ଗା ପରି ପବିତ୍ର ଓ ଚନ୍ଦ୍ରପରି ନିର୍ମଳ ଯଶରାଶିରେ ଭୂଷିତ ହେଲେ । (ଶିବ ଦେବତାଙ୍କ କଥାରେ ପ୍ରୀତି ହୋଇ ସମୁଦ୍ରଜାତ ବିଷକୁ କରଅଞ୍ଜଳିରେ ଧରି ଗ୍ରାସ କରି ବିଷସନ୍ତାପ ହରିଥିଲେ, କାମଦେବକୁ ଭସ୍ମ କରିଥିଲେ ଏବଂ ଗଙ୍ଗା ଓ ଚନ୍ଦ୍ରଙ୍କୁ ମସ୍ତକରେ ଧାରଣ କରି ଶୋଭାଯୁକ୍ତ ହୋଇଥିଲେ; ସେହିପରି ଲକ୍ଷ୍ମଣ ପବନ ଦେବତାଙ୍କ କଥାରେ ବ୍ରହ୍ମାସ୍ତ୍ର ହସ୍ତରେ ଧରି ଅତିକାୟକୁ ବିନାଶ ପୂର୍ବକ ଯୁଦ୍ଧର ସନ୍ତାପ ହରଣ କରିଥିଲେ ଓ ନିର୍ମଳ କୀର୍ତ୍ତିରେ ଭୂଷିତ ହୋଇଥିଲେ।)

 

୨୮ଶ ପଦ :- କୁରରୀ-ପକ୍ଷୀ ବିଶେଷ । ବିଶାଦ-ଦୁଃଖ । ଶତ୍ରାରି-ଇନ୍ଦ୍ରଜିତ।

 

୨୮ଶ ପଦ :- ରାବଣ ଦୂତ ମୁଖରୁ ସେନାପତିମାନଙ୍କର ମୃତ୍ୟୁବାର୍ତ୍ତା ଶୁଣି ତାଙ୍କ ଗୁଣବାହୁନି କୁରରୀ ପ୍ରାୟ କାନ୍ଦିବାକୁ ଲାଗିଲା । ଇନ୍ଦ୍ରଜିତ ପିତାଙ୍କର ଏ ଶୋକ ସହ୍ୟ କରି ନପାରି ନିଶରେ ହାତମାରି ଖଣ୍ଡା ଝମକାଇ କ୍ରୋଧଭରେ ଗର୍ଜନ କରି କହିଲା, ‘‘ମୁଁ ଭୟଙ୍କର ରାହୁ ସଦୃଶ ବାଣ ବିନ୍ଧିବା ଦ୍ୱାରା ସେ ତୁମ ଲକ୍ଷ୍ମଣ ରୂପୀ ଚନ୍ଦ୍ର ଗ୍ରାସିତ ହୋଇ ପୁଣି ରକ୍ଷା ପାଇ ଯାଉଅଛନ୍ତି । ଏବେ ସେ ମୋ ବାଣ ଦ୍ୱାରା ଜବତ ହେବେ ଓ ନକ୍ଷତ୍ରଗଣ ରୂପ ଭଲ୍ଲୁକ ସୈନ୍ୟ ମଳିନ ଦିଶିବେ।’

 

୨୯ଶ ପଦ :- ରମ୍ୟେ-ମନୋହର ଭାବରେ । ବଇଜୟନ୍ତୀ-ପତକା । ବ୍ୟୋମେ-ଆକାଶରେ । ଝମେ-ଝାଉଁଳିଯିବା । ବହୁବଳ-ଅସଂଖ୍ୟ ସୈନ୍ୟ । ସଂଗ୍ରାମେ-ଯୁଦ୍ଧ କ୍ଷେତ୍ରରେ ।

 

୨୯ଶ ପଦ :- ଇନ୍ଦ୍ରଜିତ ଏହିପରି ଏହିପରି ପ୍ରତିଜ୍ଞାପୂର୍ବକ ନିକୁମ୍ଭିଲା ବଟ ମୂଳରେ ହୋମ କରି ଦେବଦଳନ ନାମକ ସୁନ୍ଦର ରଥ ଜାତ କରାଗଲା । ସେ ରଥରେ ଥିବା ଦିଗଦହନ ନାମକ ପତାକା ଆକାଶରେ ଫରହର ଉଡ଼ିବାର ଦେଖିବେ ଓ ଶତ୍ରୁମାନେ ଝାମ ଯାଇ ପଡ଼ିବେ । ବାଣମାନଙ୍କଦ୍ୱାରା ପୂର୍ଣ୍ଣ ସୁନ୍ଦର ବିଜୟ ନାମକ ତୁଣୀର ଦକ୍ଷିଣ ସ୍କନ୍ଦରେ ବାନ୍ଧି ବାମ ହସ୍ତରେ ଧନୁ ଧରି ଇନ୍ଦ୍ରଜିତ ଯୁଦ୍ଧକୁ ବାହାର ହେଲା ଏବଂ ବହୁତ ସୈନ୍ୟ ସଙ୍ଗରେ ଧରି ଯମ ପ୍ରାୟ ରଣ କ୍ଷେତ୍ରରେ ଉପସ୍ଥିତ ହେଲା ।

 

୩୦ଶ ପଦ :- ବଳ-ସୈନ୍ୟ । ବାଦେ-ବିପକ୍ଷମାନେ । ପ୍ରାବୃଟ-ବର୍ଷାଋତୁ । ଶରଦେ-ଶରତ୍‌ କାଳରେ। ମେଘନାଦ-ମେଘଗର୍ଜନ, ଇନ୍ଦ୍ରଜିତ । ନିଶାଚର-ରାକ୍ଷସ, ପେଚା । ରାମଚନ୍ଦ୍ର-ରଘୁନାଥ, ରମଣୀୟ ଚନ୍ଦ୍ର । ହରି-ମର୍କଟ, ଶୁଆ । ସମ୍ମଦ-ଗର୍ବ । କୁମୁଦ-କଇଁ, ବାନର ସେନାପତି ବିଶେଷ । ନଳିନୀପ୍ରଭା-ଜଳର ସ୍ୱଚ୍ଛତା, ପଦ୍ମର ମନୋହରତା । ସରଭେଦେ-ବାଣବିନ୍ଧୁ, ଜଳ ଭେଦରେ । ଘନାଘନ-ମତ୍ତହସ୍ତୀ, ବର୍ଷୁକମେଘ । ବିଶଦ-ନିର୍ମଳ, ଶୁଭ । ବିଶାରଦ-ଗର୍ବ, ଧୈର୍ଯ୍ୟ । ନିଶାଚର-ରାକ୍ଷସ, ଯମ୍ବୁଜ ପେଚକ ସର୍ପାଦି ରାତ୍ରିଚର ପ୍ରାଣୀ।

 

୩୦ଶ ପଦ :- ସେ ଯୁଦ୍ଧଭୂମିରେ ଦୁଇ ଥାଟଙ୍କ ବିବାଦରେ କୌଣସି ଥାଟ ବର୍ଷାକାଳ ଓ ଅପର ଥାଟ ଶରତ୍‌କାଳ ସଙ୍ଗେ ଲକ୍ଷିତ ହେଲେ । (ଇନ୍ଦ୍ରଜିତ ଥାଟ ବର୍ଷାକାଳ ପ୍ରାୟ ହେଲା କାରଣ ଯେପରି ‘ମେଘନାଦ’ ଘୋର ଗର୍ଜନକାରୀ ‘ଘନାଘନ’ ବର୍ଷୁକ ମେଘ ବର୍ଷାକାଳରେ ପ୍ରକାଶିତ ହୋଇଥାଏ, ସେହିପରି ‘ମେଘନାଦ’ ଇନ୍ଦ୍ରଜିତ ‘ଘନାଘନ’ ମତ୍ତହସ୍ତୀ ସମହୋଇ ସୈନ୍ୟଙ୍କ ମଧ୍ୟରେ ପ୍ରକାଶ ପାଇଲା । ପୁଣି ବର୍ଷାକାଳ ଯେପରି ‘ନିଶାଚର’ ଯମ୍ଭୁକ, ପେଚକ, ସର୍ପାଦି ରାତ୍ରିଚର ପ୍ରାଣୀମାନଙ୍କର ଗର୍ବ ବଢ଼ାଏ ସେହିପରି ଏ ‘ନିଶାଚର’ ରାକ୍ଷସମାନଙ୍କର ଗର୍ବ ବଢ଼ାଇଲା । (ବାନର ସୈନ୍ୟ ଶରତ୍‌ଋତୁ ପ୍ରାୟ ହେଲେ) କାରଣ ଶରତ୍‌କାଳରେ ଯେପରି ରମଣୀୟ ଚନ୍ଦ୍ର ଗର୍ବର ସହିତ ଉଦିତ ହୁଅନ୍ତି, ସେହିପରି ବାନର ଥାଟ ରୂପୀ ଶରତ୍‌କାଳରେ ନିର୍ମଳ ହୃଦୟ ରାମଚନ୍ଦ୍ର ଉଦିତ ହୋଇଅଛନ୍ତି । ଶରତ୍‌କାଳରେ ଶୁକପକ୍ଷୀମାନେ ଆନନ୍ଦରେ ବିହାର କରନ୍ତି, ନିର୍ମଳ ଜଳରେ ପଦ୍ମ ଓ କଇଁଫୁଲ ଫୁଟି ଶୋଭିତ ହୁଅନ୍ତି, ସେହିପରି କପି ଥାଟ ମଧ୍ୟରେ ସୈନ୍ୟମାନେ ରାମଚନ୍ଦ୍ରଙ୍କ ଯୋଗୁଁ ଆନନ୍ଦିତ ହେଉଅଛନ୍ତି । କୁମୁଦ ନାମା କପି ଶୁକ୍ଳବର୍ଣ୍ଣରେ ନିଜର ପ୍ରଭାବ ବୃଦ୍ଧି କରି ଶୋଭିତ ହେଉଅଛି । ଦୁଇଋତୁ ଜଳଭେଦରେ ସମାନ ଅର୍ଥାତ୍ ବର୍ଷାକାଳରେ ଜଳ ଆବିଳ ଓ ଶରତ୍‌ କାଳରେ ଜଳ ନିର୍ମଳ ହେଲା ପ୍ରାୟ ଉଭୟ ପକ୍ଷର ସୈନ୍ୟମାନେ ଶର ଯୁଦ୍ଧରେ ପରଷ୍ପରର ସମାନ ଅଟନ୍ତି । (ଅଥବା ଜୟଲାଭ ଯୋଗେ ଶରତ୍‌କାଳ ସମ କପିଥାଟଙ୍କ ମନ ନିର୍ମଳ ଓ ପରାଜୟ ଯୋଗେ ବର୍ଷାକଳ ସମ ରାକ୍ଷସ ଥାଟଙ୍କ ମନ ଆବିଳ ହୋଇଅଛି) ।

 

ବାଛି ନାଶିଲା କରୀ ବୋଇଲା ଯେକେଶରୀ ଗବୟ ହୟଙ୍କୁ ବିଦାରି ।

ବିଧାରେ ହନୁଚୂରି ହନୁମାନ ପ୍ରସରି ରଥିମାନଙ୍କେ କ୍ରୋଧଭରି ସେ ।

ବାଳ ଧରି ।

ବେଗେ ଅଙ୍ଗଦ ଅଙ୍ଗ ଚିରି            ବିଜାନ ସାଦିଗଣ କରି ।

ବିଲେକିଲେ ଶଉରି ସେ ଜନ ନଉତୁରି ସୁଗ୍ରୀବ ଗ୍ରୀବ ମୋଡ଼ିମାଡ଼ି ସେ । ୩୧ ।

 

ବଧିଲେ କେତେ ସୈନ୍ୟ ଜାମ୍ବବ ଯେକଞ୍ଚନ ଡାଳିମ୍ବ ପନସ ଚନ୍ଦନ ।

ବୃକ୍ଷ କରି ପତନ ଜାମ୍ବବ ଯେ କଞ୍ଚନ ଡାଳିମ୍ବ ପନସ ଚନ୍ଦନ ସେ ।

ବିଶୋଧନ ।

ବିବିଧ ବିବିଧ ବିଧାନ            ବାହାର କଲେ ଅନ୍ତମାନ।

ବଳୀ ମହୀନ୍ଦ୍ର ଧନ୍ୟ ମହୀ କରକର୍ଦ୍ଦମ ଦ୍ୱିବିଦ ଦ୍ୱିବିଧ ରଚନ ସେ । ୩୨ ।

 

ବଳିମୁଖ ପ୍ରଖରେ ଦଧିମୁଖ ସଙ୍ଗରେ କାଳୀମୁଖ ଘେନି ରଙ୍ଗରେ ।

ବିରବହିଁ ମୁଖରେ ମୁଷ୍ଟି ତାଡ଼ି ମୁଖରେ ଅରିବଳ ଜୀବନ ହରେ ଯେ ।

ବହିକରେ ।

ବିପୁଳ ଶିଳ ନିରନ୍ତରେ            ବିହରିପନଶିଳ ମାରେ ।

ବସନ୍ତ ପବନରେ ପରଭୃତ ହିଁ ସ୍ୱରେପଞ୍ଚମ ପଞ୍ଚତ୍ୱ ଆଦରେ ସେ ।୩୩।

 

ବହିତ୍ର ନାମ ଭଲେ ଅପୂର୍ବ ନିଜନୀଳେ ଭଷ୍ମ କରି ଉଡ଼ାଇ ଦେଲେ ।

ବ୍ୟାଳରୀତି ଲଭିଲେ ଅସୁରେ ଲୁଚିଗଲେ ତାରାକ୍ଷ ତାର୍ଯ୍ୟ ମହୋଜ୍ଜଳ ସେ ।

ବିଳସିଲେ ।

ବୈଦ୍ୟ ସୁଷେଣ କୁତୁହଳେ            ବ୍ୟାଧିକ୍ଷିତିରେ ଦୈତ୍ୟକୁଳେ ।

ବିରଚିଲେ ଚପଳେ ମାରଣ ରସବଳେ ସୁଶୋଧନରେ କି ମଞ୍ଜୁଳେ ସେ ।୩୪।

 

ବପୁ ଗନ୍ଧମାର୍ଦ୍ଦନ ପରି ଗନ୍ଧମାଦନ ମାଡ଼ିପଡ଼ିଲା ଅବିଚ୍ଛନ୍ନ।

ବ୍ୟବସ୍ଥିତେ ଦୁର୍ବର୍ଣ୍ଣ କରିଦେଲା ସୁବର୍ଣ୍ଣପାରାସ ମିଶି ଘନ ଘନ ସେ ।

ବଳବାନ ।

ବୃନ୍ଦ ବୃନ୍ଦଯୂଥପେ ପୂର୍ଣ୍ଣ            ବିନାସ କୋପେ ପୁନଃ ପୁନଃ।

ବାନ୍ଧିଲେ ସରସ୍ୱାନ ସେତୁ କି ଶବମାନ ଶରସେତୁ କରି ପ୍ରଧାନ ସେ ।୩୫।

 

୩୧ଶ ପଦ :- କରୀ-ହସ୍ତୀ । କେଶରୀ-ସିଂହ । ଗବୟ-ବାନର ସେନାପତି ବିଶେଷ, ପଶୁ ବିଶେଷ । ହୟଙ୍କୁ-ଘୋଡ଼ାମାନଙ୍କୁ । ହନୁ-ଗାଲ । ବିଜାନ-(ଯାବନିକ ଶବ୍ଦ) ବିଗତ ଜାନ୍‌ ଅର୍ଥାତ୍‌ ମୃତ୍ୟୁ । ସାଦିଗଣ-ଅଶ୍ୱାରୋହୀ ସମୂହ । ଶଉରି-ଯୋଦ୍ଧା ବିଶେଷ, ଶନି ମହାଗ୍ରହ । ଗ୍ରୀବ-ବେକ ।

 

୩୧ଶ ପଦ :- କେଶରୀ ନାମକ ବାନର ସିଂହ ପ୍ରାୟ ହୋଇ ବାଛିବାଛି ହସ୍ତୀମାନଙ୍କୁ ବିନାଶ କଲା । ଗବୟ ବାନର ଗୟଳ ପ୍ରାୟ ହୋଇ ବାଛିବାଛି ଅଶ୍ୱମାନଙ୍କୁ ବିଦାରଣ କଲା । ହନୁମାନ ଧାଇଁ ଯାଇ ରଥିମାନଙ୍କଠାରେ କୋପଯୁକ୍ତ ହୋଇ ବିଧାଦ୍ୱାରା ସେମାନଙ୍କ ଗାଲପାଟି ଭାଙ୍ଗିଦେଲା । ଅଙ୍ଗଦ ଅତିଶୀଘ୍ର ସିପାହୀ (ପଦାତିକ)ମାନଙ୍କର ବାଳ ଧରି ସେମାନଙ୍କର ଦେହକୁ ଚିରି ସେମାନଙ୍କ ପ୍ରାଣ ବିନାଶ କଲା । ଶୌରିନାମକ ବାନର ଶନିଗ୍ରହ ପ୍ରାୟ ଯେଉଁ ସୈନ୍ୟକୁ ଅନାଇଲା, ସେ ବଞ୍ଚିନପାରି ମଲା । ସୁଗ୍ରୀବ ରାକ୍ଷସମାନଙ୍କ ବେକ ମୋଡ଼ି ମାରିବାକୁ ଲାଗିଲା ।

 

୩୨ଶ ପଦ :- ବିଶୋଧନ-ନିର୍ମୂଳ । ବିଧାନ-ନିୟମ । ଦ୍ୱିବିଦ-ସେନାପତି ବିଶେଷ । ଦ୍ୱିବଧ-ଦୁଇଖଣ୍ଡ ।

 

୩୨ଶ ପଦ :- ଋକ୍ଷରାଜ ଜାମ୍ବବ, କଞ୍ଚନ, ଡାଳିମ୍ବ, ପନସ, ଚନ୍ଦନ, ଇତ୍ୟାଦି ସୈନ୍ୟମାନେ ଯଥାକ୍ରମେ ଜାମୁ, କଞ୍ଚନ, ଡାଳିମ୍ବ, ପଣସ, ଚନ୍ଦନ ବୃକ୍ଷମାନ ଆଣି ପିଟି ବହୁତ ସୈନ୍ୟମାନଙ୍କୁ ବିନାଶ କଲେ । ନାନା ଭାବରେ ରାକ୍ଷସ ସୈନ୍ୟଙ୍କୁ ମାରି ତାଙ୍କ ଅନ୍ତ ବୁଜୁଳା ବାହାର କଲେ । ବଳବାନ ମହୀନ୍ଦ୍ର କପି ବୀରମାନଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ ଓ ଦ୍ୱିବିଦ କପି ଅସୁରଙ୍କୁ ଦୁଇଖଣ୍ଡ ଲେଖାଏ କରି ପକାଇ ରଣଭୂମିକୁ ରକ୍ତରେ କର୍ଦ୍ଦମ କରି ଦେଲା ।

 

୩୩ଶ ପଦ :- ବିରବ-ଭୟଙ୍କର ଶବ୍ଦ । ମୁଷ୍ଟି-ମୁଥ । ଅରିବଳ-ଶତ୍ରୁ ସୈନ୍ୟ । ଶିଳ-ପ୍ରସ୍ତର । ବିହରି-ଭ୍ରମଣକରି । ପଞ୍ଚତ୍ୱ-ବିନାଶ । ପରଭୃତି-କୋକିଳ, ଶତ୍ରୁମାନଙ୍କୁ ଧରନ୍ତେ । ପଞ୍ଚମସ୍ୱରେ-ପାଞ୍ଚସ୍ୱର ମଧ୍ୟରୁ ପଞ୍ଚମ ସ୍ୱର ଅର୍ଥାତ୍ ମୃତ୍ୟୁ ସ୍ୱର ।

 

୩୩ଶ ପଦ :- ବଳୀମୁଖ କପିମାନେ ଦଧିମୁଖ ଓ କାଳୀମୁଖ କପିମାନଙ୍କୁ ସଙ୍ଗତରେ ଘେନି ଯୁଦ୍ଧଭୂମିକୁ ଘୋଟିଗଲେ । କପିମାନେ ମୁଖରେ ଭୟଙ୍କର ଶବ୍ଦ କରି ଅସୁରଙ୍କ ମୁହଁରେ ମୁଥ ପ୍ରହାର ପୂର୍ବକ ଶତ୍ରୁ ସୈନ୍ୟଙ୍କ ଜୀବନ ହରଣ କଲେ । ପନଶିଳ କପି ବଡ଼ବଡ଼ ପଥର ହସ୍ତରେ ଧରି ସର୍ବଦା ଶତ୍ରୁ ସୈନ୍ୟଙ୍କୁ କ୍ରୀଡ଼ା ଛଳରେ ବିନାଶ କଲା । ବସନ୍ତ ଓ ପବନ ଏ ଦୁଇ କପି ଶତୁମାନଙ୍କୁ ଧରନ୍ତେ, ସେମାନେ କରୁଣ ସ୍ୱରରେ ପଞ୍ଚତ୍ୱ ପ୍ରାପ୍ତ ହେଲେ । (ବସନ୍ତ ପବନରେ ମଳୟ ପବନ ବହିବା ଯୋଗୁ ‘ପରଭୃତ’ କୋକିଳ ପଞ୍ଚମ ସ୍ୱର ବିସ୍ତାର କରେ-ଧ୍ୱନ୍ୟର୍ଥ) ।

 

୩୪ଶ ପଦ :- ଅପୂର୍ବ-ଅଦ୍ଭୁତ । ଭସ୍ମ-ପାଉଁଶ । ବ୍ୟାଳରୀତି-ସର୍ପସ୍ୱଭାବ । ତାରାକ୍ଷ-ରାକ୍ଷସବିଶେଷ । ତାକ୍ଷ୍ୟ-ଗରୁଡ଼ । କ୍ଷିତିରେ-ପୃଥିବୀରେ । ଦୈତ୍ୟକୁଳ-ରାକ୍ଷସବଂଶ । ଚପଳେ-ସତ୍ୱର । ମଞ୍ଜୁଳେ-ମନୋହର ଭାବରେ । କ୍ଷିତିରେ-ବିନାଶାର୍ଥେ ।

 

୩୪ଶ ପଦ :- ନଳ ଓ ନୀଳ ସେନାପତି ‘ଅପୂର୍ବ ହୋଇ ଅର୍ଥାତ୍ ଅନଳ (ଅଗ୍ନି) ଓ ଅନୀଳ (ପବନ) ପ୍ରାୟ ହୋଇ ବହିତ୍ର ନାମକ ଅସୁରକୁ ଉତ୍ତମରୂପେ ଭସ୍ମ କରି ଉଡ଼ାଇଦେଲେ । ଗରୁଡ଼ରୂପୀ ତାରାକ୍ଷ କପିର ଭୀଷଣ ତେଜରେ ରାକ୍ଷସମାନେ ସର୍ପ ସ୍ୱଭାବକୁ ଲଭିଲେ (ଗରୁଡ଼କୁ ଦେଖି ସର୍ପମାନେ ବିଳରେ ଲୁଚିଲା ପ୍ରାୟ ତାରାକ୍ଷକୁ ଦେଖି ରାକ୍ଷସମାନେ ଗୁପ୍ତସ୍ଥାନରେ ଲୁଚିଲେ) । ସୁଷେଣ ବୈଦ୍ୟ କୌତୁକରେ ବ୍ୟାଧିରୂପ ଅସୁର ବଂଶର ବିନାଶ ପାଇଁ ପାରାଆଦି ରସରୂପ ସଂହାର ରସକୁ ବଳପୂର୍ବକ ସୁନ୍ଦର ଭାବରେ ଶୋଧନ କରି ଶୀଘ୍ର ପ୍ରୟୋଗ କଲେ । (ବୈଦ୍ୟ ବ୍ୟାଧିର ବିନାଶ ପାଇଁ ପାରାଆଦି ରସକୁ ଶୋଧନ କରି ପ୍ରୟୋଗ କଲା ପ୍ରାୟ ସୁଷେଣ ରାକ୍ଷସ ବଂଶ ବିନାଶ ପାଇଁ ବୀରତ୍ୱ ପ୍ରକାଶ କରିଥିଲେ ଅର୍ଥାତ୍‌ ରାକ୍ଷସମାନଙ୍କୁ ବୀରତ୍ୱ ସହକାରେ ବିନାଶ କରିଥିଲେ ।

 

୩୫ଶ ପଦ :- ବପୁ-ଦେହ । ଗନ୍ଧମାର୍ଦ୍ଦନର-ପର୍ବତବିଶେଷ । ଗନ୍ଧମାଦନ-ସେନାପତିବିଶେଷ । ଅବିଚ୍ଛିନ୍ନ-ସର୍ବଦା । ଦୁର୍ବର୍ଣ୍ଣ-ତେଜହୀନ, ରୂପା । ପରାସ-ପାରା,ଯୂଥପତିମାନେ । ସରସ୍ୱାନ-ସମୁଦ୍ର । ସେତୁ-ବନ୍ଧ । ସୁବର୍ଣ୍ଣ-ଉତ୍କୃଷ୍ଟ ବର୍ଣ୍ଣ, ସୁନା ।

 

୩୫ଶ ପଦ :- ଗନ୍ଧମାର୍ଦ୍ଦନ ପର୍ବତତୁଲ୍ୟ ବପୁବନ୍ତ ଗନ୍ଧମାଦନ କପି ରାକ୍ଷସମାନଙ୍କ ଉପରେ ଅନବରତ ମାଡ଼ିପଡ଼ି ସେମାନଙ୍କ ପ୍ରାଣ ବିନାଶ କଲା । ପାରାକୁ ସୁନା ସହିତ ବାରମ୍ବାର ମିଶାଇଲେ, ସେ ଯେପରି ଉତ୍ତମ ବର୍ଣ୍ଣ ସୁନାକୁ ଧଳା କରି ବିବର୍ଣ୍ଣ କରିଦିଏ, ସେହିପରି ପାରାସ କପି ରାକ୍ଷସମାନଙ୍କ ସହିତ ଘନ ଘନ ମିଳିତ ହୋଇ ସେମାନଙ୍କୁ ତେଜୋହୀନ କରିଦେଲା । ଯୂଥପତିମାନେ କ୍ରୋଧଯୁକ୍ତ ହୋଇ ବାରମ୍ବାର ବୃନ୍ଦ ବୃନ୍ଦ ରାକ୍ଷସଙ୍କୁ ବିନାଶ କରିବାରୁ ସମୁଦ୍ରରେ ସେତୁ ବନ୍ଧନ ହେଲାପରି ଯୁଦ୍ଧ-କ୍ଷେତ୍ରରେ ରକ୍ତ ସମୁଦ୍ରରେ ଶବମାନଙ୍କଦ୍ୱାରା ସେତୁ ବନ୍ଧା ହେଲା ।

ବିଶ୍ରବାର ତନୟ ବରଷ (ଶ)ରଆଳୟ ସ ଭେଦେ ଅର୍ଦ୍ଧ କରି କ୍ଷୟ ।

ବଳେ ଜ୍ୟେଷ୍ଠ ଆାଷାଢ଼ ପାଇ କାୟ ଶ୍ରମ ଶ୍ରାବଣ ପରିଚୟ ସେ ।

ବିବିସ୍ମୟ ।

ବିଶ୍ୱେଭାଦ୍ରପଦ ଆଶ୍ରୟବିଭାତି ଆଶ୍ୱିନ ସ୍ଥାପୟ ।

ବାହୁଳେୟ ଉଦୟ ପ୍ରଭାରେ ମହୋଦୟ କରାଇ ମାର୍ଗଶିରମୟସେ ।୩୬।(କ)

 

ବଇଶ୍ରବ ତନୟ ବରଶର ଆଳୟ ‘ଷ’ ଭେଦେ ଅର୍ଦ୍ଧ କରି କ୍ଷିତ ।

ବଳେ ଜ୍ୟେଷ୍ଠ ତନୟ ଆଷାଢ଼ପାଇ କାୟ ଶ୍ରମ ଶ୍ରାବଣ ପରିଚିତ ସେ ।

ବିବିସ୍ମିତ ।

ବିଶ୍ୱେଭାଦ୍ରପର ଆଶ୍ରିତ      ବିଭାତି ଅସୀନ ଛେଦିତ ।

ବାହୁଳେୟ ଉଦୟ ପ୍ରଭାରେ ଅତିଶୟ କରାଇ ମାର୍ଗଶୀର୍ଷାନ୍ୱିତ ସେ ।୩୬।(ଖ)

 

ବିଜ୍ଞେବୋଲନ୍ତି ନର ନାରାୟଣଏ ଗିରି ସିଦ୍ଧ ହୋଇଛି ଯେଉଁଠାରେ ।

ବୀରପଣ ତାଙ୍କର କେ ହେବ ଶେଷକର ଅଲେଖ ଯେ ଲେଖ ଲେଖରେ ସେ ।

ବିନ୍ଧେଶର ।

ବିଶ୍ୱଭରଣବୋଲିବାର      ବିଅର୍ଥ ନୋହେ ବିଶ୍ୱମ୍ଭର।

ବିଷ୍ଣୁ ସଙ୍ଗେ ସଙ୍ଗର ଅନନ୍ତ ସାହାଯାର ଜିଷ୍ଣୁ ଜିତ ନୋହେ ଇତର ସେ ।୩୭।

 

ବିଭିନ୍ନରେ କବଚ ଶୋଣିତରେ ପ୍ରପଞ୍ଚ ଅସ୍ଥିକି ଭେଦିଣ ନାରାଚ ।

ବଚନେ ନାହିଁ ପାଞ୍ଚ ଚତୁର୍ଥସ୍ୱରେ ବଚ ପ୍ରକାଶ କଲା ଯଥା ମତ ସେ ।

ବୋଲେ ଉଚ୍ଚ ।

ବଚନ ଚପଳେ ମାରିଚ      ବଧକ ଭ୍ରାତ ଏବେ ରଚ ।

ବିହାରକୁ ମୃସଞ୍ଚ ଶମନପୁର ମଞ୍ଚ ତେଜିଣ ପୂର୍ବ ଗର୍ବ ମୁଞ୍ଚ ସେ ।୩୮।

 

ବାସବଜିତ ଭଲା ପ୍ରଳୟକାଳ ହେଲା ଚତୁରଘନ ଧନୁ କଲା ।

ବରଷି ଶରଧାରା ଗଗନଘୋଟାଇଲା ବାନର ସୃଷ୍ଟିନାଶ କଲା ସେ ।

ବୁଡ଼ାଇଲା ।

ବିକର୍ତ୍ତନଜ ଯେ ଉଇଁଲା            ବଟ ବ୍ରହ୍ମାସ୍ତ୍ରେ ଶୁଆଇଲା ।

ବାଳମୁକୁଦ ଲୀଳା ସୀତାବଲ୍ଲଭେ ଦେଲା ଲକ୍ଷ୍ମଣ ଶିବହିଁ ଢଳିଲା ସେ ।୩୯।

 

ବାସ୍ତୋସ୍ପତି ପ୍ରଭୃତି ଦିଗପତି ସମ୍ମତି ସୁଗ୍ରୀବ ଆଦି ହେଲେ ହତି !

ବଶିଷ୍ଠେ ଯେତେ ସ୍ଥିତି ସେ ହେଲେ ଦିଗଦନ୍ତୀ ତମମୟରେ ଲୁଚିଜ୍ୟୋତି ସେ

ବ୍ୟୁତପର୍ତ୍ତି ।

ବହି ମାର୍କଣ୍ଡେୟ ମରତି            ବିଭୀଷଣ ବେଳ ବର୍ତ୍ତି ।

ବିଂଶବାହୁସନ୍ତତି କଇଟଭ ଆକୃତି ସ୍ୱାସ୍ଥାନେ ପ୍ରକାଶେ ବିଭୂତି ସେ ।୪୦।

 

୩୬ଶ ପଦ :- (କ) ବିଶ୍ରବାର ତନୟ-ବିଶ୍ରବାର ପୁତ୍ର, ବିଭୀଷଣ । ବରଶର-ଉତ୍କୃଷ୍ଟ ନାରାଚ ବା ବାଣ । ଆଳୟ-ସ୍ଥାନ ବା ଗୃହ । ସଭେଦେ-ବନ୍ଧନକରି । କ୍ଷୟ-ବିନାଶ । ବିବସ୍ମୟ-ଅତିଶୟ ଆଶ୍ଚର୍ଯ୍ୟ । ବିଭାତି-ପ୍ରକାଶିତ ହୋଇ । ବାହୁଳେୟ-କାର୍ତ୍ତିକେୟ । ମାର୍ଗଶିର-ମାସ ବିଶେଷ ।

 

୩୬ଶ ପଦ :- (କ)-ବିଭୀଷଣ ବର୍ଷକର ସ୍ଥାନ ହେଲା । ବର୍ଷକୁ ସମାନ ଭାଗକରି ଅଧେ କାଟି ଦେଲେ ପୁଷଠାରୁ ଜ୍ୟେଷ୍ଠ ପର୍ଯ୍ୟନ୍ତ ଗଲା ଏବଂ ଆଷାଢ଼ଠାରୁ ମାର୍ଗଶିର ପର୍ଯ୍ୟନ୍ତ ରହିଲା । ଜ୍ୟେଷ୍ଠମାସ ଗତ ହୋଇ ଯିବାରୁ ଆଷାଢ଼ମାସ ଦେହ ଧାରଣକଲା । ବର୍ଷାଦ୍ୱାରା ଶ୍ରାବଣମାସର ପରିଚୟ ଦେଲା, ଅତି ବିସ୍ମୟକର ତାପଯୁକ୍ତ ଭାଦ୍ରମାସ ସଂସାରକୁ ଆଶ୍ରୟ କଲା, ଆଶ୍ୱିନ ମାସ ଅତି ତେଜର ସହିତ ସ୍ଥାପିତ ହେଲା, ଅତି ପ୍ରଭାବନ୍ତ ହୋଇ କାର୍ତ୍ତିକ ମାସ ଉଦୟ ହେଲା, ତତ୍‌ପରେ ମାର୍ଗଶିର ମାସ ଆସିଲା ।

 

ଯୁଦ୍ଧପକ୍ଷରେ- ବିଭୀଷଣ ଉତ୍ତମ ଶରମାନଙ୍କର ସ୍ଥାନ ହୋଇଥିଲା । ତାହାର ଶର ଭେଦ ହେବା ପୂର୍ବରୁ ଇନ୍ଦ୍ରଜିତ ଅଧେ କାଟି ପକାଏ, ପୁଣି ବିଧାତା ବଶରେ ବଡ଼ ଭାଇ ରାବଣର ପୁଅ ଇନ୍ଦ୍ରଜିତ, ତାହାଶରୀର ବିନାଶ କରିବା ପାଇଁ ଆଶା ବଳାଇଛି, ଯୁଦ୍ଧକ୍ଷେତ୍ର ଅନବରତ ବାଣ ବର୍ଷଣ ଦ୍ୱାରା ଶ୍ରାବଣ ମାସର ଧାରା ବର୍ଷାର ପରିଚୟ ଦେଉଅଛି । ଅତି ବିସ୍ମୟ ଭାବରେ ସଂସାର ମଧ୍ୟରେ ଶୁଭ ଆଶା ପୋଷଣ କରି ସେ ତେଜୀୟାନ ଅଶ୍ୱାରୋହୀମାନଙ୍କୁ ଖୋଜି ମାଇଲେ ଏବଂ ଅତିଶୟ ପ୍ରଭାବନ୍ତ କାର୍ତ୍ତିକଙ୍କ ପ୍ରାୟ ଉଦିତ ହୋଇବାଟଯାକ ମୁଣ୍ଡମାଳ ଗଡ଼ାଇ ଦେଲେ ।

 

୩୬ଶ ପଦ :- (ଖ) ବଇଶ୍ରବତନୟ-ରାବଣର ପୁତ୍ର ଇନ୍ଦ୍ରଜିତ । ବରଶର-ଶ୍ରେଷ୍ଠଶର । ‘ଷ’ ଭେଦେ-‘ଷ’କାର ଭେଦରେ । କ୍ଷିତକରି-କ୍ଷୟକରି । ଭାଦ୍ରପର-ଭ୍ରାଦବ ମାସର । ଭା-ପ୍ରଭା,ଦ୍ରପ-ଗର୍ବ ଅର୍ଥାତ୍‌ ନିଜ ପ୍ରଭାଗର୍ବରେ । ଅସୀନ-ଅଶୀଣ ମାସ, ପ୍ରଧାନ ଖଡ଼୍‌ଗରେ । ବାହୁଳେୟ- କାର୍ତ୍ତିକମାସ, ବାହୁଲ୍ୟରୂପେ । ମାର୍ଗଶୀର୍ଷାନ୍ୱିତ-ମାର୍ଗଶୀରମାସଯୁକ୍ତ, ‘ମାର୍ଗ’ ବାଟକୁ ଶୀର୍ଷ ମସ୍ତକରେ ‘ଅନ୍ୱିତ’ ଯୁକ୍ତ ।

 

୩୬ଶ ପଦ :-(ଖ)- ରାବଣର ପୁତ୍ର ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ଦ୍ୱାରା ବିନ୍ଧା ହୋଇଥିବା ପ୍ରଧାନ ପ୍ରଧାନ ନାରାଚମାନଙ୍କର ସ୍ଥାନ ହେଲା । (ଇନ୍ଦ୍ରଜିତର ଦେହ ଲକ୍ଷ୍ମଣ ପ୍ରଯୁକ୍ତ ଶରଦ୍ୱାରା ପୂର୍ଣ୍ଣ ହୋଇଗଲା) । ପୁଣି ଷ ଭେଦରେ ବର୍ଷର ଆଳୟ ହେଲା । ତହିଁରୁ ଅଧୋକ୍ଷୟ କଲେ ବା କିଛ’ମାସ ରହିଲା, ବଳେ ତ ଜ୍ୟେଷ୍ଠ, ତେଣୁ ଜ୍ୟେଷ୍ଠ ମାସ ନିଶ୍ଚୟ ହେଲା । (ଅର୍ଥାତ୍ ସେ ଛ’ମାସ ଜ୍ୟେଷ୍ଠ ପରେ ବା ଆଷାଢ଼ରୁ ଆରମ୍ଭ ହେଲା) ।

 

ଇନ୍ଦ୍ରଜିତ ପକ୍ଷରେ-ବଲବନ୍ତପଣରେ ‘ଜ୍ୟେଷ୍ଠ ଶ୍ରେଷ୍ଠ ବୋଲି ନିର୍ଣ୍ଣିତ ହୋଇଅଛି ଯେଉଁ ଇନ୍ଦ୍ରଜିତ, ତାହାର ଶରର ଆଷାଢ଼ ମାସରସନ୍ତାପକୁ ପାଇଲା (ଲକ୍ଷ୍ମଣଙ୍କ ପ୍ରେରିତ ଶରମାନଙ୍କରେ ସନ୍ତପ୍ତ ହେଲା) । ଯୁଦ୍ଧଶ୍ରମ ଯୋଗ ଶ୍ରାବଣ ମାସରେ ଜଳଧାରା ବହିଲା ପ୍ରାୟ ଦେହରୁ ସ୍ୱେଦଜଳ ବହିବାକୁ ଲାଗିଲା । ଇନ୍ଦ୍ରଜିତ ଏହା ଦେଖି ବିଶେଷ ଭାବରେ ବିସ୍ମିତ ହେଲା । ସେ ପୁଣି ସଂସାରରେ ‘ଭା’ ପ୍ରଭା ଆଉ ‘ଦ୍ରପ’ ଗର୍ବଏ ଦୁହିଙ୍କର ଆଶ୍ରୀତ ଅଟେ, ତେଣୁ ଭାଦ୍ରପର ବା ଭାଦ୍ରବମାସ ହେଲା । ତତ୍‌ପରେ ପ୍ରଦୀପ୍ତ ‘ଅସାନ ପ୍ରଧାନ ଖଡ଼୍‌ଗଦ୍ୱାରା ଶତ୍ରୁମାନଙ୍କ ବିନାଶ କରିବା ଯୋଗେ ଆଶ୍ୱିନ ମାସର ଅଖ୍ୟା ପ୍ରାପ୍ତ ହେଲା । ତଦନ୍ତର କାର୍ତ୍ତିକଙ୍କର ପରି ପ୍ରଭାଯୁକ୍ତ ହୋଇ ମାର୍ଗଶୀର୍ଷ ପଥମାନଙ୍କ ଶତ୍ରୁମାନଙ୍କ ଶିର ଦ୍ୱାରା ପୂର୍ଣ୍ଣକରି ଦେଲା ।

 

୩୭ଶ ପଦ :- ବିଜ୍ଞେ-ପଣ୍ଡିତମାନେ । ଶିର-ବଚନ । ଅଲେଖ-ଅସୀମ, ବିଶ୍ୱଭରଣ-ପୃଥିବୀପୂର୍ଣ୍ଣ । ବିଅର୍ଥ-ବୃଥା । ଅନନ୍ତ-ଶେଷବେଦ, ଏଠାରେ ଲକ୍ଷ୍ମଣ । ଜିଷ୍ଣୁକିତ-ଇନ୍ଦ୍ରଜିତ । ଇତର-ଅନ୍ୟ । ଲେଖ-ଦେବତା ।

 

୩୭ଶ ପଦ :- ପଣ୍ଡିତମାନେ ଯେଉଁ ରାମ ଲକ୍ଷ୍ମଣଙ୍କୁ ନରନାରାୟଣ ବୋଲି ନିଷ୍ପନ୍ନ କରିଅଛନ୍ତି, ତାଙ୍କର ବୀରତ୍ୱ କିଏ ବା ବାକ୍ୟରେ କହି କଟାକ୍ଷ କରି ପାରିବ ? ଦେବତାମାନଙ୍କ ଗଣନାରେ ମଧ୍ୟ ସେ ବୀରତ୍ୱ ଅପରିମିତ ଅଟେ । ଇନ୍ଦ୍ରଜିତ ବିଶ୍ୱର ଲୋକଙ୍କୁ ପୂର୍ଣ୍ଣକରି ଶର ବିନ୍ଧିଲା, ତେଣୁ ତାକୁ ‘ବିଶ୍ୱଭର’ ସଂସାରରେ ଭାବ ବୋଲିଥିବା ବୃଥା ନୁହେଁ । ଶେଷଦେବ ଲକ୍ଷ୍ମଣ ଯାହାର ସହାୟ ଏପରି ଯେ ରାମରୂପୀ ବିଷ୍ଣୁ, ତାଙ୍କ ସଙ୍ଗରେ ଯୁଦ୍ଧ କରୁଥିବା ଇନ୍ଦ୍ରଜିତକୁ ସାମାନ୍ୟ କୁହାଯାଇ ନ ପାରେ ।

ଅନ୍ୟର୍ଥ :- ଦେବତାଙ୍କ ଗଣନାରେ ବିଶ୍ୱଭରଣ ରାମଚନ୍ଦ୍ର ମଧ୍ୟ ଅପ୍ରମିତ ଶର ବିନ୍ଧିଲେ । ତେଣୁ ତାଙ୍କର ବିଶ୍ୱମ୍ଭର ନାମହିଁ ସାର୍ଥକ ଅଟେ ! ପୁଣି ଲକ୍ଷ୍ମଣ ଯାହାର ସହାୟ ସେହି ରାମରୂପୀ ବିଷ୍ଣୁଙ୍କ ସଙ୍ଗେ ଇନ୍ଦ୍ରଜିତ ସଂଗ୍ରାମ କରୁଅଛି ତେଣୁ ସେ ଇନ୍ଦ୍ରଜିତ ମଧ୍ୟ ସାମାନ୍ୟ ନୁହେଁ।

 

୩୮ଶ ପଦ :- ବିଭିନ୍ନରେ-ଭେଦ କରିବାରେ । କବଚ-ସାଞ୍ଜ । ଶୋଣିତରେ-ରକ୍ତରେ । ଅସ୍ଥି-ହାଡ଼ । ନାରାଚ-ଶର। ପାଞ୍ଚ-ବିଚାରକର । ନୀଚ-ନିକୃଷ୍ଟ, ହୀନ । ଚପଳେ-ସତ୍ୱରେ । ଶମନପୁର-ଯମପୁର । ମଞ୍ଚ-ମର୍ତ୍ତ୍ୟ । ପୂର୍ବ ଗର୍ବ-ପୂର୍ବବୈରତା । ମୁଞ୍ଚ-ତ୍ୟାଗକର । ପ୍ରପଞ୍ଚ-ବିସ୍ତାର । ଚତୁର୍ଥସ୍ୱର-ବୃଦ୍ଧସ୍ୱର ।

 

୩୮ଶ ପଦ :- ରାମ ଲକ୍ଷ୍ମଣଙ୍କ ଶର ଇନ୍ଦ୍ରଜିତର ସାଞ୍ଜୁ ବିଦୀର୍ଣ୍ଣ କରି ଅସ୍ଥିକୁ ଭେଦ କଲା; ତେଣୁ ରୁଧିରରେ ଜର୍ଜରିତ ହୋଇ ସେ କୁତ୍ସିତ ଦେଖାଗଲା । ତାହାର ବିଚାର କରିବା ଶକ୍ତି ମଧ୍ୟ ରହିଲା ନାହିଁ । ସେ ନୀଚଲୋକ ପ୍ରାୟ ବୃଦ୍ଧ ସ୍ୱରରେ (ଥରି ଥରି) ବାକ୍ୟ କହିବାକୁ ଲାଗିଲା । ଅନନ୍ତର ମାରୀଚବଧକ ରାମଚନ୍ଦ୍ରଙ୍କ ଭ୍ରାତା ଲକ୍ଷ୍ମଣ ଅତିଶୀଘ୍ର କହିଲେ, ରେ ଅସୁର ! ଆମକୁ ମାରିବୁ ବୋଲି ପୂର୍ବରୁ ଯେ ଗର୍ବ ହୃଦୟରେ ବହିଅଛୁ, ତା ତୁ ତ୍ୟାଗ କର । ଏବେ ମର୍ତ୍ତ୍ୟପୁରକୁ ତେଜି ଯମପୁରକୁକ୍ରୀଡ଼ା କରିବାକୁ ଯିବାପାଇଁ ପ୍ରସ୍ତୁତ ହୁଅ ।’’

 

୩୯ଶ ପଦ :- ବାସବଜିତ-ଇନ୍ଦ୍ରଜିତ । ଚତୁର ଘନ-ଚାରି ମେଘ, (ଆବର୍ତ୍ତକ, ସଂବର୍ତ୍ତକ, ଦ୍ରୋଣ ଓ ପୁଷ୍କର-ଏହି ଚାରିମେଘ) ଗଗନ-ଆକାଶ । ବିକର୍ତ୍ତନଜ-ସୂର୍ଯ୍ୟଜନିତ, ସୁଗ୍ରୀବ । ବାଳମୁକୁନ୍ଦଲୀଳା-ବାଳଗୋପାଳଖେଳ । ସୀତାବଲ୍ଲଭ-ରାମଚନ୍ଦ୍ର ।

 

୩୯ଶ ପଦ :- ତତ୍‌ପରେ ଇନ୍ଦ୍ରଜିତ ପ୍ରଳୟକାଳ ସଦୃଶ ହେଲା । ପ୍ରଳୟକାଳରେ ଆବର୍ତ୍ତକାଦି ଚାରି ମେଘ ଏକତ୍ର ହୋଇ ବହୁ ଜଳ ବର୍ଷଣ କରି ଆକାଶକୁ ଆଚ୍ଛନ୍ନ ଓ ସୃଷ୍ଟି ବିନାଶ କଲା ପ୍ରାୟ, ଏଠାରେ ଇନ୍ଦ୍ରଜିତର ଭୀଷଣ ଯୁଦ୍ଧ ଦେଖି ମେଘରୂପ ତାହାର ଧନୁଦ୍ୱାରା ବହୁତ ଶରବର୍ଷଣ କରି ପୃଥିବୀକୁ ଆଚ୍ଛନ୍ନ ଓ ବିନାଶ ସୃଷ୍ଟିରୁ ନିବାଶ ସାଧନ କରିବାକୁ ଲାଗିଲା । ପ୍ରଳୟକାଳ ସୂର୍ଯ୍ୟ ଜାତି କିରଣକୁ ବିନାଶ କଲା ପ୍ରାୟ ଇନ୍ଦ୍ରଜିତ ସୂର୍ଯ୍ୟପୁତ୍ର ସୁଗ୍ରୀବଙ୍କ ଲୀଳାକୁ ଶରାଘାତରେ ବୁଡ଼ାଇ ଦେଲା । ପୁଣି ବିଷ୍ଣୁ ପ୍ରଳୟକାଳରେ ବଟପୁଟରେ ଶୟନ କଲା ପରି ଇନ୍ଦ୍ରଜିତ ରାମଚନ୍ଦ୍ରଙ୍କୁ ବ୍ରହ୍ମାସ୍ତ୍ର ରୂପ ବଟପୁଟରେ ଶୁଆଇ ପକାଇଲା । (ଇନ୍ଦ୍ରଜିତର ବ୍ରହ୍ମାସ୍ତ୍ର ପ୍ରୟୋଗ ଦ୍ୱାରା ରାମଚନ୍ଦ୍ର ଅଚେତନ ହୋଇ ଭୂମିରେ ଶୋଇଲେ) । ଶିବ ରୂପୀ ଲକ୍ଷ୍ମଣ ମଧ୍ୟ ସେହି ଶରାଘାତରେ ତାଙ୍କ ସହ ଧରାଶାୟୀ ହେଲେ ।

 

୪୦ଶ ପଦ :- ବାସ୍ତୋଷ୍ପତି-ଇନ୍ଦ୍ର । ହତ-ବିନାଶ । ତମମୟରେ-ଘୋର ଅନ୍ଧକାରରେ । ଜ୍ୟୋତି-ତେଜ । ଦ୍ୟୁତପତ୍ତି-ବିଶେଷଜ୍ଞାନ । ବର୍ତ୍ତି-ବଞ୍ଚି । ବିଂଶବାହୁସନ୍ତତି-ଇନ୍ଦ୍ରଜିତ । କଇଟଭ-ରାକ୍ଷସବିଶେଷ । ବିଭୂତି-ସମ୍ପତ୍ତି ଅର୍ଥାତ୍ ଗର୍ବ ।

 

୪୦ଶ ପଦ :- ପ୍ରଳୟକାଳରେ ଇନ୍ଦ୍ରାଦି ଦେବତାମାନେ ବିନାଶ ହେଲା ପରି ସେମାନଙ୍କ ସମାନ ସୁଗ୍ରୀବାଦି ବୀରମାନେ ବିନାଶ ହେଲେ । ଅନ୍ଧକାରରେ ସମସ୍ତ ତେଜୋହୀନ ହେଲା ପ୍ରାୟ ଦିଗ୍‌ଗଜ ତୁଲ୍ୟ ପ୍ରଧାନ କପିମାନେ ଇନ୍ଦ୍ରଜିତର ଯୁଦ୍ଧରେ ଜ୍ଞାନହୀନ ହୋଇ ପଡ଼ିଲେ, କେବଳ ବିଭୀଷଣ ମାର୍କଣ୍ଡେୟ ମୂର୍ତ୍ତିକି ଧରି ବଞ୍ଚି ରହିଲା (ପ୍ରଳୟ କାଳରେ ସମସ୍ତ ବିନାଶ ହୁଏ, କେବଳ ମାର୍କଣ୍ଡେୟ ବଞ୍ଚିଥାନ୍ତି) । ଇନ୍ଦ୍ରଜିତ କୈଟଭ ଅସୁର ପ୍ରାୟ ପ୍ରଳୟ ରୂପ ଯୁଦ୍ଧ ଜୟ କରି ଯାଇ ଲଙ୍କାରେ ଗର୍ବ ପ୍ରକାଶ ପୂର୍ବକ ବୀରତ୍ୱ ଜଣାଇଲା ।

 

ବ୍ରହ୍ମା ହୋଇଲା ଜାତ ସଚେତେ ଜାମ୍ବବନ୍ତ ପୁନଃ ସେ ସୃଷ୍ଟି ଚିରଚିତ।

ବରାହମୂର୍ତ୍ତି ସତ ସଞ୍ଚରି ହନୁମନ୍ତ ସ୍ଥାପି ଧରଣୀ ହିମବନ୍ତ ସେ ।

ବିଜନିତ ।

ବିବିଧ ରସ ଔଷଧିତ            ବିନୋଦେ ସୁମନେ ରସିତ ।

ବେନିଭ୍ରାତ ଅଚ୍ୟୁତ ଈଶ୍ୱର ପୃଥ୍ୱୀହିତ ଦୈତ୍ୟହତକୁ ସେ ବାଞ୍ଛିତ ସେ ।୪୧।

 

ବାଦସରିତ ଲଙ୍ଘନକୁ ତରିତ ମେଘବାରି ଆଜକୁ ଯଥା ବାଘ ।

ବିଚୁର୍ଣ୍ଣତା କାଚୌଘ ବାଜି ଯଥା ପରିଘ୍ର ପାତକ ହତେ ଯଥା ମାଘ ସେ ।

ବୋଲୁଁ ଶ୍ଲାଘ ।

ବାଳୀଏ ମିଳି ଦେଲେ ଅର୍ଘ୍ୟ            ବୋଲେ ରାବଣ ଗଲା ଅର୍ଘ୍ୟ ।

ବିରଚି ପଦଓଘ ବୟାଳିଶ ସଲଘ ଉପଇନ୍ଦ୍ର ଚିତ୍ତ ଅନଘ ସେ ।୪୨।

 

୪୧ଶ ପଦ :- ସଞ୍ଚରି-ଯାଇ । ଧରଣୀ-ପୃଥିବୀ । ବିଜନିତ-ଜାତକଲେ । ବିନୋଦେ-ଆନନ୍ଦରେ । ସୁମନେ-ଉତ୍ତମ ମନରେ । ଅଚ୍ୟୁତ-ଅବିନାଶ ।

 

୪୧ଶ ପଦ :- ପ୍ରଳୟାନ୍ତରେ ବ୍ରହ୍ମା ଜାତ ହୋଇ ସୃଷ୍ଟି ଆରମ୍ଭ କଲା ପ୍ରାୟ ପ୍ରଥମେ ଜାମ୍ବବାନ ଚେତନା ପାଇ ଉଠି ଏ ସୃଷ୍ଟିକୁ ବିରଚନ କଲେ । ହନୁମନ୍ତ ବରାହ ମୂର୍ତ୍ତି ପ୍ରାୟ ଯାଇ ପୃଥ୍ୱୀରୂପ ହିମବନ୍ତ ପର୍ବତରୁ ଆଣି ସେଠାରେ ସ୍ଥାପନା କଲା । ସେହି ପର୍ବତରୁ ଜାତ ନାନାପ୍ରକାର ଔଷଧି ରସମାନଙ୍କ ଯୋଗେ ବାନରମାନେ ଚେତନା ପାଇ ଉତ୍ତମ ମନରେ ଉଠି ପୁଣି କ୍ରୀଡ଼ାରେ ରସିଲେ । ପୃଥିବୀର ହିତକାରୀ ବିଷ୍ଣୁ ଓ ଶିବ ରୂପୀ ବେନି ଭାଇ ରାମ ଓ ଲକ୍ଷ୍ମଣ ଉଠି ଅସୁରମାନଙ୍କ ମୃତ୍ୟୁ ବାଞ୍ଛା କଲେ ।

 

୪୨ଶ ପଦ :- ବାଦସରିତ-ଶତ୍ରୁ ରୂପୀ ନଦୀ । ଲଙ୍ଘନକୁ-ପାର ହେବାକୁ । ତରୀତ-ନୌକା । ମେଘବାରି-ଇନ୍ଦ୍ରଜିତ । ଅଜକୁ-ଛେଳିକୁ । କାଚୌଘ-କାଚସମୂହ । ପାତକହତେ-ପାପନାଶ ପାଇଁ । ଶାଘ-ଆତ୍ମପ୍ରଶଂସା । ବାଳୀଏ-ସ୍ତ୍ରୀମାନେ । ଅଘ-ପାପ । ପଦଓଘ-ପାଦସମୂହ । ଅନଘ-ନିଷ୍ପପ, ବିଶୁଦ୍ଧ । ସଲଘ-ପୂର୍ଣ୍ଣ ହେଲା ।

 

୪୨ଶ ପଦ :- ଶତ୍ରୁ ନଦୀକୁ ତରିଯିବାକୁ ନୌକା ପ୍ରାୟ ଶତ୍ରୁ ସୈନ୍ୟ ଛାଗକୁ ଭକ୍ଷଣ କରିବାକୁ ବ୍ୟାଘ୍ର ପ୍ରାୟ ଯେ ଇନ୍ଦ୍ରଜିତ, ସେ ଯୁଦ୍ଧକ୍ଷେତ୍ରରୁ ଫେରି ଯାଇ ରାବଣ ଅଗ୍ରତରେ କହିବାକୁ ଲାଗିଲା, ‘‘ହେ ରାଜନ ! ପରିଘ ଘାତରେ ଯେପରି କାଚସମୂହ ଚୂର୍ଣ୍ଣ ହୋଇଯାଏ, ମାଘ ବ୍ରତ ଯୋଗେ ଯେପରି ପାତକ ରାଶି ଧ୍ୱଂସ ହୋଇଯାଏ, ସେହିପରି ମୁଁ ଶତ୍ରୁ ସୈନ୍ୟସମୁହକୁ ବିନାଶ କରି ଆସିଲି’’ ଇନ୍ଦ୍ରଜିତର ଏହିପରି ଆତ୍ମପ୍ରଶଂସା କଥାମାନ ଶୁଣିବା ମାତ୍ରକେ କନ୍ୟାମାନେ ଆସି ତାକୁ ଅର୍ଘ୍ୟ ଦେଇ ବନ୍ଦାପନା କଲେ, ରାବଣ ଆନନ୍ଦିତ ହୋଇ କହିଲା, ଆଜିଠାରୁ ପାପ ଗଲା (ମୁଁ ନିଷ୍କଣ୍ଟକ ହେଲି।’’ ଏହି ଛାନ୍ଦକୁ ବୟାଳିଶ ପଦସମୂହ ଦ୍ୱାରା ରଚନା କରି ଉପେନ୍ଦ୍ରଙ୍କ ଚିତ୍ତ ନିଷ୍ପାପ ହେଲା ।)

 

ପଞ୍ଚଚତ୍ୱାରିଂଶ ଛାନ୍ଦ

ରାଗ-ପଞ୍ଚମ ବରାଡ଼ୀ

(ବିପ୍ରସିଂହାବାଣୀରେ)

 

ବାହୁଡ଼ିଲାସାନୁମାନ-      ଶୃଙ୍ଗ ଥୋଇ ହନୁମାନ

ମାନ ମାନସେ ଗୁମାନ ଆଣି ।

ବିଚାରେ ପ୍ରଚାରେ ରାମେ      କଲା ଅଭିରାମେ ଗ୍ରାମେ

ଗଲେ ରାକ୍ଷସେ ସଂଗ୍ରାମେ ଜିଣି ସେ ।

ବିଭୁ ଶୁଣ । ବିହି ଥିବେ ସୁଖେ ନିଦ୍ରା ସେହି ।

ବୈରୀ ସର୍ବନାଶ ଏହି ଗର୍ବ ବହି ସେ ।୧।

 

ବରଣ ଡେଇଣ ରଣ      ଆରମ୍ଭ ପତ୍ତିମାରଣ

ବାରଣ ଦାରଣ ହୟ କରି ।

ବୈଦେହୀଶୋକ ବାରଣ      ହେବାର ମୂଳ କାରଣ

ଏହି କଥା ଆସୁଅଛି ସ୍ମରି ସେ ।

ବଚନକୁ  ।  ବାହାରିଲେ ଯୁଦ୍ଧ ରଚନକୁ ।

ବୃକ୍ଷ ଶିଳା ଧରି ଅରି ଶୋଚନକୁ ସେ ।୨।

 

ବସୁମତୀରଦୁହିତେ            ଯେତେ ତ୍ରିଜଟା ସହିତେ

ଅଶ୍ରୁ ନେତ୍ରେ ସର୍ବ ଚାହିଁ କହି ।

ବରବରନା ଦେବର            ମୋର ବିନାଶ ଦେବର

ରାଜରିପୁକୁ ଏ ବର ବିହି ସେ ।

ବୋଲେ ଶୁଣି  ।  ବାମାଏ ବାମାକ୍ଷି ଏକି ସତ

ବଧିଲାଣି ରଣେ ତାକୁ ଇନ୍ଦ୍ରଜିତ ସେ ।୩।

 

ବୋଇଲା ଶ୍ରବଣେ ସତୀ      ବିନଶ୍ୟତି ଯେ ବିଂଶତି

କରଜ ହେବ ଲକ୍ଷ୍ମଣ କରେ ।

ବର୍ତ୍ତିବ ବ୍ରତୀ ନିବର୍ତ୍ତି            ନିଦ୍ରା ଅଶନହିଁ ରତି

ଏହି ଅର୍ଥେ ବିପିନବାସରେ ସେ ।

ଚଳିଲାଣି । ବାରବେନିମାସମୋର ତପ ।

ବିଳମ୍ବକୁ ଏବେ ନାହିଁତ ବିକଳ୍ପ ଯେ ।୪।

 

ବିରବ ବୀର ବାନରେ      ବିରଚି ବୀର ସତ୍ୱରେ

ବିହରେ ପ୍ରକାର ଜିଣି ପୁରେ ।

ବନ୍ଦୀ ବୁଦ୍ଧି ତେଜି ଦୂରେ      ବନ୍ଦିଲେ ବନ୍ଦ ପ୍ରକାରେ

ସୀତାକୀର୍ତ୍ତି ଅସୁରୀ ନିକରେ ସେ ।

ବହ୍ନି ଜ୍ୟୋତି । ବନୌକାଏ ସ୍ଥାନେ ସ୍ଥାନେ କଲେ ।

ବିଭୀତରେ ଦୈତ୍ୟମାନେ ବିଚାରିଲେ ସେ ।୫।

 

୧ମ ପଦ :- ସାନୁମାନଶୃଙ୍ଗ-ପର୍ବତଶୃଙ୍ଗ । ଅଭିରାମ-ମନୋହର। ସଂଗ୍ରାମ-ଯୁଦ୍ଧ । ବୈରୀ-ଶତ୍ରୁ ।

 

୧ମ ପଦ :- ହନୁମାନ ହିମବନ୍ତ ପର୍ବତ ଶୃଙ୍ଗକୁ ଯଥାସ୍ଥାନରେ ଥୋଇବାହୁଡ଼ିଲା । ତତ୍‌ପରେ ‘ରାକ୍ଷସମାନେ ସଂଗ୍ରାମରେ ଜୟକରି ଗଲେ ଏହି ଅଭିମାନ୍‌ ହୃଦୟରେ ବହି ମନୋରମ ରାମଙ୍କ ସମ୍ମୁଖକୁ ଯାଇ ବିଚାର କରି କହିଲା, ‘ହେ ପ୍ରଭୋ । ବୈରିସବୁ ବିନାଶ ହେଲେ, ରାକ୍ଷସମାନେ ଏହା ବିଚାରି ଗର୍ବର ସହିତ ନିଜ ନିଜର ଗୃହକୁ ଯାଇଅଛନ୍ତି । ସେମାନେ ନିଶ୍ଚୟ ବର୍ତ୍ତମାନ ସୁଖରେ ନିଦ୍ରା ଯାଇଥିବେ ।’’

 

୨ୟ ପଦ :- ବରଣ-ପ୍ରାଚୀର । ରଣ-ଯୁଦ୍ଧ । ପତ୍ତି-ପାଇକମାନଙ୍କୁ । ବାରଣ-ହସ୍ତୀ । ଦାରଣ-ବିଦାରଣ କରି । ହୟ-ଘୋଡ଼ା । କାରଣ-ନିବାରଣ । ଶିଳା-ପଥର । ଅରି-ଶତ୍ରୁ । ଶୋଚନକୁ-ଚିନ୍ତାକୁ ।

 

୨ୟ ପଦ :- ‘ଆମ୍ଭେ ବର୍ତ୍ତମାନ ପାଚେରୀ ଡ଼େଇଁ ଯୁଦ୍ଧ ଆରମ୍ଭ କରିଦେବା ଏବଂ ପଦାତିମାନଙ୍କୁ ମାରି, ହସ୍ତୀ ଅଶ୍ୱମାନଙ୍କୁ ବିଦୀର୍ଣ୍ଣ କରି ପକାଇବା । ଆମେ ଭାବୁଅଛୁ ସେ ସୀତାଙ୍କ ଶୋକ ନିବାରଣ ହେବାର ମୂଳ କଥାହିଁ ଏହି । (ଆମ୍ଭେ ମରିଛୁ ଶୁଣି ସୀତା ଶୋକ କରୁଥିବେ, ମାତ୍ର ଗଡ଼ ମଧ୍ୟରେ ଆମ୍ଭର ଯୁଦ୍ଧ ଦେଖିଲେ ସେ ଆଶ୍ୱସ୍ତ ହେବେ) ।’’ ହନୁମାନର ଏହି କଥା ଶୁଣି ରାମ ଲକ୍ଷ୍ମଣ ଯୁଦ୍ଧ କରିବାକୁ ବାହାରିଲେ । କପିମାନେ ଶତ୍ରୁକୁ ଶୋକ ଦେବା ନିମିତ୍ତ ବୃକ୍ଷ ଓ ପଥରମାନ ଧରି ଚାଲିଲେ।

 

୩ୟ ପଦ :- ଅଶ୍ରୁ-ଲୋତକ । ବରବରନା-ସୁନ୍ଦରୀ ସ୍ତ୍ରୀ । ଦେବର-ଦିଅର । ଦେ ବର-ବର ଦିଅ ! ଦେବରାଜରିପୁ-ଇନ୍ଦ୍ରଜିତ। ବାମାଏ-କୌଣସି ରାକ୍ଷସୀ ସଖୀ ।

 

୩ୟ ପଦ :- ‘ଇନ୍ଦ୍ରଜିତ ଯୁଦ୍ଧରେ ଜୟ କରି ଆସିଛି’-ଏ ଖବର ପାଇ ବସୁମତୀପୁତ୍ରୀ ସୀତା ପ୍ରିୟସଖୀ ତ୍ରିଜଟା ସହିତ ଥିବା ରାକ୍ଷସୀମାନଙ୍କୁ ଅଶ୍ରୁ ନୟନରେ ଚାହିଁ କହିଲେ, ‘‘ମୋର ଦେବର ଲକ୍ଷ୍ମଣ ଇନ୍ଦ୍ରଜିତକୁ ବଧକରୁ; ଏହି ବର ଯେପରି ମୁଁ ପ୍ରାପ୍ତ ହୁଏ ।’’ ଏହା ଶୁଣି କୌଣସି ରାକ୍ଷସୀ କହିଲା, ‘‘ହେ ସୁନ୍ଦରୀ । ଏହା କିପରି ସତ ହେବ ? ତୁମ୍ଭ ଦିଅରକୁ ପରା ଇନ୍ଦ୍ରଜିତ ଯୁଦ୍ଧରେ ବଧ କରି ସାରିଲାଣି ।’’

 

୪ର୍ଥ ପଦ :- ବଂଶତିକରକ-ଇନ୍ଦ୍ରଜିତ । ବତୀ-ନିୟମକାରୀ ବା ତପସ୍ୱୀ । ନିବର୍ତ୍ତି-ନିବୃତ୍ତ ହୋଇ, ତ୍ୟାଗକରି, ଅଶନହିଁ-ଭୋଜନ ସୁଦ୍ଧା । ବିପିନ-ବନ । ବାରବେନି-ଚଉଦ । ବିକଳ୍ପ ସନ୍ଦେହ ।

 

୪ର୍ଥ ପଦ :- ରାକ୍ଷସୀମାନଙ୍କଠାରୁ ଏହି କଥା ଶୁଣି ସୀତା କହିଲେ, ‘‘ଇନ୍ଦ୍ରଜିତ ଲକ୍ଷ୍ମଣଙ୍କ ହାତରେ ନିଶ୍ଚୟ ମରିବ। ଏଥି ନିମିତ୍ତ ଲକ୍ଷ୍ମଣ ନିଦ୍ରା, ଭୋଜନ ଓ ସ୍ତ୍ରୀ ସହବାସ ପରିତ୍ୟାଗ ପୂର୍ବକ ତପସ୍ୱୀମାନଙ୍କ ପରି ଜଙ୍ଗଲରେ ବାସ କରୁଅଛନ୍ତି । ମୋର ତପସ୍ୟା କାଳ ଚଉଦମାସରୁ ବେଶୀ ହେଲାଣି । ବର୍ତ୍ତମାନ ଆଉ ବିଳମ୍ବ ଘଟିବ ବୋଲି ଆଶଙ୍କା କରିବା ଠିକ୍ ନୁହେଁ।

 

୫ମ ପଦ :- ବିରବ-ଉଚ୍ଚଶବ୍ଦ । ସତ୍ୱରେ-ଚଞ୍ଚଳ । ବିହ୍ୱରେ-ବିହାର କରେ । ପ୍ରାକାର-ପ୍ରାଚୀର । ବନ୍ଦୀ-ଭଟ ! ବନ୍ଦିଲେ-ବନ୍ଦନକଲେ, ସ୍ତୁତି । ବନ୍ଦୀ ପ୍ରକାରେ-କଏଦିମାନଙ୍କ ପରି । ବହ୍ନି ଜ୍ୟୋତି-ଅଗ୍ନିତେଜ । ବନୌକାଏ-ବାନରମାନେ ।

 

୫ମ ପଦ :- ଏହି ସମୟରେ ବାନରମାନେ ବୀରରଡ଼ି ଦେଇ ପ୍ରାଚୀର ଲଙ୍ଘନ ପୂର୍ବକ ଲଙ୍କାଗଡ଼ ମଧ୍ୟରେ ପଶି ଡିଆଁ ଡେଇଁ କରିବାକୁ ଲାଗିଲେ । ଏହା ଶୁଣି ସେହି ଅସୁରୀମାନେ ସୀତାଙ୍କୁ କଏଦୀ ଭୋଗୁଥିବା ସ୍ତ୍ରୀ ବୋଲି ନ ଭାବି ପୂଜ୍ୟାବୋଲି ଭାବି ସ୍ତୁତି କରିବାକୁ ଲାଗିଲେ । ଋକ୍ଷ ଓ ମର୍କଟମାନେ ଲଙ୍କାଗଡ଼ର କୌଣସି କୌଣସି ସ୍ଥାନରେ ନିଆଁ ଲଗାଇଦେବାରୁ ରାକ୍ଷସମାନେ ଅତିଶୟ ଭୀତ ହୋଇ ବିଚାରିଲେ:-

 

ବୈଶ୍ୱାନର କିପାଁ ଜାତ      ବାନର ନର ତ ହତ

କିନ୍ନର ସୁର କିଙ୍କର ଯହିଁ ।

ବିସ୍ତାରିଣ ବାତାୟନ            ଦତ୍ତ ନୟନ ଶୟନ

ତେଜିଣ ଅୟନ ପୂର୍ଣ୍ଣ ସେହି ସେ ।

ବେନିକରେ । ବିଟପ ଦିହୁଡ଼ି କି ବିଦିତ ।

ବିରାଜନ୍ତି ଯଥା ଭ୍ରମେ ଯମଦୂତ ସେ ।୬।

 

ବଣିକଭାବ ଲମ୍ପଟ            ପ୍ରକଟ କରି ମର୍କଟ

କନକକଟକଭଗ୍ନଜାଳେ ।

ବଳବାନ ଖ୍ୟାତଅର୍ଥୀ      ବିବେକ ସଂଜାତ ତଥି

ବୀଥି ବୀଥିବିଭ୍ରାଜିତ ଶିଳେ ସେ ।

ବର୍ଦ୍ଧମାନ ।  ବାତ ନାସାନଳୀ ଯୋଗେ ତହିଁ ।

ବିରୋଚନ ଅତି ଜ୍ୟୋତି ଏଣୁ ବହି ସେ ।୭।

 

ବିହନ୍ତି ଯେ ହୁଳହୁଳି            କି ଅବା ସେ ଆଳୀଆଳି

ପତ୍ନୀସଙ୍ଗେ ପତି ଯହୁଁ ଜଡ଼ି।

ବାସରେ ଯେତେକ ରହି      ବାସରେ ଲାଗୁ ବରହି

ବହି ଚିତା ପଳାଇ ତା ଝାଡ଼ି ସେ ।

ବିଦିତ କେ । ବାଳରେ ହୋଏ କାହା ପତନ ।

ବହନ୍ତି କି ଅଗ୍ନି କୁମାରୀ ନର୍ତ୍ତନ ସେ ।୮।

 

ବନିତା ବହ୍ନି ସଂକୁଳେ      ଇକାରକୁ ବେଳେ ବେଳେ

ତହିଁ ପଛେ ମୂର୍ଦ୍ଧନ୍ୟଷ ଦେଇ ।

ବାନରେ ଭୟ ଇଚ୍ଛଇ      ବିଲୋକି ଆପଣା ଛାଇ

ବୋଲନ୍ତି ଅତି ବିନୟ ହୋଇ ସେ ।

ବାତୁଳ କି ।  ବିଦ୍ରୁମ-ମାଣିକ୍ୟ-ମାଳାରାଜି।

ବେଗେ ତପ୍ତାଙ୍ଗାର ମଣି ହୃଦୁଁ ତେଜି ସେ ।୯।

 

ବକ୍ଷୋଜେ ଯା ନଖକ୍ଷତ      ଜାତ ବେଦକଣ ଜାତ

ଜ୍ୱାଳା ମଣି ଝାଡ଼େ ଅଞ୍ଚଳରେ ।

ବାରିରେ ନ ପଶି ଡରି      ବାଦି ବିମ୍ବକୁ ନ ପାରି

କୃପୀଟଯୋନି ଏ ଚଞ୍ଚଳରେ ସେ ।

ବିତ୍ତଗଣ୍ଠି । ବାଟେ ଗଡ଼ାଗଡ଼ି ଯାଉଅଛି ।

ବଡ଼ ଭୟେଚୌର୍ଯ୍ୟ ଖଣ୍ଟ ଯାଏ ମୂର୍ଚ୍ଛି ସେ ।୧୦।

 

୬ଷ୍ଠ ପଦ :- ବୈଶ୍ମାନର-ଅଗ୍ନି । କିନ୍ନର-ଗନ୍ଧର୍ବ । ସୁର-ଦେବତା । କିଙ୍କର-ଚାକର । ବାତାୟନ-ଝରକା । ଅୟି-ମାର୍ଗ । ବିଟପ-ବୃକ୍ଷ ।

 

୬ଷ୍ଠ ପଦ :- ‘‘ଯେଉଁ ଲଙ୍କାରେ ଦେବତା ଓ କିନ୍ନରମାନେ ଚାକିରି କରୁଅଛନ୍ତି ଏବଂ ଯାହାର ଶତ୍ରୁ ନର ଓ ବାନରମାନେ ନିହତ ହୋଇଅଛନ୍ତି, ସେହି ଲଙ୍କାରେ ନିଆଁ ଲାଗିଲା କିପରି ?’’ ଏହିପରି ବିଚାରି ସେମାନେ ବିଚ୍ଛଣାରୁ ଉଠି ଝରକା ଫିଟାଇ ଦେଖିଲେ ଯେ, ରାଜମାର୍ଗ ( ଗଡ଼ର ପ୍ରଧାନ ରାସ୍ତା ) ମାଙ୍କଡ଼ମାନଙ୍କଦ୍ୱାରା ପୂର୍ଣ୍ଣ ହୋଇଅଛି ଏବଂ ସେହି ମାଙ୍କଡ଼ମାନେ ଗଛ ଦିହୁଡ଼ି ପରି ବଡ଼ବଡ଼ ହୁଳା ହାତରେ ଧରି ଯମଦୂତମାନଙ୍କ ପରି ବୁଲୁଅଛନ୍ତି ।

 

୭ମ ପଦ :- ବଣିକଭାବ-ସୁନାରିବଣିଆ ଭାବରେ । ପ୍ରକଟ-ପ୍ରକାଶ । କନକକଟକ-ସ୍ୱର୍ଣ୍ଣକଙ୍କଣ, ଲଙ୍କାପୁର । ଭଗ୍ନଜାଳେ-ଭାଙ୍ଗିଲେ ଏବଂ ପୋଡ଼ିଲେ । ବୀଥି-ପଂକ୍ତି । ବିରେଚନ-ଉହ୍ମେଇନିଆଁ । ନାସାନଳୀ-ନାକପୁଡ଼ା, ବାଉଁଶ ନଳୀ ।

 

୭ମ ପଦ :- ଏହି ସମୟରେ ସେହି ଅଗ୍ନିହସ୍ତ ବାନରମାନଙ୍କୁ ଦେଖି ମନେହେଲା, ଏମାନେ କଣ ସୁନାରୀ ବଣିଆଁମାନଙ୍କର କାର୍ଯ୍ୟ ଶିକ୍ଷା କରିବାକୁ ଆଦର ପ୍ରକାଶ କରୁଅଛନ୍ତି କି ? କାରଣ ବଣିଆମାନେ ଯେପରି ସୁବର୍ଣ୍ଣକଙ୍କଣକୁ ଭାଙ୍ଗି ପୋଡ଼ନ୍ତି, ମାଙ୍କଡ଼ମାନେ ସେହିପରି ସୁବର୍ଣ୍ଣପୁରୀ ଲଙ୍କାକୁ ଭାଙ୍ଗି ପୋଡ଼ି ପକାଉଛନ୍ତି । ‘ଏହି ସୁନା ଉତ୍କଷ୍ଟ ବା ନିକୃଷ୍ଟ’-ଏହା ଜାଣିବା ନିମିତ୍ତ ଇଚ୍ଛା ପ୍ରକାଶ କରି ବଣିଆଁମାନେ ନିଜର ମନମୁତାବକ କଷଟି ପଥରମାନଙ୍କୁ ହାତରେ ଧଇଲା ପରି, ଏହି ବାନରମାନେ ନିଜ ନିଜର ବୀରତ୍ୱ ଦେଖାଇବା ପାଇଁ ଇଚ୍ଛା କରି ଯେଉଁମାନେ ଯେତେ ବଡ଼ ପଥର ଉଠାଇ ପାରିବେ ସେମାନେ ନିଜର ଇଚ୍ଛଅନୁସାରେ ସେହିପରି ପଥର ସବୁ ଉଠାଇ ହାତରେ ଧଇଲେ । ବଣିଆଁମାନେ ଯେପରି ବାଉଁଶ ନଳୀରେ ଫୁଙ୍କି ଉହ୍ମେଇସ୍ଥ ଅଗ୍ନିକୁ ଉଦ୍ଦୀପ୍ତ କରନ୍ତି; ମାଙ୍କଡ଼ମାନେ ସେହିପରି ତାଙ୍କର ନଳୀ ତୁଲ୍ୟ ଗୋଜାନାକରୁ ବାହାରୁଥିବା ନିଶ୍ୱାସଦ୍ୱାରା ଲଙ୍କା ପୋଡ଼ି ଅଗ୍ନିକୁ ପ୍ରଜ୍ୱଳିତ କଲେ । ଏଣୁ ଅଗ୍ନି ପ୍ରଚଣ୍ଡ ଶିଖା ଧାରଣ କଲା ।

 

୮ମ ପଦ :- ଆଳୀଆଳି-ସଖୀସମୂହ । ବାସରେ-ଗୃହରେ, ଅନ୍ତରାଗଯୋଗୁଁ । ବାସରେ ଲାଗୁଁ-ଲୁଗାରେ ଲାଗିବାରୁ । ବରହ-ଅଗ୍ନି ।

 

୮ମ ପଦ :- ବାନରମାନେ ଉନ୍ମତ୍ତ ହୋଇ ହୁଂକାର ଧ୍ୱନି କରିବାକୁ ଲାଗିଲେ । ତାହା ଶୁଣି ମନେହେଲା, କୌଣସି ଗୃହମଧ୍ୟରେ ପତିସହ ପତ୍ନୀ ଏକତ୍ର ହୋଇ ଜଳିଯିବାରୁ ସେହି ସ୍ତ୍ରୀର ସଖୀମାନେ ହୁଳହୁଳି ଦେଉଛନ୍ତି କି ? ଅନ୍ୟାନ୍ୟ ଗୃହରେ ଥିବା ଆଉ କେତେ ସ୍ତ୍ରୀ ମଧ୍ୟ ସେମାନଙ୍କ ଲୁଗାରେ ନିଆଁ ଲାଗିଯିବାରୁ ସେହି ଲୁଗାକୁ ଝାଡ଼ି ପକାଇ ଯାଉ ଯାଉ ଶ୍ମଶାନାଗ୍ନିରେ ଶବ ଦଗ୍‌ଧ ହେଲାପରି ବସନାଗ୍ନିରେ ନିଜେ ଦଗ୍‌ଧ ହେଲେ । କାହାର କାହାର ବାଳରେ ନିଆଁ ଲାଗି ଜଳିବାରୁ ସେମାନେ ଡେଇଁ ଡେଇଁ ପଳାଇବା ସମୟରେ ଅଗ୍ନିକୁମାରୀ ନାଟ କରୁଥିଲା ପରି ଦେଖାଗଲେ ।

 

୯ମ ପଦ :- ବିଦ୍ରୁମ–ପୋହଳା । ମାଳାରାଜି-ହାରସବୁ ।

 

୯ମ ପଦ :- ଲଙ୍କାପୁରୀର ଚତୁର୍ଦ୍ଦିଗରେ ଅଗ୍ନି ବ୍ୟାପ୍ତ ହୋଇଯିବାର ଦେଖି ସ୍ତ୍ରୀ ଲୋକମାନେ ‘ଇ’ ଇଲୋ, ଏହି ଶବ୍ଦ ପ୍ରକାଶ କଲେ । ସମୟ ସମୟରେ ( ଅର୍ଥାତ୍ ଦେହରେ ନିଆଁ ଲାଗିଯିବା ସମୟରେ ) ସେହି ଇକାର ପଛରେ ମୂର୍ଦ୍ଧନ୍ୟ ’ଷ’କାରକୁ ଉଚ୍ଚାରଣ କଲେ ଅର୍ଥାତ୍ ଇଷ୍ୱୋଲି କହିଲେ । ସେହି ଅଗ୍ନିର ତେଜରେ ଦେଖା ଯାଉଥିବା ନିଜର ଛାୟାକୁ ମାଙ୍କଡ଼ବୋଲି ଭାବି ନେହୁରା କରିବାକୁ ଲାଗିଲେ ଏବଂ ପାଗଳୀପରିହୋଇ ନିଜ ଗଳାରେ ପିନ୍ଧିଥିବା ପୋହଳା ଓ ମାଣିକ୍ୟ ମାଳାମାନଙ୍କୁ ରଡ଼ ନିଆଁ ବୋଲି ମନେକରି ଦେହରୁ ବାହାର କରି ଫିଙ୍ଗି ଦେଲେ ।

 

୧୦ମ ପଦ :- ବକ୍ଷୋଜେ-ସ୍ତନରେ । ଜାତବେଦକଣ-ଅଗ୍ନିକଣା । ଅଞ୍ଚଳରେ-ଲୁଗାକାନିରେ । ବାରିରେ-ପାଣିରେ । କୃପୀଟଯୋନି-ଅଗ୍ନି ।

 

୧୦ମ ପଦ :- ଯେଉଁ ସ୍ତ୍ରୀମାନଙ୍କର ସ୍ତନରେ ନଖ କ୍ଷତ ଥିଲା, ଝାଳ ବହି ତାହା ପୋଡ଼ିବାରୁ ସେମାନେ ଅଗ୍ନିକଣା ପଡ଼ିଲା ବୋଲି ମନେ କରି ସ୍ତନକୁ କାନି ପଣନ୍ତରେ ଝାଡ଼ିବାକୁ ଲାଗିଲେ । ପ୍ରାଣ ବିକଳରେ ପାଣିରେ ପଶିବାକୁ ଯାଉଥିବା ସ୍ତ୍ରୀମାନେ ଜଳ ମଧ୍ୟରେ ଅଗ୍ନିର ପ୍ରତିବିମ୍ବକୁ ଦେଖି ତାକୁ ନିଆଁ ବୋଲି ବିଚାରି ଶୀଘ୍ର ଜଳ ନିକଟରୁ ଫେରି ଆସିଲେ । କୌଣସି କୌଣସି ସ୍ତ୍ରୀଲୋକମାନେ ଯାଉ ଯାଉ ସେମାନଙ୍କ ଲୁଗାରୁ ଗଣ୍ଠିଫିଟି ଟଙ୍କା, ସୁନା ସବୁ ବାଟରେ ଖସି ପଡ଼ିଲା; କିନ୍ତୁ ଚୋର ବା ଡକାଏତମାନେ ଅଗ୍ନି ଭୟରେ ଅତିଶୟ ଭୀତ ହୋଇଥିବାରୁ ତାହାକୁ ଛାଡ଼ି ଚାଲି ଯାଉଥିଲେ ।

 

ବାଡ଼ବରଜ୍ୟୋତି ବହି      ବାଡ଼ବର ଭାଜେ ତହିଁ

ଶୁଭଇ ବଜ୍ର ନିର୍ଘୋଷ ପରା !

ବଡ଼ବାର ସଙ୍ଗେ ସଙ୍ଗେ      ତୁରଙ୍ଗେ ସମତ୍ତରଙ୍ଗେ

ନ ରସି ଭ୍ରମନ୍ତି ହୋଇତ୍ୱରା ସେ ।

ବିକ୍ରମଣି ।  ବସନ୍ତି ତାଙ୍କ ପୃଷ୍ଠରେ କପି ।

ବୃକ୍ଷ ଶାଖା ଧୃତ ସାଦିରୂପୀ ସେ ।୧୧।

 

ବାଣୀ ରମଣୀଙ୍କ ଶୁଭେ      ବଡ଼ାଇ ଆମ୍ଭ ବଲ୍ଲଭେ

କହୁଥାନ୍ତି ମାଇଲୁଁ ବାନର ।

ବିଭାବସୁର ବିଭାତି            ଖ୍ୟାତତାପଇ ଜଗତୀ

ସେ ଯେମନ୍ତେ ସ୍ୱର୍ଭାନୁ ଆହାର ଯେ ।

ବାଧେ ଛୁଉଁ । ବିଭାବସୁକଣ ସମସ୍ତଙ୍କୁ ।

ବିହଗଚକୋରଭକ୍ଷଇ ତାହାକୁ ଯେ ।୧୨।

 

ବଜ୍ରଅଙ୍ଗଶରତୁଷ୍ଟ            ବନ୍ଧଭଗ୍ନସରପୃଷ୍ଟ

ସ (ଶ)ରଥ ସଚକ୍ରହୋଇ ଧାଇଁ ।

ବିହରେ ତହିଁ ସ (ଶ)ରାଳି            ବହି ଗିରିଷମ ଝଳି

ବାଦ ରଚେ  ।  ବେଗେ ଶୋଣିତାକ୍ଷଜୁଳୁପାକ୍ଷ।

ବାଳିଜ ଜୀବନ ହରି ନେଇ ଯେ ।

ବିରୋଧିତ ତାରେ ବେନିଭ୍ରାତ ଦକ୍ଷ ଯେ ।୧୩।

 

ବ୍ରାହ୍ମଣ ହୋଇଦ୍ୱିବିଦ      ନଖପ୍ରେତେ ଗଳ ଶ୍ରାଦ୍ଧ

ଦେଇ କୀଲାଲେ କଲା ତର୍ପଣ ।

ବିଶୀର୍ଣ୍ଣ କରାଇ ଦ୍ୟୋତ      ଜ୍ୱଳୁପାକ୍ଷକୁଖାଦ୍ୟୋତ

ପରି ଦିବସ ଛବି ଆପଣ ସେ ।

ବେନି ସୁତ ।  ବଳୀ କୁମ୍ଭକର୍ଣ୍ଣର ପ୍ରକଟ ।

ବାନରେଶ ହନୁମନ୍ତ ପାଇଁ ଭେଟ ସେ ।୧୪।

 

ବିନ୍ଧାଣ ସମରେ ସାନ୍ଦ୍ର      ଶାଖାମୃଗେନ୍ଦ୍ର ମୃଗେନ୍ଦ୍ର

କୁମ୍ଭ ସିନ୍ଧୁରେ ସିନ୍ଧୁରେପିଙ୍ଗ।

ବୁଡ଼ିଲା ନାହିଁ ଇକ୍ଷ୍ୱାକୁ-      ପାତ୍ର ପରାୟେ ଇଚ୍ଛାକୁ

ବାୟୁ ବେଗେ ଆସି ହେଲା ରଙ୍ଗୀ ସେ ।

ବିଘାତକୁ । ବିହୁଁ ବାହୁ ଧରି ମୁଣ୍ଡେ ମୁଣ୍ଡେ।

ବହନରେ ରକ୍ଷମୁଣ୍ଡ ଶତେ ଖଣ୍ଡେ ସେ ।୧୫।

 

୧୧ଶ ପଦ :- ବାଡ଼ବର-ଅଗ୍ନିର । ବାଡ଼ବର-ଉତ୍କଷ୍ଟବାଡ଼ । ବଡ଼ବାର-ଘୋଟକୀର । ତୁରଙ୍ଗେ-ଘୋଡ଼ାମାନେ । ସାଦି-ଅଶ୍ୱରୋହୀ ।

 

୧୧ଶ ପଦ :- ଅଗ୍ନିର ତେଜରେ ବଡ଼ବଡ଼ ପ୍ରାଚୀରସବୁ ଭାଙ୍ଗି ପଡୁଥିବାରୁ ବଜ୍ର ଶବ୍ଦପରି ଭୟଙ୍କର ଶବ୍ଦ ଶୁଣାଗଲା । ସେହି ଶବ୍ଦ ଯୋଗୁଁ ଘୋଡ଼ାମାନେ ଘୋଟକୀମାନଙ୍କ ସହିତ କ୍ରୀଡ଼ା ନ କରି ଇତସ୍ତତଃ ଦୌଡ଼ିବାକୁ ଲାଗିଲେ । ଏହି ସମୟରେ ବାନରମାନେ ଗୋଟାଏ ଗୋଟାଏ ଡାଳ ଧରି ସେମାନଙ୍କ ପିଠି ଉପରେ ବସି ଅଶ୍ୱାରୋହୀ ସୈନିକମାନଙ୍କ ପରି ଦେଖାଗଲେ ।

 

୧୨ଶ ପଦ :- ବଲ୍ଲଭେ-ସ୍ୱାମିମାନେ । ବିଭାବସୁ-ସୂର୍ଯ୍ୟ । ବିଭାତି-କିରଣ, ତେଜ । ଜଗତୀ-ପୃଥିବୀ । ସ୍ୱର୍ଭାନ୍ତୁ-ରାହୁ । ବିଭାବସୁକଣ-ଅଗ୍ନିକଣା । ବିହରା-ପକ୍ଷୀ ।

 

୧୨ଶ ପଦ :- ଏହି ସମୟରେ ଲଙ୍କାର ସ୍ତ୍ରୀମାନେ କଥାବାର୍ତ୍ତା ହେଲେ, ‘‘ଆମ୍ଭର ସ୍ୱାମୀମାନେ ବଡ଼ାଇ ଦେଖାଇ କହୁଥିଲେ କି, ଆମ୍ଭେମାନେ ବାନରମାନଙ୍କୁ ମାରି ପକାଇଲୁ, କିନ୍ତୁ ନିଜର ପ୍ରଚଣ୍ଡ କିରଣ ଦ୍ୱାରା ଜଗତକୁ ଉତ୍ତପ୍ତ କରୁଥିବା ସୂର୍ଯ୍ୟଙ୍କୁ ରାହୁ ଗ୍ରାସ କଲା ପରି ନିଜର ବୀରତ୍ୱ ଦ୍ୱାରା ଜଗତକୁ ଜୟ କରିଥିବା ଏହି ଅସୁରମାନଙ୍କୁ ବାନରମାନେ ଭକ୍ଷଣ କରିବେ । ଅଥବା ଅଗ୍ନିକଣା ଦେହରେ ଲାଗିବା ସଙ୍ଗେ ସଙ୍ଗେ ସମସ୍ତ ପ୍ରାଣୀମାନଙ୍କୁ କଷ୍ଟଦେଲେ ସୁଦ୍ଧା ଯେପରି ଚକୋର ପକ୍ଷୀ ଦ୍ୱାରା ଭକ୍ଷିତ ହୁଏ, ସେହିପରି ଏମାନେ ଜଗତ ଦଗ୍‌ଧ କରୁଥିଲେ ସୁଦ୍ଧା ବାନରମାନଙ୍କ ଦ୍ୱାରା ଭକ୍ଷିତ ହେବେ ।’’

 

୧୩ଶ ପଦ :- ସରପୁଷ୍ଟ-ଜଳପୂର୍ଣ୍ଣ ପୁଷ୍କରିଣୀ । ସରଥ-ରଥ ସହିତ । ଶରଥ-ପୃଥିଳ ।ସଚତ୍ର-ସୈନ୍ୟ ସହିତ, ଭଉଁରୀ ସହିତ । ସରାଳି-ହଂସମାନେ, ଶରସମୂହ । ଶରାଳି-ଗିରିଷମ, ଗ୍ରୀଷ୍ମ । ବାଳିକ-ଅଙ୍ଗଦ । ଜୀବନ-ଜଳ, ପ୍ରାଣ ।

 

୧୩ଶ ପଦ :- ବନ୍ଧ ଭାଙ୍ଗିଗଲେ ଭଉଁରୀଶୂନ୍ୟ ଓ ହଂସ ଚକ୍ରବାକ ପ୍ରମୃତି ଜଳଚର ପକ୍ଷୀଯୁକ୍ତ ପୁଷ୍କରିଣୀର ଜଳରାଶି ସେପରି ଚାରିଆଡ଼େ ଅତିଶୀଘ୍ର ବହିଯାଏ, ଏହି ସମୟରେ ସେହିପରି ବଜ୍ରଅଙ୍ଗ ଓ ଶରତୁଷ୍ଟ ନାମକ ରାକ୍ଷସ ଦୁହେଁ ରଥ ଓ ସୈନ୍ୟମାନଙ୍କ ସହିତ ନଗରୀର ଚାରିଆଡ଼େ ଅତିଶୀଘ୍ର ଘୁରିବାକୁ ଲାଗିଲେ । ଏହି ସମୟରେ ଅଙ୍ଗଦ ଗ୍ରୀଷ୍ମଋତୁର ତେଜକୁ ଧାରଣା କରି ସେ ଦୁହିଁଙ୍କ ବିନାଶ କଲା । ଏହା ଦେଖି ଶୋଣିତାକ୍ଷ ଓ ଜୁଳୁପାକ୍ଷ ନାମକ ରାକ୍ଷସଦ୍ୱୟ ଅତି ଶୀଘ୍ର ଧାଇଁ ଆସି ଅଙ୍ଗଦ ସହିତ ଯୁଦ୍ଧ କରିବାରୁ ଯୁଦ୍ଧନିପୁଣ ରାମ ଓ ଲକ୍ଷ୍ମଣ ଦୁହେଁ ସେ ଦୁହିଁଙ୍କ ସଙ୍ଗେ ବୁଝିବାକୁ ଲାଗିଲେ ।

 

୧୪ଶ ପଦ :- ଫଳଶ୍ରାଦ୍ଧ-ମାଂସଶ୍ରାଦ୍ଧ । କୀଲାଲ-ରକ୍ତ । କିଶୀର୍ଣ୍ଣ - କ୍ଷୀଣ, ଏଠାରେ ବିନାଶ । ଦ୍ୟୋତ-କାନ୍ତି, ଦୀପ୍ତି । ଖଦ୍ୟୋତ-ଜୁଳୁଜୁଳାପୋକ । ବାନରେଶ-ସୁଗ୍ରୀବ ।

 

୧୪ଶ ପଦ :- ବ୍ରାହ୍ମଣମାନେ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ଓ ତର୍ପଣ କଲାପରି ଏହି ଅବସରରେ ଦ୍ୱିବିଦ ସେନାପତି ତାର ନଖରୂପ ପ୍ରେତମାନଙ୍କ ଉଦ୍ଦେଶ୍ୟରେ ସେହି ଶୋଣିତାକ୍ଷର ମାଂସଦ୍ୱାରା ଶ୍ରାଦ୍ଧ ଓ ରକ୍ତ ଦ୍ୱାରା ତର୍ପଣ କାର୍ଯ୍ୟ ସଂପାଦନ କଲା । ( ଅର୍ଥାତ୍ ତାକୁ ନଖରେ ବିଦାରି ମାରି ପକାଇଲା । ଦିବସର ତେଜ ଦ୍ୱାରା ଜୁଳୁଜୁଳିଆ ପୋକର ତେଜ ବିନଷ୍ଟ ହେଲା ପରି ଦ୍ୱିବିଦ ନିଜର ତେଜ ଦ୍ୱାରା ଜଳୁପାକ୍ଷର ବୀରତ୍ୱ ଗର୍ବକୁ ନାଶ କରିଦେଲା । ତତ୍ପରେ କୁମ୍ଭକର୍ଣ୍ଣର କୁମ୍ଭ ଓ ନିକୁମ୍ଭ ନାମକ ଦୁଇ ପୁତ୍ର ଯୁଦ୍ଧ କ୍ଷେତ୍ରରେ ଦେଖା ଦିଅନ୍ତେ ସୁଗ୍ରୀବ ଓ ହନୁମାନ ଦୁହେଁ ତାହାଙ୍କ ନିକଟରେ ଉପସ୍ଥିତ ହେଲେ ।)

 

୧୫ଶ ପଦ :- ସମରେ-ଯୁଦ୍ଧରେ । ଶାଖାମୃଗେନ୍ଦ୍ର-ବାନରଗଜ ( ସୁଗ୍ରୀବ ) । ମୃଗେନ୍ଦ୍ର-ସିଂହ । ସିନ୍ଧୁ-ହସ୍ତୀ । ସିନ୍ଧୁରେ-ସମୁଦ୍ରରେ । ଇକ୍ଷ୍ୱାକୁତ୍ରାତ-ଲାଉତୁମ୍ବା । ବହନ-ଶୀଘ୍ର । କୁମ୍ଭ-ହସ୍ତୀ, ଦୈତ୍ୟବିଶେଷ ।

 

୧୫ଶ ପଦ :- ମଲ୍ଲଯୁଦ୍ଧରେ ଦକ୍ଷ ସୁଗ୍ରୀବ ସିଂହ ହସ୍ତିକୁ ଟେକି ନେଇ ଦୂରରେ ଫିଙ୍ଗିଲା ପରି କୁମ୍ଭ ରାକ୍ଷସକୁ ନେଇ ସମୁଦ୍ରରେ ଫିଙ୍ଗି ଦିଅନ୍ତେ ସେ ବୁଡ଼ି ନ ଯାଇ ଲାଉତୁମ୍ବା ପରି ଭାସିବାକୁ ଲାଗିଲା ଏବଂ ଲାଉତୁମ୍ବା ଯେପରି ପବନ ବେଗରେ ଭାସିଆସେ, ସେ ସେହିପରି କୂଳକୁ ଭାସି ଆସି ପୂନର୍ବାର ସୁଗ୍ରୀବ ସହ ଯୁଦ୍ଧ କରିବାକୁ ଲାଗିଲା । ସୁଗ୍ରୀବ ତାର ବାହୁକୁ ଧରି ମୁଣ୍ଡରେ ଆଘାତ କରିବାରୁ ତାହାର ମୁଣ୍ଡ ହଠାତ୍ ଶତଖଣ୍ଡ ହୋଇଗଲା।

 

ବଞ୍ଚିଯାନ୍ତୁରକ୍ଷଲୋକେ      ନାଶଯାନ୍ତୁ ଋଷଲୋକେ

ଭାବି ଗଦା ନିକୁମ୍ଭ ପ୍ରହାରି।

ବତ୍ସଳେ ବକ୍ଷ ମାରୁତି      ଇନ୍ଦ୍ରଲୋକେ ନେଇ ପାତି

ସେ ଭୀତିକି ସତ୍ୱରେ ନିବାରି ସେ ।

ବିଧାଏକ । ବିଧାନରେ ମୂର୍ଚ୍ଛିତ ପାବନି।

ବିମାନେ ପକାଇ ବାହୁଡ଼ିଲା ଘେନି ସେ ।୧୬।

 

ବିଭାକର ସୁନୁ ସ୍ୱଚ୍ଛେ       ପ୍ରଭାକର ହୋଇ ପଛେ

ଗୋଡ଼ାଉଁ ଚେତିଣ ହନୁମନ୍ତ ।

ବୃତ୍ରେ ହରି ପବିପରି      ତନ ହନୁରେ ପ୍ରହାରି

ତଳରେ ପଡ଼ୁ ଚରଣ ଘାତ ସେ ।

ବିହୁଁ ତହିଁ । ବୁକୁରେ ବିଳ ସୁଗ୍ରୀବ ଯୋଗେ।

ବୋଲେ ମଳରାକ୍ଷ ମିଳି ରାମଆସେ ସେ ।୧୭।

 

ବପ୍ତା ମୋର ଖର ଖର-      କର ଜ୍ୟୋତିଷ୍କର ଖର-

ତର ଶରେ ଋଣ ତା ଯୁଝବି।

ବୋଇଲେ ରାମ ରେ      ଖର ତନୟ କି ଲୟ ତୋର

କରିଅଛୁ ପାରୀନ୍ଦ୍ରେ ଯୁଝିବି ରେ ।

ବ୍ରତ ଅନ୍ତେ ।  ବିବିଧ ସେବାମାନଙ୍କୁବିହି।

ବୈବସ୍ୱତ ପୁରେ ଦେବା ପଠିଆଇ ସେ ।୧୮।

 

ବିନ୍ଧି ସୁରପ୍ରଭା ଶର            ସେ ଶୂରବନ୍ତ ଅସୁର ।

ଯହୁଁ ନଚାଇଲା କବନ୍ଧକୁ ।

ବିଶିଖେ ଚର ଅଚର      ପ୍ରଭୁ ଭୂଚର ଖେଚର

କରି ବିହି ତା ଶିର ଚ୍ଛେଦକୁ ସେ ।

ବାହୁଡ଼ିଲେ ।  ବଳ ଜୟବାଦ୍ୟମାନ ଦେଇ ।

ବିଂଶବାହୁ ଆଗେ ଦୂତ ଯାଇ କହି ସେ ।୧୯।

 

ବଳଦ୍ୱୟ ସୌରମତେ      ପ୍ରକଟ ବତ୍ସରଯୁକ୍ତେ

ମେଷ ଋଷଭ ମିଥୁନ କ୍ରମେ

ବହେ କର୍କପ୍ରଭା ସିଂହ      ଗତି କନ୍ୟା-ଗତି ରହ

ତୁଳ ଆଳି ସରସରେ ଭ୍ରମେ ସେ ।

ବଳେ ଧନୁ । ମକରଅକ୍ଷ ବିଳସେ ।

ବିଦ୍ୟମାନ କୁମ୍ଭ ମତ୍ସ୍ୟରେ ଏ ଶ୍ଲେଷେ ଯେ ।୨୦।

 

୧୬ଶ ପଦ :- ବତ୍ସଳେ-ସ୍ନେହରେ । ପାବନି-ହନୁମାନ ।

 

୧୬ଶ ପଦ :- ରାକ୍ଷସମାନେ ବଞ୍ଚିଯାନ୍ତୁ ଓ ଉଲ୍ଲୁକମାନେ ଶୀଘ୍ର ମରିଯାନ୍ତୁ ଏହି କଥା ମନରେ ବିଚାରି ନିକୁମ୍ଭ ହନୁମାନର ବକ୍ଷସ୍ଥଳରେ ଗଦା ପ୍ରହାର କଲା । ଏହା ଦେଖି ହନୁମାନ ଆଦର ସହିତ ସ୍ୱୀୟବକ୍ଷସ୍ଥଳକୁଚନ୍ଦ୍ରଲୋକ ପର୍ଯ୍ୟନ୍ତ ବିସ୍ତାରିତ କରି ଅନ୍ୟମାନଙ୍କର ସେହି ଗଦାଘାତ ଜନିତ ଭୟକୁ ବିଦୂରିତ କଲା । ମାତ୍ର ନିକୁମ୍ଭ ଏକମାତ୍ର ବିଧା ପ୍ରହାର କରି ତାକୁ ମୁର୍ଚ୍ଛିତ ହନୁମାନକୁ ରଥରେ ପକାଇ ଲଙ୍କାକୁ ନେଇଗଲା ।

 

୧୭ଶ ପଦ :- ବିଭାକରସୁନୁ-ସୁଗ୍ରୀବ । ପ୍ରଭାକର-ଦୀପ୍ତିମନ୍ତ । ବୃତ୍ରେ-ବୃତ୍ରାସୁରଠାରେ । ପବିପରି-ବଜ୍ରପରି । ବିଳ-ଗର୍ତ୍ତ ।

 

୧୭ଶ ପଦ :- ଏହା ଦେଖି ସୁଗ୍ରୀବ ସୂର୍ଯ୍ୟ ତୁଲ୍ୟ ତେଜ ପ୍ରକାଶ କରି ନିଜର ଇଚ୍ଛାନୁସାରେ ସେହି ରାକ୍ଷସର ପଛେ ପଛେ ଗୋଡ଼ାଇବାକୁ ଲାଗିଲେ । କିଛିକ୍ଷଣ ପରେ ହନୁମାନ ଚେତନା ପାଇ ଇନ୍ଦ୍ର ବୃତ୍ରାସୁରକୁ ବଜ୍ରଦ୍ୱାରା ପ୍ରହାର କଲାପରି ନିକୁମ୍ଭର ଗାଲକୁ ଗୋଟାଏ ଚାପୁଡ଼ା ମାରିବାରୁ ସେତଳେ ପଡ଼ିଗଲା। ଏହି ସମୟରେ ସୁଗ୍ରୀବ ତାହାର ବକ୍ଷରେ ଗୋଇଠା ମାରନ୍ତେ ସେଠାରେ ଗୋଟାଏ ଗାତ ହୋଇଗଲା। ( ଅର୍ଥାତ୍ ସେ ମଲା ) । ଏହି ସମୟରେ ମକରାକ୍ଷ ରାମଚନ୍ଦ୍ରଙ୍କ ସମ୍ମୁଖରେ ଉପସ୍ଥିତ ହୋଇ କହିଲା।

 

୧୮ଶ ପଦ :- ବପ୍ତା-ପିତା । ଖର-ଦୈତ୍ୟବିଶେଷ । ଖର-ଗଧ । ଖରକର-ସୂର୍ଯ୍ୟକିରଣ । ଖର-ତୀକ୍ଷ୍‌ଣ । ଖରତନୟ-ମକରାକ୍ଷ । ବୈବସ୍ୱତପୁର-ଯମପୁରକୁ ।

 

୧୮ଶ ପଦ :- ‘ଖର ରାକ୍ଷସ ମୋର ପିତା ଅଟନ୍ତି; ମୁଁ ସୂର୍ଯ୍ୟଙ୍କପରି ଅତି ତେଜସ୍ୱୀ ତୀକ୍ଷ୍‌ଣ ଶରମାନଙ୍କୁ ମାରି ଆଜି ସେହି ପିତୃଋଣ ପରିଶୋଧ କରିବି ।’’ ରାମଚନ୍ଦ୍ର କହିଲେ, ‘‘ରେ ଖରତନୟ ! ଗଧର ଛୁଆ ହୋଇ ସିଂହ ସହିତ ଯୁଦ୍ଧ କରିବୁ ବୋଲି ବିଚାର କରିଅଛୁ, ତୋର ଏହି ବିଚାର ଠିକ୍ ନୁହେଁ । ତୁ ଦେବତାମାନଙ୍କୁ ନାନାବିଧ ସେବା କରି ଯେଉଁସବୁ ବର ପାଇଛୁ, ତାହା ଶେଷ ନ ହେଉଣୁ ତୋତେ ଯମପୁରକୁ ପଠାଇଦେବା । ( ଅର୍ଥାତ୍ ତୁ ସେହିଠାରେ ବ୍ରତ ଅନ୍ତେ ପିତା ନିକଟରେ ରହି ଋଣ ପରିଶୋଧ କର ) ।

 

୧୯ଶ ପଦ :- ସୁରପ୍ରଭା-ସୂର୍ଯ୍ୟସମତେଜିୟାନ୍ । ଶ୍ମରବନ୍ତ-ବୀର୍ଯ୍ୟବନ୍ତ, ବଳିଷ୍ଠ । ବିଶିଖେ-ଶରଦ୍ୱାରା । ବଳ-ସୈନ୍ୟ । କିଂଶବାହୁ-ରାବଣ ।

 

୧୯ଶ ପଦ :- ମହାବୀର ସେହି ମକରାକ୍ଷ ସୂର୍ଯ୍ୟଙ୍କପରି ଅତି ତେଜସ୍ୱୀଶରମାନଙ୍କୁ ମାରି ସୈନ୍ୟମାନଙ୍କର ଶିର ଛେଦନ କଲା । ଏହା ଦେଖି ନିଖିଳ ବ୍ରହ୍ମାଣ୍ଡପତି ରାମଚନ୍ଦ୍ର ବାଣମାରି ତାର ମୁଣ୍ଡ ଛେଦନ କଲେ । ସେହିମୁଣ୍ଡ ଆକାଶରେ ଉଠିବାକୁ ଲାଗିଲା ଓ ତାର ଗଣ୍ଡି ଭୂମି ଉପରେ ପତିତ ହେଲା । ଏହା ଦେଖି କପିବଳ ଜୟବାଦ୍ୟ ବଜାଇ ରଣକ୍ଷେତ୍ରରୁ ପ୍ରତ୍ୟାବୃତ୍ତ ହେଲେ ଏବଂ ଦୂତ ଯାଇ ରାବଣ ନିକଟରେ ଏ ସବୁ କଥା କହିଲା :-

 

୨୦ଶ ପଦ :- ସୌରମତେ-ସଂକ୍ରାନ୍ତି ଗଣନାନୁସାରେ । ଶୌରମତେ-ବୀରଭାବରେ । ପ୍ରକଟ-ପ୍ରକାଶ । ମେଷ-ମେଣ୍ଢା, ମାସବିଶେଷ । ଋଷଭ-ମାସବିଶେଷ, ଷଣ୍ଢ । ମିଥୁନ-ମାସବିଶେଷ, ଦୁଇଜଣ । କର୍କପ୍ରଭା- ଅଗ୍ନିପ୍ରଭା, ମାସବିଶେଷ । ଅଳି-ବିଛା । ସରସରେ-ଉତ୍ତମ ମନରେ ।

 

୨୦ଶ ପଦ :- ସଂକ୍ରାନ୍ତି ଗଣନାନୁସାରେ ମେଷ, ବୃଷ ଓ ମିଥୁନାଦି କ୍ରମରେ ମାସମାନେ ଆରମ୍ଭ ହୋଇ ବର୍ଷ ଶେଷ ହେଲାପରି, ଯୁଦ୍ଧ କ୍ଷେତ୍ରରେ ତାଙ୍କର ଓ ଆମ୍ଭର ସୈନ୍ୟମାନଙ୍କ ମଧ୍ୟରୁ ଦୁଇ ଦୁଇ ଜଣ ସେହି ସେହି ରାଶିମାନଙ୍କ ତୁଲ୍ୟ ପରାକ୍ରମ ଓ ବୀରତ୍ୱ ପ୍ରକାଶ କରି ଯୁଦ୍ଧ ଶେଷକଲେ । ଏହି ଦୁଇ ବଳ ମଧ୍ୟରୁ ଆମ୍ଭ ବଳ ପ୍ରଥମରେ ମେଣ୍ଢା ଓ ଷଣ୍ଢପରି ହୀନବଳ ହେଲେ । ତାଙ୍କ ବଳ ଅଗ୍ନୀତୁଲ୍ୟ ତେଜ ଧାରଣା କରି ସିଂହ ଗତିରେ ଯୁଦ୍ଧ କ୍ଷେତ୍ରରେ ବିହାରକଲେ । ଆମ୍ଭ ବଳ ସ୍ତ୍ରୀମାନଙ୍କପରି ଭୀତ ହୋଇ ଲୁଚିଲେ ତହୁଁ ତାଙ୍କ ବଳ ତୁଳାପରି ଏମାନଙ୍କୁ ଭିଣି ଦେଲେ । ତତ୍ପରେ ତାଙ୍କ ବଳ ବିଛାପରି ଘାତୁକତା ପ୍ରକାଶ ପୂର୍ବକ ଗର୍ବରସହିତ ବିଚରଣ କରିବାକୁ ଲାଗିଲେ । ଆମ୍ଭ ବଳ ମଧ୍ୟରୁ କେବଳ ମକରାକ୍ଷ ଧନୁ ଧରି ଯୁଦ୍ଧ କରିଥିଲା, କିନ୍ତୁ ମଲା । ତତ୍ପରେ କୁମ୍ଭ ରାକ୍ଷସ କ୍ରୋଧରେ ଅଗ୍ରସର ହୋଇ ଯୁଦ୍ଧ କଲା ମାତ୍ର ସେ ମଧ୍ୟ ମଲା ।’ ଏହିପରି ଏହିପଦରୁ ଦ୍ୱାଦଶ ରାଶିଯୁଦ୍ଧରୂପ ଶେଷାର୍ଥ ପ୍ରକାଶିତ ହେଲା ।

 

ବିସ୍ମୟ ଶୁଣି ଦଶାସ୍ୟ      ବାସବହେଷୀ ପ୍ରବେଶ

ଭାଷ ପ୍ରକାଶ ତାରେ କରଇ

ବୁଡ଼ଣା ହୋଇଲା ସ୍ଥଳେ      ଅନଳ ଲାଗିଲା ଜଳେ

ଅନିଳ ପାଶେ ବନ୍ଧନ ହୋଇ ଯେ ।

ବ୍ରହ୍ମାୟୁଶ । ବିହରିଲା ନର ନିଃଶ୍ୱାସକେ ।

ବୋଧ ଦେଲା ମେଘନାଦ ମୃଦୁବାକ୍ୟେ ସେ ।୨୧।

 

ବିଦଳେ ମାଡ଼ିଣ ଲୋକ      ଇନ୍ଦ୍ରଗୋପ କିଞ୍ଚୂଳୁକ

ଆଷାଢ଼ ଘନ ଗର୍ଜ୍ଜନେ ଜୀଇ।

ବିଚାରେ ସେହି ପ୍ରକାର      ହେଲେ ଏ ନର ବାନର

ହନୁମନ୍ତ ଜୀବନଦ ହୋଇ ସେ ।

ବିନାଶିଲେ । ବାତବଳା ଜିଣନ୍ତାଇଁ ଯୁଦ୍ଧ ।

ବୁଦ୍ଧି ଏକ କରିବା କି ଏବେ ସିଦ୍ଧ ସେ ।୨୨।

 

ବିଦ୍ୟୁଜ୍ଜହ୍ୱ ତ୍ରିବେଣୀ କି      ଯାଇ ଏକ ସୁବେଣୀକି

ବୁଡ଼ାଇ ମୟାଜାନକୀ କରୁ

ବୋଇଲା ରାବଣ ଶୁଣି      ଉଣାହେବ ସିନାଆଣି

ବାହୁଡ଼ାଇଲେ କିତବ ଭୀରୁ ସେ ।

ବିଚ୍ଛେଦିବା ! ବୋଇଲ ଶୁଣି ତା ଇନ୍ଦ୍ରଜିତ ।

ବିଶ୍ରବାସୁତର ଶୁଣି ବୋଧ ଚିତ୍ତ ସେ । ୨୩ ।

 

ବାଞ୍ଛାବଟତଳେ ଗତ      ସୁକାନ୍ତିକି ଘେନି ଭ୍ରାତ

ମନାସି କାମ୍ୟକତୀର୍ଥ ଦାହି।

ବସୁମତୀଜା-ସୂମୁର୍ତ୍ତି                  ବହିଲା ଯହୁଁ ଝଟିତି

ଝଟ ଝଟ ବିଦ୍ୟୁ ପ୍ରାୟ ଦେହୀ ସେ ।

ବିଲିପ୍ତାକେ । ବାହୁଡ଼ିଲା ବୃଷାରି ଜାଣିଲା ।

ବଞ୍ଜୁଳ ବନରୁ ନେଲା ପ୍ରାୟେ ନେଲା ସେ । ୨୪ ।

 

ବିମାନରେ ମାନବତୀ-      ପ୍ରକାରେ ଛଦ୍ମ ଯୁବତୀ

ବସୁ ମୁଖ ପୋତି ଅଶ୍ରୁ ଗଳି ।

ବାତେ କି ନଳିନ ଢଳି      ମରନ୍ଦ ଉଦ୍‌ଗାରେ ଆଳି

ହୟଡ଼ୋଳା ସେହି ଶୋଭାଶାଳୀ ସେ ।

ବିକମ୍ପିତ       ।  ବେନି ବେନି ପକ୍ଷୁ ପକ୍ଷରୀତି ।

ବଢ଼ିବା ଅଳକ ବେଢ଼ି ସେହି ମତି ସେ । ୨୫ ।

 

୨୧ଶ ପଦ :- ଦଶାସ୍ୟ-ରାବଣ । ବାସବଦ୍ଵେଷୀ-ଇନ୍ଦ୍ରଜିତ । ବୁଡ଼ଣା-ବୁଡ଼ିବା । ଅନଳ-ଅଗ୍ନି । ଅନିଳ-ପବନ । ବ୍ରହ୍ମାୟୁଷ-ବ୍ରହ୍ମାଙ୍କର ପରମାୟୁ ।

 

୨୧ଶ ପଦ :- ଏହା ଶୁଣି ରାବଣ ଅତିଶୟ ବିସ୍ମିତ ହେଲା । ଏହି ସମୟରେ ଇନ୍ଦ୍ରଜିତ ସେଠାରେ ଉପସ୍ଥିତ ହେବାରୁ ରାବଣ ତାକୁ କହିଲା, ରେ ବାସବବିଜୟି ! ଏବେ ସ୍ଥଳଭାଗରେ ରହି ବୁଡ଼ି ମରିବାକୁ ହେଲା, ଜଳରେ ଅଗ୍ନି ଲାଗିଲା, ପବନ ଫାସରେ ବନ୍ଦି ହେଲା ଏବଂ ବ୍ରହ୍ମାଙ୍କର ପରମାୟୁ ମନୁଷ୍ୟର ଏକ ନିଃଶ୍ୱାସରେ ଶେଷ ହେଲା ‘( ଅର୍ଥାତ୍ ଯାହା ନ ହେବାର କଥା ତାହା ସବୁ ଘଟିଲା । କାରଣ ଖାଦ୍ୟ ନର ବାନର ଆମ୍ଭର ବଂଶନାଶ କଲେ )’ ଏହା ଶୁଣି ମେଘନାଦ କୋମଳ ବାକ୍ୟରେ ବୁଝାଇ କହିଲା;-

 

୨୨ଶ ପଦ :- ବିଦଳେ-ବିଶେଷଭାବରେ ଦଳିଦେଇ । ଇନ୍ଦ୍ରଗୋପ-ସାଧବଘର ବୋହୁ । କିଞ୍ଚୂଳୁକ-ଜିଆନାଡ଼ । ଘନଗର୍ଜନ-ମେଘଧ୍ୱନି । ଜୀବନଦ-ପ୍ରାଣଦାନକାରୀ। ବାତବଳା-ହନୁମାନ ।

 

୨୨ଶ ପଦ :- ‘‘ପାଟପୋକ ଓ ଜୀଆନାଡ଼କୁ ଲୋକମାନେ ମୋଡ଼ିଦଳି ପକାଇଥିଲେ ସୁଦ୍ଧା ସେମାନେ ଯେପରି ଆଷାଢ଼ ମାସରେ ମେଘ ଗର୍ଜିଲେ ପୂନର୍ବାର ଜୀବନ ଧାରଣ କରନ୍ତି, ମୁଁ ମନେ କରୁଛି, ସେହିପରି ଆମ୍ଭମାନଙ୍କ ଦ୍ୱାରା ମୃତ ନର ଓ ବାନରମାନଙ୍କୁ ହନୁମାନ ପୁନର୍ଜୀବନ ପ୍ରଦାନ କରୁଛି । ଏଣୁ ସେହି ହନୁମାନକୁ ଆମ୍ଭେମାନେ ମାରି ପକାଇଲେ ନିଶ୍ଚୟ ଯୁଦ୍ଧରେ ଜୟଲାଭ କରିପାରନ୍ତେ । ବର୍ତ୍ତମାନ ଏଥି ନିମିତ୍ତ ଏକ ଉପାୟ ଚିନ୍ତା କରିବା କି ?’’

 

୨୩ଶ ପଦ :- ତ୍ରିବେଣୀକି-ତ୍ରିବେଣୀ ଘାଟକୁ । ସୁବେଣୀକି-ନାୟିକାକୁ । କିତବଭୀରୁ-ମାୟାସୀତା ।

 

୨୩ଶ ପଦ :- ‘‘ଯଦି ମୋ କଥାକୁ ଉଚିତ ମନେ କରୁଛନ୍ତି, ତାହାହେଲେ ବିଦ୍ୟୁଜିହ୍ୱ ଶୀଘ୍ର ଗୋଟିଏ ସୁନ୍ଦରୀକୁ ନେଇ ତ୍ରିବେଣୀ ଘାଟରେ ସ୍ନାନ କରାଇ ମାୟା ସୀତା କରି ଆଣୁ । ‘‘ଏହା ଶୁଣି ରାବଣ କହିଲା, ‘‘ସେହି ମାୟା ରମଣୀକୁ ଫେରାଇ ଦେଲେ ମୋର ନିଶ୍ଚୟ ନିନ୍ଦା ହେବ ।’’ ଇନ୍ଦ୍ରଜିତ କହିଲା, ‘‘ତାହାକୁ ହାଣି ଦେବା ।’’ ଏହା ଶୁଣି ରାବଣ ଅତିଶୟ ଆନନ୍ଦିତ ହେଲା।

 

୨୪ଶ ପଦ :- ବସୁମତୀଜାସମୂର୍ତ୍ତି-ସୀତାଙ୍କର ମନୋହର ରୂପ । ବିଲିପ୍ତୀକେ-ଅର୍ଦ୍ଧଲିତାରେ । ବୃଷାରି-ଇନ୍ଦ୍ରଜିତ । ବଞ୍ଜୁଳ ବନରୁ-ଅଶୋକ ବନରୁ ।

 

୨୪ଶ ପଦ :- ତତ୍ପରେ ବିଦ୍ୟୁଜିହ୍ୱ ତାର ସାନ ଭଉଣୀ ସୁକାନ୍ତିକୁ ସଙ୍ଗରେ ନେଇ ବାଞ୍ଛାବଟ ତଳକୁ ଗଲା । ସୁକାନ୍ତି ଭାଇର କଥା ଅନୁସାରେ ସୀତାଙ୍କ ରୂପକୁ କାମନା କରି ସେହି କାମନା ପୂର୍ଣ୍ଣକାରୀ ତୀର୍ଥରେ ସ୍ନାନ କରିବାକୁ ଅବିକଳ ସୀତାଙ୍କ ରୂପକୁ ଧାରଣ କଲା ଏବଂ ତାହାର କାନ୍ତି ବିଜୁଳୀ ପରି ଝଟଝଟ ଦେଖାଗଲା । ବିଦ୍ୟୁଜିହ୍ୱ ଅଳ୍ପସମୟ ମଧ୍ୟରେ ସେଠାରୁ ଫେରି ଆସନ୍ତେ ଇନ୍ଦ୍ରଜିତ ସୁକାନ୍ତିକୁ ଅଶୋକବନରୁ ନେଲାପରି ନେଇଯାଇ ଯୁଦ୍ଧକ୍ଷେତ୍ରକୁ ଗମନ କଲା ।

 

୨୫ଶ ପଦ :- ଛଦ୍ମଯୁବତୀ-ମାୟାକାମିନୀ ଅର୍ଥାତ୍ ମାୟାସୀତା । ନଳିନ-ପଦ୍ମ । ମରନ୍ଦ-ମକରନ୍ଦ । ଉଦ୍‌ଗାରେ-ବାନ୍ତି କରେ । ଅଳି-ଭ୍ରମର । ଅଳତା-ଚୂର୍ଣ୍ଣକୁନ୍ତଳ ।

 

୨୫ଶ ପଦ :- ସେହି ମାୟା ସୀତା ମାନବତୀ ପରି ବିମାନରେ ବସି କାନ୍ଦିବାକୁ ଲାଗିଲା । ଏହି ସମୟରେ ତାର ମୁଖ ଓ ଚକ୍ଷୁର ଡୋଳାଦ୍ୱୟକୁ ଦେଖି ବୋଧ ହେଉଥିଲା, ପବନ କମ୍ପିତ ପଦ୍ମ ପୁଷ୍ପ ଉପରେ ଭ୍ରମର ବସିବାକୁ ମକରନ୍ଦ ସବୁ ଖସି ପଡ଼ୁଛି କି ?

 

ବିନ୍ୟସ୍ତ ଉରଜପରେ      ଦେଉଛି କି ଶମ୍ଭୁ ଶିରେ

କଣ୍ଠଶଙ୍ଖେ ବିରାଜିତ ମାଳୀ ।

ବିଧିରେ ସଲିଳଶାୟୀ      ସଲୀଳେ ଆରମ୍ଭ ହୋଇ

ପ୍ରଣାଳୀ ରଞ୍ଜନ ରୋମାବଳୀ ସେ ।

ବେଣୀପରେ । ବିଶ୍ରାମିଛ ଅନୁସରି ଫଣୀ ।

ବିଚାରନ୍ତି ଦେଖି ଲଙ୍କାର ରମଣୀ ସେ । ୨୬ ।

 

ବେଶହୀନ କ୍ଷୀଣ ଦିଶେ      ବିହୀନ ହରଷେ ବସେ

ପ୍ରସନ୍ନ ଦିଶେ ଏସନ ଏବେ ।

ବ୍ରହ୍ମାଣ୍ଡସାର ସୁନ୍ଦରୀ            ଜାଳକ ତିଳକପରି

ତିଳକୁ ଶୋଭା ଯା ନ ପାଇବେ ସେ ।

ବ୍ରହ୍ମାକେତେ ।  ବସି କଳ୍ପିଛନ୍ତି କେତେ କଳ୍ପେ ।

ବଲ୍ଲଭୀ ଏ ହେବ ପୁଣି କେତେ ତପେ ସେ । ୨୭ ।

 

ବିଧାତା ଜଟାଧାରୀକି      ଦେଇ ଦିବ୍ୟ ସୁନ୍ଦରୀକି

ଶିବେ ଉମା ରାମେ ସୀତା ଦେଖ ।

ବିସର୍ଜନ୍ତା ପଛେ ଜୀବ      ଲେଉଟାଇ ଏଡ଼େ ଦ୍ରବ୍ୟ

ଆଣି ଧିକ ପୁଂସ ଦଶମୁଖ ସେ ।

ବୋଲେ କେହି  ।  ବାରେ ଆଉ ନ ବୋଲେ ଏ ଭାଷ ।

ବଶ ତ ନୋହିଲା ରଖି ହେବ କିସ ସେ । ୨୮ ।

 

ବାହି ରଥ ପଥେ ନେଇ      ନୀଳଠଣା ପାଶେ ଯାଇ

ସୈନ୍ୟଦ୍ୱନ୍ଦ୍ୱ ଦ୍ୱନ୍ଦ୍ୱ ଘୋରତର

ବାହିଗଲା ପରବତେ            ହନୁମନ୍ତ ପରବତେ

ମାରିବାକୁ ଚତ୍ରିଣୀ ଉପରେ ସେ ।

ବଳେ ନାହିଁ ।  ବାହା ପାର୍ଥିବୀସ୍ୱରୂପ ଚାହିଁ ।

ବାସବାରି ତାକୁ ଉଚ୍ଚେ ଏହା କହି ସେ । ୨୯ ।

 

ବିବାଦ ଆରମ୍ଭ ତୁମ୍ଭ            ଆମ୍ଭର ଏ ସାତକୁମ୍ଭ-

କୁମ୍ଭସ୍ତନୀ ଘେନି ଯାଉ ସଳି।

ବାଳ ଧରି କରବାଳ            ଘେନି ମାରନ୍ତେ ପ୍ରବାଳ-

ଅଧରୀ ଗଳାରେ ଗଲ ଗଳି ସେ ।

ବିଚ୍ଛେଦନ ।  ବିଗ୍ରହ ମସ୍ତକ ମଣ୍ଡୁଁ ମହୀ ।

ବୋଲି ହନୁମାନ କି କଲୁରେ ଦ୍ରୋହୀ ସେ । ୩୦ ।

 

୨୬ଶ ପଦ :- ବିନ୍ୟସ୍ତ-ସ୍ଥାପିତ । ଉଗଜପରେ-କୁଚ ଉପରେ । ଶମ୍ବୁଶିରେ-ଶିବଙ୍କ ମସ୍ତକ ଉପରେ ।ସଲିଲଶାୟୀ-ଜଳଶାୟୀ । ସଲୀଳେ-କୌତୁକରେ, । ରଞ୍ଜନ-ଶୋଭନ । ରୋମାବଳୀ-ରୋମରାଜି ।

 

୨୬ଶ ପଦ :- ସେହି ମାୟା ସୀତା ସ୍ୱକୀୟ ସ୍ତନ ଉପରେ କଣ୍ଠଦେଶକୁ ସ୍ଥାପନ କରି ଇନ୍ଦ୍ରଜିତର ବିମାନ ଉପରେ ବସିଥିବା ସମୟରେ ଲଙ୍କା ରମଣୀମାନେ ତାକୁ ଦେଖି ପଚାରିଲେ, ଏହାଙ୍କର କଣ୍ଠରେ ଥିବା ସୁବର୍ଣ୍ଣ ବା ମୁକ୍ତା ମାଳାରୂପ ମାଳୀ କଣ୍ଠରୂପୀ କୁଚରୂପୀ ଶିବଙ୍କ ଉପରେ ଜଳ ଢାଳୁଛି କି ? ( ମରଣ ଭୟରେ ତାର ଆକ୍ଷିରୁ ଅଶ୍ରୁଧାରା କଣ୍ଠଉପର ଦେଇ ପ୍ରବାହିତ ହେଉଅଛି ) । ଶିବ ସ୍ୱଭାବତଃ ଜଳଶାୟୀ ଅଟନ୍ତି, ଏଣୁ ଏହି କୁଚଶମ୍ଭୁଙ୍କର ଶଯ୍ୟା ସ୍ଥାନୀୟ ଜଳଧାରା କୌତୁକରେ ପ୍ରବାହିତ ହୋଇ ଏହି ରମଣୀର ରୋମାବଳୀ ଆକାର ଧାରଣ କରି ଅଛି କି ? ଏବଂ ଶିବଙ୍କୁ ସର୍ପ ଅନୁସରଣ ରହିଥାଏ, ସେହିପରି ଏହାଙ୍କୁ ଅନୁସରଣ କରି ଊର୍ଦ୍ଧ୍ୱଦେଶରେ ରହିଥିବା ବେଶୀ ସର୍ପ କି ?’’

 

୨୭ଶ ପଦ :- ବେଶହୀନ-ଭୂଷଣବିହୀନ । କ୍ଷୀଣ-କୃଶ । ବ୍ରହ୍ମାଣ୍ଡସାର ସୁନ୍ଦରୀ-ଜାଳକତିଳକପରି, ବ୍ରହ୍ମାଣ୍ଡ ମଧ୍ୟରେ ଶ୍ରେଷ୍ଠ ସୁନ୍ଦରୀ, ସମୂହର ଭୂଷଣ ସ୍ୱରୂପ ଯେଉଁ ସ୍ତ୍ରୀ, ସେ । ବଲ୍ଲଭୀ-ସ୍ତ୍ରୀ । ତପ-ତପସ୍ୟା । ତିଳକ-ତିଳ ପ୍ରମାଣରେ ।

 

୨୭ଶ ପଦ :- ସେହି ଲଙ୍କାର ସ୍ତ୍ରୀମାନେ ପୁନର୍ବାର ବିଚାରିଲେ ‘‘ଏତେକାଳ ଏଠାରେ ବେଶହୀନ ଓ କ୍ଷୀଣ ହୋଇ ବିରସରେ ରହିଥିଲେ ସୁଦ୍ଧା ଏହାର ମୁଖମଣ୍ଡଳ ବର୍ତ୍ତମାନ ପ୍ରଫୁଲ୍ଲ ଦେଖା ଯାଉଅଛି । ଏହି ବ୍ରହ୍ମାଣ୍ଡ ମଧ୍ୟରେ ଥିବା ସୁନ୍ଦରୀ ସ୍ତ୍ରୀମାନଙ୍କ ମଧ୍ୟରେ ଯେ ଶ୍ରେଷ୍ଠାସୁନ୍ଦରୀ ସେ ଏହାର ଶୋଭାକୁ ‘ତିଳକ’ ମାତ୍ର ସମାନ ସୁଦ୍ଧା ସମାନ ହେବ ନାହିଁ । କେତେ ବ୍ରହ୍ମା ବସି କେତେ ଯୁଗ କଳ୍ପନା କରି ଏହାକୁ ଗଢ଼ିଅଛନ୍ତି । ଓ ହୋ ! ପୁଣି କେତେ ତପସ୍ୟା କରି ଥିବାରୁ ସେହି ପତିର ଏ ବଲ୍ଲଭା ହୋଇଅଛି।’’

 

୨୮ଶ ପଦ :- ଉମା-ପାର୍ବତୀ । ବିସର୍ଜନ୍ତା-ତ୍ୟାଗ କରନ୍ତା । ଜୀବ-ପ୍ରାଣ । ଦଶମୁଖ-ରାବଣ ।

 

୨୮ଶ ପଦ :- ସେମାନଙ୍କ ମଧ୍ୟରୁ କେହି ଜଣେ କହିଲା, ‘‘ବୋଧହୁଏ ବିଧାତା ସଦୟ ହୋଇ ତପସ୍ୱୀମାନଙ୍କୁ ପରମାସୁନ୍ଦରୀ ରମଣୀମାନଙ୍କୁ ଦେଇଅଛି । ତାହା ନ ହେଲେ ପରମା ସୁନ୍ଦରୀ ପାର୍ବତୀ ଓ ସୀତା ଜଟାଧାରୀ ଶିବ ଓ ରାମଙ୍କୁ ପ୍ରାପ୍ତ ହେଲେ କିପରି? ରାବଣ ମଲେ ପଛେ ମରନ୍ତା । କିନ୍ତୁ ପୁରୁଷ ହୋଇ ଯାହା ଜୀବନ ଥାଉଁଥାଉଁ ଏତେ ବଡ଼ ସୁନ୍ଦରୀକୁ ଆଣି ଲେଉଟାଇ ଦେଉଛି ।, ଏଣୁ ତାକୁ ଧିକ୍ ।’’ ଏହା ଶୁଣି ଅନ୍ୟ କେହି କହିଲା, ‘‘ଆଉ ଥରେ ଏପରି କଥା କହନା, ସେ ତ ବଶ ହେଲା ନାହିଁ, ତାକୁ ରଖି କି ଲାଭ ହେବ ?’’

 

୨୯ଶ ପଦ :- ସୈନ୍ୟଦ୍ୱନ୍ଦ୍ୱ-ଉଭୟ ସୈନ୍ୟ । ଦ୍ୱନ୍ଦ୍ୱ-ଯୁଦ୍ଧ । ଚିତ୍ର-ରଥ । ପାର୍ଥିବୀସ୍ୱରୂପ-ସୀତାଙ୍କସ୍ୱରୁପ । ବାସକରି-ଇନ୍ଦ୍ରଜିତ ।

 

୨୯ଶ ପଦ :- ଇନ୍ଦ୍ରଜିତ ରଥକୁ ନିର୍ଦ୍ଧିଷ୍ଟ ପଥରେ ନେଇ ନୀଳ ସେନାପତି ଥିବା ସ୍ଥାନ ନିକଟରେ ଉପସ୍ଥିତ ହେବାରୁ ସଙ୍ଗେ ସଙ୍ଗେ ଉଭୟେ ସୈନ୍ୟଙ୍କ ମଧ୍ୟରେ ଘୋରତର ଯୁଦ୍ଧ ଆରମ୍ଭ ହେଲା । ଏହି ସମୟରେ ହନୁମାନ ଏକ ପର୍ବତ ଧାରଣ କରି ତାହାକୁ ଇନ୍ଦ୍ରଜିତର ପର୍ବତସମ ରଥ ଉପରେ କଚାଡ଼ିବାକୁ ଉଦ୍ୟତ ହେବା ସମୟରେ ସେହି ରଥରେ ସୀତାଙ୍କୁ ଦେଖି ପର୍ବତ ନିକ୍ଷେପ କରିବାକୁ ତାର ଇଚ୍ଛା ବଳିଲା ନାହିଁ । ଏହି ସମୟରେ ଇନ୍ଦ୍ରଜିତ ତାକୁ ଉଚ୍ଚସ୍ୱରରେ କହିଲା –

 

୩୦ଶ ପଦ :- ବିବାଦ-ଯୁଦ୍ଧ । ସାତକୁମ୍ଭକୁମ୍ଭସ୍ତନୀ-ପୂର୍ଣ୍ଣଘଟସ୍ତନ । ସଳି-ଅରିଷ୍ଟ । କରବାଳ-ଖଡ଼୍‌ଗ । ପ୍ରବାଳଅଧରୀ-ନବପଲ୍ଲବାଧରୀ । ବିଗ୍ରହ-ଶରୀର । ଦ୍ରୋହୀ-ପାପୀ ।

 

୩୦ଶ ପଦ :- ‘‘ରେ ବାନର ! ଏହି ସୁବର୍ଣ୍ଣକୁମ୍ଭସ୍ତନା ସୀତାକୁ ନେଇ ତୁମ୍ଭ ଆମ୍ଭ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଆଜିଠାରୁ ଶେଷ ହୋଇଯାଉ ।’’ ଏହା କହି ସେ ସେହି ସ୍ତ୍ରୀର ଚୁଟି ଧରି ଖଡ଼୍‌ଗ ପ୍ରହାର କରିବାରୁ ଖଡ଼୍‌ଗ ସେହି ରକ୍ତୋଷ୍ଠୀର କଣ୍ଠରେ ଗଳିଗଲା ଏବଂ ତାହାର ଦେହରୁ ମୁଣ୍ଡ ଛିଣ୍ଡି ଭୂମିରେ ନିପତିତ ହେଲା । ଏହା ଦେଖି ହନୁମାନ କହିଲା, ‘ରେ ଦ୍ରୋହୀ ତୁ କ’ଣ କଲୁ ?’

 

ବସୁଧାଭୃତପ୍ରହାରି            ଶତାଙ୍ଗକୁ ଚୂର୍ଣ୍ଣ କରି

ଭୟେ ହୟେ ଆରୋହୀ କର୍ବୁର ।

ବେଗେ ପଶିଲା ନଗରେ      ପାବନି ଗତ ନଗରେ

ଗରେ ଘାରିଲା ପ୍ରାୟେ ଶରୀର ସେ ।

ବାଟେ ଯାଉଁ । ବୃଦ୍ଧ ଜାମ୍ବବନ୍ତଙ୍କୁ ଦେଖିଲେ ।

ବ୍ୟାକୁଳିତ ହୋଇ ସକଳ କହିଲେ ସେ । ୩୧ ।

 

ବଦନ ମ୍ଳାନ ଅନାଇଁ            ଦୁଇଜଣଙ୍କର ତହିଁ

ପଚାରୁଁ କହିଲେ ଶ୍ରୀରାମରେ ।

ବିଖଣ୍ଡନ କଲା ଶିର            ରାବଣ ତୀକ୍ଷ୍‌ଣ ଅସିର

ଯେଉଁ ସୀତା ଧରାଜାତା ତାରେ ସେ ।

ବିଜ୍ଞାନ ସେ ।  ବିଞ୍ଚି ସଞ୍ଚି ନୀର ଶାନ୍ତି କଲେ ।

ବାସ କେଶ ଅସମ୍ଭାଳେ ବାହାରିଲେ ସେ । ୩୨ ।

 

ବୈଦେହୀ ଜାନକୀ ସୀତା            ମୈଥିଳୀ ମହୀଦୁହିତା

ଯୋଜନଗନ୍ଧା ନାମାଦି ପୂର୍ବେ ।

ବିନ୍ୟାସ କରିଣ ହା ହା      ଦେଖେ ତାକୁ ରଘୁନାହା

ଶୋଭିତ ଆତପ ନନୀ ଭାବେ ସେ ।

ବହିଅଛି । ବିଘାତନ ସ୍ଥାନରେ କୀଲାଲ ।

ବସେ ସ୍ତମ୍ଭେ ଚକ୍ର ଉରଜ ଯୁଗଳ ସେ । ୩୩ ।

 

ବସ୍ତ୍ର ଶୁଷ୍କ ଫେନମତେ      ହଂସାବଳୀ ବେନି-ପ୍ରାନ୍ତେ

ଅସ୍ତ ବ୍ୟସ୍ତ ସୂଭୁଜ ମୃଣାଳ ।

ବିପୁଳ ଉରୁ ପୁଲିନ            ମଳିନକର ନଳିନ

ରୋମାବଳୀ ଶାଇବାଜଜାଳ ସେ ।

ବିଲୋକିତେ । ବୋଇଲେ ମୋଘନରସଦାୟି।

ବସି କୋଳେ ପକାଇଲେ ତାକୁ ନେଇ ସେ । ୩୪ ।

 

ବିଭାକର ବଂଶେ ଜାତ      ଘେନି ସେ ହେଲେ ଏମନ୍ତ

ତାଙ୍କ ସଜ୍ଞା ଭ୍ରମ ଛାୟାଠାରେ।

ବୋଲନ୍ତି ରାଘବ ମୁହିଁ            ବିହାର କରିବି କାହିଁ

ପ୍ରେମସିନ୍ଧୁ ଜୀବନ ହୀନରେ ଯେ ।

ବରାରୋହା ! ବୋଲାଇ ମୁଁ ରାମ, ରମା ତୁହି ।

ବାନ୍ଧବୀ ଗଉରୀ ଘେନି ଶିବ ମୁହିଁ ଯେ । ୩୫ ।

 

୩୧ଶ ପଦ :- ବସୁଧାଭୃତ-ପର୍ବତ । ହୟେ-ଅଶ୍ୱରେ । କର୍ବୁର-ରାକ୍ଷସ । ଗରେ-ବିଷଦ୍ୱାରା ।

 

୩୧ଶ ପଦ :- ତତ୍ପରେ ହନୁମାନ ପର୍ବତ ପ୍ରହାର କରି ଇନ୍ଦ୍ରଜିତର ବୀରତ୍ୱକୁ ଚୂର୍ଣ୍ଣକରି ଦେଲା । ତେଣୁ ସେ ଗୋଟାଏ ଘୋଡ଼ାରେ ଚଢ଼ି, ଭୟରେ ପଳାଇଯାଇ ଲଙ୍କାଗଡ଼ ମଧ୍ୟରେ ପ୍ରବେଶ କଲା । ବିଷଜ୍ୱାଳାରେ ଶରୀର ଘାରି ହେଲେ ଲୋକ ଯେପରି ଗମନ କରେ, ହନୁମାନ ସେହିପରି ହୋଇ ସୁବେଳ ପର୍ବତ ଯିବାକୁ ଲାଗିଲା । ହନୁମାନ ବାଟରେ ଯିବା ସମୟରେ ବୃଦ୍ଧ ଜାମ୍ବବାନକୁ ଦେଖି ଦୁଃଖିତ ହୋଇ ସେହି କଥା କହିଲା ।

 

୩୨ଶ ପଦ :- ମ୍ଳାନ-ମଳିନ ବା ବିମର୍ଷ । ରାବଣି-ଇନ୍ଦ୍ରଜିତ । ଅସି-ଖଡ୍‌ଗ । ଧରାଜାତା-ପୃଥିବୀତନୟା । ନୀର-ପାଣି । ବାସ-ଲୁଗା । କେଶ-ବାଳ ।

 

୩୨ଶ ପଦ :- ଜାମ୍ବବ ଓ ହନୁମାନ ବିରଷବଦନରେ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହେବାରୁ ରାମ ସେ ଦୁହିଁଙ୍କୁ କହିଲେ, ‘ତୁମ୍ଭଦୁହିଁଙ୍କ ମୁଖ ମଳିନ ହୋଇଛି କାହିଁକି ?’’ ସେ ଦୁହେଁ କହିଲେ, ‘‘ହେ ଦେବ । ଇନ୍ଦ୍ରଜିତ ଶୋଣିତ ଖଡ୍‌ଗରେ ପୃଥିବୀ ପୁତ୍ରୀ ସୀତାଙ୍କର ମୁଣ୍ଡ ଛେଦନ କଲା ।’ ଏହା ଶୁଣିବା କ୍ଷଣି ରାମଚନ୍ଦ୍ର ଅଚେତନ ହୋଇଗଲା । ଏହି ସମୟରେ ହନୁମାନ ଓ ଳାମ୍ବବ ତାଙ୍କୁ ବିଞ୍ଚି ଓ ତାଙ୍କ ମୁଖରେ ଜଳସିଞ୍ଚି ସଚେତ କରାଇଲେ । ଚେତନାପ୍ରାପ୍ତ ରାମଚନ୍ଦ୍ର ଉଦ୍‌ବେଗ ପୂର୍ଣ୍ଣଚିତ୍ତରେ ସୀତାଙ୍କୁ ଦେଖିବା ନିମିତ୍ତ ଦୌଡ଼ିଲେ ।

 

୩୩ଶ ପଦ :- ବିନ୍ୟାସ କରି-ପ୍ରୟୋଗ କରି ବା ବସାଇ । ରଘୁନାହା-ରାମଚନ୍ଦ୍ର । ଆତପ-ଗ୍ରୀଷ୍ମ । ବିଘାତନ-ଆଘାତ । କୀଲାଲ-ରକ୍ତ । ଉରଜ-ସ୍ତନ ।

 

୩୩ଶ ପଦ :- ବୈଦେହୀ, ଜାନକି, ସୀତା, ମୈଥିଳୀ, ମହୀସୁତା ଓ ଯୋଜନଗନ୍ଧା ପ୍ରଭୃତିମାନଙ୍କ ପୂର୍ବରେ ରାମଚନ୍ଦ୍ର ହା ଶବ୍ଦ ଯୋଗକରି ( ହା ବୈଦେହୀ, ହା ଜାନକୀ ଇତ୍ୟାଦି ଉଚ୍ଚାରଣ କରି ) ଯୁଦ୍ଧଭୂମି ପତିତା ଛିନ୍ନ ମସ୍ତକା ମାୟାସୀତାଙ୍କୁ ଦେଖିବାକୁ ଲାଗିଲେ । ସେହି ମାୟାସୀତା ଗ୍ରୀଷ୍ମକାଳୀନ ନଦୀପରି ଦେଖାଯାଉ ଥିଲା । କାରଣ ଗ୍ରୀଷ୍ମକାଳରେ ନଦୀରୁ ଜଳ ଶୁଷ୍କହୋଇ ଯାଇଥାଏ, ଏଣୁ ଲୋକମାନେ ନଦୀ ଗର୍ଭକୁ ଖୋଳି ଜଳ ବାହାର କରିଥାନ୍ତି । ସେହିପରି ଏହାଙ୍କର ଛେଦନସ୍ଥାନରୁ ରକ୍ତ ବାହାର ହେଉଥିଲା ଏବଂ ଗ୍ରୀଷ୍ମକାଳୀନ ନଦୀ ମଧ୍ୟରେ ସ୍ତମ୍ଭୀଭୂତ ହୋଇ ଚକ୍ରବାକ ଚକ୍ରବାକୀ ବସିଥିଲା ପରି, ସେହି ମାୟାସୀତାର ଦେହସ୍ଥ ସ୍ତନ ଦୁଇଟି ଦେଖା ଯାଉଥିଲା ।

 

୩୪ଶ ପଦ :- ହଂସାବଳୀ-ହଂସସମୂହ। ମୃଣାଳ-ପଦ୍ମଦାଡ଼ । ପୁଲୀନ-ନଦୀତଟ । ନଳିନ-ପଦ୍ମ । ଶଇବାଳାଜାଳ-ପାଣି ଶିଉଳି ସମୂହ।

 

୩୪ଶ ପଦ :- ( ସେହି ସୀତା ଯେଉଁ ଲୁଗା ପିନ୍ଧିଥିଲା ତାହା ଗ୍ରୀଷ୍ମକାଳୀନ ନଦୀସ୍ଥ ଶୁଷ୍କ ଫେନପରି, ସେହି ଲୁଗାର ଦୁଇ ପ୍ରାନ୍ତରେ ଲେଖା ହେଉଥିବା ହଂସାବଳୀ ହଂସ ସମୂହପରି, ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ଭୁଜ ଦୁଇଟି ପଦ୍ମନାଡ଼ ପରି, ମନୋହର ଜଙ୍ଘ ଦୁଇଟି ନଦୀର ଦୁଇକୁଳ ପ୍ରଦେଶପରି ଓ ରୋମବଳି ନଦୀରେ ଥିବା ପାଣିଶିଉଳି ପରି ଦେଖା ଯାଉଥିଲା । ରାମଚନ୍ଦ୍ର ତାକୁ ଦେଖି କହିଲେ, ‘‘ଆହା ମୋ ଘନ ରସ ଦାୟିନି !’’ ତତ୍‌ପରେ ସେହି ସ୍ଥାନରେ ବସି ତାକୁ ନେଇ କୋଳରେ ଧଇଲେ । ନଦୀ ମଧ୍ୟ ‘ଘନ ରସ ଦାୟିନୀ’ ଜଳ ଦାନ କାରିଣୀ ଓ ସ୍ନାନାର୍ଥୀର କ୍ରୋଡ଼ ଚୁମ୍ବିନୀ ଅଟେ, ସେ ହେତୁ ନାଭି ପର୍ଯ୍ୟନ୍ତ ଜଳରେ ସ୍ନାନ କରିବାକୁ ଧର୍ମ ଶାସ୍ତ୍ରକାରମାନେ ଉପଦେଶ ପ୍ରଦାନ କରି ଅଛନ୍ତି ) ।

 

୩୫ଶ ପଦ :- ବିଭାକରବଂଶେ-ସୂର୍ଯ୍ୟବଂଶରେ ।

 

୩୫ଶ ପଦ :- ରାମଚନ୍ଦ୍ର ସୂର୍ଯ୍ୟବଂଶରେ ଜନ୍ମ ହୋଇଥିବାରୁ ସୂର୍ଯ୍ୟଙ୍କର ନିଜସ୍ତ୍ରୀ ସଂଜ୍ଞାର ଦାସୀ ଛାୟାଠାରେ ସଂଜ୍ଞାଭ୍ରମ ହେଲାପରି, ତାଙ୍କର ମାୟାସୀତାରେ ପ୍ରକୃତ ସୀତା ବୋଲି ଭ୍ରମ ଜ୍ଞାନ ହେଲା, ଏଣୁ ସେ କହିଲେ, ‘‘ଗୋସୀତେ ! ମୁଁ ରାଘବ (ରାଘବ ମାଛ ) ଏବଂ ତୁ ମୋର ପ୍ରେମସିନ୍ଧୁ (ଆନନ୍ଦଦାୟକ ସମୁଦ୍ର) ତୋର ଜୀବନ ଜଳ ଅଟେ । ସେହି ‘ଜୀବନ’ ଜଳ ତ ଶୂନ୍ୟ ହୋଇଗଲା, ଆଉ ମୁଁ କେଉଁଠାରେ ( କାହାଠାରେ ) କ୍ରୀଡ଼ା କରିବି? ରେ ସୁନ୍ଦରୀ ! ମୁଁ ରାମ ଏହି ମନୋହର ନାମକୁ ପାଇଥିବାରୁ, ତୁ ମୋର ‘ରମା’ ମନୋହାରିଣୀ ହୋଇଥିଲୁ। ରେ ବାନ୍ଧବୀ ! ତୁ ‘ଗୋରୀ’ ପାର୍ବତୀଙ୍କର ମନୋହର ରୂପଧାରଣୀ ବା ମଙ୍ଗଳକାରିଣୀ ହୋଇଥିବାରୁ ମୁଁ ତୋହ ଲାଗି ‘ଶିବ’ ମଙ୍ଗଳସ୍ୱରୂପ ହୋଇଥିଲି ( ଅର୍ଥାତ୍ ତୁମ୍ଭେ ଥିଲ ବୋଲିମୋର ସମସ୍ତ ବିଷୟରେ ମଙ୍ଗଳ ଘଟୁଥିଲା ) ।’

 

ବୋଲାଉ ସୀତା ସଂସାରେ      ତାପ ତାରିଣୀ ଯୋଗରେ

ମଗ୍ନ ହୋଇଥିଲି ସୁଲଗରେ।

ବିଧାତା କରାଇ ଲୀନ      ହରିପଦେ ତା ଭାବନ

କରି ଭାଗୀ ହେବି ସନ୍ତାପରେ ଯେ ।

ବରାରୋହା ! ବୋଲାଇବା ପଦ୍ମିନୀ ସକାଶେ ।

ବିନାଶିତା ହେଲୁ କିବା ଚନ୍ଦ୍ରହାସେ । ୩୬ ।

 

ବଲ୍ଲଭ ସଙ୍ଗେ ବଲ୍ଲଭୀ      ଅଗ୍ନି ପ୍ରବେଶକୁ ଲଭି

ସେହି କଥା ବିପରୀତ ହେବ ।

ବିପରୀତରେ ହୋଇଛି      ପୁରୁଷ ବାଳମୃଗାନ୍ଧୀ

ଏତେ କଥା ବିଫଳରେ ଯିବ ସେ ।

ବହନରେ । ବିହଗର୍ତ୍ତ ଦହନରେ ଆଣି ।

ବଡ଼ କର ଭାଷେ ଏହା ରଘୁମଣି ସେ । ୩୭ ।

 

ବାରତା ଅଶୋକ ବନେ      ହେଲା ସୀତା ସନ୍ନିଧାନେ

ତ୍ରିଜଟା ସମର୍ପା ଆଦି ହସି ।

ବାନର ସ୍ୱରୂପେ ଆସି      ପେଷିଲେ ଏକ ରାକ୍ଷସୀ

ବିଭୀଷଣ କର୍ଣ୍ଣେ ଗଲା ଭାଷି ସେ ।

ବଚସ୍ଫୁତ ।  ବ୍ୟର୍ଥ ଏ ଶବକୁ ତ୍ୟଜ।

ବର୍ଣ୍ଣେ ନ ଚିହ୍ନିଲେ ଚିହ୍ନ ଏବେ ହେଜ ସେ । ୩୮ ।

 

ବାୟୁଜେ ପୁଚ୍ଛେ ଆଉ ସେ      ଆନ ନୋହେ ସୀତା ଏ ଯେ

ସର୍ଜି ବାଣୀ ଚାହିଁଲେ ଆନନ୍ଦ ।

ବଧୂନ୍ତୁଦେ ହୋଇ ଘାତୀ      ଦିବସରେ ହୀନଜ୍ୟୋତି

ନିଶାପତି ପତନ ବିଧାନ ସେ ।

ବେଗେ ଆଣି । ବନଜକରେ ଅଧର ଚାହିଁ ।

ବିଳପୁଷ୍ଟକ୍ଷତ ଦେଖେ ତହିଁ ନାହିଁ ସେ । ୩୯ ।

 

ବନ୍ଦିଲେ ସେହି କାବରେ      ରଖିଲେ ନାହିଁ କୋଳରେ

ଶବକୁ ସର୍ବେ ସେ କଥା କହି ।

ବିଚିତ୍ର ଭଣେ ମାରୁତି      ବିହିଲା ଏଡ଼େ ସୁମୂର୍ତ୍ତି

ଶ୍ରୁତିରେ ଏ କଥା ଶୁଣି ନାହିଁ ଯେ ।

ବିଭୀଷଣ । ବିଖ୍ୟାତ ପ୍ରୟାଗ ତୀର୍ଥେ ଝାସ ।

ବୋଧ ହେଲା ଶୁଣି ସମସ୍ତ ମାନସ ସେ । ୪୦ ।

 

୩୬ଶ ପଦ :- ସୀତା-ବୈଦେହୀ, ଗଙ୍ଗା । ସୁଲଗରେ-ଶୁଲଗ୍ନରେ ଅର୍ଥାତ୍ ଉତ୍ତମବେଳାରେ । ବାରିଣୀଯୋଗ-ବାରୁଣୀଯୋଗ, ନିବାରଣଯୋଗ। ଲୀନ-ବିନାଶ । ହରିପଦେ-ବିଷ୍ଣୁ ପାଦରେ, ଯମଘରେ । ଚନ୍ଦ୍ରହାସରେ-ଚନ୍ଦ୍ର କିରଣରେ, ଖଡ୍‌ଗରେ।

 

୩୬ଶ ପଦ :- ରାମଚନ୍ଦ୍ର ପୁଣି କହିଲେ, ‘‘ଗଙ୍ଗା ‘ତାପ’ ଆଧ୍ୟାତ୍ମିକ ଆଧିଦୈବିକ, ଆଧିଭୌତିକ ତ୍ରିବିଧ କଷ୍ଟର ବିନାଶକାରିଣୀ ହୋଇଥିବାରୁ, ଲୋକମାନେ ଉତ୍ତମ ଲଗ୍ନ ଓ ଯୋଗରେ ଅର୍ଥାତ୍ ମହାବାରୁଣୀ ସମୟରେ ତାଙ୍କର ଶ୍ରୋତରେ ‘ମଗ୍ନ’ ସ୍ନାନ କଲାପରି, ତୁମ୍ଭେ ସଂସାର ମଧ୍ୟରେ ସେହି ଗଙ୍ଗା ନାମରେ ଅଭିହିତ ହେଉଥିବାର ଜାଣି ଏବଂ ମୋ କନ୍ଦର୍ପ ଦୁଃଦ୍ଧ ହାରିଣୀ ହେବ ବୋଲି ସ୍ଥିରକରି, ମୁଁ ଉତ୍ତମ ଲଗ୍ନରେ ତୁମ୍ଭ ସହିତ ‘ଯୋଗରେ’ ବିବାହ ରୂପ ମିଳନରେ ମଜ୍ଜିଲି, କିନ୍ତୁ ବିଧାତା ଗଙ୍ଗାକୁ ବିଷ୍ଣୁଙ୍କ ପାଦରେ ଲୀନ କରାଇଲା ପରି ତୋତେ ଯମର ଗୃହରେ ବା ନଗରୀରେ ଲୁଚାଇ ରଖିଲା । ଏବେ ମୁଁ ସେହିକଥା ଭାବି ସନ୍ତାପିତ ହେବି । ରେ ଉନ୍ନତମନା । ତୁ ପଦ୍ମିନୀ ସ୍ତ୍ରୀ ବୋଲାଇବା ସକାଶେ ପଦ୍ମିନୀ ଚନ୍ଦ୍ର କିରଣରେ, ‘ବିନାଶ’ ମୁଦ୍ରିତ ହେଲାପରି ତୁ ‘ଚନ୍ଦ୍ରହାସରେ’ ଖଣ୍ଡାରେ ବିନାଶ ହେଲୁ କି ?’’

 

୩୭ଶ ପଦ :- ବଲ୍ଲଭସଙ୍ଗେ-ପତିସହ । ବଲ୍ଲଭୀ-ସ୍ତ୍ରୀ । ବାଳମୃଗାକ୍ଷୀ-ଶିଶୁ ମୃଗର ଆଖିପରି ଯାହାର ଆଖି ।

 

୩୭ଶ ପଦ :- ‘‘ପତ୍ନୀ ପତିସହ ଚିତାଅଗ୍ନିରେ ପ୍ରବେଶ କରେ, ମାତ୍ର ସେହି କଥା ଏଠାରେ ବିପରୀତ ହେବ । (ବର୍ତ୍ତମାନ ମୁଁ ତୋ ସହିତ ଅଗ୍ନିରେ ପ୍ରବେଶ କରିବି) । କିନ୍ତୁ ଏହା ଅନୁଚିତ ହୋଇଯାଇ ନ ପାରେ କାରଣ ବିପରୀତ ରତି କରିବା ସମୟରେ ସ୍ତ୍ରୀ ଯାହା କି ପୁରୁଷର ଅଧିକାର ବା ସ୍ଥାନ ଲାଭ କରିଥାଏ, ତାହା କଣ ବିଫଳ ହୋଇଯିବ କି ? ( ନିଶ୍ଚୟ ସଫଳ ହେବ)। ଶୀଘ୍ର ଅଗ୍ନି ଆଣି ଗାତଖୋଳ ।’’ ରାମଚନ୍ଦ୍ର ଏହିପରି ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ ।

 

୩୮ଶ ପଦ :- ସନ୍ନିଧାନେ-ସମୀପରେ ବା ନିକଟରେ । ଚିହ୍ନ-ସଙ୍କେତ ।

 

୩୮ଶ ପଦ :- ‘ରାମ ମୃତା ମାୟାସୀତାସହ ଚିତାରେ ପ୍ରବେଶ କରୁଛନ୍ତି, ଏହି କଥା ଅଶୋକ ବନରେ ପ୍ରଚାରିତ ହୁଅନ୍ତେ, ତ୍ରିଜଟା, ସମର୍ପା ପ୍ରଭୃତି ସୀତାଙ୍କର ସଖୀମାନେ ତାଙ୍କ ନିକଟକୁ ଆସି, ଏହି କଥା କହି ହସିବାକୁ ଲାଗିଲେ ଏବଂ ଜଣେ ରାକ୍ଷସୀକୁ ବିଭୀଷଣଙ୍କ ନିକଟକୁ ପଠାଇଲେ । ସେହି ରାକ୍ଷସୀ ବାନର ରୂପ ଧାରଣ ପୂର୍ବକ ଆଗମନ କରି ବିଭୀଷଣଙ୍କ କାନରେ ସମସ୍ତ କଥା କହି ଫେରିଗଲା । ତହୁଁ ବିଭୀଷଣ ରାମଚନ୍ଦ୍ରଙ୍କ ନିକଟରେ ଉପସ୍ଥିତ ହୋଇ କହିଲେ, ‘‘ପ୍ରଭୋ ! ଏ ଶବକୁ ତ୍ୟାଗ କରନ୍ତୁ । ଯଦି ବର୍ଣ୍ଣ ଦେଖି ଆପଣ ଏହାକୁ ଚିହ୍ନିପାରୁ ନାହାନ୍ତି ତାହା ହେଲେ ଏବେ ଚିହ୍ନ ଦେଖି ହେଜନ୍ତୁ-ଏ ପ୍ରକୃତ ସୀତା କି ?’

 

୩୯ଶ ପଦ :- ବାୟୁଜ-ହନୁମାନ୍ । ଆନନ୍ଦ-ମୁଖ । ବିଧନ୍ତୁଦ-ରାହୁ । ନିଶାପତି-ଚନ୍ଦ୍ର । ବନଜକର-ପଦ୍ମହସ୍ତ । ବଳିପୁଷ୍ଟକ୍ଷତ-କାକକ୍ଷତଚିହ୍ନ ।

 

୩୯ଶ ପଦ :- ବିଭୀଷଣଠାରେ ଏହିପରି କଥାଶୁଣି, ରାମଚନ୍ଦ୍ର ହନୁମାନକୁ ପଚାରିଲେ, ‘ଏହି ରମଣୀ ସୀତା ନୁହେଁ ଅନ୍ୟ ଜଣେ କି ?’ ଏହିକଥା କହିବା ପରେ ସେହି ସ୍ତ୍ରୀରମୁଖକୁ ଦେଖିଲେ । ସେହି ମୁଖ ରାହୁଗ୍ରସ୍ତ ଚନ୍ଦ୍ରପରି ଜ୍ୟୋତିହୀନ ହୋଇ ଭୂତଳରେ ପତିତ ହୋଇଥିଲା । ରାମଚନ୍ଦ୍ର ସ୍ୱୀୟ ପଦ୍ମହସ୍ତରେ ଶୀଘ୍ର ସେହି ମୁଖକୁ ଉଠାଇ ଆଣି ତାହାର ଓଷ୍ଠକୁ ଚାହିଁଲେ କିନ୍ତୁ ସେଥିରେ କାକର ଚଞ୍ଚୁକ୍ଷତ ଚିହ୍ନ ଥିବାର ଦେଖିଲେ ନାହିଁ ।

 

୪୦ଶ ପଦ :- ବନ୍ଦିଲେ-ପ୍ରଶଂସା କଲେ । ମାରୁତି-ହନୁମାନ । ଶ୍ରୁତିରେ-କର୍ଣ୍ଣରେ, ବେଦରେ । ସୁମୂର୍ତ୍ତି-ଉତ୍ତମ ମୂର୍ତ୍ତି, ସ୍ମୃତି ଶାସ୍ତ୍ର ।

 

୪୦ଶ ପଦ :- ଏହି ସମୟରେ ସେ କାକକୁ ବହୁତ ପ୍ରଶଂସା କରିବାକୁ ଲାଗିଲେ ଓ ଶବକୁ କୋଳରୁ ଦୂରକୁ ପକାଇ ଦେଇ ସମସ୍ତଙ୍କୁ ସେହି କାକ ଚଞ୍ଚୁକ୍ଷତକଥା କହିଲେ । ତତ୍ପରେ ହନୁମାନ୍ ଆଶ୍ଚର୍ଯ୍ୟ ହୋଇ କହିଲା, ‘‘ଇନ୍ଦ୍ରଜିତ ଏପରି ସୁନ୍ଦରମୂର୍ତ୍ତି କିପରି ନିର୍ମାଣ କଲା ? ଏପରି କପଟ ତ ବେଦରେ କିମ୍ବା ମନ୍ୱାଦି ଧର୍ମଶାସ୍ତ୍ର ମାନଙ୍କରେ ମଧ୍ୟ ଶୁଣାନାହିଁ।’’ ବିଭୀଷଣ କହିଲେ, ‘‘ସେହି ସ୍ତ୍ରୀ ପ୍ରୟାଗ ତୀର୍ଥରେ ଝାସଦେଇ ଏପରି ମୂର୍ତ୍ତି ଧାରଣ କରିଥିଲା ।’’ ଏହି କଥାଶୁଣି ସମସ୍ତଙ୍କ ମନ ବୋଧ ହେଲା ।

 

ବିଷମ ସମସ୍ୟା ପୂର୍ଣ୍ଣ      ପତ୍ନୀକି ପତି ଲୋକନ

କରି ନ ଚିହ୍ନିବା ଏହିଠାରେ ।

ବାରାନିଧିରେ ପକାଇ      ସେ ଶବ ସଧୀରେ ନେଇ

ସ୍ନାନ ସାରି ଗଲେ ସୁବେଳରେ ସେ ।

ବିଭାବରୀ । ବିକାଶିତହୋଇଲାଏମନ୍ତେ।

ବଢ଼ାଇ ଅଶନ ଶୟନ ସମସ୍ତେ ସେ । ୪୧ ।

 

ବିଦଗ୍‌ଧ ଦୂତେ ରାବଣ      ଏମନ୍ତ କରି ଶ୍ରବଣ

ବିଦଗ୍‌ଧ ତାପେ ବିଚାର କଲା ।

ବଳ ବୁଦ୍ଧି ଏ ସଗର-      ବଂଶିକୀରତିରେ ସ୍ଥଳ

ନ ପାଇ ନିଶ୍ଚୟ ବୁଡ଼ିଗଲା ସେ ।

ବଡ଼ ରମ୍ୟ ।  ବୟାଳିଶ ପଦେ ଏହୁ ଛାନ୍ଦ

ବୋଲେଉପଇନ୍ଦ୍ର ବନ୍ଦି ରାମଚନ୍ଦ୍ର ସେ । ୪୨ ।

 

୪୧ଶ ପଦ :- ବାରାନିଧି -ସମୁଦ୍ର । ଲାବଣ୍ୟନିଧି - ସୁନ୍ଦରୀ । ଅଶନ- ଭୋଜନ।

 

୪୧ଶ ପଦ :- ପତି ରାମଚନ୍ଦ୍ର ଏହି ମାୟା ରମଣୀକୁ ଦେଖି ପତ୍ନୀ ସୀତାଙ୍କୁ ଚିହ୍ନି ନ ପାରିବାରୁ ଏଠାରେ ଆଶ୍ଚର୍ଯ୍ୟ ଘଟନା ଉପସ୍ଥିତ ହେଲା । ଏହି ଘଟନାର ପରେ ସମସ୍ତେ ଶବକୁ ଯତ୍ନପୂର୍ବକ ନେଇ ସମୁଦ୍ରରେ ପକାଇଲେ ଏବଂ ସ୍ନାନ ସାରି ସୁବେଳ ପର୍ବତକୁ ଗମନ କଲେ । ଏହି ସମୟରେ ରାତ୍ରି ଉପସ୍ଥିତ ହେବାରୁ ସମସ୍ତେ ଭୋଜନ ଶେଷକରି ଶୋଇଲେ।

 

୪୨ଶ ପଦ :- ବିଦଗ୍‌ଧତାପେ – ସନ୍ତପହୋଇ । ସଗରବଂଶିକୀରତି-ସଗରଙ୍କ ପୁଅମାନଙ୍କ କୀର୍ତ୍ତି । ବିଦଗ୍‌ଧ - ଚତୁର ।

 

୪୨ଶ ପଦ :- ରାବଣ ଚତୁର ଦୂତମାନଙ୍କଠାରୁ ଏହି ସବୁ କଥା ଶୁଣି ଅତ୍ୟନ୍ତ ମନୋଦୁଃଖର ସହିତ ବିଚାରକଲା, ମୋର ବଳ ଓ ବୁଦ୍ଧି ଏହି ସଗର-ବଂଶୀୟ ରାମଚନ୍ଦ୍ରଙ୍କୁ କୀର୍ତ୍ତି ସମୁଦ୍ରରେ ସ୍ଥଳକୂଳ ନ ପାଇ ବୁଡ଼ିଲା (ଅର୍ଥାତ୍‌ ମୋର ମରଣ ସୁନିଶ୍ଚିତ) । ରାମଚନ୍ଦ୍ରଙ୍କୁ ସ୍ତୁତି କରି ବୟାଳିଶ ପଦରେ ମନୋହର ଏହି ଛାନ୍ଦକୁ ଉପେନ୍ଦ୍ରଭଞ୍ଜ ରଚନା କଲେ ।

 

Unknown

ଷଟ୍ ଚତ୍ୱାରିଂଶ ଛାନ୍ଦ

ରାଗ-କାମୋଦୀ

ରୁକ୍ମିଣୀ ଚଉତିଶା ବାଣୀରେ

 

ବୁଝ ଆହେ ସୁମନେ ନିଦ୍ରାବଶେ ସୁମନେସଂବେଶ ଆବେଶ ଶ୍ରୀରାମ ।

ବସୁଧା ସୁଧାମୟୀ ବିଶୁଦ୍ଧା ସୁଧା ପାଇ ସୁଧାଂଶୁନିଭ ଛତ୍ରେ ରମ୍ୟ ସେ ।

ବଶି ଶୁଭ । ବଜ, ସିଂହାସନରେ ତହି।

ବସି ଶୁଭ୍ର । ବସନେ ବିରାଜିତ ହୋଇ।

ବରବର୍ଣ୍ଣନା ସୀତା ବରବର୍ଣ୍ଣନା ଯୁକ୍ତା କୋଳରେ ଅଛନ୍ତି ବସାଇ ସେ । ୧ ।

 

ବିହାର ବିହାୟସେ ଅର୍ଜ୍ଜୁନ ପାରାବଂଶେ ବଂଶେ ରାଜିତ ସେ ଚିରାଳ ।

ବଶିଷ୍ଠ କୁମ୍ଭଜହିଁ ବିଶିଷ୍ଠ କୁମ୍ଭ ଯହିଁ ସାତକୁମ୍ଭରେ ଢାଳେ ଜଳ ସେ ।

ବାର ବାର । ବାରସ୍ତ୍ରୀମାନେ ଗୀତ ସ୍ମରି ।

ବାରବାର । ବିହନ୍ତି ନୃତ୍ୟ ଅପସରୀ।

ବରଷନ୍ତି ଶୁକଳ ସୁମନା ଯେ ସକଳ-ସୁମନା ଶୂନ୍ୟରେସଞ୍ଚରି ସେ । ୨ ।

 

ବାଜି ଶଙ୍ଖାଦି ବାଦ୍ୟରାଜି ଦ୍ୱିରବ ବାଜୀ ସ୍ୱରୂପା ରୂପାଗିରି।

ବିଜୟ ପୂର୍ବମୁଖେ ବିଜୟୀ ବୀର ସୁଖେଜୟ ଜୟ ଶବଦ ସ୍ଫୁରି ସେ ।

ବିଧୁର ଯେ ।  ବିରସ ଜନ ସବୁଙ୍କରି।

ବିଧୂରଜେ ।  ବିଧାନ ହୋଇଛିଚାଲ୍ୟରୀ।

ବସନ୍ତେ ଯେ ବସନ୍ତ ବସନ ଚେତିକୃତ କଥନ ସାନୁଜେ ବିଚାରି ସେ । ୩ ।

 

ବିଚକ୍ଷଣ ଲକ୍ଷ୍ମଣ ବୋଲେ ସେ କ୍ଷଣ କ୍ଷଣଦାରେ ଆଜ ସ୍ୱପ୍ନ ବୀକ୍ଷଣ ।

ବ୍ୟସ୍ତକେଶ ଲଙ୍କେଶସୁତ ଚଢ଼ି ମହିଷ ମହିମ ଇଚ୍ଛିଣ ଦକ୍ଷିଣ ସେ ।

ବଳୀ ସ୍ନେହ ।  ବିଲେପନରେ ଜର ଜର।

ବଳି ସ୍ନେହ ।  ବିଷ ଭକ୍ଷେ ଲୋହପାତ୍ରର।

ବିଭୁଷା ରଙ୍ଗବାଣେ ଭୁଷାଯିବ ମୋ ବାଣେ ଏରଣେଶରଣକେ ତାର ସେ । ୪ ।

 

ବିଭୀଷଣକୁ ଚାହିଁ ଦୂଷଣଜିତ କହି ଭୀଷଣ ଯୁଦ୍ଧ ଶତ୍ରାରିର।

ବଳ ପ୍ରବଳ ମୋର ଧବଳକର ପ୍ରାୟେ ତମ ପ୍ରାୟ କବଳତର ସେ ।

ବିଶେଷର । ବାହୁଡ଼ିବି ମୁଁ ଭୟ କରି ।

ବିଶେଷର । ବିଷାଇ ଥାଇ ଯେ ତାହାରି ।

ବିସ୍ତାରେ କେଡ଼େ ଶକ୍ତି ଗଦା ମୁଦ୍‌ଗର ଶକ୍ତି ଶୂଳ ଚକ୍ର ଚକ୍ରପ୍ରହାରି ସେ । ୫ ।

 

୧ମ ପଦ :- ସୁମନେ - ପଣ୍ଡିତମାନେ । ସୁମନେ - ଉତ୍ତମ ମନରେ ।ସଂବେଶ - ସ୍ୱପ୍ନ। ଆବେଶ - ଆବିର୍ଭୁତ । ବସୁଧା - ପୃଥିବୀ ।ସୁଧାମୟୀ–ଚୁର୍ଣ୍ଣଲିପ୍ତା । ବିଶୁଦ୍ଧା - ପବିତ୍ରା।ସୁଧା - ଅମୃତ ।ସୁଧାଂଶୁନିଭାଛତ୍ରେ - ଚନ୍ଦ୍ରକିରଣ ତୁଲ୍ୟ ଛତ୍ରରେ । ରମ୍ୟ - ମନୋହର।ବଜ ସିଂହାସନ - ହୀରାଜଡ଼ିତ ସିଂହାସନ ।ବରବର୍ଣ୍ଣନା– ବରାଙ୍ଗନା।ବରବର୍ଣ୍ଣନାଯୁକ୍ତା - ହଳଦୀ ବୋଳାହୋଇ। ଶୁଭ୍ର-ଉଜ୍ଜ୍ୱଳ। ଶୁଭ୍ର - ଶୁକ୍ଳ । ବସି - କାନ୍ତିଯୁକ୍ତ।

 

୧ମ ପଦ :- ହେ ପଣ୍ଡିତମାନେ । ଧୀର ଚିତ୍ତରେ ବୁଝିବା ହୁଅନ୍ତୁ । ନିଦ୍ରାଭିଭୂତ ରାମଚନ୍ଦ୍ର ସ୍ୱପ୍ନ ଦେଖିଲେ ଯେ, ଭୂମି ଚୂର୍ଣ୍ଣରେ ଲିପାହୋଇଅଛି, ସେ ନିଜେ ବିଶୁଦ୍ଧ ଅମୃତ ପାନ କରୁଅଛନ୍ତି, ମନୋହର ଚନ୍ଦ୍ରକିରଣ ତୁଲ୍ୟ ଅତି ଶୁଭ୍ର ଛତ୍ର ତାଙ୍କର ମସ୍ତକ ଉପରେ ଟେକା ହେଉଅଛି; ସେ ଅତି ଉଜ୍ଜ୍ୱଳ ଶୁକ୍ଳ ହୀରକମଣ୍ଡିତ ମନୋରମ ସିଂହାସନରେ ଉପବେଶନ କରିଅଛନ୍ତି ଏବଂ ଶୁକ୍ଳବସ୍ତ୍ର ପରିଧାନ କରି ହରିଦ୍ରାରଞ୍ଜିତ କଳେବର । ପରମସୁନ୍ଦରୀ ସୀତାଙ୍କୁ କୋଳରେ ଧାରଣ କରିଅଛନ୍ତି । (ଅର୍ଥାତ୍‌ ସେ ରାଜପଦରେ ଅଭିଷିକ୍ତ ହେଉଅଛନ୍ତି )

 

୨ୟ ପଦ :- ବିହାୟସେ - ଆକାଶରେ । ଅର୍ଜ୍ଜୁନପାରାବଂଶେ-ଶୁକ୍ଳପାରାମାନଙ୍କୁ। ବଂଶେ - ବାଉଁଶରେ । ଚିରାଳ –ପତକା।କୁମ୍ଭଜ - ଅଗସ୍ତି । ବଶିଷ୍ଠ - ବସିକରି ବା ସ୍ଥିତ ହୋଇ । କୁମ୍ଭ - ହସ୍ତୀ । କୁମ୍ଭସାତକୁମ୍ଭ-ସ୍ୱର୍ଣ୍ଣକଳସ । ବାରସ୍ତ୍ରୀମାନେ - ବେଶ୍ୟାମାନେ । ସୁମନା - ଶୁକ୍ଳପୁଷ୍ପ । ସୁମନା-ଦେବତାମାନେ ।ଅପସରୀ - ଅପ୍‌ସରାମାନେ।

 

୨ୟ ପଦ :- ଏହି ସମୟରେ ଶୁକ୍ଲପାରାବତମାନେ ଆକାଶରେ ଉଡ଼ୁଅଛନ୍ତି ଏବଂ ବାଉଁଶରେ ଶୁକ୍ଳ ପତାକା ସବୁ ବନ୍ଧା ହୋଇଛି । ବଶିଷ୍ଟ ଓ ଅଗସ୍ତ୍ୟ ଋଷି ଦୁହେଁ ବଡ଼ବଡ଼ ସୁବର୍ଣ୍ଣ କଳଶରେ ଜଳଆଣି ତାଙ୍କ ମସ୍ତକ ଉପରେ ଢାଳୁ ଅଛନ୍ତି (ଅର୍ଥାତ୍‌ ଅଭିଷେକ କରୁଅଛନ୍ତି) । ଦଳଦଳ ବେଶ୍ୟା ଆସି ତାଙ୍କ ନିକଟରେ ଗାନ କରୁଅଛନ୍ତି, ଅପ୍‌ସରାମାନେ ବାରମ୍ବାର ନୃତ୍ୟ କରୁଅଛନ୍ତି ଓ ଦେବତାମାନେ ଆକାଶରୁ ଶୁକ୍ଳପୁଷ୍ପ ବୃଷ୍ଟି କରୁଅଛନ୍ତି ।

 

୩ୟ ପଦ :- ବାଦ୍ୟରାଜ - ବାଦ୍ୟସମୂହ।ଦ୍ୱିରଦ - ହସ୍ତୀ । ବାଜୀ-ଅଶ୍ୱ । ରୁପାଗିରି-କୈଳାସ ପର୍ବତ । ସ୍ଫୁରି - ଉଚ୍ଚାରଣ କରି । ବିଧୁର-ତ୍ୟାଗ । ବିଧୁରଜ – କର୍ପୂରରେଣୁ । ଚର୍ଚ୍ଚରୀ - ଚାଚେରୀ, ଦୋଳପୂର୍ଣ୍ଣିମା ଯାତ୍ରା । ସାନ୍ତୁଜ - ସାନଭାଇ, ଲକ୍ଷ୍ମଣ।

 

୩ୟ ପଦ :- ଶଙ୍ଖ ପ୍ରଭୃତି ବାଦ୍ୟମାନ ବାଜୁଅଛି, କୌଳାସ ପର୍ବତ ତୁଲ୍ୟ ଶୁକ୍ଳବର୍ଣ୍ଣ ହସ୍ତୀ ଓ ଘୋଟକମାନେ ବିରାଜିତ ହୋଇଅଛନ୍ତି। ବିଜୟୀ ବୀର ରାମଚନ୍ଦ୍ର ପୂର୍ବାଭିମୁଖ ହୋଇ ବିଜେ କରିଅଛନ୍ତି । ସେହିସ୍ଥାନରେ ସର୍ବଦା ଜୟନାଦ ପ୍ରକାଶିତ ହେଉଅଛି । କର୍ପୂର ଗୁଣ୍ଡରେ ଅବିରଖେଳ (ଫଗୁଖେଳ) ହେଉଅଛି ଏବଂ ସମସ୍ତେ ଆନନ୍ଦରେ ମଗ୍ନ ହୋଇଅଛନ୍ତି। ପୀତବସନ ପରିଧାନକାରୀ ରାମଚନ୍ଦ୍ର ନିଦ୍ରା ତେଜି ବସନ୍ତେ, ଲକ୍ଷ୍ମଣଙ୍କୁ ଏହି ସ୍ୱପ୍ନ ବୃତ୍ତାନ୍ତ କହିଲେ ।

 

୪ର୍ଥ ପଦ :- ବିଚକ୍ଷଣ - ବୁଦ୍ଧିମାନ । କ୍ଷଣଦା - ରାତ୍ରି । ବିକ୍ଷଣ - ଦେଖିବା । ବ୍ୟସ୍ତକେଶ – ମୁକୁଳିତକେଶ । ଲଙ୍କେଶସୁତ – ଇନ୍ଦ୍ରଜିତ । ମହିମା - ମହାତ୍ମ୍ୟ ଅର୍ଥାତ୍‌ ଗର୍ବ । ବିଭୂଷା – ସୁଶୋଭିତ । ରଙ୍ଗବାଣୀ – ପୁଷ୍ପବିଶେଷ । ଭୁଷାଯିବ - ବିନ୍ଧାଯିବ।

 

୪ର୍ଥ ପଦ :- ଚତୁର ଲକ୍ଷ୍ମଣ ସଙ୍ଗେ ସଙ୍ଗେ କହିଲେ, ‘‘ମୁଁ ମଧ୍ୟ ଆଜି ରାତିରେ ଗୋଟିଏ ସ୍ୱପ୍ନ ଦେଖିଅଛି । ତାହା ଏହି ଯେ ଇନ୍ଦ୍ରଜିତ ସ୍ୱୀୟ ପରାକ୍ରମ ଦେଖାଇବା ନିମିତ୍ତ କେଶ ମୁକୁଳାକରି ମହିଷା ରୋହଣ ପୂର୍ବକ ଦକ୍ଷିଣ ଦିଗକୁ ଗମନ କରୁଅଛି ଏବଂ ତୈଳ ଜର୍ଜରିତ କାୟ ସେହି ଇନ୍ଦ୍ରଜିତ ରଙ୍ଗବାଣ ପୁଷ୍ପରେ ବିମଣ୍ଡିତ ହୋଇ ଲୌହପାତ୍ରରେ ବିଷ ଭକ୍ଷଣ କରୁଅଛି । ଏଣୁ ମୁଁ ଅନୁମାନ କରୁଛି, ସେ ଯୁଦ୍ଧରେ ନିଃସହାୟ ହୋଇ ମୋ ବାଣରେ ମରିବ ।

 

୫ମ ପଦ :- ଦୂଷଣଜିତ – ରମାଚନ୍ଦ୍ର । ଶତ୍ରାଦିର – ଇନ୍ଦ୍ରଜିତର । ବଳ - ସୈନ୍ୟ । ଧବଳକର - ଚନ୍ଦ୍ର । ତମ - ରାହୁ । କବଳକର – ଗ୍ରାସକର । ବିଷେ - ବିଷଦ୍ୱାରା । ବିଷାଇ - ବିଷଯୁକ୍ତ କରି ।

 

୫ମ ପାଦ - ରାମଚନ୍ଦ୍ର ବିଭୀଷଣକୁ ଚାହିଁ କହିଲେ, ‘ହେ ଲଙ୍କାରାଜ, ଇନ୍ଦ୍ରଜିତର ଯୁଦ୍ଧ ଅତିଶୟ ଭୟଙ୍କର ଅଟେ । ରାହୁ ଚନ୍ଦ୍ରଙ୍କୁ ଗ୍ରାସ କଲାପରି ସେ ମୋର ମହାବଳଶାଳୀ ସୈନ୍ୟମାନଙ୍କୁ ଗ୍ରାସ କରୁଅଛି, ଏଣୁ ମୁଁ ମଧ୍ୟ ଅତିଶୟ ଭୟକରି ପଶ୍ଚାପଦ ହେଉଅଛି । ସେ ତାର ଶରମାନଙ୍କୁ ବିଷ ଲିପ୍ତ କରିଥାଏ । ସେ ଏକ ସମୟରେ, ମୁଦ୍‌ଗର, ଶକ୍ତି, ଶୂଳ ଓ ଚକ୍ର ପ୍ରଭୃତି ଅସ୍ତ୍ର ପ୍ରହାର କରି କି ଅଲୌକିକ ଶକ୍ତି ପ୍ରକାଶ ନ କରେ ?’’

 

ବୈଶ୍ରବଣ ଶ୍ରବଣ କରାଇ ଯାହା ଆନ ଆନ ନ କରେ ଶତମନ୍ୟୁ।

ବିନାଶ ଏହା କରେ କୀନାଶ ଚିନ୍ତା କରେ କି ଭାଗ୍ୟେ ପାଶୋରିଛି ମନୁ ସେ ।

ବିରଚିତ । ବଡ଼ ପ୍ରତିଜ୍ଞା ତାହା ହତେ ।

ବୀରଚିତ୍ତ । ବିଳସି ହରଷେ ମହତ୍ତ୍ୱେ।

ବ୍ରହ୍ମାର ଗର୍ବହର ସ୍ମର ତ ସ୍ମରହର ତାକୁ ଜାଳିଲେ ନେତ୍ରପାତେ ସେ । ୬ ।

 

ବାଟେ ଲଙ୍କାଭୂସ୍ଥଳେ ଅବଟେ ଲଙ୍କା ତଳେ ଜାତ ଜାତବେଦରେ ହୋମ।

ବିହି ଅଜରୁ ଧିରେ ଧୀରେ ମନୋରଥରେ ରଥ ଦେବଦଳନ ନାମ ସେ ।

ବାଜୀବାର । ବାଣାସନ ତୂଣ ବିଦିତି।

ବାଜିବାର । ବଜ୍ରରୁ ବଳି କରେ ଘାତ ।

ବଜ୍ରୀ-ଅରାତି ଗତି ଥାଇ ଯାଉଁ ନିପାତି ପାରି ସୁପାତି ତେଜୁଁ ସତ ସେ । ୭ ।

 

ବେଳଦ୍ୱୟ ସେ ପାଶେ ବନ୍ଧନ ନାଗପାଶେ ବ୍ରହ୍ମାସ୍ତ୍ରେ ନାଶ କରି ଗଲା ।

ବିପତି ଋକ୍ଷପତି ପତିତ ସେ ବିପର୍ତ୍ତ ହରିଲେ ମାରୁତିହିଁ ଥିଲା ସେ ।

ବାହାରେ ସେ ।  ବହି ବିବିଧ ଅୟୁଧକୁ।

ବାହାରେ ସେ ।  ବିଚାରି ବଇରୀ ବଧକୁ ।

ବଚସ୍କର ନୋହିଣ ତିସ୍କର ଆଚରଣ ଲଭେ ବରଣ ସନ୍ନିଧିକୁ ସେ । ୮ ।

 

ବାଟ ପାଇ କବାଟ ଫଟୁଁ ଭଲ୍ଲୁ ମର୍କଟ ପ୍ରକଟ ପ୍ରଭାତୁ କଟକେ ।

ବିରଚୁଁ ବିରସାତ କଙ୍କାଦି ବୀର ସାତ ରାମଙ୍କୁ ଅଟକେ ଛଟକେ ସେ ।

ବାସ୍ପବାରି । କେଷ୍ଟିତ ଲକ୍ଷ୍ମଣ ସବଳ ।

ବାସ ବାରି ।  ବେଗେ ଆସି ଆରମ୍ଭି ରୋଳ ।

ବୋଲେ ଉଚ୍ଚେ ଏପଦ ମୃତ୍ୟୁସ୍ଥାନକୁ ପଦ ଜାଣେ ଦୁର୍ଗମ ଦୁର୍ଗମେଳ ସେ । ୯ ।

 

ବଞ୍ଚିଲ ଥର ଦୁଇ ଘୁଞ୍ଚିଲ ଥର ବହି ପ୍ରାଣ ସଞ୍ଚିଲକି ଉପାୟେ ।

ବିଚ୍ଛେଦ ପିଣ୍ଡ ମୁଣ୍ଡ ଚ୍ଛେଦନ ହେବ ଚାଣ୍ଡ ବିଷାଦ ସଦରେ ନିଶ୍ଚୟ ସେ

ବଇରୀକି ।  ବାଦେ କପୋତ ନିକି ସରି ।

ବଇରୀକି ।  ବିପାକ କର୍ମ ଅଚ୍ଛି କରି ।

ବିଧିରେ ଶଶପଞ୍ଚା ପଞ୍ଚାସ୍ୟକୁ ଅବଞ୍ଚା ଘଟେ ଘଟକର୍ଣ୍ଣର ପରି ସେ । ୧୦ ।

 

୬ଷ୍ଠ ପଦ :- ବୈଶ୍ରବଣ - ବିଭୀଷଣ । ଶତମନ୍ୟୁ - ଇନ୍ଦ୍ର । କୀନାଶ - ଯମ । ଗର୍ବହର – ଗର୍ବଚୂର୍ଣ୍ଣକାରୀ । ସୁର - କନ୍ଦର୍ପ । ସ୍ମରହର - ଶିବ । ଜାଳିଲେ – ଭସ୍ମକଲେ ।

 

୬ଷ୍ଠ ପଦ :- ଏହା ଶୁଣି ବିଭୀଷଣ କହିଲେ, ‘‘ଯେଉଁ ଇନ୍ଦ୍ରଜିତର ବାଣକୁ ଇନ୍ଦ୍ର ନିବାରିତ କରିପାରନ୍ତି ନାହିଁ ଓ ଯମ ଯାହାକୁ ଭୟ କରି କହେ ଯେ, ମୋର ଭାଗ୍ୟବଶରୁ ଇନ୍ଦ୍ରଜିତ ମୋତେ ପାଶୋରି ଦେଇଛି ନଚେତ୍‌ ମାରିଦେଇ ସାରନ୍ତାଣି, ସେହି ଇନ୍ଦ୍ରଜିତକୁ ମାରିବା ନିମିତ୍ତ ଲକ୍ଷ୍ମଣ ଗୁରୁତର ପ୍ରତିଜ୍ଞା କରିଅଛନ୍ତି ।‘‘ (ଏହା ବିଭୀଷଣର ବୀର ପ୍ରୋତ୍ସାହନ ବାଣୀ) ଏହା ଶୁଣି ଲକ୍ଷ୍ମଣ ପୁନର୍ବାର ଇନ୍ଦ୍ରଜିତର ବଧନିମିତ୍ତ ବହୁତ ପ୍ରତିଜ୍ଞା କଲେ ଏବଂ ସେହି ବୀର ଲକ୍ଷ୍ମଣଙ୍କର ମନ ମହାନନ୍ଦରେ ପ୍ରଫୁଲ୍ଲିତ ହେଲା । ସେ ଦେଖାଇ କହିଲେ, ‘‘ଯେପରି କନ୍ଦର୍ପ ବ୍ରହ୍ମାଙ୍କର ଗର୍ବ ହରଣ କରିଥିଲା ମଧ୍ୟ ମହାଦେବଙ୍କ ନେତ୍ରପାତଦ୍ୱାରା ଭସ୍ମୀଭୂତ ହୋଇଥିଲା, ସେହିପରି ଇନ୍ଦ୍ରଜିତ ଦେବତାମାନଙ୍କୁ ପରାସ୍ତ କରିଥିଲେ ସୁଦ୍ଧା ମୁଁ ତାକୁ ପଲକ ପାତ ମାତ୍ରକେ ବିନାଶ କରିବି । (ଆକ୍ଷି ପିଞ୍ଛୁଳାକେ ମାରିବି) ।’’

 

୭ମ ପଦ :- ଜାତବେଦରେ - ଅଗ୍ନିରେ । ଅଜରୁଧିରେ – ଛେଳିରକ୍ତରେ । ବାଜୀବର - ଅଶ୍ୱସମୁହ, ଶରସମୁହ । ବାଣାସନ - ଧନୁ । ବଜ୍ରୀଅରାତି – ଇନ୍ଦ୍ରଜିତ । ନିପାତି - ବିନାଶ କରି । ସୁପାତି - ଶଯ୍ୟା । ଅବଟ – ଗର୍ତ୍ତ ।

 

୭ମ ପଦ :- ବିଭୀଷଣ କହିଲେ, ଲଙ୍କାପୁରରେ ଏକ ବରଗଛ ଅଛି । ସେହି ଗଛର ତଳ ପ୍ରଦେଶରେ ଗୋଟିଏ ଗାତଅଛି, ସେହି ଗାତରେ ଥିବା ଅଗ୍ନିକୁ ମନଃକାମନା ପୂର୍ବକ ଛେଳିରକ୍ତରେ ହୋମ କଲେ ସେହି ଅଗ୍ନି ମଧ୍ୟରୁ ଦେବଦଳନ ନାମକ ଏକ ରଥ, ବହୁସଂଖ୍ୟକ ଘୋଡ଼ା, ଧନୁ, ତୂଣୀର ଏବଂ ବଜ୍ରଠାରୁ ଅଧିକ ଟାଣ ଶରପୁଞ୍ଜ ଉତ୍ପନ୍ନ ହୁଏ । ଯଦି ଏହାସବୁ ଇନ୍ଦ୍ରଜିତ ଲାଭ କରେ ତାହାହେଲେ କଦାପି ତୁମ୍ଭେ ତାକୁ ମାରିପାରିବ ନାହିଁ, ଏଣୁ ଯଦି ରାତି ଥାଉଁ ଯାଇ ଶଯ୍ୟାରୁ ଉଠିବା ସମୟରେ ତାକୁ ମାରିବା ତାହେଲେ ସେ ନିଶ୍ଚୟ ମରିବ, ଏ କଥା ସତ୍ୟ ଅଟେ ।’’

 

୮ମ ପଦ :- ବେଳଦ୍ୱୟ - ଦୁଇଥର । ପାଶେ - ପାଶଦ୍ୱାରା ।ବିପତି – ଗରୁଡ଼ । ରକ୍ଷପତି – ଜାମ୍ବବାନ । ମାରୁତି - ହନୁମାନ । ବଇରୀବଧ – ଶତ୍ରୁନାଶ । ବଚସ୍କର ନୋହିଣ – ତୁନିହୋଇ । ତସ୍କର – ଚୋର । ବରଣ - ପ୍ରାଚୀର ।

 

୮ମ ପଦ :- ‘‘ହେ ବୀର । ଇନ୍ଦ୍ରଜିତ ଯୁଦ୍ଧକ୍ଷେତ୍ରରେ ‘ଉଦୟ’ ପ୍ରକାଶିତ ହୋଇ ଆମ୍ଭମାନଙ୍କୁ ନାଗପାଶ ଓ ବ୍ରହ୍ମାସ୍ତ୍ରଦ୍ୱାରା ଦୁଇଥର ନାଶ କରିଗଲା କିନ୍ତୁ ପ୍ରଥମଥର ଆମ୍ଭମାନଙ୍କୁ ଉପରେ ପଡ଼ିଥିବା ବିପତ୍ତିକୁ ଗରୁଡ଼ ଓ ଦ୍ୱିତୀୟଥର ବିପତ୍ତିକୁ ହନୁମାନ ଥିବାରୁ ଜାମ୍ବବାନ ନାଶ କଲେ (ଅର୍ଥାତ୍‌ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଆଣିବାରୁ ବ୍ରହ୍ମାସ୍ତ୍ର ହତ ଆମ୍ଭମାନଙ୍କୁ ଜାମ୍ବବାନ୍‌ଔଷଧଦେଇ ବଞ୍ଚାଇଲେ) ଏହା ଶୁଣି ଲକ୍ଷ୍ମଣ ଶତ୍ରୁ ବଧ କରିବା ନିମିତ୍ତ ନାନାବିଧ ଆୟୁଧମାନଙ୍କୁ ବହନ କରି ନିଃଶବ୍ଦଭାବରେଚୋର ପରି ଯାଇ ଲଙ୍କାଗଡ଼ର ନିକଟରେ ଉପସ୍ଥିତ ହେଲେ!

 

୯ମ ପଦ :- କଟକେ - ଗଡ଼ରେ। ଅଟକେ - ଆଗୋଳି ବା ଅଟକାଇ । ଛଟକେ - କୌଶଳରେ ।ବାସବାରି - ଇନ୍ଦ୍ରଜିତ ଘର ଖୋଜି। ସବଳ - ସୈନ୍ୟ ସହିତ ।ରୋଳ - ଶବ୍ଦ ।

 

୯ମ ପଦ :- ସକାଳ ହେବାରୁ ଲଙ୍କା ଗଡ଼ର କବାଟ ଖୋଲିଲା।ତହୁ ରାମଚନ୍ଦ୍ର ଭାଲୁ ଓ ମାଙ୍କଡ଼ମାନଙ୍କ ସହ ଗଡ଼ ଭିତରେ ପ୍ରବେଶ କଲେ । ଏହି ସମୟରେ କଙ୍କ ପ୍ରଭୃତି ବିଖ୍ୟାତ ସପ୍ତବୀର ଏକତ୍ରିତ ହୋଇ ହଠାତ୍‌ଆସି ରାମଚନ୍ଦ୍ରଙ୍କୁ ଅଟକାଇବାକୁ ଲାଗିଲେ । ଲକ୍ଷ୍ମଣ ଇନ୍ଦ୍ରଜିତର ଗୃହକୁ ଚିହ୍ନି ସୈନ୍ୟମାନଙ୍କସହ ତାହାକୁ ଘେରାଉ କଲେ । ଏହା ଦେଖି ଇନ୍ଦ୍ରଜିତ ଅତିଶୀଘ୍ର ଆସି ଯୁଦ୍ଧଆରମ୍ଭ କଲା ଏବଂ ଏହି କଥାପଦକ ଉଚ୍ଚ ସ୍ୱରରେ କହିଲା, - ‘‘ଏହି ଦୁର୍ଗମ ଦୁର୍ଗରେ ପ୍ରବେଶ କରିବା ଦ୍ୱାରା ତୁମ୍ଭେମାନେ ଯମପୁରରେ ଉପସ୍ଥିତ ହେଲ ।’’ (ଅର୍ଥାତ୍‌ତୁମ୍ଭେମାନେ ଏଠାରେ ନିଶ୍ଚୟ ମରିବ ) ।

 

୧୦ମ ପଦ :- ଚାଣ୍ଡ - ଶୀଘ୍ର । ବଇରୀ - ସଞ୍ଚାଣ ପକ୍ଷୀ । ବିପାକ କର୍ମ - ଦୁର୍ଭାଗ୍ୟ ବା ମନ୍ଦଭାଗ୍ୟ ।ଶଶପଞ୍ଚା - ଠେକୁଆର କପଟ । ପଞ୍ଚାସ୍ୟ - ସିଂହ ।ଘଟକର୍ଣ୍ଣ - କୁମ୍ଭକର୍ଣ୍ଣ। ଅବଞ୍ଚା - ବଞ୍ଚାଇଲା ନାହିଁ ।

 

୧୦ମ ପଦ :- ପୁର୍ନବାର କହିଲା, ‘‘ତୁମ୍ଭେମାନେ ଥର ଥରହୋଇ ଦୁଇ ଥର ଯୁଦ୍ଧଭୂମିରୁ ପଛଘୁଞ୍ଚାଦେଇ ଯେ କୌଣସି ଉପାୟରେ ପ୍ରାଣରକ୍ଷା କଲ; କିନ୍ତୁ ଏହି ଥର ତୁମ୍ଭର ସେହି ଛେଦିତ ନ ହୋଇଥିବା ପିଣ୍ଡରୁ ଶୀଘ୍ର ମୁଣ୍ଡ ଛିନ୍ନ ହେବ । ନିଶ୍ଚୟ ଦୁଃଖ ତୁମ୍ଭମାନଙ୍କୁ ଆକ୍ରମଣ କରିବ ।ସଞ୍ଚାଣ ସହିତ କାକ ବିବାହ କରିବାକୁ ସକ୍ଷମ କି ? ତୁମ୍ଭମାନଙ୍କର କର୍ମର ଦୁର୍ବଳତା ହେତୁରୁ ଆମ୍ଭମାନଙ୍କୁ ଶତ୍ରୁ କରିଅଛ । ଠେକୁଆକପଟରେ ସିଂହକୁ ନାଶ କଲାପରି ତୁମ୍ଭେମାନେ କୁମ୍ଭକର୍ଣ୍ଣକୁ ବିନାଶ କରିଅଛ ମାତ୍ର ମତେ ମାରି ପାରିବ ନାହିଁ )।’’

 

ବୋଲେରାମସୋଦରବଡ଼ାଇ ନ ଆଦର ନିଦରନୁହ ତୁ ତ୍ରବ୍ୟଦ

ବିଶ୍ୱବିଧ୍ୱଂସୀକାଳପୁରେ ତତ୍କାଳ କାଳ କାଳକଣ୍ଠରେ ରଚିବାଦ ସେ ।

ବିନାଶନ ।ବ୍ରତଫଳତୋ ହେଲା ଶେଷ ।

ବିନାଶନ । ବିବାଦେ ଆଜମୁଁ ଅବଶ୍ୟ ।

ବିନ୍ଧାବିନ୍ଧ ମାର୍ଗଣ ଗଣନା ନାହିଁ ପୁଣବୋଲେ ଏଭାଷପ୍ରତିଭାଷସେ । ୧୧ ।

 

ବେନି ବକ ସମରେ ବନ୍ଦୀ ହେଲେ ସମରେ ଋକ୍ଷ ରକ୍ଷମାତ୍ରକେ ଭେଦ ।

ବରାଜନ୍ତିଯେଶି (ଶୀ)ଳେ ଜନ୍ତାଜନ୍ତି ସକଳେ ଯୁଦ୍ଧେ ଶୂରେଶୂରେ ସମ୍ପାଦ ହେ।

ବିହରିତ । ବିଶେଷ ହରି ହୋଇଛନ୍ତି।

ବିହରିତ । ବିବାଦେ ପ୍ରାଣ ସେ କରନ୍ତି ।

ବୀରେନ୍ଦ୍ର ଶର ଭଳି ବଳୀ ବଳି ପ୍ରଜ୍ୱଳିଅତିରଣକୀରତିରତି ସେ । ୧୨ ।

 

ବିଚିତ୍ର ଚିତ୍ରଭାନୁ ଭାନୁପତ୍ରୀ ସନ୍ଧାନୁ ଦନୁଜରାମାନୁଜ ଧୀର ।

ବିନ୍ଧ ବାଣାପବନେଭୁବଜ ଜବନେ ହେଲେସେ ପକାଇ ଅବ୍‌ଧିର ସେ ।

ବିତପଦ। ବିଧାନ ହେଲା କେତେ ଶର ।

ବିତପନ । ବିଭବ ଦେଖି ସୌମିତ୍ରାର।

ବଡ଼କ୍ରୋଧରେ ଧରେ ଧରଶର ପ୍ରହାରେ ହରେ ତା ପବିଆୟୁଧର ସେ । ୧୩ ।

 

ବିଧୃତ ଲକ୍ଷ ଲକ୍ଷ ଯେ ଶିଳୀମୁଖ ମୁଖ ତୀକ୍ଷ୍‌ଣ ଲକ୍ଷ୍ୟ ଦୁହିଁକି ଦୁହେଁ ।

ବିରକ୍ତହୀନ ରକ୍ତ ଜରଜର ଜରତ ବିମ୍ବ ଆକୃତି ବହେଦେହେ ସେ ।

ବିଦାରଣ । ବେନି ସମାନଭାବ ତହିଁ ।

ବିଦାରଣ । ବୁଦ୍ଧି କେବଳ ଅଛି ରହି ।

ବାଣ ସେବନେ ଈଶ ଈଷଦ୍ଧାସ ପ୍ରକାଶ ଶଳ୍ପ କି ଶଳ୍ପଭାବବହି ସେ । ୧୪ ।

 

ବାତୁସୁତଶଇଳେ ପକାଇଲେ ତଇଳେ ସୂତମକ୍ଷିକା ପ୍ରାୟେ ତହି।

ବିଭଞ୍ଜନ ସେ ଜନରଞ୍ଜନ ରଥ ପୁନ ରାଜନ ସୂତଉଭା ମହୀ ସେ ।

ବଧା ତାରେ ।ବାଳିସୂତପହାରୁଁ ପିଠି ।

ବିଧାତା ରେ ।ବିଜୟି-ଗର୍ବ ଗଲା ତୁଟି ।

ବିଶିଖେ ତୁଳା ତୁଳାତନୁଭିଣାବାତୁଳା ସେ କପଟୀ ବୋଧଲମ୍ପଟୀ ଯେ । ୧୫ ।

 

୧୧ଶ ପଦ :- ରାମସୋଦର - ଲକ୍ଷ୍ମଣ । ନିଦର - ନିର୍ଭୟ ।କ୍ରବ୍ୟାଦ୍‌-ରାକ୍ଷସ ।ବିଶ୍ୱବିଧ୍ୱଂସୀ - ସଂସାରବିନାଶୀ। କାଳ - ଯମ । ପରେ - ଶେଷହୁଏ । କାଳକଣ୍ଠରେ - ଶିବଙ୍କ ସହିତ ।ବିନାଶନ - ନିରାହାରରେ।

 

୧୧ଶ ପଦ :- ଲକ୍ଷ୍ମଣ କହିଲେ, ‘‘ରେ ରାକ୍ଷସ,ଭୟଶୂନ୍ୟହୋଇ ଆଦର ପୂର୍ବକ ବଡ଼ାଇ କରନା ।ବିଶ୍ୱବିଧ୍ୱଂସକାରୀ ଯମ ମଧ୍ୟ ମହାଦେବଙ୍କ ସହିତ ବିବାଦ କଲେ ମୃତ୍ୟୁ ମୁଖରେ ପତିତ ହୁଅନ୍ତି ! ତୁ କରିଥିବା ଅନଶନ ବ୍ରତର ଫଳ ଶେଷ, ହେଲା ତୋର ନିଶ୍ଚୟ ମରଣ ହେବ’ ଯେ ହେତୁ ଆଜି ମୁଁ ତୋର ବିବାଦୀ ହୋଇ ଉପସ୍ଥିତ ହୋଇଅଛି।’’ ଏହି କଥାର ଶେଷରେ ସେ ଦୁହେଁ ପୂନର୍ବାରଗାଳିଗୁଜବ ନ କରି ଅନବରତ ଅସଂଖ୍ୟ ବାଣ ବିନ୍ଧାବିନ୍ଧି କରିବାକୁ ଲାଗିଲେ ।

 

୧୨ଶ ପଦ :- ଶିଳ - ପଥର । ଶୀଳ - ନିଜ ନିଜର ଅସ୍ତ୍ର ।ଶୁରେ-ଯୋଦ୍ଧାମାନେ। ସମ୍ପାଦ - ଆରମ୍ଭ କଲେ। ହରି - ବାନର।ଅତିରଣକିରତି– ରତି, ଅତିଶୟ ସମରନିପୁଣ; ବିଶିଷ୍ଟ ଯୋଦ୍ଧା।

 

୧୨ଶ ପଦ :- ଏହି ଯୁଦ୍ଧରେ ଉଭୟପକ୍ଷରୁ ସମାନ ସଂଖ୍ୟକ ସେନା ବନ୍ଦୀ ହେଲେ କିନ୍ତୁ ସେହି ସେନାମାନଙ୍କ ମଧ୍ୟରେ ରୁକ୍ଷ ଓ ରକ୍ଷ ଏତିକି ମାତ୍ର ଭେଦ ଥିଲା (ଅର୍ଥାତ୍‌ବନ୍ଦୀ ହୋଇଥିବାଲୋକମାନେ ସେନା ଏହିନାମରେ ଏକ ଥିଲେ ମଧ୍ୟ ପ୍ରକୃତ ଜାତିନାମରେ ଲକ୍ଷ୍ମଣଙ୍କ ସେନାମାନଙ୍କଠାରେ ‘ଉ’କାରରେ ପ୍ରଭେଦ ଦେଖାଯାଉଥିଲା) ଉଭୟସେନା ‘ଶୈଳ’ ଅର୍ଥାତ୍‌ବାନର ସେନା ପଥର ଓ ଅସୁର ସେନା ‘ଶୀଳ’ ନିଜ ନିଜର ଅସ୍ତ୍ର ଧରି ପ୍ରଗାଢ଼ ଯୁଦ୍ଧ କରୁଥିଲେ ଓ ସମୟରେ ଯୋଦ୍ଧାମାନଙ୍କ ମଧ୍ୟରେ ବାଗଯୁଦ୍ଧ ମଧ୍ୟ ହେଉଥିଲା । ମର୍କଟମାନେ ଯୁଦ୍ଧ କ୍ଷେତ୍ରରେ ଇତସ୍ତତ ଧାବମାନ ହୋଇ ପ୍ରବଳ ବେଗରେ ଅସୁରମାନଙ୍କ ବିନାଶ କରୁଥିଲେ । ଏହା ଦେଖି ବଳବାନ୍‌ଇନ୍ଦ୍ରଜିତକ୍ରୋଧରେପ୍ରଜ୍ଵଳିତହୋଇ ଲକ୍ଷ୍ମଣଙ୍କଠାରୁ ବଳି ଅତ୍ୟଧିକ ରଣକୌଶଳ ପ୍ରକାଶ କରିଥିଲା ।

 

୧୩ଶ ପଦ :- ଚିତ୍ରଭାନୁ - ଭାନୁପତ୍ରୀ – ଅଗ୍ନିରଶ୍ମିଶର। ଦନୁଜ - ରାକ୍ଷସ । ରାମାନୁଜ - ଲକ୍ଷ୍ମଣ । ଧୀର - ଧୈର୍ଯ୍ୟଶୀଳ ବା ଶାନ୍ତ ।ଭୁବବଜ - ଅଗ୍ନିଶର। ଜବନେ - ବେଗରେ । ଅବଧିରେ - ସମୁଦ୍ରରେ । ବିତପନ - ପ୍ରଚଣ୍ଡ ତେଜ ପ୍ରକାଶକାରୀ ବା ମର୍ମବିଘାତୀ। ବିତପନ ବିଭବ - ପଟୁତା । ସୌମିତ୍ରିର - ଲକ୍ଷ୍ମଣଙ୍କର ।ଧରଶର - ପର୍ବତାସ୍ତ୍ର। ପବି - ବଜ୍ର।

 

୧୩ଶ ପଦ :- ଇନ୍ଦ୍ରଜିତ ଚିତ୍ତବିଭ୍ରମ ପ୍ରଦାୟକ ଆଗ୍ନେୟାସ୍ତ୍ର ଧନୁରେ ସନ୍ଧାନ କରିବାରୁ ଚତୁର ଲକ୍ଷ୍ମଣ ପବନାସ୍ତ୍ରପ୍ରୟୋଗ କରି ଅତିଶୀଘ୍ର ବଳପୂର୍ବକ ସେହି ଆଗ୍ନେୟାସ୍ତ୍ରକୁ ନେଇ ସମୁଦ୍ରରେ ପକାଇ ଦେଲେ । ତତ୍‌ପରେ ପ୍ରଚଣ୍ଡ ତେଜ ପ୍ରକାଶକାରୀ କେତେକ ଶର ତାହା ପ୍ରତି ନିକ୍ଷେପ କଲେ ।ଇନ୍ଦ୍ରଜିତଳକ୍ଷ୍ମଣଙ୍କର ଏହି ଶର ପ୍ରୟୋଗପଟୁତା ପରିଦର୍ଶନ କରି କ୍ରୋଧଜର୍ଜରିତ ହୃଦୟରେ ତାଙ୍କପ୍ରତିପର୍ବତାସ୍ତ୍ର ପ୍ରହାର କଲା । ଲକ୍ଷ୍ମଣ ସେହି ଅସ୍ତ୍ରକୁ ବଜ୍ରାସ୍ତ୍ରରେ ନିବାରଣ କଲେ ।

 

୧୪ଶ ପଦ :- ଶିଳୀମୁଖ - ଶର ।ଜରତବିମ୍ବ - ପାଚିଲା କଇଁଚ କାକୁଡ଼ି।ଇଷଦ୍ଧାସ୍ୟ - ମନ୍ଦହାସ୍ୟ । ଶଲ୍ୟ - କାଣ୍ଡ । ଶଲ୍ୟ - ଝିଙ୍କପକ୍ଷୀ। ଈଶ - ଈଶ୍ୱର। ବିଦାରଣ - ଯୁଦ୍ଧ, ଭେଦ ।

 

୧୪ଶ ପଦ :- ଦୁହିଁଙ୍କୁ ଦୁହେଁ ଲକ୍ଷ ଲକ୍ଷତୀକ୍ଷ୍‌ଣଶରଧରିମାରିବାରେ ସମାନ ଅଟନ୍ତି; ଏଣୁ ଭୟଙ୍କର ଦେହ ରକ୍ତରେ ଜର୍ଜରିତ ହୋଇ ପାଚିଲା କଇଞ୍ଚିକାକୁଡ଼ିରଶୋଭାକୁ ଧାରଣ କଲେ ସୁଦ୍ଧା ଦୁହେଁ ଯୁଦ୍ଧ ପ୍ରତି ବିରକ୍ତ ହେଉ ନ ଥିଲେ ଓ ଦୁହେଁ ସମାନ ଭାବରେ ଯୁଦ୍ଧରେ ଅଗ୍ରସର ହେଉଥିଲେ । କାର୍ଯ୍ୟରେ ଦୁହେଁ ସମାନ ଥିଲେ ସୁଦ୍ଧା ପରଷ୍ପର ମଧ୍ୟରେ ଏକମାତ୍ର ଭେଦ ବୁଦ୍ଧି ରହିଥିଲା, ତାହା ଏହି - ମହାଦେବ ବାଣାସୁରର ସେବାରେ ସନ୍ତୁଷ୍ଟ ହୋଇମନ୍ଦହାସ ପ୍ରକାଶ କଲାପରି ଲକ୍ଷ୍ମଣ ଇନ୍ଦ୍ରଜିତର ଶର ଦ୍ୱାରାଆଘାତପ୍ରାପ୍ତହୋଇ ମନ୍ଦହାସ୍ୟ ପ୍ରକାଶ କରୁଥିଲେ ଓ ଇିନ୍ଦ୍ରଜିତ ଲକ୍ଷ୍ମଣଙ୍କ ଶରଦ୍ୱାରା ବିଦ୍ଧ ହୋଇଝିଙ୍କପକ୍ଷୀ ତୁଲ୍ୟ ଶୋଭା ଓ ବ୍ୟବହାର ପ୍ରକାଶ କରୁଥିଲା ।

 

୧୫ଶ ପଦ :- ବାତସୁତ - ହନୁମାନ ।ଶଇଳ - ପର୍ବତ । ବିଭଞ୍ଜନ - ଭାଗ ।ଜନରଞ୍ଜନ - ଲୋକଭିରାମ।ରାଜନସୁତ - ଇନ୍ଦ୍ରଜିତ।ବାଳିସୁତ - ଅଙ୍ଗଦ । ବିଶିଖେ - ଶରଦ୍ୱାରା।ତନୁଭିଶା - ଦେହ ବିଦୀର୍ଣ୍ଣ । ତୁଳା - ସମାନ । ସୂତ - ସାରଥି ।

 

୧୫ଶ ପଦ :- ଏହି ସମୟରେ ହନୁମାନ ଗୋଟାଏ ପର୍ବତ ଫିଙ୍ଗିବାରୁ ତେଲରେ ମାଛି ପଡ଼ି ଛଟପଟ ହୋଇ ମଲା ପରି ସେହି ପର୍ବତଘାତରେଇନ୍ଦ୍ରଜିତର ସାରଥି ଛଟପଟ ହୋଇ ମଲା ଏବଂ ଇନ୍ଦ୍ରଜିତରମନୋହର ରଥଟି ଭାଙ୍ଗିଯିବାରୁ ସେ ରାଜାର ପୁତ୍ର ହୋଇ ସୁଦ୍ଧା ତଳରେ ଠିଆ ହେବାକୁ ବାଧ୍ୟ ହୋଇଥିଲା। ଏହି ସମୟରେ ଅଙ୍ଗଦ ତାର ପିଠିରେ ଗୋଟାଏ ବିଧା ମାରିବାରୁ ତାହାର ବିଧାତାଦତ୍ତବୀରତ୍ୱ ଗର୍ବ ଚୁର୍ଣ୍ଣହୋଇଗଲା। ଲକ୍ଷ୍ମଣଙ୍କ ଶରରେ ଇନ୍ଦ୍ରଜିତର ଶରୀର ତୁଳା ପରି ଭିଣି ହୋଇ ଯିବାରୁ (କ୍ଷତ ବିକ୍ଷତ ହେବାରୁ) ସେ ପାଗଳ ପରି ହୋଇ ଶେଷରେ କପଟ ଯୁଦ୍ଧ ପ୍ରତି ଆଦର ପ୍ରକାଶ କରି ସେହି ଯୁଦ୍ଧରେ ଜୟୀ ହେବ ବୋଲି ମନେ ମନେ ଭାବି ନିଶ୍ଚୟ କଲା ।

 

ବିରଥୀ ମୁଁ ଯେ ବୀର ପଦେ ଗପଦବୀର ରଙ୍ଗେ ବିରଙ୍ଗେଯଶ ହାନି ।

ବହୁବଳ ସଙ୍ଗରେ ରସିଥାଅ ସଙ୍ଗରେ ଆସଇ ଅସ୍ତ୍ର ଶସ୍ତ୍ରଘେନି ସେ ।

ବଟେ ଯିବ ।ବ୍ୟର୍ଥ ଦେବ ବିବାଦେ ମଜ୍ଜି।

ବଟେ ଯିବ ।ବିମାନ ଆଣିବ ସେ ପୂଜି ।

ବିଭୀଷଣ ଭଣନ୍ତେ ଜାଣନ୍ତେ ପରିଣତେ ଧିକାର କରିକେତେ ଗଞ୍ଜିସେ। ୧୬।

 

ବସ ହିରଣ୍ୟମୟହୀରକରଥେମୟନପ୍ତାହିରଣ୍ୟ ପ୍ରାୟେ ଦିଶି ।

ବହେ ସାୟକ ଶର ପ୍ରସରି ବହନର ନରସିଂହଉପରେ ମିଶି ସେ ।

ବିଘ୍ନରାଜ।ବଳି ମୁଖଙ୍କୁ ଚେତା କରି ।

ବିଘ୍ନରାଜ।ବିଭୁତି କରକୁ ବିସ୍ତାରି ।

ବସେ ଚେତନା ପାଇ ଥିଲେ ପତନ ହୋଇତ୍ରିପତ୍ରୀ ମନ୍ତ୍ରପୁନଃମାରି ସେ । ୧୭ ।

 

ବଳେ ସେ ଐରାବତ ବତ ମେରୁ ପର୍ବତ ଦନ୍ତରେପ୍ରହାର କି ଦନ୍ତ ।

ବିଘତରେ ତାତରେ ରକ୍ତଧାରାସତ୍ୱରେଗେରୁଯୁକ୍ତଜାହ୍ନବୀ ମତ ସେ ।

ବୀର ଶରେ । ବ୍ୟଥିତ ପ୍ରସୂ ସେ ଲପନ ।

ବିରସରେ । ବିହେଫୂକୃତ ପୁନଃ ପୁନଃ ।

ବତାଇ ବିଭୀଷଣ ଚେତାର ସେହିକ୍ଷଣ ତାଇଲାପ୍ରାୟେ ଲୋହାନଳେ । ୧୮ ।

 

ବହତବ୍ୟଥିତକୁ ପ୍ରତିଜ୍ଞା କଥିତକୁ ସ୍ଥିତ ନକରି ଚିତ୍ତେ ବେଳେ ସେ ।

ବିଭାବସୁ । ବଂଶଭୂଷଣକୁ ନିପୁଣ ।

ବିଭାବସୁ । ବିଭାତି ଦେବରିପୁ ତୃଣ ।

ବିଧ୍ୱଂସ ସତ୍ୟବାଦୀ ବୋଲାଇ ସତ୍ୟବାଦୀ ହବାର ହାର କିକାରଣ ସେ । ୧୯ ।

 

ବାଣୀ କୁଟିଳ ପାଇ ଭ୍ରୁକୁଟିକି କମ୍ପାଇ କୁଟୀ ହେଲେମାରଣେ ତାର ।

ବାଦଲ ବାଣୋତ୍ତମପ୍ରୟୋଗେକେତୁ ତମ ତାରତମକଲେ ତତ୍ପର ସେ ।

ବିଗ୍ରହ ଯେ । ବିଶୁଦ୍ଧ ସେହିକାଳେ ହେଲା ।

ବିଗ୍ରହ ସେ । ବସୁଧା ଉପରେ ପଡ଼ିଲା ।

ଦିହରୁତମରୁତସୁତ ନୃତ୍ୟ କରୁତ ଶବେ ନୈର୍ଋତ ଛବି ହେଲା ସେ । ୨୦ ।

 

୧୬ଶ ପଦ – ବିରଥୀ-ରଥୀଶୂନ୍ୟ । ଷଦଗେ - ପଦଗାମୀ । ପଦବୀର - ଉପାଧିର । ରଙ୍ଗେ - ଯୁଦ୍ଧରେ । ବିରଙ୍ଗେ - ପରାସ୍ତ ହେଲେ । ବଟେ - ଠକିଦେଇ । ବ୍ୟର୍ଥ - ନିରର୍ଥକ ବା ବୃଥା । ବଟେ - ବଟମୂଳରେ । ପରିଣତ - ଶେଷରେ ।

 

୧୬ଶ ପଦ :- ତହୁଁ ସେ ଲକ୍ଷ୍ମଣ କହିଲା, ‘‘ହେ ବୀର । ବର୍ତ୍ତମାନ ମୁଁ ରଥହୀନହୋଇପାଦଗତିରେ ପଥ ଅତିକ୍ରମ କରୁ କରୁ, ଯଦି ଯୁଦ୍ଧରେ ପରାସ୍ତ ହୁଏଁ, ତାହା ହେଲେ ନିଶ୍ଚୟ ତୁମ୍ଭର ନିନ୍ଦା ହେବ । ଏଣୁ ତୁମ୍ଭେ ମୋର ଅସଂଖ୍ୟ ସେନାମାନଙ୍କରସହ ଯୁଦ୍ଧରେ ବ୍ୟାପୃତ ହୋଇଥାଅ। ମୁଁ ଅସ୍ତ୍ର ଶସ୍ତ୍ର ନେଇ ଆସୁଛି । ’’ ଇନ୍ଦ୍ରଜିତର ଏହିପରି କଥା ଶୁଣି ବିଭୀଷଣ ଲକ୍ଷ୍ମଣଙ୍କୁ କହିଲେ, ‘ଏହି ଇନ୍ଦ୍ରଜିତ ତୁମ୍ଭଙ୍କୁ ଏପରି କହି ଠକିଦେଇଯିବସେ ଏଠାରୁ ଯାଇ ନିକୁମ୍ଭିଲା ବଟକୁ ପୂଜା କରି ବିମାନ ଆଣିଲେ ଆମ୍ଭମାନଙ୍କର ଯୁଦ୍ଧ ବିଫଳ ହେବ । ବିଭୀଷଣ ଏହା କହିବାର ଜାଣିପାରି ଇନ୍ଦ୍ରଜିତ ଶେଷରେ ତାହାଙ୍କୁ ନାନାପ୍ରକାର ଗାଳି ଦେଲା ।

 

୧୭ ପଦ :- ମୟନପ୍ତା –ମୟରାକ୍ଷସର ନାତି ଇନ୍ଦ୍ରଜିତ । ହିରଣ୍ୟ-ରାକ୍ଷସବିଶେଷ (ହୀରଣ୍ୟକଶିପୁ) । ସାୟକ - ଧନୁ । ନରସିଂହ – ନରଶ୍ରେଷ୍ଠ ।

 

୧୭ଶ ପଦ :- ତତ୍ପରେ ଇନ୍ଦ୍ରଜିତ ହୀରକ ଖଚିକସ୍ୱର୍ଣ୍ଣନିର୍ମିତ ରଥରେ ଆରୋହଣ କରି ହିରଣ୍ୟକଶିପୁ ରାକ୍ଷସ ପରି ଦେଖାଗଲା ଏବଂ ହିରଣ୍ୟକଶିପୁ ଯେପରି ଖଡ଼୍‌ଗ ଧାରଣ କରି ନରସିଂହ ମୂର୍ତ୍ତିଙ୍କୁ ଆକ୍ରମଣ କରିଥିଲା, ଇନ୍ଦ୍ରଜିତ ସେହିପରି ଶୀଘ୍ର ଶର ନିକ୍ଷେପ କରି ଲକ୍ଷ୍ମଣଙ୍କୁ ଆକ୍ରମଣ କଲା । ଗଣେଷ ଯୁଦ୍ଧ କ୍ଷେତ୍ରରେ ବଳିମୁଖ ପ୍ରଭୃତି ସ୍ୱୀୟଅନୁରଚରବର୍ଗଙ୍କୁ ଉତ୍ସାହିତ କରି ଶତ୍ରୁ ପ୍ରତି ଶର ନିକ୍ଷେପ କଲା ପରି ବଳଶାଳୀ ଲକ୍ଷ୍ମଣ ମଧ୍ୟ ମର୍କଟମାନଙ୍କୁ ଉତ୍ସାହିତ କରି ଇନ୍ଦ୍ରଜିତ ଉପରକୁ ଶର ନିକ୍ଷେପ କରିବାକୁ ଲାଗିଲେ । ଏହି ଲକ୍ଷ୍ମଣ ନିକ୍ଷିପ୍ତ ଶରମାନଙ୍କଦ୍ୱାରାଇନ୍ଦ୍ରଜିତବୀରତ୍ୱ ନଷ୍ଟ ହେବାରୁ ସେ କ୍ଷତ୍ରିୟ ସୁଲଭଧୈର୍ଯ୍ୟ, ବୀର୍ଯ୍ୟ, ପରାକ୍ରମ ହରାଇ ହସ୍ତ ବିସ୍ତାର ପୂର୍ବକ ଭୂତଳରେ ପତିତ ହୋଇ ମୂର୍ଚ୍ଛିତ ହେଲା । ପୁଣି କିଛିକ୍ଷଣ ପରେ ଚେତନା ପାଇ ଅଭିମନ୍ତ୍ରିତ କରି ତିନିଗୋଟି ଶର ଲକ୍ଷ୍ମଣଙ୍କ ପ୍ରତି ନିକ୍ଷେପ କଲା ।

 

୧୮ଶ ପଦ :- ଐରାବତ - ଇନ୍ଦ୍ରଙ୍କର ହସ୍ତୀ । ବିଘାତ - ଆଘାତ । ଜାହ୍ନବୀ - ଗଙ୍ଗା । ବ୍ୟଥିତପ୍ରସୂ - ବ୍ୟଥା ଜାତ କରିବା । ଲପନ - ମୁଖ ।

 

୧୮ଶ ପଦ :- ସେହି ତିନିଗୋଟିଶର ଲକ୍ଷ୍ମଣଙ୍କ କପୋଳ ଦେଶରେ ବିଦ୍ଧ ହେବାରୁ ରକ୍ତଧାରା ପ୍ରବାହିତ ହେଲା । ତାହା ଦେଖି ମନେ ହେଲା ଇନ୍ଦ୍ରଜିତ ରୂପୀ ଐରାବତ ନିଜର ସମୁଦାୟ ବଳ ପ୍ରୟୋଗ କରି ଲକ୍ଷ୍ମଣଙ୍କର କପୋଳ ରୂପ ମେରୁ ପର୍ବତକୁ ଶର ରୂପୀ ଦନ୍ତଦ୍ୱାରା ଆଘାତ କଲାକି? ଯେହେତୁ ସେହି ଘାତ ଜନିତ ଚଞ୍ଚଳ ରକ୍ତଧାରା ପ୍ରବାହିତ ହୋଇଗୋରିକ ରଞ୍ଜିତ ଗଙ୍ଗା ପ୍ରବାହ ପରି ଦେଖା ଯାଉଥିଲା । ଏହି ସମୟରେ ତାଙ୍କର ମୁଖରେ ତୀବ୍ର ଯନ୍ତ୍ରଣା ଉତ୍ପନ୍ନ ହେବାରୁ ସେ ଦୁଃଖିତ ବା ବିଷର୍ଣ୍ଣ ହୋଇଫୁତ୍କାର କରିବାକୁ ଲାଗିଲେ ଅର୍ଥାତ୍‌ଶରଦ୍ୱାରା ଛିନ୍ନ ହୋଇଥିବାକପୋଳରେଜ୍ୱାଳା ଯନ୍ତ୍ରଣା ଆରମ୍ଭ ହେବାରୁ ଲକ୍ଷ୍ମଣ ନିଜେ ନିଜର ମୁଖକୁ ଫୁଙ୍କିବାକୁ ଲାଗିଲେ । ତତ୍ପରେ କହିଲେ, ‘‘ବୋଧହୁଏ ପୂର୍ବକାଳରେ ଏପରି ପ୍ରଶଂସନୀୟ ଯୋଦ୍ଧା ଆଉ ଜଗତରେ ନ ଥିଲେ ।

 

୧୯ଶ ପଦ :- ବିଭାବସୁବଂଶ - ସୂର୍ଯ୍ୟବଂଶ । ଦେବରିପୁ- ଇନ୍ଦ୍ରଜିତ। ବିଭାବସୁ - ଅଗ୍ନି ।

 

୧୯ଶ ପଦ :- ବିଭୀଷଣ ଲୁହାକୁ ଅଗ୍ନିରେ ତାଇ ଉତ୍ତପ୍ତ କଲା ପରି ସେହିକ୍ଷଣି ଲକ୍ଷ୍ମଣଙ୍କୁ ପୂର୍ବକଥା ସ୍ମରଣ ପୂର୍ବକ ଉତ୍ତେଜିତ କରି କହିଲେ, ‘‘ତୁମ୍ଭେ ଯନ୍ତ୍ରଣା ଭୋଗ କରୁଅଛ କିନ୍ତୁ ଯେଉଁ ପ୍ରତିଜ୍ଞା ପ୍ରକାଶ କରିଥିଲା ତାକୁ ଥରେ ମାତ୍ର ଚିତ୍ତରେ ସ୍ଥାନ ଦେଉନାହଁ । ହେ ସୂର୍ଯ୍ୟବଂଶ ମଣ୍ଡନ । ହେ ଚତୁର ! ତୁମ୍ଭେ ଅଗ୍ନି ତୁଲ୍ୟ ତେଜ ପ୍ରକାଶ କରି ତୃଣ ସଦୃଶ ଇନ୍ଦ୍ରଜିତକୁ ଭସ୍ମକର ।ତୁମ୍ଭେ ସତ୍ୟବାଦୀ ହୋଇ ବର୍ତ୍ତମାନ ସେ ସତ୍ୟର ଅପଳାପ କରୁଅଛ, ଏହାର କାରଣ କଣ ମୁଁ ଜାଣିପାରୁ ନାହିଁ । ’’

 

୨୦ଶ ପଦ :- କୁଟିଳ - ଛନ୍ଦ । ବିଗ୍ରହ - ଯୁଦ୍ଧ । ମରୁତସୁତ - ହନୁମାନ । କୁଟୀ–ମାୟାବୀ।

 

୨୦ଶ ପଦ :- ଲକ୍ଷ୍ମଣ ବିଭୀଷଣଠାରୁ ଏହି ଛଳପୂର୍ଣ୍ଣ କଥା ଶ୍ରବଣ କରି ଇନ୍ଦ୍ରଜିତକୁ ବିନାଶ କରିବା ନିମିତ୍ତ ଭ୍ରୁଲତା କୁଞ୍ଚିତ ପୂର୍ବକ କପଟ ରଚନା କରିବାକୁ ଲାଗିଲେ ଏବଂ ସଙ୍ଗେ ସଙ୍ଗେ ଅତି ଉତ୍ତମବାଦଲଶରକୁପ୍ରୟୋଗ କରି ଇନ୍ଦ୍ରଜିତକୁ ରାହୁ ଓ କେତୁତୁଲ୍ୟଦୁଇଖଣ୍ଡ କରି ପକାଇଲେ । ଇନ୍ଦ୍ରଜିତଦ୍ୱିଖଣ୍ଡିତ ହେବାରୁ ଯୁଦ୍ଧଭୂମି ପରିଷ୍କୃତ ଦେଖାଗଲା । ଇନ୍ଦ୍ରଜିତର ଶବ ପୃଥିବୀ ଉପରେ ପଡ଼ିବାର ଦେଖି ହନୁମାନ ଆନନ୍ଦ ଧ୍ୱନି ପ୍ରକାଶ କରି ସେହି ଶବ ଉପରେ ନୃତ୍ୟ କରିବାକୁ ଲାଗିଲା । ସେତେବେଳେ ହନୁମାନ ଶବାରୁଢ଼ ନୈଋତ ଦେବତାଙ୍କପରି ଦେଖାଯାଉଥିଲା ।

 

ବିଘାତୀ ରାମ ରାମବିଶ୍ୱାଏଅତିଶ୍ରାମ କଙ୍କକୁତୁଳପତ୍ରି ବଶେ ।

ବଧକ ଯେ ଧଙ୍କରେ କି ଶିବ ଅନ୍ଧକରେ ସିଂହକୁଶରଭରେ ନାଶେ ସେ ।

ବିଧିରେ ଯେ । ବର୍ଣ୍ଣଭେଦରେ ସେ ମହୀଶ ।

ବିଧିରେ ଯେ । ବିଳାସ ତୁରଙ୍ଗର ଶେଷ ।

ବାଭାରେ ଯେ ଅଲୋପୀ ସେ ବର୍ଣ୍ଣ ଗୁପ୍ତରୂପୀଅଲୋପୀସଲୋପୀ ସଦୃଶ ସେ । ୨୧ ।

 

ବିକର୍ତ୍ତନକର୍ତ୍ତନଶରେନାକମାର୍ଗଣ ନାକରେଦେବଦତ୍ତ ଥୋଇ ।

ବିଚ୍ଛିନ୍ନତାହୁଦରଦରଶନେସୋଦର ଯୁଦ୍ଧରୀତିର କଥାହୋଇସେ ।

ବିହରିଲେ । ବ୍ରଣ ଶସ୍ତ୍ରର ମନ୍ତ୍ରେ ଶଲ୍ୟ ।

ବିହରିଲେ । ବାରିରେ ରକ୍ତବାନ ଫଳ ।

ବସିଲେ ସ୍ୱର୍ଗେସଭାସମ୍ଭାରେ ଦେବେ ରମ୍ଭା ଆରମ୍ଭ ନୃତ୍ୟବର୍ଗଫଳସେ । ୨୨ ।

 

ବାର୍ତ୍ତାବହରେବାର୍ତ୍ତାପାଇ ରାବଣ ଚିନ୍ତା ବ୍ୟଥିତସ୍ଥିତ ରଣସ୍ଥାନେ ।

ବିଳାପ କରି କରି ରାବଣ ଚଢ଼ି କରୀ ବାହୁଡ଼ୂଁ କହେଆନ ଜନେ ସେ ।

ବୀରସାତ । ବିଭୋ ଦେଖି ଇନ୍ଦ୍ରାରି ହତି ।

ବୀରସାତ । ବଧି କଙ୍କାଦିବଡ଼ ଯତି ।

ବକ୍ଷସ୍ଥମଣି ଆଣି ଆଣି କିଛି ନ ମଣିଗଲା ରାମରମଣୀ କତି ସେ । ୨୩ ।

 

ବୋଲେ ଏହା ଦେବର ଦେବରାଜନପର ପରମକ୍ଷତ୍ରିୟ ନିବାରି ।

ବିକୋଷିଲା କୃପାଣ ସତ କୃପା ବିହୀନ ମାରିବିଜନକକୁମାରୀ ସେ ।

ବୋଧଇ ସେ । ବାକ୍ୟ ତ୍ରିଜଟା ରୋଷ ତେଜ ।

ବୋଧ ଈଶେ । ବେଭରେ ଚତୁର୍ଦ୍ଦଶୀ ଆଜି ।

ବିନା ଦୋଷୀସଂହାରିଅଯଶେ ହେବୁ ଘାରି ସର୍ପ ପ୍ରାୟ ଅସ୍ରପରାଜ ସେ । ୨୪ ।

 

ବିବେକ ତା ପ୍ରସରି ତାମସଭାବ ସାରି ତାମସୀ-ପ୍ରାନ୍ତଯାଏ ସୁରି ।

ବିଧିରେ ମନାସିବା ରାମଚନ୍ଦ୍ର ନାଶିବା ଶିବାଳୟରେ ପୂଜାସାରି ସେ ।

ବାହୁ କରେ । ବୋଲାଇ ରଥ ନେଇକରି ।

ବାହୁକରେ । ବନା ଉଡ଼ିଲାଶସ୍ତ୍ରଧରି ।

ବହିଣ ପ୍ରସାଦକୁ ଛାଡ଼ିଲା ପ୍ରାସାଦକୁ ସାଦରେ ଲକ୍ଷ ଶଙ୍ଖସ୍ପୁରି ସେ । ୨୫ ।

 

୨୧ଶ ପଦ :- ବିଘାତ -ମାଇଲେ । ରାମ - ମନୋହର । ରାମ - ରାମଚନ୍ଦ୍ର । ପତ୍ରିବଶେ - ସଞ୍ଚାଣପକ୍ଷୀ ପରି, ଶରଯୋଗୁଁ । ଅନ୍ଧକ - ରାକ୍ଷସ - ବିଶେଷ (ଶିବ ଯାହାକୁ ବିନାଶ କରିଥିଲେ) । ଶରଭ - ମୃଗବିଶେଷ । ତୁରଙ୍ଗ - ଅଶ୍ନ । କଙ୍କ - କଙ୍କପକ୍ଷୀ, କଙ୍କନାମକ ରାବଣର ପୁତ୍ର ।

 

୨୧ଶ ପଦ :- ନୟନାଭିରାମ (ସୁନ୍ଦର) ରାମଚନ୍ଦ୍ର କ୍ଷଣେମାତ୍ର ବିଶ୍ରାମ ନ କରି ଶର ନିକ୍ଷେପ କରିବାଦ୍ୱାରା ସଞ୍ଚାଣକଙ୍କନାମକ ପକ୍ଷୀକୁ ବିନାଶ କଲା ପରି କଙ୍କନାମକ ରାକ୍ଷସକୁ ବିନାଶ କଲେ । ଶିବ ଅନ୍ଧକାସୁରକୁ ବିନାଶ କଲାପରି ପୁଣି ରାମ ଧଙ୍କାସୁରକୁ ବଧ କଲେ । ତତ୍ପରେ ଅସଂଖ୍ୟ ଶର ନିକ୍ଷେପକରି ସିଂହ ନାମକ ଅସୁରକୁ ବଧ କଲେ । ରାମଚନ୍ଦ୍ର ପ୍ରକୃତରେ ମହୀଶ (ରାଜା) ଅଟନ୍ତି; କିନ୍ତୁ ମହୀଶ ଶବ୍ଦର ତାଲବ୍ୟଶକାର ସ୍ଥାନରେ ମୂର୍ଦ୍ଧନ୍ୟ ଷ କାର ହେଲେ ଯେଉଁ ଅର୍ଥ ପ୍ରକାଶିତ ହେବ ସେହିପରି ଅର୍ଥାତ୍‌ମଇଁଷିପରି ପରାକ୍ରମ ପ୍ରକାଶକରି ଅଶ୍ୱନାମକ ଅସୁରକୁ ବଧ କଲେ (ମଇଁଷି ଘୋଡ଼ାର ଶତ୍ରୁ ଅଟେ ) । ତତ୍ପରେ ରାମଚନ୍ଦ୍ର ଅଲୋପୀ ଓ ସଲୋପୀ ଦୁଇ ରାକ୍ଷସଙ୍କ ନାମରୁ ଅକାରକୁ ଗୁପ୍ତ ଓ ସକାରକୁଲୋପକରି ଦେଲେ ଅର୍ଥାତ୍‌ଦୁହିଙ୍କୁ ମଧ୍ୟ ବିନାଶ କଲେ ।

 

୨୨ଶ ପଦ :- ବିକର୍ତ୍ତନ - କାଟିପକାଇଲା । କର୍ତ୍ତନରେ - କର୍ତ୍ତରୀ ରୂପ ଶରଦ୍ୱାରା । ନାକମାର୍ଗଣ - ସ୍ୱର୍ଗପ୍ରାର୍ଥୀ । ନାକରେ - ସ୍ୱର୍ଗରେ । ରକ୍ତବାନ - ରକ୍ତାକ୍ତ । ରମ୍ଭା - ସ୍ୱର୍ଗରଅପ୍‌ସରା ବିଶେଷ । ଶଲ୍ୟ - ଶର ।

 

୨୨ଶ ପଦ :- ତତ୍ପରେ ରାମଚନ୍ଦ୍ର ସ୍ୱର୍ଗପ୍ରାର୍ଥୀ (ଇନ୍ଦ୍ର ପଦାଭିଳାଷୀ) ଦେବଦତ୍ତ ନାମକ ଅସୁରକୁ କତୁରୀବାଣରେ କାଟି ସ୍ୱର୍ଗରେ ରଖିଦେଲେ ଅର୍ଥାତ୍‌ତାକୁ ନାଶ କଲେ ।ଏହିପରି ରାବଣର ସପ୍ତପୁତ୍ରକୁ ମାରି ରାମଚନ୍ଦ୍ର ଆବେଗପୂର୍ଣ୍ଣ ହୃଦୟରେ ଲକ୍ଷ୍ମଣଙ୍କୁ ଦେଖି ଯୁଦ୍ଧବିଷୟ କଥାବାର୍ତ୍ତା ହେଲେ ଏବଂ ନିଜ ନିଜର ଦେହରେ ଲାଗି ରହିଥିବା ଶରମାନଙ୍କୁବାହାରକରିକ୍ଷତଗୁଡ଼ିକମନ୍ତ୍ରଦ୍ୱାରାଆରୋଗ୍ୟ କଲେ ଓ ଜଳଦ୍ୱାରା ଦେହରେ ଓ ଶର ଅଗ୍ରରେ ଲାଗି ଥିବା ରକ୍ତ ଧୋଇଦେଲେ। ଦେବତାମାନେ ଇନ୍ଦ୍ରଜିତପ୍ରଭୃତିଙ୍କର ମରଣ ସମ୍ବାଦପାଇ ସ୍ୱର୍ଗରେ ସଭାର ଆୟୋଜନ ପୂର୍ବକ ରମ୍ଭା- ପ୍ରଭୃତି ଅପ୍‌ସରାମାନଙ୍କୁ ନୃତ୍ୟ କରାଇ ଆନନ୍ଦ ପ୍ରକାଶ କଲେ ।

 

୨୩ଶ ପଦ :- ବାର୍ତ୍ତାବହରେ - ଦୂତଠାରୁ । ବାର୍ତ୍ତା - ସମ୍ବାଦ । ରଣସ୍ଥାନେ - ଯୁଦ୍ଧଭୂମିରେ । କରୀ- ହସ୍ତୀ । ଇନ୍ଦ୍ରାରି - ଇନ୍ଦ୍ରଜିତ । ରାମରମଣୀ - ସୀତା ।

 

୨୩ଶ ପଦ :- ଦୂତଠାରୁ ଲକ୍ଷ୍ମଣ ଇନ୍ଦ୍ରଜିତକୁ ବଧ କରିବାର ବାର୍ତ୍ତା ପାଇ ରାବଣ ଚିନ୍ତାକୁଳିତ ହୃଦୟରେ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲା ଏବଂ ସେଠାରେ କିଛିକ୍ଷଣକ୍ରନ୍ଦନକରିହସ୍ତୀଉପରେ ବସି ଫେରିଯିବା ସମୟରେ ଜଣେ କେହି କହିଲା, ‘‘ହେ ବୀରବର ମହାରାଜା ।ଇନ୍ଦ୍ରଜିତ ବଧ ହେବାରୁ ବଡ଼ ଯତି କଙ୍କାଦିସମସ୍ତବୀରଙ୍କୁ ଦୁର୍ବଳ ଦେଖି ମାରିପକାଇଲା ।’’ ଏହା ଶୁଣି ରାବଣ ବକ୍ଷସ୍ଥଳରେ ଥିବା ଅମୋହ ମଣିକୁ ଚାହିଁ ଦେବାରୁ ମୋହପ୍ରାପ୍ତହୋଇକିଛିମାତ୍ର ଚିନ୍ତା ନ କରି ସୀତାଙ୍କ ନିକଟକୁ ଗମନ କଲା ।

 

୨୪ଶ ପଦ :- ଦେବର - ଦିଅର । ଦେବରାଜନପର - ଇନ୍ଦ୍ରଙ୍କର ଶତ୍ରୁ (ଇନ୍ଦ୍ରଜିତ) । ନିବାରି - ବିନାଶକରି । ବିକୋଷିଲା - ଖାପମୁକ୍ତି କଲା ।

 

୨୪ଶ ପଦ :- ରାବଣ ସୀତାଙ୍କ ନିକଟରେ ଉପସ୍ଥିତ ହୋଇ କହିଲା, ‘ରେ ଜନକକୁମାରୀତୋର ଦିଅର ମୋରବଡ଼ପୁଅ ମହାବୀର ଇନ୍ଦ୍ରଜିତକୁ ବଧ କଲା, ତେଣୁ ବୀର ପ୍ରତିଶୋଧ ନେବା ନିମିତ୍ତ ମୁଁ ତୋତେ ବିନାଶ କରିବି । ’’ ଏହା କହି ସେ ନିର୍ଦ୍ଦୟ ହୃଦୟ ହୋଇ ଖାପରୁ ଖଣ୍ଡା ବାହାରକଲା ।ଏହି ସମୟରେ ତ୍ରିଜଟା ତାକୁ ଆଶ୍ୱାସନା ଦେଇ କହିଲା, ‘‘ହେ ମହାରାଜ ! ହୃଦୟରୁ କ୍ରୋଧ ଦୂର କରନ୍ତୁ । ଆଜି ଚତୁର୍ଦ୍ଦଶୀ ତିଥି ଅଟେ, ଶିବଙ୍କୁ ସନ୍ତୁଷ୍ଟ କରାନ୍ତୁ । ହେ ରାକ୍ଷସରାଜ ! ଏହି ନିର୍ଦୋଷ ରମଣୀକୁ ବଧ କରିବା ଦ୍ୱାରାସାପପରିଦୁର୍ଯଶଅର୍ଜନକରି ପଶ୍ଚାତ୍ତପ ଭୋଗ କରନ୍ତୁ ନାହିଁ ।

 

୨୫ଶ ପଦ :- ବିବେକ - ଜ୍ଞାନ । ପ୍ରସରି – ଉଦିତହୋଇ । ତାମସ-ଗର୍ବ । ତମସୀପ୍ରାନ୍ତ - ରାତ୍ରିଶେଷ । ପ୍ରସାଦ – ନିର୍ମାଲ୍ୟ । ପ୍ରାସାଦ - ଅଟ୍ଟାଳିକା ।

 

୨୫ଶ ପଦ :- ତ୍ରିଜଟାର କଥାଶୁଣି ରାବଣର ସଦଜ୍ଞାନଜାତ ହେବାରୁ ସେ ତତ୍‌କ୍ଷଣାତ୍‌କ୍ରୋଧପରିହାର କରି ରାତ୍ରି ଶେଷହେବା ପର୍ଯ୍ୟନ୍ତ ମହାଦେବଙ୍କୁ ବା (ତ୍ରିଜଟା କହିଥିବା କଥା ସବୁ) ସ୍ମରଣ କରିବାକୁ ଲାଗିଲା । ମୁଁ ରାମଚନ୍ଦ୍ରକୁ ବିନାଶ କରିବି ତତ୍ପରେ ଏହି କାମନାକରି ଶିବାଳୟକୁ ଯାଇ ଯଥା ବିଧିରେ ଶିବଙ୍କର ପୂଜା ଶେଷକଲା । ପୂଜା ଶେଷକରି ସାରଥିକୁ ଆଦେଶ ଦେଇ ରଥ ଅଣାଇଲା ଏବଂ ଭୂଜରେ ପ୍ରସାଦ ଗ୍ରହଣ ପୂର୍ବକ ରାଜପୁରରୁ ବାହାର ହୋଇ ସେହି ରଥରେ ବସି ଯୁଦ୍ଧଯାତ୍ରା କଲା । ସେ ଏହି ଯାତ୍ରା କରିବା ସମୟରେ ଲକ୍ଷେ ଶଙ୍ଖ ବାଜୁଥିଲା !

 

ବିମଳ ଆତପତ୍ର ଚାମର ଧ୍ୱାନ୍ତଜାତେଆଚ୍ଛାଦିତ ଆଦିତ୍ୟକର ।

ବିଦିତ କରେ ଧିକିଧିକି ସେ କ୍ଷୀରଧିକି ଲହରୀବିହରିବା ତାର ସେ ।

କି ମାନେ ଯେ । ବିଲକ୍ଷିତ ହୋଇବେ ତାଙ୍କୁ ।

କିମାନେ ଯେ । ବାନ୍ଧିଛି ଏମନ୍ତ ଦ୍ୱୟଙ୍କୁ ।

ବଳକ୍ଷ ସର୍ବେ ସିନା ଲକ୍ଷ ଲକ୍ଷ ଗଣନା ଅଲକ୍ଷ କରିବର୍ଣ୍ଣିବାକୁ ସେ । ୨୬ ।

 

ବାହିନୀ ଆଗେ ଗଢଣବନ୍ତପହଞ୍ଚିଗୁଣ ଗୁଣବନ୍ତକରି କମାଣ ।

ବିନ୍ଧେ ମହୀରାବଣ ଆଦି ଯଥା ଶ୍ରାବଣ ଘନ କିଘନଘନ ବାଣ ସେ ।

ବଳୀକ୍ଷତ । କିହନ୍ତେକପିସୈନ୍ୟନାଶି ।

ବଳିକ୍ଷତ । ବଶକ ଜଗଜ୍ଜେଠରାଶି ।

ବିଜୟ ଦାଶରଥି ବିଜୟୀ ଦଶରଥ ଛେଦିଲେ ସୁପକ୍ଷଣପେଷି ସେ ।୨୭ ।

 

ବଣା ଯେ ସୁମନସେସୁମରିସୁମନସେଛିଡ଼ିଲା ନଛିଡ଼ିଲା ମୁଣ୍ଡ ।

ବାହ ସେହି ପ୍ରଣତି ବାହକେ ନ ଜାଣନ୍ତି ଭୂମଣ୍ଡଳେ ମସ୍ତକ ରୁଣ୍ଡ ସେ ।

ବାତକୀ ସେ । ବେପଥୁ ତନ୍ତୁକୁ ବୁହାଇ ।

ବାତକିସେ । କିପତିତ ତାଳ କରାଇ ।

ବୋଇଲେ ସୁରେ ସୂତ୍ରେ ଭାଣ୍ଡ କୁରାଳସୁତ୍ରେଦୀପର୍ଘସୁତ୍ରେହନନ ହୋଇ ସେ । ୨୮।

 

ବିଂଶାକ୍ଷସାକ୍ଷ ପରା ସାକ୍ଷାତରେ ଦେଖିଲାଶାଖାମୃଗପତି ସଙ୍ଗତେ ।

ବିରୁପାକ୍ଷ ବୀର ତୁ ବଂରୁତ କରି ଋତ ଯୁଦ୍ଧରେଅସ୍ଥେକ କରନ୍ତେ ସେ ।

ବାରଣେ ସେ । ବିସର୍ଜି ଗର୍ଜନ ଆସିଲା ।

ବାରଣ ସେ । ବିକ୍ରମି କର ଆକର୍ଷିଲା ।

ବିଧାନେ କଳପାଟି ଦଶନକୁ ଊତ୍ପାଟି ଦୈତ୍ୟ ପରିପାଟିନାଶିଲା ସେ । ୨୯ ।

 

ବୃକ୍ଷରାଜବୃକ୍ଷକୁ ପ୍ରହାର ସେ ରକ୍ଷକୁ ନୀରକ୍ଷପ୍ରାୟ କଲା ହତ ।

ବଡ଼ାଇଣ ଉନ୍ନତ ଚାହିଁ ଧାମେ ଉନ୍ମତ୍ତ ଭାନୁଦ୍ୟୋତ୍ତଖଦ୍ୟୋତ୍ତଖଦ୍ୟୋତମତ ସେ ।

ବାମପଦେ । ବିଳ ତା ହୃଦରେ ଥୋଇଲା ।

ବାମପଦେ । ବଡ଼ ଏ ତୋ ଭ୍ରାତା ମାଇଲ ।

ବଳା ମମତା ମତ୍ତ ବୋଲୁଁ ରାବଣ ମତ୍ତଗଜ ରଥେତା ସୋଚିଥିଲା ସେ । ୩୦ ।

 

୨୬ଶ ପଦ :- ବିମଳ - ନିର୍ମଳ । ଆତପତ୍ର - ଛତ୍ର । ଚାମର - ଚଅଁର । ଧ୍ୱାନ୍ତଜାତେ - ଅନ୍ଧକାର ହୁଅନ୍ତେ । ଧିକିଧିକି- ଧିକାର । କ୍ଷୀରଧି- କ୍ଷୀର ସମୁଦ୍ର । ହୟଙ୍କୁ-ଅଶ୍ୱମାନଙ୍କୁ । ବଳକ୍ଷ - ଶୁକ୍ଳ ।

 

୨୬ଶ ପଦ :- ରାବଣ ଯୁଦ୍ଧଯାତ୍ରା କରିବା ସମୟରେ ତାର ମସ୍ତକ ଉପରେ ଶୁକ୍ଳ ଛତ୍ର ଓ ଶୁକ୍ଳ ଚାମରସବୁ ଟେକା ଯାଇଥିବାରୁ ସେମାନଙ୍କ ଆଢ଼ୁଆଳରେ ସୂର୍ଯ୍ୟ ଆଦୌ ଦେଖାଗଲେ ନାହିଁ, ସୁତରାଂ ଜଗତ ଅନ୍ଧକାରଛନ୍ନହୋଇଗଲା । ସେହି ଶୁକ୍ଳ ଛତ୍ର ଓ ଚାମରମାନେ ତେଜରେ କ୍ଷୀରସମୁଦ୍ର ଓ ତାର ଲହରୀର ସଞ୍ଚାଳନକୁ ଧିକାର କରୁଥିଲେ । (ଏଠାରେ କ୍ଷୀରସମୁଦ୍ରସହ ଶୁକଛତ୍ର ଓ ଲହରୀସହଚାମରମାନଙ୍କ ତୁଳନା କରାଯାଇ ନ୍ୟୁନତା ପ୍ରକାଶ କରାଗଲା) ରାବଣର ରଥରେ ଯୋଗହୋଇଥିବାଘୋଟକମାନଙ୍କସହ ଗତିରେ ପକ୍ଷୀମାନେ ସମାନ ହେବେ ନାହିଁ । ସେହି ସବୁ ଘୋଟକ ଶୁକ୍ଳବର୍ଣ୍ଣ ଓ ବହୁସଂଖ୍ୟକ ହୋଇଥିବାରୁ ସେମାନଙ୍କୁ ବର୍ଣ୍ଣନା କରିବାକୁ ଉପମା ଦେଖାଯାଉ ନାହିଁ ।

 

୨୭ଶ ପଦ :- ଗୁଣବନ୍ତ – ଶୈର୍ଯ୍ୟଗୁଣଯୁକ୍ତ । ପଞ୍ଚଦ୍ୱିଗୁଣ - ଦଶ ସଂଖ୍ୟକ । ସୁପକ୍ଷିଣ - ଉତ୍ତମ ଶର ।

 

୨୭ଶ ପଦ :- ଗୁଣାବଳୀ ଦଶଜଣ ସୈନିକ ଓ ମହୀରାବଣ ପ୍ରଭୃତି ଯୋଦ୍ଧାମାନେ ଧନୁରେ ଗୁଣଦେଇଶ୍ରାବଣମାସର ମେଘ ଘନ ଘନବୃଷ୍ଟିକଲାପରି ଘନ ଘନ ଶର ନିକ୍ଷେପ କରିବାକୁ ଲାଗିଲେ ।ସେହି ବୀରମାନଙ୍କ ଶରରେ କ୍ଷତ ବିକ୍ଷତ ହୋଇ ବାନର ସୈନ୍ୟମାନେ ମଲେ ଏବଂ ପ୍ରଧାନ ପ୍ରଧାନ ବାନର ସେନାପତିମାନେ ଗୁରୁତର ଆଘାତ ପ୍ରାପ୍ତ ହେଲେ । ଏହା ଦେଖି ବିଜୟୀ ରାମଚନ୍ଦ୍ର ସେହି ଦୁଇଜଣ ରଥୀଙ୍କୁ ଉତ୍ତମ ଶର ପ୍ରୟୋଗକରି ଛେଦନ କଲେ ।

 

୨୮ଶ ପଦ :- ସୁମନସେ - ଦେବତାମାନେ । ସୁମନସେ - ଉତ୍ତମ ମାନସରେ । ବାହକେ - ସାରଥିମାନେ । ବେପଥୁ - କମ୍ପନ । ସୁତ୍ରେ - କୌଶଳରେ । ଭାଣ୍ଡକୁରାଳସୁତ୍ରେ - ଯେଉଁ ସୁତାରେ କୁମ୍ଭାର ହାଣ୍ଡିକାଟେ ।

 

୨୮ଶ ପଦ :- ‘ଉକ୍ତ ଦଶ ରଥିଙ୍କର ମୁଣ୍ଡ ରାମଙ୍କ ଶରାଘାତରେ ଛିନ୍ନ ହେଲା କି ନାହିଁ’ ଦେବତାମାନେ ଏହିପରି ମନରେ ବିଚାରି ସନ୍ଦେହରେ ପଡ଼ିଲେ । ସେହିପରି ସାରଥିମାନେ ମଧ୍ୟ ଘୋଡ଼ାମାନଙ୍କର ମୁଣ୍ଡ ଛିଣ୍ଡିଛି କି ନାହିଁ ଜାଣିପାରି ନ ଥିଲେ, କିନ୍ତୁ ଭୂତଳକୁ ଦୃଷ୍ଟି ନିକ୍ଷେପ କରିବାରେ ଦେଖାଗଲା ଯେ, ସମସ୍ତଙ୍କ ମୁଣ୍ଡ ପଡ଼ିଅଛି ଏବଂ ଶରୀରଗୁଡ଼ିକ କମ୍ପିତ ହେଉଅଛି । ଏହା ଦେଖି ଦେବତାମାନେ ମନେ କଲେ, ବାତରୋଗ ରାମଚନ୍ଦ୍ରଙ୍କର ଶର ରୂପକୁ ଧାରଣ କରିଅଛି କି ? (ନଚେତ୍‌ଏସବୁ ଥରନ୍ତେ କାହିଁକି ?) କିମ୍ବା ପବନ ରାମଙ୍କର ଶର ହୋଇ ପାରିଥାନ୍ତି; ଯେହେତୁ ମୁଣ୍ଡରୂପୀ ତାଳ ସବୁ ତାହାର ଆଘାତରେ ନିପତିତ ହେଉ ଅଛନ୍ତି । ଶେଷରେ ଦେବତାମାନେ କଥାବାର୍ତ୍ତା ହେଲେ - ‘ରାମ କୌଶଳ କରି ଯେତେ ଶୀଘ୍ର ରାକ୍ଷସମାନଙ୍କର ମୁଣ୍ଡ କାଟିଲେ, କୁମ୍ଭାରମାନେ ଯତ୍ନ କରି ସୁଦ୍ଧା ଏତେ ଶୀଘ୍ର ଚକ ଉପରୁ ସୁତାଦ୍ୱାରାଗଢ଼ୁଥିବା ହାଣ୍ଡି, ମାଠିଆ କାଟି ପାରିବେ ନାହିଁ ।

 

୨୯ଶ ପଦ :- ଶାଖାମୃଗପତି - ବାନରମାନଙ୍କର ରାଜା ସୁଗ୍ରୀବ । ବିରୁତ - ବିଶେଷରେ ଉଚ୍ଚ । ଋତ - ଶବ୍ଦ; ସତ୍ୟ। ବାରଣେ - ହସ୍ତିରେ । ପରିପାଟୀ - ଶୃଙ୍ଖଳା ।

 

୨୯ଶ ପଦ :- ରାବଣ ଯୁଦ୍ଧ ଭୂମିରେ ସାକ୍ଷୀ ପ୍ରାୟ ଦଣ୍ଡାୟମାନ ହୋଇଆକ୍ଷିରେ ଦେଖିଲା ଯେ, ବିରୁପାକ୍ଷବୀରଘୋରରଡ଼ି ଦେଇ ସୁଗ୍ରୀବ ସହିତ ଯୁଦ୍ଧ କରୁକରୁ ତାର ଉପରକୁ ଏକ ଶସ୍ତ୍ର ନିକ୍ଷେପ କଲା । ଆଉ ମଧ୍ୟ ବିରୁପାକ୍ଷର ହସ୍ତୀ ସୁଗ୍ରୀବ ଆଡ଼କୁଗର୍ଜନକରିପଲାଇ ଆସିଲା । ଏହି ସମୟରେ ସୁଗ୍ରୀବ ତାକୁ ବାରଣ କରିବାକୁ ଉପାୟନ୍ତର ନ ଦେଖି ସେହି ହସ୍ତୀର ଶୁଣ୍ଢକୁ ଟାଣି ପକାଇଲା ଏବଂ ଗୋଟାଏବିଧାମାରି ତାର କପାଳଟି ଫଟାଇ ଦେଲା l ପରିଶେଷରେ ଦନ୍ତ ଦୁଇଟିକୁ ଉପାଡ଼ି ମାରି ପକାଇଲା । ସୁଗ୍ରୀବ ଏହିପରି ବିରୁପାକ୍ଷର ଯୁଦ୍ଧ କୌଶଳକୁ ପଣ୍ଡକରି ଦେଲା ।

 

୩୦ଶ ପଦ – ବୃକ୍ଷରାଜବୃକ୍ଷ - ଅଶ୍ୱଥ୍‌ବୃକ୍ଷ । ନୀରକ୍ଷ - ଅସହାୟ । ଦ୍ୟୋତଖଦ୍ୟୋତ - ଜୁଳୁଜୁଳାପୋକର ତେଜ । ବିଳ- ଗର୍ତ୍ତ ।

 

୩୦ଶ ପଦ :- ତତ୍ପରେ ଏକ ସୁଗ୍ରୀବ ଅଶ୍ୱତ୍‌ଥବୃକ୍ଷ ପ୍ରହାରକରି ବିରୁପାକ୍ଷକୁ ନିଃସହାୟ ଲୋତପରିନାଶକଲା । ଏହା ଦେଖି ଉନ୍ମତ୍ତ ନାମକ ରାକ୍ଷସ ପାଗଳପରିଦୌଡ଼ିଯାଇ ସୁଗ୍ରୀବ ନିକଟରେ ଉପସ୍ଥିତ ହେଲା, କିନ୍ତୁ ସୂର୍ଯ୍ୟ କିରଣରେ ଜୁଳୁଜୁଳିଆପୋକ ଦେଖାଗଲା ପରି ସୁଗ୍ରୀବ ଆଗରେ ଦେଖାଗଲା । ସୁଗ୍ରୀବ ତାକୁ ତଳେ ପକାଇ ବାମ ପାଦରେ ପ୍ରହାର କରିବା ଦ୍ୱାରା ତାର ଛାତିରେ ଗୋଟାଏଗାତହୋଇଗଲା ।ଏହା ଦେଖି ରାବଣ ମତ୍ତହସ୍ତୀଯୁକ୍ତ ରଥରେ ଥାଇ ନିଜ ପୁତ୍ର ମତ୍ତବୀରକୁ ଆଦେଶ ଦେଲା, ‘‘ରେ ପୁତ୍ର ସୁଗ୍ରୀବ ତୋରବଡ଼ ଭାଇକୁ ମାଇଲା, ସୁତରାଂ ତୁ ତାକୁ ମାରିବାପାଇଁ ଯତ୍ନବାନ୍‌ହୁଅ ।

 

ବ୍ୟଗ୍ରବନ୍ତ ରୈବତ ପର୍ବତ ବତସେତ ସୁଗ୍ରୀବଧରୁଁଉଲଟାଇ।

ବେତାଳ ଭଇରବ ପରାୟେ ଭଇରବ କିରବ ଖଡ୍‌ଗପରୀ ବହି ସେ ।

ବାଦିତ୍ରକ । ବିଚାରି ହାଣିବାର ପାଇଁ ।

ବାଦିତ୍ରକ । ବେନିପାଶେ ବାଦ୍ୟ ବଜାଇ ।

ବୋଲାବୋଲି ସମ୍ଭାଳ ସମ୍ଭାଳରେ ନଭାଳ ଆଉ ଆୟୁଷ ତୋର ନାହିଁ ସେ । ୩୧ ।

 

ବସୁଧାରେ ଚରଣ କପିରାଜମାରିଣ ଘଣ୍ଟରଣରଣରେ ଭଲେ ।

ବଳି ଆଡ଼ଣୀଆଡ଼ିଆଡ଼ମ୍ବରେନିବାଡ଼ି ଘାତରାକ୍ଷସ ଗଲେ ଗଲେ ସେ ।

ବିକର୍ତ୍ତନ । ବିଭବ ବାଳିସମ ରୁଚି ।

ବିକର୍ତ୍ତନ । ବିପକ୍ଷରେ ରାବଣ ପାଞ୍ଚି ।

ବତିଶ ପଦେ ଛାନ୍ଦ କୋବିଦଙ୍କ ସମ୍ପଦଉପଇନ୍ଦ୍ର ଭଞ୍ଜ ବିରଚି ସେ । ୩୨ ।

 

୩୧ଶ ପଦ :- ଭଇରବ - ଭୟଙ୍କର । ବିରବ - ଭୀଷଣଶବ୍ଦ । ବାଦିତ୍ରକ - ଉଚ୍ଚଧ୍ୱନି !

୩୧ଶ ପଦ :- ରୈବତକ ପର୍ବତ ତୁଲ୍ୟ ବିଶାଳକାୟ ମତ୍ତବୀର, ସୁଗ୍ରୀବ ନିକଟକୁ ଧାଇଁ ଯିବାରୁ ସୁଗ୍ରୀବ ତାକୁ ଧରି ପକାଇଲା । ତହୁଁ ସେ ସୁଗ୍ରୀବକୁ ଓଲଟାଇ ମାଡ଼ି ବସିଲା । ସେହି ସମୟରେ ଦୁହେଁ ବେତାଳ ଓ ଭୈରବପରି ଭୟଙ୍କର ରଡ଼ି କରିବାକୁ ଲାଗିଲେ । ଉଭୟେ ଖଣ୍ଡାଧରିଅଳ୍ପକ୍ଷଣ ମଧ୍ୟରେ ଉଭୟଙ୍କୁ ହାଣିବାକୁ ଚେଷ୍ଟା କଲେ । ବାଦ୍ୟ ବାଦକମାନେ ଏହି ଦୁଇବୀରଙ୍କ ନିକଟରେ ବାଦ୍ୟ ବଜାଇବାକୁ ଲାଗିଲେ । ‘ଆଉ ତୋର ପରମାୟୁ ନାହିଁ ଭାବିଛୁଁ କଣ, ଏହି ମୋର ଅସ୍ତ୍ରକୁ ସମ୍ଭାଳ, - ଏହିପରି ସେ ଦୁହେବୋଲାବୋଲି ହେଲେ ।

 

୩୨ଶ ପଦ – ବସୁଧାରେ-ଭୂମି ଉପରେ । ବିବର୍ତ୍ତନ - ସୂର୍ଯ୍ୟ । ବିଭାଗ - ଜାତ । କୋବିଦଙ୍କ - ପଣ୍ଡିତଙ୍କ ।

 

୩୨ଶ ପଦ :- ସୁଗ୍ରୀବ ଭୂମି ଉପରେ ପାଦ ପ୍ରହାର କରିବାରୁ ତାହାର ଅଣ୍ଟାରେ ଥିବା ଘଣ୍ଟିସବୁ ରଣ ଝଣ ଶବ୍ଦ ପ୍ରକାଶ କଲା । ତାହା ଶୁଣି ରାକ୍ଷସ ଶଙ୍କିତ ହେଲ । ତତ୍ପରେ ସୁଗ୍ରୀବ ଉତ୍ତମରାକ୍ଷସରଆଡ଼ମ୍ବରକୁ ବଳି ଆଡ଼ମ୍ବର ପ୍ରକାଶ କରି ଉତ୍କୃଷ୍ଟ ଶର ପ୍ରହାର କରିବାରୁ ତାହା ରାକ୍ଷସର ଗଳଦେଶରେଗଳିଗଲା । ଏହା ଦେଖି ରାବଣ ବିଚାରିଲା’ ‘ଶତ୍ରୁମାନଙ୍କ ନାଶ କରିବାପାଇଁ ସୁଗ୍ରୀବ ବାଳିତୁଲ୍ୟ ପରାକ୍ରମୀ ଅଟେ । ’ ତତ୍ପରେ ସେ ସୁଗ୍ରୀବ ସହିତ ଯୁଦ୍ଧ କରିବାକୁ ଉଦ୍ୟତ ହେଲା । ପଣ୍ଡିତମାନଙ୍କର ଆନନ୍ଦଦାୟକ ଏହି ଛାନ୍ଦକୁ ଉପେନ୍ଦ୍ର ଭଞ୍ଜ ବତ୍ରିଶ ପଦରେ ରଚନା କଲେ ।

 

ସପ୍ତଚତ୍ୱାରିଂଶ ଛାନ୍ଦ

ରାଗ-ପଞ୍ଚମ ବରାଡ଼ୀ

( ଗୋପୀଜୀବନ ଚଉତିଶା ବାଣୀରେ )

 

ବିଳାସ ଅଚ୍ଛରେ ସେହି ଚତୁର ପାଲିରେ ଶୋହି କଟସାର ସାରରେ ମାରଣ ।

ବିତିପାତ ଯୋଗ ପୁନ ଦଶପ୍ରମୁଖରେ ଦାନକାଠି ପତନହିଁ ଅନୁକ୍ଷଣ ଯେ ।

ବିଶାରଦ । ବେଢ଼ିଲୋକେ ମାର ମାର ସ୍ୱନେ ।

ବଳି ନାହିଁ ବଡ଼ ରଙ୍ଗେ            ଖେଳ ସଭଙ୍ଗ ଅଭଙ୍ଗେ

ଦତ୍ତ ଚ୍ୟୁତାକ୍ଷରେ ଅତିଘନେ ସେ । ୧ ।

 

ବିଦ୍ୟ ସିନ୍ଧୁ ପରମ୍ପରା ଲବଣ ଯେ ଇକ୍ଷୁ ସୁରା ଘୃତ ଦଧି ଦୁଗ୍‌ଧ ପୟ ସାତ ।

ବଳିଷ୍ଠ ନିଧିରେ ଉଦେ ଅଧିକ ରକ୍ତସମୁଦ୍ରେ ତହିଁ ଏଥିମଧ୍ୟେ ଦ୍ୱୀପସ୍ଥିତ ଯେ ।

ବିଶାରଦ । ବିଦିତ ରାମ ଲକ୍ଷ୍ମଣ ତଥା ।

ବିଲକ୍ଷିତ ମାର୍ଗତୀରେ            ନିବିଢ଼ ହୋଇ ତିମିରେ

ତରଣି ବୁଡ଼ିବାନୋହେ ବୃଥା ସେ । ୨ ।

 

ବେଷ୍ଟନେ ଘୋଟିଲେ ଯୁଥପତି ସେନା ଦଶରଥ ସୁତ ଘନାଘନ ଶୋଭାଧରେ ।

ବରଷି ଘନ ପ୍ରସ୍ତର ଧରଣୀ କଲେ ପ୍ରସ୍ତାର ବଜ ଶରପାତ ନିରନ୍ତରେ ଯେ ।

ବଂଶବାହା । ବହି ସ୍ତମ୍ବୀଭୁତକୁ ଶରୀରେ ।

ବିହୀନପକ୍ଷ ହୋଇଲା            ଅଚଳପଦବୀ ନେଲା

ଶଙ୍କା ଜାତ ତା ଚୂଳ ଚୂର୍ଣ୍ଣରେ ସେ । ୩ ।

 

ବିଭୀଷଣ ଯେ ପ୍ରବେଶ କର୍ମ କରିବାରେ ଶେଷ ଇଷ୍ଟିକାମେ ସେ ମାନ୍ତ୍ରିକ ଦ୍ଵିଜ ।

ବନୌକାବର ଲକ୍ଷ୍ମଣଶାଖାକୃତ ଘୋଷେ ଗୁଣ ଶ୍ରୁତିରସେ ଦୀପ୍ତ ଅଗ୍ନିତେଜ ଯେ ।

ବିରାଜିତ । ବାଣ ଶରାସନ ଶ୍ରୁବ ଶ୍ରୁଚ ।

ବିଗ୍ରହମଣ୍ଡଳ କୁଣ୍ଡ            ସ୍ୟନ୍ଦନ ସମିଧ ରୁଣ୍ଡ

ଦଶାନନ ପଶୁ ପାଞ୍ଚ ଯେ । ୪ ।

 

ବିଭୀଷଣ ଦୂରଦର୍ଶୀ ଅଦ୍ଭୁତ ଖଗ ଗରାସି ସଜୀବେ ପଳ ଖଣ୍ଡନ ଯହୁଁ ।

ବିଭେଦିତ କଉଶିକ ମନ୍ତ୍ରିତ ପନ୍ତ୍ରୀ ଅନେକ ମହା ଆକୁଳିତ ବିଂଶବାହୁ ସେ ।

ବିଚାରିଲେ । ବଂଶଖନିନ୍ତ୍ର ଘନ ସମୂଳେ ।

ବଲ୍ଲୀବେନି ପୁଣ ତାଡ଼ି            ଏବେ ମହାତରୁ ଲୋଡ଼ି

ଦାଢ଼ ଭାଙ୍ଗିବି ମୁଁ ଶକ୍ତିଶିଳେ ଯେ । ୫ ।

 

୧ମ ପଦ :- ଅଚ୍ଛରେ-ଭାଲୁମାନଙ୍କଦ୍ୱାରା । ଏହାର ମଧ୍ୟବର୍ଣ୍ଣ ଚ୍ଛ ଚ୍ୟୁତ ହୋଇ କ୍ଷ ଦତ୍ତହେଲେ ଅଣକ୍ଷରେ ହେଲା । ଅକ୍ଷରେ-ପଶାଖେଳରେ। ବିଳାସ-କ୍ରୀଡ଼ା କରିବା । ଏହାର ସ ଧ୍ୟ ବର୍ଣ୍ଣଳାଚ୍ୟୁତ ହୋଇ କା ଦତ୍ତଦେଲେ ବିକାଶ ହେଲା । ବିକାଶ-ପ୍ରକାଶ । କଟ-ହସ୍ତୀର ଗଣ୍ଡସ୍ଥଳ । ଏହାର ପ୍ରଥମ ବର୍ଣ୍ଣ କ ଚ୍ୟୁତ ହୋଇ ପ ଦତ୍ତ ହେଲେ ପଟ ହେଲା ପଟ-ଦାନ । ପୁନଶ୍ଚ ସେହି ପ୍ରଥମ ବର୍ଣ୍ଣ କ ଚ୍ୟୁତହୋଇ ଅ ଦତ୍ତ ହେଲେ ଅଟ ହେଲା । ଅଟ-ଅତି । ବିତ ପାତ-ବିତ ନାମକ ଦାନ ପଡ଼ିଲେ । ଏହାର ଦ୍ଵିତୀୟବର୍ଣ୍ଣ ତି ଚ୍ୟୁତ ହୋଇନି । ଦତ୍ତ ହେଲେ ବିନିପାତ ହେଲା । ବିନିପାତ –ନିର୍ମୁଳ । ଦଶପ୍ରମୁଖରେ ଦାନ – ପଶାର ଦଶଦାନକୁ ଆଦି କରି । ଏହାର ତୃତୀୟବର୍ଣ୍ଣ ପ୍ର ଚ୍ୟୁତ ହେଲେ ଦଶମୁଖରେ ଦାନ ହେଲା । ଦଶମୁଖରେ ଦାନ-ରାବଣଦ୍ୱାରା ଛେଦନ । ଅତିଘନେ-ଅତି ସୁନ୍ଦର । ଚତୁରପାଲିରେ- ଚାରିଗୋଟି ପାଲିରେ । ଏଥିରେ ତୃତୀୟବର୍ଣ୍ଣ ପରେ ଙ୍ଗ ଦତ୍ତ ହେଲେ ଚତୁରଙ୍ଗ ପାଲିରେ ହେଲା । ଚତୁରଙ୍ଗ ପାଲିରେ- ଚତୁରଙ୍ଗ ବଳରେ ।

 

୧ମ ପଦ :- ହେ ଚତୁର ପାଠକମାନେ । ଏହି ଛାନ୍ଦର, ଏହି ପଦଟିରେ ରାମ ଓ ରାବଣର ଯୁଦ୍ଧ ସହିତ ଦୃଷ୍ଟାନ୍ତ ଭାବରେ ପଶାଖେଳ ବର୍ଣ୍ଣିତ ହୋଇଅଛି; ଏଣୁ ଏହି ପଦ ମଧ୍ୟରେ ଥିବା ବିଳାସ, ଅଚ୍ଛ ପ୍ରଭୃତି କେତେ ବ୍ୟାକରଣ ପଦରେ ଦତ୍ତାକ୍ଷର ଓ ଚ୍ୟୁତାକ୍ଷର ନାମକ ଶବ୍ଦ ବୈଚିତ୍ର୍ୟତା ପ୍ରଦର୍ଶନ କରି ବ୍ୟାପାର ଶବ୍ଦାଳଙ୍କାର ଗୂଢ଼ଭାବରେ ରହିଅଛି; ତାହା କୌତୁକର ସହିତ ଆଲୋଚନା କରନ୍ତୁ, ସେହି ପଶାଖେଳ ପରି ଗୋଟି ପାଲିରେ ଶୋଭିତ ହୋଇଥାଏ। ଏହି ଯୁଦ୍ଧକ୍ଷେତ୍ର ମଧ୍ୟ ସେହିପରି ଉଭୟ ପକ୍ଷୀୟ ଚତୁରଙ୍ଗ ସୈନ୍ୟମାନଙ୍କର ରହିବା ପାଇଁ ଦୁଇ ଗୋଟି ପାଲି ଭାଗରେ ବିଭକ୍ତ ହୋଇ ମନୋହର ଦେଖାଯାଉଅଛି। ଖେଳିବା ସମୟରେ ପଶାକାଠିଗୁଡ଼ିକ କ୍ରୀଡ଼ା କରୁଥାନ୍ତି (ଅର୍ଥାତ୍ ଗଡ଼ା ଯାଉଥାନ୍ତି) ମାତ୍ର ଏହି ରଣଭୂମିରେ ଭାଲୁମାନେ ପ୍ରଚଳିତ ହେଉଅଛନ୍ତି ( ସମସ୍ତଙ୍କଠାରୁ ପୃଥକ୍ ହୋଇ ଦେଖା ଯାଉଥାନ୍ତି ) । ଖେଳରେ କାଠି ଗଡ଼ାଇ ଦାନ ପଡ଼ିଲେ ଗୋଟିଦ୍ୱାରା ଗୋଟିକୁ ମରାଯାଏ, ଯୁଦ୍ଧଭୂମିରେ ମଧ୍ୟ ‘ସାର’ ଉକ୍ତଷ୍ଟ ଯୋଦ୍ଧାମାନେ ଅନ୍ୟ ପକ୍ଷୀୟ ଉତ୍କୃଷ୍ଟ ଯୋଦ୍ଧାମାନଙ୍କୁ ଓ ହସ୍ତୀମାନଙ୍କର ଗଣ୍ଡସ୍ଥଳକୁ ଅସ୍ତ୍ର ନିକ୍ଷେପ କରି ଚ୍ଛେଦନ କରୁଅଛନ୍ତି । ଖେଳରେ ‘ବିତିପାତ’ ରବନତି ଅର୍ଥାତ୍‌ ଅନ୍ୟ ପକ୍ଷୀୟ ଖେଳର ସାରଗୁଡିକ ସମସ୍ତ ଗୃହ ଅତିକ୍ରମ କରି ନିରାପଦରେ ଚାଲିବାର ଦେଖାଗଲେ ଯୁଗ ବାନ୍ଧିବାକୁ ହୁଏ । ପଶାକାଠି ଅନବରତ ସଞ୍ଚାଳିତ ହେଉଥାଏ ଓ ଦଶ ପ୍ରଭୃତି ଦାନମାନେ ପଡ଼ନ୍ତି । ଏହି ଯୁଦ୍ଧରେ ସେହିପରି ବିନିପାତ ଯୋଗ ପଡ଼ିଲା ଅର୍ଥାତ୍‌ ବହୁ ସୈନ୍ୟ ମରିବାର ସମୟ ଉପସ୍ଥିତ ହେଲା । କାରଣ ରାବଣ ଅନବରତ ଶର ବୃଷ୍ଟି କରି ଶ୍ରୀରାମଙ୍କର ବହୁତ ସୈନ୍ୟ ଚ୍ଛେଦନ କରିବାକୁ ଲାଗିଲା । ଖେଳ ସମୟରେ ବେଢ଼ି ରହିଥିବା ବଡ଼ବଡ଼ ଖେଳାଳୀମାନେ ଯେପରି ମାର ମାର ଶବ୍ଦ କରନ୍ତି, ଏହି ସମୟରେ ମଧ୍ୟ ସେହିପରି ମହାବୀରମାନେ ବେଢ଼ି ରହି ମାର ମାର ଶବ୍ଦ ପ୍ରକାଶ କରୁଥିଲେ । ପଶାଖେଳଠାରୁ ଅଧିକ କୌତୁକଦାୟ ଖେଳ ସେପରି ଦେଖାଯାଏ ନାହିଁ, ଏହି ଦିନର ରାମ ରାବଣଙ୍କ ଯୁଦ୍ଧ ପରଠାରୁ ଆଉ ବଳିଷ୍ଠ ଯୋଦ୍ଧା ଦେଖାଗଲେନାହିଁ ।

 

୨ୟ ପଦ :- ସିଦ୍ଧୁ-ସମୁଦ୍ର । ବଳିଷ୍ଠ-ବଳବାନ୍ ( ରାବଣ ) । ଦ୍ୱୀପ-ଜଳମଧ୍ୟସ୍ଥ ସ୍ଥଳଭାଗ, ହସ୍ତୀ । ବିଶାରଦ-ଚତୁର । ତୀର-ତଟପ୍ରଦେଶ, ଶର । ତିମିର-ଅନ୍ଧକାର, ମତ୍ସ୍ୟବିଶେଷ । ତରଣି-ନୌକା, ସୂର୍ଯ୍ୟ ।

 

୨ୟ ପଦ :- ପୂର୍ବକାଳରୁ ଲବଣ, ଇକ୍ଷୁ, ସୁରା, ଘୃତ, ଦଧି ଦୁଗ୍‌ଧ ଓ ଜଳ ଏହି ସାତଗୋଟି ସମୁଦ୍ର ପରମ୍ପରାକ୍ରମେ ରହିଥିଲା । ବର୍ତ୍ତମାନ ବୀରଶ୍ରେଷ୍ଠ ରାବଣ ଦ୍ୱାରା ଆଉ ଗୋଟିଏ ଅଧିକା ରକ୍ତ ସମୁଦ୍ର ପ୍ରକାଶିତ ହେଲା ଅର୍ଥାତ୍ ଏହି ରକ୍ତ ସମୁଦ୍ରକୁ ମିଶାଇ ସମୁଦ୍ର ସଂଖ୍ୟା ଆଠ ହେଲା । ସେହି ପ୍ରାଚୀନ ସମୁଦ୍ରମାନଙ୍କ ମଧ୍ୟରେ ଜମ୍ବୁ, ପ୍ଳକ୍ଷ ପ୍ରଭୃତି ଦ୍ୱୀପମାନେ ଥିଲାପରି ଏହି ରକ୍ତ ସମୁଦ୍ର ମଧ୍ୟରେ ବହୁସଂଖ୍ୟକ ‘ଦ୍ୱୀପ’ ହସ୍ତୀ ରହିଅଛନ୍ତି । ସେହି ସମୁଦ୍ରମାନେ ଯେପରି ‘ରାମ ଲକ୍ଷ୍ମଣ’ ଚନ୍ଦ୍ରଙ୍କ ଦ୍ୱାରା ବୃଦ୍ଧି ପ୍ରାୟ ହୁଅନ୍ତି ଏହି ରକ୍ତ ସମୁଦ୍ର ମଧ୍ୟ ସେହିପରି ରାମଲକ୍ଷ୍ମଣଙ୍କଦ୍ୱାରା ବୃଦ୍ଧି ପ୍ରାପ୍ତ ହେଉଅଛି । ସେହି ସମୁଦ୍ରମାନଙ୍କ ତଟପ୍ରଦେଶରେ ବାଟ ଦେଖା ନ ଗଲାପରି ଏହାର ନିକଟରେ ମଧ୍ୟ ଶରମାନଙ୍କର ନିବିଡ଼ତା ହେତୁ ବାଟ ଦେଖାଯାଉ ନାହିଁ । ସେହି ସବୁ ସମୁଦ୍ର ଯେପରି ତିମିମାଛଦ୍ୱାରା ବ୍ୟାପ୍ତ ହୋଇଥାନ୍ତି, ସେହିପରି ଏଠାରେ ମଧ୍ୟ ଶରମାନଙ୍କର ଗତି ଯୋଗୁଁ ଗାଢ଼ାନ୍ଧକାର ବ୍ୟାପ୍ତ ହୋଇଅଛି । ସମୁଦ୍ରମାନଙ୍କରେ ନୌକା ବୁଡ଼ିଗଲା ପରି ଏହି ରକ୍ତମାନଙ୍କର ନିବିଡ଼ତା ହେତୁ ସୂର୍ଯ୍ୟ ଦେଖାଯାଉ ନାହାଁନ୍ତି ।

 

୩ୟ ପଦ :- ଯୁଥପତି-ସେନାପତି । ଦଶରଥ ପୁତ୍ର-ରାମଚନ୍ଦ୍ର ଓ ଲକ୍ଷ୍ମଣ । ଘନାଘନଶୋଭା-ମେଘର ଶୋଭା । ଘନପ୍ରସ୍ତର-ବୃହତ୍ ପଥର, କରକା । ବିହୀନପକ୍ଷ-ପକ୍ଷଶୂନ୍ୟ । ଅଚଳପଦବୀ-ପର୍ବତ ଉପାଧି ।

 

୩ୟ ପଦ :- ଯୁଦ୍ଧକ୍ଷେତ୍ରକୁ ରକ୍ତସମୁଦ୍ରରେ ପରିଣତ କରିଥିବା ସମୟରେ ରାମ ଲକ୍ଷ୍ମଣ କପି ସେନା ଓ ସେନାପତିମାନଙ୍କଦ୍ୱାରା ବେଷ୍ଟିତ ହୋଇ ସେହି ଯୁଦ୍ଧକ୍ଷେତ୍ରରେ ବର୍ଷୁକ ମେଘର ଶୋଭାଧାରଣ ପୂର୍ବକ ସେହି ରାବଣକୁ ଚତୁର୍ଦ୍ଦିଗରୁ ଘେରାଉ କଲେ । ବର୍ଷୁକ ମେଘରୁ କୁଆପଥର ବୃଷ୍ଟି ହେଲା ପରି ରାମଚନ୍ଦ୍ରଙ୍କର କପି ସୈନ୍ୟମାନେ ପଥର ବୃଷ୍ଟି କଲେ ଏବଂ ରାମ ଓ ଲକ୍ଷ୍ମଣ ଚକ୍ଷୂକ ମେଘରୁ ବଜ୍ରପାତ ହେଲାପରି ବଜ୍ରତୁଲ୍ୟ ଅମୋଘଶରମାନଙ୍କୁ ନିକ୍ଷେପ କରି ପୃଥିବୀକୁ ଆଚ୍ଛାଦିତ କରିଦେଲେ । ଏହା ଦେଖି ରାବଣ ଶରୀର କାଠ ଖୁଣ୍ଟପରି ହୋଇଗଲା ଅର୍ଥାତ୍ ସେ କର୍ତ୍ତବ୍ୟବିମୂଢ଼ ହୋଇ ରହିଲା । ପୂର୍ବକାଳରେ ଇନ୍ଦ୍ରଙ୍କ ଦ୍ୱାରା ପର୍ବତମାନେ ପକ୍ଷହୀନ ହୋଇ ଯେପରି ଗମନ ଶକ୍ତିଶୂନ୍ୟ ହେବାରୁ ଅଚଳ ନାମକୁ ପାରିଥିଲେ, ଏହି ସମୟରେ ରାବଣ ସେହିପରି ‘ବିହୀନପକ୍ଷ’ ସାହାଯ୍ୟଶୂନ୍ୟ ହେବାରୁ ‘ଅଚଳପଦବୀ’ ନେଲା ଅର୍ଥାତ୍ ପର୍ବତ ମାନଙ୍କପରି ଏକସ୍ଥାନରେ ରହିବାକୁ ବାଧ୍ୟ ହେଲା । ଏହି ସମୟରେ ସେ ମନରେ ଭାବିଲା, ‘ବର୍ତ୍ତମାନ ମୋର ମୁଣ୍ଡ ଚୂର୍ଣ୍ଣ ହୋଇଯିବ କି ?’

 

୪ର୍ଥ ପଦ :- ଇଷ୍ଟିକାମେ-ଇଚ୍ଛାନୂ ରୂପକାର୍ଯ୍ୟ, ଯଜ୍ଞକାର୍ଯ୍ୟ । ଦ୍ୱିଜ-ବ୍ରାହ୍ମଣ । ବନୌକାବର-ତପୀଶ୍ରେଷ୍ଠ । ବିଗ୍ରହମଣ୍ଡଳ-ରଣକ୍ଷେତ୍ର । ସ୍ୟନ୍ଦନ-ରଥ ।

 

୪ର୍ଥ ପଦ :- ଏହି ସମୟରେ ବିଭୀଷଣ ରାମଚନ୍ଦ୍ରଙ୍କର ‘ଇଷ୍ଟିକାମେ’ ଅଭିଳଷିତ ରାବଣ ବଧରୂପ ଯଜ୍ଞ କାର୍ଯ୍ୟରେ ନିଜର ‘କର୍ମ’ କର୍ତ୍ତବ୍ୟ ଶେଷ କରିବା ପାଇଁ ଉପସ୍ଥିତ ହେଲେ । କାରଣ ଯଜ୍ଞ ବେଦମନ୍ତ୍ରାଭିଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ଶେଷ ହୁଏ, ବିଭୀଷଣ ଏହି ଯଜ୍ଞରେ ସେହିପରି ‘ମାନ୍ନିକ’ ଗୁପ୍ତ ପରାମର୍ଶଦାତା ବ୍ରାହ୍ମଣ ( ବିଶ୍ରବାନନ୍ଦନ ହେତୁ ଅଟନ୍ତି) । ବେଦର ନାନାବିଧ ଶାଖାମାନଙ୍କୁ ଅଧ୍ୟୟନ କରିଥିବା ଋଷିଶ୍ରେଷ୍ଠମାନେ ଯଜ୍ଞ ସ୍ଥଳରେ ଉପସ୍ଥିତ ହୋଇ ଉପଯୁକ୍ତ ସ୍ୱରରେ ସେହି ଶାଖୋକ୍ତ ମନ୍ତ୍ରମାନଙ୍କୁ ଉଚ୍ଚାରଣ କରି ବୈଦିକ ମନ୍ତ୍ରର ସୁଶ୍ରାବ୍ୟତ୍ତ୍ୱ ଗୁଣରେ ଅଗ୍ନିଙ୍କର ତେଜକୁ ଉଦ୍ଦୀପ୍ତ କଲା ପରି ଏହି ଯଜ୍ଞରେ ପ୍ରଧାନ ବନବାସୀ ଲକ୍ଷ୍ମଣ ବିଭୀଷଣଙ୍କର ସହାୟ ହୋଇ ବୀରନାଦ ପ୍ରକାଶପୂର୍ବକ ଧନୁର ଗୁଣକୁ କର୍ଣ୍ଣ ପର୍ଯ୍ୟନ୍ତ ଆକର୍ଷଣ କରି ଯୁଦ୍ଧାଗ୍ନିର ତେଜକୁ ଉଦ୍ଦୀପ୍ତ କଲେ । ଯଜ୍ଞରେ ଶ୍ରୁବ ଓ ଶ୍ରୁଚ ବ୍ୟବହୃତ ହେଲାପରି ଏହି ବଧଯଜ୍ଞରେ ମଧ୍ୟ ବାଣ ଓ ଧନୁ ବ୍ୟବହୃତ ହେଉଥିଲା ଏବଂ ଯଜ୍ଞସ୍ଥଳରେ ଦେବ ବିଗ୍ରହ, ମଣ୍ଡଳ, କୁଣ୍ଡ, ରଥ, କାଷ୍ଠ ପ୍ରଭୃତି ଏକତ୍ରିତ କରି ରଖାଯାଇଥିଲା । ଏହି ସମୟରେ ଅର୍ଥାତ୍ ବିଭୀଷଣ ଆସିବାର ଦେଖି, ରାବଣ ମନେକଲା ଯଜ୍ଞରେ ପଶୁର ମୁଣ୍ଡ ଚ୍ଛେଦ ହେଲାପରି ଏଠାରେ ମୋର ନିଶ୍ଚୟ ମୁଣ୍ଡଚ୍ଛେଦ ହେବ ।

 

୫ମ ପଦ :- ଦୂରଦର୍ଶୀ-ଶାଗୁଣା । ଖରା-ପକ୍ଷୀ । ପଳ-ମାଂସ । କଉଶିକ-ବିଶ୍ୱାମିତ୍ର । ପନ୍ତ୍ରୀ-ଶର । ବଂଶଖନିତ୍ର-ବଂଶଖଣତା । ବଲ୍ଲୀ-ଲତା । ଶକ୍ତିଶିଳେ-ଶକ୍ତିରୂପ ପ୍ରସ୍ତରଦ୍ୱାରା ।

 

୫ମ ପଦ :- ଶାଗୁଣା ମୃତ ପ୍ରାଣୀ ଦେହରୁ ମାଂସ ଛିଣ୍ଡାଇ ଖାଏ; କିନ୍ତୁ ବିଭୀଷଣ ରୂପୀ ଅଦ୍ଭୁତ ଶାଗୁଣା ପକ୍ଷୀ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହୋଇ ସଜୀବ ବ୍ୟକ୍ତିମାନଙ୍କ ଦେହରୁ ମାଂସ ଛିଣ୍ଡାଇ ଗ୍ରାସ କରିବାକୁ ଲାଗିଲା । ଏହି ସମୟରେ ଲକ୍ଷ୍ମଣ ବିଶ୍ୱାମିତ୍ର ପ୍ରଦତ୍ତ ମନ୍ତ୍ରରେ ଅଭିମନ୍ତ୍ରିତ କରି ଅନେକ ଶର ରାବଣ ଦେହରେ ବିଦ୍ଧ କଲେ । ଏହି ଶରାଘାତରେ ରାବଣ ଅତିଶୟ ଦୁଃଖିତ ହୋଇ ବିଚାରିଲା, ‘ବିଭୀଷଣ ମୋର ଦୃଢ଼ମୂଳ ବଂଶରୂପ ବାଉଁଶ ବୁଦାକୁ ‘ତାଡ଼ିବା ପାଇଁ ଖଣତା ପରି କାର୍ଯ୍ୟ କରୁଅଛି ( ଅର୍ଥାତ୍ ଏ ମୋର ଗୋତ୍ର ଖଣତା ) । ସେ ପ୍ରଥମରୁ ସୁକୁମାର ଲତା ତୁଲ୍ୟ ଦୁଇଜଣଙ୍କୁ ( କୁମ୍ଭକର୍ଣ୍ଣ, ଇନ୍ଦ୍ରମତକୁ ) ‘ତାଡ଼ି’ ବିନାଶ କରାଇ ଏବେ ମହାତରୁ ରୂପୀ ମୋତେ ବିନାଶ କରିବା ନିମିତ୍ତ ଇଚ୍ଛା କରୁଅଛି । ଏଣୁ ଖଣତା ପଥରରେ ବାଜିଲେ ତାର ଦାଢ଼ ବା ଆଣ୍ଟ ଭାଙ୍ଗିଲା ପରି ମୁଁ ମୋର ଶକ୍ତି ରୂପ ପଥର ଦ୍ୱାରା ତାର ଗର୍ବ ଭାଙ୍ଗି ଦେବି ।

 

ବକ୍ତ୍ରଦଶ କଥା କିସ ଦିଗପାଳେ କି ପ୍ରକାଶ ଏକତ୍ରେ ଆଶ୍ରିତ ସୁନାସୀର ।

ବ୍ରହ୍ମାସ୍ତ୍ର କୁଶାନୁଭାବ କାଳବିଭୂତି ପ୍ରଭବ ଶବଦେ ଶର ଅତ୍ୟନ୍ତ ଘୋର ଯେ ।

ବାରୁଣୀରେ । ବଶ ସ୍ପର୍ଶନତ ପୁଣ୍ୟଜନ ।

ବୀରଈଶ ପିତାମହ                  ପୁରୁଷତ ନାଗବ୍ୟୁହ

ମଧ୍ୟରେ ପ୍ରଧାନ ହୋଇ କାୟ ଧନ୍ୟ ସେ । ୬ ।

 

ବୁଲାଇ ଏହି ସମୟ ଏକଘନି ଘେନି କାୟ ବଢ଼ାଇ ବିନ୍ଧ୍ୟଶିରିଶିଖେ ।

ବହ୍ନି ଜଳିଲା ପରିରେ ବୋଲେ ବିଭୀଷଣେ ମାରେ ଶୁଣି ଲକ୍ଷ୍ମଣ ନରହ ମୁଖରେ ।

ବତ୍ସଳ ସେ । ବେଭାରେ ଦାସର ହେଲେ ଆଗ ।

ବିଳେ କର୍ଣ୍ଣ ନାସିକର            କାକୋଦର ପରକାର ।

ଶର ପୂର୍ଣ୍ଣ କଲେ ବେଗ ବେଗ ସେ । ୭ ।

 

ବୈରାଗ୍ୟ ହୋଇଲା ଘାତୀ ଆଗପଛେ ଗତାଗତିଶକ୍ତି ଜ୍ୟୋତିଷ୍ମନ୍ତେ ଆସେ ଘୋଟି ।

ବନ ପୋଡ଼ି ହୁତାଶନେ ବିନାଶନେ ଯଥା ଜନେବୃକ୍ଷ ତଥା ସୁଗ୍ରୀବାଦି ପିଟି ଯେ ।

ବାରିବାହ । ବାଣେ ରାମ ଜଳ ବରଷନ୍ତି ।

ବିନ୍ଧିଲେ ଲକ୍ଷ୍ମଣ ଯେତେ            ଭାନୁ ଉଦିତେ ଖଦ୍ୟୋତେ

ଝଲକହୀନ ସେ ସେହିମତି ଯେ । ୮ ।

 

ବେଳୁଁ ବେଳୁଁ ପ୍ରଭାକର ଶକ୍ତିକି ପକ୍ଷିନିକର ନିଦ୍ରିତ ପ୍ରାୟ ମୁଦ୍ରିତ ଆକ୍ଷି ।

ବଳିମୁଖସାରେ ତହିଁ ଚରମେ ବଦନ ଥୋଇ ଦିବାନ୍ଧ ଖଗରେ ହେଲେ ଲକ୍ଷସେ ।

ବିଚେତନ । ବଳୀ ଲକ୍ଷ୍ମଣ ହେଲେ ପତନ ।

ବଜ୍ରେ ଗିରି ଭେଦମତେ            ବାସବ ପୃଥ୍ୱୀ ସହିତେ

ଫୁଟି ପାତାଳକୁ ଦେଲା ପୁନ ସେ । ୯ ।

 

ବେନିବଳ ଲୋକାଲୋକ ତୁଳ ପାଶେ ନିର୍ମୂଳକ ପାଶେ ହୋଇ ଅନ୍ଧକାର ଯୁକ୍ତ ।

ବିବେକ ଦଶକନ୍ଧର ଅନନ୍ତକୁ ଅନ୍ତକର କାଲି ଅଚ୍ୟୁତ କରିବି ଚ୍ୟୁତ ଯେ ।

ବାହୁଡ଼ଇ । ବିମାନକୁ ରାଘବ ସଲୀଳେ ।

ବିକ୍ରମିଲେ ଅବଧିରେ            ଜୀବଗ୍ରାସେ ତତପରେ

ରହେ ଦେଖି ଗଡ଼ହାର ସ୍ଥଳେ ଯେ । ୧୦ ।

 

୬ଷ୍ଠ ପଦ :- ପିତାମହ ପୁରୁଷତ-ବ୍ରହ୍ମାଙ୍କର ଅଣନାତି । ବକ୍ରଦଶ-ରାବଣ । ଦିଗପାଳେ-ଇନ୍ଦ୍ରାଦି ଦଶଦିକପାଳମାନେ । ସୁନାସୀର-ଇନ୍ଦ୍ର । କୃଶାନୁ-ଅଗ୍ନି । କାଳବିଭୂତି-ଯମ । ବାରୁଣୀ-ମଦ୍ୟ । ବରୁଣ-ଦେବତା । କାଳବିଭୂତି ପ୍ରଭବ-ସଂହାର ମୂର୍ତ୍ତି । ସ୍ପର୍ଶନ-ବାୟୁ । ପୁଣ୍ୟଜନ-ରାକ୍ଷସ । ପୁଣ୍ୟଜନବର-ରାକ୍ଷସଶ୍ରେଷ୍ଠ, କୁବେର ।

 

୬ଷ୍ଠ ପଦ :- ଏହି ସମୟରେ ରାବଣ ଯେପରି ଦେଖାଯାଉଥିଲା ତାହା କଣ କହିବା ? ତାକୁ ଦେଖିଲେ ମନେ ହେଉଥିଲା, ଦଶଦିଗପାଳ ଏକତ୍ରିତ ହୋଇ ରାବଣ ରୂପରେ ପ୍ରକାଶିତ ହୋଇଅଛନ୍ତି କି ?କାରଣ ରାବଣ ‘ସୁନାସୀର’ ଉତ୍ତମ ସୈନିକମାନଙ୍କଦ୍ୱାରା ବେଷ୍ଟିତ ହୋଇଥିବାରୁ ତାକୁ ଦେଖିଲାକ୍ଷଣି ‘ସୁନାସୀର, ଇନ୍ଦ୍ରବୋଲି ଜ୍ଞାନ ହେଉଥିଲା ଏବଂ ସେ ବ୍ରହ୍ମାସ୍ତ୍ର ନିକ୍ଷେପ କଲାବେଳେ ଅଗ୍ନି, ତାର କୃଷ୍ଣବର୍ଣ୍ଣ କାନ୍ତିକୁ ଦେଖି ଯମ, ସେ ଶର ନିକ୍ଷେପ କରୁଥିବା ସମୟରେ ପ୍ରକାଶ ପାଉଥିବା ଶବ୍ଦକୁ ଶୁଣି ଶବାଧିରୂଢ଼ ନୈଋତ ଦେବତା, ଅନବରତ, ବାରୁଣୀରେ ବସି ମଦ୍ୟପାନ କରୁଥିବାରୁ ବରୁଣ ଓ ରାକ୍ଷସମାନଙ୍କ ‘ସ୍ପର୍ଶନ, ସଙ୍ଗରେଥିବାରୁ କୁବେର, ବୀରମାନଙ୍କର ପ୍ରଭୁ ହୋଇଥିବାରୁ ମହାଦେବ, ବ୍ରହ୍ମାଙ୍କ ବଂଶରେଜନ୍ମହୋଇବାରୁ ବ୍ରହ୍ମା ରାକ୍ଷସମାନଙ୍କ ମଧ୍ୟରେ ରହି ଧନ୍ୟବାଦ ଓ ପ୍ରାଧାନ୍ୟ ଲାଭ କରିଥିବା ଶେଷଶାୟୀ ବିଷ୍ଣୁ ମଧ୍ୟ ତାହାର ଦେହରେ ଆଶ୍ରୟ ଗ୍ରହଣ କରିଥିବାର ଅନୁମିତ ହେଉଥିଲା ।

 

୭ମ ପଦ :- ବିନ୍ଧ୍ୟଶିଖରିଶିଖେ-ବିନ୍ଧ୍ୟପର୍ବତର ଶୃଙ୍ଗରେ । ବହ୍ନି-ଅଗ୍ନି । ଏକଘନି-ଏକଘ୍ନୀନାମକ ଶକ୍ତି । ବତ୍ସଳ-ସ୍ନେହ । ଦାସର-ଭୃତ୍ୟର । ବିଳ-ଗର୍ତ୍ତ । କାକୋଦର-ସର୍ପ ।

 

୭ମ ପଦ :- ଏହି ସମୟରେ ରାବଣ ତାର ଶରୀରକୁ ବିନ୍ଧ୍ୟପର୍ବତର ଶୃଙ୍ଗର ଶିଖର ଦେଶ ପର୍ଯ୍ୟନ୍ତ ବଢ଼ାଇ ( ଅର୍ଥାତ୍ ଉନ୍ନତ କଳେବର ଧାରଣକରି ) ହସ୍ତରେ ପ୍ରଜ୍ୱଳିତ ଶିଖା ତୁଲ୍ୟ ତେଜସ୍କର ଏକଘ୍ନି ନାମକ ଶକ୍ତି ଧରି ବୁଲାଇ କହିଲା, ‘‘ରେ ଲକ୍ଷ୍ମଣ! ମୁଁ ଏହି ଅସ୍ତ୍ରକୁ ବିଭୀଷଣ ପ୍ରତି ନିକ୍ଷେପ କରୁଛି । ତୁ ତାର ସମ୍ମୁଖରୁ ଆଡ଼ ହୋଇ ଯା ।’’ କିନ୍ତୁ ସେହି ଦାସବତ୍ସଳ ଲକ୍ଷ୍ମଣ ଏହା ଶୁଣି ମଧ୍ୟ ବିଭୀଷଣର ଆଗରେ ଠିଆ ହେଲେ ଏବଂ ରାବଣର ନାସା ରୂପୀ ଗର୍ତ୍ତରେସର୍ପ ରୂପୀ ସ୍ୱୟୀ ଶରମାନଙ୍କୁ ଅତିଶୀଘ୍ର ପୂର୍ଣ୍ଣ କରି ଦେଲେ ।

 

୮ମ ପଦ :- ବୈରାଗ୍ୟ-ବିରାଗଭାବ, ବିରକ୍ତ । ଘାତୀ-ଆଘାତ ପ୍ରାପ୍ତ । ଜ୍ୟୋତିଷନ୍ତେ-ତେଜୋବନ୍ତକୁ । ହୁତେଶନ-ଅଗ୍ନି । ବାରିବାହ-ମେଘ । ଭାନୁଉଦିତ-ସୂର୍ଯ୍ୟୋଦୟ ହେଲେ । ଖଦ୍ୟୋତେ-ଜୁଳୁଜୁଳାପୋକ ସମୂହ । ଝଲକହୀନ- ନିସ୍ତେଜ ।

 

୮ମ ପଦ :- ତହୁଁ ରାବଣ ଅତ୍ୟନ୍ତ ବିରକ୍ତ ହୋଇ ଆଗକୁ ପଛକୁ କୁଦି କ୍ରୋଧରେ ଏକ ଶକ୍ତି ନିକ୍ଷେପ କରିବାରୁ ତାହା ଅଗ୍ନିତୁଲ୍ୟ ତେଜ ପ୍ରକାଶ କରି ଲକ୍ଷ୍ମଣଙ୍କୁ ଘୋଟିଗଲା । ଲୋକମାନେ ଦାବାନଳକୁ ଡାଳରେ ପିଟି ପାଣି ସିଞ୍ଚି ଲିଭାଇଲପରି ସୁଗ୍ରୀବ ପ୍ରଭୃତି ବୀରମାନେ ସେହି ଶକ୍ତିର ପ୍ରଚଣ୍ଡତେଜକୁ ବୃକ୍ଷରେ ପିଟିବାକୁ ଲାଗିଲେ ଓ ରାମଚନ୍ଦ୍ର ମେଘାସ୍ତ୍ର ପ୍ରୟୋଗ କରି ତା ଉପରେ ଜଳ ସେଚନ କରିବାକୁ ଲାଗିଲେ । ମାତ୍ର ସମସ୍ତ ବ୍ୟର୍ଥ ହେଲା । ପୁଣି ଲକ୍ଷ୍ମଣ ଯେତେ ଅସ୍ତ୍ର ନିକ୍ଷେପ କଲେ, ତାହାସବୁ ସୂର୍ଯ୍ୟ କିରଣରେ ଜୁଳୁଜୁଳିଆ ପୋକପରି ହୀନପ୍ରଭା ହୋଇଗଲା ।

 

୯ମ ପଦ :- ପ୍ରଭାକର-ତେଜୋବନ୍ତ । ବଳିମୁଖସାର-ସୁଗ୍ରୀବ । ଚରମେ-ପୃଷ୍ଠଭାଗରେ । ଦିବାନ୍ଧଖଗ-ପେଚା ।

 

୯ମ ପଦ :- ସେହି ଶକ୍ତି ବେଳୁଁ ବେଳ ତେଜ ବୃଦ୍ଧିକରି ଆସିବାରୁ ରାମଙ୍କ ସୈନିକମାନେ ନିଦ୍ରିତ ପକ୍ଷୀମାନଙ୍କ ପରି ଚକ୍ଷୁମୁଦ୍ରିତ କଲେ । କପିରାଜ ସୁଗ୍ରୀବ ସେହି ତେଜକୁ ଅନାଇ ନ ପାରି ପଛ ଆଡ଼କୁ ମୁଖ କରିବାରୁ ପେଚାପରି ଦେଖାଗଲେ । ବଳିଷ୍ଠ ଲକ୍ଷ୍ମଣ ସେହି ଶକ୍ତିର ଆଘାତରେ ଅଚେତନ ହୋଇପଡ଼ିଲେ । ଇନ୍ଦ୍ର ବଜ୍ରଦ୍ୱାରା ପର୍ବତମାନଙ୍କୁ ଭେଦ କଲାପରି ସେହି ଶକ୍ତି ଲକ୍ଷ୍ମଣଙ୍କର ହୃଦୟକୁ ଫୁଟାଇ ପାତାଳରେ ପ୍ରବେଶକଲା ।

 

୧୦ମ ପଦ :- ଅନନ୍ତକୁ-ଲକ୍ଷ୍ମଣଙ୍କୁ । ଅନ୍ତକର-ନାଶ କଲି । ଅଚ୍ୟୁତ-ଚ୍ୟୁତ ଅର୍ଥାତ୍ ବିନାଶ ନ ହୋଇଥିବା ବ୍ୟକ୍ତି, ରାମଚନ୍ଦ୍ର । ଚ୍ୟୁତ-ବିନାଶ । ରାଘବ-ମତ୍ସ୍ୟବିଶେଷ । ସଲ୍ୟଳେ-କୌତୁକରେ । ଅବଧିରେ-ସମୁଦ୍ରରେ ।

 

୧୦ମ ପଦ :- ଏହି ସମୟରେ ରାମଚନ୍ଦ୍ର ଓ ରାବଣ ଏ ଦୁହିଁଙ୍କର ସୈନ୍ୟବଳ ଲୋକାଲୋକ ପର୍ବତପରି ଦେଖାଗଲେ । ଲୋକାଲୋକ ପର୍ବତର ଏକ ପାଖରେ ଆଲୋକ ଓ ଅପର ପାଖରେ ଅନ୍ଧକାର ଆଚ୍ଛାଦିତ ହୋଇଥାଏ; ସେହିପରି ଲକ୍ଷ୍ମଣଙ୍କ ବକ୍ଷରେ ଶକ୍ତିଭେଦ ହେବାରୁ ରାବଣର ସୈନ୍ୟମାନଙ୍କ ମଧ୍ୟରେ ଶତ୍ରୁ ବିଜୟ ରୂପ ଆଲୋକ ଓ ରାମଚନ୍ଦ୍ରଙ୍କ ସୈନ୍ୟ ମଧ୍ୟରେ ଶୋକାନ୍ଧକାର ଆଚ୍ଛାଦିତ ହେଲା । ଏହା ଦେଖି ରାବଣ ଭାବିଲା, ‘ଆଜି ଲକ୍ଷ୍ମଣରୂପୀ ଶେଷଦେବଙ୍କୁ ନାଶ କଲି; କାଲି ରାମରୂପୀ ବିଷ୍ଣୁଙ୍କୁ ବିନାଶ କରିବି ।’ ଏହା ପରେ ରଥ ଫେରାଇ ଘେନି ଯିବାରୁ ରାଘବମତ୍ସ୍ୟ ଜଳରେ ବିହାର କଲାପରି ରାମ ଯୁଦ୍ଧକ୍ଷେତ୍ରରେ କୌତୁକର ସହିତ ବିହାର କରିବାକୁ ଲାଗିଲେ ଏବଂ ରାଘବ ମାଛ ସମୁଦ୍ରସ୍ଥ ଜଳଜନ୍ତୁମାନଙ୍କୁ ଭକ୍ଷଣ କଲାପରି ରାମଚନ୍ଦ୍ର ‘ଜୀବ’ ରାବଣକୁ ଗ୍ରାସ କରିବାକୁ ଅର୍ଥାତ୍ ମାରିବାକୁ ଯୋଗାଡ଼ କଲେ; କିନ୍ତୁ ‘ଅବଧିରେ’ ଏହି ଶବ୍ଦର ‘ର’ ସ୍ଥାନରେ ‘ଲ’ କଲେ ଅର୍ଥାତ୍ ଅବଧିଲେ ମାରି ପାରିଲେ ନାହିଁ । ଏଣୁ ରାଘବମତ୍ସ୍ୟ ସ୍ଥଳଭାଗକୁ ଦେଖି ରହିଲେ ଅର୍ଥାତ୍ ଯୁଦ୍ଧ ବନ୍ଦ କରି ଫେରିଲେ ।

 

ବିକଳ ସକଳରୂପେ ମିଳିଲେ ଭ୍ରାତୃ ସମୀପେ ଛତ୍ର ଉତ୍ତାନେ ଯେମନ୍ତ ଦଣ୍ଡ ।

ବିଲୋକି ଶକ୍ତି ଉତ୍ପାଟ ବୋଲୁଁ ଚାଳେ କପିଭଟ୍ଟ ସମସ୍ତ ଚଳେ ଅବନୀଖଣ୍ଡ ସେ ।

ବିସ୍ମିତରେ । ବାମକରେ ଧରି ଉତ୍ପାଟିଲେ ।

ବାରଣ ସନାଳକଞ୍ଜ                  ପରି ସେ କରି ବିଭଞ୍ଜ

ମାରୁତି ଅଙ୍ଗଦ ମାଡ଼ିଥିଲେ ଯେ । ୧୧ ।

 

ବୁଦ୍‌ବୁଦ୍ ଜମ୍ବାଳେ ଜାତ କ୍ଷତକଜାତ ତେମନ୍ତ ପଦ୍ମାକର ଛବି ସେ ସୁନ୍ଦର ।

ବନଜବଦନେ ନୀଳଉତ୍ପଳ ନେତ୍ର ଶୈବାଳ ବାଳକୋକନଦ ପଦ - କର ଯେ ।

ବୀଚି ବାହୁ । ବିନା ଚଳିତ କୁମୁଦହ ।

ବିକାଶ ଲେଶହିଁ ନାହିଁ            ଦୀ (ଦି) ନଭାବ ଭଜି ତହିଁ

ପ୍ରକଟ ଯହିଁ ସ୍ୱହୃଦବଶ ଯେ । ୧୨ ।

 

ବକ୍ଷସ୍ଥଳେ ଦେଖି ଗର୍ତ୍ତ ରଥାଙ୍ଗ ଲକ୍ଷଭାଷିତ ରଥାଙ୍ଗରଜନୀ ହୋଇଥିଲା ।

ବ୍ୟାଧକ୍ତବ୍ୟାଦଜୀବନ ହରଣେ କେହି ଚେତନ ରହିଛି ଏହି ବିଚିତ୍ର ହେଲା ଖେ ।

ବିନିର୍ବାର । ବିକଳ ଅଧିକ ହୋଇଭୋଗ ।

ବିଦୁଷଆଦ୍ୟ ଗନ୍ଧର୍ବ                  ନାମାଦିରେ କଲେ ରବ

ବଡ଼ ମୁଁ ନାଶ ନୋହିଲି ଆଗ ସେ । ୧୩ ।

 

ବସାଉଁ ଜାନୁ ଶୟନ ମର୍କତଶଇଳୁଁସ୍ୱର୍ଣ୍ଣଗଣ୍ଡଶଇଳ କି ଖସିପଡ଼ି ।

ବହିତନେତ୍ରଗହ୍ୱରୁନିର୍ଝର ନୀର କି ଚାରୁ ହୃଦୟ ପ୍ରପାତେ ଗଲା ଜଡ଼ି ସେ ।

ବାଣୀ ନ୍ୟାସୁଁ । ବୈଦ୍ୟଚନ୍ଦ୍ର ସୁଶେଣ ତ୍ୱରିତ ।

ନାଶ ନୋହିବା ପଦ                  ବିକାଶ ହୃଦକୁମୁଦ

ଚକ୍ଷୁଚକୋର ସ୍ରବିବା ସ୍ଥିତ ସେ । ୧୪ ।

 

ବୋଲୁଁ ଆଣ ଅଉଷଧି ଗନ୍ଧମାର୍ଦନେ ପ୍ରସିଦ୍ଧି ଉତ୍ତରଭାଗେ ସେ ସେନାଡ଼ାକି ।

ବ୍ରହ୍ମାକେଳିନଗେ ଅଛି ନିଶା ଥାଉଁ ଜଣେ ବାଛି ଆଣୁଭଣୁଦୂର ଲେଖିଶଙ୍କି ଯେ ।

ବୋଲନ୍ତି ଯେ । ବିକୁକ୍ଷିବଂଶୀ ଜିଇଁବାରୀତି ।

ବୋଇଲା ସେ ସଦାଗତି            ତନୟ ତ ସଦା ଗତି

ଶୁଣି ଓଳଗି ଗମି ମାରୁତି ଯେ । ୧୫ ।

 

୧୧ଶ ପଦ :- ଉତ୍ତାନ-ବିପରୀତ । ଦଣ୍ଡ-ବେଣ୍ଟ । ଉତ୍‌ପାଟି-ଉପାଡ଼ିବା । ଅବନିଖଣ୍ଡ-ଭୂଖଣ୍ଡ । ବାରଣ-ହସ୍ତୀ । ସନାଳକଞ୍ଜ-ନାଡ଼ସହିତ ପଦ୍ମ । ବିଭଞ୍ଜ-ବିଭଗ୍ନ । ମାରୁତି-ହନୁମାନ । କପିଭଟ୍ଟ-କପିସମୂହ ।

 

୧୧ଶ ପଦ :- ରାମଚନ୍ଦ୍ର ଅତିଶୟ ଦୁଃଖିତ ହୋଇ ଲକ୍ଷ୍ମଣଙ୍କ ନିକଟରେ ଉପସ୍ଥିତ ହେଲେ ଏବଂ ଦେଖିଲେ ଯେ ବେଣ୍ଟ ଉପରକୁ ହୋଇ ଛତା ପଡ଼ିଥିଲେ ଯେପରି ଦେଖାଯାଏ, ଶକ୍ତିବିଦ୍ଧ ଲକ୍ଷ୍ମଣ ଚିତ୍‌ ହୋଇ ପଡ଼ିଥିବାରୁ ସେହିପରି ଦେଖା ଯାଉଅଛନ୍ତି ( ଏଠାରେ ଶକ୍ତିର ବେଣ୍ଟସହ ଛତାର ବେଣ୍ଟ ଓ ଛତା ସହିତ ଲକ୍ଷ୍ମଣଙ୍କର ବକ୍ଷସ୍ଥଳ ତୁଳନା କରାଗଲା ) । ତହୁଁ ରାମ ସେ ଶକ୍ତିକୁ ଉପାଡ଼ି ବାହାର କରି ଦେବାପାଇଁ ଆଦେଶ ଦେବାରୁ ସମସ୍ତ ବାନର ଯୋଦ୍ଧାମାନେ ତାହାକୁ ଉପାଡ଼ିବାକୁ ଲାଗିଲେ, କିନ୍ତୁ ଶକ୍ତି ହଲଚଲ ନ ହୋଇ ପୃଥିବୀ ହଲିବାକୁ ଲାଗିଲା । ରାମ ପଦ୍ମଫୁଲକୁ ନାଡ଼ ସହିତ ଉପାଡ଼ି ଆଣିଲା ପରି ଉପାଡ଼ି ଆଣି ଦୁଇଖଣ୍ଡ କରି ଦେଲେ । ଏହି ସମୟରେ ହନୁମାନ ଓ ଅଙ୍ଗଦ ଲକ୍ଷ୍ମଣଙ୍କୁ ମାଡ଼ି ବସିଥିଲେ ।

 

୧୨ଶ ପଦ :- ଜମ୍ବାଳ-ପଙ୍କ । ପଦ୍ମାକର-ପୁଷ୍କରିଣୀ । କୋଳନଦ-ରକ୍ତକଇଁ । ସୁହୃଦବଶ-ସୁଗ୍ରୀବାଦି ମିତ୍ରମାନଙ୍କର ବଶୀଭୂତ, ଉତ୍ତମ ହୃଦୟବାନ୍ ଜନ ବଶରୂପେ । ବନଜ-ପଦ୍ମ । ପଦକର-ପାଦ ଓ ହସ୍ତ । ବୀଚି-ଲହରୀ । କୁମୁଦହାସ-ପ୍ରଷ୍ଫୁଟିତ କଇଁ, ଆନନ୍ଦହାସ୍ୟ । କ୍ଷତଜ-ରକ୍ତ । ବିନାଚଳିତ-ଅଚଳ । ନୀଳୋୟନ-ନୀଳକଇଁ । ବାଳଶୈବାଳ-ଶିଉଳୀ । ଦୀନଭାବ-ଦୁଃଖଭାବ । ଦିନରାତି-ଦିବସଭାବ ।

 

୧୨ଶ ପଦ :- ପଙ୍କରୁ ବୁଦ୍‌ବଦ୍ ବାହାରିଲା ପରି ଏହି ସମୟରେ ଲକ୍ଷ୍ମଣଙ୍କ କ୍ଷତସ୍ଥାନରୁ ରକ୍ତ ବାହାରିବାରୁ ସେ ଗୋଟାଏ ମନୋହର ପଦ୍ମପୁଷ୍କରିଣୀର ଶୋଭାକୁ ଧାରଣ କଲେ । କାରଣ ପୁଷ୍କରିଣୀରେ ଯେପରି ପଦ୍ମ, ନୀଳକଇଁ, ଶିଆଳି, ଲାଲକଇଁ ଓ ଲହରୀ ପ୍ରଭୃତି ଦେଖାଯାଉଥାନ୍ତି, ସେହିପରି ତାଙ୍କର ମୁଖ, ଚକ୍ଷୁ, କେଶ, ହସ୍ତ, ପାଦ ଓ ନିଶ୍ଚଳ ବାହୁଦ୍ୱୟ ଦେଖାଯାଉଥିଲା କିନ୍ତୁ ଦିବସରେ କଇଁଫୁଲର ବିକାଶ ନ ହେଲାପରି, ତାହାଙ୍କ ନିକଟରେ ଥିବା ମିତ୍ରମାନଙ୍କ ମନରେ ଦୁଃଖ ଜାତ ହୋଇଥିବାରୁ ଉତ୍‌ଫୁଲତା ଦେଖାଯାଉନଥିଲେ ।

 

୧୩ଶ ପଦ :- ରଥାଙ୍ଗ-ରଥଚକ୍ର, ଚକ୍ରବାକ ପକ୍ଷୀ । ରଜନୀ-ରାତ୍ରୀ । କ୍ରବାଦ୍ୟ-ରାକ୍ଷସ । ବିନିର୍ବାର- ବିଶେଷରେ ନିବୃତ୍ତ । ବିଦୁଷଆଦ୍ୟ-ପଣ୍ଡିତଶ୍ରେଷ୍ଠ । ରବ-ଧ୍ୱନି ।

 

୧୩ଶ ପଦ :- ଲକ୍ଷ୍ମଣଙ୍କ ବକ୍ଷସ୍ଥଳରେ ରଥ ଚକ ଆକୃତିରେ ହୋଇଥିବା କ୍ଷତକୁ ଦେଖି ରାମଚନ୍ଦ୍ର କହିଲେ, ‘ଆଜି ଆମ୍ଭ ଦୁଇଭାଇଙ୍କ ପକ୍ଷରେ ଚକ୍ରବାକ ରଜନୀ ହୋଇଥିଲା । (ଅର୍ଥାତ୍‌ ରାତିରେ ଚକ୍ରବାକ ପକ୍ଷୀ ଓ ତାର ସ୍ତ୍ରୀ ଅଲଗା ଅଲଗା ହୋଇ ରହିଳା ପରି ଆମ୍ଭେ ଦୁହେଁ ଯୁଦ୍ଧ କ୍ଷେତ୍ରରେ ପୃଥକ୍‌ ପଥକ୍‌ ସ୍ତାନରେ ରହିଥିଲୁଁ) । ବ୍ୟାଧ ଚକ୍ରବାକ ପ୍ରାଣ ହରଣ କଲାପରି ଏହି ଅସୁରରୂପୀ ବ୍ୟାଧ (ରାବଣ) ମୋର ପ୍ରାଣ ଲକ୍ଷ୍ମଣଙ୍କର ପ୍ରାଣ ହରଣ କଲା । ମାତ୍ର ମୁଁ ଚକ୍ରବାକୀ ପରି ଜୀବିତ ରହିଅଛି, ଏହାହିଁ ଆଶ୍ଚର୍ଯ୍ୟ ! ଏହି କଥା କହୁ କହୁ ତାଙ୍କ ମନରେ ଅତିଶୟ ଦୁଃଖ ହୋଇଥିଲା । ତହୁଁ ସେ ଗନ୍ଧର୍ବ ପର୍ଯ୍ୟାୟର ଆଦି ନାମ ଅର୍ଥାତ୍‌ ‘ହା’ ହା ପଣ୍ଡିତ ଲକ୍ଷ୍ମଣ ! ମୁଁ ବଡ଼ ହୋଇ ଆଗ ନମରି ତୁ ଆଗ ମଲୁ’ ଏହି କଥା କହି ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ।

 

୧୪ଶ ପଦ :- ମର୍କତଶଇଳୁ-ମରକତ ପର୍ବତରୁ । ଗଣ୍ଡଶଇଳ-ଶିଳାଖଣ୍ଡ । ନିର୍ଝରନୀର-ଝରଣାଜଳ । ବୈଦ୍ୟଚନ୍ଦ୍ର- କବିରାଜ ଶ୍ରେଷ୍ଠ । ହୃଦକୁମଦ- ହୃଦୟ ରୂପ କଇଁ । ସବିବା-ଝରିବ ।

 

୧୫ଶ ପଦ :- ବ୍ରହ୍ମାକେଳିନଗେ-ଗନ୍ଧମାର୍ଦ୍ଦନ ପର୍ବତରେ । ନିଶା-ରାତ୍ର । ସଦାଗତି-ତନୟ-ବାୟୁପୁତ୍ର (ହନୁମାନ) ।

 

୧୫ଶ ପଦ :- ସୁଷେଣ ଏହା କହିବାରୁ ରାମ କହିଲେ, ‘‘ଔଷଧ ଆଣ ।’’ ଏହା ଶୁଣି ବୈଦ୍ୟ ସୁଷେଣ ସୈନ୍ୟମାନଙ୍କୁ ଡାକି କହିଲେ ‘‘ଉତ୍ତର ଦିଗସ୍ଥ ଗନ୍ଧମାର୍ଦ୍ଦନ ନାମକ ବ୍ରହ୍ମାଙ୍କ କ୍ରୀଡ଼ା ପର୍ବତରେ ଔଷଧ ଅଛି । ରାତ୍ରି ଥାଉଁ ଥାଉଁ ଯାଇ ସେହି ଔଷଧକୁ ବାଛିକରି ଆଣ । ’’ ସୁଷେଣ ଏହିପରି କହିବାରୁ ରାମଚନ୍ଦ୍ର, ସେହି ପର୍ବତ ଏଠାରୁ ବୟାଳିଶ ଯୋଜନ ଦୂରରେ ଅଛି ବୋଲି ହିସାବ କରି ଶଙ୍କା କରିବାକୁ ଲାଗିଲା । (ଅର୍ଥାତ୍‌ କେହି ଏତେ ଦୂରଯାଇ ଏହି ରାତ୍ରି ମଧ୍ୟରେ ଆଣି ପାରିବେ ନାହିଁ ବୋଲି ଭାବିଲେ) । ତହୁଁ ସୁଷେଣ କହିଲେ, ‘‘ଆମ୍ଭମାନଙ୍କର ସର୍ବଦା ସହାୟକାରୀ ହନୁମାନ ଯାଇ ଆଣି ପାରିବ ।’’ ଏହା ଶୁଣି ହନୁମାନ ରାମଚନ୍ଦ୍ରଙ୍କୁ ପ୍ରଣାମ କରି ସେହି ପର୍ବତକୁ ଆଣିବା ପାଇଁ ବାହାରିଲା ।

 

ବାର୍ତ୍ତାପାଇ ଲଙ୍କାକାଳ କାଳନେମିକି ତତ୍କାଳ ମଣାଇଣ ସକଳ ପ୍ରେକ୍ଷଣ ।

ବେଗେ ଗନ୍ଧନଦୀ କଳେ ନିର୍ମାଣ ଶମ୍ବୁ ଦେଉଳେ ତପୀରୂପେ ବସିଛି ଆପଣ ସେ ।

ବତାସ କି । ବହଇ ଯାଇଁ ପବନସୁତ ।

ବିଘ୍ନ ଯିବାକାର୍ଯ୍ୟ ହେବ            ଏ ସରେ ନିମଚ୍ଛି ଶିବ

ନ ଦେଖି ଗଲେ ଏ ଗିରକୃତ ସେ । ୧୬ ।

 

ବିଶୋଉଁ ଏ କଥା ଶ୍ରୋତ ଦେଉଁ ସରସୀ ରସିତ ନକ୍ରରୂପୀ ଧରନ୍ତେ ପୟର ।

ବୁଡ଼ି ପୟରେ ଚପଳେ ଚିରନ୍ତେ ପକାଇ କୂଳେ ରୁଚିରବତି ଯୁବତୀବର ସେ

ବୋଇଲା ଯେ । ବ୍ରହ୍ମାଙ୍କ ଏ ମୋ ଦେହ ଡରାଉଁ ।

ବିଷ୍ଣୁର ପରିଚାରକ                  ତୁମ୍ଭେ ହେଲ ମୋ ତାରକ

ମାର ରାବଣ ସେବକ ଏହୁ ଯେ । ୧୭ ।

 

ବିଧୀରେ ତା ବୁଧଶାଳୀ ବିଧି- କେଳିଗୋତ୍ରେ ମିଳି ଭାତିବ୍ରହ୍ମପଦ ବିପିନରେ ।

ବିଶକ୍ୟ ଖୋଜୁଁ ସେ ଶଲ୍ୟପଶୁ ସ୍ୱଭାବରେ ଶଲ୍ୟଶରମାରି ରଳ ସାବର୍ଣ୍ଣରେ ସେ ।

ବିଦ୍ୟାଧରେ । ବୁଧେ ଏ ଲକ୍ଷଣ ଏଣୁ କରି ।

ବିଧାରେ ସେ ସାନ୍ତୁମାନ            ଶତଯୋଜନ ଭଗନ

ମୃଷ୍ଟି ପ୍ରହାରେ ତାହାଙ୍କୁ ମାରି ସେ । ୧୮ ।

 

ବାସୁକି ଶିର ସେ ଯଥା ଧରିଛି ଧରିତ୍ରୀ ତଥା ଗିରି ସେ କହି ଆକାଶେ ଆସେ ।

ବିଷ୍ଣୁରଥ ସୁଧା ହରି ସ୍ୱର୍ଗୁରୁ ଆସିଲାପରି ଦୂତେ ଶ୍ରବଣ ରାବଣ ଶେଷ ଯେ ।

ବଳବନ୍ତ । ବଳ ଦଶସହସ୍ର ସଂଖ୍ୟାରେ ।

ବିହାୟସରେ ଭେଟିଲେ            ରବି କି ପ୍ରାତେ ଘୋଟିଲେ

କାକକେୟଗଣ ପରକାରେ ସେ । ୧୯ ।

 

ବିପ୍ର ତର୍ପଣ ମୀରଣ କରାଦ୍ରିପାତ ଧାରଣ ପଦ ପ୍ରଚାରଣ ପ୍ରକାଶିଲା ।

ବିଶେଷତୋଷ ଦେତବାପିତାମହର ମମତା ମୋ ସୃଷ୍ଟିରେ ଏଦେଖା ନଥିଲା ଯେ

ବିମର୍ଦ୍ଦନ । କପୁ ଉପରୁ ତଳକୁ ଆସି ।

ବ୍ୟୋମକେଶ ଆକାଶର            ମଳିନ ପୁଷ୍ପନିକର

ବର୍ଣ୍ଣନ ଭାନୁ ହୋଇଣ ପ୍ରଭାରେ ଦକ୍ଷଣାୟନ ତେଜି ଉତ୍ତରାୟଣ ବିଚାରେ । ୨୦।     

୧୬ଶ ପଦ :- ଲଙ୍କପାଳ-ରାବଣ । ମଣାଇ-ବୁଝାଇ । ପ୍ରେକ୍ଷଣ-ପଠାଇ । ଶମ୍ଭୁ ଦେଉଳେ-ଶିବ ମନ୍ଦିରରେ । ପବନସୁତ-ହନୁମାନ । ସରେ- ପୁଷ୍କରିଣୀରେ । ନିମଜ୍ଜି-ସ୍ନାନକରି ।

 

୧୬ଶ ପଦ :- ‘ହନୁମାନ ଔଷଧ ଆଣିବାପାଇଁ ଗନ୍ଧମାର୍ଦନକୁ ଯାଉଅଛି’-ଏହି ବାର୍ତ୍ତାପାଇ ରାବଣ ହଠାତ୍‌କାଳନେମି ଅସୁରକୁ ଡକାଇଲା ଓ ତାକୁ ସମସ୍ତ ବିଷୟ କହି ହନୁମାନର ଏହି କାର୍ଯ୍ୟରେ ବାଧା ଘଟାଇବା ପାଇ ପଠାଇଲା । କାଳନେମି ଶୀଘ୍ର ଯାଇ ହନୁମାନ ଯିବା ବାଟରେ ଥିବା ଗନ୍ଧନଦୀ କୂଳରେ ଶିବମନ୍ଦିରନିର୍ମାଣକରି, ସେହି ଶିବ ମନ୍ଦିର ନିକଟରେ ନିଜେ ତପସ୍ୱୀବେଶଧରି ବସିଲା । ହନୁମାନ ସେହି ବାଟ ଦେଇ ଯିବା ବେଳେ ହଠାତ୍‌ବତାସହେଲାପରି ପ୍ରବଳ ପବନ ବହିବାରୁ ସେହି ମାୟା ତପସ୍ୱୀ ହନୁମାନ ଯାଉଥିବାର ଜାଣିପାରି ତାକୁ ଡାକି କହିଲା, ‘‘ହେ ବୀର ! ଯଦି ତୁମ୍ଭେ ଏହି ପୁଷ୍କରିଣୀରେ ସ୍ନାନକରି ଶିବଙ୍କ ଦର୍ଶନ କରି ନ ଯିବ, ତାହା ହେଲେ ଯେଉଁ କାର୍ଯ କରିବାକୁ ଯାଉଅଛ, ସେଥିରେ ନିଶ୍ଚୟ ବିଘ୍ନ ଘଟିବ । ’’

୧୭ଶ ପଦ :- ବିଶୋଉ-ବିଶ୍ରାମ କରିବାରୁ । ସରସୀ-ପୁଷ୍କରିଣୀ । ନକ୍ରରୂପୀ-କୁମ୍ଭୀରରୂପୀ । ପୟର- ଜଳରେ । ରୁଚିରବତୀ-ପରମାସୁନ୍ଦରୀ । ପରିଚାରକ-ଭୃତ୍ୟ । ତାରକ-ତ୍ରାଣକର୍ତ୍ତା ।

 

୧୭ଶ ପଦ :- ଏହା ଶୁଣି ହନୁମାନ ସେହି ପୁଷ୍କରିଣୀର ଜଳରେ ପ୍ରବେଶ କରନ୍ତେ, ସେହି ଜଳ ମଧ୍ୟରେ ବାସ କରୁଥବା କୁମ୍ଭୀରରୂପିଣୀ ଅପ୍‌ସରା ତାହାର ପାଦକୁ ଧଇଲା । ତହୁଁ ହନୁ ସଙ୍ଗେ ସଙ୍ଗେ ପାଣିରେ ବୁଡ଼ି ତାହାକୁ ଧରି ଦୁଇଫାଳ କରି ଚିରି କୂଳରେ ଆଣି ପକାଇ ଦେଲା । ମାତ୍ର ସେହି ମୃତ କୁମ୍ଭୀରର ଦେହରୁ ଗୋଟିଏ ପରମାସୁନ୍ଦରୀ ଯୁବତୀ ବାହାରି ହନୁମାନକୁ କହିଲା, ‘‘ହେ ବୀର ! ତୁମ୍ଭେ ମୋର ଏହି ଯେଉଁ ଦେହକୁ ଚିରି ଦେଲ, ମୁଁ ସେହି ଦେହରେ ବ୍ରହ୍ମାଙ୍କୁ ଡରାଇବାରୁ ତାଙ୍କର ଶାପରେ କୁମ୍ଭୀର ହୋଇଥିଲି । ତୁମ୍ଭେ ବିଷ୍ଣୁଙ୍କର ଦୂତହୋଇଥିବାରୁ ମୋତେ ଉଦ୍ଧାର କଲ ! ଏହି ତପସ୍ୱୀ ରାବଣର ଚାକର ଅଟେ, ଏହାକୁ ନାଶ କର ।’’

 

୧୮ଶ ପଦ :- ବଧିକେଳି ଗୋତ୍ରେ-ବ୍ରହ୍ମାଙ୍କ କେଳି ପର୍ବତରେ । ବିପିନରେ-ବନରେ । ବିଶଲ୍ୟ-ଔଷଧ । ଶଳ୍ପପଶୁ ସ୍ୱଭାବରେ-ଝିଙ୍କପଶୁ ସଦୃଶ । ଶଲ୍ୟ-ଝିଙ୍କକାଠି । ବିଦ୍ୟାଧରେ-ଗନ୍ଧର୍ବମାନେ । ବୁଧେ-ପଣ୍ଡିତମାନେ । ସାନୁମାନ-ପର୍ବତ।

 

୧୮ଶ ପଦ :- ତହୁଁ ହନୁମାନ ହଠାତ୍‌ ସେହି ତପସ୍ୱୀ ରୂପଧାରୀ ଅସୁରକୁ ବଧକରି ବିଧାତାର କ୍ରୀଡ଼ା ପର୍ବତ ଗନ୍ଧମାର୍ଦନରେ ଉପସ୍ଥିତ ହେଲା । ହନୁମାନ ସେହି ପର୍ବତସ୍ଥ ଅରଣ୍ୟରେ ପ୍ରବେଶକରି ବ୍ରହ୍ମାଙ୍କର ନାମ ସ୍ମରଣ ପୂର୍ବକ ଔଷଧ ଖୋଜିବା ସମୟରେ ବନରକ୍ଷକ ବିଦ୍ୟାଧରମାନେ ତାକୁ ଦେଖିଲେ । ସେହି ବନରକ୍ଷକ ବିଦ୍ୟାଧରମାନେ ତାକୁ ଝିଙ୍କପଶୁବୋଲି ଭାବି ଝିଙ୍କକାଠି ତୁଲ୍ୟ ଶରମାରି ଅର୍ଥାତ୍‌ ମୁନିଆଁ ଶର ବାନ୍ଧି ତାର ଦେହକୁ ‘ଶର’ ଏହି ଶବ୍ଦର ‘ରୁ’ ସ୍ଥାନରେ ସୁବର୍ଣ୍ଣତା ଯୋଗୁଁ ଳ ଲେଖିଲେ ଯାହା ହେବ ‘ଶଳ’ ଅର୍ଥାତ୍‌ ବାଣରୂପ ଝିଙ୍କଠାରେ ପୂର୍ଣ୍ଣ କରିଦେଲେ । ହେ ପଣ୍ଡିତମାନେ ! ସେହି ହେତୁରୁ ଏଠାରେ ଝିଙ୍କର ଲକ୍ଷଣା କରାଗଲା । ତତ୍ପରେ ହନୁମାନ ବିଧାମାରି ଗନ୍ଧମାର୍ଦନ ପର୍ବତର ଶଏଯୋଜନ ବିସ୍ତୀର୍ଣ୍ଣ ଶୃଙ୍ଗକୁ ଭାଙ୍ଗି ପକାଇଲା ଓ ସେହି ବାନରକ୍ଷକମାନଙ୍କୁ ବିଧାଦ୍ୱାରା ମାରି ପକାଇଲା ।

 

୧୯ଶ ପଦ :- ଶିରସେ-ମସ୍ତକରେ । ଧରିତ୍ରୀ-ପୃଥିବୀ । ବିଷ୍ଣୁରଥ-ଗରୁଢ଼ । ହର-ହରଣକରି । ବିହାୟଶରେ-ଆକାଶରେ । କାଳକେୟ-ରାକ୍ଷସ ।

 

୧୯ଶ ପଦ :- ବାସୁକି ମୁଣ୍ଡରେ ପୃଥିବୀ ଧାରଣ କଲାପରି ହନୁମାନ ପର୍ବତକୁ ମୁଣ୍ଡରେ ବହି ମାର୍ଗରେ ଆସିଲା । ଗରୁଡ଼ ସ୍ୱର୍ଗରୁ ଅମୃତ ହରଣ କରି ଆଣିଲାପରି ହନୁମାନ ପର୍ବତ ହରଣକରି ଆଣୁଥିବାର ବାର୍ତ୍ତା ଦୂତଠାରୁ ଶୁଣି ରାବଣ ଦଶହଜାର ବଳିଷ୍ଠ ସୈନ୍ୟ ପଠାଇଲା । ସେହି ସୈନ୍ୟମାନେ ଆକାଶମାର୍ଗରେ ଯାଇ ପ୍ରଭାତ କାଳରେ କାଳକେୟ ରାକ୍ଷସମାନେ ସୁର୍ଯ୍ୟଙ୍କୁ ଘେରିଲାପରି ହନୁମାନକୁ ଘେରିଗଲେ ।

 

୨୦ଶ ପଦ :- କରାଦ୍ରି ପର୍ବତ-ରୂପହସ୍ତ । ବ୍ୟୋମକେଶ-ଶିବ । ପିତାମହ-ବ୍ରହ୍ମା ।

 

୨୦ଶ ପଦ :- ପ୍ରାତଃକାଳରେ ସୂର୍ଯ୍ୟଙ୍କୁ କାଳକେୟ ରାକ୍ଷସମାନେ ଆକ୍ରମଣ କରିବା ସମୟରେ ବ୍ରାହ୍ମଣମାନେ ପାତ୍ରୀରେ ଜଳଧରି ମନ୍ତ୍ରୋଚ୍ଚାରଣ ପୂର୍ବକ ତର୍ପଣ କଲେ ଯେପରି ସେହି ରାକ୍ଷସମାନେ ନିବୃତ ହୁଅନ୍ତି, ସେହିପରି ହନୁମାନ ପର୍ବତରୂପ ପାତ୍ରୀ ହସ୍ତରେ ଧାରଣକରି ପଦପ୍ରକ୍ଷେପ ଜନିତଶବ୍ଦରୂପ ମନ୍ତ୍ର ଉଚ୍ଚାରଣ ପୂର୍ବକ ରାକ୍ଷସମାନଙ୍କୁ ବିନାଶକଲେ । ଏହା ଦେଖି ଦେବତାମାନେ ବ୍ରାହ୍ମଣମାନଙ୍କ ତର୍ପଣରେ ସନ୍ତୁଷ୍ଟ ହେଲାପରି ଅତିଶୟ ସନ୍ତୁଷ୍ଟ ହେଲେ ଏବଂ ମହାଦେଙ୍କ ମୁଣ୍ଡରୁ ବାସି ଫୁଲ ସବୁ ଖସି ପଡ଼ିଲାପରି ରାକ୍ଷସମାନଙ୍କର ଶବ ଆକାଶରୁ ଭୂତଳକୁ ଖସି ପଡ଼ିବାର ଦେଖି, ବ୍ରହ୍ମା ବିଚାରିଲେ, ‘ଏପର୍ଯ୍ୟନ୍ତ ମୋର ସୃଷ୍ଟିରେ କେହି ଏପରି ବୀରତ୍ୱ ଦେଖାଇ ନ ଥିଲେ । ’’

 

 

ବଡ଼ଯୋଦ୍ଧା ଅଯୋଧ୍ୟାର ଉପରେ ଗମନକର ଭ୍ରମେ ଭରତ ଭ୍ରମେ ନିଶାରେ ସେ

ବାଟୁଳିଏ । ବିଘାତକୁ ଖସି ଅଳ୍ପ ମୁର୍ଚ୍ଛା

ବସୁଧାଭୁତେ ମୂର୍ଦ୍ଧାରେ             ଧାରଣ ଉଠି ସତ୍ୱରେ

ରାତ୍ରି କେତେ ଅଛି କଲା ପୁଚ୍ଛା ସେ । ୨୧ ।

 

ବିଷୟ କି ତରତର ନିଶିଥିନି ତ ପଚାର ଭକତ ଭାଷୁଁ ମାରୁତି ଉକ୍ତି ।

ବିଷମ ଲଙ୍କା ପୁରରେ ବାଦକୃତ ରାବଣରେ ରାମ ଲକ୍ଷ୍ମଣେ ଭେଦିତ ଶକ୍ତି ସେ ।

ବୀର ଚାହିଁ । କୈକେୟୀ ସୁତ ଭାଷେ ରଭସେ ।

ବିଗ୍ରହ ଡାକିନୀ ସ୍ଥାନେ            କିମର୍ଥେ ଭାଷ ଏମାନେ

ଶୋଭା ଅର୍ଜ୍ଜୁନାରି ମୃଗ କେ ସେ ଯେ । ୨୨ ।

 

ବାୟୁଜ କଲା ଉତ୍ତର ରକ୍ଷଃସ୍ଥାନ ଲଙ୍କାପୁର ରାମ ଯାହା ଶରୀରେ ଆଶ୍ରିତା ।

ବିଭାନ୍ତେ ଯେ ଜିଣି ରାମ ବନେ ବିନ୍ଧିଯାଉଁ ରାମ ରାବଣନେଲା ଚୋରଇ ସୀତା ଯେ

ବ୍ରହ୍ମାଣ୍ଡରେ । ବିଦିତ ସେ ଦାଶରଥି ରାମ ।

ବାଳି ବଧି ସୁଗ୍ରୀବର            ମିତ୍ରତାକୃତ ବାନର

ସିନ୍ଧୁ ତରି ଶୈଳ ପରେ ବାମ ଯେ । ୨୩ ।

 

ବାଚକ ତାଙ୍କ ଅନୁଜ ଭରତ ମୁଁ କି ଆଶ୍ଚର୍ଯ୍ୟ ଶୁଣିଲି ହରିବଲ୍ଲଭୀ ନେଇ ।

ବଞ୍ଚକ ଅଛି ଲୁଚାଇ ତୃଣଙ୍କୁରେ ଭେଦ ହୋଇ ଗଣ୍ଡକର ଦେହ ତଥା ଏହି ଯେ

ବାତସୁତ । ବୋଲେ ଏମନ୍ତ ନୋହେ ଏମନ୍ତ ।

ବାରିଧିରେ ଲକ୍ଷ୍ମୀଗୁପ୍ତ            ମନ୍ଦର ମନ୍ଥନେ ଖ୍ୟାତ

ମେରୁ ଭେଦେ ଐରାବତ ଦନ୍ତ ଯେ । ୨୪ ।

 

ବିଷାଦ ସାଦରେ ବେନି ପରାକ୍ରମ ହାନି ଘେନି ବଡ଼ାଇ ରଖି ନିୟମ କଲେ ।

ବିକ୍ରମି ନଭେ ପାବନି ପ୍ରବେଶ ଯୁଦ୍ଧ ଅବନୀ ବେନି ମନ୍ତ୍ରୀ ଗିରି ଉତ୍ତାରିଲେ ଯେ ।

ବୃକ୍ଷ ଚିହ୍ନି । ବିମର୍ଦ୍ଧିତୋଳି ତହିଁର ପତ୍ର ।

ବିହନ୍ତେ ନାସ ଅଜ୍ଞାନ            ନାଶ ଲୀନ କ୍ଷତଚିହ୍ନ

ଉଠିଲେ ଶୀଘ୍ର ସୁମିତ୍ରାସୁତ ସେ । ୨୫ ।

 

୨୧ଶ ପଦ :- ବସୁଧ ଭୃତେ-ପର୍ବତକୁ । ମୂର୍ଦ୍ଧାରେ-ମସ୍ତକରେ । କୁ-ପୃଥିବୀ ।

୨୧ଶ ପଦ :- ସେହି ଉପମିତ ସୂର୍ଯ୍ୟ ହନୁମାନ ପ୍ରକୃତ ସୂର୍ଯ୍ୟଙ୍କ ପରି ତେଜପୁଞ୍ଜକୁ ବିସ୍ତାରକଲା ଓ ସୂର୍ଯ୍ୟ ଦକ୍ଷିଣାୟନ ତ୍ୟାଗପୂର୍ବକ ଉତ୍ତରାୟଣ ଗତି କଲାପରି ଦକ୍ଷିଣ ଦିଗକୁ ପରିତ୍ୟାଗ କରି ଉତ୍ତର ଦିଗକୁ ଯିବାକୁ ବିଚାର କଲା । ବୀରଶ୍ରେଷ୍ଠ ହନୁମାନ ଭ୍ରମବଶତଃ ଅଯୋଧ୍ୟା ନଗରୀର ଉପରି ଭାଗରେ ଗମନ କରୁଥିବା ସମୟରେ ବୀର ଭରତ ପୁର ମଧ୍ୟରେ ନୈଶ୍ୟ ଭ୍ରମଣ କରୁଥିଲେ । ସେ ହନୁମାନର ଗମନ ଶବ୍ଦ ଶୁଣି ଗୋଟାଏ ବାଟୁଳି ମାରିବାରୁ ସେହି ବାଟୁଳିର ଆଘାତରେ ହନୁମାନ ଭୂତଳରେ ପତିତ ହୋଇ ଅଳ୍ପ ମୂର୍ଚ୍ଛିତ ହେଲା ଏବଂ ସଙ୍ଗେ ସଙ୍ଗେ ଚେତା ପାଇ ଉଠି ପର୍ବତକୁ ମୁଣ୍ଡରେ ଧରି ଦଣ୍ଡାୟମାନ ହୋଇ ଭରତଙ୍କୁ ପଚାରିଲେ, ‘‘ଆଉ ରାତ୍ରି କେତେ ଅଛି ?’’

 

୨୨ଶ ପଦ :- ନିଶିଥିନୀ-ରାତ୍ରି । ବିଧୁ-ଚନ୍ଦ୍ର । ରଭସେ-ଶୀଘ୍ର । ବିଗ୍ରହ-ଯୁଦ୍ଧ । ଡାକିନୀସ୍ଥାନ-ଶ୍ମଶାନ ।

 

୨୨ଶ ପଦ :- ଭରତ କହିଲେ, ‘‘ବିଷୟ କଣ ? ତୁମ୍ଭେ କାହିଁକି ତର ତର ହେଉଅଛ ଏବଂ ରାତ୍ରି କେତେ ଅଛି ବୋଲି କାହିଁକି ପଚାରୁଅଛ ? ହନୁମାନ କହିଲା, ‘‘ରାମ ଲକ୍ଷ୍ମଣ ଦୁଇଭାଇ ଦୁର୍ଭେଦ୍ୟ ଲଙ୍କା ପୁରକୁ ଯାଇ ରାବଣ ସହିତ ଯୁଦ୍ଧ କରୁଥିଲେ। ସେହି ଯୁଦ୍ଧରେ ଲକ୍ଷ୍ମଣ ରାବଣର ଶକ୍ତି ଦ୍ୱାରା ବିଦୀର୍ଣ୍ଣ ହୋଇ ଅଛନ୍ତି ।’’ ଏହା ଶୁଣି କୈକେୟୀ ପୁତ୍ର ଭରତ ହଠାତ୍‌ ଚନ୍ଦ୍ରଙ୍କୁ ଚାହିଁ ହନୁମାନକୁ କହିଲେ, ‘ରାମ ଲକ୍ଷ୍ମଣ’’ ଚନ୍ଦ୍ରଙ୍କର ତ କିଛି କ୍ଷତି ହୋଇ ନାହିଁ ? ଡାକୀନୀମାନଙ୍କର ବାସଭୂମିକୁ ଲଙ୍କା କୁହାଯାଏ; ସେଠାରେ ବା ଯୁଦ୍ଧ କାହିଁକି ଲାଗିଲା ଏବଂ ମନୋରମ, ମୃଗ ଏମାନେ ରାମ ନାମରେ ପରିଚିତ; ତୁମ୍ଭ କଥିତ ସେହିରାମ ଏମାନଙ୍କ ମଧ୍ୟରୁ କିଏ ?’’

 

୨୩ଶ ପଦ :- ରାମ-ମନୋହର । ବିଭାନ୍ତେ-ବିବାହ ଶେଷରେ । ରାମ-ମାୟା ମୃଗ । ବାମ-ପ୍ରତିକୂଳ ।

 

୨୩ଶ ପଦ :- ହନୁମାନ ଉତ୍ତର ଦେଲା, ‘‘ଲଙ୍କାପୁର ଅସୁରଙ୍କ ବାସସ୍ଥାନ ଅଟେ । ଶୋଭା ଯାହାର ଦେହକୁ ଆଶ୍ରୟ କରିଅଛି, ଯେ ବିଭା ଶେଷରେ ପର୍ଶୁରାମଙ୍କୁ ଜୟ କରିଥିଲେ, ସେହି ରାମ ବନବାସ ସମୟରେ ମାୟା ମୃଗକୁ ବାନ୍ଧିବା ନିମିତ୍ତ ଦୂରକୁ ଯିବାରୁ ଲଙ୍କାର ରାଜା ରାବଣ ସୀତା ଦେବୀଙ୍କି ଚୋରାଇ ନେଇଗଲା । ସେ ରାମ ଦଶରଥଙ୍କର ପୁତ୍ର ବୋଲି ବ୍ରହ୍ମାଣ୍ଡରେ ଖ୍ୟାତ ଅଟନ୍ତି । ପୁଣି ସେହି ରାମ କିସ୍କିନ୍ଧ୍ୟାରାଜ ବାଳୀକୁ ମାରି ତାର ଭାଇ ସୁଗ୍ରୀବ ସହିତ ମିତ୍ର ହୋଇ ବାନର ବଳ ସଙ୍ଗରେ ଧରି ପଥରରେ ସମୁଦ୍ର ବାନ୍ଧି ଅଛନ୍ତି ଏବଂ ସାଗର ପାର ହୋଇ ଯାଇ ରାବଣର ଶତ୍ରୁତାଚରଣ କରିଛନ୍ତି ।’’

 

୨୪ଶ ପଦ :- ବାଚକ-କହିଲେ । ଅନୁଜ-ସାନଭାଇ । ହରି-ବଲ୍ଲଭୀ, ସିଂହୀ । ବଞ୍ଚକ-ବିଲୁଆ । ତୃଣାଙ୍କୁରେ-ବାଳୁଙ୍ଗାଧାନର ଶୁଙ୍ଗଦ୍ୱାରା । ଗଣ୍ଡକ-ଗଣ୍ଡା ।

 

୨୪ଶ ପଦ :- ହନୁମାନର ବାକ୍ୟ ଶୁଣି ଭରତ କହିଲେ, ‘ମୁଁ ସେହି ରାମଙ୍କର ସାନଭାଇ ଅଟେ । ମୋ ନାମ ଭରତ। କି ଆଶ୍ଚର୍ଯ୍ୟ କଥା ଶୁଣିବାକୁ ହେଲା ! ସିଂହ ଭାର୍ଯ୍ୟାକୁ ଶୃଗାଳ ନେଇଯାଇ ଲୁଚାଇ ଅଛି । ବାଳୁଙ୍ଗା ଧାନ ଶିଙ୍ଗରେ ଗଣ୍ଡା ଜୀବର ଦେହ ଭେଦ ହେଲା ପ୍ରାୟ ରାବଣର ଶକ୍ତିରେ ଲକ୍ଷ୍ମଣଙ୍କ ଦେହ ଭେଦ ହେଲା !’’ ଏହା ଶୁଣି ହନୁମାନ କହିଲା, ‘‘ସେ କଥା ନୁହେଁ । ପୂର୍ବେ ଯେପରି ସମୁଦ୍ରରେ ଲକ୍ଷ୍ମୀ ଗୁପ୍ତ ହୋଇ ରହିଥିଲେ, ମନ୍ଦର ପର୍ବତ ଦ୍ୱାରାମନ୍ଥିତ ହେବାରୁ ସେହି ଲକ୍ଷ୍ମୀ ପୁଣି ସଂସାରରେ ପ୍ରକାଶିତ ହେଲେ, ସେହିପରି ଲକ୍ଷ୍ମୀ ରୂପିଣୀ ସୀତା ସମୁଦ୍ରରେ ଗୁପ୍ତ ହୋଇଅଛନ୍ତି ।  ମନ୍ଦ ରାବଣର ବିନାଶରେ ସେ ପୁଣି ପ୍ରକଟ ହେବ । ଐରାବତ ହସ୍ତୀର ଦନ୍ତ ମେରୁ ପର୍ବତରେ ଭେଦିଲା ପ୍ରାୟ ରାବଣର ଶକ୍ତି ଲକ୍ଷ୍ମଣଙ୍କ ଦେହରେ ଭେଦ କରିଅଛି ।’’

 

୨୫ଶ ପଦ :- ସାଦର-ଆଦର ବା ଗୌରବର ସହିତ । ନିୟମ-ସପଥ । ପାବନି-ହନୁମାନ । ଅବନୀ-ପୃଥିବୀ । ସୁମିତ୍ରାସୁତ-ଲକ୍ଷ୍ମଣ ।

 

୨୫ଶ ପଦ :- ଭରତ ଓ ହନୁମାନ ଦୁହେଁ ନିଜ ନିଜ ପରାକ୍ରମ ନାଶଯିବା ହେତୁ ଦୁଃଖିତ ମନରେ ଆଦରର ସହିତ ପରସ୍ପରର ବଡ଼ିମା ରଖିବାକୁ ଶପଥ କଲେ । (ଯେଉଁ ଭରତଙ୍କ ବାଟୁଳିରେ ସମଗ୍ର ବ୍ରହ୍ମାଣ୍ଡରେ ଅସାଧ୍ୟ କିଛି ନାହିଁ, ସେହି ବାଟୁଳି ବାଜି ସୁଦ୍ଧା ହନୁମାନର କ୍ଷତି ହେଲା ନାହିଁ- ଏହାଦ୍ୱାରା ଭରତଙ୍କ ବଡ଼ିମା ହାନି ହେଲା । ପୁଣି ଯେଉଁ ହନୁମାନ ଜନ୍ମବେଳେ ସୂର୍ଯ୍ୟଙ୍କୁ ଗିଳିବାକୁ ଅଗ୍ରସର ହୋଇଥିଲା, ସାମାନ୍ୟ ବାଟୁଳିରେ ସେ ମୂର୍ଚ୍ଛାଗତ ହେଲା- ଏହାଦ୍ୱାରା ହନୁମାନର ବଡ଼ିମା ହାନି ହେଲା । ଏ କଥା କେହି ପ୍ରକାଶ କରିବେ ନାହିଁ-ଏହିପରି ଶପଥ କଲେ) ଅନନ୍ତର ହନୁମାନ ଆକାଶରେ ବି ଗମିଯାଇ ଯୁଦ୍ଧ ଭୂମିରେ ପ୍ରବେଶ ହେଲା । ଜାମ୍ୱବ ଓ ସୁଷେଣମନ୍ତ୍ରୀଦ୍ୱୟ ହନୁମାନର ମସ୍ତକରୁ ଗିରି ଓହ୍ଲାଇ ରଖିଲେ । ଔଷଧ ବୃକ୍ଷ ଚିହ୍ନି ତହିଁରୁ ପତ୍ର ନେଇ ମର୍ଦ୍ଦନ କରି ନାସ ଦେବାରୁ ଲକ୍ଷ୍ମଣଙ୍କର ମୂର୍ଚ୍ଛା ନାଶ ଗଲା ଏବଂ ଘାଆର ଚିହ୍ନ ସୁଦ୍ଧା ଲୁଚିଗଲା । ବୀର ଲକ୍ଷ୍ମଣ ଚେତା ପାଇ ଶୀଘ୍ରଉଠିଲେ ।

 

ବସନ୍ତେ ସେ ଜଡ଼ିଶକ୍ତିଘାତ ତୁଟି ବିକାଶନ୍ତି ରାମ ନଳିନ ମଳିନ ଆସ୍ୟ ।

ବିରସ ତେଜି କୁମୁଦ ପ୍ରଭୃତି ଲଭିଲେ ମାଦ ଲକ୍ଷଣଯୁକ୍ତ ଜ୍ୟୋତି ପ୍ରକାଶ ସେ

ବାର୍ତ୍ତା ଶୁଣି । ବିଶ୍ରବାସୁତ ଖର ନିଃଶ୍ୱାସୀ ।

ବିଧାତାଦ୍ରି ଶଙ୍ଗ ସ୍ଥାନେ             ଥୋଇ ଯାଉଁ ହନୁମାନେ

ସୈନ୍ୟ ପେଷୁ ଲାଙ୍ଗୁଳେ ସେ ଧ୍ୱଂସି ଯେ । ୨୬ ।

 

ବିଭାବରୀ ଶେଷକାଳେ ସ୍ଫୁରିତ ଶଙ୍ଖ ମଙ୍ଗଳେ ସ୍ଥୁଳଜଙ୍ଘ କୁତାମ୍ବୁଳେ ତୋଷି ।

ବରଗିଲା ଗଲା କ୍ଷଣେ ଚମୁସଙ୍ଗେ ତୀକ୍ଷ୍‌ଣବାଣେ ମର୍କଟ ପ୍ରକଟ ହେବା ଗ୍ରାସି ସେ ।

ବଷଗ୍ରାବ । କହ ଓଗାଳିଲା ଆସି ନୀଳ ।

ବିଶ୍ୱକର୍ମାସୁତ ହନୁ                  ମନ୍ତ କପିପତିସୁନୁ

ସମ୍ଭରବେ ଆରମ୍ଭେ ତୁମୁଳ ଯେ । ୨୭ ।

 

ବିଧୁନ୍ତୁଦ ବାଳିପୁତ୍ର ଜ୍ୟୋତିହୀନ ଚନ୍ଦ୍ର ନେତୃମୋଚକର୍ଣ୍ଣେ ପାବନି ଶାର୍ଦ୍ଦୁଳ ।

ବଳିପୁଷ୍ଟ ନଳ ତହିଁ ଉଲ୍ଲୁକ ବିଘାତ ବିହି ଧରି ଏହି ବେନିସ୍ୱନ ଶିଳ ଯେ ।

ବିଲୋକରେ । ବୀର ସ୍ଥୁଳଜଙ୍ଘ ଘୋରତର ।

ବର୍ଷାଘନ ଘନ ଶର                  ଦରେ ଖର ନୀଳ ଦୂର

କୁନ୍ଦ ଫୁଟିଲା ତୁ ହୀନ ଗିର ଯେ । ୨୮ ।

 

ବ୍ୟାଖ୍ୟାନ ଶିଶିରେ ଶୀର୍ଣ୍ଣ ସାରସ ପ୍ରଭୃତି ସ୍ୱନ ମଧୁମତ୍ତ ସେହି ତପବଳେ ।

ବିଭାବସବଂଶ ଯୋଗେ ପ୍ରକାଶମାନରୁନଗେ କାଳରୀତିଶେଷ ତତକାଳେ ସେ ।

ବୈଦେହୀଶ । ବିଭୀଷଣେ ପୁଚ୍ଛା କଲେ ଏକେ ?

ବଳିଲା କୁମ୍ଭକର୍ଣ୍ଣରୁ                  ଏତ ଇନ୍ଦ୍ରଜିତଠାରୁ

ରଥ ଆଣି ପର୍ବତରେ ଟେକେ ଯେ । ୨୯ ।

 

ବଳ କ୍ଷୟାତିଥି ଯୋଗୁ ଘୁଞ୍ଚାଇ ସେନାନୀଉର୍ଗ ଉପୁଜାଇଲା ଇତର କୀର୍ତ୍ତି ।

ବିଖ୍ୟାତ ଉତ୍ତର ଇନ୍ଦୁମତୀନନ୍ଦନ ଏ ଇନ୍ଦୁ ମତି ତପ ପରି ଗତି ନୀତି ଯେ ।

ବିଧ୍ୱଂସନ । ବିଭୁଦରଶନ ଦରଶରେ ।

ବୋଲାଇ ଏ ସ୍ଥୁଳଜଙ୍ଘ            ଠୁଳ ସକଳ ପ୍ଲବଙ୍ଗ

ବଳେ ଆଣି କଲା ଏକଠାରେ ସେ । ୩୦ ।

 

୨୬ଶ ପଦ :- ବସନ୍ତ-ଋତୁବିଶେଷ । ଜଡ଼-ଅଚେତନ, ଶୀତଋତୁ । ନଳିନ-ପଦ୍ମ । ଆସ୍ୟ-ମୁଖ । ବିଶ୍ରବାସୁତ-ରାବଣ। ବିଧାତାଦ୍ରି-ଶୃଙ୍ଗ-ଗନ୍ଧମାର୍ଦ୍ଦନ ପର୍ବତର ଶୃଙ୍ଗ ।

୨୬ଶ ପଦ :- ଲକ୍ଷ୍ମଣ ଉଠି ବସନ୍ତେ ବସନ୍ତକାଳର ଉପମା ହେଲା । ବସନ୍ତରେ ଶିଶିର ବିନାଶ ହେତୁ ପଦ୍ମ ବିକଶିତ ହେଲା ପ୍ରାୟ ଲକ୍ଷ୍ମଣଙ୍କର ଅଜ୍ଞାନତା ନାଶ ହେବାରୁ ରାମଚନ୍ଦ୍ରଙ୍କର ଶୁଷ୍କ ମୁଖପଦ୍ମପ୍ରଫୁଲିତ ହେଲା । ବସନ୍ତରେ କୁମୁଦଆଦିଫୁଲସବୁପ୍ରସ୍ଫୁଟିତହେଲାପରି, ଲକ୍ଷ୍ମଣ ଉଠିବାରୁ କୁମୁଦ ଆଦି ବାନର ସେନାଗଣ ଆନନ୍ଦିତ ହେଲେ । ବସନ୍ତରେ ଚନ୍ଦ୍ର ଜ୍ୟୋତିଉଜ୍ଜ୍ୱଳ ହେଲା ପ୍ରାୟ ଲକ୍ଷ୍ମଣଙ୍କୁ ଦେଖି ରାମଙ୍କର ଜ୍ୟୋତି ପ୍ରକାଶିତ ହେଲା । ଚାରି ମୁଖରୁ ଏହିସବୁ ବର୍ତ୍ତା ଶୁଣି ରାବଣ ଦୀର୍ଘ ନିଶ୍ୱାସ ପକାଇଲା । ହନୁମାନ ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଗକୁ ଯଥାସ୍ଥାନରେ ରଖିବା ପାଇଁ ଯାଆନ୍ତେ, ରାବଣ ତାକୁ ମାରି ପର୍ବ ଛଡ଼ାଇ ଆଣିବା ପାଇଁ ସୈନ୍ୟ ପଠାଇଲା । ହନୁମାନ ସେ ସୈନ୍ୟମାନଙ୍କୁ ଲାଙ୍ଗୁଳରେ ଗୁଡ଼ାଇ ମାରି ପକାଇଲା ।

 

୨୭ଶ ପଦ :- ବିଭାବରୀ-ରାତ୍ରୀ । ସ୍ଫୁରିତ-ଉଚ୍ଚାରିତ । ତାମ୍ୱୁଳ-ପାନ । ଚମୁସଙ୍ଗେ-ସୈନ୍ୟମାନଙ୍କ ସହିତ । ଗ୍ରୀବ-ପଥର । ବିଶ୍ୱକର୍ମାସୁତ-ନଳ । କପିପତିସୁନୁ-ଅଙ୍ଗଦ । ସମ୍ଭରବେ-ସମାରୋହରେ, ଆଡ଼ମ୍ୱର ସହକାରେ । ତୁମୁଳ-ଘୋରଯୁଦ୍ଧ ।

 

୨୭ଶ ପଦ :- ରାତ୍ର ଶେଷ ହେବାରୁ ପ୍ରଭାତ କାଳର ମଙ୍ଗଳ ଶଙ୍ଖ ବାଜିଲା । ରାବଣ ସ୍ଥଳଜଙ୍ଘ ନାମକ ରାକ୍ଷସକୁ ପାନ ଗୁଆ ଦେଇ ବରଣ କରିବା ଦ୍ୱାରା ତାର ତୋଶ ବିଧାନ କରି ଯୁଦ୍ଧ ପଠାଇଲା । ସେ ସୈନ୍ୟମାନଙ୍କୁ ସଙ୍ଗରେ ଧରି ଯିବାମାତ୍ରକେ ଯୁଦ୍ଧକ୍ଷେତ୍ରରେ ଯୁଦ୍ଧ କରୁଥିବା କପିସେନାମାନଙ୍କୁ ସୁତୀକ୍ଷ୍‌ଣ ବାଣ ମାରି ପରାଜିତ କରି ପକାଇଲା ।

 

୨୮ଶ ପଦ :- ବିଧୁନ୍ତୁଦ-ରାହୁ । ଜ୍ୟୋତିହୀନ-ନିସ୍ତେଜ । ଇନ୍ଦ୍ରନେତ୍ର-ରାକ୍ଷସ ବିଶେଷ । ମୋଚକର୍ଣ୍ଣ-ରାକ୍ଷସବିଶେଷ, ଛେଳି । ପାବନି-ହନୁମାନ । ଶାର୍ଦ୍ଦୁଳ-ବ୍ୟାଘ୍ର । ବଳିପୁଷ୍ଟ-କୁଆ । ଉଲ୍ଲୁକ-ପେଚା । ବର୍ଷାଘନ-ବର୍ଷୁକ-ମେଘ । ଖର-ଶୀଘ୍ର, ଗଧ । କୁନ୍ଦ-ପୁଷ୍ପବିଶେଷ । ତୁହିନ-ଶୀତଋତୁ; ତୁ ହୀନ । ଘନଶରଦରେ-ନିବିଡ଼ଜଳ ଦେଲା ପ୍ରାୟ, ନିବିଡ଼ ଶରଦ୍ୱାରା ଖଣ୍ଡ ଖଣ୍ଡ କରିବାରୁ, ବିସ୍ତାର ଶରତ ଋତୁରେ ।

 

୨୮ଶ ପଦ :- ଅଙ୍ଗଦ ରାହୁପ୍ରାୟ ଯାଇ ଚନ୍ଦ୍ର ସଦୃଶ ଚନ୍ଦ୍ର ନେତ୍ର ରାକ୍ଷସକୁ ଗ୍ରାସ କରିବାରୁ ସେ ନିସ୍ତେଜ ହୋଇଗଲା । ହନୁମାନ ବ୍ୟାଘ୍ର ପ୍ରାୟ ଗାଈ ଛାଗସମ ମୋଚକର୍ଣ୍ଣ ରାକ୍ଷସକୁ ବିନାଶକଲା । ସେହି କାଳରେ ନଳ କାକପ୍ରାୟ ଉଡ଼ିଯାଇ ପେଚାତୁଲ୍ୟ ଉଲୁକ ରାକ୍ଷସକୁ ଧରି ବଧ କଲା । ଏହି ଦୁଇ ରାକ୍ଷସ ଗର୍ଜନ କରି ପ୍ରାଣ ଛାଡ଼ିଲେ । ଏହା ଦେଖି ମହାଭୟଙ୍କର ବର୍ଷୁକ ମେଘ ନିବିଡ଼ ଜଳ ବର୍ଷା କଲାପ୍ରାୟ ବୀର ସ୍ଥୂଳଜଙ୍ଘ ନିବିଡ଼ ଶରଦ୍ୱାରା ରଣକ୍ଷେତ୍ର ଆଚ୍ଛନ୍ନ କରି ପକାଇଲା । ନିବିଡ଼ ଶରତ୍‌ ଋତୁରେ ମେଘର ନୀଳିମାଦୂର ହେଲା ପ୍ରାୟ ନୀଳ ସେନାପତି ଶୀଘ୍ର ଗଧ ପ୍ରାୟ ହୋଇ ପଳାୟନ କଲା । ସୈନ୍ୟମାନେ ପରସ୍ପରକୁ କୁହା କୋହି ହେଲେ ‘ତୁହୀନ’ । ଏହି ‘ତୁ ହୀନ’ ଶବ୍ଦ ତୁହିନି ହିମଋତୁ ପ୍ରାୟ ପ୍ରତୀତ ହେଲା । ହିମ ଋତୁରେ କୁନ୍ଦପୁଷ୍ପ ଫୁଟିଲାପ୍ରାୟ କୁନ୍ଦ ସେନାପତି ରଣ କରି କରି କ୍ଳାନ୍ତ ହୋଇପଡ଼ିଲା । ଅଙ୍ଗଦ ଚନ୍ଦ୍ରନେତ୍ରକୁ ହନୁମାନ ମୋଚକର୍ଣ୍ଣକୁ ଓ ନଳ ଉଲୁକକୁ ବଧ କରିବାରୁ ସ୍ଥୂଳଜଙ୍ଘ ଅନବରତ ଶର ନିକ୍ଷେପ କଲା । ଫଳରେ ନୀଳ ଭୟ ପାଇ ପଳାଇଲା, କୁନ୍ଦ ସେନାପତି କ୍ଳାନ୍ତ ହୋଇ ପଡ଼ିଲା । ଏହିପଦରେ ବର୍ଷା ଶରତ୍‌ ହେମନ୍ତର ବର୍ଣ୍ଣନା କରାଯାଇଅଛି )

 

୨୯ଶ ପଦ :- କାଳରୀତି-ମୃତ୍ୟୁ ରୀତି , ବର୍ଷାଦି ଛଅ ଋତୁର ରୀତିପରି । ଶିଶିରେ-ଶିଶିରନାମକ ବାଣଦ୍ୱାରା । ସାରସ-ପଦ୍ମ, ଅସୁର ବିଶେଷ । ପ୍ରଭୃତ-କୋକିଳ, ପରାକ୍ରମ । ମଧୂମତ୍ତ-ମଦ୍ୟପାନରେ ମତ୍ତ । ମଧୁମତ-ବସନ୍ତ ଋତୁପରି । ବଂଶ-ବାଉଁଶ । ନଗ-ପର୍ବତ । ବୈଦେହିଶ-ରାମଚନ୍ଦ୍ର । ବିଭାବସୁ-ଅଗ୍ନି, ଅଗ୍ନିଶର । ତପଦଳେ-ଗ୍ରୀଷ୍ମଋତୁର ଗ୍ରୀଷ୍ମ ପ୍ରାଚୁର୍ଯ୍ୟ ହେତୁ, ତପସ୍ୟାବଳରେ, ପ୍ରତାପବଳରେ ।

 

୨୯ଶ ପଦ :- ‘ସାରସ’ ପଦ୍ମଶିଶିର ଋତୁରେ ଶୀର୍ଣ୍ଣ ହେଲାପ୍ରାୟ ସାରସ ନାମକ କପି ସ୍ଥୂଳଜଙ୍ଘର ଶିଶିର ନାମକ ଶରରେ ଶୀର୍ଣ୍ଣ ହୋଇ ପଡ଼ିଲା । ମଦ୍ୟପାନରେ ମତ୍ତ ହୋଇଥିବା ସ୍ଥୂଳଜଙ୍ଘ ବସନ୍ତ ଋତୁ ସଦୃଶ ହେଲା । ବସନ୍ତ ଋତୁରେ ପିକ ସ୍ୱନ କଲାପ୍ରାୟ ଶତ୍ରୁମାନେ ତାହା ଦ୍ୱାରା ଧୃତ ହୋଇ ଶବ୍ଦ କରିବାକୁ ଲାଗିଲେ । ତତ୍‌ପରେ ଗ୍ରୀଷ୍ମ ଋତୁର ପ୍ରବଳ ଗ୍ରୀଷ୍ମ ଯୋଗେ ପର୍ବତରେ ଅଗ୍ନିଲାଗି ବାଉଁଶ ଆଦି ବୃକ୍ଷସବୁ ଜଳିଲା ପ୍ରାୟ ସୂର୍ଯ୍ୟବଂଶୀ ରାମ ତପସ୍ୟା ପ୍ରଭାବରେ ବାଉଁଶଧନୁରେ ଅଗ୍ନିଶର ପ୍ରୟୋଗ କରି ସୁବେଳ ପର୍ବତ ଉପରେ ବିରାଜିତ ହେଲେ । ତାଙ୍କ ଶର ପ୍ରୟୋଗଦ୍ୱାରା ବର୍ଷା ଆଦି ଛଅ ଋତୁର ରୀତି ପରି ସ୍ଥୂଳଜଙ୍ଘର ମୃତ୍ୟୁ ରୀତି ସମାପ୍ତ ହେଲା । (ଏ ଦୁଇ ପଦରେ ଯେପରି ଛଅ ଋତୁର ବର୍ଣ୍ଣନା ଶେଷ କରାଗଲା, ସେହିପରି ରାମଚନ୍ଦ୍ରଙ୍କ ଅଗ୍ନିଶରରେ ସ୍ଥୂଳଜଙ୍ଘର ପ୍ରାଣ ଶେଷ ହେଲା ।) ତତ୍‌ପରେ ରାମଚନ୍ଦ୍ର ବିଭୀଷଣକୁ ପୁଚ୍ଛା କଲେ, ‘‘ଏ ରାକ୍ଷସ କିଏ ? ଏ ତ କୁମ୍ଭକର୍ଣ୍ଣଠାରୁ ଓ ଇନ୍ଦ୍ରଜିତଠାରୁ ବୀରପଣରେ ବଳିଗଲା । କାରଣ ସେମାନେ ସୁବେଳ ପର୍ବତ ପର୍ଯ୍ୟନ୍ତ ଆସିପାରି ନ ଥିଲେ, ଏ ଆମ ସୈନ୍ୟଙ୍କୁ ହଟାଇ ଏ ପର୍ଯ୍ୟନ୍ତ ତା ରଥ ଚଳାଇ ଆଣିଲା । ’’

 

୩୦ଶ ପଦ :- ଇନ୍ଦୁମତି-ଚନ୍ଦ୍ରସଦୃଶ କୀର୍ତ୍ତିମନ୍ତ । ପ୍ଳବଗ-ବାନର ।

 

୩୦ଶ ପଦ :- ‘‘ପୁଣି ଏହିବୀର କ୍ଷୟାତିଥି ପ୍ରାୟ ମୋର ସୈନ୍ୟମାନଙ୍କୁ କ୍ଷୟ କରିବାରୁ ସେନାପତିମାନେ ଘୁଞ୍ଚି ପଳାଇଗଲେ । ତାହା କଣ ସାମାନ୍ୟ ଲୋକପକ୍ଷରେ ସମ୍ଭବ ?’’ ରାମଚନ୍ଦ୍ରଙ୍କର ଏ ପ୍ରଶ୍ନ ଶୁଣି ବିଭୀଷଣ ଉତ୍ତରଦେଲେ ‘‘ଏ ରାବଣ ଭାର୍ଯ୍ୟା ଇନ୍ଦୁମତୀର ପୁତ୍ର । ଏ ଚନ୍ଦ୍ରପ୍ରାୟ କୀର୍ତ୍ତିମନ୍ତ ଓ ସୂର୍ଯ୍ୟପ୍ରାୟ ଗତିଶୀଳ ଅଟେ । ହେ ବିଭୁ ! ଚନ୍ଦ୍ର ଅମାବାସ୍ୟା ଦିନ ବିନାଶ ହେଲାପରି ସେ ଆପଣଙ୍କ ଦର୍ଶନରେ ବିନାଶ ହେଲା । ତାହାର ନାମ ସ୍ଥୂଳଜଙ୍ଘ ଅଟେ । ତାର ଏତେ ବଳ ଯେ, ସେ ଅକ୍ଳେଶରେ ମର୍କଟ ସୈନ୍ୟସମୂହକୁ ବଳରେ ହଟାଇ ଆଣି ଏକତ୍ରିତ କରି ଦେଲା ।’’

 

ବିଦାରି ହୋଇବା ଗାତ୍ର କରାଇ କଣ୍ଡୁରାପତ୍ରଜ ପାତ ତଥା ରାବଣି ଏ ।

ବୋଲୁଁ ରାମ ପ୍ରତ୍ୟୁତ୍ତର ରହିଲା ବୃକ୍ଷ ମାତର ହେଲାପଲାଶି ହତ ସମୟେ ସେ ।

ବାର୍ତ୍ତା ପାଇ !  ବିସ୍ଥିରତା ନିକଷା ତନୟେ ।

ବିଷ୍ଣୁ ପଦକୁ ବିସ୍ମୟେ            ଚାହୁାଁ ଶଙ୍କି ଦେବତାଏ

ନ ପୁଣସ୍ୱର୍ଗ କରେ ବିଜୟେ ଯେ । ୩୧ ।

ବଦନ କରୁଁ ମହୀକି ସେ ଭାଳେ ତର୍ଜେ ଅହିକି ଏକ୍ଷଣି ମୋତେ କେ ଆଉଧରୁ ।

ବିବେକ ଉଦୟଚିତ୍ତେ ଦଇବେ ହୋଇ ଉଚିତେ ଆଗ ରଘୁନାଥ ଶରତରୁ ଯେ ।

ବିପକ୍ଷରେ । ବିଜେ ସୁବେଳଗିରି ଉପରେ ।

ବତିଶ ପଦେ ରଞ୍ଜନ            ଛାନ୍ଦ ବୁଝିବ ସୁଜନ

କୃତ ଉପଇନ୍ଦ୍ର ବୀରବରେ ଯେ । ୩୨ ।

 

୩୧ଶ ପଦ :- କଣ୍ଡୁରାପତ୍ରରଜ-ବାଇଡ଼ଙ୍କ ପତ୍ରର ଅଂଶୁ । ରାବଣିଏ-ରାବଣର ପୁତ୍ରମାନେ । ନିକଷାତନୟ-ରାବଣ । ବିଷ୍ଣୁପଦ :- ଆକାଶ ।

 

୩୧ଶ ପଦ :- ‘‘ହେ ବୀର ! ବାଇଡ଼ଙ୍କ ପତ୍ରର ଅଂଶୁଲାଗିଲେ ଯେପରି ଦେହ କୁଣ୍ଡାଇ ହୁଏ, ସେହିପରି ରାବଣର ପୁତ୍ରମାନେ ଯାହା ସହିତ ଲାଗନ୍ତି, ତାହାକୁ ଯନ୍ତ୍ରଣା ପ୍ରଦାନ କରନ୍ତି ।’’ ବିଭୀଷଣ ଏହା କହିବାରୁ ରାମ ପ୍ରତ୍ୟୁତ୍ତର ଦେଲେ, ‘ଗ୍ରୀଷ୍ମ କାଳରେ ପଲାଶପତ୍ର ସବୁ ନଷ୍ଟ ହୋଇ କେବଳ ବୃକ୍ଷ ରହିବା ପ୍ରାୟ ବୃକ୍ଷ ପ୍ରାୟ ରହିଅଛି ।’’ ଯୁଦ୍ଧର ବାର୍ତ୍ତା ପାଇ ରାବଣ ଅସ୍ଥିର ହୋଇ ପଡ଼ିଲା । ବିସ୍ମୟରେ ଆକାଶକୁ ଚାହିଁବାରୁ ଦେବତାମାନେ ଭୟପ୍ରାପ୍ତ ହୋଇ ଭାବିଲେ, ପୁତ୍ର ଶୋକରେ ଅଧୀର ହୋଇ ରାବଣ ସ୍ୱର୍ଗପୁରକୁ ବିଜେ କରି ଆସି ଆମକୁ ଆକ୍ରମଣ କରିବ କି ?’’

 

୩୨ଶ ପଦ :- ଶୋକ ହେତୁ ପୁଣି ରାବଣ ତଳକୁ ମୁହଁ କରି ଚାହିଁବାରୁ ପୃଥିବୀ ବିଚାର କଲା, ‘‘ନାଗରାଜ ବାସୁକି ରାବଣର ଏ ଦୃଷ୍ଟିକୁ ଦେଖି ଭୟ କରି ମୋତେ ଛାଡ଼ି ଦେଲେ ଆଉ କିଏ ମୋତେ ଧରିବ ?’ ଦୈବ ଯୋଗରେ ତା ମନରେ ପୁଣି ଏହି ବିଚାର ସ୍ଥାନ ପାଇଲା, ‘ରାବଣ ଆଗ ରାମଚନ୍ଦ୍ରଙ୍କ ବାଣରୁ ଉଦ୍ଧାର ପାଉ ।’’ ଅନନ୍ତର ରାମଚନ୍ଦ୍ର ନିଜର ସହାୟକ ସୁଗ୍ରୀବାଦିମାନଙ୍କୁ ନେଇ ସୁବେଳ ଗିରିକୁ ବିଜେ କଲେ । ହେ ସାଧୁଜନେ ! ବୀରବର ଉପେନ୍ଦ୍ର ଭଞ୍ଜ କୃତ ଏଛାନ୍ଦ ବତିଶ ପଦରେ ମନୋହର ହୋଇଅଛି ।

 

ଅଷ୍ଟଚତ୍ୱାରିଂଶ ଛାନ୍ଦ

ରାଗ-ବଳଘଣ୍ଟ କେଦ

 

ବୋଇଲା । ବସି ପୁରେ ବଶୀଭୂତ ବାମାରେ ଲଙ୍କେଶ ଯେ ।

ବିପତ୍ତି ଉତ୍ପତ୍ତି ଏ ସମ୍ପତ୍ତି ଗଲା ନାଶ ଯେ । ୧ ।

ବୋଇଲା । ବଂଶତରୁ ପରା ବଂଶ ପଲ୍ଲବେ ତରୁଣ ଯେ ।

ବସନ୍ତ ରାମବଶରେ ହତ ପୁଣପୁଣ ଯେ । ୨ ।

ବୋଇଲା । ବ୍ୟାଧିଭାବ ସୀତାଭାବ ହୃଦୟେ ଉଦୟେ ଯେ ।

ବିଶେଷ ଶେଷ ହେବାର ଉପାୟ ନ ପାଏଁ ଯେ । ୩ ।

ବୋଇଲା । ବଲ୍ଲଭୀଶ୍ରେଷ୍ଠ ତା ଲଭି ଭରସା ରସଇ ଯେ ।

ବିହି ତହି ତ ଭେଷଜ ସଜ୍ଜନିତ ଏହି ଯେ । ୪ ।

ବୋଇଲା । ବ୍ୟାସବୃଦ୍ଧି ସୀତା ମଧୁରତା ରତା ମୁଞ୍ଚ ଯେ ।

ବିଭୋ ବିଭୂତିଭୂଷା କନ୍ୟାଦାନ ରଚ ଯେ । ୫ ।

 

୧ମ ପଦ :- ସ୍ଥୂଳଜଙ୍ଘର ବିନାଶ ପରେ ରାବଣ ମନ୍ଦୋଦରୀ ପ୍ରଭୃତି ସ୍ତ୍ରୀମାନଙ୍କଠାରେ ବଶୀଭୂତ ହୋଇ ଅନ୍ତଃପୁର ମଧ୍ୟରେ ବସି କହିଲା, ‘‘ସୀତା ହରଣ ହେତୁ ବିପଦ ଜାତ ହୋଇମୋର ଏ ସମ୍ପତ୍ତିସବୁ ବିନାଶ କଲା ।’’

 

୨ୟ ପଦ :- ବଂଶତରୁ-ବାଉଁଶ ଗଛ । ପଲ୍ଲବ-ପତ୍ର ।

 

୨ୟ ପଦ :- ମୋହର ବଂଶ ବାଉଁଶ ଗଛ ପ୍ରାୟ ପତ୍ରବିମଣ୍ଡିତ ହୋଇଥିଲା । ମାତ୍ର ବସନ୍ତଋତୁରେ ବାଉଁଶ ଗଛ ପତ୍ରହୀନ ହେଲାପ୍ରାୟ, ରାମ ଯୋଗୁଁ ମୋର ବିସ୍ତାର ପାଇଥିବା ତରୁଣ ପୁତ୍ରମାନେ ବିନାଶ ପାଇଲେ (ମୁଁ ଖୁଣ୍ଟା ଗଛ ପ୍ରାୟ ଏକା ରହିଅଛି ) ।

 

୩ୟ ପଦ :- ସୀତା ମୋତେ ନ ଭଜି ମୋର ବ୍ୟାଧିରୂପରେ ଅନ୍ତଃକରଣରେ ଉଦୟ ହୋଇ ରହିଅଛି । ସୀତା କି ଉପାୟରେ ମୋତେ ଭଜିବ ଏବଂ ମୋର ଅନ୍ତର୍ଗତ ଜନିତ ବ୍ୟାଧି ନାଶ ହେବ ସେକଥା ମୁଁ ଜାଣି ପାରୁନାହିଁ । ( ଅଥବା ସୀତାର ଭାବନା କିପରି ମୋ ଅନ୍ତରରୁ ଲୋପ ପାଇବ ତାର ଉପାୟ ମୁଁ ପାଉନାହିଁ ।)

 

୪ର୍ଥ ପଦା :- ବଲ୍ଲଭୀ ଶ୍ରେଷ୍ଠ-ବଡ଼ ପାଟରାଣୀ । ବିହି-ଉପଯୁକ୍ତ । ଭେଷଜ-ଔଷଧ ।

 

୪ର୍ଥ ପଦ :- ରାବଣ ଏହି କଥା ଶୁଣି ତାର ପାଟରାଣୀ ମନ୍ଦୋଦରୀ ଭରସା ପାଇ ମନ ରଞ୍ଜାଇ କହିଲା, ‘‘ଯେପରି ଉତ୍ତମ ଔଷଧ ରୋଗୀର ହିତ କରେ, ସେହିପରି ସାଧୁ ବ୍ୟବହାର ତୁମ୍ଭର ଅନ୍ତର୍ଗତ କାମବ୍ୟାଧିକୁ ବିନାଶ କରି ତୁମ୍ଭପ୍ରତି ହିତକର ହେବ । ’’

 

୫ମ ପଦ :- ମୁଞ୍ଚ-ତ୍ୟାଗକର । ବିଭୂତି-ବିଭୂଷା-ରାମଚନ୍ଦ୍ର ।

 

୫ମ ପଦ :- ‘‘ରୋଗୀ ‘ସୀତା, ଶର୍କରାର ମଧୁରତାରେ ଅନୁରକ୍ତ ହୋଇ ଯେପରି ତାର ବ୍ୟାଧି ବୃଦ୍ଧି ପ୍ରାୟ ହୁଏ ଏବଂ ତାହା ତ୍ୟାଗ କଲେ ରୋଗ ଛାଡ଼ିଯାଏ, ସେହିପରି ସୀତାଙ୍କର ମାଧୁରୀରେ ଅନୁରକ୍ତ ହେଲେ ତୁମ୍ଭର କାମବ୍ୟାଧି ବୃଦ୍ଧି ପାଇବ, ଅତଏବ ତାଙ୍କୁ ତ୍ୟାଗ କରିବା ବିଧେୟ । ହେ ନାଥ ଭସ୍ମ ବିଲେପିତ ଜଟାଧାରୀକୁ ତାର ନାରୀ ପ୍ରଦାନ କର ।’’

 

ବୋଇଲା । ବନବାସୀ - ରସିକା ରସିକା ନୋହିଥିବ ଯେ ।

‘ବନ୍ଧୁ ଜୀବ, ବୋଲିବାକୁ ବନ୍ଧୁଜୀବ ଭାବ ଯେ । ୬ ।

ବୋଇଲା । ବାସ ବାସକିରଙ୍ଗରୁ ରଙ୍ଗ ଇଛେ ଅଳି ଯେ ।

ବିଧିରେ ବିଧିରେ ଶୋଭାରୂପେ ଅଛ ଭୁଲି ଯେ । ୭ ।

ବୋଇଲା । ବିହିଛି ଶୋଭା ଆରମ୍ଭା ରମ୍ଭା ତୁଲେ କେଳି ଯେ ।

ବିଭୋ ଯେତେ ସୁନ୍ଦରୀ ସେ ପୁରନ୍ଦରି ଭଳି ଯେ । ୮ ।

ବୋଇଲା । ବାଳକ ନୁହ ଜମ୍ବାଳ ମଧ୍ୟରେ ନ ମଜ୍ଜ ଯେ ।

ବିମଳ ଉଜ୍ଜ୍ୱଳ ଜଳ ଛାଡ଼ି ମହାରାଜ ଯେ । ୯ ।

ବୋଇଲା । ବାଣୀ ବାଣୀ କେ ତହିଁରେ ପ୍ରମାଣ ପ୍ରମାଣ ଯେ ।

ବନିତାଗଣ ଜନିତା କରେ ପୁଣପୁଣ ଯେ । ୧୦ ।

 

୬ଷ୍ଠ ପଦ :- ‘‘ହେ ନାଥ ! ତୁମ୍ଭେ ଭାବୁଛ ଯେ, ସେ ସୀତା ରସିକା ହୋଇଥିବ । ମାତ୍ର ତାହା ନୁହେଁ, ରସିକା ହୋଇଥିଲେ, ତୁମ୍ଭପରି ରାଜାଙ୍କ ଅନୁରାଗିଣୀ ନ ହୋଇ ବନରେ ବାସ କରୁଥିବା ଲୋକଙ୍କଠାରେ ଅନୁରାଗବତୀ ହୋଇଥାନ୍ତା କି ? (ଅଥବା ବନବାସୀ ସ୍ତ୍ରୀମାନେ କଦାପି ରସିକା ନୁହଁନ୍ତି) । ସେପରି ଅରସିକା ସ୍ତ୍ରୀକୁ ‘ହେ ବନ୍ଧୁ ହେ ଜୀବ, ଏପରି ସମ୍ବୋଧନ ନ କରି ‘ବନ୍ଧୁଜୀବ’ ବଧୁଲ୍ୟ ପୁଷ୍ପ ପ୍ରାୟ ତ୍ୟାଗ କରିବା ଉଚିତ ।

 

୭ମ ପଦ :- ରଙ୍ଗ-କୌତୁକ । ଅଳି-ଭ୍ରମର । ବିଧୀରେ-ନିର୍ବୁଦ୍ଧି ପଣରେ, ଅଜ୍ଞତାରେ ।

 

୭ମ ପଦ :- ମନ୍ଦୋଦରୀ ପୁଣି କହିଲା, ‘‘ସେହି ବଧୁଲ୍ୟଫୁଲ ସୁଗନ୍ଧର ସ୍ଥାନ କି ? କେବଳ ରଙ୍ଗ ଦେଖି ଭ୍ରମର ତାହା ସଙ୍ଗତ କେଳି ଇଚ୍ଛା କରେ । ଦୈବ୍ୟଯୋଗରେ ବୁଦ୍ଧିହୀନ ହୋଇଥିବାରୁ ସେ ବଧୁଲ୍ୟଫୁଲର ଶୋଭାରେ ଭୁଲିଥାଏ, ସେହିପରି ସେ ଅରସିକା ସୀତାଠାରେ ଭ୍ରମ ହେତୁ ମଜ୍ଜି ଅଛି ।’’

 

୮ମ ପଦ :- ‘‘ହେ ନାଥ ! ତୁମ୍ଭେ ଅତି ସୁନ୍ଦରୀ ରମ୍ଭା ଅପ୍‌ସରା ସହିତ କେଳି କରିଅଛ । ସେ ରମ୍ଭା ସଂସାରର ସବୁ ସୁନ୍ଦରୀଙ୍କ ମଧ୍ୟରେ ଶ୍ରେଷ୍ଠ ଅଟେ । (ମାତ୍ର ସୀତା ତ ତାହାଠାରୁ ବଳି ସୁନ୍ଦରୀ ନୁହେଁ, ତେବେ ତା ପ୍ରତି ଅନୁରକ୍ତ ହେଉଛ କାହିଁକି?)’’

 

୯ମ ପଦ :- ପୁଣି ମନ୍ଦୋଦରୀ କହିଲା, ‘‘ହେ ମହାରାଜା ! ତୁମ୍ଭେ ତ ପିଲା ନୁହେଁ, ନିର୍ମଳ ଉଜ୍ଜ୍ୱଳ ଜଳ ଛାଡ଼ି ପଙ୍କ ମଧ୍ୟରେ ବୁଡ଼ନାହିଁ । (ତୁମ୍ଭେ ବାଳକ ପ୍ରାୟ ଅଜ୍ଞାନ ନ ହୋଇ ମୋର ନିର୍ମଳ ଜଳରୂପ କଥାରେ ମଜ୍ଜି ପଙ୍କ ସଦୃଶ ସୀତା ଲୋଭରେ ବୁଡ଼ନାହିଁ) ।’’

 

୧୦ମ ପଦ :- ଜମ୍ୱାଳ ମଧ୍ୟରେ-ପଙ୍କରେ । ନ ମଜ୍ଜ-ମଗ୍ନ ହୁଅ ନାହିଁ ।

 

୧୦ମ ପଦ :- ସେଠାରେ ଥିବା ଅନ୍ୟ ସ୍ତ୍ରୀମାନେ ମନ୍ଦୋଦରୀର କଥାମାନ ଶୁଣି ବାରମ୍ବାର କହିବାକୁ ଲାଗିଲେ, ‘ଏହା ସତ୍ୟ ଅଟେ । ’ (ମନ୍ଦୋଦରୀ ଯାହା କହିଲେ, ତୁମ୍ଭେ ତାହା କର ) ।

 

ବୋଇଲା । ବଚନେ ବିଂଶବାହୁ ଯେ ବାହୁଜେ ହସିବେ ଯେ ।

ବୀରପଣେ ସମର୍ପଣେ ଊଣା ସର୍ବଭାବେ ଯେ । ୧୧ ।

ବୋଇଲା । ବଇରୀ ଦେହେ ଈରିଷା ବହି ନ ମାନିବେ ଯେ ।

ବିନାଶନ ବନ୍ଧୁଜନ କି ଜୀବେ ରାଜିବେ ଯେ । ୧୨ ।

ବୋଇଲା । ବିଦେହ ରାଜନସୁତା ବିଦେହ ଯୋଷାରେ !

ବପୁଶୋଭା ଅଧିକାରେ ଧିକ୍‌କାରେ ସଂସାରେ ଯେ । ୧୩ ।

ବୋଇଲା । ବାହ୍ୟରେ ସେ ରସାଳସା ରସାଳ ସଦୃଶ ଯେ ।

ବରନାରୀ ନାରିକେଳ ଅନ୍ତରେ ସରସ ଯେ । ୧୪ ।

ବୋଇଲା । ବିନୀତା ମୁଁ କଠିନତା ପ୍ରକାଶ ମୋହରେ ଯେ ।

ବହେ କୋମଳତା ପ୍ରେମଲତା ରାମଠାରେ ଯେ । ୧୫ ।

 

୧୧ଶ ପଦ :- ବାହୁଜେ-କ୍ଷତ୍ରିୟମାନେ ।

୧୧ଶ ପଦ :- ରାଣୀମାନଙ୍କ କଥା ଶୁଣି ରାବଣ ସେମାନଙ୍କୁ କହିଲା, ‘‘ମୁଁ ସୀତାଙ୍କୁ ଫେରାଇ ଦେଲେ, କ୍ଷତ୍ରିୟମାନେ ମୋତେ ହସିବେ । (କ୍ଷତ୍ରିୟମାନେ ମୋତେ ଭୀରୁ ମନେକରି ଉପହାସ କରିବେ ) । ମୋର ବୀରତ୍ୱ ସବୁ ରୂପରେ ଊଣା ପଡ଼ିଯିବ(ମୋତେ ଆଉ କେହି ମାନିବେ ନାହିଁ ) ।’’

 

୧୨ଶ ପଦ :- ବଇରୀ-ଶତ୍ରୁ । ଇରଷା(ଈର୍ଷା)-ଅହଂକାର । ଜୀବେ-ବଞ୍ଚିବେ ।

୧୨ଶ ପଦ :- ପୂନର୍ବାର କହିଲା, ‘‘ଶତ୍ରୁମାନେ ମୋ ପ୍ରତି ଈର୍ଷାଯୁକ୍ତ ହୋଇ ମୋତେ ଆଉ ଖାତିର କରିବେ ନାହିଁ l ସେ ଯାହା ହେଉ, ସୀତା ଫେରାଇ ଦେଲେ, ମୋର ଯେଉଁ ପୁଅ ନାତି, ଭାଇ ବନ୍ଧୁ, ସୈନ୍ୟ, ସୈନ୍ୟ ସେନାପତିଆଦି ମଲେ, ସେମାନେ କ’ଣ ପ୍ରାଣ ପାଇ ପୁଣି ଉଠିବେ କି ? (ସୀତା ସକାଶେ ତାଙ୍କୁ ମରାଇ ପରେ ସୀତା ଅର୍ପଣକରି ଏକାକୀ ବଞ୍ଚି ରହିବା ମୋ ପକ୍ଷରେ ଉଚିତ କି )?’’

 

୧୩ଶ ପଦ :- ବିଦେହ ରାଜନ ସୁତା-ସୀତା । ବିଦେହ-କନ୍ଦର୍ପ ଯୋଷା-ସ୍ତ୍ରୀ ।

 

୧୩ଶ ପଦ :- ‘ରମ୍ଭଠାରୁ ସୀତା ସୁନ୍ଦରୀ ନୁହେଁ’ ମନ୍ଦୋଦରୀର ଏହି କଥାକୁ ଲକ୍ଷ୍ୟକରି ରାବଣ ପୁଣି କହିଲା; ‘ସୀତାର ଦେହରେ ଶୋଭା ଅଧିକ ହେବାରୁ ‘ବିଦେହଯୋଷା’ କାମଦେବର ପତ୍ନୀ ରତିଦେବୀଙ୍କୁ ସଂସାରର ଲୋକମାନେ ଧିକ୍‌କାର କରୁଅଛନ୍ତି । (ସୀତାଙ୍କ ସୌନ୍ଦର୍ଯ୍ୟକୁ ରତି ମଧ୍ୟ ସମାନ ନୁହଁନ୍ତି, ରମ୍ଭା କଥା ତ ଛାର ) ।’’

 

୧୪ଶ ପଦ :- ରସାଳ-ପାଚିଲା ଆମ୍ୱ । ନାରିକେଳ-ନଡ଼ିଆ । ଅନ୍ତର-ଭିତର । ସରସ-ରସଯୁକ୍ତ ।

୧୪ଶ ପଦ :- ‘‘ସେ ରସାଳସା ସୀତା ବାହାରେ ଦେଖିବାକୁ ଆମ୍ବପ୍ରାୟ । (ଆମ୍ୱ ସୁନ୍ଦର ଓ ସୁଗନ୍ଧଯୁକ୍ତ, ମାତ୍ର ତାହାର ହୃଦୟରେ କଠିନ ଟାକୁଆ ରହିଥାଏ, ସେହିପରି ସୀତା ଲୋଚନ ଲୋଭନୀୟା ସୁନ୍ଦରୀ ଓ ପରିମଳ ମନୋହର ଗନ୍ଧରେ ସୁବାସିତ ହେତୁ ଯୋଜନଗନ୍ଧା ନାମ ପାଇଅଛି; ମାତ୍ର ତାହାର ହୃଦୟ ଅତ୍ୟନ୍ତ କଠିନ । ମୋର ଏତେ ଅନୁନୟ ବିନୟ ଓ ଏପରି ଦଶା ଦେଖି ମଧ୍ୟ ସେ ଅନୁକମ୍ପା କରୁନାହିଁ) । ପୁଣି ସେ ନାରୀକେଳ ପ୍ରାୟ ରସଯୁକ୍ତ ଅନ୍ତର ହୋଇ ହୃଦୟରେ ରାମଙ୍କ ପ୍ରତି ଅନୁରାଗବତୀ ହୋଇଅଛି । (ନାରୀକେଳର ଉପର କଠିନ ହେଲା ପ୍ରାୟ ସେ ଅନ୍ୟ ପୁରୁଷ ପ୍ରତି ବଡ଼ କଠିନ ଅଟେ ) ।’’

 

୧୫ଶ ପଦ :- ‘‘ସେହି ସୀତା ପାଖରେ ଏ ଯେଉଁ କଠିନତା ଓ କୋମଳତା ଦୁଇଗୁଣ ପ୍ରକାଶ ପାଇଲା, ତନ୍ମଧ୍ୟରୁ ମୁଁ ଯେତେ ବିନୟୀ ହେଲେ ସୁଦ୍ଧା ମୋ ପ୍ରତି କଠିନତା ଗୁଣ ପ୍ରୟୋଗ କରୁଅଛି ଏବଂ ତାର ପ୍ରେମାସ୍ପଦ ରାମଚନ୍ଦ୍ରଠାରେ କୋମଳତା ପ୍ରକାଶ କରୁଅଛି ।’’

 

ବୋଇଲା । ବିତର୍କି କେତକୀ ପରି ଘାତକୀ ଭ୍ରମରେ ଯେ ।

ବସିବ ଶିବଶିରସି ରସି ନିଶାକରେ ଯେ । ୧୬ ।

ବୋଇଲା । ବାଣୀ ଏ ଅନୁ ରକ୍ତରେ ରକ୍ତବୀର୍ଯ୍ୟ ଜେମା ଯେ ।

ବୃହସ୍ପତି ରାମାପରିମନାଇଁ ଚନ୍ଦ୍ରମା ଯେ । ୧୭ ।

ବୋଇଲା । ବିପକ୍ଷରେ ସୁରରେ ଅସୁରପକ୍ଷ ଘେନି ଯେ ।

ବଳକ୍ଷକର ବିପକ୍ଷ କର୍ମବଳ ମାନି ଯେ । ୧୮ ।

ବୋଇଲା । ବାହୁଡ଼ାଇ ନ ଜଡ଼ାଇ ତ୍ରପାରେ ମାନସ ଯେ ।

ବିହିତ ଅଙ୍କରେ ଅଙ୍କ ପ୍ରକାଶରେ ଦୃଶ୍ୟ ଯେ । ୧୯ ।

ବୋଇଲା । ବିନାଶ ବହୁତ କଳା ରହି ସେ କଳକେ ଯେ ।

ବୁଦ୍ଧି ବନ୍ଦନୀୟ ବନ୍ଦାପନା କାଳେ ଲୋକେ ଯେ । ୨୦ ।

 

୧୬ଶ ପଦ :- ‘‘ପୁଣି ସେହି ସୀତା କେତକୀ ଫୁଲ ପ୍ରାୟ ହୋଇଅଛି । କେତକୀ ଯେପରି ଗନ୍ଧବତୀ, ସ୍ୱର୍ଣ୍ଣବର୍ଣ୍ଣ ହୋଇ ସୁଦ୍ଧା ଭୃଙ୍ଗର ଘାତକୀ ହୁଏ, ମାତ୍ର ଶିବରାତ୍ରି ଦିନ ରସି ଶିବଙ୍କ ମସ୍ତକରେ ବସେ, ସେହିପରି ଏ ସୀତା ଗନ୍ଧବତୀ, ସ୍ୱର୍ଣ୍ଣବର୍ଣ୍ଣା ହୋଇ ମଧ୍ୟ ମୋପରି କାମୁକର ବିନାଶକାରୀ ହୋଇଅଛି, ମାତ୍ର ସମୟରେ ରାମଚନ୍ଦ୍ରଠାରେ ରସି ତା ପାଖରେ ବସିବ ।’’

 

୧୭ଶ ପଦ :- ଜେମା-କନ୍ୟା । ବୃହସ୍ପତିରାମା-ବୃହସ୍ପତିଙ୍କର ପତ୍ନୀ ତାରା ।

 

୧୭ଶ ପଦ :- ରାବଣ ବଚନ ଶୁଣି ରକ୍ତବୀର୍ଯ୍ୟ ଅସୁରର କନ୍ୟା ଇନ୍ଦୁମତୀ କହିଲା, ‘‘ଚନ୍ଦ୍ରମା ବୃହସ୍ପତିଙ୍କ ସ୍ତ୍ରୀ ତାରାକୁ ଅନୁରାଗର ସହିତ ମନାଇ ଆଣିଲାପରି, ତୁମ୍ଭେ ସୀତାକୁ ମନାଇ ଆଣିଲ ନାହିଁ ? (ବଳାତ୍କାରରେ ଆଣିଲ କାହିଁକି ?)’’

 

୧୮ଶ ପଦ :- ବଳକ୍ଷକର-ଧବଳ କିରଣଯୁକ୍ତ ଅର୍ଥାତ୍‌ ଚନ୍ଦ୍ର ।

 

୧୮ଶ ପଦ :- ‘‘ବୃହସ୍ପତିଙ୍କ ସ୍ତ୍ରୀ ତାରାକୁ ଚନ୍ଦ୍ର ନେଲାବେଳେ ଦେବତାମାନେ ବୃହସ୍ପତିଙ୍କ ପକ୍ଷରେ ରହିଲେ । ତାହା ଦେଖି ଚନ୍ଦ୍ର ଅସୁରଙ୍କ ପକ୍ଷନେଇ ଯୁଦ୍ଧ କଲେ । ଯୁଦ୍ଧରେ ଅସୁରମାନେ ହାରିଯିବାରୁ ଚନ୍ଦ୍ର ଆପଣାର କର୍ମବଳ ମାନି ଚୁପ୍‌ ହୋଇ ରହିଲେ । ’’

 

୧୯ଶ ପଦ :- ତ୍ରପାରେ-ଲଜ୍ଜାରେ । ଅଙ୍କ-ଚିହ୍ନ ।

 

୧୯ଶ ପଦ :- ‘ଚନ୍ଦ୍ର ଏହାଦ୍ୱାରା ମନରେ ଲାଜ ନ ପାଇ ତାରାଙ୍କୁ ବୃହସ୍ପତିଙ୍କି ଫେରାଇ ଦେଲେ । ତଥାପି ପରନାରୀ ହରଣ ରୂପ କଳଙ୍କକୁ ଦେହରେ ବହି ଅଛନ୍ତି- ତା ତ ପ୍ରତକ୍ଷ୍ୟରେ ଦେଖାଯାଉଛି ।’’

 

୨୦ଶ ପଦ :- ସୀତା ଫେରାଇ ଦେଲେ ବନ୍ଧୁ ବର୍ଗ ପୁଣି ବଞ୍ଚିବେ କି ?’ ରାବଣର ଏହି ବାକ୍ୟକୁ ଲକ୍ଷ୍ୟ କରି ପୁଣି ସେ କହିଲେ, ‘ଚନ୍ଦ୍ରର ବହୁତ କଳା ବିନାଶ ହୁଏ । ସେ କଳାଏ ମାତ୍ର ରହିପୁଣି ବୃଦ୍ଧି ପାଇ ପୂର୍ଣ୍ଣକଳା ଲାଭ କରେ । ସେ ଦିନ ଲୋକମାନେ ତାକୁ ପୂଜା କରନ୍ତି ।’’ (ସେହିପରି ତୁମ୍ଭର ବଂଶ କ୍ଷୟ ଯାଇଥିଲେ ସୁଦ୍ଧା, ତୁମ୍ଭେ ଯେତେବେଳେ ଅଛ, ପୁଣି ପୁଅ ନାତି ସୈନ୍ୟ ସେନାପତି ବୃଦ୍ଧି ପ୍ରାପ୍ତ ହେବେ ଓ ତୁମ୍ଭେ ପୁଣି ପ୍ରଶଂସନୀୟ ହେବ ) ।’’

 

ବୋଇଲା । ବୋଲିବ ଅବା ସେ ସାନ ଈଶାନ୍ତମଣ୍ଡନ ଯେ ।

ବର୍ଷୁସୁଧାସୁଉଜ୍ଜ୍ୱଳଜଳଧିନନ୍ଦନ ଯେ । ୨୧ ।

ବୋଇଲା । ବିରସିତାଯୋଷିତା ସିନା ସେ ସୀତାଦିଅ ଯେ ।

ବିଳସିତେଉଲ୍ଲସିତେ ଏ ଦମ୍ପତେ ଥାଅ ଯେ । ୨୨ ।

ବୋଇଲା । ବର୍ଦ୍ଧନ ମୁଳଧନରୁକଳନ୍ତବରତ ଯେ ।

ବିନୟ ଘେନିବ ହେବ ତନୟ ବହୁତ ଯେ । ୨୩ ।

ବୋଇଲା । ବୈଶ୍ରବଣ ଶ୍ରବଣରେ କି କହୁ ରମଣି ଯେ ।

ବିପଣୀ ଏ ସଂସାର ତହିଁର ସାରମଣି ଯେ । ୨୪ ।

ବୋଇଲା । ବଡ଼ କୃପଣ ଚଉରପଣ କରି ଆଣି ଯେ ।

ବିସର୍ଜ୍ଜିବ ଜୀବ ସତେ ଯିବ କେବେ ପୁଣି ଯେ । ୨୫ ।

 

୨୧ଶ ପଦ :- ଈଶାନମଣ୍ଡନ-ଶିବଙ୍କର ଶିରଭୂଷଣ । ବର୍ଷସୁଧା-ଅମୃତମୟ ଶରୀର । ଜଳଧିନନ୍ଦନ-ସମୁଦ୍ରପୁତ୍ର ।

 

୨୧ଶ ପଦ :- ପୁଣି କହିଲା, ‘‘ତୁମ୍ଭେ ଅବା କହିବ, ସେ ବଡ଼ଲୋକ ନୁହେଁ, (ଛୋଟ ଲୋକ ହୋଇଥିବାରୁ ଡରି ତାରାକୁ ଫେରାଇ ଦେଲା, ମାତ୍ର ମନେକର, ତାଠାରୁ ବଡ଼ଲୋକ ଆଉ କେହିନାହିଁ) ସେ ମହାଦେବଙ୍କ ମସ୍ତକଭୂଷଣ ହୋଇଅଛି, ତାହାର ଶରୀର ଅମୃତମୟ ଅଟେ, ସେ ଉତ୍ତମ ଉଜ୍ଜ୍ୱଳକାନ୍ତି ବିଶିଷ୍ଟ ଓ ସମୁଦ୍ରର ପୁତ୍ର (ସମୁଦ୍ରର ପୁତ୍ର ହେତୁ ଉଚ୍ଚବଂଶୀୟ ଅଟେ) ।’’

 

୨୨ଶ ପଦ :- ବିରସିତା-ବିମର୍ଷ । ଯୋଷିତା-ସ୍ତ୍ରୀ । ବିଳସିତା-କ୍ରୀଡ଼ାଯୁକ୍ତ । ଉଲ୍ଲସିତ-ଆନନ୍ଦିତ ।

୨୨ଶ ପଦ :- ‘ତୁମ୍ଭଠାରେ ରସୁ ନ ଥିବା ସ୍ତ୍ରୀ ସୀତାକୁ ଫେରାଇ ଦିଅ । ପୁଣି ସମ୍ପତ୍ତି ଭୋଗ କରି ଉଲ୍ଲାସ ଭାବରେ ବିଳାସ କରି ନିଶ୍ଚନ୍ତରେ ରହ । ତାରା ଚନ୍ଦ୍ରକୁ ରସିଥିଲେ ସୁଦ୍ଧା ଚନ୍ଦ୍ର ତାରାକୁ ଫେରାଇ ଦେଇଥିଲା, ଏତ ରସୁ ନାହିଁ; ଏହାକୁ ଫେରାଇ ଦେବାରେ ଆପତ୍ତି କାହିଁକି ?)’’

 

୨୩ଶ ପଦ :- ‘‘ମୂଳଧନରୁ କଳନ୍ତର ବର୍ଦ୍ଧିତ ହେଲା ପ୍ରାୟ ତୁମ୍ଭେ ଥିଲେ ବହୁତ ପୁତ୍ର ନାତି ବର୍ଦ୍ଧିତ ହେବେ । ହେ ନାଥ ! ଏବେ ମୋର ବିନୟବାଣୀ ଘେନାକରି ସୀତାକୁ ଫେରାଇ ଦିଅ ।

 

୨୪ଶ ପଦ :- ବୈଶ୍ରବଣ-ରାବଣ । ବିପଣୀ-ହାଟ, ବଜାର । ସାରମଣି-ମୂଲ୍ୟବାନ୍‌ରତ୍ନ ।

 

୨୪ଶ ପଦ :- ରାବଣ ଇନ୍ଦୁମତିର ବଚନ ଣୁଣି କହିଲା, ‘‘ଗୋ ପ୍ରିୟେ ! ତୁ କିପରି ଏ କୁତ୍ସିତ କଥା କହୁଅଛୁ ? ଏ ସଂସାର ରୂପ ବଜାରରେ ସେ ସୀତା ଶ୍ରେଷ୍ଠରତ୍ନ ପ୍ରାୟ ଅଟେ ।’’

 

୨୫ଶ ପଦ :- ‘‘ଅତି ଦରିଦ୍ର କୃପଣ ଲୋକ ଶ୍ରେଷ୍ଠରତ୍ନକୁ ଚୋରିକରି ଆଣିଥିଲେ ସେ ତାକୁ ଫେରାଇ ଦିଏ କି ? ସେହିପରି ମୁଁ ଚୋରିକରି ଆଣିଥିବା ଶ୍ରେଷ୍ଠ ସ୍ତ୍ରୀକୁ ଜୀବନ ଥାଉଁଥାଉଁ ତ୍ୟାଗ କରିବି କିପରି ? ଜୀବନ ଯିବ ପଛକେ, ମୁଁ ସେ ସ୍ତ୍ରୀ ରତ୍ନକୁ ଛାଡ଼ିବି ନାହିଁ) । ’’

 

ବୋଇଲା । ବୁଧ ବିବୁଧରଣରେ ଅମୂଲ୍ୟତ ସତ ଯେ ।

ବୋଲିବା ରମଣୀମଣି ଏବେ ସମ୍ଭାବିତ ଯେ । ୨୬ ।

 

୨୬ଶ ପଦ :- ବୁଧ-ପଣ୍ଡିତ । ବିବୁଧରଣରେ-ଦେବତାମାନଙ୍କ ମଧ୍ୟରେ ।

 

୨୬ଶ ପଦ :- ‘‘ସେହି ରମଣୀମଣି ସୀତା ପଣ୍ଡିତ ଓ ଦେବତାମାନଙ୍କ ମତରେ ଅମୂଲ୍ୟ ରତ୍ନ-ଏ କଥା ମିଛ ନୁହେଁ । ତା ପରି ସ୍ତ୍ରୀରତ୍ନ ବର୍ତ୍ତମାନ ସିନା ସମ୍ଭବ ହୋଇଅଛି । (ଅତୀତରେ ନଥିଲା କି ଭବିଷ୍ୟତରେ ହେବ)

 

ବୋଇଲା । ବିଦ୍ୟୁଜିହ୍ୱ କି ବିଦୁଷ ବିଦ୍ୟୁକାନ୍ତି ଯୁବା ଯେ ।

ବିଧାନି ଶୋକନିଧାନୀସାବଧାନି ହେବା ଯେ । ୩୧ ।

ବୋଇଲା । ବାହୁଡ଼ାଅ ମହୀଜାମହିଳା ନେଉ ଯତି ଯେ ।

ବୋଲିବା ତାକୁ ଭିଆଉ ଆଉ ଏକ ମୂର୍ତ୍ତି ଯେ । ୩୨ ।

ବୋଇଲା । ବିଂଶଲୋଚନ ବଚନ ଦେହୁଁ ଜାତ ଛାଇ ଯେ ।

ବର୍ଣ୍ଣ ସୁବର୍ଣ୍ଣ ହୋଇଲେ ବଳା କାନ୍ତି ହୋଇ ଯେ । ୩୩ ।

ବୋଇଲା । ବାରି ସେ ନିବାରି ତୃଷାର୍ତ୍ତିର ତୃଷା ପାରେ ଯେ ।

ବଶ ଦେବି କି ମୁଁ ମୃଗ ମୃଗତୃଷାଠାରେ ଯେ । ୩୪ ।

ବୋଇଲା । ବିଜ୍ଞାନ ନାଶେ ସୁଜ୍ଞାନ ଉଦୟ ଏମନ୍ତ ଯେ ।

ବନିତାଏ ଶୁଣ ଏବେ ନିତାନ୍ତ ଚରିତ ଯେ । ୩୫ ।

ବୋଇଲା । ବୈକୁଣ୍ଠ ନ ମାନୁ ଆମ୍ଭେ ବୈକୁଣ୍ଠପାଳିତ ଯେ ।

ବୈକୁଣ୍ଠଦ୍ୱାରସ୍ଥ ବିଜୟ ଜୟ ବେନି ଭ୍ରାତ ଯେ । ୩୬ ।

ବୋଇଲା । ବିଷ୍ଣୁ ମନୋରମା ରମା ଏକାନ୍ତରେ ସ୍ଥିତି ଯେ ।

ବେଦବାଦୀ ସନକାଦି ଦରଶନଅର୍ଥୀ ଯେ । ୩୭ ।

ବୋଇଲା । ବିରୋଧୁ ବିରୋଧୁ ଦ୍ୱାର ନ ମାନି ସେ ମାନୀ ଯେ ।

ବଳେ ପ୍ରଭାବ ଉଦ୍ଭବ କଲୁଁ ଆମ୍ଭେ ବେନି ଯେ । ୩୮ ।

ବୋଇଲା । ବୋଇଲେ ବହ ଶୂର ଅସୁରରୂପ ସତ ଯେ ।

ବୋଲାଇବ ବିଷ୍ଣୁ ଦ୍ୱେଷୀ ଏ ଦଇବ-କୃତ୍ୟ ଯେ । ୩୯ ।

ବୋଇଲା । ବାସରେ ବାସରେ ଋଷିସଙ୍ଗ ମଧୁଦ୍ୱାରୀ ଯେ ।

ବାସରେ ଅଙ୍କବାସରେ ବେଶରେ ମାଧୁରୀ ଯେ । ୪୦ ।

ବୋଇଲା । ବିଜେ କମଳା କମଳା କମଳାକ୍ଷୀ କରୁଁ ଯେ ।

ବିଧୁରପାଶ ବିଧୁର ଉଦୟ ଆଚରୁଁ ଯେ । ୪୧ ।

 

୩୧ଶ ପଦ :- ‘‘ତୁମ୍ଭେ ବିଦ୍ୟୁଜ୍ଜିହ୍ୱ ରାକ୍ଷସକୁ କହିଲେ, ସେ ତାର ପାଣ୍ଡିତ୍ୟ ଓ ମାୟା ପ୍ରଭାବରେ ସୀତାଠାରୁ ଅଧିକା ସୁନ୍ଦରୀ ଯୁବତୀ ସ୍ତ୍ରୀ ନିର୍ମାଣ କରିବାକୁ ସମର୍ଥ ହେବ । (କାରଣ ସେ ମାୟା ସୀତା ନିର୍ମାଣକରି ଦେଇଥିଲା ) । ତୁମ୍ଭେ ଏହି ବିଷୟରେ ମନଯୋଗୀ ହୁଅ । (ସୀତାକୁ ଫେରାଇ ଦେଇ ମାୟାସୀତା ନିର୍ମାଣ କରାଇ ଉପଭୋଗ କର ) ।’’

 

୩୨ଶ ପଦ :- ମହୀଜାମହିଳା-ପୃଥିବୀରୁ ଜାତ ହୋଇଥିବା ରମଣୀ ଅର୍ଥାତ ସୀତା । ଯତି-ତପସ୍ୱୀ, ଏଠାରେ ରାମଚନ୍ଦ୍ର।

 

୩୨ଶ ପଦ :- ପୁଣି କହିବାକୁ ଲାଗିଲା, ପୃଥିବୀରୁ ଜନ୍ମିଥିବା ସ୍ତ୍ରୀ ସୀତାକୁ ଆଗ ଫେରାଇ ଦିଅ; ତାକୁ ଜଟାଧାରୀ ନେଉ। ବିଦ୍ୟୁଜ୍ଜିହ୍ୱକୁ କହିବ, ସେ ଆଉ ଗୋଟିଏ ମାୟା ସୀତା ନିର୍ମାଣକରୁ ।’’

 

୩୩ଶ ପଦ :- ନାରକାସୁର କନ୍ୟାର କଥା ଶୁଣି ରାବଣ ଉତ୍ତର ଦେଲା, ‘‘ଦେହରୁ ଛାୟା ଜାତ ହୋଇଥାଏ । ମାତ୍ର ଦେହର ବର୍ଣ୍ଣ ସୁବର୍ଣ୍ଣ ପରି ହୋଇଥିଲେ ସୁଦ୍ଧା ତାର ଛାୟା ଦେହର ବର୍ଣ୍ଣ ସଙ୍ଗେ ସମାନ ନ ହୋଇ କଳା ଦେଖାଯାଏ । (ମାୟାମୂର୍ତ୍ତି ଯେତେ ସୁନ୍ଦର ହେଲେ ମଧ୍ୟ ପ୍ରକୃତ ମୂର୍ତ୍ତି ସହିତ ସମାନ ହୋଇପାରିବ ନାହିଁ ।’’

 

୩୪ଶ ପଦ :- ବାରି-ଜଳ । ନିବାରି-ନିବାରଣ କରି ବା ବିନାଶ କରି । ମୃଗତୃଷ୍ଣା-ମରୀଚିକା ।

 

୩୪ଶ ପଦ :- ରାବଣ ପୁଣି କହିଲା, ‘‘ଜଳ ସିନା ବୃକ୍ଷ ତୃଷାତୁର ଜନର ତୃଷା ନିବାରଣ କରିପାରେ । ମୁଁ ତ ମୃଗ ନୁହେଁ ଯେ ମରିଚିକାଠାରେ ଜଳଜ୍ଞାନ କରି ବଶ ହେବି । ମୁଁ କଣ ପଶୁ ଯେ ସୀତାଙ୍କୁ ଛାଡ଼ି ମାୟାସୀତାଠାରେ ଅନୁରାଗ କରିବି ?’’

 

୩୫ଶ ପଦ :- ରାବଣ ଅଜ୍ଞାନତା ନାଶ ହୋଇ ଚୈତନ୍ୟ ଉଦୟ ହୁଅନ୍ତେ, ସେ ପୁଣି କହିବାକୁ ଲାଗିଲା, ‘‘ବନିତାମାନେ । ଏବେ ପୂର୍ବର ବୃତ୍ତାନ୍ତମାନ ଶୁଣ ।’’

 

୩୬ଶ ପଦ :- ବୈକୁଣ୍ଠ-ଇନ୍ଦ୍ର । ବୈକୁଣ୍ଠପାଳିତ-ବିଷ୍ଣୁଙ୍କଦ୍ୱାରେ ଲାଳିତ ପାଳିତ । ବୈକୁଣ୍ଠାଦ୍ୱାଃସ୍ଥ-ବୈକୁଣ୍ଠପୁରର ଦ୍ୱାରୀ ।

 

୩୬ଶ ପଦ :- ‘‘ଆମ୍ଭେ ଜୟ ବିଜୟ ଦୁଇ ଭାଇ ନାରାୟଣଙ୍କଦ୍ୱାରା ପ୍ରତିପାଳିତ ହୋଇ ବୈକୁଣ୍ଠ ପୁରର ଦ୍ୱାରୀରୂପେ ରହିଥୁଲୁଁ, ତେଣୁ ଇନ୍ଦ୍ରଙ୍କୁ ସୁଦ୍ଧା ମାନୁନଥିଲୁଁ ।’’

 

୩୭ଶ ପଦ :- ମନୋରମା-ମନୋହାରିଣୀ ଲକ୍ଷ୍ମୀ । ବେଦବାଦୀ-ବେଦବିଶାରଦ ।

 

୩୭ଶ ପଦ :- ବିଷ୍ଣୁ ଓ ତାଙ୍କ ମନୋରମ ଲକ୍ଷ୍ମୀ ଏକାନ୍ତରେ ଅବସ୍ଥାନ କରିଥିଲେ । ସେହି ସମୟରେ ବେଦ ବିଶାରଦ ସନିକାଦି ମୁନିମାନେ ବିଷ୍ଣୁଙ୍କ ଦର୍ଶନ ପ୍ରାର୍ଥୀ ହୋଇ ଆସିଲେ ।’’

 

୩୮ଶ ପଦ :- ଆମ୍ଭେ ଦୁଇ ଭାଇ ତାଙ୍କୁ ଦ୍ୱାର ନିରୋଧ କରୁଁ କରୁଁ ସେ ଆମ୍ଭ କଥା ନ ମାନି ଅଭିମାନରେ ବଳପୂର୍ବକ ପୁରମଧ୍ୟକୁ ପ୍ରବେଶ କରନ୍ତେ ଆମ୍ଭେ ଦୁଇଭାଇ ତାଙ୍କୁ ପ୍ରାଭାବ ଦେଲୁଁ (ତାକୁ ଅପମାନିତ କଲୁଁ ) ।

 

୩୯ଶ ପଦ :- ଅପମାନ ପାଇ ସନକାଦି ମୁନିମାନେ କ୍ରୋଧଭାର ହୋଇ କହିଲେ, ହେ ବୀର ! ତୁମ୍ଭେ ଅସୁର ରୂପ ଧାରଣକରି ବିଷ୍ଣୁଦ୍ରୋହୀ ବୋଲାଇବ । ଏ ବିଧାତା ବିଧାନ ଅନ୍ୟଥା ହେବ ନାହିଁ ।’’

 

୪୦ଶ ପଦ :- ବାସରେ-ସମୟରେ । ବାସରେ-ଗୃହରେ ଅର୍ଥାତ୍‌ ବୈକୁଣ୍ଠପୁରରେ । ମଧୁହାରୀ-ବିଷ୍ଣୁ । ବାସରେ-ସୁବାସରେ ।

 

୪୧ଶ ପଦ :- କମଳା-ପଦ୍ମିନୀ । ଜାତୀୟା –ଶ୍ରେଷ୍ଠା ନାରୀ । କମଳା-ଲକ୍ଷ୍ମୀ । ବିଧୂରପାଶ-ବିଷ୍ଣୁନିକଟ । ବିଧୂର-ବିଦୁରିତ ।

 

୪୦ଶ ଓ ୪୧ଶ ପଦ :- ‘ପୁଣି ଦିନେ ବିଷ୍ଣୁପୁର ମଧ୍ୟରେ ଋଷିମାନଙ୍କ ସଙ୍ଗରେ ଥିଲେ । ସେ ସମୟରେ ପଦ୍ମିନୀ ଜାତୀୟା ପଦ୍ମିନେତ୍ରୀ ଶ୍ରେଷ୍ଠନାରୀ ଲକ୍ଷ୍ମୀଦେବୀ ଉତ୍ତମ ବସନ ଓ ସୁଗନ୍ଧ ଦ୍ରବ୍ୟରେ ବିଭୂଷିତାହୋଇ ବିଷ୍ଣୁଙ୍କ ସମୀପକୁ ବିଜେ କରନ୍ତେ ଆମ୍ଭେମାନେ ବାଧା ଦେଲୁଁ । ’’

 

ବୋଇଲା । ବୋଇଲେ କର୍ବୁରକାନ୍ତୀ କର୍ବୁର ନିଧିଜା ଯେ ।

ବହନ ବହ କର୍ବୁର ରୂପ ଏଥୁ ଯା ଯା ଯେ । ୪୨ ।

ବୋଇଲା । ବନଜମୁଖରେ କରୁଁ ମୁଁ ଖରେ ଗୁହାରି ଯେ ।

ବୋଇଲେ ଯେ ଲେଶେ ଦୋଷ ନାହିଁତ ତୁମ୍ଭରି ଯେ । ୪୩ ।

ବୋଇଲା । ବନ୍ଦିବ ତ ନାହିଁ ବନ୍ଦୀବତ ରଖ ଭାଷି ଯେ ।

ବହୁ ମର୍ତ୍ତ୍ୟରୂପ ବହୁମୂଲ୍ୟ ରତ୍ନବେଶୀ ଯେ । ୪୪ ।

ବୋଇଲା । ବଇଦେହୀ ସେହି ରମା କ୍ଷମା ଜାତ କଲା ଯେ ।

ବେଦମତୀ ବିମତି ଧର୍ଷଣେ ମୋର ଥିଲା ଯେ । ୪୫ ।

ବୋଇଲା । ବୋଲିଥିଲା ମୋ ହେତୁ ଅମରଶତ୍ରୁ ମର ଯେ ।

ବିଳେ ବିଳେଶୟ ପରା ଗୁପ୍ତ ଶ୍ରୀ ଶରୀର ଯେ । ୪୬ ।

 

୪୨ଶ ପଦ :- କର୍ବୁରକାନ୍ତୀ-ସ୍ୱର୍ଣ୍ଣକାନ୍ତି । କର୍ବୁରନିଧିଜ-ସମୁଦ୍ର ଦୁହିତା, ଲକ୍ଷ୍ମୀ । କର୍ବୁର-ରାକ୍ଷସ । କମଳାକ୍ଷୀ-ପଦ୍ମନେତ୍ରୀ ।

 

୪୨ଶ ପଦ :- ‘ଆମଦ୍ୱାରା ବାଧା ପ୍ରାପ୍ତ ହୋଇ ସ୍ୱର୍ଣ୍ଣକାନ୍ତି ଜଳଧି ତନୟା ଲକ୍ଷ୍ମୀ କହିଲେ, ‘‘ଏଠାରୁ ଶୀଘ୍ର ଯାଇ ରାକ୍ଷସରୂପ ଧାରଣ କର ।’’

 

୪୩ଶ ପଦ :- ବନଜମୁଖରେ-ପଦ୍ମମୁଖ ଅର୍ଥାତ୍‌ ବିଷ୍ଣୁଙ୍କ ସମୀପରେ ।

 

୪୩ଶ ପଦ :- ‘ମୁଁ ତତ୍‌କ୍ଷଣାତ୍‌ ଯାଇ ଏହି କଥା ବିଷ୍ଣୁଙ୍କ ଛାମୁରେ ଗୁହାରି କଲି । ବିଷ୍ଣୁ କହିଲେ, ଏଥିରେ ତୁମ୍ଭ ଦୁହିଙ୍କର ତ ତିଳେ ମାତ୍ର ଦୋଷ ନାହିଁ ।’’

 

୪୪ଶ ପଦ :- ବନ୍ଦିବ-ସ୍ତୁତିକରିବ । ବନ୍ଦୀବତ-ବନ୍ଦୀପ୍ରାୟ ।

 

୪୪ଶ ପଦ :- ‘‘ପୁଣି ବିଷ୍ଣୁ କହିଲେ, ବିନା ଦୋଷରେ ଲକ୍ଷ୍ମୀ ତୁମ୍ଭଙ୍କୁ ଶାପ ଦେଲେ, ତେଣୁ ତାଙ୍କୁ ତୁମ୍ଭେ ବନ୍ଦନା କରିବ ନାହିଁ, ବରଂ ବନ୍ଦୀ ଲୋକ ପ୍ରାୟ ବନ୍ଦୀକରି ରଖ । ସେହି ବହୁମୂଲ୍ୟ ରତ୍ନଭୂଷିତା କମଳା ମର୍ତ୍ତ୍ୟପୁରରେ ମାନବୀରୂପ ଧାରଣ କରନ୍ତୁ ।’’

 

୪୫ଶ ପଦ :- ବଇଦେହୀ-ସୀତା । ରମା-ଲକ୍ଷ୍ମୀ । କ୍ଷମା-ପୃଥିବୀ ।

 

୪୬ଶ ପଦ :- ଅମରଶତ୍ରୁ-ଦେବତାମାନଙ୍କର ବୈରୀ । ବିଳେ-ଗର୍ତ୍ତରେ । ବିଳେଶୟ ପରା-ସର୍ପ ସଦୃଶ ।

୪୫ଶ ଓ ୪୬ଶ ପଦ :- ‘‘ପୃଥ୍ୱୀ ସେହି ଲକ୍ଷ୍ମୀଙ୍କୁ ସୀତାରୂପେ ଜାତ କରିଅଛି । ପୂର୍ବେ ସେହି ଲକ୍ଷ୍ମୀ ରୁପିଣୀ ବେଦବତୀ କନ୍ୟାଙ୍କୁ ମୁଁ ବଳପୂର୍ବକ ଧର୍ଷଣ କଲା ସମୟରେ ସେ କହିଥିଲେ, ରେ ଦେବଶତ୍ରୁ । ମୋଯୋଗୁ ତୁ ବିନାଶ ହେବୁ । ଏହା କହି ଗର୍ତ୍ତମଧ୍ୟରେ ସର୍ପ ଲୁଚିଲା ପ୍ରାୟ ସେ ଅଗ୍ନି ମଧ୍ୟ୍ୟରେ ନିଜ ଲକ୍ଷ୍ମୀ ମୂର୍ତ୍ତିକୁ ଗୁପ୍ତ କରିଥିଲେ । (ପରେ ସେହି ଲକ୍ଷ୍ମୀ ସୀତା ରୂପରେ ପୃଥିବାରୁ ଜାତ ହୋଇ ଅଛନ୍ତି ।’’

 

ବୋଇଲେ । ବିଷ୍ଣୁ ମୋ ମାରଣେ ଅଭିରାମ ରାମମୂର୍ତ୍ତି ଯେ ।

ବୈକୁଣ୍ଠ ସମ୍ପତ୍ତିକି ଏ ସମ୍ପତ୍ତି ବିପତ୍ତି ଯେ । ୪୭ ।

ବୋଇଲା । ବିଷୟରେ ଚତୁର ଚତୁରଭୁଜେ ଚାରୁ ଯେ ।

ବହି କରେ ଶଙ୍ଖାରି ଶଙ୍ଖାରି ରୂପ ଧରୁଁ ଯେ । ୪୮ ।

ବୋଇଲା । ବର୍ଷରେ କନ୍ଦର୍ପଦର୍ପ କରୁଥିଲୁଁ ଲୋପ ଯେ ।

ବହିଲୁଁ ସେହି ଉଭୟ ଉଭୟଙ୍କର ରୂପ ଯେ । ୪୯ ।

ବୋଇଲା ! ବୋଲାଉଁ ହିରଣ୍ୟାସୁର ହିରଣ୍ୟାକ୍ଷ ପୂର୍ବେ ଯେ ।

ବରାହ ନୃହରି ହରି ହରି ପ୍ରାଣ ତେବେ ଯେ । ୫୦ ।

 

୪୭ଶ ପଦ :- ଅଭିରାମ-ମନୋହର ।

 

୪୭ଶ ପଦ :- ‘‘ବିଷ୍ଣୁ ମୋତେ ମାରିବା ପାଇଁ ମନୋରମ ରାମମୂର୍ତ୍ତି ଧାରଣ କରିଅଛନ୍ତି । ମୁଁ ମୋର ଏ ସକଳ ସମ୍ପତ୍ତିକୁ ବିପତ୍ତି ପ୍ରାୟ ମନେକରି ପୁଣି ସେହି ବୈକୁଣ୍ଠ ସୁଖକୁ ମନ ବଳାଇଅଛି ।’’

 

୪୮ଶ ପଦ :- ଚାରୁ-ମନୋହର । ଶଙ୍ଖାର-ଶଙ୍ଖଚକ୍ର । ଶଙ୍ଖାରିରୂପ-ବିଷ୍ଣୁଙ୍କରୂପ ।

 

୪୮ଶ ପଦ :- ‘‘ଆମ୍ଭେ ଦୁହେ ଦ୍ୱାର ରକ୍ଷା କରିବା ବିଷୟରେ ବଡ଼ ଚତୁର ଅଟୁଁ । ପୁଣି ଚତୁର୍ଭୁଜରେ ଶୋଭିତ ହୋଇ ବିଷ୍ଣୁଙ୍କ ପ୍ରାୟ ଶଙ୍ଖ ଚକ୍ର ଧାରଣ କରିଥାଉ ।’’

 

୪୯ଶ ପଦ :- ବର୍ଷୁ-ଶରୀର, ଦେହ ।

 

୪୯ଶ ପଦ :- ‘‘ଆମ୍ଭେ ବୈକୁଣ୍ଠର ଦ୍ୱାରୀ ଥିଲାବେଳେ ସୌନ୍ଦର୍ଯ୍ୟରେ କାମଦେବ ଗର୍ବକୁ ଖର୍ବ କରୁଥିଲୁଁ । ଏବେ ସେହି ଦୁଇ ଭାଇ ରାକ୍ଷସରୂପ ଧରି ଏପରି କୁତ୍ସିତ ହୋଇଅଛୁଁ ।’’

 

୫୦ଶ ପଦ :- ନୃହରି-ନରସିଂହ । ହରି-ନାରାୟଣ, ବିଷ୍ଣୁ । ହରି-ହରଣ କରି ।

 

୫୦ଶ ପଦ :- ‘‘ପୂର୍ବ ଜନ୍ମରେ ଆମେ ହିରଣ୍ୟ ଓ ହିରଣ୍ୟାକ୍ଷ ବୋଲାଇଥିଲୁଁ । ସମୟରେ ବିଷ୍ଣୁ ବିରାହ ଓ ନୃସିଂହ ରୂପ ଧରି, ଆମର ପ୍ରାଣ ବିନାଶ କରିଥିଲେ । ’’

 

ବୋଇଲା । ବହ୍ନିରେ ପକାଇ ନବ ଶିର ନବନବ ଯେ ।

ବିଖନ ଲେଖନ-ଭାବ ପଠନ ସ୍ୱଭାବ ଯେ । ୫୧ ।

ବୋଇଲା । ବର-ମରକତ ଜାତରୂପ ରୂପ ଦୁଇ ଯେ ।

ବିଚିତ୍ର ଚିତ୍ରପଟକୁ ଲେଖାଇ ଦେଖାଇ ଯେ । ୫୨ ।

ବୋଇଲା । ବିଧାନ ନାୟକ ଏକ ପ୍ରଧାନ ପଦକ ଯେ ।

ବିଚ୍ଛେଦକ ମୁଁ ସୁନାରୀ ଲୋଭୀ ଦକ ଦକ ଯେ । ୫୩ ।

ବୋଇଲା । ବୋଲିଥିଲା ବହି ବହି ଏ ସ୍ୱର୍ଣ୍ଣଚୋରୀକି ଯେ ।

ବଂଶଯାକ ଦଣ୍ଡଧର ଦଣ୍ଡ ପାଅ ତର୍କି ଯେ  । ୫୪ ।

ବୋଇଲା । ବିଭୀଷଣ ପଳାଇଛି ଇଚ୍ଛ ଗତ କଥା ଯେ ।

ବଲ୍ଲଭ ବୋଲି ନ ଲଭ ମୋରେ ମନୋବ୍ୟଥା ଯେ । ୫୫ ।

 

୫୧ଶ ପଦ :- ବହ୍ନିରେ-ଅଗ୍ନିରେ । ବିଖନ-ବିଧାତା ।

 

୫୧ଶ ପଦ :- ‘‘ମୁଁ ଏହି ଜନ୍ମରେ ତପସ୍ୟା କଲାବେଳେ ମୋହର ନୁଆ ନୂଆ ଉଠୁଥିବା ନଅଗୋଟି ଶରକୁ ବାରମ୍ୱାର ଅଗ୍ନି ମଧ୍ୟରେ ପକାଇ ବିଧାତା ଲେଖିଥିବା କଥାକୁ ପଢ଼ିବାକୁ ସକ୍ଷମ ହୋଇଥିଲି ।’’ (ମୁଁ ଯେତେ ଥର ମୁଣ୍ଡ ଛିଡ଼ାଇ ଅଗ୍ନିରେ ପକାଉଥାଏ, ସେତେ ଥର ପୁଣି ନୂଆମୁଣ୍ଡ ଜାତ ହେଉଥାଏ । ତେଣୁ ନୂଆ ନୂଆ ଓ ବାରମ୍ୱାରପ୍ରୟୋଗ କରାଯାଇଛି) ।

 

୫୨ଶ ପଦ :- ମରକତ-ଶାଗୁଆବର୍ଣ୍ଣର ମଣି ବିଶେଷ । ଜାତରୂପ-ସୁବର୍ଣ୍ଣ ।

 

୫୨ଶ ପଦ :- ପୁନର୍ବାର ରାବଣ କହିଲା, ‘‘ସେତେବେଳେ ଶ୍ରେଷ୍ଠ ମରକତ ମଣି ଓ ସୁବର୍ଣ୍ଣ ପ୍ରାୟ ଦୁଇଟି ଆଶ୍ଚର୍ଯ୍ୟ ଚିତ୍ରପଟ ଭାଲପଟରେ ବିଧାତା ଲେଖିଥିବାର ମୁଁ ଦେଖିଲି ।’’

 

୫୩ଶ ପଦ :- ନାୟକ-ପୁରୁଷ । ସୁନାରୀ-ସୁନାରୀବଣିଆ, ଉତ୍ତମାନାରୀ ।

 

୫୩ଶ ପଦ :- ‘‘ସେ ଦୁଇ ଚିତ୍ରପଟ ମଧ୍ୟରେ ଯେ ନାୟକ ରାମ ସେ ମରକତମଣି ସଦୃଶ ଓ ଯେ ନାୟିକା ସୀତା ସେ ନାୟକର ଶ୍ରେଷ୍ଠ ସ୍ୱର୍ଣ୍ଣ ପଦକ ପ୍ରାୟ ରହି ଶୋଭା ପାଉଥିଲେ । ସୁନାରୀ ବଣିଆ ଯେପରି ଲୋଭ କରି ସୁନା ଚୋରୀ କରେ ଓ ସେଥିପାଇଁ ସର୍ବଦା ଭୟରେ ଦକଦକ ହେଉଥାଏ, ମୁଁ ସେହିପରି ଲୋଭ ପରବଶ ହୋଇ ରାମଙ୍କର ଶ୍ରେଷ୍ଠ ସ୍ୱର୍ଣ୍ଣପଦକ ପ୍ରାୟ ସ୍ୱର୍ଣ୍ଣବର୍ଣ୍ଣା ସୀତାଙ୍କୁ ରାମଙ୍କଠାରୁ ବିଚ୍ଛେଦ ପୂର୍ବକ ଚୋରାଇ ଆଣି ବର୍ତ୍ତମାନ ଦକଦକ ହେଉଅଛି ।’’

 

୫୪ଶ ପଦ :- ବିହି-ବିଧାତା । ବିହି-ବିଧାନ କରି । ଦଣ୍ଡ-ଧର-ଯମ ।

 

୫୪ଶ ପଦ :- ‘‘ସେତେବେଳେ ବିଧାତା କହିଥିଲା, ଏ ସୁବର୍ଣ୍ଣ ପଦକ ପ୍ରାୟ ସୀତାଙ୍କୁ ଚୋରୀ କଲେ, ସୁବର୍ଣ୍ଣ ଚୋରର ବଂଶଯାକକୁ ରାଜା ଦଣ୍ଡ ଦେଲା ପ୍ରାୟ ବଂଶଯାକ ସହିତ ତୁ ଯମଦ୍ୱାରା ଦଣ୍ଡିତ ହେବୁ । ମୁଁ ସେହି କଥା ବର୍ତ୍ତମାନ ବିଚାର କରୁଅଛି ।’’

 

୫୫ଶ ପଦ :- ‘‘ମୋ ସାନ ଭାଇ ବିଭୀଷଣ ଗତ କଥା ସମସ୍ତ ବୁଝିପାରି ମୋ ପାଖରୁ ପଳାଇ ଯାଇଅଛି । (ମୋ ପାଖରେ ଥିଲେ ନିଶ୍ଚୟ ମରିଥାନ୍ତା, ତା ଜାଣିପାରି ପଳାଇଯାଇଛି ) । ମୁଁ ତୁମ୍ଭମାନଙ୍କର ସ୍ୱାମୀବୋଲି ତୁମ୍ଭେ ମୋର ଏହି ସବୁ କଥା ଶୁଣି ମନକଷ୍ଟ କରନାହିଁ । ’’

 

ବୋଇଲା । ବିଳାସବତୀ ଯୁବତୀ ବିଷ୍ଣୁପୁରେ ମୋର ଯେ ।

ବିଜ୍ଞା ଉପପତି ପରି ଉପପତି କର ଯେ । ୫୬ ।

ବୋଇଲା । ବିନାଶନେ ହୁତାଶନେ ଯେବେ ଦେବ ଝାସ ଯେ ।

ବ୍ୟର୍ଥପ୍ରସଙ୍ଗ ମୋ ସଙ୍ଗ ପାଇବାର ଆଶ ଯେ । ୫୭ ।

ବୋଇଲା । ବାରିଦ ବାରି ଦାନରେ ପ୍ରମତ୍ତ ଚାତକୀ ଯେ ।

ବିହରଇ ସୁରନଦୀ ସୁରସେ ଆଉ କି ଯେ । ୫୮ ।

ବୋଇଲା । ବିପ୍ରରାଜ ପୂଜନ ନାରାଜ ମୋକ୍ଷଦାତା ଯେ ।

ବିଭ୍ରମୁ ଜଗତେ ଗତେ ପାତାଳେ ମୁଁ ସ୍ଥିତା ଯେ । ୫୯ ।

ବୋଇଲା । ବିଲୋକିତଆଲୋକିତ ପୁର ମୁହଁ ଡୋଳେ ଯେ ।

ବାମା ପୁଂସ ମଣ୍ଡପେ ମଣ୍ଡନ ପଶାଖେଳେ ଯେ । ୬୦ ।

 

୫୬ଶ ପଦ :- ‘‘ମୋର ବିଳାସବତୀ ଯୁବତୀ ସ୍ତ୍ରୀମାନେ ବୈକୁଣ୍ଠରେ ଅଛନ୍ତି । ଗୋ ପଣ୍ଡିତମାନେ । ମୁଁ ଏଠାରେ ତୁମ୍ଭର ଉପପତିପରି ହୋଇରହିଛି । ତୁମ୍ଭେ ମୋର ମରଣରେ ଚିନ୍ତା ନ କରି ତୁମ୍ଭର ମନଇଚ୍ଛା ଉପପତି କର ।’’

 

୫୭ଶ ପଦ :- ହୁତାଶନ-ଅଗ୍ନିରେ । ବ୍ୟର୍ଥ ପ୍ରସଙ୍ଗ-ବୃଥା ଆଲୋଚନା ।

 

୫୭ଶ ପଦ :- ‘‘ମୁ ମଲେ ତୁମ୍ଭେମାନେ ଯେବେ ଅଗ୍ନି ମଧ୍ୟରେ ଝାସ ଦେବ, ତେବେ ତୁମ୍ଭର ମୋ ସଙ୍ଗ ପାଇବା ଆଶା ବିଫଳ ହେବ । (ଶାସ୍ତ୍ରରେ କଥିତ ଅଛି, ସ୍ତ୍ରୀ ସ୍ୱାମୀ ସହ ମୃତା ହେଲେ ସ୍ୱାମୀ ସଙ୍ଗେ ସଙ୍ଗେ ରହେ, ମାତ୍ର ତୁମ୍ଭେ ମୋ ସଙ୍ଗରେ ରହିପାରିବ ନାହିଁ । କାରଣ ମୁଁ ମଲେ ବୈକୁଣ୍ଠକୁ ଯିବି, ତୁମେ ତୁମ ସତୀତ୍ୱ ପ୍ରଭାବରେ ସ୍ୱର୍ଗପୁରକୁ ଯାଇପାର, ମାତ୍ର ବୈକୁଣ୍ଠକୁ କଦାପି ଯାଇପାରିବ ନାହିଁ ।’’

 

୫୮ଶ ପଦ :- ବାରିଦ-ମେଘ । ବାରି-ଜଳ । ସୁରନଦୀ-ଆକାଶଗଙ୍ଗା । ସୁରସେ-ସୁନିର୍ମଳ ଜଳରେ ।

 

୫୮ଶ ପଦ :- ପୁଣି କହିଲା, ‘‘ଚାତକପକ୍ଷୀ ମେଘର ଜଳ ପାଇ ପ୍ରମତ୍ତ ହୋଇଥାଏ, କିନ୍ତୁ ଗଙ୍ଗାର ଉତ୍ତମ ଜଳରେ ସେ ଆଉ ମନବଳାଏ କି ? (ସେହିପରି ମୁଁ ବୈକୁଣ୍ଠ ପୁରସ୍ଥ କୋର ବିଳାସନୀମାନଙ୍କୁ ଛାଡ଼ି ତୁମ୍ଭପ୍ରତି ଆଉ ଆକୃଷ୍ଟ ହେବି ନାହିଁ ।’’)

୫୯ଶ ପଦ :- ବିପ୍ର-ଦ୍ୱିଜ ଅର୍ଥାତ୍‌ ପକ୍ଷୀ, ସେମାନଙ୍କର ରାଜା ଗରୁଡ଼ । ସେହି ଗରୁଡ଼ ଦ୍ୱାରା ପୂଜିତ ହୋଇ ନାରାୟଣ, ତାଙ୍କୁ ବିପ୍ରରାଜ ପୂଜନ କହନ୍ତି । ବିପ୍ରରାଜପୂଜନ-ନାରାଜ ବିଷ୍ଣୁଙ୍କର(ରାମଚନ୍ଦ୍ରଙ୍କର) ଶରବାଣ ।

 

୫୯ଶ ପଦ :- ବ୍ରାହ୍ମଣମାନଙ୍କ ପୂଜିତ ନାରାୟଣ (ଅଥବା ଗରୁଡ଼ ପୂଜିତ ନାରାୟଣ) ରାମଚନ୍ଦ୍ରଙ୍କ ନାରାଜ ମୋହର ମୋକ୍ଷ ପ୍ରଦ ଅଟେ । (ରାମଙ୍କ ଶରରେ ମଲେ ମୁଁ ବୈକୁଣ୍ଠକୁ ଯିବି) ପୂର୍ବକାଳରେ ଜଗତ ମଧ୍ୟରେ ଭ୍ରମଣ କଲା ସମୟରେ ମୁଁ ପାତାଳପୁରକୁ ଯାଇଥିଲି ।’’

 

୬୦ଶ ପଦ :- ବିଲୋକିତ-ଦେଖିଲି । ଆଲୋକିତ-ଆଲୋକମୟ ।

 

୬୦ଶ ପଦ :- ‘‘ସେହି ପାତାଳ ପୁରରେ ମୁଁ ଗୋଟିଏ ଅପରୂପପୁର ଦେଖିଲି । ଆଉ ମଧ୍ୟ ଦେଖିଲି ସେହିପୁର ମଧ୍ୟରେ ଗୋଟିଏ ମଣ୍ଡପରେ ବସି ସ୍ତ୍ରୀ ପୁରୁଷ ଦୁଇଜଣ ଖେଳୁଅଛନ୍ତି ।’’

 

ବୋଇଲା । ବିଭାତି କି ଚନ୍ଦ୍ରମାର ରତି ମାର ମୂର୍ତ୍ତି ଯେ ।

ବାଣୀ ନ୍ୟାସେ କେ ଅନ୍ୟାସେ ଭାରତୀ ରତି ଯେ । ୬୧ ।

ବୋଇଲା । ବିଷ୍ଣୁ ମହିମା ଏ ମହୀବିନ୍ଧାଶର ବଶ ଯେ ।

ବେନି ଖଣ୍ଡ ମହୀଲତା ମହିଳା ପୁରୁଷ ଯେ । ୬୨ ।

ବୋଇଲା । ବିଦୃଷ୍ଟି ଅଶ୍ରୁତିକଥା ଶ୍ରୁତିକଥା ପରି ଯେ ।

ବିନୋଦୀ ସାରଙ୍ଗରେ ଶାରଙ୍ଗଶରଧାରୀ ଯେ । ୬୩ ।

ବୋଇଲା । ବିଭେଦନେ ମାର୍ଗଣ ସେ ଗଣେ ଦିବ୍ୟ ଦେହୀ ଯେ ।

ବିହାୟସେ ବିହାରି ସେ ବିମାନ ଆରୋହି ଯେ । ୬୪ ।

ବୋଇଲା । ବନେ ଈକ୍ଷଣପତନେ ତତ୍‌କ୍ଷଣ ବାଞ୍ଛି ଯେ ।

ବଡ଼ି ପାତକୀ ଆତଙ୍କୀ ମୁଁ ସୀତା ମଣିଛି ହେ । ୬୫ ।

 

୬୧ତମ ପଦ :- ବିଭାତି-ଜ୍ୟୋତି । ମାର-କନ୍ଦର୍ପ । ନ୍ୟାସେ-ଉଚ୍ଚାରଣ କରେ । ଭାରତୀ-ବଚନ ।

 

୬୧ଶ ପଦ :- ‘‘ସେ ପୁର ଚନ୍ଦ୍ରପ୍ରଭା ପ୍ରାୟ ଝଟକୁ ଥିଲା ଓ ସେ ସ୍ତ୍ରୀ ପୁରୁଷ ଦ୍ୱୟ ରତି କାମଦେବର ଶୋଭାକୁ ଧାରଣ କରିଥିଲେ । ‘ତୁମ୍ଭେ କିଏ ?’ ମୁଁ ଏହି କଥା ପଚାରନ୍ତେ, ସେ ଦୁହେଁ ତତ୍‌କ୍ଷଣାତ୍‌ ଉତ୍ତର ଦେଲେ;-’’

 

୬୨ଶ ପଦ :- ମହୀଲତା-ଜିଆନାଡ଼ ।

 

୬୨ଶ ପଦ :- ‘‘ସେ ଦୁହେଁ-କହିଲେ,ବିଷ୍ଣୁଙ୍କ ମହିମା ବଳରେ ଆମ୍ଭେଜାତହୋଇଛୁ । ବିଷ୍ଣୁ ଗୋଟିଏ ଜୀଆକୁ ଶର ପ୍ରୟୋଗ କରି ଦୁଇଖଣ୍ଡ କରିଦେବାରୁ ସେଥିରୁ ଖଣ୍ଡେ ପୁରୁଷ ଓ ଅନ୍ୟଖଣ୍ଡକ ସ୍ତ୍ରୀ ହେଲୁଁ ।’’

 

୬୩ଶ ପଦ :- ବିଦୃଷ୍ଟି-ଅଦୃଷ୍ଟ । ଅଶ୍ରୁତିକଥା-ଯେଉଁକଥା କେବେ ଶୁଣା ଯାଇନାହିଁ । ଶ୍ରୁତିକଥା-ବେଦବାଣୀ । ବିନୋଦୀ-ବିପକ୍ଷ । ସାରଙ୍ଗରେ-ମୃଗଠାରେ । ଶାରଙ୍ଗଧାରୀ-ନାରାୟଣ ।

 

୬୩ଶ ପଦ :- ରାବଣ ପୁଣି କହିଲା, ‘‘ସେହି ସ୍ତ୍ରୀ ଓ ପୁରୁଷ ଯାହା କହିଲେ ତାହା ଅଦୃଷ୍ଟପୂର୍ବ ଓ ଅଶ୍ରୁତପୂର୍ବ ବେଦବାଣୀ ପ୍ରାୟ କେବଳ ଶ୍ରବଣୀୟ (ବେଦର କଥା ସବୁ ଯେପରି ସ୍ୱତଃସୁଦ୍ଧ, ତାଙ୍କ କଥା ସେହିପରି ସ୍ୱତଃସିଦ୍ଧ) । ସେହି ସାରଙ୍ଗଶରଧାରୀ ବିଷ୍ଣୁ ଧରଣୀରେ ଦେହ ଧାରଣକରି କେଳି କରିବେ-ଏ କଥା ସେ କହିଲେ ।’’

 

୬୪ଶ ପଦ :- ବିଭେଦନ-ଭେଦକରି ପାରେ । ମାର୍ଗଣ-ଶର । ବିହାୟସେ-ଆକାଶରେ । ବିହାରି-ଭ୍ରମଣକରି । ଆରୋହ-ଆରୋହଣ କରି ବା ଚଢ଼ି ।

 

୬୪ଶ ପଦ :- ‘‘ପୁଣି ସେ କହିଥିଲେ, ତୁ ବିଷ୍ଣୁଙ୍କ ଶରରେ ବିଦୀର୍ଣ୍ଣ ହେଲେ ବିଷ୍ଣୁଗଣଙ୍କ ସହିତ ଦିବ୍ୟ ଦେହ ଧାରଣ କରି ପୁଷ୍ପକଯାନ ଆରୋହି ଆକାଶରେ ବିହାର ପୂର୍ବକ ବୈକୁଣ୍ଠପୁରକୁ ଯିବୁ ।’’

 

୬୫ଶ ପଦ :- ରାବଣ ପୁଣି କହିବାକୁ ଲାଗିଲା, ‘‘ଦଣ୍ଡକାରଣ୍ୟରେ ରାମଙ୍କ ଶରରେ ମରି ମାୟାମୃଗ ବୈକୁଣ୍ଠକୁ ଯିବାର ମୁଁ ଯେତେବେଳେ ସ୍ୱଚକ୍ଷୁରେ ଦେଖିଲି, ସେତେବେଳେ ମୁଁ ପାତାଳପୁରର ସେ ଦେବ ଦେବୀଙ୍କ କଥା ବିଚାର କଲି ଏବଂ ମୁଁ ବଡ଼ ପାତକୀ ଥିବାରୁ ସନ୍ତପ୍ତହୋଇ ସୀତାକୁ ଚୋରାଇ ଆଣିଲି ।’’

 

ବୋଇଲା । ବିଶ୍ୱ ଚତୁରଲପନ କଳପନା ଜାଣ ଯେ ।

ବ୍ରହ୍ମପ୍ରଳୟରେ ତାର କ୍ଷୟ ହୁଏ ପୁଣ ଯେ । ୬୬ ।

ବୋଇଲା । ବ୍ୟୁତପନ ଆୟୁଷ ଛପନଗଣ୍ଡା ଯୁଗ ଯେ ।

ବାହୁଡ଼ାଇ ହୁଡ଼ିବି କି ଏଡ଼େ ଭଯୋଗ । ୬୭ ।

ବୋଇଲା । ବଲ୍ଲଭୀବ୍ରାତଙ୍କ ଅଶ୍ରୁଜାତକୁ ଅନାଇଁ ଯେ ।

ବହନ ଆତଙ୍କ ପରନିପାତକ ମୁହିଁ ଯେ । ୬୮ ।

ବୋଇଲା । ବିହି ଚନ୍ଦ୍ର ହାସ ଚନ୍ଦ୍ର ହାସ ଝମକାଇ ଯେ ।

ବିଚ୍ଛେଦିବି ଶତ୍ରୁ ରଣେ ଶରଣ କେ ନାହିଁ ଯେ । ୬୯ ।

ବୋଇଲା । ବାର୍ଦ୍ଧିଦତ୍ତା ବାଳୀ ବାଳିକି ସେ ଅଛି ବଧି ଯେ ।

ବାଳିଶା ପ୍ରିୟା ତୁ କୂଟ କରି କୁଟୀ ବାନ୍ଧି ଯେ । ୭୦ ।

 

୬୬ଶ ପଦ :- ବିଶ୍ୱ-ସଂସାର । ଚତୁରଲପନ-ବ୍ରହ୍ମା ।

 

୬୬ଶ ପଦ :- ରାବଣ ପୁନର୍ବାର କହିଲା; ହେ ସଖି ! ଏ ସଂସାର ବ୍ରହ୍ମାଙ୍କର କଳ୍ପନାପ୍ରସୂତ ଅଟେ । ବ୍ରହ୍ମପ୍ରଳୟ ସମୟରେ ସେହି ବ୍ରହ୍ମାଙ୍କର ମଧ୍ୟ ବିନାଶ ହୁଏ-ଏହା ଜାଣ । (ବିଶ୍ୱସ୍ରଷ୍ଟା ବ୍ରହ୍ମା ମଧ୍ୟ ଚିରାୟୁ ନୁହଁନ୍ତି, ମୁଁ ସାମାନ୍ୟ ଜଣେ ହୋଇ ଚିରାୟୁ ହେବାକୁ କାହିଁକି ବା ଆଶା କରିବି ?)’’

 

୬୭ଶ ପଦ :- ବ୍ୟୁତପନ୍ନ-ବିଧାତା ।

 

୬୭ଶ ପଦ :- ‘‘ବ୍ରହ୍ମା ବରରେ ମୋର ଛପନଗଣ୍ଡା ଯୁଗକୁ ଆୟୁଷ ନିଶ୍ଚିନ୍ତ ହୋଇଅଛି (ତାହା ଅପେକ୍ଷା ଆଉ ବେଶୀ ହୋଇନପାରେ । ମୁଁ ସେହି ସମୟ ପରେ ନିଶ୍ଚୟ ମରିବି ଓ ମଲେ ନର୍କକୁ ଯିବି ) । ବର୍ତ୍ତମାନ ସୀତା ଫେରାଇ ଦେଇ ଏତେ ବଡ଼ ସୁଯୋଗକୁ ଛାଡ଼ିବି କିଆଁ ? (ସୀତା ଫେରାଇ ନ ଦେଲେ ରାମ ନିଜ ହସ୍ତରେ ମାରି ମୋତେ ବୈକୁଣ୍ଠରେ ସ୍ଥାନ ଦେବେ । ତେଣୁ ସୀତା ଫେରାଇ ନ ଦେବାହିଁ ମୋ ପକ୍ଷରେ ଶୁଭଯୋଗ ) ।’’

 

୬୮ଶ ପଦ :- ବଲ୍ଲଭୀବ୍ରାତଙ୍କ-ସ୍ତ୍ରୀମାନଙ୍କ । ପରନିପାତକ-ଶତ୍ରୁ ବିନାଶକ ।

 

୬୮ଶ ପଦ :- ରାବଣର ଏହି କଥାମାନ ଶୁଣି ରାଣୀମାନଙ୍କ ଚକ୍ଷୁରୁ ଲୋତକ ବହିବାକୁ ଲାଗିଲା । ତାହାଦେଖି ରାବଣ ପୁଣି ବୁଝାଇଲା; ତୁମ୍ଭେମାନେ ମନ ଦୁଃଖ କରନାହିଁ-କାରଣ ମୁଁ ଶତ୍ରୁ ସଂହାରକ ଅଟେ ।’’

 

୬୯ଶ ପଦ :- ଚନ୍ଦ୍ରହାସ-ଖଡ଼ଗ ।

 

୬୯ଶ ପଦ :- ରାଣୀମାନଙ୍କୁ ଏହିପରି ବୋଧ ଦେଇ ରାବଣ ଚନ୍ଦ୍ରତୁଲ୍ୟ ହାସ ପ୍ରକାଶ କରି ‘ଚନ୍ଦ୍ରହାସ’ ଖଡ଼୍‌ଗ ଝମକାଇ କହିଲା, ‘ଯୁଦ୍ଧ ରେ ମୋର ଶତ୍ରୁ ନର ବାନରକୁ ବିନାଶ କରିବି, ତାଙ୍କୁ ରକ୍ଷା କରିବାକୁ ଆଉ କେହି ନାହିଁ ।’’

 

୭୦ଶ ପଦ :- ବାର୍ଦ୍ଧିଦତ୍ତ ବାଳୀ-ସୁଦ୍ରଦତ୍ତ କନ୍ୟା । ବାଳି-ମର୍କଟ । ବାଳିଶା-ବାତୁଳ, ବଳିକା ବୁଦ୍ଧି । କୁଟ-କପଟ । କୂଟ-ଲୁଚି । ବ୍ୟାଘ୍ରବର-ମହାବଳ ବାଘ । ବିହନ୍ତି-ବିନାଶ କରନ୍ତି । ଦନ୍ତୀକି-ହସ୍ତୀକୁ । ବିବାଦ-ଯୁଦ୍ଧ ।

 

୭୦ତମ ପଦ :- ରାବଣର ପ୍ରତିଜ୍ଞା ଶୁଣି ସମୁଦ୍ର ପ୍ରଦତ୍ତା ଲଜ୍ୟାକାନ୍ତିମତୀ କହିଲା, ‘‘ରାମ ମହାବଳୀ ବାଳିକୁ ବଧ କରିଅଛନ୍ତି ।’’ ରାବଣ ଉତ୍ତର ଦେଲା, ‘‘ରେ ପ୍ରିୟା । ତୁ ପିଲା ବୁଦ୍ଧି ଛାଡ଼ି ନାହିୁଁ (ବାଳୀଶ ମୂର୍ଖ ବୃଦ୍ଧି ମଧ୍ୟ) । ସେ ରାମ କୂଟ କରି କପଟରେ ସିନା ଲୁଚି ଲୁଚି ଆସି ବାଳିକୁ ମାରିଛି । (ସେ ତ ସମ୍ମୁଖ ଯୁଦ୍ଧରେ ତାକୁ ମାରି ପାରି ନାହିଁ) । ’’

 

ବୋଇଲା । ବ୍ୟାଘ୍ର ବର ଶବର ମାରନ୍ତି ଗୁଳିଯୋଗେ ଯେ ।

ବହନ୍ତି କି ଦନ୍ତୀକି ବିବାଦ ରଚି । ଆଗେ ଯେ । ୭୧ ।

ବୋଇଲା । ବାସ୍ତରୀ ପଦରେ ଛାନ୍ଦ ଭଞ୍ଜ ଉପଇନ୍ଦ୍ର ଯେ ।

ବିଚାର ଅନୁସରଣ ଅନୁପ୍ରାସେ ସାନ୍ଦ ଯେ । ୭୨ ।

 

୭୧ତମ ପଦ :- ପୁଣି ରାବଣ କହିଲା, ‘‘ଶବର ଲୁଚିରହି ଗୁଳିମାରି ମହାବଳ ବାଘକୁ ବଧ କରେ; ମାତ୍ର ହାତୀର ସମ୍ମୁଖରେ ରହି ତା ସହିତ ଯୁଦ୍ଧ କରି ତାକୁ ମାରିପାରେ କି ? (ସେହିପରି ରାମ ଲୁଚିକରି ସିନା ବାଳିକୁ ମାଇଲା, ମାତ୍ର ସମ୍ମୁଖରେ ଯୁଦ୍ଧ କରି ମୋତେ ମାରି ପାରିବ ନାହିଁ ।’’

 

୭୨ତମ ପଦ :- ଅନୁଗତ ଅନୁପ୍ରାସ ଅଳଙ୍କାରରେ ସୁନ୍ଦର ହୋଇଥିବା ଏହି ଛାନ୍ଦକୁ ଉପେନ୍ଦ୍ର ଭଞ୍ଜ ବାସ୍ତରି ପଦରେ କହିଲେ ।

 

ଊନପଞ୍ଚାଶତ୍‌ଛାନ୍ଦ

ରାଗ-ବଙ୍ଗଳାଶ୍ରୀ

 

ବର ବିଭାବରୀ ଥାଉଁ ଯେ ବେଭାରେ ସମ୍ଭାରେ ସୈନ୍ୟ ଅଣାଇ ।

ବକ୍ତ୍ରମାଳୀ । ବକଏମାଳୀ ଅସ୍ତ୍ର ଅଳଙ୍କାର ଦେଇ । ୧ ।

ବେଗେ ତିନିଦିଗେ ଭିନ୍ନ ଭିନ୍ନ କରି କରୀ ହରି ରଥ ପେଷି ।

ବହୁତ ମାହୁନ୍ତ ରାଉତ ସାରଥି ରଥୀ ବସି ଅସି କଷି । ୨ ।

ବାହିନୀ ହୋଇ ବାହିତ ସନମାନ ମାନବଶେ ପୁତ୍ରମାନେ ।

ବୁଦ୍ଧି ଶାଖାମୃଗ ମୃଗକରି ଜଗି ମାରିବା ବ୍ୟାଧ ସମାନେ । ୩ ।

ବଳ ପରବଳ ଚାହିଁ ପରବଳ ମାର ମାରଆଜ ଭଣେ ।

ବାନର ନର ସିନା କେତେ ମାତର ମନ୍ଥିବି ଥିବି ମୁଁ ରଣେ । ୪ ।

ବାଦ୍ୟବାଜଣା ଅର୍ଥେ ନ କରି ପରସ୍ପରେ କଥା ନୋହି ।

ବିପିନ ପୀନଶିଳାପଛେ ସେ ଦ୍ୱିପୀପ୍ରାୟ ଅବିଦିତ ହୋଇ । ୫ ।

 

୧ମ ପଦ :- ବରି-ବରଣ କରି । ବିଭାବରୀ-ରାତ୍ରି । ସମ୍ଭାରେ-ସମାରୋହରେ, ଆଡ଼ମ୍ୱରରେ । ବକ୍‌ଏମାଳୀ-ରାବଣ । ବକ୍‌ଏ-ସାଞ୍ଜ । ମାଳା-ରତ୍ନମାଳ ।

 

୧ମ ପଦ :- ରାତ୍ର ଥାଉଁ ଥାଉଁ ଉଠି ରାବଣ ସୈନ୍ୟମାନଙ୍କୁ ଯୁଦ୍ଧ ପାଇଁ ସମ୍ଭର୍ବରେ ବରଣ କରି ଆଣିଲି ଏବଂ ସାଞ୍ଜୁ, ରତ୍ନମାଳା; ଅସ୍ତ୍ର; ଶସ୍ତ୍ର ଓ ବସ୍ତ୍ରାଦି ଅଳଙ୍କାର ସେମାନଙ୍କୁ ଉପହାର ହେଲା ।

 

୨ୟ ପଦ :- କରୀ-ହସ୍ତୀ । ହରି-ଘୋଡ଼ା । ଅସି-ଖଡ଼୍‌ଗ ।

୨ୟ ପଦ :- ତତ୍‌ପରେ ସୈନ୍ୟମାନଙ୍କୁ ଭିନ୍ନ ଭିନ୍ନ କରି ତିନିଦିଗକୁ ବାଣ୍ଟି ହାତୀ ଘୋଡ଼ା ଓ ରଥ ଦେଇ ପଠାଇଦେଲା । ହସ୍ତୀଙ୍କ ଉପରେ ମାହୁନ୍ତ, ଅଶ୍ୱଙ୍କ ଉପରେ ରାଉତ ଓ ରଥରେ ରଥୀ ସାରଥୀ ବସି ଖଣ୍ଡା ଝମକାଇ ଯୁଦ୍ଧ କ୍ଷେତ୍ରକୁ ଗଲେ ।

୩ୟ ପଦ :- ବାହିନୀ-ସେନା । ଶାଖାମୃଗ-ବାନର । ବ୍ୟାଧ-ଶବର ।

 

୩ୟ ପଦ :- ରାବଣର ପୁତ୍ରମାନେ ଅଭିମାନ ଯୋଗେ ନିଜେ ନିଜେ ବାହକ ହୋଇ ରଥସବୁ ବାହିଲେ ଏବଂ ପାଞ୍ଚିଲେ, ‘‘ଯେପରି ବ୍ୟାଧମାନେ ଲୁଚିରହି ମୃଗମାନଙ୍କୁ ବଧ କରନ୍ତି, ଆମେ ସେହିପରି ଗୁପ୍ତ ଭାବରେ ରହି ‘ଶାଖାମୃଗ’ କପିମାନଙ୍କୁ ଜଗି ମାରିବା ।’’

 

୪ର୍ଥ ପଦ :- ବଳ-ସୈନ୍ୟ । ପରବଳ-ପ୍ରବଳ । ପରବଳ-ଶତ୍ରୁ ସୈନ୍ୟ ।

 

୪ର୍ଥ ପଦ :- ରାବଣ ଆପଣାର ପ୍ରବଳ ସୈନ୍ୟଙ୍କୁ ଚାହିଁ କହିଲା, ଆଜି ଶତ୍ରୁ ସୈନ୍ୟମାନଙ୍କୁ ମନଇଚ୍ଛା ବଧ କର । ସେମାନେ ତ ଛାର ନରବାନର । ମୁଁ ଯୁଦ୍ଧକ୍ଷେତ୍ରରେ ରହି ସେମାନଙ୍କୁ ମନ୍ଥି ପକାଇବି । (ତୁମ୍ଭର ଭୟ କରିବାର କିଛି କାରଣ ନାହିଁ ।)

 

୫ମ ପଦ :- ବିପିନ-ବନ । ପୀନଶିଳା ପଛେ-କଠିନ ପ୍ରସ୍ତର ପଛରେ । ଦ୍ୱୀପୀପ୍ରାୟ-ବାଘପରି । ଅବିଦିତ-ଅଜଣା।

 

୫ମ ପଦ :- ରାମଙ୍କ ସୈନ୍ୟମାନେ କାଳେ ଜାଣିପାରିବେ, ସେଥିପାଇଁ ସେମାନେ ବାଦ୍ୟ ନ ବଜାଇ ପରସ୍ପରରେ କଥାବାର୍ତ୍ତ ନ ହୋଇ ଅରଣ୍ୟର ବଡ଼ ବଡ଼ ପଥରଖଣ୍ଡ ପଛରେ ବ୍ୟାଘ୍ର ପ୍ରାୟ ଗୁପ୍ତ ଭାବରେ ରହିଲେ ।

 

ବାହାରେ ବାହାରେ ବିଂଶବାହା ବାନ୍ଧି ବଇରୀ ବିଭ୍ରାଟ ବାନା ।

ବସି ପୁଷ୍ପକରେ କରବାଳ କରେ କରଇ ସୁରେ ତର୍ଜ୍ଜନା । ୬ ।

ବିଗ୍ରହ ରଙ୍ଗ ଚତୁର ଚତୁରଙ୍ଗ ସଙ୍ଗର ବହି ସଙ୍ଗର ।

ବଳିଲା ଅନିଳଗତି କରି ନୀଳ ଦୁର୍ଗମ ଦୁର୍ଗ ସତ୍ୱର । ୭ ।

ବିରାଧାରି ଧନୁର୍ଦ୍ଧାରି ଜାମ୍ୱବାନ ମଙ୍ଗଳାରୋପଣ ବିହି ।

ବଇରୀ ମାରି ଗଉରୀ ଲଭ ବୋଲି ଗଉରୀଚିତ୍ରକ ଦେଇ । ୮ ।

ବିଜେ କରୁ କରୁ କରୁଣାସିନ୍ଧୁର ବେନିପାଶେ ଦୃଷ୍ଟିପାତ ।

ବର୍ଣ୍ଣ ଜୀଳଶ୍ୱେତ କଳିତ ସିନ୍ଧୁର ଘୋଟଳଘୋଟକ ଏ ତ । ୯ ।

ବିରୋଧ ସାଗର ରୋଧେ ଦିଶେ ପଛେ ରଥମୟ ଏ ସମୟେ ।

ବିଭିଷଣ କହି ଭୀଷଣ ରାବଣ କୁପଟ ଆଜି ଭିଆଏ । ୧୦ ।

 

୬ଷ୍ଠ ପଦ :- ବାହାରେ-ବାହୁରେ । ବିଂଶବାହା-ରାବଣ । ବଇରୀ-ବିଭ୍ରାଟବାନା-ଶତ୍ରୁ ବିଜୟ ପତାକା । କରବାଳ କରେ-ଖଡ଼୍‌ଗ ହସ୍ତରେ । ସୁରେ-ଦେବତାମାନଙ୍କୁ ।

 

୬ଷ୍ଠ ପଦ :- ରାବଣ ଶତ୍ରୁଜୟ ପତାକା ବାହୁରେ ବାନ୍ଧି ବାହାରିଲା । ପୁଷ୍ପକ ବିମାନରେ ବସି ହସ୍ତରେ ଖଡ଼୍‌ଗ ଝମକାଇ ଦେବତାଙ୍କୁ ଚାହିଁ ତର୍ଜନା କରିବାକୁ ଲାଗିଲା । (ତୁମ୍ଭପାଇଁ ମୋର ଆଜି ଏଦଶା,-ରାମ ଲକ୍ଷ୍ମଣଙ୍କୁ ଜିଣି ଆସିଲେ ତୁମ୍ଭକଥା ବୁଝିବି)।

 

୭ମ ପଦ :- ବିଗ୍ରହ-ଯୁଦ୍ଧ । ରଙ୍ଗ-ବିଷୟ । ସଙ୍ଗର-ସହିତର । ସଙ୍ଗର-ଯୁଦ୍ଧର । ଅନିଳଗତି-ପବନଗତି । ଦୁର୍ଗମ-ଅଜେୟ,ଦୁର୍ଭେଦ୍ୟ ।

 

୭ମ ପଦ :- ରାବଣ ଯୁଦ୍ଧକୌଶଳୀ ଚତୁରଙ୍ଗ ବଳକୁ ସଙ୍ଗରେ ନେଇ ଯୁଦ୍ଧଭୂମିରେ ପ୍ରବେଶ କଲା ଓ ପବନଗତିରେ ନୀଳ ସେନାପତିର ଗଡ଼କୁ ଜିଣି ଶୀଘ୍ର ଅଗ୍ରସର ହେଲା ।

 

୮ମ ପଦ :- ବିରାଧାରୀ-ବିରୋଧ ରାକ୍ଷସର ବିନାଶକାରୀ(ରାମଚନ୍ଦ୍ର) । ଧନୁର୍ଦ୍ଧାରୀ-ଧନୁଧାରଣ କରିଥିବା । ବିହି-ବିଧାନ କରି । ବଇରି-ଶତ୍ରୁ । ଗଉରୀ-ସୀତା । ଗଉରୀଚିତ୍ରକ-ଗୋରଚନା ଚିତା ।

 

୮ମ ପଦ :- ରାବଣ ସସୈନ୍ୟେ ଆସିବାର ଦେଖି ଧନୁର୍ଦ୍ଧାରୀ ରାମ ଯୁଦ୍ଧକୁ ବାହାରନ୍ତେ ମନ୍ତ୍ରୀ ଜାମ୍ୱବାନ ମଙ୍ଗଳାରୋପଣ ବିଧାନକଲେ । ଶତ୍ରୁ ସଂହାରକରି ଗୌରବର୍ଣ୍ଣା ଭାର୍ଯ୍ୟାଲାଭକର ବୋଲି କହି ଗୋରଚନା ଚିତା ରାମଙ୍କ ମସ୍ତକରେ ଦେଲେ ।

 

୯ମ ପଦ :- କରୁଣାସିନ୍ଧୁ-ଦୟାସାଗର । ଶ୍ୱେତ-ଶୁକ୍ଳ । କଳିତ-କୃଷ୍ଣ, କାଳିଆ । ସିନ୍ଧୁର-ହସ୍ତୀ । ଘୋଟକ-ଘୋଡ଼ା । ଘୋଟକ- ଆଚ୍ଛନ୍ନ ।

 

୯ମ ପଦ :- ଯୁଦ୍ଧପାଇଁ ଯାଉ ଯାଉ ଦୟାସାଗର ରାମ ତାଙ୍କ ଉଭୟ ପାର୍ଶ୍ୱକୁ ଦୃଷ୍ଟି ପକାଇ ଦେଖିଲେ ଯେ, ନୀଳବର୍ଣ୍ଣ ଓ ଶ୍ୱେତବର୍ଣ୍ଣରେ ଶୋଭିତ ଅଶ୍ୱ ହସ୍ତୀମାନଙ୍କଦ୍ୱାରା ଯୁଦ୍ଧକ୍ଷେତ୍ରପୂର୍ଣ୍ଣ ହୋଇଅଛି ।

 

୧୦ମ ପଦ :- ବିରୋଧ-ବିପକ୍ଷରେ । ସାଗର ରୋଧେ-ସମୁଦ୍ରକୁଳରେ ।

 

୧୦ମ ପଦ :- ହସ୍ତୀ ଓ ଅଶ୍ୱସବୁ ଦେଖିଲାବେଳେ ପୁନର୍ବାର ଦେଖିଲେ ଯେ, ପୃଷ୍ଠଭାଗରେ ସମୁଦ୍ରତୀରରେ ଯୁଦ୍ଧ କରିବାପାଇଁ ସଜ୍ଜିତ ହୋଇଥିବା ବହୁତ ରଥ ରୁଣ୍ଡ ହୋଇଅଛି । ତାହା ଦେଖି ବିଭୀଷଣ କହିଲା, ‘‘ରାବଣ ଆଜି ଭୟଙ୍କର କପଟ ଭିଆଣ କରିଅଛି । ’’

 

ବିଳାସରେ ନେତ୍ର ମାରୀଚମାରିର ଜାଣି ଉଲ୍ଲାସରେ ଧାଇଁ ।

ବନ୍ଦନ ବାଳିନନ୍ଦନ ହନୁମାନ ନଳ ଅଭିନାନ ଧ୍ୟାୟି । ୧୧ ।

ବିଚାରି ଚାରି ଯୂଥପତି ସେ ଯୂଥ ଯୂଥ କରି ସୈନ୍ୟ ନେଲେ ।

ବେଗେ ମିଶି ଗୋମୂତ୍ର ସର୍ବଯମକ ଶୃଙ୍ଖଳାଛନ୍ଦମଞ୍ଜୁଳେ । ୧୨ ।

 

ଗୋମୂତ୍ର ଛନ୍ଦ:-

ବାଜି ବାଣ ହୃଦଘାତ କୁନ୍ତପାତଗର୍ତ୍ତ ଶବ ବାଦୀ ରହି ।

ବାଜିଗଣ ପାଦଧୃତ ହତଚେତ ଆର୍ତ୍ତରବ ସାଦୀ ବିହି । ୧୩ ।

 

ସର୍ବଯମକ :-

ବିଦାରଣ ହେଲେ ବାଳୀ କୁଞ୍ଜରେ ପ୍ରହାରଣେ କରଦନ୍ତୀ ।

ବିଦାରଣ ହେଲେ ସେ ବଳିକୁଞ୍ଜରେ ପ୍ରହାରଣେ କର-ଦନ୍ତୀ । ୧୪ ।

 

ଶୃଙ୍ଖଳା:-

ବିରଥୀ ରଥିର ମନ ମନ କପି କପୀଶ ଶ-ବଶ-ବର ।

ବରଷକ ବର ଶକତି କତିର ତିରସ୍କର କର ବୀର । ୧୫ ।

 

ବିଲୋମଲୋମ:-

ବିଲୋ ଲୋମ ମେଷଯୁଦ୍ଧ ପ୍ରକାରେ ସଂଗ୍ରାମ ପ୍ରାଧାନ କର ।

ବୃକ୍ଷ ଗଦା ଶର ସଦା ଋକ୍ଷ ରକ୍ଷ ଅବିଶ୍ରାମରେ ପ୍ରହାର । ୧୬ ।

 

୧୧ଶ ପଦ :- ମାରୀଚମାରି-ମାରିଚ ହନ୍ତା (ରାମଚନ୍ଦ୍ର) । ଉଲ୍ଲାସରେ-ଆନନ୍ଦରେ । ବନ୍ଦନ-ପୂଜ୍ୟ । ବାଳିନନ୍ଦନ-ଅଙ୍ଗଦ । ଧ୍ୟାୟି-ଚିନ୍ତାକରି । ନେତ୍ରବିଳାସରେ-ଆଖିଠାରରୁ । ବାଳିନନ୍ଦନ-ବନ୍ଦନ-ସୁଗ୍ରୀବ ।

 

୧୧ଶ ପଦ :- ବିଭୀଷଣଠାରୁ ଏହିପରି ଶୁଣି ରାମଚନ୍ଦ୍ର ଆଖିଠାରି ଦିଅନ୍ତେ ଯୁଦ୍ଧକୁ ଅଗ୍ରସର ହେବା କଥା ଜାଣିପାରି ସୁଗ୍ରୀବ, ଅଙ୍ଗଦ, ହନୁମାନ ଓ ନଳ ଏ ଚାରିଜଣ ବୀରତ୍ୱ ପ୍ରକାଶ ପୂର୍ବକ ଉଲ୍ଲାସରେ ଧାଇଁଲେ ।

 

୧୨ଶ ପଦ :- ଯୂଥପତି-ସେନାପତି । ଯୂଥ-ସମଷ୍ଟି । ମଞ୍ଜୁଳେ-ମନୋହର ଭାବରେ ।

 

୧୨ଶ ପଦ :- ଏହି ଚାରି ସେନାପତି ବିଚାର କରି ବୃନ୍ଦ ବୃନ୍ଦ କପି ସୈନ୍ୟଙ୍କୁ ବାଣ୍ଟି ନେଲେ । ଅତିଶିଘ୍ର ମନୋହର ଗୋମୁତ୍ର ଛନ୍ଦ, ସର୍ବଯମକ ଛନ୍ଦ’ ଶୃଙ୍ଖଳା ଛନ୍ଦରେ ମିଶି ଯୁଦ୍ଧ କରିବାକୁ ଲାଗିଲେ ।

 

୧୩ଶ ପଦ :- ବାଦୀ-ବିପକ୍ଷ । ବାଜିଗଣ-ଘୋଡ଼ାସବୁ । ହତଚେତନ-ଚେତନାଶୂନ୍ୟ । ସାହି-ସିପାହି ।

 

୧୩ଶ ପଦ :- ଶତ୍ରୁ ରାକ୍ଷସମାନଙ୍କ ବାଣ ବାନରମାନଙ୍କ ହୃଦୟରେ ବାଜି ଆଘାତ କଲା ଏବଂ କୁନ୍ତହାରା ବାନରମାନଙ୍କ ଦେହରେ ଗର୍ତ୍ତହୋଇଯାନ୍ତେ ସେମାନେ ଶବପ୍ରାୟ ନିଚେଷ୍ଟ ହୋଇ ରହିଲେ । ତାହା ଦେଖି ପ୍ରଧାନ ବୀରକପିମାନେ ଅଶ୍ଵାରୋହୀ ରାକ୍ଷସ ସୈନ୍ୟ ଓ ଅଶ୍ୱଙ୍କର ପାଦଧରି ଓଟାରିବାରୁ ସେମାନେ ଆର୍ତ୍ତଧ୍ୱନି କରି ଅଜ୍ଞାନ ହୋଇ ପଡ଼ିଲେ ।

 

୧୪ଶ ପଦ :- ବଳୀକୁଞ୍ଜର-ବଳିଷ୍ଠ ହସ୍ତୀ, ବଳିଷ୍ଠ ସୈନ୍ୟମାନେ । କରଦନ୍ତୀ-ଶୁଣ୍ଢ ଓ ଦନ୍ତ । କର-ହସ୍ତ । ଦନ୍ତୀ-ପର୍ବତମାନଙ୍କୁ । ବିଦାରଣ-ବିଦାରଣ, ବିନାଶ କରିବା ।

 

୧୪ଶ ପଦ :- ହସ୍ତୀମାନେ ସେମାନଙ୍କ ଶୁଣ୍ଢ ଓ ଦନ୍ତ ପ୍ରହାର କରିବାରୁ ବଳିଷ୍ଠ କପିମାନେ ବିଦିର୍ଣ୍ଣ ହେଲେ । ତାହା ଦେଖି ରାମଙ୍କ ସୈନ୍ୟ ମଧ୍ୟରେ ଥିବା ବଳିଷ୍ଠ ଯୁଥପତିମାନେ ହସ୍ତରେ ପର୍ବତ ଶୃଙ୍ଗମାନ ଧରି ପ୍ରହାର କରି ରାକ୍ଷସ ବୀରମାନଙ୍କୁ ବିନାଶ କଲେ ।

 

୧୫ଶ ପଦ :- କପୀଶ-ସୁଗ୍ରୀବ । ଶ-ବଶ-ମଙ୍ଗଳର ବଶବର୍ତ୍ତୀ । ବର-ଶ୍ରେଷ୍ଠ । ବରଷକ-ବର୍ଷଣକାରୀ ।

 

୧୫ଶ ପଦ :- କପିମାନଙ୍କର ପ୍ରଭୁ ସୁଗ୍ରୀବଙ୍କ ମଙ୍ଗଳାକାଙ୍‌କ୍ଷୀ ପ୍ରଧାନ କପି ହନୁମାନ ମନେ ମନେ ବିଚାର କରି ରଥିମାନଙ୍କୁ ବିରଥୀ କରି ପକାଇଲା [ ରଥୀମାନଙ୍କ ରଥ ଭାଙ୍ଗି ପକାଇଲା ] ଏବଂ ନିକଟରେ ପ୍ରଧାନ ପ୍ରଧାନ ଶକ୍ତି ବର୍ଷଣ କରୁଥିବା ରାକ୍ଷସ ବୀରଙ୍କୁ ନାନା ପ୍ରକାର ତିରସ୍କାର କରିବାକୁ ଲାଗିଲା ।

 

୧୬ଶ ପଦ :- ବିଲୋମ-ବିପରୀତ । ମେଷଯୁଦ୍ଧ-ମେଣ୍ଢା ଲଢ଼େଇ ।

 

୧୬ଶ ପଦ :- ବିଲୋମ ଅନୁଲୋମରେ ମେଷ ଯୁଦ୍ଧ କଲାପରି ( ଦୁଇ ମେଣ୍ଢା ଯୁଦ୍ଧ କଲାବେଳେ ସେମାନେ ଆଗକୁ ଯାଇ ପୁଣି ପଛକୁ ବାରମ୍ବାର ଫେରି ଆସୁଥାନ୍ତି ) ଦୁଇ ସୈନ୍ୟ ଯୁଦ୍ଧ କରିବାକୁ ଲାଗିଲେ । ଭଲ୍ଲୁକ ଓ ରାକ୍ଷସ ସୈନ୍ୟମାନେ ବୃକ୍ଷ, ଗଦା ଓ ଶର ଅବିଶ୍ରାନ୍ତ ପ୍ରହାର କରିବାକୁ ଲାଗିଲେ ।

 

 

ବିଲୋମଅନୁଲୋମ:-

ବୀର ଯେତେ ସେନା ବାର ରସା ସାର ରବା ନାଶେ ତେଜେ ରବି ।

ବିହେ ତଜି ପୁରିତର ତମ ମତ ରତ ରିପୁଜିତ ହେବି । ୧୭ ।

 

ବୃକ୍ଷବନ୍ଧ:-

ବିଶାଳ ଶାଳ ତାଳଜାଳ ଟେକ ଯେ କଣ୍ଟକ ଜୀବଧବ ସେ ।

ବହି କେତେ କପି କକ୍ଷାବନ୍ତ ବଡ଼ ବରଷେ ରୋଷେ ଶେଷେ ସେ । ୧୮ ।

 

ଗଦାବନ୍ଧ:-

ବିଦା ସଦା ମୋଦା ଗଦା ଗରଧର ବର ତାର ତାହି ବିହି ।

ବିହି ମହୀ ମନ୍ଦ ଦ୍ୱନ୍ଦଛନ୍ଦ କନ୍ଦ କହି ନୋହେ ତାହି ବିହି । ୧୯ ।

Image

 

ବୃକ୍ଷବନ୍ଧ:-

ବିଶାଳ ଶାଳ ତାଳଜାଳ ଟେକ ଯେ କଣ୍ଟକ ଜୀବଧବ ସେ ।

ବହି କରେ କପି କକ୍ଷାବନ୍ତ ବଡ଼ ବରଷେ ରୋଷେ ଶେଷେ ସେ ।

\

Image

 

ଗଦାବନ୍ଧ:-

ବିଦା ସଦା ମୋଦା ଗଦା ଗରଧର ବର ତାର ତାହି ବିହି ।

ବିହି ମହୀ ମନ୍ଦ ଦ୍ୱନ୍ଦଛନ୍ଦ କନ୍ଦ କିଛି ନୋହେ ତାହି ବିହି ।

 

୧୭ଶ ପଦ :- ବାର-ସମୂହ । ରସା-ପୃଥିବୀ । ସାର-ପ୍ରଧାନ । ରବା-ଧ୍ୱନି । ରବି-ସୂର୍ଯ୍ୟ । ତମ-ଅହଂକାର, ଅନ୍ଧକାର । ରିପୁ-ଶତ୍ରୁ । ଜିତ-ଜୟ ।

 

୧୭ଶ ବଦ:- ପୃଥିବୀରେ ଥିବା ପ୍ରଧାନ ପ୍ରଧାନ ବୀରମାନେ ସେ ଯୁଦ୍ଧରେ ସୂର୍ଯ୍ୟସମ ତେଜ ଦେଖାଇ ଓ ଉଚ୍ଚରେ ବୀରଡ଼ାକ ଦେଇ କ୍ରୋଧଭରେ ତର୍ଜନ କରିବାକୁ ଲାଗିଲେ ଏବଂ ଶତ୍ରୁକୁ ଜିଣି ଯଶସ୍ୱୀ ହେବି,- ଏହାଭାବି ପରସ୍ପରରେ ଯୁଦ୍ଧ କଲେ । ( ବିଲୋମ ଅନୁଲୋମ ମେଷ ଯୁଦ୍ଧ-ଏ ପଦର ଏ ପାଖରୁ ପଢ଼ିଲେ ଯାହା ଶେଷରୁ ପଢ଼ି ଆସିଲେ ମଧ୍ୟ ତାହା, ଯଥା-ବୀର ଯେତେ ସେନାବାର......ରବା ନାଶେ ତେଜେ ରବି ) ।

 

୧୮ଶ ପଦ :- ବିଶାଳ-ପ୍ରକାଣ୍ଡ । ଶାଳ-ବୃକ୍ଷ ବିଶେଷ । ତାଳ ଜାଳ-ତାଳବୃକ୍ଷ ସମୂହ । ଟେକ-ଉକୃଷ୍ଟ । କଣ୍ଟକ-ଶତ୍ରୁ । ଜୀବଧବ-ଯମ । କକ୍ଷବନ୍ତ-ପ୍ରତିଜ୍ଞାବଦ୍ଧ ।

 

୧୮ଶ ପଦ :- ଶ୍ରେଷ୍ଠ ବଳଶାଳୀ, ଶତ୍ରୁମାନଙ୍କର ଯମତୁଲ୍ୟ ପ୍ରାଣହନ୍ତା ବଡ଼ ସମର୍ଥ କପି ସେନାମାନେ ରାକ୍ଷସମାନଙ୍କୁ ନିଃଶେଷ କରିବା ପାଇଁ ବୃହତ୍ ଶାଳ ଗଛ ଓ ତାଳଗଛ ହସ୍ତରେ ଧରି କ୍ରୋଧରେ ପ୍ରହାର କଲେ ।

 

୧୯ଶ ପଦ :- ବିଦା-ବିଦାୟ, ପ୍ରହାର । ମୋଦା-ଆମୋଦ, ଆନନ୍ଦା  । ଗରଧର-ବିଷଧର ସର୍ପ । ବର-ପ୍ରଧାନ । ବିହି-ବିଧାନ କରି । ମହୀ-ପୃଥିବୀ । ଦ୍ୱନ୍ଦ ଛନ୍ଦ-କପଟ ଯୁଦ୍ଧ । କନ୍ଦ-ରୋଗ; ଦୁଃଖ ।

 

୧୯ଶ ପଦ :- ପୃଥିବୀର ସୁଖ ଖଣ୍ଡନକାରୀ ଦୁଷ୍ଟ ରାକ୍ଷସମାନେ କପଟ ଯୁଦ୍ଧ ବିଧାନ କରି ଅଜଗର ସର୍ପ ପ୍ରାୟ ଦୀପ୍ତିମନ୍ତ ହୋଇ ଆନନ୍ଦରେ ଗଦା ପ୍ରହାର କରିବାକୁ ଲାଗିଲେ । ତେଣୁ ବାନର ସେନାମାନେ ତ୍ରାହି ତ୍ରାହି ଡାକ ଦେଇ ଭୟରେ ଆର୍ତ୍ତନାଦ କଲେ ।

 

Unknown

ଶରବନ୍ଧ:-

 

ବୀର ଶରଭର ଖରଖଣ୍ଡି ଖର ଖରକର ତାର ତାର ।

ବାର ବାର ବାଜିବାର ତର ତର ହଟି ହଟି ହର ହର । ୨୦ ।

ନିଘାତି ଦୈତ୍ୟାଶିରେ ହୋଇଥିଲେ ଶଉରୀ ପ୍ରମୁଖ ଗ୍ରହେ ।

ବଡ଼ ଦାନବଳେ ପ୍ରଧାନଙ୍କ ମେଳେ ଘୁଞ୍ଚିବା ଗତିକି ବିହେ । ୨୧ ।

ବିକ୍ରମି ନୋହିଲା ପ୍ରଥମମଥନେ ମହାପାରୁଶ ପାରୁଶେ ।

ବସୁଧା ସୁଦ୍ଧା ପୂରିତ ହୋଇଗଲା ଯମଘଣ୍ଟ ବୀର ଘୋଷେ । ୨୨ ।

ବିକୁକ୍ଷିବଂଶୀ ଦେଖି ଭାଷି ଅଦ୍ଭୁତ ସମ୍ଭୁତ ହେଲା ତ ଏହି ।

ବୁଡ଼ଣୀ କୁଶଅଗ୍ର କୁଶବିନ୍ଦୁରେ ସିନ୍ଧୁରେ ଯାହାକୁ ନୋହି । ୨୩ ।

ବିଭୀଷଣ ଶୁଣି ଭାଷଣ ମର୍କଟ ଜାଳରେ ମର୍କଟଜାଳ ।

ବନ୍ଧନ କରି ନିଧନ ବିଚାରିବା ରହିବ ଏ କେତେକାଳ? ୨୪ ।

ବିପକ୍ଷ ମାରୁଁ ମାରୁତି ଘେନି-କପି ବାମେ ସେ ସାହା ମୋହରି ।

ବିଜୟୀ ଲକ୍ଷଣ ଅଙ୍ଗଦ ସ୍କନ୍ଧେଣ ଆଗେ ଆଗେ ବିଜେ କରି । ୨୫ ।

 

୨୦ଶ ପଦ :- ଶରଭର-ବାଣାତିଶଯ୍ୟ । ଖରଖଣ୍ଡି-ଖରହନ୍ତା । ଖର-ତୀକ୍ଷଣ । ଖରକର-ସୂର୍ଯ୍ୟ । ତାର-ତେଜୀୟାନ । ତାର-ଉବାରକର, ଶୀଘ୍ର । ହର-ଶିବ । ହର-ହରଣକର ।

 

୨୦ଶ ପଦ :- ତତ୍ପରେ କପି ସୈନ୍ୟମାନେ କହିବାକୁ ଲାଗିଲେ, ‘ହେ ଖରହନ୍ତା ରାମଚନ୍ଦ୍ର ! ସୂର୍ଯ୍ୟପ୍ରାୟ ଦୀପ୍ତିମନ୍ତ ରାକ୍ଷସମାନଙ୍କ ଶର ଘାତରୁ ଆମ୍ଭଙ୍କୁ ଉଦ୍ଧାର କର । ସେ ଶରସବୁ ସଂହାର ମୂର୍ତ୍ତିଧରି ପୁନଃପୁନଃ ବାଜିବାରୁ ଆମ୍ଭେମାନେ ଶୀଘ୍ର ପଛକୁ ହଟି ଆସୁଅଛୁଁ । ସେହି ଶରତେଜକୁ ତୁମ୍ଭେ ହରଣ କର’ ।

 

୨୧ଶ ପଦ :- ବିଘାତି-ବିନାଶକାରୀ । ଦୈତ୍ୟରାଶିରେ-ରାକ୍ଷସ ସମୂହରେ । ଶଉରୀ-ବୀର ବିଶେଷ, ଶନି- ମହାଗ୍ରହ ।

 

୨୧ଶ ପଦ :- ଶଉରି ପ୍ରମୁଖ ସେନାପତିମାନେ ଶନିଗ୍ରହ ଆଦି ନବଗ୍ରହ ପ୍ରାୟ ହେଲେ । ଗ୍ରହମାନେ ବଡ଼ ବଡ଼ ଦାନ ବଳରେ ଘୁଞ୍ଚିଗଲା ପ୍ରାୟ ( ଦାନ ଦେଲେ ଗ୍ରହଦୋଷ କଟିଯାଏ ) ବାନର ସେନାପତିମାନେ ବୈଦ୍ୟମାନଙ୍କ ଦ୍ୱାରା ବିଶେଷ ଭାବରେ ଘାତବନ୍ତ ହୋଇ ଘୁଞ୍ଚିଗଲେ ( ପୃଷ୍ଠଭଙ୍ଗ ଦେଲେ ) ।

 

୨୨ଶ ପଦ :- ବସୁଧା-ପୃଥିବୀ । ବୀର ଘୋଷେ-ବୀର ନାଦରେ ।

 

୨୨ଶ ପଦ :- ମହାପାର୍ଶ୍ୱରେ ପାଖରେ ଥିବା ପ୍ରଥମ ଦୈତ୍ୟ ସୈନ୍ୟମାନଙ୍କୁ ଏପରି ମନ୍ଥି ପକାଇଲା ଯେ, ତା ଆଗରେ କୌଣସି କପିସୈନ୍ୟ ରହି ନ ପାରି ପଛଘୁଞ୍ଚା ଦେଲେ । ଯମଘଣ୍ଟ ଦୈତ୍ୟର ବୀରଡାକରେ ପୃଥିବୀ ପୂର୍ଣ୍ଣ ହୋଇଗଲା ।

 

୨୩ଶ ପଦ :- ବିକୁକ୍ଷବଂଶୀ-ରାମଚନ୍ଦ୍ର । ସିନ୍ଧୂରେ-ସମୁଦ୍ରରେ ।

 

୨୩ଶ ପଦ :- କପିସୈନ୍ୟ ପୃଷ୍ଠଭଙ୍ଗ ଦେବାର ଦେଖି ରାମଚନ୍ଦ୍ର କହିଲେ, ‘‘ଏହା ତ ଅତି ଆଶ୍ଚର୍ଯ୍ୟଜନକ କଥା । ଯାହାକୁ ସମୁଦ୍ରରେ ବୁଡ଼ାଇ ଦିଆଯାଇ ନ ପାରେ, ସେ ଜଳବିନ୍ଦୁରେ ବୁଡ଼ିଗଲା କିପରି ? ( ତ୍ରିପୁର ବିଜୟୀ ମୋର ସୈନ୍ୟଙ୍କୁ ଏ ସାମାନ୍ୟ ଅସୁରେ ରଣଭଣ କରି ଦେଲେ କିପରି ?)’’ ।

 

୨୪ଶ ପଦ :- ମର୍କଟଜାଲରେ-ବୁଢ଼ୀଆଣୀ ଜାଲରେ । ମର୍କଟଜାଳ-ବାନରସମୂହ ।

 

୨୪ଶ ପଦ :- ରାମଙ୍କର ଏପରି ହତାଶ ବଚନ ଶୁଣି ବିଭୀଷଣ କହିଲେ, ‘‘ବାନରମାନଙ୍କ ବୁଢ଼ୀଆଣି ସୂତା ଜାଲରେ ବାନ୍ଧି ନିଧନ କରିବା ବିଚାର କେତେବେଳେ ଅବା ରହିବ ? ( ଅର୍ଥାତ୍ ଅସୁରଙ୍କ ମାୟାବଳରେ କପିମାନେ ପୃଷ୍ଠଭଙ୍ଗ ଦେଉ ଅଛନ୍ତି, ମାତ୍ର ସେ ମାୟା ଅତିଶୀଘ୍ର ଲୋପ ପାଇବ ଓ କପିମାନେ ଜୟୀ ହେବେ ) ।’’

 

୨୫ଶ ପଦ :- ମାରୁଁ-ବିନାଶ କରିବାରୁ । ମାରୁତି-ହନୁମାନ । ବାମେ-ଶତ୍ରୁ ଆକ୍ରମଣ ସମୟରେ ।

୨୫ଶ ପଦ :- ତାହା ଶୁଣି ରାମଚନ୍ଦ୍ର କହିଲେ, ‘‘ହନୁମାନ ବାନର ସୈନ୍ୟଙ୍କୁ ସଙ୍ଗରେ ନେଇ ଶତ୍ରୁ ସୈନ୍ୟଙ୍କୁ ମାରୁ । ଏ ଭୀଷଣ ରଣ କ୍ଷେତ୍ରରେ ସେ ଏକା ମୋତେ ସାହାଯ୍ୟ କରିବାରେ ଦକ୍ଷ ଅଟେ ।’’ ଏହା ଶୁଣି ବିଜୟୀ ଲକ୍ଷ୍ମଣ ଅଙ୍ଗଦ କନ୍ଧରେ ବିଜେକରି ଆଗେ ଆଗେ ଯୁଦ୍ଧ ସ୍ଥଳକୁ ଗଲେ ।      

 

ବିଛନ୍ଦ ଛନ୍ଦେ ଏହି ବଚକବଚେ ସ୍ୱନାମେ ଆପଣା ଦେହୀ ।

ବଜ୍ରପଞ୍ଜର କବଚ ସ୍ୱଗାତ୍ରରେ ପ୍ରଥମେ ଓଁ କାର ଦେଇ । ୨୬ ।

ବିଶ୍ଵାମିତ୍ର ଋଷି ଅନଷ୍ଟୁପଛନ୍ଦ ଶ୍ରୀରାମଚନ୍ଦ୍ର ଦେବତା ।

ବୀଜ ରାମ ଶକ୍ତି ତଦନ୍ତରେ ସତ୍ୱରେ କରି ବିଦିତ । ୨୭ ।

ବିହି ଧ୍ୟାନ ଧ୍ୟାୟେ ନୀଳୋତ୍ପଳଶ୍ୟାମ ରାମ ରାଜୀବଲୋଚନ ।

ବୈଦେହୀ ଲକ୍ଷ୍ମଣ ସଙ୍ଗଭଙ୍ଗକାରୀ ଜଟାମୁକୁଟମଣ୍ଡନ । ୨୮ ।

ବାଣକମାଣତୂଣଅସି ପାଣିକ ପାପଘ୍ନୀ ସର୍ବକାମଦା ।

ତିନ୍ୟସ୍ତ ହସ୍ତ ରଖ ଶିର ରାଘବ ଭାଲ ଦାଶରଥି ସଦା । ୨୯ ।

ବିମଳନୟନ କୌଶଲ୍ୟେୟ ବିଶ୍ୱାମିତ୍ରପ୍ରିୟ ରଖ ଶ୍ରୁତି ।

ବିପୁଳ-ମଖରକ୍ଷଣ ଘ୍ରାଣ ତ୍ରାଣ ସୌମୁତ୍ରି ସୁମତି । ୩୦ ।

 

୨୬ଶ ପଦ :- ବିଛନ୍ଦ-ବିଷମ । କବଚବଚେ-କବଚ ପାଠ କରି । ବଜ୍ରପଞ୍ଜର-ସ୍ତୋତ୍ରବିଶେଷ ।

 

୨୬ଶ ପଦ :- ରାମଚନ୍ଦ୍ର ଦେହ ଧାରଣ କରିଥିବା ସ୍ୱୟଂ ବିଷ୍ଣୁ ନିଜର ବଜ୍ରପଞ୍ଜର କବଚର ଆଦ୍ୟରେ ଓଁକାର ଦେଇ ଋଷି ଛନ୍ଦରେ ଆପଣା ନାମରେ ନିଜ ଦେହକୁ ଏହି ବାକ୍ୟମାନଙ୍କରେ କିଳିଲେ ।

 

୨୭ଶ ପଦ :- ସେହି କବଚରେ ରାମ ପାଠକଲେ, ବିଶ୍ୱାମିତ୍ରଋଷି, ଅନୁଷ୍ଟୁପ୍‌ଛନ୍ଦ, ଶ୍ରୀ ରାମଚନ୍ଦ୍ର ଦେବତା, ରାମ ବୀଜ, ସୀତା ଶକ୍ତି । ତତ୍‌ପରେ ଯାହା ପଢ଼ିଲେ ତାହା ଶୀଘ୍ର ପ୍ରକାଶ କରିବା ।

 

୨୮ଶ ପଦ :- ତତ୍‌ପରେ ଧ୍ୟାନ କଲେ,- ନୀଳୋତ୍ପଳ ପ୍ରାୟ ଶ୍ୟାମ ବର୍ଣ୍ଣ, ପଦ୍ମ ନେତ୍ର, ବୈଦେହୀ ଓ ଲକ୍ଷ୍ମଣ ସହିତ କ୍ରୀଡ଼ାପ୍ରିୟ, ଜଟା ମୁକୁଟ ଭୂଷଣ ରାମଙ୍କୁ ଧ୍ୟାନ କରୁଅଛି ।

 

୨୯ଶ ପଦ :- ଆସିପାଣିକ-ଖଡ଼୍‌ଗଧାରୀ । ପାପଘ୍ନୀ-ପାପହାରୀ ।

 

୨୯ଶ ପଦ :- ଯାହାର ହସ୍ତରେ ଶର, ଧନୁ, ତୁଣୀର ଓ ଖଡ଼୍‌ଗ ସର୍ବଦା ବିଦ୍ୟାମାନ, ଯେ ପାପ ନାଶକ, ଯେ ସକଳ କାମନାଦାୟକ - ଏପରି ଯେ ଦାଶରଥି, ସେ ମୋର ମସ୍ତକ ରଖନ୍ତୁ । ଏହା କହି ମସ୍ତକରେ ହସ୍ତ ବିନ୍ୟାସ କଲେ ।

 

୩୦ଶ ପଦ :- କୌଶଲ୍ୟେୟ-କୌଶଲ୍ୟାସୁତ ରାମଚନ୍ଦ୍ର । ଶ୍ରୂତି-ବର୍ଣ୍ଣ । ମଖରକ୍ଷଣ-ଯଜ୍ଞ ରକ୍ଷାକାରୀ । ଘ୍ରାଣ-ନାସିକା ।

୩୦ଶ ପଦ :- କୌଶଲ୍ୟାପୁତ୍ର ମୋହର ନିର୍ମଳ ଚକ୍ଷୁଦ୍ୱୟ ରଖନ୍ତୁ, ବିଶ୍ୱାମିତ୍ର ଋଷିଙ୍କ ପ୍ରିୟ ଶିକ୍ଷ୍ୟ ମୋର ଦୁଇ ଶ୍ରବଣକୁ ରଖନ୍ତୁ, ମହାଯଜ୍ଞ ରକ୍ଷାକାରୀ ରାମ ମୋର ନାସିକାକୁ ରକ୍ଷା କରନ୍ତୁ, ଲକ୍ଷ୍ମଣଙ୍କଠାରେ ଉତ୍ତମରୂପେ ଅନୁରାଗୀ ହୋଇଥିବା ରାମ ମୋହର ମୁଖକୁ ରକ୍ଷା କରନ୍ତୁ ।

 

ବିଦ୍ୟାନିଧି ଜିହ୍ୱା ଭରତବନ୍ଦିତ କଣ୍ଠ ଦିବ୍ୟାୟୁଧ ସ୍କନ୍ଧ ।

ବାହୁ ଈଶ୍ୱଧନୁଭଞ୍ଜ ସୀତାଈଶ କର ରକ୍ଷା କରୁ ସିଦ୍ଧ । ୩୧ ।

ବକ୍ଷ କବନ୍ଧାରି ହୃଦ ଜାମଦଗ୍ନ୍ୟଜିତ ଗୀର୍ବାଣ ପୂଜିତ ।

ବେନି ସ୍ତନ ରଘୁପତି ପାର୍ଶ୍ୱ କୁକ୍ଷି ଇକ୍ଷ୍ୱାକୁବଂଶ ରକ୍ଷିତ । ୩୨ ।

ବାଦୀ ଖରଧ୍ୱଂସୀ ମଧ୍ୟ ଜାମ୍ୱବାଦିଶ୍ରୟ ସେ ନାଭି ଉଦ୍ଧରୁ ।

ବିଦ୍ୟ ମିତ୍ର-ପୁତ୍ର-ମିତ୍ର କଟି ହନୁମନ୍ତ ପ୍ରଭୁ ସକଥି ତାରୁ । ୩୩ ।

ବିଶାଳଜାନୁ ସେତୁକୃତ ଦଶାସ୍ୟଜଘାନ ଜଂଘା ପ୍ରତାରୁ ।

ବିଭୀଷଣଶ୍ରୀଦ ପଦ ରଖୁ ରାମ ସର୍ବବପୁ ରକ୍ଷା କରୁ । ୩୪ ।

ବିଗ୍ରହ ଏମନ୍ତ କବଚିବ ଯେହି ଯନ୍ତ୍ରେ ଭୁର୍ଝପତ୍ରେ ଲିହି ।

ବିହିଲେ ଶତ୍ରୁ ଅସ୍ତ୍ରତ୍ରାସ ବିନାଶ ଯଶ ପରକାଶ ତହିଁ । ୩୫ ।

 

୩୧ଶ ପଦ :- ବିଦ୍ୟାନିଧି-ସମସ୍ତ ବିଦ୍ୟାର ଆଧାର । ଈଶଧନୁରଞ୍ଜ-ଶିବଧନୁଭଗ୍ନକାରୀ ।

 

୩୧ଶ ପଦ :- ସକଳ ବିଦ୍ୟାର ସ୍ଥାନ ରାମଚନ୍ଦ୍ର ମୋହର ଜିହ୍ୱାକୁ ରଖନ୍ତୁ, ଭରତ ମୁଜିତ ରାମ ମୋର କଣ୍ଠତଟକୁ ରକ୍ଷା କରନ୍ତୁ, ବିଦ୍ୟା ଆୟୁଧଧାରୀ ରାମ ଦୁଇ କାନ୍ଧକୁ ରକ୍ଷା କରନ୍ତୁ, ହର ଧନୁ ଭଗ୍ନକାରୀ ରାମ ମୋର ଦୁଇ ବାହାକୁ ରକ୍ଷା କରନ୍ତୁ, ସୀତାପତି ରାମ ମୋର ଦୁଇ ହସ୍ତକୁ ରଖନ୍ତୁ ।

 

୩୨ଶ ପଦ :- ଜମଦଗ୍ନ୍ୟଜିତ-ପଶୁରାମ ବିଜୟା । ଗୀର୍ବାଣପୂଜିତ-ଦେବତା ମାନଙ୍କର ପୂଜ୍ୟ ।

 

୩୨ଶ ପଦ :- କବନ୍ଧ ଦୈତ୍ୟହନ୍ତା ରାମ ମୋର ବକ୍ଷ ରକ୍ଷା କରନ୍ତୁ, ପର୍ଶୁରାମ ବିଜେତା ରାମ ମୋର ହୃଦୟକୁ ରକ୍ଷା କରନ୍ତୁ, ଦେବପୂଜ୍ୟ ରାମ ମୋର ସ୍ତନଦ୍ୱୟକୁ ରଖନ୍ତୁ, ରଘୁବଂଶ ଶ୍ରେଷ୍ଠ ରାମ ମୋର ପାର୍ଶ୍ୱଦ୍ୱୟକୁ ରକ୍ଷା କରନ୍ତୁ, ଈକ୍ଷ୍ୱାକୁବଂଶୋଭବ ରାମ ମୋହର ଉଦର ରକ୍ଷା କରନ୍ତୁ ।

 

୩୩ଶ ପଦ :- ମିତ୍ର ପୁତ୍ର-ମିତ୍ର-ସୁଗ୍ରୀବର ବନ୍ଧୁ ( ରାମଚନ୍ଦ୍ର ) । ସକଥି-ଉରୁସନ୍ଧି ।

 

୩୩ଶ ପଦ :- ବିବାଦୀ ଖର ରାକ୍ଷସର ବିନାଶକ ରାମ ମୋର କଟିଭାଗକୁ ରଖନ୍ତୁ, ଜାମ୍ବବର ଆଶ୍ରୟ ରାମଚନ୍ଦ୍ର ମୋର ନାଭିକୁ ରକ୍ଷା କରନ୍ତୁ, ସୂର୍ଯ୍ୟପୁତ୍ର ନାମରେ ପ୍ରସିଦ୍ଧ ଲଭିଥିବା ସୁଗ୍ରୀବର ମିତ୍ର ରାମ ମୋର ଅଣ୍ଟାକୁ ରକ୍ଷା କରନ୍ତୁ, ହନୁମାନ ପ୍ରଭୁ ରାମଚନ୍ଦ୍ର ମୋର ଉରୁସନ୍ଧିକି ରଖନ୍ତୁ ।

 

୩୪ଶ ପଦ :- ଦଶାସ୍ୟଜଘାନ-ରାବଣହନ୍ତା । ବିର୍ଭାଷଣଶ୍ରାଦ-ବିଭୀଷଣର ସମ୍ପଦଦାତା ।

 

୩୪ଶ ପଦ :- ସେତୁବନ୍ଧ ବନ୍ଧାଇଥିବା ରାମଚନ୍ଦ୍ର ମୋହର ବୃହତ୍ ଜାନୁଦ୍ୱୟକୁ ରକ୍ଷା କରନ୍ତୁ, ରାବଣ ହନ୍ତା ରାମ ମୋହର ଜଙ୍ଘଦ୍ୱୟକୁ ରକ୍ଷା କରନ୍ତୁ, ବିଭୀଷଣର ସମ୍ପଦଦାତା ରାମଚନ୍ଦ୍ର ମୋହର ପାଦଦ୍ୱୟ ରଖନ୍ତୁ, ରାମ ମୋହର ସମସ୍ତ ଶରୀର ରକ୍ଷା କରନ୍ତୁ ।

 

୩୫ଶ ପଦ :- ଭୁର୍ଜପତ୍ର-ପତ୍ରବିଶେଷ । ଲିହି-ଲେଖି । ଶତ୍ରୁ ଅସ୍ତ୍ରତ୍ରାସ-ଶତ୍ରୁର ଅସ୍ତ୍ରାଘାତ ଭୟ ।

 

୩୫ଶ ପଦ :- ଯେଉଁଲୋକ ଯନ୍ତ୍ର କାଟି ଭୁର୍ଜପତ୍ରରେ ଲେଖି ନିଜ ଦେହକୁ ଏହିଭଳି କିଳିବ, ଶତ୍ରୁ ଯେତେ ଅସ୍ତ୍ର ପ୍ରହାର କଲେ ମଧ୍ୟ ସେ ବିନାଶ ହେବ ନାହିଁ, ବରଂ ତାହାର ଉତ୍ତରୋତ୍ତର ବୃଦ୍ଧି ହେବେ ।

 

ବଜାଇଲେ ଜୟକମ୍ୱୁ ଏ ସମୟେ ତେଜୋମୟ ନିଜ ସୈନ୍ୟ ।

ବଳବାନର ବାନରେ ପାଲଟିଲେ ଶଙ୍ଖ ଶଙ୍ଖ ଶଙ୍ଖସ୍ୱନେ । ୩୬ ।

ବାସରାନ୍ତ ନଭ ଦୁର୍ଲ୍ଲଭ ସମାନ ଲଭ୍ୟକ ସେ ରଣସ୍ଥଳ ।

ବିଲକ୍ଷ ଲକ୍ଷ ଋକ୍ଷଜ୍ୟୋତି ପ୍ରଚାର ନିଶାଚର ଖଗକୁଳ । ୩୭ ।

ବଳକର ରାମଲକ୍ଷ୍ମଣକରଜ ପ୍ରଭା ଆସଇ ପ୍ରକଟି ।

ବିରୁପାକ୍ଷସ୍ଥାନେ ଦରଶବଦ ଯେ ଦ୍ୱିବିଧ ଅର୍ଥରେ ଘୋଟି । ୩୮ ।

ବିବେକ ଶଉରି ଅଚଳ ଅଚଳ ପ୍ରଚଳ କରି ବିହିତ ।

ବିମାନ ଦଶକନ୍ଧରର ମନ୍ଦର ଚାଳନେ ମନ୍ଦମରୁତ । ୩୯ ।

ବିଲୋମଲୋମଗତିରେ ମେଷଯୁଦ୍ଧବଶେ ଅଙ୍ଗଦ ପ୍ରଭବ ।

ବର ରଥ କର ଭାବେ ରଚି ଚିର ବେଭାରକ ଥରରବ । ୪୦ ।

 

୩୬ଶ ପଦ :- ଜୟଶମ୍ବୁ-ବିଜୟ ଶଙ୍ଖ । ପାଲଟିଲେ-ଲେଉଟିଲେ ।

 

ଶ୍ରୀରାମ କବଚ :- ଓଁ ଶ୍ରୀରାମ କବଚସ୍ୟ, ବୃଦ୍ଧ ବିଶ୍ୱାମିତ୍ର ଋଷିଃ ଅନ୍ତୁଷ୍ଟୁପ୍‌ଛନ୍ଦଃ ଶ୍ରୀରାମଚନ୍ଦ୍ରୋ ଦେବତା, ଶ୍ରୀରାମଚନ୍ଦ୍ରୋ ବୀଇଂ,-ସୀତା ଶକ୍ତିଃ ଶତ୍ରୁ ପରାଜୟାର୍ଥେ ବିନିଯୋଗଃ ।

 

ଧ୍ୟାନଂ- ଧ୍ୟାୟେ ନୀଳୋତ୍ପଳଂ ଶ୍ୟାମଂ ରାମଂ-ରାଜୀବଲୋଚନଂ ।

ଜାନକୀ ଲକ୍ଷ୍ମଣୋପେତଂ ଜଟାମୁକୁଟମଣ୍ଡନଂ ॥

ସାସିତୂଣ ଧନୁର୍ବାଣ ପାଣିଂ ନକ୍ତଂ ଚିରାନ୍ତକଂ ।

ସ୍ୱଲିଳୟା ଜଗଦଭ୍ରାତୁମାବିଭ୍ୱ ମଦଂ ବିଭୁଂ ॥

ରାମରକ୍ଷା ପଠେତ୍ ପ୍ରାଜ୍ଞଃ ପାପଘ୍ନୀ ସର୍ବ କାମଦା ।

ଶିରୋମେ ରାଘବଃ ପାତୁ ଭାଲଂ ଦଶରଥ ତ୍ମଜଃ ॥

କୌଶଲ୍ୟେୟୋ ଦୃଶୌପାତୁ ବିଶ୍ୱାମିତ୍ରପ୍ରିୟଃ ଶ୍ରୁତିଂ ।

ଘାଣଂ ପାତୁ ମଖତ୍ରାଣୋ ମୁଖଂ ସୌମିତ୍ରବତ୍ସଳଃ ॥

ଜିହ୍ନାଂ ବିଦ୍ୟାନିଧି ପାତୁ କଣ୍ଠଂ ଭରତବନ୍ଦିତଃ ।

ସ୍ୱନ୍ଧୌଦିବ୍ୟାୟଧଃ ପତୁଃ ଭ୍ୱଜୌ ଭଗ୍ନେଶ କାମୁକଃ ॥

କିରୌସୀତାପତିଃ ପାତୁ ହୃଦୟଂ ଜାମଦଗ୍ନ୍ୟଜିତ୍ ।

ସ୍ତନଦ୍ୱୟଂ ସର୍ବଦା ସେ ପାତୁ କୁକ୍ଷିମିକ୍ଷ୍ୱାକୁ ରକ୍ଷକ ॥

ପଶ୍ଚାତ୍‌ପାତୁ ଚ କାକୁସ୍ଥୋଽହଲ୍ୟା ଦୁଃଖ ବିନାଶକୃତ୍ ।

ମଧ୍ୟଂ ପାତୁ ଖରଧ୍ୱଂସୀ ନାଭିଂ ଜାମ୍ବବାଦଶ୍ରୟଃ ॥

ସୁଗ୍ରୀବେଶଃ କଟିଂ ପାତୁ ସକ୍‌ଥିନୀ ହନୁମତ୍ ପ୍ରଭୁଃ ।

ଊରୁ ରଘୁତ୍ତମଃ ପାତୁ ଗୁହ୍ୟଂ ପାତୁ ଗୁହାନ୍ତକଃ ॥

ଜାନୁମୀ ସେତୁକୃତ୍ୱ ପାତୁ ଜଙ୍ଘେ ଦଶମୁଖାନ୍ତକଃ ।

ଆଦୌ ବିଭୀଷଣ ଶ୍ରାଦଃ ପାତୁ ରାମୋଃଖିଳଂ ବପୁଃ ॥

ଭୁଜପତ୍ରେ ତ୍ୱିମାଂ ବିଦ୍ୟା ଗନ୍ଧ ଚନ୍ଦନ ଚର୍ଚ୍ଚିତାଂ ।

କୃତ୍ୱା ବୈଧାରୟଦ୍‌ଯସ୍ତୁ ସୋଽଭୀଷ୍ଟଫଳମାପ୍ଲ ୟାତ୍ ॥

 

୩୬ଶ ପଦ :- ଏହି ସମୟରେ ନିଜ ସୈନ୍ୟ ମଧ୍ୟରେ ତେଜୋମୟ ରାମ ଜୟଶଙ୍ଖ ବଜାଇଲେ । ଶଙ୍ଖ ଶବ୍ଦ ଶୁଣି ବଳବନ୍ତ କପିମାନେ ଶଙ୍ଖ-ସଂଖ୍ୟକ ପରିମାଣରେ ଆସିରୁଣ୍ଡ ହେଲେ ।

 

୩୭ଶ ପଦ :- ବାସରାନ୍ତନଭ-ସନ୍ଧ୍ୟାକଳୀନ ଆକାଶ । ଲଭ୍ୟକ-ପ୍ରାପ୍ତ । ବିଲକ୍ଷ-ଅଲକ୍ଷ, ଅସଂଖ୍ୟ । ଋକ୍ଷଜ୍ୟୋତି-ଭଲ୍ଲୂକପ୍ରଭା, ନକ୍ଷତ୍ର ଜ୍ୟୋତି । ନିଶାଚର-ରାକ୍ଷସ, ପେଚକପ୍ରଭୃତି ରାତ୍ରିଚର ପକ୍ଷୀ । ଖଗକୁଳ-ଶରସମୁଦ୍ର, ପକ୍ଷୀସମୁହ ।

 

୩୭ଶ ପଦ :- ସେ ରଣସ୍ଥଳ ଉତ୍ତମ ସନ୍ଧ୍ୟା ସମୟରେ ଆକାଶର ଶୋଭାକୁ ଲାଭ କଲା । ଯେପରି ସାୟଂ କାଳରେ ଆକାଶରେ ଲକ୍ଷ ଲକ୍ଷ ନକ୍ଷତ୍ରଙ୍କ ଜ୍ୟୋତି ପ୍ରକାଶିତ ହୁଏ ଓ ରାତ୍ରିଚର ପକ୍ଷୀସମୂହ ସଂଚରଣ କରନ୍ତି, ସେହିପରି ରଣଭୂମିରେ ଲକ୍ଷ ଲକ୍ଷ ଭଲ୍ଲୁକଙ୍କର ତେଜ ପ୍ରକାଶିତ ହେଲା ଓ ରାକ୍ଷସଙ୍କର ବାଣସମୂହ ସଂଚରଣ କଲା ।

 

୩୮ଶ ପଦ :- ବଳକର-ପରାକ୍ରମଶାଳୀ, ତେଜୋମୟ ରାମଲକ୍ଷ୍ମଣ-ଚନ୍ଦ୍ର । କରକ-ହସ୍ତଜାତ, କିରଣଜାତ । ବିରୁପାକ୍ଷସ୍ଥାନେ-ରାକ୍ଷସବିଶେଷଠାରେ, ଶିବାଳୟରେ । ଦରଶବଦ-ଶଙ୍ଖଶବ୍ଦ, ଭୟଙ୍କର ଧ୍ୱନି ।

 

୩୮ଶ ପଦ :- ସାୟଂକାଳର ଆକାଶରେ ତେଜସ୍କର ଚନ୍ଦ୍ରଙ୍କର କିରଣ ପ୍ରକଟିତ ହୋଇ ଆସିଲା ପ୍ରାୟ ରଣଭୂମିରେ ବଳବାନ ରାମ ଲକ୍ଷ୍ମଣ ଦୁଇ ଭାଇଙ୍କ ହସ୍ତ ଜାତ ଶରପ୍ରଭା ପ୍ରକଟିତ ହେଲା । ରାମଙ୍କ ତେଜ ଦେଖି ବିରୁପାକ୍ଷ ( ରାକ୍ଷସ ବା କି ଛାର ) ।

 

୩୯ଶ ପଦ :- ଅଚଳ-ପର୍ବତ । ଅଚଳ-ନିଶ୍ଚଳ ବା ଅଟଳ । ମନ୍ଦମରୁତ-ଧୀର ପବନ । ପ୍ରଚଳ-ରଞ୍ଚଳ ।

 

୩୯ଶ ପଦ :- ‘ରାବଣର ପର୍ବତ ପ୍ରାୟ ନିଶ୍ଚଳ ବିମାନକୁ ଚଞ୍ଚଳ କିପରି ଭାଙ୍ଗିବି’ - ଏହା ବିଚାର କରି ଶଉରି ସେନାପତି ମନ୍ଦର ପର୍ବତ ଧରିଗଲା । ଧୀର ମାତ୍ର ପବନ ମନ୍ଦର ପର୍ବତକୁ ଟାଳି ନ ପାରିଲା ପ୍ରାୟ ସେ ରାବଣର ରଥ ହଲାଇ ପାରିଲା ନାହିଁ ।

 

୪୦ଶ ପଦ :- ତଦନନ୍ତର ଅଙ୍ଗଦ ଲୋମବିଲୋମ ଗତିରେ ମେଷ ଯୁଦ୍ଧର ବଶୀଭୂତ ହୋଇ ପରାକ୍ରମ ପ୍ରକାଶପୂର୍ବକ ରାବଣର ପୁଷ୍ପକ ବିମାନକୁ ବହୁ ଦୂରକୁ ଠେଲି ଦେଇ ବହୁତ ସମୟ ପର୍ଯ୍ୟନ୍ତ ଶବ୍ଦଯୁକ୍ତ କରିଦେଲା । ( ଅଙ୍ଗଦ ଖୁବ୍ ଯୋରରେ ଠେଲି ଦେବାରୁ ରଥ ବହୁତ ଦୂର ପଛକୁ ଘୁଞ୍ଚିଗଲା ଓ ବହୁତ ସମୟ ପର୍ଯ୍ୟନ୍ତ ଘର ଘର ଧ୍ୱନି ଶୁଣାଗଲା ) ।

 

ବୋଲେ ବୋଲାଇ ଏ ପୁଷ୍ପକ ପୁଷ୍ପକ ତୋଳି ଫିଙ୍ଗିବି ସାଗରେ ।

ବୁଝାଇଁ ଶିଖରୀ ତିଳକ ତିଳକ ସମ କରି ଟେକିପାରେ । ୪୧ ।

ବୋଲେ ଦଶଶର ଧରି ବ୍ରହ୍ମଶର ବ୍ରହ୍ମସ୍ୱୀ ପ୍ରାଣଧନ ଦେ ।

ବିନ୍ଧ ରଭସରେ ଶରେ ସଦୃଶରେ ଦୃଶରେ ଲକ୍ଷ୍ମଣ ଛେଦେ । ୪୨ ।

ବିହିରେ ଯୂଥପତିଗଣେ ତକ୍ଷ୍‌ଣେ ରଣାଙ୍ଗଣେ ସୁରଙ୍ଗରେ ।

ବିପ୍ରବିଧିରେ ବିଧିରେ ବେଢ଼ିଗଲେ ରଥ ପ୍ରାସାଦ ସାଦରେ । ୪୩ ।

ବିଭୀଷଣ ସଙ୍ଗେ ଧାମେ ରାମ ରଙ୍ଗେ ରାମସଙ୍ଗେ ବ୍ୟାଧରୀତି ।

ବିସ୍ମୟ ମୟତନୟ ସେ ସମୟ ଗଲା ଧରା ଧରାପତି । ୪୪ ।

ବେନି ବେନି ହୋଇ ଦ୍ୱିଦିଗ ପ୍ରଧାନ ବୀର ବିରଚିଲେ ଯୁଦ୍ଧ ।

ବଜ୍ରରୁ ବଜ୍ର ବୃକ୍ଷ ଶିଳା ବର୍ଷଣ ମାର୍ଗଣଗଣ ଆୟୁଧ । ୪୫ ।

 

୪୧ଶ ପଦ :- ପୁଷ୍ପକ-ପୁଷ୍ପକବିମାନ । ପୁଷ୍ପକ-ଫୁଲ । ତୋଳି-ଟେକି । ଶିଖରୀତିଳକ-ପର୍ବତଶ୍ରେଷ୍ଠ, କୈଳାସ । ତିଳକ-ରାଶି ।

 

୪୧ଶ ପଦ :- ବିମାନକୁ ପେଲିଦେଇ ଅଙ୍ଗଦ କହିଲା, ଏ ରଥ ପୁଷ୍ପକ ରଥ ବୋଲାଏ, ମୁଁ ଫୁଲପ୍ରାୟ ତୋଳି ଏହାକୁ ସମୂଦ୍ରରେ ଫିଙ୍ଗିଦେବି-ଏହା ଭାବୁଅଛି । କାରଣ ମୁଁ କୈଳାସ ପର୍ବତକୁ ତିଳସମାନ ଟେକି ଦେଇ ପାରେ (ଏ ବା କି ଛାର !) । ’’

୪୨ଶ ପଦ :- ଦଶଶିର-ରାବଣ । ବ୍ରହ୍ମସ୍ୱୀ-ବ୍ରାହ୍ମଣପକ୍ଷଧାରୀ । ରଭାସରେ-ଅତିଶୀଘ୍ର, ଅତିବେଗରେ । ଦୃଶରେ-ସମକ୍ଷରେ ।

 

୪୨ଶ ପଦ :- ଏହା ଶୁଣି ରାବଣ ବ୍ରହ୍ମଶର ହସ୍ତରେ ଧରି କହିଲା, ‘‘ତୁ ପିତା ଶତ୍ରୁକୁ ନ ମାରି ତାହାର ସାହାଯ୍ୟକାରୀ ହୋଇଅଛୁ । ତେଣୁ ତୁ ପିତୃଋଣ ପରିଶୋଧ କରିନାହୁଁ, ଋଣୀ ଲୋକ ଧନଦେଇ ଋଣରୁ ମୁକ୍ତ ହେଲା ପ୍ରାୟ, ତୁ ତୋର ପ୍ରାଣ ରୂପ ଧନକୁ ଦେ, ତେବେ ଋଣରୁ ମୁକ୍ତ ହେବୁ ।’’ ଏହା କହି ରାବଣ ବ୍ରହ୍ମଶରସଦୃଶ ଏକ ଶର ବେଗରେ ବିନ୍ଧିଲା । ସେ ଶର ଦୃଶ୍ୟ ହେବା ମାତ୍ରକେ ଲକ୍ଷ୍ମଣ ତାହା କାଟି ପକାଇଲେ ।

 

୪୩ଶ ପଦ :- ରଣାଙ୍ଗଣେ-ଯୁଦ୍ଧକ୍ଷେତ୍ରରେ । ସୁରଙ୍ଗରେ-କୌତୁକରେ । ପ୍ରାସାଦ-ମନ୍ଦିର ।

 

୪୩ଶ ପଦ :- ସେ ସମୟରେ ଯୂଥପତିମାନେ ରଣଭୂମିରେ ପ୍ରବଳ କ୍ରୀଡ଼ା ଛଳରେ ବିହରିଲେ । ବ୍ରାହ୍ମଣଙ୍କ ପ୍ରାୟ-ଚଞ୍ଚଳ ହୋଇ ଦେଉଳ ପ୍ରାୟ ରଥକୁ ଆଦରର ସହିତ ବେଢ଼ିଗଲେ ।

 

୪୪ଶ ପଦ :- ରଙ୍ଗେ-ଯୁଦ୍ଧକ୍ଷେତ୍ରରେ । ରାମ ସଙ୍ଗେ-ମୃଗ ସହିତ । ବ୍ୟାଧରୀତି-ଶବରସଦୃଶ । ମୟତନୟ-ମୟ ରାକ୍ଷସର ପୁତ୍ର, ରାବଣର ଶଳା । ଧରାପତି-ରାଜା, ଏଠାରେ ରାବଣ ।

 

୪୪ଶ ପଦ :- ଏହି ସମୟରେ ରାମଚନ୍ଦ୍ର ବିଭୀଷଣକୁ ସଙ୍ଗତରେ ନେଇ ବ୍ୟାଧ ମୃଗ ଧାଇଁଲା ପ୍ରାୟ ଯୁଦ୍ଧ ପାଇଁ ରାବଣ ନିକଟକୁ ଧାଇଁଲେ । ସେହି କାଳରେ ମୟଦାନବ ପୁତ୍ର ( ରାବଣର ଶଳା ) ଆଶ୍ଚର୍ଯ୍ୟ ହୋଇ ବିଚାରିଲା, ‘‘ ରାବଣ ଶତ୍ରୁ ହସ୍ତରେ ବନ୍ଦୀ ହେଲା କି ?

 

୪୫ଶ ପଦ :- ଦ୍ୱିଦିଗ-ଉଭୟ ପକ୍ଷ । ବଜ୍ର-କଠିନ । ଶିଳା-ପଥର । ମାର୍ଗଣଗଣ-ଶରସମୂହ ।

 

୪୫ଶ ପଦ :- ଦୁଇପକ୍ଷରେ ପ୍ରଧାନ ପ୍ରଧାନ ବୀରମାନେ ଦୁଇ ଦୁଇ ଜଣ ହୋଇ ଯୁଦ୍ଧ କଲେ । ରାମଙ୍କ ସେନାମାନେ ବଜ୍ରଠାରୁ ଆଣ୍ଟ ବୃକ୍ଷ ଶିଳାମାନ ଧରି ପ୍ରହାର କଲେ ଏବଂ ରାବଣର ସେନାମାନେ ଶରସମୂହ ବର୍ଷଣ କରିବାକୁ ଲାଗିଲେ ।

 

ବ୍ୟକତ ରକତନଦ କୋକନଦ ମଣ୍ଡିହେଲା ପ୍ରାୟ ପୃଥ୍ୱୀ ।

ବଳ ପ୍ରବଳ ତଳପଙ୍କ କଲେ ସେ ପନ୍ତି ପନ୍ତି ପିଣ୍ଡ ସ୍ୱଚ୍ଛ । ୪୬ ।

ବ୍ରହ୍ମାଣ୍ଡ ଦର ଦରସ୍ଫୁଟ ନାଦର ଉଦର ଫାଟିବ ପରା ।

ବାସୁକି ଶଙ୍କି ଟେକି ଧରି ଧରିତ୍ରୀ ନୋହିବହୋଇ କି ଭାରା ? । ୪୭ ।

ବିଚକ୍ଷଣ ରଣେ ଲକ୍ଷ୍ମଣ ତୀକ୍ଷ୍‌ଣ ବାଣ କଠୋର କୁଠାର ।

ବିଚ୍ଛେଦ କଲା ଚ୍ଛେଦି ମହାପାରୁଶ ମହାଦ୍ରୁମ ପିଣ୍ଡ ଶିର । ୪୮ ।

ବିକଟ ସୁଗ୍ରୀବ ସୁଗ୍ରୀବ ମୋଡ଼ିଲା ଯାଗପଶୁ ପରା ଧରି ।

ବାତସୁତ ମୃଷ୍ଟି ମହାଶନି ମହାଶନି ହନୁ ସାନୁ ଚୂରି । ୪୯ ।

ବଳିଷ୍ଠ ପ୍ରଶସ୍ତ ପ୍ରଶସ୍ତ ଅଙ୍ଗଦ ଅଙ୍ଗଦ ତଳରେ ହେଲା ।

ବିଚିତ୍ରକର୍ମା ଅପୂର୍ବ ନଳ ନଳଜରାସୁର ଭସ୍ମ କଲା । ୫୦ ।

 

୪୬ଶ ପଦ :- ବ୍ୟକତ-ପ୍ରକାଶିତ । ରକତନଦ-ରକ୍ତନଦୀ । କୋକନଦ-ରଙ୍ଗକଇଁ । ମଣ୍ଡିହେଲାପ୍ରାୟ-ବିଭୁଷିତହେଲାପରି ।

 

୪୬ଶ ପଦ :- ସେ ସମୟରେ ରଣକ୍ଷେତ୍ରରେ ରକ୍ତନଦୀ ପ୍ରବାହିତ ହେବାରୁ ପୃଥ୍ୱୀ ରକ୍ତୋତ୍ପଳ ମଣ୍ଡି ହେଲା ପ୍ରାୟ ଦେଖାଗଲା । ସେହି ବଳବନ୍ତ ବୀରମାନେ ସୈନ୍ୟମାନଙ୍କ ରୁଣ୍ଡି ଭୂତ ମୃତପିଣ୍ଡକୁ ମନ୍ଥି ପକାଇ ରଣଭୂମିକୁ କାଦୁଅ କରି ପକାଇଲେ ।

 

୪୭ଶ ପଦ :- ଦର-ଭୟ । ଦରସ୍ଫୁଟ-ଅର୍ଦ୍ଧୋଚ୍ଚାରିତ ବଚନ । ଉଦର-ପେଟ । ଧରିତ୍ରୀ-ପୃଥିବୀ ।

 

୪୭ଶ ପଦ :- ସେହି ବୀରମାନଙ୍କର ଅର୍ଦ୍ଧୋଚ୍ଚାରିତ ବୀରତ୍ୱ ବ୍ୟଞ୍ଜକ ଡାକରେ ପୃଥିବୀ ଭୀତ ହୋଇ ବିଚାର କଲା, ‘ମୋର ଉଦର ଫାଟି ଯିବ କି ? ବୀରଙ୍କ ପାଦଭରା ଅସହନୀୟ ହେବାରୁ ନାଗରାଜ ବାସୁକି ଶଙ୍କା କଲା, ‘ଧରଣୀକୁ ଆଉ ଟେକି ଧରି ପାରିବି ନାହିଁ କି ?’

 

୪୮ଶ ପଦ :- ବିଚକ୍ଷଣ-ବୁଦ୍ଧିମାନ୍, ପଣ୍ଡିତ । କୁଠାର-କୁରାଢ଼ୀ ।

 

୪୮ଶ ପଦ :- ଋଣକ୍ଷେତ୍ରରେ ରଣପଣ୍ଡିତ ଲକ୍ଷ୍ମଣ ତୀକ୍ଷ୍‌ଣ ଶନି ରୂପ କଠୋର କୁଠାର ଦ୍ୱାରା ମହାପାର୍ଶ୍ୱ ରୂପ ଅତି ନୀଚ୍ଚ ମହାଦ୍ରୁମକୁ ଦୁଇଖଣ୍ଡ କରି ଗଣ୍ଡି ଓ ମୁଣ୍ଡ ଅଲଗା କରି ଦେଲେ ।

 

୪୯ଶ ପଦ :- ବିକଟ-ରାକ୍ଷସ ବିଶେଷ । ସୁଗ୍ରୀବ-ଉତ୍ତମଗ୍ରୀବ । ବାତସୁତ-ହନୁମାନ । ମହାଶନି-ଦୈତ୍ୟ ବିଶେଷ । ମହାଶନି-ବଜ୍ର । ହନୁ-ଗାଲ । ସାନୁ-ପର୍ବତ ଶୃଙ୍ଗ ।

 

୪୯ଶ ପଦ :- କପିରାଜ ସୁଗ୍ରୀବ ବିକଟ ନାମକ ଦୈତ୍ୟର ଶୋଭାମାନ ଗଳାକୁ ଧରି ଯାଗପଶୁର ମୁଣ୍ଡ ମୋଡ଼ିଲା ପ୍ରାୟ ମୋଡ଼ି ଦେଲା । ହନୁମାନ ବଜ୍ରସମ ବିଧା ପ୍ରହାରକରି ମହାଶନି ଦୈତ୍ୟର ପର୍ବତ ଶୃଙ୍ଗ ରୂପ ଗାଲକୁ ଚୂର୍ଣ୍ଣକରି ଦେଲା ।

୫୦ଶ ପଦ :- ପ୍ରଶସ୍ତ-ପ୍ରଧାନ । ପ୍ରଶସ୍ତ-ରାକ୍ଷସ ବିଶେଷ । ଅଙ୍ଗଦ-ଭେଦ ନାଦ କଲା ।

 

୫୦ଶ ପଦ :- ବଳିଷ୍ଠ ପ୍ରଶସ୍ତ ସେନାପତି ଅଙ୍ଗଦର ଚାପୁଡ଼ାରେ ଦେହପାତ କଲା । ବିଚିତ୍ରକର୍ମା ନଳ ଅନଳ ସଦୃଶ ହୋଇ ଜରା ଅସୁରକୁ ଭସ୍ମକରି ଦେଲା ।

 

ବିରୁପା ବିରୁପାକ୍ଷକୁ କଲା ନୀଳ ପ୍ରକଟି କଟିକିଭାଙ୍ଗି ।

ବୈଶାଖ ଋକ୍ଷପତି ଦଧି ପ୍ରଥମ ପ୍ରମଥନ ବଶେ ରଙ୍ଗୀ । ୫୧ ।

ବିଧା ବିଧାନେ ସୁଷେଣ କାଳକାଳ କାଳଘଣ୍ଟ ଧ୍ୱନି ଲୀନ ।

ବିଦାରେ କରି କରିକୁମ୍ଭ କୁମ୍ଭଜ କେଶରୀ କେଶରୀ ଘେନ । ୫୨ ।

ବାଟିର ସମହିଁ ମହୀରେ ଗଡ଼ଇ ମହେନ୍ଦ୍ର ମହୀସୁରକୁ ।

ବିଶିଷ୍ଟ ଗବୟ ଗବୟ ପରିଚେ ଚିର କାଳକେତୁ ବୁକୁ । ୫୩ ।

ବଇରୀ ବଇରିଭାବରେ ଶଉରି ହେଲା ବକାସୁର ବକେ ।

ବର୍ଦ୍ଧକୀ ଗବାକ୍ଷ ଗବାକ୍ଷ କଲେ ଯେ ବୃକାସୁରକୁ ଉତ୍ସକେ । ୫୪ ।

ବଜ୍ର କପଚ ରାକ୍ଷସକୁ ତାରାକ୍ଷ କର କରତରେ ଚିରି ।

ବିଦ୍ୟା ପନସ ପନସକୀଳପରି ବ୍ୟାଘ୍ରାକ୍ଷ ଅନ୍ତ ଓଟାରି । ୫୫ ।

 

୫୧ଶ ପଦ :- ବିରୂପା-ବିକୃତ ବା ବିକଳାଙ୍ଗ । କଟି-ଅଣ୍ଟା । ବୈଶାଖ-ମନ୍ଥନଦଣ୍ଡ । ଋକ୍ଷପତି-ଜାମ୍ବବାନ୍ । ପ୍ରଥମ-ଦୈତ୍ୟବିଶେଷ, ମନ୍ଥନ କରିବା ।

 

୫୧ଶ ପଦ :- ନୀଳ କପି ପ୍ରବେଶ କରି ବିରୁପାକ୍ଷ ଅସୁରକୁ କଟିଠାରୁ ଭାଙ୍ଗିଦେଇ ତାକୁ ବିରୂପ କରି ପକାଇଲା । ଋକ୍ଷପତି ଜାମ୍ବବ ଖୁଆଦଣ୍ଡ ସଦୃଶ ହୋଇ ପ୍ରଥମ ଦୈତ୍ୟରୂପ ଦଧିକୁ ମନ୍ଥନ କରି ପକାଇ ହର୍ଷଯୁକ୍ତ ହେଲା ।

 

୫୨ଶ ପଦ :- କାଳ କ୍ଷମ-ମୃତ୍ୟୁ । ଲୀନ-ବିନାଶ । କରିକୁମ୍ଭ-ହସ୍ତିଶୁଣ୍ଢ । କୁମ୍ଭକ-ରାକ୍ଷସ ବିଶେଷ । କେଶରୀ-ସିଂହ ।

 

୫୨ଶ ପଦ :- ଯମ ତୁଲ୍ୟ ସୁଷେଣ ବିଧା ମାରି ମାରି କାଳଘଣ୍ଟ ଅସୁରର ମୃତ୍ୟୁ ବିଧାନ କରିବାରୁ ରଣକ୍ଷେତ୍ର ନିଃଶବ୍ଦ ହେଲା । କେଶରୀ କପି ସିଂହ ପ୍ରାୟ ହୋଇ କୁମ୍ଭକ ରାକ୍ଷସ ରୂପ ଗଜର କୁମ୍ଭକୁ ବିଦାରି ପକାଇଲା ।

 

୫୩ଶ ପଦ :- ମହୀସୁର-ମହୀରାବଣ । ଗବୟ-ବାନର ବିଶେଷ । ଗବୟପରି-ଗୟଳ ପଶୁତୁଲ୍ୟ ।

 

୫୩ଶ ପଦ :- ମହେନ୍ଦ୍ର କପି ମହୀଶୁର ଦୈତ୍ୟକୁ ପିଲାର ଖଳନା ନଟୁ ତୁଲ୍ୟ ମହୀରେ ଗଡ଼ାଇ ମାରି ଦେଲା । ପ୍ରଧାନ ବୀର ଗବୟ ଗୟଳ ପ୍ରାୟ ଯାଇ କଳାକେତୁ ଅସୁରର ଛାତିକୁ ଚିରି ପକାଇଲା ।

 

୫୪ଶ ପଦ :- ବଇରୀ-ଶ୍ୟେନପକ୍ଷୀ । ବଇରୀଭାବରେ-ଶତ୍ରୁ ଭାବରେ । ବର୍ଦ୍ଧକୀ-ବଢ଼େଇ । ଗବକ୍ଷ-ଝରକା ।

 

୫୪ଶ ପଦ :- ( ଶଉରି କପି ଛଞ୍ଚାଣ ପକ୍ଷୀ ପ୍ରାପ୍ତ ହୋଇ ବକରୂପୀ ବକାସୁରଠାରେ ଶତ୍ରୁତା କଲା । ଛଞ୍ଚାଣ ବକକୁ ମାରି ପକାଇଲା ପ୍ରାୟ ଶଉରି ବକାସୁରକୁ ମାରି ପକାଇଲା ।) ଗବାକ୍ଷ ପକ୍ଷୀ ବଢ଼େଇ ପ୍ରାୟ ଉତ୍ସୁକ ହୋଇ ବୃକାସୁରକୁ ଝରକା ସଦୃଶ କରିଦେଲେ ( ତା ଦେହଯାକ କଣା କରିଦେଲା ) ।

 

୫୫ଶ ପଦ :- ପନସକୀକ ପରି-ପଣସ ଭଣ୍ଡି ପରି ।

 

୫୫ଶ ପଦ :- ତରାକ୍ଷ କପି ବଜ୍ରକପଚ ରାକ୍ଷସକୁ ହସ୍ତ ରୂପ କରରେ ଚିରି ପକାଇଲା । ବିଦ୍ୟାମାନ ପନସ କପି ବ୍ୟାଘ୍ରାକ୍ଷ ଦୈତ୍ୟର ଅନ୍ତବୁଜୁଳାକୁ ପଣସର ଭଣ୍ଡି ଓଟାରିଲା ପ୍ରାୟ ଓଟାରି ଆଣିଲା ।

 

ବିରୁଳାକ୍ଷ ବକ୍ଷ ଡାଳିମ୍ୱ ଡାଳିମ୍ୱଫଳ ପରି ଫଟାଇଲା ।

ବନ୍ଦ୍ୟ ଚନ୍ଦନ ଚନ୍ଦନତରୁ ମାରି ଯମଘଣ୍ଟେ ଲୋଟାଇଲା । ୫୬ ।

ବସନ୍ତ ବସନ୍ତବତ ବ୍ରଣ ଜାତ କଲା ପଞ୍ଚଶିର ଦେହେଁ ।

ବିକଶି କଞ୍ଚଣ କଞ୍ଚଣପାଟଳୀପାଟଳୀ ଫୁଟାଇ ଦିଏ । ୫୭ ।

ବିଦ୍ୟୁଜ୍ଜିହ୍ୱଜିହ୍ୱା ଉପାଡ଼ି କୁମୁଦ କୁମୁଦ ଦେଲା ବିସ୍ତାରି ।

ବନ୍ଧାଇ ରକ୍ତନଦେ ଶବ ପ୍ରବାହ ସରସେତୁ ସେତୁ କରି । ୫୮ ।

ବିଭଞ୍ଜେ ଇକ୍ଷୁଦଣ୍ଡ ପରି ପୂଜଙ୍ଘଜଙ୍ଘକୁ ଗନ୍ଧମାଦନ ।

ବିବିଧ ବିବିଧ ମାଡ଼ ମାରି ମାରିପକାଇ ସୁମିତ୍ରଘନ । ୫୯ ।

ବଂଶ ପ୍ରାୟ କଲା ଦ୍ୱିବିଦ ଦ୍ୱିବିଧ ସିଂହନାଦ ମୃତ୍ୟୁ ପାଞ୍ଚି ।

ବୃଷ୍ଟି କରୁଁ ପନଶୀଳ ଶିକ ଲୁଚି ଉଲ୍ଲୁକ ନ ପାରି ବଞ୍ଚି । ୬୦ ।

 

୫୬ଶ ପଦ :- ଡାଳିମ୍ବ କପି ବିରଳାକ୍ଷ ଦୈତ୍ୟର ଛାତିକୁ ଡାଳିମ୍ବ ଫଳ ପ୍ରାୟ ଫଟାଇ ଦେଲା । ବୀରଙ୍କ ମଧ୍ୟରେ ବନ୍ଦନୀୟ ଚନ୍ଦନ କପି ଚନ୍ଦନ ବୃକ୍ଷରେ ଯମଘଣ୍ଟ ରାକ୍ଷସକୁ ମାରି ଭୂମିରେ ଲୋଟାଇ ଦେଲା ।

 

୫୭ଶ ପଦ :- ବସନ୍ତ ବାନର-ସେନାପତି ବିଶେଷ । ବସନ୍ତବତ-ବସନ୍ତନାମକ ସଂକ୍ରାମକ ରୋଗରେ । ବ୍ରଣ-ଘା, କ୍ଷତ । ବିକଶି-ପ୍ରସ୍ଫୁଟିତ ହୋଇ । କଞ୍ଚଣ-ପୁଷ୍ପବିଶେଷ । ପାଟଳି-ପୁଷ୍ପବିଶେଷ ।

 

୫୭ଶ ପଦ :- ବସନ୍ତରୋଗରେ ବ୍ରଣ ଜାତ ହେଲା ପ୍ରାୟ ବସନ୍ତ କପି ପଞ୍ଚଶିର ଦାନବର ଦେହଯାକ ବ୍ରଣମୟ କରି ଦେଲା । କଞ୍ଚନ କପି କଞ୍ଚନ ପୁଷ୍ପ ପ୍ରାୟ ବିକଶିତ ହୋଇ ପାଟକୀ ଦୈତ୍ୟକୁ ଫୁଟାଇ ପଟଳୀ ପୁଷ୍ପ ପରି ରକ୍ତବର୍ଣ୍ଣ କରି ଦେଲା।

 

୫୮ଶ ପଦ :- କୁମୁଦ କପି ବିଦ୍ୟୁଜିହ୍ୱ ଦୈତ୍ୟର ଜିଭ ଉପାଡ଼ି ପୃଥିବୀରେ ଆନନ୍ଦ ବିସ୍ତାର କରିଦେଲା, ସରସେତୁ କପି ପ୍ରବାହ ଦାନବର ଶବକୁ ରକ୍ତ ନଦୀରେ ସେତୁବନ୍ଧ କରି ବନ୍ଧାଇ ଦେଲା ।

 

୫୯ଶ ପଦ :- ଗନ୍ଧମାଦନ କପି ପ୍ରଜଙ୍ଘ ଦୈତ୍ୟର ଜଙ୍ଘକୁ ଇକ୍ଷୁଦଣ୍ଡ ଭାଙ୍ଗିଲାପରି ଭାଙ୍ଗିଦେଲା । ବିବିଧ କପି ସୁମିତ୍ରଘ୍ନ ଦୈତ୍ୟକୁ ନାନାପ୍ରକାର ମାଡ଼ ମାରି ତଳେ ପକାଇ ଦେଲା ।

 

୬୦ଶ ପଦ :- ବଂଶ-ବାଉଁଶ ।

 

୬୦ଶ ପଦ :- ଦ୍ୱିବିଦ କପି ସିଂହନାଦ ରାକ୍ଷସର ମୃତ୍ୟୁର ଉପାୟ ପାଞ୍ଚି ବାଉଁଶକୁ ଦୁଇଫାଳ କଲା ପ୍ରାୟ ତାକୁ ଚିରି ଦୁଇଫାଳ କରି ଦେଲା । ପନଶୀଳ କପି ଗୁପ୍ତ ଭାବରେ ରହି ପଥରସବୁ ବୃଷ୍ଟି କରିବାରୁ ଉଲୁକ ଦୈତ୍ୟ ବଞ୍ଚି ନ ପାରି ପ୍ରାଣତ୍ୟାଗ କଲା

 

ବନଧବ ଶତବଳ ଶତବଳ ହସ୍ତ କର୍ଣ୍ଣକୁ ମାଇଲା ।

ବମନ ଦୁର୍ମୁଖ ମୁଖରୁ ରୁଧିର ଋଷଭ ତଳରେ ହେଲା । ୬୧ ।

ବିଭୀଷଣ ବିଭୀଷଣ କରବାଳେ କରବାଳେ ଯୁକ୍ତ କର ।

ବିଭିନ୍ନ ଅମିତ୍ର ମିତ୍ରଘନଶିର ଯଜ୍ଞେପବୀତ ଛନ୍ଦର । ୬୨ ।

ବର୍ଣ୍ଣନୀୟ ନିୟମରେ କି କରିବା ପୁତ୍ର ନାତି ସର୍ବ ହତ ।

ବିଂଶବାହାର ବାହାର ଚିତ୍ତୁଁ ଗର୍ବ ଲୋକିତ ଏ ଅଲୋକିତ । ୬୩ ।

ବିଧାତା ଛାଡ଼ିଲା ଏଥର ଏଥରଉ ପୁଜିଗଲା ତା ଅଙ୍ଗେ ।

ବିଚାରେ ଚଉଦପୁର ପୁରସ୍କାର ଉଦୟେ କେ ଥିଲା ସଙ୍ଗେ ? ୬୪ ।

ବୃତ୍ର ନମୁଚି ସମର ତୁଚ୍ଛ କରି ତ୍ରିପୁରେ କାହିଁ ସହଜ ।

ବଡ଼ ଅନ୍ଧକରେ ସମସ୍ତ ଲୋକରେ ବିନ୍ଧା ଯା କଲା ନାରାଜ । ୬୫ ।

 

୬୧ଶ ପଦ :- ବନଧବ-ସିଂହ । ଶତବଳ-ଅସଂଖ୍ୟ ସୈନ୍ୟ । ଋଷଭର ଚାପୁଡ଼ାରେ ।

 

୬୧ଶ ପଦ :- ସିଂହ ହସ୍ତୀକୁ ବିନାଶ କଲା ପ୍ରାୟ ଶତସିଂହ ପରାକ୍ରମୀ ଶତବଳ ହସ୍ତୀ କର୍ଣ୍ଣ ରାକ୍ଷସକୁ ବିନାଶ କଲା। ଋଷଭ କପିର ଚାପୁଡ଼ାରେ ଦୁର୍ମୁଖ ଦୈତ୍ୟର ମୁଖରୁ ରକ୍ତ ବାନ୍ତି ହୋଇଗଲା ।

 

୬୨ଶ ପଦ :- ବିଭୀଷଣ-ଭୟଙ୍କର । କରବାଳେ-କେଶ ହସ୍ତରେ । କରବାଳେ-ଖଡ଼୍‌ଗରେ । ଅମିତ୍ର-ଶତ୍ରୁ । ଯଜ୍ଞୋପବୀତ-ପଇତା ।

 

୬୨ଶ ପଦ :- ବିଭୀଷଣ ଅତି ଭୟଙ୍କର ଖଡ଼୍‌ଗକୁ ଏକ ହସ୍ତରେ ଓ ମିତ୍ରଘ୍ନ ଅସୁରର କେଶକୁ ଅନ୍ୟ ହସ୍ତରେ ଧରି ତାକୁ ଶତ୍ରୁ ମନେକରି କାନ୍ଧରେ ପଇତା ପଡ଼ିଥିବା ନ୍ୟାୟ କାଟି ପକାଇଲା ।

 

୬୩ଶ ପଦ :- ରାବଣର ପୁତ୍ର ନାତି ଯେତେ ଥିଲେ ସମସ୍ତେ ମଲେ; ତାହା ଗଣନା ପୂର୍ବକ ବର୍ଣ୍ଣନା କରି ହେବ ନାହିଁ। ରାବଣ ଏହି ଅଲୋକିତ ଘଟଣା ଦେଖିବାରୁ ତାହାର ମନରେ ଥିବା ଗର୍ବ ଦୁର ହେଲା ।

 

୬୪ଶ ପଦ :- ସେତେବେଳେ ରାବଣ ମନ ମଧ୍ୟରେ ବିଚାରକଲା, ‘‘ଏଥର ମୋତେ ବିଧାତା ଛାଡ଼ିଲା । ’’ ଏହା ଭାବିଲାକ୍ଷଣି ତାହାର ଦେହ ଥରି ଉଠିଲା । ତତ୍ପରେ ତାହା ମନରେ ପରିବର୍ତ୍ତନ ଆସି ଯିବାରୁ ପୁଣି ଭାବିଲା, ‘‘ଚଉଦ ପୁରରେ ମୋର ଯଶ ବିଖ୍ୟାତ ହେବାବେଳେ ମୁଁ ଚତୁର୍ଦ୍ଦଶପୁର ଜୟ କଲାବେଳେ ପୁତ୍ର ନାତି କିଏ ମୋ ସଙ୍ଗତରେ ଥିଲା କି ? ମୁଁ ସେତେବେଳେ ଏକାକୀ ଏତେ ପୁର ଜୟ କରିଥିଲି, ବର୍ତ୍ତମାନ ନରବାନରଙ୍କୁ କଣ ପାରିବି ନାହିଁ ? )’’

 

୬୫ଶ ପଦ :- ବୃତ-ରାକ୍ଷସବିଶେଷ । ନମୁଚି-ରାକ୍ଷସବିଶେଷ । ଅନ୍ଧକରେ-ଅନ୍ଧାରରେ । ନାରଜ-ଶର । ତ୍ରିପୁର-ତିନିପୁର ( ସ୍ୱର୍ଗ,ମର୍ତ୍ତ୍ୟ ପାତାଳ, ରାକ୍ଷସବିଶେଷ ।)

୬୫ଶ ବଦ:- ରାବଣ ଏହା ଭାବି ଏକାବେଳକେ ସମସ୍ତଙ୍କୁ ଲୌହମୟଶର ବିନ୍ଧିଲା; ତଦ୍ୱାରା ଚତୁର୍ଦ୍ଦିଗ ଅନ୍ଧକାରମୟ ହୋଇଗଲା । ବୃତ୍ରାସୁର; ନମୁଚି, ତ୍ରିପୁର ଓ ଅନ୍ଧକ ଅସୁର ଯୁଦ୍ଧ କଲାବେଳେ ଯେ ତେଜ ଦେଖାଯାଇଥିଲେ, ରାବଣର ଏ ଯୁଦ୍ଧ ସମୟରେ ତେଜ ତାକୁ ତୁଚ୍ଛ କରି ଦେଲା । ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ସେ ସମାନ ଆଉ କିଏ ଅଛି ? ( ବୃତ୍ର ଓ ନିମୃଚି ଇନ୍ଦ୍ର ସହିତ ଏବଂ ତ୍ରିପୁରସୁର ଓ ଅନ୍ଧକ ମହାଦେବଙ୍କ ସହିତ ଯୁଦ୍ଧ କରିଥିଲେ ) ।

 

ବିଅର୍ଥ ନୋହେ ଏ ଦ୍ୱିଅର୍ଥ ଭାବନା ଶତ୍ରୁ ହର ଅନୁସାରେ ।

ବିଭୀଷଣ ରାମ ଲକ୍ଷ୍ମଣ ସୁଗ୍ରୀବ ସେନାଙ୍କୁ ଯୁଝେ ଏକାରେ । ୬୬ ।

ବର୍ତ୍ତି ଶରଙ୍ଗ ମହୋଜ୍ଜ୍ୱଳ ଛବିରେ ସ୍ଥିର ବିମାନ ଧରରେ ।

ବିଟପୀ ସ୍ପର୍ଶନ ଶରାବଲମ୍ୱନ ସଦା ବିଳସେ ନଭରେ । ୬୭ ।

ବନ୍ଦନ ଦଶ ଭିନ୍ନ ଭିନ୍ନ ଏକାଙ୍ଗ ଦଶଦିଗପାଳ କି ସେ ।

ବଜ୍ର ମୁଦ୍‌ଗର ଦଣ୍ଡ ଖଡ଼୍‌ଗ ପାଶ ଯେ ଗଦା ଚକ୍ର ଶୂଳ ପେଷେ । ୬୮ ।

ବର ଦାନରେ କୁଶଳ ଫୁଫୁକାର ସ୍ୱନ କରଇ ନିରତ ।

ବହୁନେତ୍ର ତେଜ ସ୍ୱୟଂକାଳମୟ ପୁଣ୍ୟଜନ ସାରସ୍ୱତ । ୬୯ ।

ବାର୍ଦ୍ଧିମଧ୍ୟସ୍ଥ ସଦାଗତି ପୁଷ୍ପକଆରୋହୀ ଭୀମଶକତ ।

ବିଭାତି ଯାର ବ୍ରହ୍ମଲୋକେ ପ୍ରଜ୍ଜ୍ୱଳ ଅଧୋଭୁବନେ ଉଦିତ । ୭୦ ।

 

୬୬ଶ ପଦ :- ବିଅର୍ଥ-ନିରର୍ଥକ । ଶତ୍ର-ଇନ୍ଦ୍ର । ହର-ମହାଦେବ ।

 

୬୬ଶ ପଦ :- ଏ ଯେଉଁ ଦୁଇ ଅର୍ଥର ଭାବନା କରାଗଲା; ଅର୍ଥାତ୍ ଇନ୍ଦ୍ର ଓ ଶିବଙ୍କର ଅସୁରମାନଙ୍କ ସହିତ ଯୁଦ୍ଧର ତୁଳନା କରାଗଲା, ତାହା ବ୍ୟର୍ଥ ନୁହେଁ । କାରଣ ଏକାକୀ ରାବଣ ବିଭୀଷଣ, ରାମ, ଲକ୍ଷ୍ମଣ, ସୁଗ୍ରୀବ ପ୍ରଭୃତି ବୀରମାନଙ୍କ ସହିତ ଯୁଝୁ ଅଛି । ( ବୃତ୍ର ଓ ନିମୁଚିଙ୍କ ସଙ୍ଗେ ଇନ୍ଦ୍ର ଏକାକୀ ଏବଂ ତ୍ରିପୁର ଓ ଅନ୍ଧକ ସଙ୍ଗେ ମହାଦେବ ଏକାକୀ ଯୁଦ୍ଧ କଲା ପରି ରାବଣ ଏକାକୀ ରାମଙ୍କ ସୈନ୍ୟସହ ଯୁଦ୍ଧକଲା ) ।

 

୬୭ଶ ପଦ :- ଯେପରି ମେଘ ଉଜ୍ଜ୍ୱଳ ଛବି ଧରି ପର୍ବତ ଉପରେ ସ୍ଥିର ଭାବରେ ରହିଥାଏ ( ବର୍ଷାଦିନେ ପର୍ବତ ଉପରେ ମେଘମାନେ ବିଚରଣ କରୁଥାନ୍ତି ); ବୃକ୍ଷମାନଙ୍କୁ ସ୍ୱର୍ଶ କରି ଜଳର ଆଶ୍ରୟରେ ରହି ପ୍ରକାଶ କରି ପୁଷ୍ପକ ବିମାନରେ ସ୍ଥିର ଭାବରେ ରହି ସ୍ୱର୍ଗରେ ରମ୍ଭାଆଦି ଅପ୍‌ସରାଙ୍କୁ ସ୍ପର୍ଶକରି ହସ୍ତରେ ଧନୁଶର ଧାରଣ ପୂର୍ବକ ସର୍ବତୋଭାବରେ ଆକାଶରେ ବିହାର କରୁଅଛି । (ବେଞ୍ଜ୍ୟୋର୍ଥ- ଶାରଙ୍ଗ’ ଚାତକ ପକ୍ଷୀ ‘କନ୍ଦର୍ପ ରସର ଛବିରେ ପ୍ରବତ୍ତ’ କାମାତୁର ହୋଇ-ଘନ ଜଳ ବିନା ଅନ୍ୟ ଜଳକୁ ପାନ କରିବି ନାହିଁ; ଏହି ଅଭିମାନକୁ ବହି ବୃକ୍ଷମାନଙ୍କ ଆଶ୍ରୟରେ ରହିଥାଏ । )

୬୮ଶ ପଦ :- ଶାରଙ୍ଗ-ମେଘ, ଚାତକପକ୍ଷୀ । ଧରରେ-ପର୍ବତରେ । ବିଟପୀ-ବୃକ୍ଷ, ବେଶ୍ୟା । ଶରାବଲମ୍ବନ-ଜଳାଶ୍ରୟ, ଶରାଶ୍ରୟ । ନଭରେ-ଆକାଶରେ ।

 

୬୮ଶ ପଦ :- ରାବଣର ଦଶଟା ମୁଖ ଏକ ଅଙ୍ଗରେ ଥିବାରୁ ସେ ଦଶଦିଗପାଳ ସଦୃଶ ହୋଇଅଛି, ପୁଣି ବିଂଶ ହସ୍ତ ଥିବାରୁ ବଜ୍ର, ମୁଦ୍‌ଗର, ଦଣ୍ଡ, ଖଡ଼୍‌ଗ, ପାଶ, ଗଦା, ଶୂଳ ଇତ୍ୟାଦି ଅସ୍ତ୍ର ଶତ୍ରୁମାନଙ୍କୁ ଏକାବେଳକେ ମାରୁଅଛି । (ଦଶଦିଗପାଳ ଏକତ୍ରିତ ହୋଇ ରାବଣ ରୂପ ଧରି ଅଛନ୍ତି କି ?)

 

୬୯ଶ ପଦ :- ଦାନ-ଚ୍ଛେଦନ । ନିରତ-ସର୍ବଦା । ବହୁନେତ୍ର-ଇନ୍ଦ୍ର । କାଳମୟ-ଯମସଦୃଷ । ପୁଣ୍ୟଜନ-ରାକ୍ଷସ, ନୈର୍ଋତ ।

 

୬୯ଶ ପଦ :- ରାବଣ ‘ବରଦାନରେ’ ସମୂହ ପରିମାଣରେ ଛେଦନ କରିବା ପାଇଁ ସମର୍ଥ ଥିବାରୁ ‘ବର ଦାନରେ’ ଇପ୍‌ସିତ ବସ୍ତୁ ପ୍ରଦାନ କରିବାରେ କୁଶଳ ବ୍ରହ୍ମାଙ୍କ ସଦୃଶ, ସର୍ବଦା ଫୁଫୁକାର ଧ୍ୱନି କରୁଥିବାରୁ ଫୁଫୁକାର ଶବ୍ଦ କରୁଥିବା ଅନନ୍ତଙ୍କ ତୁଲ୍ୟ, ବହୁନେତ୍ର ବହି ଥିବାରୁ ବହୁନେତ୍ର ଯୁକ୍ତ ଇନ୍ଦ୍ରସମ, ପ୍ରଖର ଭାବରେ ତେଜୀୟାନ୍ ହୋଇଥିବାରୁ ତେଜୋବନ୍ତ ଅଗ୍ନି ତୁଲ୍ୟ, କୃଷ୍ଣକାୟ ହୋଇଥିବାରୁ ଯମ ସମାନ ଏବଂ ରାକ୍ଷସଶ୍ରେଷ୍ଠ ଥିବାରୁ ନୈର୍ଋତ ତୁଲ୍ୟ ହୋଇଅଛି ।

 

୭୦ଶ ପଦ :- ସଦାଗତ-ବାୟୁ । ପୁଷ୍ପକଆରୋହୀ-କୁବେର । ଭୀମଶକତ-ଅତିଶୟ ପରାକ୍ରମଶାଳୀ । ବିଭାତି-ତେଜ । ଅଧୋଭୁବନ-ପାତାଳ ।

 

୭୦ଶ ପଦ :- ପୁଣି ସମୁଦ୍ର ମଧ୍ୟରେ ଥିବାରୁ ବରୁଣ ସମ, ସତତ ଗତି କରୁଥିବାରୁ ବାୟୁତୁଲ୍ୟ, ପୁଷ୍ପକ ବିମାନ ଆରୋହଣ କରିଥିବାରୁ କୁବେର ତୁଲ୍ୟ, ଭୟଙ୍କର ପରାକ୍ରମୀ ଥିବାରୁ ଈଶାନ ତୁଲ୍ୟ ପ୍ରତୀୟମାନ ହେଉଅଛି । ବ୍ରହ୍ମଲୋକରେ ଉଜ୍ଜ୍ୱଳ ତେଜ ପ୍ରକାଶିତ ହୋଇଥିବା ଯୋଗୁଁ ବ୍ରହ୍ମା ସଦୃଶ, ପାତାଳ ବିଜୟ ବରିଥିବା ହେତୁ ଅନନ୍ତ ସଦୃଶ ଅଟେ । ( ଏହିପରି ଦଶଦିଗପାଳ ଏକ ଅଙ୍ଗରେ ବିରାଜମାନ କରିଅଛନ୍ତି ) ।

 

ବାଳି ଅନୁଜ ତନୁଜରେ ଦନୁଜ ବାଳବୁଦ୍ଧି ଉପୁଯାଇ ।

ବିଚାରେ ଘୋଟକ ସେ ବେନି ମାନସ ଷ ଭେଦେ ମହୀଶ ମୁହିଁ । ୭୧ ।

ବିଦିତ କରାଇ ଶରଭର ପ୍ରଭା କେଶରୀ ତନୟ ତହିଁ ।

ବିରାବ କରେ ଆଷାଢ଼ ମେଘୁଁ ଟାଣେ ଘୋଟି ନିରନ୍ତରେ ସେହି । ୭୨ ।

ବିଂଶାକ୍ଷ କରେ ସର୍ବ ସେନାପତିରେ ହୀରାବୁଦ୍ଧି ଘରଷଣେ ।

ବଜ୍ରଦୁର୍ଗ ପ୍ରାୟ ସେନାମାନେ ବେଷ୍ଟିତ ହୋଇଛନ୍ତି ଅନୁକ୍ଷଣେ । ୭୩ ।

ବାରି ନୋହିଲା ପ୍ରଚୁର ନିଶାମୟ ମନୀଶା ସେ ନିଶାଚର ।

ବିଶୀର୍ଣ୍ଣ ସରଧି ଶରଧି ଅତୁଟ କାଣ୍ଡ କାଣ୍ଡ ଉଲ୍ଲୋଳର । ୭୪ ।

ବିଶେଷ ଜ୍ୟାଘୋଷେ ଜ୍ୟା ପୂର୍ଣ୍ଣସଙ୍କେତ ନିକେତନ କରି ରହି ।

ବିମାନତଳେ ବିଭୀଷଣ ଭୀଷଣ ଦସ୍ୟୁସ୍ୱଭାବକୁ ବହି । ୭୫ ।

ବିଚେତ ହେଲା ଲଙ୍କରାଜେ ନ ରାଜେ ବାହୁ ଛେଦିବାକୁ ତାର ।

ବାହୁଁ ବାହୁଡ଼ାଇଁ ବନ୍ଦନ ସ୍ୟନ୍ଦନ କୀରନାମା ମନ୍ତ୍ରୀବର । ୭୬ ।

 

୭୧ଶ ପଦ :- ବାଳି ତନୁଜ-ସୁଗ୍ରୀବ । ବାଳି ତନୂଜ-ଅଙ୍ଗଦ । ଦନୁଜ-ରାକ୍ଷସ ( ରାବଣ ) । ବାଳବୃଦ୍ଧି-ଘୋଡ଼ାଛୁଆ ଭାବ । ମହୀଶ-ରାଜା ।

 

୭୧ଶ ପଦ :- ରାବଣ ବାଳିଅନୁଜ ସୁଗ୍ରୀବ ଓ ବାଳିତନୂଜ ଅଙ୍ଗଦଠାରେ ଘୋଡ଼ାଛୁଆ ଭାବ ଉପୁଜାଇ ମନରେ ବିଚାର କଲା ‘‘ଏ ଦୁହେଁ ଘୋଡ଼ାଛୁଆ ପ୍ରାୟ ଅଟନ୍ତି । ମୁଁ ‘ମହୀଶ, ରାଜା ଷ କାର ଭେଦରେ-ମଇଁଷି ହେଲି ( ମଇଁଷି ଘୋଡ଼ାକୁ ବିନାଶ କଲା ପରି ମୁଁ ଏମାନଙ୍କୁ ବିନାଶ କରିବି ।’’

 

୭୨ଶ ପଦ :- ଶରଭର-ଶରାତିଶଯ୍ୟ, ଅଷ୍ଟପାଦବିଶିଷ୍ଟ ମୃଗର । କେଶରୀତନୟା-ହନୁମାନ, ସିଂହଛୁଆ । ବିରାବ-ଭୟଙ୍କର ଧ୍ୱନି ।

 

୭୨ଶ ପଦ :- ସେ ରାବଣ ଚତୁର୍ଦ୍ଦିଗରେ ବ୍ୟାପି ରହି ଆଷାଢ଼ ମାସର ମେଘ ଗର୍ଜନଠାରୁ ବଳି ଅନବରତ ଗର୍ଜନ କରି ସିଂହ ଶାବକକୁ ଅଷ୍ଟଦ ମୃଗ ଯେପରି ଭୟ ପ୍ରଦାନ କରିଥାଏ; ସେହିପରି ହନୁମାନକୁ ଶରଘାତରେ ଭୀତ କରାଇ ଦେଲା ।

୭୩ଶ ପଦ :- ହୀରାବୁଦ୍ଧି-ପିମ୍ପୁଡ଼ି ପରି ଭାବ । ଘରଷଣେ-ଦଳିପକାଏ । ବଜ୍ରଦୁର୍ଗ-ଦୁର୍ଜୟଗଡ଼ । ଅନୁକ୍ଷଣେ-ସର୍ବଦା ।

 

୭୩ଶ ପଦ :- ‘ମୁଁ ଦୁର୍ଜୟ ବଜ୍ରଦୁର୍ଗ ପ୍ରାୟ ଅଜେୟ ଅଟେ’-ଏହା ଭାବି ରାବଣ ତାର ଚତୁଃପାର୍ଶ୍ୱରେ ବେଢ଼ି ରହିଥିବା ଶତ୍ରୁ ସେନାପତିମାନେ ପିମ୍ପୁଡ଼ି ଧାର ବୋଲି ମନେ କରି ଦଳି ପକାଇଲା । ( ପିମ୍ପୁଡ଼ିଧାର ଦଳିବାକୁ ଯେପରି ଆୟାସ ଲାଗେ ନାହିଁ, ସେହିପରି ଶତ୍ରୁସୈନ୍ୟଙ୍କୁ ଅନାୟାସରେ ମାରି ପକାଇଲା ) ।

 

୭୪ଶ ପଦ :- ବାରି-ଜଳ । ମନୀଶା-ବିଚାର । ସରଧି-ସମୁଦ୍ର ଶରଧି-ତୂଣିର । ଅତୁଟ-ପୂର୍ଣ୍ଣ । କାଣ୍ଡ-ଜଳ । କାଣ୍ଡ-ଶର । ଉଲ୍ଲୋକ-ତରଙ୍ଗ ।

 

୭୪ଶ ପଦ :- ସେହି ନିଶାଚର ରାବଣମାୟା ବଳରେ ଯୁଦ୍ଧକ୍ଷେତ୍ରକୁ ରାତ୍ରି ପ୍ରାୟ କରିପକାଇଲା । ତେଣୁ ରାମଲକ୍ଷ୍ମଣଙ୍କୁ ଚିହ୍ନି ହେଲା ନାହିଁ । ଅସରନ୍ତି ଜଳ ପୂର୍ଣ୍ଣ ସମୁଦ୍ରରେ ଲହରୀ ଉଠିଲା ପ୍ରାୟ ରାବଣର ପ୍ରଚୁର କାଣ୍ଡପୂର୍ଣ୍ଣ ତୁଣୀରରୁ ଅନବରତ ଶର ନିକ୍ଷିପ୍ତହେବାରୁ ତାହା ଶୂନ୍ୟ ହୋଇଗଲା । ( ରାବଣ ଅନବରତ ଶର ମାରି ମାରି ତୂଣୀର ଖାଲି କରି ଦେଲା) ।

୭୫ତମ ପଦ :- ଜ୍ୟା-ଧନୁର୍ଗୁଣ । ଜ୍ୟା-ପୃଥିବୀ । ନିକେତନ-ଗୃହ । ଦସ୍ୟୁସ୍ୱଭାବ-ଚୋରପ୍ରକୃତି ।

 

୭୫,୭୬ତମ ପଦ :- ରାବଣ ବାରମ୍ବାର ଧନୁ ଟଙ୍କାର କରି ପୃଥିବୀକୁ ଧନୁ ଶବ୍ଦରେ ପୂର୍ଣ୍ଣକରି ଦେଲା । ବିଭୀଷଣ ସେହି କାଳରେ ରାତ୍ରୀ ପ୍ରାୟ ଦେଖି ତାର ‘ସଙ୍କେତ, ଧନୁଟଙ୍କାର ଶବ୍ଦକୁ ଲକ୍ଷ୍ୟ କରି ସେହି ଦିଗକୁ ଗଲା ଏବଂ ରାବଣର ରଥ ତଳକୁ ଗୃହ ମନେକରି ଭୟଙ୍କର ଦସ୍ୟୁପ୍ରାୟ ହୋଇ ସେଠାରେ ଗୁପ୍ତ ଭାବରେ ରହିଲା । ସୁଯୋଗ ଦେଖି ଗୋଟିଏ ଲୌହମୟ ଶରରେ ରାବଣକୁ ନିଚେଷ୍ଟ କରି ପକାଇଲା । ତତ୍ପରେ ତାହାର ବାହୁମାନଙ୍କୁ ଛେଦନ କରିବାକୁ ଅଗ୍ରସର ହୁଅନ୍ତେ ଶୁକ୍ଳ ନାମକ ଶ୍ରେଷ୍ଠ ମନ୍ତ୍ରି ପୁଷ୍ପକରଥକୁ ଫେରାଇ ଘେନି ଗଲା । ପଥରେ ରାବଣ ଚେତା ପାଇ ଉଠି ମନ୍ତ୍ରୀକୁ କହିଲା, ‘‘ମୁଁ ଇନ୍ଦ୍ରଠାରେ ଅଜେୟ (ଇନ୍ଦ୍ର ମୋତେ ଯୁଦ୍ଧରେ ପାରେନାହିଁ, ଛାର ରାମଚନ୍ଦ୍ରକୁ ଡରି ତୁ ରଥ ଫେରାଇ ଆଣିଲୁ ? ) ଏବେ ରାମ ନିକଟକୁ ଶୀଘ୍ର ଏହି କୁବେର ବିମାନ ( ପୁଷ୍ପକ ଯାନ ) କୁ ନିଅ । ’’

 

ବସେ ଜ୍ଞାନବଶେ ଭାଷେ ସଚିବରେ ଶଚୀବରେ ମୁଁ ଅଜେୟ ।

ବେଗେ ଦାଶରଥି ସନ୍ନିଧିକି ନିଧିପତି-ବିମାନକୁ ନିଅ । ୭୭ ।

ବୋଲେ ମୂର୍ଚ୍ଛତ କୁତ୍ସିତଶରେ କ୍ଷିତିକ୍ଷିତହେ ବିଭୀଷଣର ।

ବଡ଼ ତମମୟ ରାତି ଅରାତିରେ ଏ ଦର କରାଇ ଦୂର । ୭୮ ।

ବିହ ଯୁଦ୍ଧ ଯେତେ ମନୋରଥ ରଥ ଟେକିଲା ଏମନ୍ତ କହି  ।

ବିନ୍ଧେ କୋଟି କୋଟି ଶାୟକ ଶାୟକ ମସ୍ତକପରେ ବୁଲାଇ । ୭୯ ।

ବିଶିଷ୍ଟ ସୈନ୍ୟଗଣର ଗଣନା କି ଏକ ମାର୍ଗଣରେ ଛେଦି ।

ବିରାବ ରାବଣ କରଇ ନିଷ୍କପି କରିବି ଆଜ ସମ୍ପାଦି । ୮୦ ।

 

୭୭ଶ ପଦ :- ନିଧିପତିବିମାନଙ୍କୁ-କୁବେରଙ୍କ ଯାନକୁ ।

 

୭୮ଶ ପଦ :- କ୍ଷିତିକ୍ଷିତ-ରାଜା । ତମମୟ-ଅନ୍ଧକାରମୟ । ଅରାତି-ଶତ୍ରୁ । ଦର-ଭୟ ।

 

୭୮ଶ ପଦ :- ରାବଣର ଏହି କ୍ରୋଧଯୁକ୍ତ ବଚନଶୁଣି ମନ୍ତ୍ରି କହିଲା ‘‘ହେଁ ପୃଥିବୀପ୍ରତି ! ତୁମ୍ଭେ ବିଭୀଷଣର କୁତ୍ସିତ ଶରରେ ମୂର୍ଚ୍ଚିତ ହୋଇଥିଲ । ରାତ୍ର ବଡ଼ ଅନ୍ଧକାରମୟ ହୋଇଥିବାରୁ ଶତ୍ରୁଠାରେ ମୋର ଭୟ ଜାତ ହେଲା, ତେଣୁ ତୁମ୍ଭଙ୍କୁ ଦୂରକୁ ଘେନି ଆସିଲି ।

 

୭୯ଶ ପଦ :- ‘‘ହେ ପ୍ରଭୋ ! ଏବେ ଯେତେ ମନ ଇଚ୍ଛା ତେତେ ଯୁଦ୍ଧ କର ।’’ ଏହା କହି ମନ୍ତ୍ରୀ ରାମଙ୍କ ନିକଟକୁ ରଥ ବାହି ନେଲା । ଯୁଦ୍ଧକ୍ଷେତ୍ରରେ ରାବଣ ମସ୍ତକ ଉପରେ ଖଡ଼୍‌ଗ ଘୁରାଇ କୋଟି କୋଟି ଶର ବିନ୍ଧିବାକୁ ଲାଗିଲା ।

 

୮୦ଶ ପଦ :- ମାର୍ଗଣ-ଶର ! ବିରାଗ-ଉଚ୍ଚଧ୍ୱନି । ନିଷ୍କପି-ମର୍କଟଶୂନ୍ୟ ।

 

୮୦ଶ ପଦ :- ରାବଣ ଅଗଣିତ ପ୍ରଧାନ କପି ସେନାମାନଙ୍କୁ ଗୋଟିଏ ଶରରେ ଛେଦି ପକାଇଲା ଏବଂ ଭୟଙ୍କର ଗର୍ଜନ କରି କହିଲା, ‘‘ଆଜି ସମସ୍ତ କପିଙ୍କୁ ଖୋଜିଖୋଜି ବିନାଶ କରିବି, ଗୋଟିଏ ସୁଦ୍ଧା ରଖିବି ନାହିଁ ।’’

 

ବୋଇଲେ କୋଦଣ୍ଡଧର ଦଣ୍ଡଧରପୁରକୁ ଯିବା ନିକଟ ।

ବାନରେ ସାଦର ପାଦରେ ମର୍ଦ୍ଧିବେ ତୋ ଶିର ରତ୍ନମୁକୁଟ । ୮୧ ।

ବିଧୁ ବିବୁଧପତି ବୁଧ ବୁଦ୍ଧିରେ ବିଧିରେ ବିଧିରେ କଥା ।

ବିନ୍ଧି ମତ୍ସ୍ୟ ଯଥା ଧୀବର ନାବରେ ରଥେ ଲଙ୍କପତି ତଥା । ୮୨ ।

ବାଟୁଳି ପ୍ରଚାର ବ୍ୟୋମଚାରୀ ଖଗେ ପତ୍ରି ଗତିକର କଥା ।

ବିହରେ ମାରୀଚମାରୀ ଚରଣରେ ଆମ୍ଭପାଇଁ ପାଇ ବ୍ୟଥା । ୮୩ ।

ବିନୟେ ଅନାଇଁ ସେ ଲୟେ ମଣାଇ କହି ନନ୍ଦୀ ସନ୍ନିଧିକୁ ।

ବସାଇ ଚକ୍ରରେ ରସାଇ ବନ୍ଦିଲେ ସେ ସର୍ଜ୍ଜନ ଗର୍ଜନକୁ । ୮୪ ।

ବାହ-ତୃଣାଦି-ବାସ ଦେଇ ବାସବ ସ୍ୱସତେ କହେ ଭାରତୀ ।

ବସି ବଶୀଭୂତ ଅର୍ତ୍ତ୍ୟପାଶରୁ କରାଇଲା ମର୍ତ୍ତ୍ୟଗତି । ୮୫ ।

ବିଦୃଶ ପାଶଜନ ତମ ରଞ୍ଜନ ରଜନୀର ଜାତ ଜ୍ୟୋତି ।

ବର୍ଣ୍ଣନ ପଞ୍ଚଭାଷାରେ ବୁଝ ଜନେ ଯୁକ୍ତ ରଥବନ୍ଧ ରୀତି । ୮୬ ।

 

୮୧ଶ ପଦ :- ଦଣ୍ଡଧର ପୁରୁକୁ-ଯମଭୂବନକୁ ।

 

୮୧ଶ ପଦ :- ରାବଣ ପ୍ରଜ୍ଞା ଶୁଣି ଧନୁର୍ଦ୍ଧାରୀ ରାମଚନ୍ଦ୍ର କହିଲେ, ‘‘ରେ ରାବଣ ! ତୋହର ଯମପୁରକୁ ଯିବା ନିକଟ ହେଲା । କପିମାନେ ଆଦରର ସହିତ ତୋର ଶିର ଓ ଶିରରେ ଥିବା ରତ୍ନମୁକୁଟକୁ ଏବେ ପାଦରେ ମନ୍ଥିବେ ।’’

 

୮୨ଶ ପଦ :- ବିଧୂ-ବିଷ୍ଣୁ । ବିବୁଧପତି-ଇନ୍ଦ୍ର । ବୁଧ-ପଣ୍ଡିତ । ବିଧି-ବ୍ରହ୍ମା । ବିଧୀରେ-ଅତି ଧୀର ଭାବରେ । ଧୀବର-କେଉଟ ।

 

୮୨ଶ ପଦ :- ଇନ୍ଦ୍ର ନିଜର ପାଣ୍ଡିତ୍ୟ ବଳରେ ବିଧାତାଙ୍କ ସଙ୍ଗେ ଅତି ଧୀର ସ୍ଥିର ଭାବରେ ଏହିପରି କଥାବାର୍ତ୍ତା ହେଲେ, ‘‘କେଉଟମାନେ ଯେପରି ନୌକା ଉପରେ ବସି ତେଣ୍ଟା ପ୍ରୟୋଗକରି ମାଛମାନଙ୍କୁ ବିନାଶ କରନ୍ତି, ରାବଣ ସେହିପରି ପୁଷ୍ପକ ରଥରେ ବସି ରାମଙ୍କ ସୈନ୍ୟମାନଙ୍କୁ ଶର ଦ୍ୱାରା ବିନାଶ କରୁଅଛି ।’’

 

୮୩ଶ ପଦ :- ବ୍ୟୋମଚାରୀ-ଆକାଶବିହାରୀ । ଖଗେ-ପକ୍ଷୀମାନେ । ପତ୍ରି-ଶର । ମାରୀଚମାରୀ-ମାରୀଚହନ୍ତା ରାମଚନ୍ଦ୍ର ।

 

୮୩ଶ ପଦ :- ‘‘ଯେପରି ଆକାଶବିହାରୀ ପକ୍ଷୀମାନଙ୍କୁ ଭୂମିରେ ରହି ବାଟୁଳି ପ୍ରୟୋଗ କଲେ ଲକ୍ଷ୍ୟ ଠିକ୍ ରହେ ନାହିଁ, ସେହିପରି ରାମଚନ୍ଦ୍ର ରାବଣ ପ୍ରତି ବହୁ ଶର ନିକ୍ଷେପ କଲେ ମଧ୍ୟ ତାହା ବ୍ୟର୍ଥ ହେଉଅଛି (ରାବଣ ଥିବାରୁ ଭୂମିରେ ରହି ଯୁଦ୍ଧ କରୁଥିବା ରାମଚନ୍ଦ୍ରଙ୍କ ଲକ୍ଷ୍ୟ ବ୍ୟର୍ଥ ହେଉଅଛି) । ମାରୀଚ ମାରି ରାମଚନ୍ଦ୍ର ଆମ୍ଭମାନଙ୍କ ପାଇଁ ଏତେ ବ୍ୟଥା ପାଇ ଚରଣରେ ଭ୍ରମି ଯୁଦ୍ଧ କରୁଅଛନ୍ତି (ତେଣୁ ତାଙ୍କୁ ସାହାଯ୍ୟ ଦେବା ଆମ୍ଭର ଉଚିତ) ।’’

 

୮୪ଶ ପଦ :- ଲୟେ-ଧ୍ୟାନରେ । ମଣାଇ-ବୁଝାଇ ।

 

୮୪ଶ ପଦ :- ତତପରେ ଇନ୍ଦ୍ର ନନ୍ଦିଙ୍କୁ ନିକଟକୁ ଡାକି ବିନୟ ପ୍ରକାଶ ପୂର୍ବକ ତାଙ୍କ ମନ ମନାଇଲେ ଏବଂ ଭୟଙ୍କର ଶବ୍ଦ ପ୍ରକାଶ କରିବା ନିମିତ୍ତ ତାଙ୍କ ରଥର ଚକ୍ରରେ ବସାଇ ନାନା ପ୍ରକାର ସ୍ତୁତି କଲେ (ଚକ୍ର ଚାଳନ ସମୟରେ ନନ୍ଦୀ ଗର୍ଜନ କରିବା ଯୋଗେ ରଥର ନାମ ନନ୍ଦିଘୋଷ ହୋଇଅଛି ।)

 

୮୫ଶ ପଦ :- ବାହ-ଘୋଟକ । ତୁଣାଦି-ଶରପ୍ରଭୃତି । ବାସ-ସ୍ଥାନ । ସ୍ମସୂତେ-ଆପଣାର ସାରଥିକୁ ! ଭାରତୀ-ବଚନ । ଅମର୍ତ୍ତ୍ୟପାଶରୁ-ଦେବତାମାନଙ୍କ ନିକଟରୁ ।

 

୮୫ଶ ପଦ :- ଅନନ୍ତର ସେହି ରଥକୁ ବସ୍ତ୍ରରେ ମଣ୍ଡାଇ ଅଶ୍ୱରେ ସଜ୍ଜିତ ଓ ନାନାଦି ଶରରେ ପୂର୍ଣ୍ଣକରି ଇନ୍ଦ୍ର ନିଜର ସାରଥି ମାତଳିକୁ ଯୁଦ୍ଧକ୍ଷେତ୍ରକୁ ରଥ ନେବାକୁ ଆଦେଶ ଦେଲେ । ଇନ୍ଦ୍ରଙ୍କ ଆଜ୍ଞାନୂବର୍ତ୍ତୀ ମାତଳୀ ରଥରେ ବସି ରଥକୁ ସ୍ୱର୍ଗରୁ ମର୍ତ୍ତ୍ୟପୂରକୁ ଗତି କରାଇଲା ।

୮୬ଶ ପଦ :- ବିଦୃଶ-ଅଦୃଶ । ରଞ୍ଜନ-ବିଭୂଷଣ ।

 

୮୬ଶ ପଦ :- ସେହି କାଳରେ ରାତ୍ରି ହୋଇଥିବା ଯୋଗେ ସେ ରଥ ରାମଚନ୍ଦ୍ରଙ୍କ ନିକଟରେ ପହଞ୍ଚିମଧ୍ୟ ତାଙ୍କ ପାଖରେ ଥିବା ସୈନ୍ୟମାନଙ୍କୁ ଦେଖାଗଲା ନାହିଁ । ଏହି ପଦ ପାଞ୍ଚ ପ୍ରକାର ଅର୍ଥସୂଚକ ରଥବନ୍ଧ ରୀତିରେ ରଚିତ ହୋଇଅଛି । ହେ ରସଞ୍ଜଜନ ! ଏହାକୁ ବିଚାର କରନ୍ତୁ ।

 

Image

 

ରଥବନ୍ଧ :-

 

ବିଦ ରମ୍ୟ ଓକ ଚୀର ଚଳଇତ ରୂପାପର୍ବତ ଉନ୍ନତ ।

ବିଷ୍ଣୁଲଭ୍ୟ ଶୁଭ ଅନନ୍ଦିତ ଶଶୀ ପ୍ରଭା ସାରସ୍ୱତ ନିତ୍ୟ । ୮୭ ।

ବଘୋଷକାଶ୍ରୟା ପ୍ରଲଘୁତନିତ ହେବ ଖସି ପ୍ରଭାନଭୁଁ ।

ବିନାୟକମାନ୍ୟ ତାପସଂହରକ ଉଦୟକ ସମରଭୁ । ୮୮ ।

ବ୍ୟାକୁଳଁ ରାବଣ ମନ ଚ୍ଛନ୍ନକାରୀ ପୁଷ୍ପକ ପୁରେ ବିଭାସୁଁ ।

ବାମେ ଦେବସୂତ ପ୍ରିୟବାହ ଚାରି ଚାଳନ ଲୀଳାରଭସୁ । ୮୯ ।

ବିବରବଶୈକ ତୁଙ୍ଗସାର ଧ୍ୱଜ ତୁରିତ ବତ୍ସଳଛବି ।

ବିବଧରେ ଭୁଲି ତରୁଧର ବ୍ୟୁହ ପ୍ରକାଶ କରୁଚି ରବି । ୯୦ ।

ବିକ୍ରମି ବାରଥିବାକ୍ୟେ ଦାଶରଥି ରଥାରୋହୁଁ ବିଭୀଷଣ ।

ବିଲୋକିଲା ନେତ୍ରେ ନିର୍ବାଣେ ଜଡ଼ିଲା ଜୟ ଭାଷିଲା ଗୀର୍ବାଣ । ୯୧ ।

ବୁଝ ଚିତ୍ତ ଦେଇ ଉଚିତ ଏ ଗୀତ ରଚିତ ସର୍ବ କୋବିଦେ ।

ବୋଲେ ଉପଇନ୍ଦ୍ରଭଞ୍ଜ ଶେଷ ହେଲା ଛାନ୍ଦ ବୟାଣୋଇ ପଦେ । ୯୨ ।

 

୮୭ଶ ପଦ :- ବିଦ୍ୟରମ୍ୟ-ମନୋହର ଭାବରେ ପ୍ରକାଶିତ । ଓକ-ସ୍ଥାନ । ଚୀର-ବସ୍ତ୍ର । ଉନ୍ନତ-ଉଚ୍ଚ । ଆନନ୍ଦିତ-କଳଙ୍କବିହୀନ । ଶଶୀ-ଚନ୍ଦ୍ର । ନିତ୍ୟ-ସ୍ଥାୟୀ ।

 

୮୮ଶ ପଦ :- ବିଘୋକ୍ଷକାଶ୍ରୟା-ଅତ୍ୟୁଚ୍ଚ ନାଦକାରୀ । ପ୍ରଲଘୁ -ଅଳ୍ପ ଲଘୁ । ତନିତ-ମେଘଗର୍ଜନ । ନଭୁଁ-ଆକାଶରୁ । ବିନାୟକମାନ୍ୟଗରୁଡ଼-ପୂଜ୍ୟ । ତାପସଂହାରକ-ଦୁଃଖନିବାରକ । ସମରଭୂ-ଗଣକ୍ଷେତ୍ର ।

 

୮୭ଶ ଓ ୮୮ଶ ପଦ :- ସକଳ ସୌନ୍ଦର୍ଯ୍ୟର ବାସସ୍ଥାନ, ପ୍ରଚଳିତ ପତାକାଶ୍ରେଣୀ ମଣ୍ଡିତ, କୈଳାସ ପର୍ବତତୁଲ୍ୟ ଉନ୍ନତ, ବିଷ୍ଣୁଙ୍କର ଆରୋହଣ ଉପଯୋଗୀ, ମଙ୍ଗଳଦାୟକ, ପ୍ରଶଂସ୍ୟ ଚନ୍ଦ୍ରଙ୍କ ତୁଲ୍ୟ ଶୁକ୍ଳବର୍ଣ୍ଣ ଅତି ଉତ୍କୃଷ୍ଟ ସ୍ୱୟଂନିମତ, ଚିରକାଳସ୍ଥାୟୀ ନାନାବିଧ ଧ୍ୱନିକାରୀ, ଗରୁଡ଼ଠାରୁ କ୍ଷିପ୍ରଗାମୀ ସନ୍ତାପ ହରଣକାରୀ ନନ୍ଦିଘୋଷ ରଥ ମେଘ ବିନିନ୍ଦିତ ଧ୍ୱନି ପ୍ରକାଶପୂର୍ବକ କରଣପୁଞ୍ଜ ଖସି ପଡ଼ିଲାପରି ଆକାଶରୁ ଖସି ଆସି ଯୁଦ୍ଧଭୂମିରେ ପ୍ରକାଶିତ ହେଲା ।

 

୮୯ଶ ପଦ :- ବିଘର୍ସୁ-ଭ୍ରମଣ କରନ୍ତେ । ବାମ-ବିପକ୍ଷ । ଦେବସୂତ-ମାତଳି । ବାହ-ଅଶ୍ୱ । ଲୀଳାରଭସୁ-କୌତୁକ ବେଗରେ ।      

 

୮୯ଶ ପଦ :- ଦେବସାରଥୀ ମାତଳୀ ରାବଣଠାରେ ଶତ୍ରୁତାଚରଣ କରି ରଥରେ ଯୋଚା ଯାଇଥିବା ଶୈବ, ସୁଗ୍ରୀବ, ମେଘପୁଷ୍ପ ଓ ବଳାହକ ନାମକ ଚାରି ଘୋଟକଙ୍କୁ କୌତୁକର ସହିତ ଅତି ବେଗରେ ଚଳାଇବାରୁ ନନ୍ଦିଘୋଷ ରଥ ରାବଣର ପୁଷ୍ପକ ରଥର ଅଗ୍ରଭାଗରେ ସଞ୍ଚାରଣ କଲା । ଏହା ଦେଖି ରାବଣ ମନରେ ଶଙ୍କା ଜାତ ହେଲା ।

 

୯୦ଶ ପଦ :- କିବରବଶକ-ଗରୁଡ଼ ଯାହାର ବଶୀଭୂତ । ଏକ-ମୁଖ୍ୟ । ତୁଙ୍ଗସାର-ଅତ୍ୟୁଚ୍ଚ । ଧ୍ୱଜ-ପତାକା । ବତ୍ସଳଛବି-ମନୋହର ଛବି । ତରୁଧର-ବାନର । ବ୍ୟୂହ-ସମୂହ । ବିରୁଚି-ଅତି ମନୋହର ।

 

୯୦ଶ ପଦ:- ଗରୁଡ଼ ଚିହ୍ନିତ ଅତି ଉଚ୍ଚ ପତାକା ମଣ୍ଡିତ ସୂର୍ଯ୍ୟଙ୍କ ତୁଲ୍ୟ କାନ୍ତିମାନ୍ ଅତି ସୁନ୍ଦର ସେହି ରଥକୁ ଦେଖି ବୃକ୍ଷହସ୍ତ ବାନରମାନେ ନାନାବିଧ ଶଙ୍କା କରିବାକୁ ଲାଗିଲେ (ଅଥବା ସମସ୍ତ ପ୍ରକାର ଚିନ୍ତା ପରିତ୍ୟାଗ କଲେ ) ।

 

୯୧ଶ ପଦ :- ନିର୍ବାଣ-ମୁକ୍ତି । ଗୀର୍ବାଣ-ଦେବତା ।

 

୯୧ଶ ପଦ :- ମାଳତୀର କଥାନୁସାରେ ରାମ ଅତିଶୀଘ୍ର ଯାଇ ସେହି ରଥ ଆରୋହଣ କଲେ । ବିଭୀଷଣ ସ୍ୱଚକ୍ଷୁରେ ଏହା ଦେଖି ମୁକ୍ତିରେ ଜଡ଼ିଲା । ଏହି ସମୟରେ ଦେବତାମାନେ ଜୟ ଶବ୍ଦ ପ୍ରକାଶ କଲେ । ନନ୍ଦିଘୋଷ ରଥରେ ରାମଚନ୍ଦ୍ରଙ୍କୁ ଦେଖି ଦେବତାମାନଙ୍କ ଜୟ ‘ଧ୍ୱନି, ଶୁଣି ବିଭୀଷଣ ଭାବିଲା, ‘ମୁଁ ଶ୍ରୀ ବିଷ୍ଣୁଙ୍କୁ ଦେଖିଲି, ନିଶ୍ଚୟ ମୋକ୍ଷ ହେବି ।’

 

୯୨ଶ ପଦ :- ହେ ପଣ୍ଡିତଗଣ ! ଉପେନ୍ଦ୍ର ଭଞ୍ଜ କହନ୍ତି, ଏହି ଛାନ୍ଦ ବୟାନବେ ପଦରେ ଶେଷ ହେଲା; କିନ୍ତୁ ଏହି ଗୀତର ରଚନା ପ୍ରଣାଳୀ ଠିକ୍ ହୋଇଛି କି ନାହିଁ ମନଦେଇ ବୁଝନ୍ତୁ ।

 

ପଞ୍ଚାଶତ୍ ଛାନ୍ଦ

(ରାଗ-ଭୈରବ)

 

ବିଶ୍ରବାନନ୍ଦନ ତପ             ଉଦିତ ପର୍ବତ ରୂପ

ପ୍ରତପଦାବାଗ୍ନି ଲୋପ ସ୍ୟନ୍ଦନ ଦୃଶେ

ବରଷାକାଳ ତା କଳ୍ପେ       ବଳାହକ ମେଘପୁଷ୍ପେ

ଶୋଭା ଘୋଷଚକ୍ରେ ବ୍ୟାପେ ପ୍ଳବଟ ତୋଷେ ।

ବିଦ୍ୟ ଘନେ । ବିରାଜ ରାମ ଲକ୍ଷ୍ମଣ ଗର୍ଭେ ।

ବିଭ୍ରାଜଇ ବୃଷାଚାପ            ଶରପୂର୍ଣ୍ଣରେ ଲୋଲୁପ

ଚପଳା ଗତି ସଂକ୍ଷେପ ନଭେ କି ଶୋଭେ । ୧ ।

 

ବିହି ଶରଦଲକ୍ଷଣ            ବିବିଦ ରାମଲକ୍ଷଣ

ବିରାଜିତ ଋକ୍ଷଗଣ କୁମୁଦ ତୋଷେ ।

ବଳ ହିମନ୍ତ ପର୍ବତ             ପ୍ରବଳ ବାତଜନିତ

ହେବାରୁ ସାଞ୍ଜୁ ଓଡ଼ିତ ରାକ୍ଷସବଂଶେ ।

ବିଶେଷରେ । ବିଶିଷ୍ଟରେ ଇସିଇସି ଭାଷି ।

ବିଚାରିଲା ଏହି ଶୂର-       ଠାରୁ ତ ଅସୁରପର

ନୋହିଲେ କି ରଥବର ମିଳନ୍ତା ଆସି । ୨ ।

 

ବତ୍ସ ସ୍ଵଚ୍ଛମଣି ମଣି             ବଶୁଁ ପୁଣି ଆଣି ଆଣି

ଶଙ୍କା ଦର ସେହିକ୍ଷଣି ଲଙ୍କା ରାଜନ ।

ବିପୁଳେ କରି ଗର୍ଜ୍ଜନ       ସେ ଧର୍ନୁଗୁଣମାର୍ଜ୍ଜନ

ରହରେ ଦେବେ ସର୍ଜ୍ଜନ କରି ତର୍ଜ୍ଜନ ।

ବହୁବାହ । ବହି ତହିଁ ଶର ଶରାଶନ ।

ବଡ଼ାଇଲା ବେଗେ ଚଣ୍ଡୀ-       ପର୍ବକୀଶପଶୁ ଖଣ୍ଡି

ରକ୍ତପାନ ପାନବୋଳେ ଓଷ୍ଠ ରଞ୍ଜନ । ୩ ।

 

ବିଜୟୀ ନନ୍ଦୀଘୋଷରେ      ବିଜୟି ଧନୁଘୋଷରେ

କଇଳାସ ବିଳାସ ଛଡ଼ାଇ ଅଣାଇ ।

ବାଛି ଯାର ଯୋଦ୍ଧାବ୍ରତ      ମୁର୍ଦ୍ଧା ଫାଳ ଫାଳକୃତ

ବକ୍ଷ ଚିରି ବପାପୀତ ମାତ୍ର ଭକ୍ଷାଇଁ ।

ବାଜିନାମୁ । ବିଷ୍କରେ ଜାଣି ମିତ୍ରତା କରି ।

ବିହରୁ ଶବ ବିୟତେ       ଘେନି ସେ ତୋଷେ ଭକ୍ଷନ୍ତେ

ଭରମୁଥିଲେ ରକତେ ପଶି ନ ପାରି । ୪ ।

 

ବାଣେ ବାଣ ପରିତାଳ       ଜ୍ୟୋତି ଜାତ କି ଅନଳ

ଭାନୁ ଚିତ୍ରଭାନୁ ମିତ୍ରଭାବେ ସେ ମେଳ ।

ବିଘାତ ହେବା ସମୟେ       କି ଉତ୍ପାତ ଉଲ୍‌କାମୟେ

ଜଗତଯାକର ହୋଏ ସେହି ମଞ୍ଜୁଳ ।

ବିନାଶନ । ବିଶିଷ୍ଟ ଜ୍ୟୋତି ଲବକୁ ଲବ

ବର୍ଷା ନିଶାରେ ଖଦ୍ୟୋତ       ଦିଶି ନ ଦିଶିଲାବତ

ମନକୁ ଆସେ ତେମନ୍ତ ଲୀନ ଉଦ୍ଭବ । ୫ ।

 

୧ମ ପଦ :- ବିଶ୍ରବାନନ୍ଦନ-ରାବଣ । ଦାବାଗ୍ନି-ବଣଜାତ ନିଆଁ । ସ୍ୟନ୍ଦନ-ରଥ । ବଳାହକ-ମେଘ, ଅଶ୍ୱ ବିଶେଷ । ମେଘପୁଷ୍ପ-ପାଣି । ଘୋଷଚକ୍ରେ-ଚକଶବ୍ଦରେ, ଧ୍ୱନିସମୁହରେ । ପ୍ଳବଗ-ବାନର, ଭେକ ବା ବେଙ୍ଗ । ଲକ୍ଷ୍ମଣ-ଚନ୍ଦ୍ରମା । ବୃକ୍ଷଚାପ-ଇନ୍ଦ୍ରଧନୁ । ଚପଳା-ବିଦ୍ୟୁତ୍ ।

 

୧ମ ପଦ :- ସେହି ସମୟରେ ଦର୍ଶକମାନେ ନନ୍ଦିଘୋଷ ରଥକୁ ଦେଖି ତାକୁ ବର୍ଷାକାଳ ବୋଲି ମନେ କଲେ । କାରଣ ଗ୍ରୀଷ୍ମକାଳରୁ ପର୍ବତମାନଙ୍କରେ ପ୍ରକାଶିତ ହୋଇଥିବା ବନାଗ୍ନିକୁ ବର୍ଷାକାଳ ଲୋପ କଲାପରି, ଏହି ରଥ ରାବଣର ତପସ୍ୟା ରୂପ ଗ୍ରୀଷ୍ମକାଳରୁ ପ୍ରକାଶିତ ହୋଇଥିବା ପ୍ରତାପ ରୂପ ବନାଗ୍ନିକୁ ଲୋପ କଲା ( ରଥକୁ ଦେଖି ରାବଣ ନିସ୍ତେଜ ହେଲା) । ଆଉ ମଧ୍ୟ ବର୍ଷାକାଳ ମେଘମାଳା ଓ ଜଳରାଶି ଦ୍ୱାରା ମନୋହର ଦେଖାଯାଉଥାଏ, ମେଘ ଗର୍ଜନରେ ପୂର୍ଣ୍ଣ ହୋଇଥାଏ, ବେଙ୍ଗମାନଙ୍କୁ ଆନନ୍ଦଦାନ କରେ ଓ ଜଗତର ଗାଢ଼ ଆବରଣ ପରି ବିଦ୍ୟମାନ ହୋଇଥାଏ; ଏହି ସମୟରେ ଚନ୍ଦ୍ର ମେଘ ଗର୍ଭରେ ବିରାଜୁଥାଏ ଓ ଇନ୍ଦ୍ରଧନୁ ଶୋଭା ପାଉଥାଏ ଏବଂ ଏହି ବର୍ଷାକାଳ ପୃଥିବୀକୁ ଜଳପୂର୍ଣ୍ଣ କରିବାପାଇଁ ଆଦର ପ୍ରକାଶ କରୁଥାଏ, ଆକାଶରେ ବିଦ୍ୟୁତର ସଂକ୍ଷିପ୍ତ ଗତି ଅନିର୍ବଚନୀୟ ଶୋଭାପ୍ରକାଶ କରୁଥାଏ । ସେହିପରି ଏହି ରଥରେ ମେଘପୁଷ୍ପ ନାମକ ଅଶ୍ୱ ଶୋଭାପାଉଅଛି, ଏହାର ଚକମାନଙ୍କର ଶବ୍ଦ ଦିଗଦିଗରେ ବ୍ୟାପ୍ତ ହେଉଅଛି, ଏହା ମର୍କଟମାନଙ୍କୁ ଆନନ୍ଦ ଦାନ କରୁଅଛି । ଆକାଶରେ ବ୍ୟାପ୍ତ ହୋଇଥିବା ବା ଦେଖା ଦେଉଥିବା ଗାଢ଼ ବର୍ଷୁକ ମେଘର ଲକ୍ଷ୍ମଣରେ ଯୁକ୍ତ ଅର୍ଥାତ୍ ନବଘନଶ୍ୟାମ ରାମଚନ୍ଦ୍ରଙ୍କୁ ଗର୍ଭରେ ଧାରଣ କରିଅଛି । ଇନ୍ଦ୍ର ରାମଚନ୍ଦ୍ରଙ୍କ ପାଇଁ ପଠାଇଥିବା ଧନୂରେ ଶୋଭିତ ହୋଇଅଛି । ବହୁସଂଖ୍ୟକ ଶରରେ ପୂର୍ଣ୍ଣ ହୋଇଅଛି ଓ ଅତିଶୀଘ୍ର ଆକାଶରେ ବହୁ ଦୂରକୁ ଗତି କରିବା ଦ୍ୱାରା ଅନିର୍ବଚନୀୟ ଶୋଭା ଧାରଣ କରୁଅଛି ।

 

୨ୟ ପଦ :- ଋକ୍ଷଗଣ-ଭଲ୍ଲୁକସମୂହ, ନକ୍ଷତ୍ରଗଣ । କୁମୁଦ-କଇଁ, ସେନାପତି ବିଶେଷ । ବାତଜନିତ-ପବନଜାତ (ହନୁମାନ) । ସାଞ୍ଜୁ-ପକ୍ଷ, କବଚ ରାକ୍ଷସବଂଶେ-ପକ୍ଷୀମାନେ, ଅସୁରମାନେ । ଓଡ଼ି-ଉହାଡ଼ି, ଘୋଡ଼େଇ ହୋଇ ।

 

୨ୟ ପଦ :- ତତ୍‌ପରେ ସେହି ନନ୍ଦିଘୋଷ ରଥ ଶରତ୍‌ ଋତୁର ଲକ୍ଷଣକୁ ଧାରଣକଲା । କାରଣ ଶରତ୍ ଋତୁରେ ଯେପରି ନିର୍ମଳଚନ୍ଦ୍ର ନଭୋମଣ୍ଡଳରେ ବିରାଜିତ ହୋଇ କୁମୁଦ ଓ ନକ୍ଷତ୍ରମାନଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ସେହିପରି ଏହି ରଥରେ ରାମ ଓ ଲକ୍ଷ୍ମଣ ବିରାଜିତ ହୋଇ କୁମୁଦ ନାମକ ବାନର ଓ ଭଲ୍ଲୁକମାନଙ୍କୁ ଆନନ୍ଦ ପ୍ରଦାନ କଲେ । ପୁନର୍ବାର ସେହି ରଥ ହେମନ୍ତକାଳର ଲକ୍ଷ୍ମଣକୁ ଧାରଣ କଲା । କାରଣ ହେମନ୍ତ ଋତୁରେ ‘ବନ ବଳଶାଳୀ ଅର୍ଥାତ୍ ଅତି ଉନ୍ନତ ହିମାଳୟ ପର୍ବତରୁ ଅତି ଶୀତଳ ପବନ ପ୍ରବାହିତ ହେବାରୁ ପକ୍ଷୀସମୂହ ପକ୍ଷ ଘୋଡ଼ାଇ ହୋଇ ବସିଲାପରି ଏବଂ ବଳଶାଳୀ ଲୋକମାନେ ମଧ୍ୟ ସେହି ପବନ ଯୋଗୁଁ ବଡ଼ ପାଟିକରି ଈଷ୍ ଇଷ୍ ଏହି ଶବ୍ଦ କହିଲା ପରି ଏହି ରଥ ନିକଟରେ ହିମାଳୟ ତୁଲ୍ୟ ବଳଶାଳୀ ହନୁମାନ ଉପସ୍ଥିତ ହେବାରୁ ରାକ୍ଷସମାନେ ସାଞ୍ଜୁ ପିନ୍ଧିବାକୁ ଲାଗିଲେ ଓ ପ୍ରଧାନ ରାକ୍ଷସମାନେ ଇଷ୍ ଉଷ୍ ଶବ୍ଦ ପ୍ରକାଶ କଲେ (ଅର୍ଥାତ୍ ହନୁମାନଠାରୁ କଠିନ ଆଘାତ ମିଳିବାର ଆଶଙ୍କା କରି ସେହି ଆଘାତରୁ ଦେହକୁ ରକ୍ଷା କରିବା ପାଇଁ ସାଧାରଣ ସୈନିକମାନେ ସାଞ୍ଜୁ ପିନ୍ଧିବାକୁ ଲାଗିଲେ; ସେନାପତିମାନେ ଏହା ଦେଖି ଦୁଃଖିତ ହେଲେ) । ଏହି ସମୟରେ ରଥାରୂଢ଼ ରାମଙ୍କୁ ଦେଖି ରାବଣ ଭାବିଲା, ‘‘ଏହି ପୁରୁଷ ଦେବତା ଓ ଅସୁରମାନଙ୍କଠାରୁ ଶ୍ରେଷ୍ଠ ହୋଇ ନ ଥିଲେ, ଏହି ଶ୍ରେଷ୍ଠ ରଥ ଆସି ଏହାକୁ ମିଳନ୍ତା କାହିଁକି ?’’

 

୩ୟ ପଦ :- ବତ୍ସ-ବକ୍ଷଦେଶ । ମଣି-ଶ୍ରେଷ୍ଠ । ଆଣି-ଗର୍ବ । ମାର୍ଜନା-ଟଙ୍କାର । ତର୍ଜନ-ଭୟ । ବହୁବାହୁ-ରାବଣ । ଶରାସନ-ଧନୁ । ଚଣ୍ଡୀପର୍ବ-ଦୁର୍ଗୋତ୍ସବ । କୀଶପଶୁ-ବାନରରୂପ ପଶୁ । ରଞ୍ଜନ-ମନୋହର ।

 

୩ୟ ପଦ :- ତତ୍ପରେ ରାବଣ ନିଜର ବକ୍ଷଦେଶରେ ଥିବା ମଣିଶ୍ରେଷ୍ଠ ସେହି ଅମୋହ ମଣିକୁ ଆଣି ଚାହିଁବାରୁ ତାହାର ପୁନର୍ବାର ହୃଦୟରେ ଗର୍ବ ସଂଚାରିତ ହେଲା ଓ ମନରୁ ଶଙ୍କା ବିଦୂରିତ ହେଲା । ତହୁଁ ସେ ଘୋର ଗର୍ଜ୍ଜନକରି ଧନୁର ଗୁଣକୁ ଟଙ୍କାରି କହିଲା, ‘‘ଆରେ ଦେବତାମାନେ ! ରହ ।’’ ତତ୍ପରେ ଭୟ ଦେଖାଇ ତାହାର ସମସ୍ତ ବାହୁରେ ଧନୁଶର ଧରି, ଚଣ୍ଡୀ ‘ପର୍ବରେ’ ଆଶ୍ୱିନ ମାସରେ ଦୁର୍ଗାପୂଜା ସମୟରେ ‘ଚଣ୍ଡୀମାନେ’ ଠାକୁରାଣୀମାନେ ରକ୍ତପାନ କଲାପରି ରାବଣ ବହୁତ ମାଙ୍କଡ଼ମାନଙ୍କୁ ମାରି ସେମାନଙ୍କର ରକ୍ତପାନ କରି ଓଷ୍ଠକୁ ପାନଖିଆ ଓଷ୍ଠପରି ରକ୍ତବର୍ଣ୍ଣ କଲା ।

 

୪ର୍ଥ ପଦ :- ବିଜୟୀ-ବିଖ୍ୟାତ । ବିଜୟି-ବିଜେକରି । କଇଳାସ ବିଳାସ-କୈଳାସ ପର୍ବତର ଛବି । ଯୋଦ୍ଧାବ୍ରାତ–ବୀରସମୂହ । ବପାପୀତ-ବସା, ପିତ୍ତ । ବିଷ୍କିରେ-ଶାଗୁଣା ।

 

୪ର୍ଥ ପଦ :- ଏହା ଦେଖି ବିଜୟୀ ରାମଚନ୍ଦ୍ର ନନ୍ଦିଘୋଷ ରଥରେ ବିଜେକରି ଧନୁଷ୍ଟଙ୍କାର ପୂର୍ବକ ଶରନିକ୍ଷେପ କରିବାଦ୍ୱାରା ଚଣ୍ଡୀମାନଙ୍କୁ କୈଳାସପୁର ବିହାରରୁ ନିବୃତ୍ତ କରାଇ ଯୁଦ୍ଧକ୍ଷେତ୍ରକୁ ଘେନି ଆସିଲେ (ଅର୍ଥାତ୍ ରାମଙ୍କ ଶରଦ୍ୱାରା ଅଗଣିତ ଅସୁର ବଧ ହେବାରୁ ସେମାନଙ୍କର ରକ୍ତପାନ କରିବାପାଇଁ ଯୋଗିନୀମାନେ କୈଳାସପୁରକୁ ଛାଡ଼ି ଯୁଦ୍ଧ କ୍ଷେତ୍ରକୁ ଆସିଲେ) । ରାମଚନ୍ଦ୍ର ଶ୍ରେଷ୍ଠ ଯୋଦ୍ଧାମାନଙ୍କର ମୁଣ୍ଡମାନଙ୍କୁ ଫାଳ ଫାଳକରି ଓ ସେମାନଙ୍କର ବକ୍ଷସ୍ଥଳକୁ ବିଦାରଣ କରି ସେମାନଙ୍କ ବସା ଓ ପିତ୍ତ ସେହି ଚଣ୍ଡୀମାନଙ୍କୁ ଖୁଆଇଲେ । ପକ୍ଷୀ-ମାନଙ୍କର ବାଜି ବୋଲି ଗୋଟିଏ ନାମ ଥିବାରୁ ଶାଗୁଣାମାନେ ଜାଣିପାରି ସେହି ବାଜି ନାମରେ ପରିଚିତ ଶରମାନଙ୍କ ସହ ମିତ୍ର ହୋଇ ତାଙ୍କଠାରୁ ଶବମାନଙ୍କୁ ନେଇ ଆକାଶାରେ ବିହାର କରିବାକୁ ଲାଗିଲେ । କାରଣ ସେମାନେ ରୁଧିରରେ ପଶି ନ ପାରି ଶୂନ୍ୟରେ ଉଡ଼ୁଥିଲେ, ବର୍ତ୍ତମାନ ମିତ୍ରମାନଙ୍କଠାରୁ ମଡ଼ା ପାଇବାରୁ ତାହା ଖାଇ ସନ୍ତୁଷ୍ଟ ହେଲେ ।

 

୫ମ ପଦ :- ଅନଳ-ଅଗ୍ନି । ଭାନୁ-ସୂର୍ଯ୍ୟ । ଚିତ୍ରଭାନୁ-ଅଗ୍ନି । ମଞ୍ଜୁଳ-ମନୋହର । ଲବକୁଲବ-କ୍ଷଣକୁକ୍ଷଣ । ଖଦ୍ୟୋତ-ଜୁଳୁଜୁଳାପୋକ ।

 

୫ମ ପଦ :- ଏହି ଯୁଦ୍ଧ ସମୟରେ ରାମଙ୍କ ବାଣରେ ରାବଣର ବାଣବାଜି ଘୋର ଶବ୍ଦର ସହିତ ଅଗ୍ନି ଉତ୍ପନ୍ନ ହେଉଥିଲା; ଏହା ଦେଖି ମନେ ହେଉଥିଲା ଅଗ୍ନିଙ୍କର ତେଜ ଓ ସୂର୍ଯ୍ୟଙ୍କର ତେଜ ଦୁହେଁ ମିତ୍ରତା ସ୍ଥାପନକରି ଏହିଠାରେ ଅର୍ଗଳୀ-କିଳିଣୀ, ଦାର । ବିରାଟଧ୍ୱଜରେ-ଗରଡ଼ଧ୍ୱଜିରଥରେ । ଏକତ୍ରିତ ହେଉଅଛନ୍ତି କି ? କିମ୍ବା ରାବଣର ବିନାଶ ସମୟ ଉପସ୍ଥିତ ହେବାରୁ ଉତ୍‌ପାତ ସମୟ ଜାଣି ଉଲ୍‌କାପାତ୍ ହେଉଅଛି କି ? ସେହି ଉତ୍‌ପାତକାଳୀନ ଉଲ୍‌କାପାତ ଜଗତକୁ ଏହିପରି ସୁନ୍ଦର (ଆଲୋକିତ) କରେ ଏବଂ ସେହି ମହୋଜ୍ୱଳ ଜ୍ୟୋତି ଅଳ୍ପକ୍ଷଣ ମଧ୍ୟରେ ବିନିଷ୍ଟ ହୁଏ । କିନ୍ତୁ ବର୍ଷକାଳରେ ଜୁଳୁଜୁଳିଆ ପୋକ ଅଳ୍ପକ୍ଷଣ ଦେଖା ଦେଇ ଲୀନ ହୋଇଯାଏ, ଏଣୁ ଏହି ତେଜ ସେହି ଜୁଳୁଜୁଳିଆ ପୋକର ତେଜ ବୋଲି ମନେ ହୁଏ ନାହିଁ । ବୋଧହୁଏ, ଏହା ନିଶ୍ଚୟ ସେହି ଉତ୍‌ପାତକାଳୀନ ଉଲକାର ତେଜ ହଠାତ୍ ଦେଖା ଦେଇ ଲିଭିଗଲା ।

 

 

ବିକାରେ ହୁଁ କାରେ କରି       ରାବଣ ଭଲ୍ଲେକ ମାରି

ଭଲେ ରାମ ବେନିଜଙ୍ଘ ଫୁଟାଇ ଦେଲା ।

ବିଭେଦନ ରମ୍ଭା ପୂର୍ବେ       ଭେଦନ ରମ୍ଭାକୁ ଏବେ

ଅର୍ଗଳୀ ଉପମା ଥିଲା ସୁଷମା ହେଲା ।

ବର୍ଦ୍ଧମାନ । ବିବେକ ବିଚାରି ବିଷ୍ଣୁ ମୁହିଁ ।

ବିରାଟ ମୁକୁଟ ସେହି       ବିରାଟ ଧ୍ଵଜରେ ରହି

ବିରାଟ ମୂର୍ତ୍ତିରେ ସ୍ନେହା ହୋଇଲେ ତହିଁ । ୬ ।

 

ବ୍ୟୋମ କୁନ୍ତଳ କରାଇ       ଶିରଷ ସେକାଳେ ଯାଇ

ରସାତଳ ତଳସ୍ଥାୟୀ ଚରଣ ଦୁଇ ।

ବକ୍ଷସ୍ଥ ମଣିକି ମଣି             ପଦକ ଦ୍ୟୁମଣି ମଣି

ବିଲୋକି ରାକ୍ଷସମଣି ସେହି ବଢ଼ଇ ।

ବାଞ୍ଛେ ଯଥା । ବାମନ ମନ ଲାଙ୍ଗଳୀତୁଙ୍ଗେ ।

ବିବୁଧାଳୟର ପରା       ହେବା ଇଛା କଲେ ହୀରା

ହୋଏ କି ଏ ପରମ୍ପରା ହୋଇ ତା ସଙ୍ଗେ । ୭ ।

 

ବିଶାରଦ ମହାଭ୍ରୁମ             ଅଗ୍ରତେ ଯେମନ୍ତ ଭ୍ରୁମ

ତଥା ଅପୁର୍ବ ସଂଗ୍ରାମ ଶ୍ରୀରାମ ରଚେ ।

ବାଜୀ ନିୟୁତେ ଅୟତେ      ଗଜ ରଥ ଲକ୍ଷ ଶତେ

ଦଶକୋଟି ପତ୍ତହତେ କବନ୍ଧେ ନାଚେ ।

ବିଳସିଲେ । ବ୍ୟବସ୍ଥିତରେ କବନ୍ଧ କୋଟି ।

ବିହି ରେ ରେ କାର ଗିରେ        ଖେଚର କୋଟି ସଂଖ୍ୟାରେ

ଏକଘଣ୍ଟି କୋଦଣ୍ଡରେ ତଥାପି ରଟି । ୮ ।

 

ବାଜିଲେ ସପତଘଣ୍ଟି       ତୁଟିଏ ତହିଁ ନ ତୁଟି

ସପତଦିନ ପ୍ରକଟି ରଣେ ଏସନ ।

ବିଖନଲେଖୁଁ ଗହନ       ବିଂଶାକ୍ଷକୁ କଲେ ଧନ୍ୟ

ରଖିଥିଲା ଏତେ ସୈନ୍ୟ ଏବେହେଁ ଘେନ ।

ବିଧ୍ବଂସିଲା । ବାନର ଯୋଦ୍ଧାନୁକୁଳ କୃତ ।

ବିଷ୍ଟି ହୋଇଣ ଆପଣ       ଦିଗଶୂଳ ଶୂଳଗଣ

ଲକ୍ଷଣାରେ ତମଗୁଣଗ୍ରସ୍ତ ପୌଲସ୍ତ୍ୟ । ୯ ।

 

ବାଲମୀକି ଉକ୍ତିସାର        ଗଗନ ଗଗନାକାର

ସାଗର ତୁଲ୍ୟ ସାଗର ଯେଉଁ ପ୍ରକାରେ ।

ବିଶ୍ରୁତ ଲୋଚନ କର       ରାମ ରାବଣ ସମର

ରାମ ରାବଣ ସମର ଖ୍ୟାତ ସଂସାରେ ।

ବିଚାରିଲେ । ବିଲୋକି ରାମରଣ ଜାମ୍ବବ ।

ବୟସ ଗଲାଣି ସରି       ଯୁଝି ଯୁଝିଲାର ପରି

ଏ ସଙ୍ଗେ ବିରୋଧ କରିବାର ଉତ୍ସବ । ୧୦ ।

 

୬ଷ୍ଠ ପଦ :- ବିକାରେ-ବିକୃତ ବା ଭୟଙ୍କର ଭାବରେ । ଭଲ୍ଲ-ଅସ୍ତ୍ରବିଶେଷ । ଲଭେ-ଉତ୍ତମରେ । ରମ୍ଭା-ସ୍ୱର୍ଗବେଶ୍ୟା । ରମ୍ଭା-କଦଳୀଗଛ ।

 

୬ଷ୍ଠ ପଦ :- ରାବଣ ମୁଖକୁ ବିକୃତ କରି ହୁଙ୍କାର ପ୍ରକାଶ ପୂର୍ବକ ଭଲ୍ଲାସ୍ତ୍ର ମାରି ରାମଚନ୍ଦ୍ରଙ୍କର ଦୁଇଜଙ୍ଘକୁ ଫୁଟାଇ ଦେଲା । ସେହି ରାବଣ ପୂର୍ବେ ରମ୍ଭା ଅପ୍ସରାକୁ ଏହିପରି ଭେଦ କରୁଥିଲା; ଏବେ ରାମଚନ୍ଦ୍ରଙ୍କର ଉରୁରୂପ ରମ୍ଭାକୁ (ଅର୍ଥାତ୍ କଦଳୀବୃକ୍ଷ ତୁଲ୍ୟ ଜଙ୍ଘକୁ) ଭେଦକଲା ଏହି ଦୁଇଗୋଟି ବିଷୟକୁ ତୁଳନା କଲେ କୌଣସି ଗୁରୁତା ପ୍ରକାଶ ପାଉ ନ ଥିଲା; ଏଣୁ ବର୍ତ୍ତମାନ ସେହି ରାମଚନ୍ଦ୍ରଙ୍କ ଉରୁରେ ଲାର୍ଥବାରୁ ଅର୍ଗଳିର ଉପମାଙ୍କୁ ପ୍ରାୟ ହେଲା । ସେହି ଅସ୍ତ୍ରାଘାତରେ ରାମଙ୍କର ବିବେକ ଦୃଦ୍ଧି ପାଇବାରୁ ସେ ବିଚାରିଲେ, ‘ମୁଁ ବିଷ୍ଣୁ । ’ ତେଣୁ ସେ ଗରୁଡ଼ଧ୍ୱଜ ରଥରେ ରହି ରଥ ମଧ୍ୟରେ ବିରାଟମୂର୍ତ୍ତି ଧାରଣ କରିବାକୁ ଆଦର ପ୍ରକାଶ କଲେ [ଅର୍ଥାତ୍ ବିରାଟମୂର୍ତ୍ତି ଧାରଣ କଲେ ] ।

 

୭ମ ପଦ :- ବ୍ୟୋମ-ଆକାଶ । କୁନ୍ତଳା-କେଶ । ଶରଷ-ମସ୍ତକ । ରସାତଳ-ପାତାଳ । ଦ୍ୟୁମଣି-ସୂର୍ଯ୍ୟ । ମଣି-ଶ୍ରେଷ୍ଠ । ଲଙ୍ଗଳାତୁଙ୍ଗ-ନଡ଼ିଆଗଛ । ବିବୁଧାଳୟ-ମେରୁପର୍ବତ । ହୀରା-ପ୍ରିମ୍ପୁଡ଼ି ।

 

୭ମ ପଦ :- ସେହି ବିରାଟମୂର୍ତ୍ତି ଧରିବା ସମୟରେ ତାଙ୍କର ମସ୍ତକ ଆକାଶକୁ ସ୍ପର୍ଶ କରିବାରୁ ଆକାଶ ତାଙ୍କର କେଶ ପରି ଜଣାଗଲା ଏବଂ ଚରଣଦ୍ୱୟ ପାତାଳକୁ ପ୍ରବେଶ କଲା । ବକ୍ଷସ୍ଥଳରେ ପଦକ ପରି ଧାରଣ କରିଥିବା ସୀତାଙ୍କ ମଥାମଣିକୁ ରାବଣ ସୂର୍ଯ୍ୟମନେ କରି ଚାହିଁବାକୁ ଲାଗିଲା ଏବଂ ସୂର୍ଯ୍ୟଙ୍କର କିରଣ କ୍ରମେ କ୍ରମେ ବଢ଼ିଲା ପରି ସେହି ମଣିର ତେଜ ବଢ଼ିବାକୁ ଲାଗିଲା । ବାଙ୍ଗରା ଲୋକ ନଡ଼ିଆ ଗଛ ପରି ଉଚ୍ଚ ହେବାକୁ ମନରେ ଭାବିଲେ ଓ ପିମ୍ପୁଡ଼ି ମେରୁ ପର୍ବତ ତୁଲ୍ୟ ହେବାକୁ ଇଚ୍ଛା କଲେ ସୁଦ୍ଧା କେବେ ହେଲେ ଏମାନଙ୍କ ସହିତ ସମାନ ହୋଇ ପାରନ୍ତି କି ? (ହୋଇ ପାରନ୍ତି ନାହିଁ) ରାବଣ ସେହିପରି ବଡ଼ ହେବାକୁ ଇଚ୍ଛାକରି ନିରାଶ ହୋଇଥିଲା ।

 

୮ମ ପଦ :- ବିଶାରଦ-ପ୍ରକାଣ୍ଡ । ମହାଦ୍ରୂହ-ବଡ଼ ବୃକ୍ଷ । ଭ୍ରୂମ-ଛୋଟ ବୃକ୍ଷ । ସଂଗ୍ରାମ-ଯୁଦ୍ଧ । ବାଜୀ-ଘୋଡ଼ା । ଗଜ-ହାତୀ । ପତ୍ତହତେ-ପାଇକ ବିନାଶରେ ।

 

୮ମ ପଦ :-ଝଙ୍କାଳିଆ ବଡ଼ ବଡ଼ ଗଛମାନଙ୍କ ନିକଟରେ ଛୋଟ ଛୋଟ ଗଛମାନେ ଯେପରି ଦେଖାଯାନ୍ତି, ବିରାଟମୂର୍ତ୍ତି ରାମଚନ୍ଦ୍ରଙ୍କ ନିକଟରେ ରାବଣ ସେହିପରି ଦେଖଗଲା । ରାମଚନ୍ଦ୍ର ଚମତ୍କାର ରଣକୌଶଳ ରଚନା କେଲ । ନିୟୁତେ ଘୋଡ଼ା, ଅୟୁତେ ହାତୀ, କୋଟିଏ ରଥ ସହିତ ରଥୀ ଦଶକୋଟି ପଦାତି ବଧ ହେଲେ ରଣକ୍ଷେତ୍ରରେ ଗୋଟିଏ କବନ୍ଧ ନାଚେ ଏହି ହିସାବ ଅନୁସାରେ ସେହି ରଣକ୍ଷେତ୍ରରେ କୋଟି, କବନ୍ଧ ନାଚିଲେ ଗୋଟିଏ ଖେଚର ରେ ରେ ଶବ୍ଦ କରି ନାଚେ ଏବଂ ଏହିପରି କୋଟିଏ ଖେଚର ନାଚିଲେ ରାମଙ୍କ ଧନୁରେ ଥିବା ଘଣ୍ଟି ଥରେ ମାତ୍ର ବାଜି ଉଠେ ।

 

୯ମ ପଦ :- ତୁଟିଏ-ଲିତାଏ, ମୂହୂର୍ତ୍ତ ସମୟରେ । ବିଖନ-ବିଧାତା । ବିଂଶାକ୍ଷ-ରାବଣ । ତମଗୁଣଗ୍ରସ୍ତ-ରାଗନ୍ୱିତ । ପୌଲସ୍ତ୍ୟ-ରାବଣ ।

 

୯ମ ପଦ :- ସେହି ଯୁଦ୍ଧରେ ରହି ନିୟମାନୁସାରେ ରାମଙ୍କ ଧନୁରେ ଥିବା ସାତଗୋଟିଯାକ ଘଣ୍ଟି କ୍ଷଣେ ମାତ୍ର ବନ୍ଦନ ହୋଇ ସାତଦିନ ପର୍ଯ୍ୟନ୍ତ ବାଜିବାକୁ ଲାଗିଲେ । ରାମ ଯେତେ ସୈନ୍ୟ ବଧ କଲେ, ତାହା ବ୍ରହ୍ମା ହିସାବ କରିବାକୁ ଚେଷ୍ଟାକରି ମଧ୍ୟ ପାରିଲେ ନାହିଁ । ଏଣୁ ବହୁସଂଖ୍ୟକ ସୈନ୍ୟ ରଖି ଥିବାରୁ ରାବଣକୁ ଧନ୍ୟବାଦ ଅର୍ପଣ କଲେ । ବିଷ୍ଟି ଓ ଦିଗ୍‌ଶୁଳ ସମୟରେ ଯାତ୍ରାକଲେ ଯେପରି ଅଭିଷିତ କାର୍ଯ୍ୟସମୂହ ବିନିଷ୍ଟ ହୁଏ, ସେହିପରି ରାବଣ କ୍ରୋଧାନ୍ଧ ହୋଇ ସ୍ୱୟଂ ବିଷ୍ଟି ରୂପରେ ଦଣ୍ଡାୟମାନ ଥାଇ ଶୂଳ ନିକ୍ଷେପ କରି ପଛପଟରୁ ଆକ୍ରମଣ କରୁଥିବା ବାନର ସୈନ୍ୟମାନଙ୍କୁ ବିନାଶ କଲା ।

 

୧୦ମ ପଦ :- ଆଦିକବି ବାଲ୍ମୀକି ସାରଗର୍ଭକ ବାକ୍ୟରେ ପ୍ରକାଶ କରିଅଛନ୍ତି, ‘‘ଯେପରି ଆକାଶ ଆକାଶ ସହିତ ଓ ସମୁଦ୍ର ସମୁଦ୍ରର ସହିତ ତୁଳନା; ସଂସାରରେ ପ୍ରସିଦ୍ଧ ରାମ ରାବଣ ଯୁଦ୍ଧ ସେହିପରି କେବଳ ସେହି ରାବଣ ଯୁଦ୍ଧ ସହ ତୁଳନୀୟ ଅଟେ ।’’ (ଅର୍ଥାତ୍ ଏହି ସଂସାରରେ ଆକାଶ, ସମୁଦ୍ର ଓ ରାମ ରାବଣ ଯୁଦ୍ଧ ଏମାନଙ୍କ ସହିତ ତୁଳନା କରିବାକୁ ଅନ୍ୟ କିଛି ବିଷୟ ବା ବସ୍ତୁ ନାହିଁ, ଏଣୁ ଏମାନଙ୍କୁ ଏହିମାନଙ୍କ ସହ ତୁଳନା କରିବା ଉଚିତ୍ । ଆମ୍ଭଠାରୁ ଅନ୍ୟ କିଛି ଆଶା ରଖନ୍ତୁ ନାହିଁ, କାରଣ ବାଲ୍ମୀକି ମଧ୍ୟ ଅନ୍ୟ ଉପମା ଦେବାରେ ନିରବ) ହେ ପଣ୍ଡିତମାନେ ! ଏହି ବାଲ୍ମୀକିଙ୍କର ସାର ଉକ୍ତି ରୂପ ରାମ ରାବଣ ଯୁଦ୍ଧ ବର୍ଣ୍ଣନାକୁ ଦେଖ । ଜାମ୍ବବ ଏହି ସମୟରେ ରାମଙ୍କର ଯୁଦ୍ଧ ଦେଖି ମନେକଲେ, ‘ବୟସ ସରିଗଲାଣି, ଅର୍ଥାତ୍ ମୁଁ ବୁଢ଼ାହୋଇ ଗଲିଣି, ମାତ୍ର ବୟସ ଥିଲେ ଏହି ରାମଚନ୍ଦ୍ରଙ୍କ ସହିତ ଯୁଦ୍ଧ କରନ୍ତି । ସେ ଯୁଦ୍ଧ ଯୁଦ୍ଧପରି ଜଣା ପଡ଼ନ୍ତା, ସେହି ଯୁଦ୍ଧରେ ଆନନ୍ଦ ଅନୁଭବ ହୁଅନ୍ତା । ’

 

ବେଭାରେ ଚତ୍ରୀତ ସେହି             ଚତ୍ରୀବିଧାନକୁ ବିହି

ଶର ସୂତ୍ର ସୂତ୍ରେ କଞ୍ଚାଭାଣ୍ଡର ତୁଲେ ।

ବଚ୍ଛେଦି କୋପେ ରାଘବ             ଦଶଗ୍ରୀବ ଦଶଗ୍ରୀବ

ବିଚ୍ଛେଦ ନୋହିଲା ଲବ ଲାଗେ ତତ୍କାଳେ ।

ବିଘଟିତ । ବୁଦ୍ଧି ହୋଏ ଏହି ଉପମାରେ ।

ବାରି ନୋହେ ଭିନ୍ନ କରି             ଯଥା ବୀଚିତରବାରି

ପୁନଃ ପୁନଃତରବାରୀମାନ ପ୍ରହାରେ । ୧୧ ।

ବିରବର ବଶେ ତହିଁ             ବୀରବର ବୋଲେ ମୁହିଁ

ଶିରଶ୍ଛେଦେ ନ ମରଇ ସାହସ ତେଜ ।

ବିଜୟୀ ହୋଇଛି ସୁର             ଗଣରେ ଆନ ଅସୁର

ନୋହେ ବୁଡ଼ାଇବି ଶୂରପଣ ତୋ ଆଜ ।

ବିଷ୍ଣୁଚକ୍ର । ବାଜି ହୃଦେ ଚର୍ମରେ ନ ଗଳି ।

ବକ୍ର ଦାଢ଼ମୂନ ନାଶ             ଚୂର୍ଣ୍ଣ ଭଜେ ଦୁର୍ଗାଈଶ

ଇନ୍ଦ୍ର ଖଡ଼୍‌ଗ ଶୂଳ ବଜ୍ର ନ ମାରେ ତୋଳି । ୧୨ ।

 

ବୋଲୁଁ ରାମ କୋପେ ଥରେ             ଅଷ୍ଟୋତ୍ତରଶତ ଥରେ

ଛେଦନେ ପାତ ପୃଥ୍ବୀରେ ତା ମୁଣ୍ଡ ନୋହି ।

ବ୍ୟଥିତ ଭଜି କଥିତ             ଅଗ୍ରେ ଯେ ମାତଳି ସ୍ଥିତ

ଏ ଦୈତ୍ୟ ଅଦ୍ଭୁତ ଭୂତ ଭବିଷ୍ୟେ ନାହିଁ ।

ବର୍ତ୍ତମାନ । ବିଖ୍ୟାତ ଏ ତ ମରିବ କେହି ।

ବ୍ରହ୍ମାଣ୍ଡସାର କ୍ଷତ୍ରିୟ             ବ୍ରହ୍ମାସ୍ତ୍ରେ ଭେଦ ହୃଦୟ

ଦେଇଛି କୁମ୍ଭତନୟ ମାତଳି କହି । ୧୩ ।

 

ବିନ୍ଧିବାକୁ ନାଗେ ନାକେ             ମଧ୍ୟେ କେ ଲାଗିବ ଲାଖେ

ତେଜେ ବସାଉଁ ପିନାକେ ଜଳୁ ସେ ଥିଲା ।

ବାଦୀ ତ୍ରିପୁର ତ୍ରିପୁର             ଜିତର ହୁଅନ୍ତେ ହର-

ପ୍ରୟୋଗେ ତୁମ୍ଭେ ପାତର ମୋତେ ଦିଶିଲା ।

ବିରାଧାରି । ବାଣୀ ତାର ଶୁଣି ତତ୍ପର ।

ବଡବାନଳ ସାଗରୁ                   ଉଦ୍ଧରି ଧରିବା ଚାରୁ

ବାହାର କଲେ ତୂଣୀରୁ ସେ ବ୍ରହ୍ମଶର । ୧୪ ।

 

ବାର ଆଦିତ୍ୟ ଉଦିତ             ଏକତ୍ଵ ହୋଇ ବ୍ୟକତ

ଏକମଣ୍ଡଳେ ତଦ୍‌ବତ କୋଦଣ୍ଡ ମଧ୍ୟେ ।

ବସାଇଣ ଆମଞ୍ଚନେ             ଭାବେ ପୁଷ୍ପକ ବିମାନେ

ପୁଷ୍ପକ ହେବାର ମନେ ଆଜର ଯୁଦ୍ଧେ ।

ବିତରଣ । ବାଣ କଲା ତୁଚ୍ଛା କରି ତୁଣ ।

ବାଛି ଏଥୁଁ ଭଲ ଜଣେ             ମାରି ପାରିବି କି ରଣେ

ଚିରକୀର୍ତ୍ତି ବୀରପଣେ ରହିବ ପୁଣ । ୧୫ ।

 

୧୧ଶ ପଦ :- ଚକ୍ରୀ-ବିଷ୍ଣୁ । ଚକ୍ରୀବିଧାନକୁ-କୁମ୍ଭକାର ନିୟମକୁ । ବୀଚିତର-ଳହରୀ ଯୁକ୍ତ ।

 

୧୧ଶ ପଦ :- ରାମଚନ୍ଦ୍ର ପ୍ରକୃତରେ ‘ଚକ୍ରୀ’ ବିଷ୍ଣୁ ହୋଇଥିବାରୁ ‘ଚକ୍ରୀ’ କୁମ୍ଭକାରର ରୀତିକୁ ଧରି କୁମ୍ଭକାର କଞ୍ଚା ହାଣ୍ଡିକୁ ସୂତାରେ କାଟିଲାପରି ଶର ରୂପ ସୂତାରେ ରାବଣର ଦଶଗୋଟିଯାକ ମୁଣ୍ଡକୁ କାଟିଦେଲେ; କିନ୍ତୁ ରାବଣର ସ୍କନ୍ଧରୁ ସେହି ମୁଣ୍ଡମାନ ଅଲଗା ହେଲା ନାହିଁ । କୁମ୍ଭାରର କଞ୍ଚା ହାଣ୍ଡି ନ ପଡ଼ି ଚକରେ ଲାଗି ରହିଲାପରି ମୁଣ୍ଡସବୁ କନ୍ଧଦେଶରେ ଲାଗି ରହିବାରୁ ବୁଦ୍ଧି ବଳରେ ଏହି ଉପମା ମନେହେଲା, ‘ଯେପରି ଲହରୀ ସଙ୍କୁଳ ଜଳରାଶିରେ ବାରମ୍ବାର ଖଣ୍ଡା ପ୍ରହାର କଲେ ସୁଦ୍ଧା ବାରିରାଶିକୁ ଭିନ୍ନ କରି ହୁଏ ନାହିଁ, ଏହା ସେହିପରି ହେଲା ।’

 

୧୨ଶ ପଦ :- ବିରବ-ଉଚ୍ଚଧ୍ୱନି । ସୁରଗଣରେ-ଦେବତାମାନଙ୍କ ମଧ୍ୟରେ ।

୧୨ଶ ପଦ :- ଏହା ଦେଖି ରାବଣ ଘୋରରଡ଼ି କରି କହିଲା, ‘‘ମୁଣ୍ଡ ଛିଣ୍ଡି ଗଲେ ସୁଦ୍ଧା ମୁଁ ମରିବି ନାହିଁ । ରେ ବୀର ! ତୁ ଯେଉଁ ସାହସ କରିଛୁ, ତାହାକୁ ପରିତ୍ୟାଗ କର । ମୁଁ ଇନ୍ଦ୍ରାଦିଦେବତାମାନଙ୍କୁ ଜୟ କରିଅଛି, ମୁଁ ସମାନ୍ୟ ଅସୁର ନୂହେଁ, ଆଜି ତୋର ବୀରତ୍ୱ ଶେଷ କରିବି । ବିଷ୍ଣୁଙ୍କର ଚକ୍ର ମୋର ହୃଦୟରେ ବାଜି ଚର୍ମକୁ ସୁଦ୍ଧା ଭେଦ କରି ନାହିଁ; ଦୁର୍ଗାଙ୍କର ଖଡ଼୍‌ଗ ମୋ ଦେହରେ ବାଜି ତାର ଦାଢ଼ ଭାଙ୍ଗି ଯାଇଅଛି, ଶିବଙ୍କର ତ୍ରିଶୂଳର ମୁନ ମଧ୍ୟ ଭାଙ୍ଗି ଯାଇଅଛି ଓ ଇନ୍ଦ୍ର ବଜ୍ର ଟେକି ମୋତେ ମାରିବାରୁ ତାହା ମୋ ହୃଦୟରେ ବାଜି ଗୁଣ୍ଡହୋଇ ଧୂଳି ସଙ୍ଗରେ ମିଶିଯାଇ ଅଛି ।’’

 

୧୩ଶ ପଦ :- କୁମ୍ଭତନୟ-ଅଗସ୍ତି ମୁନି ।

 

୧୩ଶ ପଦ :- ରାବଣ ଏହିପରି କହିବାରୁ ରାମ କ୍ରୋଧରେ କମ୍ପିତ ହୋଇ ଶହେ ଆଠଥର ତାର ମୁଣ୍ଡମାନଙ୍କୁ ଛେଦନ କଲେ, ତଥାପି ସେସବୁ ତଳେ ପଡ଼ିଲା ନାହିଁ । ତେଣୁ ସେ ଅତ୍ୟନ୍ତ ଦୁଃଖିତ ହୋଇ ସମ୍ମୁଖସ୍ଥ ମାତଳିଙ୍କୁ କହିଲେ, ‘‘ହେ ମାତଳି ! ଏ ଏକ ଅଦ୍ଭୁତ ରାକ୍ଷସ, ଏପରି ରାକ୍ଷସ ପୂର୍ବେ ନ ଥିଲେ କି ଭବିଷ୍ୟତରେ ଆଉ ଜନ୍ମିବେ ନାହିଁ । ବର୍ତ୍ତମାନ ଏହି ପ୍ରସିଦ୍ଧ ରାକ୍ଷସ କିପରି ମରିବ ?’’ ମାତଳି କହିଲା, ‘‘ହେ ବ୍ରହ୍ମାଣ୍ଡର ଶ୍ରେଷ୍ଠ କ୍ଷତ୍ରିୟ ରାମଚନ୍ଦ୍ର ! ଅଗସ୍ତ୍ୟ ଋଷି ଦେଇଥିବା ବ୍ରହ୍ମାସ୍ତ୍ରରେ ଏହାର ହୃଦୟକୁ ବିଦ୍ଧ କରନ୍ତୁ ।’’

 

୧୪ଶ ପଦ :- ନାରେ-ପାତାଳରେ । ନାକେ-ସ୍ୱର୍ଗରେ । ପିନାକ-ଶିବଙ୍କ ଧନୁ । ହର-ଶିବ ।

 

୧୪ଶ ପଦ :- ‘‘ସେହି ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଲକ୍ଷସ୍ଥଳରେ ବଜାଇବାକୁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ଏହି ତିନିପୁର ମଧ୍ୟରେ କେହିନାହିଁ । କାରଣ ହର ତ୍ରିପରୁର ବିଜୟୀ ତ୍ରିପୁରାସୁର ସହିତ ବିବାଦୀ ହୋଇ ସେହି ଅସ୍ତ୍ରକୁ ଧନୁରେ ବସାଇବା ସଙ୍ଗେ ସଙ୍ଗେ ପିନାକ ଧନୁ ତାହାର ତେଜରେ ଜଳିଗଲା । ମୁଁ ମନେ କରୁଛି, କେବଳ ତୁମ୍ଭେ ଏହାକୁ ପ୍ରୟୋଗ କରିବାକୁ ସମର୍ଥ ହେବ ।’’ ବିରାଧଶତ୍ରୁ ରାମଚନ୍ଦ୍ର ମାତଳିଙ୍କଠାରୁ ଏହିପରି କଥା ଶୁଣି ସମୁଦ୍ରରୁ ବଡ଼ବାନଳକୁ ବାହାର କଲାପରି ତୂଣୀର ମଧ୍ୟରୁ ସେହି ଅସ୍ତ୍ରକୁ ଅତିଶୀଘ୍ର ବାହାର କଲେ ।

 

୧୫ଶ ପଦ :- ଆଦିତ୍ୟ-ସୂର୍ଯ୍ୟ । ପୁଷ୍ପକ-ମୃତ ନେତ୍ର ରୋଗ ।

 

୧୫ଶ ପଦ :- ବାରଟିଯାକ ସୂର୍ଯ୍ୟ ଏକତ୍ରିତ ହୋଇ ଗୋଟିଏ ସୂର୍ଯ୍ୟ ମଣ୍ଡଳରେ ପରିଣତ ହେଲେ ସେଥିରୁ ଯେଉଁପରି ତେଜପ୍ରକାଶିତ ହେବ; ରାମଚନ୍ଦ୍ର ସେହି ବ୍ରହ୍ମାସ୍ତ୍ରକୁ ଧନୁରେ ବସାଇ ଆକର୍ଷଣ କରିବାରୁ ସେହିପରି ତେଜ ପ୍ରକାଶିତ ହେଲା । ଏହା ଦେଖି ରାବଣ ପୁଷ୍ପକଯାନରେ ଥାଇ ଭାବିଲା, ‘ଆଜି ଯୁଦ୍ଧରେ ମୋର ଚକ୍ଷୁରୋଗ ଜାତ ହେବ । (ଅର୍ଥାତ୍ ଆଜି ଯୁଦ୍ଧରେ ମୁଁ କର୍ତ୍ତବ୍ୟଶୂନ୍ୟ ହୋଇ ଅନ୍ଧମାନଙ୍କ ପରି ଅପଥରେ ଗମନ କରି ମରିବି) । ’ ତତ୍ପରେ ସେ ବାଣ ମାରି ତୂଣୀରକୁ ଶୂନ୍ୟ କରି ଦେଲା (ଅର୍ଥାତ୍ ଯେତେ ଶର ଥିଲା ସବୁ ମାରିଲା) । କାରଣ ସେ ସ୍ଥିର କରିଥିଲା, ଏହି ପ୍ରଧାନ ଯୋଦ୍ଧାମାନଙ୍କ ମଧ୍ୟରୁ ଯଦି ମୁଁ ଜଣକୁ ଯୁଦ୍ଧରେ ମାରି ପାରିବି, ତାହା ହେଲେ ଜଗତରେ ଚିରକାଳ ପର୍ଯ୍ୟନ୍ତ ମୋର ବୀରତ୍ୱ କୀର୍ତ୍ତି ସ୍ଥାପିତ ହେବ ।

 

ବ୍ରହ୍ମାସ୍ତ୍ରବ୍ରହ୍ମାସ୍ତ୍ର ପରେ             ଚକ୍ର ଚକ୍ର କୋଦଣ୍ଡରେ

କତୁରୀକି ତ୍ଵରିତରେ ଗୁଣ ଖଣ୍ଡନେ ।

ବିଭୀଷଣ ହନୁମନ୍ତେ             କପିବର ବାଳିସୁତେ

ଶକ୍ତିପଦ୍ମେ ଶୂଳ କେତେ ସେନା ଖଣ୍ଡନେ ।

ବିଧାନକ । ବଳ ଯେତେ ତାଙ୍କୁ କାଣ୍ଡେ କାଣ୍ଡେ ।

ବିଦିଶ ଦିଶ ଅଦୃଶ୍ୟ             ଶଲ୍ୟକୀ ସ୍ଵଶଲବଂଶ

ଝାଡ଼ିଝାଡ଼ି କି ରଭସଗତି ପ୍ରଚଣ୍ଡେ । ୧୬ ।

 

ବ୍ୟାଘ୍ର କି ମକ୍ଷିକା ଗ୍ରାସେ             ଲକ୍ଷ୍ମଣ ବାଣ ସଦୃଶେ

ଖରଜିତ ବାମ ହସ୍ତ ଦକ୍ଷିଣେ ବୋଲେ ।

ବିଦେହ କନ୍ୟା ଯୋଗରେ             ଆଗ କର୍ବୁର ଦାନରେ

ଯୋଗ ହେଉ ପଛେ ଯାଉ ସମରକାଳେ ।

ବାମେ ସେହି । ବାକ୍ୟରେ ଦକ୍ଷିଣ ପାଣି ଛଳେ ।

ବିଦେହକନ୍ୟା ଯୋଗରେ             ଯୋକେ କର୍ବୁର ଦାନରେ

ବଦେ କୃପାଳୁ ସମ୍ମତେ ଶ୍ରୁତିକି ଚଳେ । ୧୭ ।

 

ବ୍ରହ୍ମପୂଜିତ ସୁନ୍ଦର                   ପରଂବ୍ରହ୍ମ ବ୍ରହ୍ମଶର

ପ୍ରୟୋଗି ଏ ସମୟର ଡର ଉପରେ ।

ବୁଡ଼ି ହଂସ ପାରାବାରେ             ଯେମନ୍ତ ବାହାରେ ତୀରେ

ଫୁଟି ତଥା ଚରମରେ ସ୍ଥିତ ତୂଣୀରେ ।

ବିଦୃଶତା । ବିମଳାକ୍ଷ ଅନାଉଁ ତମରେ ।

ବିଧ୍ଵଂସି ଦେଲା ତତ୍ପର             ମାଳିତ ଆଦିତ୍ୟଗିର

ସ୍ଵନାମ ତାରକାସାର ଉଦିତ କରେ । ୧୮ ।

 

ବତାସେ ଉପୁଡି ଗିରି-             ପରୁ ମହାଦ୍ରୁମ ପରି

ମହୀପତନ ସୁରାରି ବିମାନୁ ଭଜେ ।

ବଳ୍ କଣ କବଚ ଫଳ             ଶାଖା ଶିର ଭୁଜକାଳ

ତେଜି ପ୍ରାଣ ପକ୍ଷମେଳ ଗତି ସହଜେ ।

ବାଜି ହତ । ବାଜି ଗଜ ରଥ ଯେ ଅସୁରେ ।

ବଞ୍ଚିଲାଇଁ ତୋଷ ରଚି             ବାନରେ ସଧୀରେ ନାଚି

ରଣସ୍ଥାନେ ପୁଷ୍ପସିଞ୍ଚି ବିଲୋକି ସୁରେ । ୧୯ ।

 

ବାହୁଡି ମାତଳି ଯାଇ             ରଥ ଘେନି ଆଜ୍ଞା ପାଇ

ବିଭୀଷଣ ଶୋକ ବହି ଲୋକ ଆଚାରେ ।

ବାତେ ଉଡି ପୁଷ୍ପଲତା             ପରା ରାବଣ ବନିତା

ଆସି ରଣାଙ୍ଗଣେ ସ୍ଥିତା କହନ୍ତେ ଚାରେ ।

ବିଳାସିନୀ । ବୃନ୍ଦ ବୃନ୍ଦ ପଦ୍ମିନୀ ଏ ତହିଁ ।

ବହେ ମକରନ୍ଦ ଜଳ             ନୟନ ଫୁଲ୍ଲ କମଳ ।

ଲାଗି ରହିଛି ଭ୍ରସଳ ଡୋଳାହିଁ ଯହିଁ । ୨୦ ।

 

୧୬ଶ ପଦ :- ଶଲ୍ୟକୀ-ଝିଙ୍କପକ୍ଷୀ । ସ୍ୱଶଲବଂଶ-ଆପଣାର କାଠିମାନଙ୍କୁ । ରଭସଗତି-ଶୀଘ୍ରଗତି । ପ୍ରଚଣ୍ଡେ-କ୍ରୋଧରେ ।

 

୧୬ଶ ପଦ :- ଏହି କଥା ସ୍ଥିର କରିଥିବାରୁ ସେ ରାମଙ୍କର ବ୍ରହ୍ମାସ୍ତ୍ର ଉପରକୁ ବ୍ରହ୍ମାସ୍ତ୍ର, ରଥର ଚକକୁ ଚକ୍ରାସ୍ତ୍ର, ଧନୁର ଗୁଣଛେଦନ କରିବା ପାଇଁ କତୁରୀଶର, ବିଭୀଷଣ, ହନୁମାନ, ସୁଗ୍ରୀବ ଓ ଅଙ୍ଗଦକୁ ଶୀଘ୍ରନାଶ କରିବା ପାଇଁ ପଦ୍ମେ ଶକ୍ତି ଓ ସେନାମାନଙ୍କ ପ୍ରତି ଅସଂଖ୍ୟ ଶୂଳ ନିକ୍ଷେପ କଲା ଏବଂ ଆଉ ଯେଉଁ ସାଧାରଣ ସୈନିକମାନେ ଥିଲେ, ସେମାନଙ୍କୁ ଲକ୍ଷ୍ୟକରି ପ୍ରତ୍ୟେକଙ୍କ ପ୍ରତି ଗୋଟିଏ ଗୋଟିଏ ଶର ନିକ୍ଷେପ କରି ସମସ୍ତ ଦିଗମାନଙ୍କୁ ଅନ୍ଧକାରାଛନ୍ନ କରିଦେଲା । ସେହି ସମୟରେ ତାକୁ ଦେଖି ମନେ ହେଲା, ଝିଙ୍କପକ୍ଷୀ କ୍ରୋଧରେ ତାହାର କାଠିମାନଙ୍କୁ ଫିଙ୍ଗି ତର ତର ହୋଇ ପଳାଉଅଛି କି?

 

୧୭ଶ ପଦ :- ଖରଜିତ-ରାମଚନ୍ଦ୍ର । ବିଦେହକନ୍ୟା-ସୀତା । କବୁର-ସୁବର୍ଣ୍ଣ । କବୁର-ରାକ୍ଷସ ।

 

୧୭ଶ ପଦ :- ବାଘ ମାଛିମାନଙ୍କୁ ଖାଇଲା ସରି ଲକ୍ଷ୍ମଣଙ୍କବାଣ ରାବଣର ଶରମାନଙ୍କୁ ଭକ୍ଷଣ କଲା । ଏହି ସମୟରେ ଖର ରାକ୍ଷସର ବିନାଶ କର୍ତ୍ତା ରାମଙ୍କର ବାମହସ୍ତ ଦକ୍ଷିଣହସ୍ତକୁ କହିଲା, ‘‘ରେ ଦକ୍ଷିଣହସ୍ତ ! ତୁ ସୀତାଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେବା ପାଇଁ ଆଗ ହୋଇଥିଲୁ, ସୁନା ଦାନ କରିବା ସମୟରେ ମଧ୍ୟ ଆଗ ନିଯୁକ୍ତ ହେଉଥାଉ, ଏହି ଯୁଦ୍ଧ ସମୟରେ କାହିଁକି ପଛକୁ ଯାଉଛୁ ?’’ ତହୁଁ ଦକ୍ଷିଣହସ୍ତ ବାମହସ୍ତକୁ ଶ୍ଲେଷ କଥାରେ କହିଲା, ‘‘ରେ ବାମହସ୍ତ । ମୁଁ ବିଦେହ ରାଜକନ୍ୟା ସୀତାଙ୍କୁ ଉଦ୍ଧାର କରିବା ନିମିତ୍ତ ରାବଣକୁ ‘ଦାନ’ ଛେଦନ କରିବି କି ନାହିଁ (କାରଣ ରାବଣ ବ୍ରାହ୍ମଣ ଅଟେ) ଏହି ବିଷୟରେ ସମ୍ମତି ଗ୍ରହଣ କରିବା ପାଇଁ ଦୟାଳୁ ଶୀରାମଙ୍କର ‘ଶ୍ରୂତି’ କର୍ଣ୍ଣ ନିକଟକୁ ଯାଉଅଛି ।’’

 

୧୮ଶ ପଦ :- ବ୍ରହ୍ମପୂଜିତ-କନ୍ଦର୍ପ ବିଜୟୀ । ପାରାବାରେ-ସମୁଦ୍ରରେ । ଚରମରେ-ପୃଷ୍ଠ ଦେଶରେ । ଆଦିତ୍ୟଗିର-ସୂର୍ଯ୍ୟରୂପ ବଚନ ।

 

୧୮ଶ ପଦ :- ଏହି ସମୟରେ କନ୍ଦର୍ପଠାରୁ ଅଧିକ ସୁନ୍ଦର ପରଂବ୍ରହ୍ମ ଶ୍ରୀରାମ ବ୍ରହ୍ମଶର ରାବଣର ବକ୍ଷସ୍ଥଳ ପ୍ରତି ନିକ୍ଷେପ କଲେ । ହଂସ ସମୁଦ୍ରରେ ବୁଡ଼ି କୁଳରେ ଫୁଟି ବାହାରିଲା ପରି ସେହି ଶର ରାବଣର ପିଠିରେ ଫୁଟି ବାହାରିଲା । ତତ୍‌ପରେ ରାମଙ୍କ ତୁଣୀରରେ ଯାଇ ରହିଲା । ‘ତମରେ’ ଅନ୍ଧକାରାଛନ୍ନ ରାତ୍ରିରେ ଅନାଇଲେ ଯେପରି କିଛି ଦେଖାଯାଏ ନାହିଁ, ରାବଣକୁ ବଧ କରିବାରୁ ରାମଙ୍କର ନିର୍ମଳ ଚକ୍ଷୁକୁ ସେହିପରି କିଛି ଦେଖାଗଲା ନାହିଁ । ସେହି ସମୟରେ ମାତଳି ରାମତାରକ ମନ୍ତ୍ରକୁ ସ୍ମରଣ କରାଇଦେବାରୁ ସୂର୍ଯ୍ୟ ଉଦୟ ହୋଇ ଅନ୍ଧକାର ବିନାଶ ପୂର୍ବକ ଜଗତକୁ ଆଲୋକିତ କଲାପରି, ସେହି ମନ୍ତ୍ର ପ୍ରକାଶିତ ହୋଇ ରାମଚନ୍ଦ୍ରଙ୍କ ଚକ୍ଷୁରୁ ଅଦୃଶ୍ୟତା ଦୋଷକୁ ଦୂରକଲା । (ରାମତାରକ ମନ୍ତ୍ର ସ୍ମରଣ କରିବାରୁ ପାପାନ୍ଧକାର ନାଶ ହେଲା ।)

 

୧୯ଶ ପଦ :- ସୁବରି-ରାକ୍ଷସ । ସୁରେ-ଦେବତାମାନେ ।

 

୧୯ଶ ପଦ :- ବତାସରରେ ବଡ଼ ବୃକ୍ଷ ପର୍ବତ ଉପରୁ ଉପୁଡ଼ି ତଳକୁ ପଡ଼ିଲାପରି ମୃତ ରାବଣ ରଥ ଉପରୁ ଭୂତଳରେ ପତିତ ହେଲା । ବୃକ୍ଷ ପର୍ବତ ଉପରୁ ପଡ଼ିଲେ ଯେପରି ତାହାର ବକଳ, ଫଳ ଓ ଡାଳ ସବୁ ତଳେ ପଡ଼ନ୍ତି ଏବଂ ସେହି ବୃକ୍ଷରେ ଥିବା ପକ୍ଷୀମାନେ ଉଡ଼ିଯାନ୍ତି, ସେହିପରି ରାବଣ ରୂପ ବୃକ୍ଷ ତଳେ ପଡ଼ିବାରୁ ତାହାର ବକଳ ରୂପ ସାଞ୍ଜ, ଫଳ ରୂପ ମୁଣ୍ଡସମୂହ, ଡାଳ ସମାନ ହସ୍ତସମୂହ ଯୁଦ୍ଧକ୍ଷେତ୍ରରେ ପତିତ ହେଲେ ଏବଂ ପକ୍ଷୀ ସମୂହ ରୂପ ପଞ୍ଚପ୍ରାଣ ହଠାତ୍ ଚାଲିଗଲେ । ପର୍ବତ ଉପରୁ ସେହି ବୃକ୍ଷ ପଡ଼ିଲା ବେଳେ ତାହାର ଆଘାତରେ ନିମ୍ନସ୍ଥ କ୍ଷୁଦ୍ର କ୍ଷୁଦ୍ର ଗୁଳ୍ମଲତା ସବୁ ଭାଙ୍ଗି ଗୁଣ୍ଡ ହୋଇଯାନ୍ତି; ସେହିପରି ସେହି ମୃତ ରାବଣର ଆଘାତରେ ନିମ୍ନସ୍ଥ ଅସଂଖ୍ୟ ଘୋଡ଼ା, ହାତୀ, ରଥ ଓ ରାକ୍ଷସମାନେ ଚୂର୍ଣ୍ଣ ହୋଇଗଲେ । ରାବଣର ମୃତ୍ୟୁ ଦେଖି ବାନରମାନେ ‘ଏଥର ବଞ୍ଚିଗଲୁ, ବୋଲି କହି ଆନନ୍ଦିତ ହୋଇ ଧୀରେ ଧୀରେ ନାଚିବାକୁ ଲାଗିଲେ ଏବଂ ଦେବତାମାନେ ତାହା ଦେଖି ପୁଷ୍ପବୃଷ୍ଟି କରିବାକୁ ଲାଗିଲେ ।

 

୨୦ଶ ପଦ :- ମାତଳି ରାମଙ୍କଠାରୁ ଆଦେଶ ପାଇ ରଥ ଘେନି ସ୍ୱର୍ଗକୁ ଗଲେ । ବିଭୀଷଣ ଲୋକମାନଙ୍କୁ ଦେଖାଇବା ପାଇଁ କାନ୍ଦିବାକୁ ଲାଗିଲେ । ଦୂତମାନେ ଲଙ୍କାକୁ ଯାଇ ରାବଣ ମରିବା କଥା କହିବାରୁ ପ୍ରଷ୍ପୁଟିତ ଲତାମାନେ ପବନରେ ଉଡ଼ି ଆସିଲାପରି (ଅର୍ଥାତ୍ ଅତିଶୀଘ୍ର) ରାବଣର ରାଣୀମାନେ ଆସି ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ହେଲେ । ସେହି ସ୍ତ୍ରୀମାନଙ୍କ ମଧ୍ୟରେ ଅସଂଖ୍ୟ ପଦ୍ମିନୀ ସ୍ତ୍ରୀ ଥିଲେ, ସୁତରାଂ ମକରନ୍ଦ ଧାରା ପ୍ରବାହିତ ହେଲାପରି ସେମାନଙ୍କ ପ୍ରଷ୍ଫୁଟିତ ନୟନକମଳରୁ ଅଶ୍ରୂଧାରା ଅନବରତ ପ୍ରବାହିତ ହେଲା । ସେହି ସମୟରେ ସେମାନଙ୍କ ଆକ୍ଷିର କଳାଡ଼ୋଳା ସବୁ ଭ୍ରମର ପରି ଦେଖାଗଲେ ।

 

ବାଳିକା ହସ୍ତିନୀଗଣ             ଆକୁଳ ହରି ଦାରଣ

ହାର ମୋତି ବିତରଣ ସ୍ତନକୁମ୍ଭରୁ ।

ବିଶେଷ ଥିଲେ ଶଙ୍ଖନୀ            କଣ୍ଠମାଳୀ ଶୋଭା ଘେନି

ପ୍ରକାଶିତ ଉଚ୍ଚଧ୍ଵନୀ ସେତା ଦମ୍ଭରୁ ।

ବିନୋଦିନୀ । ବର୍ଗ ବର୍ଗ ଚିତ୍ରିଣୀଏ ଥିଲେ ।

ବସୁଧମଣ୍ଡିନୀ ଚିତ୍ର             ରଜନିକରରେ ଗାତ୍ର

ଚାରିଜାତ ନାରୀ ସାର୍ଥ ଲକ୍ଷଣ ହେଲେ । ୨୧ ।

 

ବିଜୁଳିରୁଚି ରୁଚିରା             ଏ ଘେନି ଅତି ଅଧୀରା

ହରିଣୀ ଲକ୍ଷ ଚାମର ବାଳ ଚଳାଇ ।

ବାଣିଜ୍ୟ ହା ହା ପଦକ             କୃତରୁ ସୁନାରୀଟେକ

ବାଳା କ୍ଷିତିରେ କନ୍ଦକ କୁଚ ଖେଳାଇ ।

ବୋଲାଇ ସେ । ବେଭାରେ ମହିଷୀ ସ୍ଵେଦନୀରେ ।

ବିଗ୍ରହ ମଜ୍ଜାଇ ଦେଇ             ଘନରସଦେ ଆଶାୟୀ

ମହାସନ୍ତାପିତ ହୋଇ ସେ ନିରନ୍ତରେ । ୨୨ ।

 

ବର ରତନ ଅୟନ                   ପତନ ଦେଖି ନୟନ

ମନ୍ଦୋଦରୀ କି ଦରିଦ୍ର ଧଇଲା ତୋଳି ।

ବୋଇଲା ଶୋଭାଙ୍ଗୀ ଭାଙ୍ଗି             ବାଣୀ କି ଏ ଦଶାରଙ୍ଗୀ

ଦୀନ ହେଲୁଁ ସୂର୍ଯ୍ୟବଂଶୀ ଉଦିତେ ଝଳି ।

ବୋଧ ଅର୍ଥେ । ବିଭୀଷଣ ପ୍ରସାରେ ଭାରତୀ ।

ବୋଲ ଯା ସତ କାମିନି             ତୁଟିଲା ପାପ ରଜନୀ

ଦିବସ ପଦକୁ ଘେନି ଚର ସୁଗତି । ୨୩ ।

 

ବନିତାଗଣେ ପଣ୍ଡିତା             ଦେବର ବାଣୀ ବିଦିତା

ଶ୍ରୁତି ପଚାରେ ତୋଷିତା ଗଲେ ଭବନେ ।

ବନ୍ଧୁ ବର୍ଗ ରୁଣ୍ଡବଶେ             ଦଶାନନକୁ ରଭସେ

ଦହନ ସଂଯୋଗ ଶେଷେ ମଜ୍ଜିଲେ ସ୍ନାନେ ।

ବଇକୁଣ୍ଠେ । ବିଜୟ ପାଶେ ପ୍ରବେଶ ଜୟ ।

ବୈଦେହୀ ଶ୍ରୀରାମ ଶୋକ             ତେଜି ନେଲେ କି ଅଶୋକ

ବନେ ଛନ୍ତି ପରସ୍ପରେ କଥା ଉଦୟ । ୨୪ ।

 

ବଇରୀଭାବେ ତ୍ରିବିଧୀ            ମୋକ୍ଷଦାତା ଦୟାନିଧୀ

ସ୍ୱବଲ୍ଲଭୀରେ ସଂପଦି ଯେତେ କଷଣ ।

ବସି ବେନି ପ୍ରଶଂସିତ             ସୁଜ୍ଞଜନମାନେ ଚିତ୍ତ

ନିଶ୍ଚଳ କରିଣ ଚିନ୍ତ କି ପ୍ରଭୁପଣ ।

ବରଗିଲେ । ବିଶ୍ରବାସୁତ କରି କ୍ଷିତୀଶ ।

ବୀର ଶ୍ରୀରାମ ଅନୁଜ             ସହିତେ ବାନରରାଜ

ବାଳିସୁତ ବାତାତ୍ମଜ ଲଙ୍କା ପ୍ରବେଶ । ୨୫ ।

 

୨୧ଶ ପଦ :- ହରି-ସିଂହ, ବିଷ୍ଣୁ (ରାମଚନ୍ଦ୍ର) । ବାରଣହାର ମୋତି-ଗଜମୁକୁତା । ବସୁଧାମଣ୍ଡିନୀ-ପୃଥିବୀମଣ୍ଡିତ । ରଜନିକରରେ-ଧୂଳିସମୂହରେ ।

 

୨୧ଶ ପଦ :- ସେମାନଙ୍କ ମଧ୍ୟରେ କେତେକ ହସ୍ତିନୀ ସ୍ତ୍ରୀ ଥିଲେ । ସିଂହ ଯେପରି ହସ୍ତୀର କୁମ୍ଭସ୍ଥଳକୁ ବିଦାରଣ ପୂର୍ବକ ତାହା ମଧ୍ୟରେ ଥିବା ମୁକ୍ତାମାନଙ୍କୁ ବାହାରକରି ଫିଙ୍ଗିଦିଏ, ସେମାନେ ସେହିପରି ସେମାନଙ୍କର ସ୍ତନ ରୂପ କୁମ୍ଭସ୍ଥଳକୁ ଆକୁଳରେ ବିଦାରି ମୁକ୍ତାହାରମାନଙ୍କୁ ଛିଣ୍ଡାଇ ଫିଙ୍ଗି ଦେଲେ । ସେହିପରି ଅନେକ ଶଙ୍ଖିନୀ ସ୍ତ୍ରୀ ଥିଲେ । ମାଳିମାନେ ଦେବାଳୟରେ ‘କଣ୍ଠ’ ଶଙ୍ଖଧ୍ୱନି କଲାପରି ସେମାନେ ସ୍ୱାମୀଙ୍କର ମୃତ୍ୟୁଜନିତ ଦୁଃଖରେ ଅଧିରା ହୋଇ ‘ନିଜର କଣ୍ଠମାଳା’ ରତ୍ନମାଳା ବିମଣ୍ଡିତ କଣ୍ଠକୁ ସେହି ସମୟରେ ପ୍ରକାଶିତ ହେଉଥିବା ଉଚ୍ଚ ଧ୍ୱନିରେ ଶୋଭିତ କଲେ । ଅର୍ଥାତ୍ ବଡ଼ ପାଟିକରି କାନ୍ଦିବାକୁ ଲାଗିଲେ) ଏବଂ ସେହି ରାବଣର ବିନୋଦଦାୟିନୀ ଚିତ୍ରିଣୀ ନାରୀ ମଧ୍ୟ ଥିଲେ । ସେମାନେ ଧୂଳିରାଶିରେ ନିଜର ଦେହକୁ ଗଡ଼ାଇ ପୃଥିବୀକୁ ନିଜ ନିଜର ଶରୀର ଚିହ୍ନରେ ଚିତ୍ରିତ କରି ଦେଲେ । ଏହିପରି ଚାରିଜାତି ନାରୀଙ୍କ ଲକ୍ଷଣ ପ୍ରକାଶିତ ହେଲା ।

 

୨୨ଶ ପଦ :- ହରିଣୀ-ସ୍ୱର୍ଣ୍ଣପ୍ରତିମା, ମୃଗଣୀ । ସୁନାରୀ-ଉତ୍ତମ ନାରୀ, ସୁନାରିବଣିଆ । କନ୍ଦୁକ-ପେଣ୍ଡୁ । ମହିଷୀ-ରାଣୀ । ସ୍ୱେଦନୀରେ-ଝାଳରେ । ଘନରସ-ଶୃଙ୍ଗାର ରସ ।

 

୨୨ଶ ପଦ :- ବିଜୁଳିପରି ଚଞ୍ଚଳତା ଓ ମନୋହାରିଣୀ ସେହି ରମଣୀମାନେ ଶୋକରେ ଅଧିରା ହେଲେ । ‘ହରିଣୀ’ ସୁବର୍ଣ୍ଣ ପ୍ରତିମା ତୁଲ୍ୟ କାନ୍ତିମତୀ ସେହି ସ୍ତ୍ରୀମାନେ ‘ହରିଣୀ’ ଚମରୀମୃଗୁଣୀ ନିଜର ଚାମର ନାମରେ ଅଭିହିତ ଲାଙ୍ଗୁଳ ଲମ୍ବିତ କେଶ ଗୁଚ୍ଛକୁ ସଂଚାଳିତ କଲାପରି ଚାମର ତୁଲ୍ୟ କେଶଗୁଚ୍ଛକୁ ପରିଚାଳିତ କଲେ (ଅର୍ଥାତ୍‌ ଶୋକାତୁରା ସେହି ସ୍ତ୍ରୀମାନଙ୍କ କେଶ ମୁକୁଳିତ ହେଲା) । ‘ସୁନାରୀ ବଣିଆ ‘ପଦକ’ ଅଳଙ୍କାର ବିଶେଷ ତିଆରି କଲାପରି ‘ସୁନାରୀ’ ମନ୍ଦୋଦରୀ ସର୍ବଦା ‘ହା ହା ପଦକ’ ହା ନାଥ ଏହି ଏକମାତ୍ର ପଦ ଉଚ୍ଚାରଣ କରି ନିଜର ‘ଟେକ’ ପାଟରାଣୀର ମର୍ଯ୍ୟାଦା ପ୍ରକାଶ କଲେ ଏବଂ ବାଳକମାନେ ଭୂମିରେ କନ୍ଦୁକ (ପେଣ୍ଡୁ) ଧରି ଖେଳିଲାପରି ସେହି ମନ୍ଦୋଦରୀ ଭୂମିରେ କୂଚରୂପ କନ୍ଦୁକକୁ ଖେଳାଇଲା (ଅର୍ଥାତ୍ ହା ନାଥ ହା ନାଥ କହି ତଳରେ ପଡ଼ିଲା) । କନ୍ତୁ ସେ ପ୍ରକୃତରେ ମହିଷୀ (ପାଟରାଣୀ ବୋଲାଉଥିବାରୁ ମଇଁଷି ପାଣିରେ ବୁଡ଼ିଲା ପରି ସ୍ୱେଦନୀରେ ଦେହକୁ ବୁଡ଼ାଇଲା ଏବଂ ମଇଁଷି ସର୍ବଦା ସୂର୍ଯ୍ୟ କିରଣରେ ଦୁଃଖ ଅନୁଭବ କରି ମେଘ ଜଳକୁ ଆଶା କଲା ପରି ମନ୍ଦୋଦରୀ ଅତ୍ୟନ୍ତ ଦୁଃଖିତ ହୋଇ ପ୍ରଗାଢ଼ ରତିରସ ଲାଭପାଇଁ ମୃତ ସ୍ୱାମୀ ପ୍ରତି ଆଶା ପ୍ରକାଶ କଲା । (ଅର୍ଥାତ୍ ମୋ କୋଳ ଛାଡ଼ି ପୃଥିବୀର କୋଳରେ ଶୋଇଲା, -ଏହା କହିଲା ।

 

୨୩ଶ ପଦ :- ଦରିଦ୍ରଲୋକ ବାଟରେ ପଡ଼ିଥିବା ଉତ୍କୃଷ୍ଟ ରତ୍ନକୁ ସ୍ୱଚକ୍ଷୁରେ ଦେଖି ତୋଳି ଧଇଲାପରି ମନ୍ଦୋଦରୀ ନୀଳମଣି ତୁଲ୍ୟ ରାବଣର ଦେହକୁ ଦେଖି ତୋଳିଧଇଲା । ପୁଣି ସେହି ସର୍ବାଙ୍ଗସୁନ୍ଦରୀ କହିଲା, ‘‘ହେ ନାଥ ! ମୋର କଥାକୁ ନମାନି ଏହି ଦଶାକୁ ପ୍ରାପ୍ତ ହେଲ, ମନ୍ଦୋଦରୀ ଏହିପରି କହିବା ସମୟରେ ବିଭୀଷଣ ମନ୍ଦୋଦରୀ କି ପ୍ରବୋଧ କରିବା ନିମିତ୍ତ କହିଲା, ‘‘ଗୋ କାମିନି ! ଯାହା କହିଲ ତାହା ସତ୍ୟ । ବର୍ତ୍ତମାନ ପାପିୟସୀ ରଜନୀ ଶେଷ ହେଲା ଓ ପୁଣ୍ୟମୟ ଦିବସ ଉପସ୍ଥିତ ହେଲା (ଅର୍ଥାତ୍ ଅନ୍ଧକାର ରାତ୍ରି ତୁଲ୍ୟ ପାପୀ ରାବଣ ନାଶ ହେଲା ଓ ପୁଣ୍ୟମୟ ଦିବସ ତୁଲ୍ୟ ରାମଚନ୍ଦ୍ର ଉଦିତ ହେଲେ) । ’’ ତୁମ୍ଭେ ଏବେ ଅନ୍ତପୁରକୁ ଗମନ କର ।

 

୨୪ଶ ପଦ :- ଶ୍ରୁତି-ବେଦ । ଦଶାନନକୁ-ରାବଣକୁ । ରଭସେ-ବେଗରେ । ବହନ ସଂଯୋଗ-ଅଗ୍ନି ସଂଯୋଗ।

୨୪ଶ ପଦ :- ସ୍ତ୍ରୀମାନଙ୍କ ମଧ୍ୟରେ ପଣ୍ଡିତା ମନ୍ଦୋଦରୀ ଦେବର ବିଭୀଷଣ କହିବା କଥା ଶୁଣି ଆନନ୍ଦିତା ହୋଇ ଅନ୍ତଃପୁରକୁ ଗଲା । ତାହା ପରେ ବନ୍ଧୁମାନେ ରୁଣ୍ଡ ହୋଇ ରାବଣକୁ ଶୀଘ୍ର ଅଗ୍ନିରେ ଦଗ୍‌ଧ କରି ସ୍ନାନ କଲେ । ବୈକୁଣ୍ଠରେ ଥିବା ବିଜୟ [କୁମ୍ଭକର୍ଣ୍ଣର] ନିକଟରେ ଜୟ (ରାବଣ) ପ୍ରବେଶ ହେଲା । ତହୁଁ ବିଜୟ ଜୟକୁ ଦେଖି ପଚାରିଲା, ‘‘ଶ୍ରୀରାମ ଶୋକ ତେଜି ସୀତାଙ୍କୁ ନେଲେ କି ?’’ ଜୟ କହିଲା, ‘‘ସୀତା ଅଶୋକ ବନରେ ଅଛନ୍ତି । ’’ ସେହି ଦୁହିଁଙ୍କ ମଧ୍ୟରେ ଏହିପରି କଥାବାର୍ତ୍ତା ପ୍ରକାଶିତ ହେଲା ।

 

୨୫ଶ ପଦ :- କ୍ଷତୀଶ-ରାଜା ।

 

୨୫ଶ ପଦ :- ପୁଣି ସେମାନେ କଥାବାର୍ତ୍ତା ହେଲେ, ରାମଚନ୍ଦ୍ର ଦୟାର ଆଧାର ହୋଇଥିବାରୁ ତିନି ପ୍ରକାରରେ (ଅର୍ଥାତ୍ ଶତ୍ରୁ, ମିତ୍ର ଓ ସେବକ ଭାବରେ) ମୁକ୍ତି ପ୍ରଦାନ କରନ୍ତି । ଅତଏବ ଆମ୍ଭେ ତାଙ୍କର ସ୍ତ୍ରୀ ସୀତାଙ୍କୁ ହରଣକରି ନାନାପ୍ରକାର ଦୁଃଖ ଦେଲେ ସୁଦ୍ଧା ସେ ଆମ୍ଭମାନଙ୍କର ସେହି ଦୋଷ ନ ଧରି ମୁକ୍ତି ପ୍ରଦାନ କରିଅଛନ୍ତି ।’’ ସେ ଦୁହେଁ ବସି ଏହିପରି ରାମଚନ୍ଦ୍ରଙ୍କୁ ପ୍ରଶଂସା କରିବାକୁ ଲାଗିଲେ । ହେ ପଣ୍ଡିତମାନେ ଚିତ୍ତ ସ୍ଥିରକର ସେହି ପ୍ରଭୁଙ୍କର ମହିମାକୁ ଭାବନା କର । ତତ୍ପରେ ବୀର ରାମଚନ୍ଦ୍ର ବିଭୀଷଣଙ୍କୁ ରାଜା କରିବା ପାଇଁ ଲକ୍ଷ୍ମଣଙ୍କ ସହିତ ସୁଗ୍ରୀବ ଅଙ୍ଗଦ ଓ ହନୁମାନକୁ ଲଙ୍କାକୁ ପଠାଇବାରୁ ସେମାନେ ଯାଇ ଲଙ୍କାଗଡ଼ ମଧ୍ୟରେ ପ୍ରବେଶ ହେଲେ ।

 

ବାରତା ମନ୍ଦୋଦରୀରେ             ସଲକ୍ଷ୍ମଣ ଅଙ୍ଗଦରେ

ଯୁକ୍ତ ହୋଇଣ ସୁଗ୍ରୀବେ ଗନ୍ଧବହଜେ ।

ବିଭୀଷଣ ପୂର୍ବଦେବ             ଇନ୍ଦ୍ରପଦରେ ବସିବ

ବାମା ଚାରୁଧାରା ପରା ତୁମ୍ଭେ ହେବ ଯେ ।

ବୋଲୁଛନ୍ତି । ବୋଲି ଅଛନ୍ତି ଅଯୋଧ୍ୟାରାଜେ ।

ବୋଲ ସପନୀ ସହରେ             ସଲକ୍ଷଣ ଅଙ୍ଗଦରେ

ଯୁକ୍ତ ହୋଇଣ ସୁଗ୍ରୀବେ ଗନ୍ଧବହ ଯେ । ୨୬ ।

 

ବିଳୋହିଲେ-ନାହିଁ ଆନେ             ବିବେକ ପ୍ରଭୁ ସମାନେ

ନାହିଁ ବସି ସିଂହାସନେ ଅଭିଷେକରେ ।

ବଢ଼ିବ ସତୀ ସମ୍ପଦ             ଅପୂର୍ବ ନ ଘେନ ହୃଦ

ରହିଲା କୀର୍ତ୍ତି ଅହଲ୍ୟା ତାରୁଁ ସଂସାରେ ।

ବାଳିଜାୟା ବିଳସିଲା ସୁଗ୍ରୀବର ଜାନୁ ।

ବଳାଇ ମନ ଏ ଗାରେ             ନନାନ୍ଦା କଥା ବିଚାରେ

ସେ ସ୍ଥାନେ ପ୍ରବେଶ କରି ସୁବେଶ ତନୁ । ୨୭ ।

 

ବନ୍ଦାଇ ସୁମିତ୍ରାସୁତ            ତାରାଭବ ରାମମିତ୍ର

ଆଞ୍ଜନେୟ କପିଗୋତ୍ର ଯୁତ ସମେଳ ।

ବୁହାଇଣ ରତ୍ନକୋଷ             ରଥ ଆଦି ଗଜ ଅଶ୍ଵ

ସ୍ଵଦାରାସହ ସୁବେଳେ ଗଲେ ସୁବେଳେ ।

ବିଭୁ ତହିଁ । ବିଲୋକି ମୟଜା ସୁଶୋଭିତ ।

ବିଚାରି ଏଡ଼େ ଆରମ୍ଭା             ଥାଉଁ ରସିଲା ଏ ରମ୍ଭା

ଭୋଗକୁ ରାବଣ ଯାହା ମଧୁପ ସତ । ୨୮ ।

 

ବିଶ୍ୱେ ଏ ସୁରଭି ଅଙ୍ଗ             କାନ୍ତି ଅଙ୍ଗୁଳି ସାରଙ୍ଗ

ଗମନ ଅଳକାକଣ୍ଠ ନେତ୍ର ଭୂଲତା ।

ବିଶେଷ ହରି ମନକୁ             ମୁଖ ସମ ସେ ପୂର୍ଣ୍ଣକୁ

ନାସା ଓଷ୍ଠ ମଧ୍ୟ ବେଣୀ ତଥା ରାଜିତା ।

ବିଡ଼ମ୍ବନ । ବିହିଲ ମୋତେ ସୁନ୍ଦରୀ କହି ।

ବୋଧୀଲେ ପୁଣ୍ଡରୀକାକ୍ଷ             ତାର କର ଧରି ମୂଖ୍ୟ

ସାଧ୍ଵୀରେ ଲେଖା ପ୍ରତ୍ୟକ୍ଷ ହୋଇବୁ ତୁହି । ୨୯ ।

 

ବିଭୀଷଣ ସଙ୍ଗେ ରାଜ             ଥିବାଯାକ ଚନ୍ଦ୍ର ସୂର୍ଯ୍ୟ

ତୋ ବୟସ ସଉନ୍ଦର୍ଯ୍ୟ ନ ତୁଟୁ ଲବେ ।

ବାହୁଡ଼ାଇ ନିଅ ଧନ             ଏଥିରେ କି ପ୍ରୟୋଜନ

ଆଣ ମୋର ପ୍ରାଣଧନ ଜାନକୀ ଏବେ ।

ବନବାସୀ । ବିଧୁରତା କରି ରାଜଭୂତି ।

ବିଚାର ମୁକତିଦାୟୀ             ମୁଁ କତି ଛାଡ଼ିଲେ ନାହି

ଯାହାରେ ବିହାର ସେହି କରେ ମୋ ଗତି । ୩୦ ।

 

୨୬ଶ ପଦ :- ସଲକ୍ଷ୍ମଣ-ଲକ୍ଷ୍ମଣଙ୍କ ସହିତ । ଗନ୍ଧବହଜ-ହନୁମାନ । ପୂର୍ବଦେବ-ରାକ୍ଷସ । ଚାରୁଧାରାପରା-ଶଚୀଙ୍କ ତୁଲ୍ୟ । ସପତ୍ନୀ ସହରେ-ସଉତୁଣୀ ସହିତରେ । ସଲକ୍ଷ୍ମଣ-ମନୋହର ଭାବରେ, ଉତ୍ତମ ଲକ୍ଷଣରେ । ଅଙ୍ଗଦ-ଅଙ୍ଗଭୂଷଣରେ । ଗନ୍ଧ-ଚନ୍ଦନ ।

 

୨୬ଶ ପଦ :- ଅଙ୍ଗଦ, ସୁଗ୍ରୀବ ଓ ହନୁମାନ ଏହି ତିନିଜଣଙ୍କ ସହିତ ଲକ୍ଷ୍ମଣ ଲଙ୍କାଗଡ଼ରେ ପ୍ରବେଶ କରନ୍ତେ ମୁଦୁସୁଲୀ ଯାଇ ମନ୍ଦୋଦରୀକୁ କହିଲା ‘‘ଆମ୍ଭର ପୂର୍ବରାଜା ରାବଣଙ୍କପରି ବିଭୀଷଣ ଇନ୍ଦ୍ରପଦରେ ବସିବେ ଅର୍ଥାତ୍ ବିଭୀଷଣ ରାକ୍ଷସେନ୍ଦ୍ର (ରାକ୍ଷସମାନଙ୍କର ରାଜା) ହେବେ । ତୁମ୍ଭେ ଶଚୀଙ୍କପରି ତାଙ୍କର ‘ବାମ’ ରାଣୀ ହେବ । ଅଯୋଧ୍ୟାର ରାଜା [ରାମ] ଏହା କହିଛନ୍ତି ବୋଲି ଲକ୍ଷ୍ମଣ ପ୍ରଭୃତି କହୁଛନ୍ତି ଏବଂ ମୋତେ କହିଅଛନ୍ତି, ତୁ ଯାଇ ମନ୍ଦୋଦରୀକୁ କହ, ସେ ସଉତୁଣୀମାନଙ୍କ ସହ ସଧବାର ଚିହ୍ନ ତାଡ଼ କଙ୍କଣ ପ୍ରଭୃତିରେ ମଣ୍ଡିତ ହୋଇ ବେକରେ ଚନ୍ଦନ ବୋଳିହେଉନ୍ତୁ ।’’

 

୨୭ଶ ପଦ :- ନନାନ୍ଦା-ନଣନ୍ଦ ।

 

୨୭ଶ ପଦ :- ଏହା ଶୁଣି ସଉତୁଣୀମାନେ ମନ୍ଦୋଦରୀକୁ କହିଲେ ‘‘ରାମଚନ୍ଦ୍ରଙ୍କପରି ବିଚାରବାନ୍ ପୁରୁଷ ଆଉ କେହିନାହିଁ, ଯେହେତୁ ସେ ତୁମ୍ଭଙ୍କୁ ଅନ୍ୟ କାହାକୁ ନ ଦେଇ ଅଭିଷେକ ସମୟରେ ଆମ୍ଭ ସ୍ୱାମୀଙ୍କର ସମାନ ଅର୍ଥାତ୍ ଦେବର ସହିତ ସିଂହାସନରେ ବସିବାକୁ ଆଦେଶ ଦେଲେ । ଏଣୁ ତୁମ୍ଭର ସତୀତ୍ୱ ମର୍ଯ୍ୟାଦା ବଢ଼ିବ, ମାତ୍ର ଅସତୀ ହେବ ବୋଲି ମନରେ ଭାବନାହିଁ । କାରଣ ସେ ଅହଲ୍ୟାଙ୍କୁ ବ୍ୟଭିଚାରିଣୀ ଦୋଷରୁ ଉଦ୍ଧାର କରି ଏହି ସଂସାରରେ କୀର୍ତ୍ତି ରଖି ଅଛନ୍ତି । ପୁଣି ତାଙ୍କ ଆଦେଶରେ ତାରା ସୁଗ୍ରୀବଙ୍କ କୋଳରେ ବସିଅଛି । ରାମଙ୍କର ଏହି କଥାରେ ମନ ବଳାଅ; ଯଦି ଏହା ନ କର, ତା ହେଲେ ନଣନ୍ଦ ସୁପଣଖାର କଥାକୁ ବିଚାର କର । ବର୍ତ୍ତମାନ ଦେହକୁ ସୁବେଶ କରି ସେହି ଅଭିଷେକ ସ୍ଥାନକୁ ଯାଅ ।’’

 

୨୮ଶ ପଦ :- ସୁମିତ୍ରାସୁତ-ଲକ୍ଷ୍ମଣ । ତାରାଭବ-ଅଙ୍ଗଦ । ରାମମିତ୍ର-ସୁଗ୍ରୀବ । ଆଞ୍ଜନେୟ-ହନୁମାନ । କପିଗୋତ୍ର-ମର୍କଟସମୂହ । ସୁବେଳେ-ଉତ୍ତମ ସମୟରେ, ସୁବେଳ ପର୍ବତରେ । ମୟଜା-ମନ୍ଦୋଦରୀ । ମଧୁପ-ଭ୍ରମର ।

 

୨୮ଶ ପଦ :- ସଉତୁଣୀମାନଙ୍କ କଥାନୁସାରେ ମନ୍ଦୋଦରୀ ସୁବେଶ ହୋଇ ବିଭୀଷଣ କୋଳରେ ବସିବାରୁ ଲକ୍ଷ୍ମଣ, ଅଙ୍ଗଦ, ସୁଗ୍ରୀବ, ହନୁମାନ ଆନନ୍ଦର ସହିତ ମିଳିତ ହୋଇ ବିଭୀଷଣ ଓ ମନ୍ଦୋଦରୀଙ୍କୁ ବନ୍ଦାଇଲେ । ତତ୍ପରେ ବିଭୀଷଣ ଭଣ୍ଡାରରେ ଥିବା ସମସ୍ତରତ୍ନ ଲୋକମାନଙ୍କ ଦ୍ୱାରା ବୁହାଇ ରଥ, ହାତୀ, ଘୋଡ଼ା ପ୍ରଭୃତି ସଙ୍ଗରେ ଘେନି ମନ୍ଦୋଦରୀ ସହିତ ଶୁଭଲଗ୍ନରେ ସୁବେଳ ପର୍ବତକୁ ରାମଚନ୍ଦ୍ରଙ୍କୁ ଦର୍ଶନ କରିବା ପାଇଁ ଗଲେ । ସୁବେଳପର୍ବତସ୍ଥ ପ୍ରଭୁ ରାମଚନ୍ଦ୍ର ମନ୍ଦୋଦରୀର ଶୋଭା ବିଲୋକନ କରି ବିଚାରୁଥିଲେ, ‘‘ଏହିପରି ସୁନ୍ଦରୀ ଥାଉଁ ଥାଉଁ ରାବଣ ରମ୍ଭା ଅପସରାକୁ ଭୋଗ କରିବାକୁ ଯାହା ମନ ବଳାଇଲା । ଏଥିରୁ ଜଣାଯାଏ, ସେ ପ୍ରକୃତରେ ଭ୍ରମର ବା ମଦୁଆ ଅଟେ ।

 

୨୯ଶ ପଦ :- ବିଶ୍ୱେ-ସଂସାରରେ । ସୁରଭି-ମନୋହର, ଚମ୍ପାଫୁଲ । ହରି-ଚନ୍ଦ୍ର, ସୂର୍ଯ୍ୟ, ସିଂହ, ଶୁକପକ୍ଷୀ, କାଳୀୟସ୍ୱର୍ଗ । ପୁଣ୍ଡରୀକାକ୍ଷ-ରାମଚନ୍ଦ୍ର ।

୨୯ଶ ପଦ :- ତତ୍ପରେ ରାମଚନ୍ଦ୍ର କହିଲେ, ‘‘ଏହି ସଂସାରରେ ଯେତେ ସ୍ତ୍ରୀ ଅଛନ୍ତି, ତାହାଙ୍କ ମଧ୍ୟରେ ଏହି ସ୍ତ୍ରୀ ଶ୍ରେଷ୍ଠ ଅଟେ । ଯେହେତୁ ଏହାର ଦେହକାନ୍ତି ଚମ୍ପାଫୁଲ ପରି, ଅଙ୍ଗୁଳିଗୁଡ଼ିକ ଚମ୍ପାକଢ଼ ପରି, ଗମନ ମତ୍ତ ହସ୍ତୀର ଗମନ ପରି, ଅଳକା ଭ୍ରମରମାନଙ୍କ ପରି, କଣ୍ଠର ସ୍ୱର କୋକିଳର ସ୍ୱର ପରି, ନେତ୍ର ମୃଗର ନେତ୍ର ପରି, ଭ୍ରୃଲତା କନ୍ଦର୍ପର ଧନୁ ପରି, ମୁଖ ପୂର୍ଣ୍ଣଚନ୍ଦ୍ର ପରି ମନୋହର ହୋଇ ମନକୁ ଅତିଶୟ ଭାବରେ ହରଣ କରୁଅଛି ଏବଂ ସେହପରି ନାସା, ‘ହର’ ଶୁଆର ନାସାପରି, ଅଷ୍ଠବାଳସୂର୍ଯ୍ୟ ପରି ‘ମଧ୍ୟ’ କଟୀଦେଶ ସିଂହକଟି ଓ ବେଣୀ ସର୍ପ ପରି ମନୋହରହୋଇ ମନକୁ ମୋହିତ କରୁଅଛି । ’’ ଏହା ଶୁଣି ସୁନ୍ଦରୀ ମନ୍ଦୋଦରୀ କହିଲେ, ‘‘ହେ ପ୍ରଭୋ ! ଆପଣ ମୋତେ ନିନ୍ଦିତା କରାଇଲେ ।’’ ତହୁଁ ପଦ୍ମଲୋଚନ ରାମ ତାହାଙ୍କ ମଧ୍ୟରେ ଲେଖା ହେବ ଅର୍ଥାତ୍ ପତିବ୍ରତାମାନଙ୍କ ନାମ ଗଣନା କଲାବେଳେ ତୁମ୍ଭ ନାମ ମଧ୍ୟ ସେମାନଙ୍କ ନାମ ସଙ୍ଗେ ଗଣାଯିବ।

 

୩୦ଶ ପଦ :- ବିଧୂରତା-ତ୍ୟାଗକରି । କାଳଭୂତି-ରାଜସମ୍ପଦ ।

 

୩୦ଶ ପଦ :- ପୁଣି ରାମ ମନ୍ଦୋଦରୀଙ୍କୁ କହିଲେ, ‘‘ତୁମ୍ଭେ ଚନ୍ଦ୍ର ସୂର୍ଯ୍ୟ ଥିବା ପର୍ଯ୍ୟନ୍ତ ବିଭୀଷଣଙ୍କ ସହିତ ଶୋଭା ପାଉଥାଅ । ତୁମ୍ଭର ବୟସ ଓ ସୌନ୍ଦର୍ଯ୍ୟର କିଛିମାତ୍ର କ୍ଷତି ନହେଉ । ତୁମ୍ଭେ ଦୁହେଁ ତୁମ୍ଭର ଧନ ଫେରାଇ ନିଅ, ମୁଁ ରାଜସମ୍ପଦ ତ୍ୟାଗ କରି ବନବାସୀ ହୋଇଅଛି; ଏଣୁ ଧନରେ ମୋର କିଛିମାତ୍ର ପ୍ରୟୋଜନ ନାହିଁ । ମୁଁ ଯାହାକୁ ମୋର ଦୁଃଖ ହାରିଣୀ ବୋଲି ପାଶରୁ ଅନ୍ତର କରୁନଥିଲି, ବର୍ତ୍ତମାନ ସେ ମୋର ମନରେ ବିହାର କରୁଅଛି; ଏଣୁ ସେ ମୋର ଅଭିପ୍‌ସିତ ଧନ (ଅର୍ଥାତ୍ ସେହି ସୀତାଙ୍କୁ ମୋତେ ଆଣିଦିଅ)’ ।

 

ବୈଦେହୀଅମୃତାଧାରୀ             ଚାତକ ଚକୋର ପରି

ବିରହି ଜ୍ଵରରେ ଘାରି ସେହି ବିଧାନ ।

ବୋଲୁଁ ସେ ଯାଇ ସସୈନ୍ୟେ             ପ୍ରବେଶ ଅଶୋକ ବନେ

ହୋଇଲେ ଅଶୋକ ମନେ ଯାଇ ବହନ ।

ବାର୍ତ୍ତା ଦେଲେ ବିରହ ନବମ ଦଶ ଭୋଗ

ବିଖ୍ୟାତି ମଇଥିଳୀରେ             ଲୋଟିଲା ମହୀସ୍ଥଳୀରେ

କରି ଦଶ ଦଶାନନ ଦଶମ ଭୋଗ । ୩୧ ।

 

ବିଜେ କର କାନ୍ତ ପାଶେ             ହେମ ରତ୍ନ କାନ୍ତିଳଶେ

ମଣନ୍ତୁ ରାଣୀଏ ତୋଷେ ମୋ ନାମେ କହ ।

ବୋଇଲା ସମର୍ପା ଯାଇ             ବିଭୀଷଣ ଯାହା କହି

ବିସ୍ତାର କରିବା ପାଇଁ ହରଷବ୍ୟୁହ

ଦେଢ଼ିଗଲେ । ବେଗେ ଓଳଗି ମହାଦେବୀଏ ।

ବତ୍ରିଶ ପଦେ ଏ ଛାନ୍ଦ             ବୁଝିବ ସର୍ବ କୋବିଦ

ଚିତ୍ତେ ଭଞ୍ଜ ଉପଇନ୍ଦ୍ର ଶ୍ରୀରାମ ଧ୍ୟାୟେ । ୩୨ ।

 

୩୧ଶ ପଦ :- ପୁନର୍ବାର ରାମଚନ୍ଦ୍ର କହିଲେ, ‘‘ସୀତା ‘ଅମୃତଧାରୀ, ଜଳାଧାରରୂପୀ ଅର୍ଥାତ୍ ମେଘସ୍ୱରୂପିଣୀ କିମ୍ବା ‘ଅମୃତାଧାରୀ ଚନ୍ଦ୍ର ସ୍ୱରୂପୀ ଅଟନ୍ତି । ତେଣୁ ମେଘକୁ ଚାତକ ଆଶା କରି ଓ ଚନ୍ଦ୍ର କୁରଳୋର ଆଶା କରି ସତୃଷ୍ଣ ନୟନରେ ଚାହିଁ ରହିଥିଲା ପରି, ମୁଁ ବିରହ ଜ୍ୱରରେ ଘାଣ୍ଟିହୋଇ ତାଙ୍କୁ ଚାହିଁ ରହିଛି । ଏହାଶୁଣି ବିଭୀଷଣ ଅନ୍ୟ ମନରେ ସୈନ୍ୟମାନଙ୍କ ସହିତ ଅଶୋକ ବନରେ ହଠାତ୍ ଉପସ୍ଥିତ ହୋଇ ସୀତାଙ୍କ ନିକଟକୁ ସମ୍ବାଦ ପଠାଇଲେ, ‘‘ରାବଣ ତୁମ୍ଭଠାରୁ ବିରହ ଜନିତ ମୋହଦଶାକୁ ଭୋଗ କରିବାରୁ (ଅର୍ଥାତ୍ ତୁମ୍ଭ ରୂପ ଦେଖି ବିମୋହିତ ହେବାରୁ) ବର୍ତ୍ତମାନ ଦଶମ ଦଶାକୁ ଭୋଗ କରି ଅର୍ଥାତ ମରୁଭୂମିରେ ଲୋଟୁଛି ।’’

 

୩୨ଶ ପଦ :- ‘‘ତୁମ୍ଭେ ବର୍ତ୍ତମାନ ସୁବର୍ଣ୍ଣ ଓ ମଣି ମୁକ୍ତା ପ୍ରଭୃତିରେ ବିଭୁଷିତ ହୋଇ ପ୍ରିୟ ରାମଚନ୍ଦ୍ରଙ୍କ ନିକଟକୁ ଗମନ କର ଏବଂ ଏହି ଲଙ୍କାରେ ରାଣୀମାନେ ଆନନ୍ଦରେ ତୁମ୍ଭଙ୍କୁ ବେଶ କରନ୍ତୁ; ଏହି କଥା ବିଭୀଷଣ କହୁଛି ବୋଲି କହ ।’’ ସୀତାଙ୍କର ଆନନ୍ଦବୃଦ୍ଧି କରିବାପାଇଁ ବିଭୀଷଣଯାହା ସବୁ କହିଥିଲେ, ସମର୍ପୀ ସୀତାଙ୍କ ନିକଟକୁ ଯାଇ ସେ ସମସ୍ତ କହିବାକୁ ଲାଗିଲା । ଏହି ସମୟରେ ମନ୍ଦୋଦରୀ ପ୍ରଭୃତି ମହାରାଣୀମାନେ ଯାଇ ସୀତାଙ୍କୁ ବେଢ଼ି ଓଳଗି ହେଲେ । ଉପେନ୍ଦ୍ର ଭଞ୍ଜ ହୃଦୟରେ ଶ୍ରୀରାମଙ୍କୁ ଧ୍ୟାନ କରି ବତିଶ ପଦରେ ଏ ଛାନ୍ଦକୁ ରଚନା କଲେ । ହେ ପଣ୍ଡିତମାନେ ! ଏହାକୁ ମନ ଦେଇ ବୁଝିବ ।

 

Unknown

ଏକପଞ୍ଚାଶତ୍ ଛାନ୍ଦ

(ରାଗ - କନଡ଼ା)

 

ବଲ୍ଲଭ ଦୁର୍ଲ୍ଲଭ ସନ୍ଦେଶ ଲଭନ୍ତେ ସୀତା ଇଷିତ ହାସବଶ

ବେଶ ହେବାର ନୋହିଲା ଆବେଶ ।

ବିଚ୍ଛେଦ ବିପତ୍ତି                   ଦରଶନେ ପତି

ମତିକି କରି ପ୍ରବେଶ ସେ । ବରାଙ୍ଗୀ ।

ବସି ସୁଖାସନେ କରୁଁ ଗମନ । ବେଢ଼ି ରାବଣ ମହାଦେଈମାନ ।

ବରହିବରହ ଚାମର ଆଲଟ ଖଦି କରନ୍ତି ଚାଳନ ସେ । ବନିତା । ୧ ।

 

ବାହାରି ବାରିଥିଲହରୀ ଯେମନ୍ତେ ତହିଁ ବିହରି ଶିରୀ ଆସେ ।

ବନଜିନୀ ଲତା କି ପାଶେ ଭାସେ ।

ବିଚିତ୍ର ତରଣୀ                   ମଞ୍ଜୁଳ ଧାରିଣୀ

ହାନ୍ଦୋଳା ଦୋଳାୟିତ ସେ ଯେ । ବିଦୂଷେ ।

ବୋଇଲେ ରାମ ଚଲାଇଆଣ ଦେଖିପାସୋରନ୍ତୁ ସର୍ବେକଷ୍ଟ ଯେ । ବେଗରେ । ୨।

 

ବେତ୍ର କର ଗତି ମତ୍ସ୍ୟ ଚହଟ । ବୋଲିବାର ମଣିମାଭେକରଟ ।

ବାଟେ ଦ୍ୱିବିତ କହିଲା ଏ ଉଦନ୍ତ ସୁଦନ୍ତଶୋଭୀ ଶୁଣି ଭାଳେ ।

ବିଭୁ ବିରାଗୀ ମୋହଠାରେ ହେଲେ ।

ବନଜୀନୀଦଳେ                  ଗଭୀଳସୀ ହଂସୀ

ଚାଲିବା ଚାଲିକି ଦଳେ ସେ । ବରାଙ୍ଗୀ ।

ବାସେ ଲୋଭୀ ହୋଇ ଭୃଙ୍ଗମଣ୍ଡଳୀ । ବୁଲେ ଚକ୍ରଛବିରେ ଘୋଷଶାଳୀ ।

କିଶେଷଶୋଭାରେ କୀରତିକି ରତିକି ରଚିରେ ଛେଦେଭାଳି ସେ । ବିଦୁଷେ । ୩ ।

 

ବିଚାରିଲେ ସର୍ବେ ନେତ୍ରପାତ ମାତ୍ରେ ବିଧାନ କଲା କେ ଏହାକୁ ।

ବିଲୋକନ କଲାଇଁ ତାହାକୁ ।

ବୋଲନ୍ତି ଯାହାକୁ                   ଭୁଷଣଭୁଷଣା

ଆନ ଉପମା ଏହାକୁ ହେ । ବିଧାତା ।

ବୁଦ୍ଧିକେତେ ତୋ ନିର୍ମାଣ ଏହାର । ବଣା ଧୈର୍ଯ୍ୟ ଉର୍ବଶୀରେ ଯାହାର

ବାସ୍ତୋସ୍ପତି ଯେବେ ଦରଶନେ କଳ୍ପନବକୁ ସେହି ପ୍ରକାର ହେ । ବିଧାତା । ୪ ।

 

ବାମଦେବ କିପାଁଗଉରୀକି କାଳୀ ବୋଲନ୍ତି ଥିଲା ଏ ସଂଶୟ ।

ବଳେ ସୁବର୍ଣ୍ଣ ଶତେଗୁଣ କାୟ ।

ବାଳୀ ରତନ                         ଛାଇ କି ଅନୁଯାୟୀ

ଯେଣୁ ହେବେ ଉପମେୟ ହେ । ବିଧାତା ।

ବିଶ୍ମେ ଏମନ୍ତ ପରିରେ ତାହାକୁ । ବାମା ନାହିଁ ତ ଉପମା ଦେବାକୁ ।

ବିସର୍ଜିଲା ପ୍ରାଣ ନ ମୁଞ୍ଚି ରାବଣ ତ୍ରିପୁରେ ଭ୍ରମି ଥିବାକୁ ହେ ବିଧାତା । ୫ ।

 

୧ମ ପଦ :- ସୁଖାସନେ-ଯାନବିଶେଷରେ ଅର୍ଥାତ୍ ହାନ୍ଦୋଳାରେ । ବରହିବରହ-ମୟୁରପୁଚ୍ଛ ।

୧ମ ପଦ :- ‘ରାମଚନ୍ଦ୍ର ରାବଣକୁ ବଧ କଲେ’-ଏହି ଦୁର୍ଲ୍ଲଭ ବାର୍ତ୍ତା ପ୍ରାପ୍ତ ହେବାରୁ ସୀତା ମନ୍ଦହାସ ପ୍ରକାଶ ପୂର୍ବକ ବେଶ ଭୂଷଣରେ ମନ ନ ଦେଇ ପତିଙ୍କ ବିରହଜନିତ ଦୁଃଖ ଦେଖିବା ପାଇଁ ଇଚ୍ଛା ପ୍ରକାଶ କଲେ । ଏଣୁ ସେ ହଠାତ୍ ଦୋଳାରେ ବସି ବାହାରିଲେ । ତହୁଁ ରାବଣର ରାଣୀମାନେ ତାଙ୍କୁ ବେଢ଼ି ମୟୁରପୁଚ୍ଛ ନିର୍ମିତ ଆଲଟ ଚାମର ଓ କନାରେ ବନ୍ଧାଇ ହୋଇଥିବା ପଙ୍ଖା ପ୍ରଭୃତି ଧରି ବିଞ୍ଚିବାକୁ ଲାଗିଲେ ।

 

୨ୟ ପଦ :- ବାରିଧିଲହରୀ-ସମୁଦ୍ରର ଢ଼େଉ । ଶିରୀ-ଲକ୍ଷ୍ମୀ । ବନଜିନିଲତା-ପଦ୍ମଲତା । ତରଣୀ-ନୌକା । ଦୋଳାୟିତ-ଆନ୍ଦୋଳିତ । ଭେକରଟ-ବେଙ୍ଗଶବ୍ଦ ।

 

୨ୟ ପଦ :- ହେ ପଣ୍ଡିତମାନେ ! ଲକ୍ଷ୍ମୀ ଲହରୀସଂକୁଳ ସମୁଦ୍ର ମଧ୍ୟରୁ ଯେପରି ବାହାରି ଥିଲେ, ସୀତା ଅଶୋକବନ ରୂପ ସମୁଦ୍ର ମଧ୍ୟରୁ ସେପରି ବାହାରି ରାମଙ୍କ ନିକଟକୁ ଆସିବାକୁ ଲାଗିଲେ । ଲକ୍ଷ୍ମୀ ସମୁଦ୍ର ମଧ୍ୟରୁ ଆସିବାବେଳେ ଯେପରି ତାଙ୍କ ସମୀପରେ ପଦ୍ମଲତା ସବୁ ଭାସି ଆସୁଥିଲେ, ନୌକାମାନେ ଦୋଳୁଥିଲେ ମାଛ ସବୁ ଅତି ବେଗରେ ପହଁରୁଥିଲେ ଓ ବେଙ୍ଗମାନେ ରଡ଼ି କରୁଥିଲେ ସେହିପରି ଏହାଙ୍କର ଆସିବା ସମୟରେ ମନ୍ଦୋଦରୀ ପ୍ରଭୃତି ପଦ୍ମିନୀ ସ୍ତ୍ରୀମାନେ ସଙ୍ଗେ ସଙ୍ଗେ ରହି ଆସୁଥିଲେ, ମନୋହର ଦୋଳା ଗୋଟିକ ବାହାକମାନଙ୍କ ସ୍କନ୍ଧରେ ରହି ଝୁଲୁଥିଲା; ମାଛମାନଙ୍କର ପରି ବେତ୍ରହସ୍ତ ପ୍ରତିହାରୀମାନେ ଅତି ବେଗରେ ଗତି କରୁଥିଲେ ଓ ବେଙ୍ଗ ରଡ଼ି ପରି ଭାଟମାନଙ୍କର ମଣିମା ମଣିମା ଡାକ ପଡ଼ୁଥିଲା । ଏହା ଦେଖି ରାମଚନ୍ଦ୍ର କହିଲେ, ‘‘ସୀତାଙ୍କୁ ଚଲାଇ ଆଣ ସମସ୍ତେ ତାଙ୍କୁ ଦେଖି ଅତିଶୀଘ୍ର ଦୁଃଖ ପାଶୋରନ୍ତୁ ।’’

 

୩ୟ ପଦ :- ଉଦନ୍ତ-ବଚନ । ସୁଦନ୍ତଶୋଭୀ-ସୀତା ।

 

୩ୟ ପଦ :- ‘‘ରାମଚନ୍ଦ୍ର ଆଦେଶ ଦେଇଛନ୍ତି, ସୀତା ଦୋଳିରୁ ଓହ୍ଲାଇ ଚାଲି କରି ଆସନ୍ତୁ’’- ଏହି ବାର୍ତ୍ତା ଦ୍ୱିବିଦନାମକ ବାନର ବାଟରେ ଠିଆହୋଇ ପ୍ରଚାର କରିବାରୁ ସୁଦନ୍ତୀ ସୀତା ଏହା ଶୁଣି ଭାବିଲେ, ‘ପ୍ରଭୁ ମୋ ପ୍ରତି ବିରକ୍ତ ହେଲେ କାହିଁକି ? ତତ୍ପରେ ଗର୍ଭାଳସୀ ହଂସୀ ପଦ୍ମପତ୍ର ଉପରେ ଯେପରି ଚାଲେ, ସେହି ଚାଲିକି ନିଜର ଚାଲିଦ୍ୱାରା ଦଳି ଦେଇ ଅର୍ଥାତ୍ ଅତି ଧୀରେ ଧୀରେ ଚାଲି ଅଗ୍ରସର ହେଲେ । ଭ୍ରମରମାନେ ତାହାଙ୍କର ଶରୀର ଗନ୍ଧରେ ଆକୃଷ୍ଟ ହୋଇ ଗୁଣ୍‌ଗୁଣ୍‌ ଶବ୍ଦ ପ୍ରକାଶ ପୂର୍ବକ ଚାରିଆଡ଼େ ବୁଲିବାକୁ ଲାଗିଲେ । ହେ ପଣ୍ଡିତମାନେ ! ତାଙ୍କ ସୌନ୍ଦର୍ଯ୍ୟ ମୁଁ କଣ ବର୍ଣ୍ଣନା କରିବି ? ମୋର ଏହି କଥାରୁ ତାଙ୍କର ସୌନ୍ଦର୍ଯ୍ୟକୁ ବିଚାର କର । ରତିଦେବୀ ସୁନ୍ଦରୀ ବୋଲି ଯେଉଁ ପ୍ରଧାନ କୀର୍ତ୍ତି ଲାଭ କରିଥିଲେ, ତାହାକୁ ସୀତାର ଏ ପ୍ରମାଣରେ କାଟି ପକାଇଲେ । ଏଣୁ ସେ ରତି ନାମରେ ଅଭିହିତ ହୋଇଅଛନ୍ତି କି ?

 

୪ର୍ଥ ପଦ :- ବାସ୍ତୋଷ୍ପତି-ଇନ୍ଦ୍ର ।

 

୪ର୍ଥ ପଦ :- ସୀତାଙ୍କ ଉପରେ ଦୃଷ୍ଟି ପଡ଼ିବା ମାତ୍ରେ ସୈନ୍ୟମାନେ ବିଚାରିଲେ, ‘‘ଏହାଙ୍କୁ ଯେ ନିର୍ମାଣ କରିଅଛି, ଆମ୍ଭେମାନେ ତାକୁ ପାରିଲୁ ନାହିଁ । ଯେଉଁ ସ୍ତ୍ରୀକୁ ଅଳଙ୍କାରର ଅଳଙ୍କାର ବୋଲି କହନ୍ତି, ସେ ଏହାଙ୍କର ଉପମାନ ନୁହେଁ (ଅର୍ଥାତ୍ ତାଠାରୁ ମଧ୍ୟ ଏ ଅଧିକ ସୁନ୍ଦରୀ) ହେ ବିଧାତା ! ତୋର କେତେ ବୁଦ୍ଧି ଅଛି ଯେ; ତୁ ଏହାଙ୍କୁ ନିର୍ମାଣ କଲୁ ? ଉର୍ବଶୀକୁ ଦେଖି ଯାହାର ବୁଦ୍ଧି ବଣା ହୋଇଯାଇଥିଲା, ତୁ ପରା ସେହି ବ୍ରହ୍ମା ! ହେ ବିଧାତା ! ଯଦି ସୀତାଙ୍କୁ ଦର୍ଶନ କରିବା ଦ୍ୱାରା ଆମ୍ଭମାନଙ୍କୁ ଇନ୍ଦ୍ର ତୁଲ୍ୟ ସୁଖ ପ୍ରଦାନ କଲୁ, ତାହାହେଲେ ଆମ୍ଭମାନଙ୍କୁ ସେହି ଇନ୍ଦ୍ରଙ୍କ ପରି ସହସ୍ର ଆଖି ଦେଇଥିଲେ, ଆମ୍ଭେମାନେ ସୀତାଙ୍କୁ ଭଲରୂପେ ଦେଖି ପାରନ୍ତୁ) ।’’

 

୫ମ ପଦ :- ବାମଦେବ-ମହାଦେବ । ଗଉରୀ-ପାର୍ବତୀ ।

 

୫ମ ପଦ :- ‘‘ମହାଦେବ କାହିଁକି ନିଜ ସ୍ତ୍ରୀ ଗୌରୀଙ୍କୁ କାଳୀ ବୋଲି କହନ୍ତି, ଏ ବିଷୟରେ ଆମ୍ଭମାନଙ୍କର ସନ୍ଦେହ ଥିଲା । କିନ୍ତୁ ସୀତାଙ୍କର ଦେହ ସୁବର୍ଣ୍ଣଠାରୁ ଶତ ଗୁଣରେ ଅଧିକ, ଏହି ସ୍ତ୍ରୀ ରତ୍ନ ସୀତାଙ୍କର ଛାଇର ଉପଯୁକ୍ତ ଉପମେୟ ହେବାରୁ ମହାଦେବ ଗୌରୀ (ପାର୍ବତୀ)ଙ୍କୁ କାଳୀ ବୋଲି କହିଛନ୍ତି । (ଛାଇ କଳା ହୋଇଥିବାରୁ ଓ ଛାଇ ସହିତ ପାର୍ବତୀ ସମାନ ହେବାରୁ ତାଙ୍କ ନାମ କାଳୀ ହେଲା) ଏବେ ଜାଣିଲୁ, ଏପରି ସ୍ତ୍ରୀ ଆଉ ଏହି ସଂସାରରେ ନାହିଁ, ଯାହାକୁ କି ଏହାଙ୍କ ସହିତ ତୁଳନା କରିବାକୁ ହେବ । ରାବଣ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁର ବୁଲି ସମସ୍ତ ସ୍ତ୍ରୀଙ୍କୁ ଦେଖି ଥିବାରୁ ଏହା ନିଶ୍ଚୟ କରି ସୀତାଙ୍କୁ ରାମଙ୍କ ହସ୍ତରେ ଫେରାଇ ନ ଦେଇ ମଲା ।’

 

ବଦନଶୋଭାକୁ ଚାହିଁ ମହୀଜାର କଳାକାର ନାମ ବହିଲା ।

ବିଧିର ତ ବିବେକ ନ ରହିଲା ।

ବେଦଜଡ଼ ସିନା                   ଅନନ୍ତେ ପୁଚ୍ଛିବ

ଅନନ୍ତ ତାକୁ ହୋଇଲା ହେ । ବିଧାତା ।

ବୋଲିବାକୁ ସ୍ତ୍ରୀପଦରେ ସମ୍ଭବେ । ବିନାୟକମତରୁସୀତାଠାବେ ।

ବରବର୍ଣ୍ଣିନୀ ବରାରୋହ ଉତ୍ତମା ରାମା ହୋଇଛି ତା ଭାବେ ହେ । ବିଧାତା । ୬ ।

 

ବାଛି ବାଛି ଲଙ୍କପତି ଆଣିଥିଲା ସଂସାରସାର ସୁନ୍ଦରୀଙ୍କି ।

ବିଦେହଜା ତହିଁ ରାଜାଭିଷେକୀ ।

ବିଚାରୁ ଏସନ                         ତାଚାରୁ ଦର୍ଶନ

ଲଭେ ରାମସନ୍ନିଧିକି ହେ । ବିଧାତା ।

ବୋଲେ ସତ୍ୟବାଦୀ ହୋଇ ଏଗିର । ବିରାଧକୁ ବିନାଶ କଲି ପର ।

ବିଭାବସୁପତି ପଦ୍ମିନୀ ମଧୁପେ ରସିତା ଏ ଶ୍ଳେଷକର ଗୋ । ବରାଙ୍ଗୀ । ୭ ।

 

ବୈଦେହୀ ଗୁଣଗର୍ବିତା ହୋଇ ଭାଷେ ସୁବର୍ଣ୍ଣବର୍ଣ୍ଣନା ଯାହାରେ ।

ବୋଲୁଁ ଶୁଣି ହୁଡ଼ ଅଛି ତହିଁରେ ।

ବୋଧିଲେ ଲେଖକେ                   ସିନା ହୋଇ ମୁହିଁ

କହିଛି ଆନ ପ୍ରକାରେ । ହେ ବିଚାର ।

ବୀତିହୋତ୍ରେ ପରୀକ୍ଷା ଜଣା ତାର । ବୋଲୁଁ ସାଧବୀ କଲେ ସୀଉକାର ।

ବଣିକଭାବେ ଇନ୍ଧନକୂଟେ ଅଗ୍ନି ଯୋଗେ ଝାସିଲେ ସତ୍ଵର ସେ । ବରାଙ୍ଗୀ । ୮ ।

 

ବିକଳେ ସକଳେ ଭାଳେ କି କରୁଣା ନ ଜାଣେ ଏ ବଡ଼ ଦାରୁଣ ।

ବେଧା ବିଧାନ ହୁଅଇ ପ୍ରମାଣ ।

ବନ୍ଧୁ ବନ୍ଧୁ ବୋଲି                   ନିରାଶ ଜଳାଇ

ସେକାଳେ କଲେ କରୁଣ ସେ । ବୀରେନ୍ଦ୍ର ।

ବିଭାକରମଣି ସେ ହୋଇଥିଲେ । ବିଧୁମଣିଭାବ ପୁଣି ବହିଲେ ।

ବିଜ୍ଞବିଚାରେ ପ୍ରୀତିରେ ଦୁଇକଥା ଜଳିଲେ ପୁଣି ଦ୍ରବିଲେ ସେ । ବିକଳେ । ୯ ।

 

ବାଳୀ(ଳି) ଶ ବଚନେ ଜୀବନ ତେଜିବା ଉଚିତ ହୋଇଲା ତୋହର ।

ବୁଡିଗଲା ସୃଷ୍ଟି ଏବେ ମୋହର ।

ବୋଇଲା କି ନାହିଁ                   ଚନ୍ଦ୍ରମା ହୋଇଲେ

ଆନଅର୍ଥେ ଦୋଷାକରରେ । ବରାଙ୍ଗ ।

ବିଂଶାକ୍ଷ କି ତୋତେ ଛୁଇଁ ଭାଜନ । ବିବେଚନା କରିଣ ମନେ ଘନେ ।

ବିଳମ୍ବ ଅବଲମ୍ବକୁତ୍ୟଜତ୍ୟଜ ନ କର କୃଶାନୁସ୍ନାନରେ । ବରାଙ୍ଗୀ । ୧୦ ।

 

୬ଷ୍ଠ ପଦ :- ମହୀଜା-ପୃଥିବୀକନ୍ୟା, ସୀତା । କଳାକାର-ଚନ୍ଦ୍ର ।

୬ଷ୍ଠ ପଦ :- ‘‘ବିଧାତା ସୀତାଙ୍କର ମୁଖଶୋଭାକୁ ନିରିକ୍ଷଣ କରିସୁଦ୍ଧା ଚନ୍ଦ୍ରକୁ ‘କଳାକର’ ଶୋଭାର ଆକାର ବୋଲି ନାମ ଦେଲା ଅଥବା ସୀତାଙ୍କ ମୁଖଶୋଭାର ଷୋଡ଼ଶ ଭାଗରୁ ଏକ ଭାଗ ସହିତ ସମାନ ବୋଲି ନିଶ୍ଚୟ କଲା । ଏଣୁ ମନେ ହୁଏ, ବିଧାତାର ବେଦ ପଢ଼ି ପଢ଼ି ବୁଦ୍ଧିହୀନ ହୋଇ ଯାଇଥିବାରୁ ସେ ଚନ୍ଦ୍ରକୁ ଏହିପରି ସୀତାଙ୍କ ମୁଖ ସହିତ ତୁଳନା କରି କଳାକର ନାମଦେଲା କିନ୍ତୁ ଶେଷଦେବଙ୍କୁ ପଚାରି ବୁଝିଲେ ଜଣାଯିବ, ସେ ତାଙ୍କର ଅସଂଖ୍ୟମୁଖମାନଙ୍କ ହାରା ସୀତାଙ୍କର ମୁଖଶୋଭାର ବର୍ଣ୍ଣନା ଶେଷ କରିପାରିନଥିଲେ । ତେଣୁ ଚନ୍ଦ୍ରକୁ ଶୋଭାର ଆକର କିମ୍ବା ସୀତାଙ୍କ ମୁଖଶୋଭାର ଏକାଂଶ ମାତ୍ର ବୋଲି କଳାକର ନ କହି, ସମସ୍ତ ଦୋଷ ବା ପାପର ସ୍ଥାନ ହେତୁ କଳାକର କହିବା ଉଚିତ୍ । ହେ ବିଧାତା ! ଅମରକୋଷକାରକଙ୍କ ମତରେ ସ୍ତ୍ରୀ ପର୍ଯ୍ୟାୟରେ ଯେଉଁ ସବୁ ବରବର୍ଣ୍ଣିନୀ, ବରାରୋହା, ଉତ୍ତମା, ରମା ପ୍ରଭୃତି ସ୍ତ୍ରୀମାନଙ୍କର ଉତ୍‌କର୍ଷତା ବ୍ୟଞ୍ଜକଶବ୍ଦ ପ୍ରୟୋଗ କରାଯାଇଅଛି, ସେ ସବୁ ପଦ ସୀତାଙ୍କଠାରେ ସାର୍ଥକ ହେଉଅଛି । ତେଣୁ ଏହି ସଂସାରରେ ସୀତା ଏକମାତ୍ର ସୂଲକ୍ଷଣୀ ସ୍ତ୍ରୀ, ଏହି ଭାବନା ସ୍ୱତଃ ମନରେ ଜାଗରୁକ ହେଉଅଛି ।’’

 

୭ମ ପଦ :- ବିଦେହଜା-ସୀତା । ରାଜାଭିଷେକୀ-ପରମାସୁନ୍ଦରୀ । ସତ୍ୟବାଦୀ-ରାମଚନ୍ଦ୍ର । ବୀରଧୂ-ବୀରତ୍ୱ । ବିଭାବସୁ-ସୂର୍ଯ୍ୟ । ମଧୁପେ-ଭ୍ରମରଠାରେ ।

 

୭ମ ପଦ :- ଏହି ସଂସାରରେ ଥିବା ଶ୍ରେଷ୍ଠ ସୁନ୍ଦରୀମାନଙ୍କୁ ରାବଣ ବାଛି ବାଛି ଆଣିଥିଲା । ବୈଦେହୀ ସେହିସବୁ ସୁନ୍ଦରୀମାନଙ୍କ ମଧ୍ୟରେ ରାଜପଦରେ ଅଭିଷିକ୍ତ ହେବାର ଯୋଗ୍ୟା ଅଟନ୍ତି ଅର୍ଥାତ୍ ସମସ୍ତଙ୍କଠାରୁ ଶ୍ରେଷ୍ଠା ଅଟନ୍ତି । ଦର୍ଶକମାନେ ତାଙ୍କର ସୌନ୍ଦର୍ଯ୍ୟ ଦେଖି ଏହା ସ୍ଥିର କଲାବେଳେ ସେହି ସୀତା ରାମଙ୍କ ନିକଟକୁ ଗମନ କଲେ । ତାଙ୍କୁ ଚାହିଁ ସତ୍ୟବାଦୀ ରାମ ଶେଷ ବଚନରେ କହିଲେ, ‘ଗୋ ସୁନ୍ଦରୀ ! ମୋର ବୀରତ୍ୱ କୀର୍ତ୍ତି ରକ୍ଷା କରିବା ନିମିତ୍ତ ମୁଁ ଶତ୍ରୁକୁ ବିନାଶ କଲି । ସ୍ୱାମୀ ସୂର୍ଯ୍ୟ ଥାଉଁ ଥାଉଁ ପଦ୍ମିନୀ ଭ୍ରମର ପ୍ରତି ଅନୁରକ୍ତ ହେଲାପରି ସୂର୍ଯ୍ୟବଂଶୀ ରାଜା ମୁଁ ସ୍ୱାମୀହୋଇ ଥାଉଁ ଥାଉଁ ପଦ୍ମିନୀଜାତୀୟା ସ୍ତ୍ରୀ ତୁମ୍ଭେ ‘ମଧୁପ’ ମଦୁଆ ରାବଣ ପ୍ରତି ଅନୁରକ୍ତା ହୋଇଥିଲ । ଏବେ ସେହିପରି ଅନ୍ୟଜଣେ ପୁରୁଷକୁ ଆଲିଙ୍ଗନ କର (ରାବଣ ମରିଯାଇଛି ଏହି ଭାବ) ।

 

୮ମ ପଦ :- ସୁବର୍ଣ୍ଣ-ସୁନା ଉତ୍ତମ ବର୍ଣ୍ଣ ବା ଅକ୍ଷରସମୂହ । ବୀତହୋତ୍ରେ-ଅଗ୍ନିରେ । ଇନ୍ଧନେକୂଟେ-କାଷ୍ଠସମୂହରେ।

 

୮ମ ପଦ :- ଏହା ଶୁଣି ସୀତା ପତିବ୍ରତାଗୁଣରେ ଗର୍ବିତା ହୋଇ କହିଲେ, ‘‘ଯାହାକୁ ସୁବର୍ଣ୍ଣ ବୋଲି କହନ୍ତି, ସେ କଣ କେବେ ହେଲେ ଦୋଷଯୁକ୍ତ (ଭେଲ) ହୋଇ ପାରେ କି ? ଅର୍ଥାତ୍ ଖାଣ୍ଟି ସୁନା ଭେଲ ସୁନା ହୋଇନପାରେ ।’’ ଏହା ଶୁଣି ଶ୍ରୀରାମ କହିଲେ, ‘‘ସୁବର୍ଣ୍ଣ’ ପରିଷ୍କାର ଭାବରେ ଲେଖାଯାଇଥିବା ଅକ୍ଷରମାନଙ୍କ ମଧ୍ୟରେ ମଧ୍ୟ ଭୁଲ୍‌ ଥିବାର ଦେଖାଯାଏ ।’’ ଏହା ଶୁଣି ସୀତା ପ୍ରବୋଧ ଦେଇ ରାମଙ୍କୁ କହିଲେ, ‘‘ଉତ୍ତମ ଅକ୍ଷର ଲେଖିବା ଲୋକମାନଙ୍କର ସିନା ଭୁଲ୍‌ ହୁଏ, ମାତ୍ର ଅକ୍ଷର ତ ଭୁଲ୍‌ ନୁହେ । କିନ୍ତୁ ମୁଁ ତ ଏହା କହୁନାହିଁ । ମୁଁ ପ୍ରକୃତ ‘ସୁବର୍ଣ୍ଣ’ ଏହି ଶବ୍ଦକୁ ସୁନା ଏହି ଅର୍ଥରେ ବ୍ୟବହାର କରି କହୁଛି ।’’ ରାମ କହିଲେ, ‘‘ଯଦି ତୁମ୍ଭେ ସୁନା ବୋଲି କହୁଛ, ତାହା ହେଲେ ସୁନାକୁ ତ ଅଗ୍ନିରେ ପୋଡ଼ିଲେ ତାର ଭଲ ମନ୍ଦ ଜଣାଯାଏ ।’’ ରାମ ଏହିପରି କହିବାରୁ ସତୀ ସୀତା ସ୍ୱୀକାର କଲେ । ‘ସୀତା ଅଗ୍ନି ପରୀକ୍ଷା ଦେବେ’ ଏହା ଜାଣି ରାମ ବଣିଆଁମାନଙ୍କ ପରି କାଠ ଗଦାରେ ଅଗ୍ନି ଲଗାଇବାରୁ ସେହି ସୁନ୍ଦରୀ ସୀତା ଅତି ଶୀଘ୍ର ଅଗ୍ନିରେ ଝାସ ଦେଲେ ।

 

୯ମ ପଦ :- ସୀତା ଅଗ୍ନିରେ ପ୍ରବେଶ କରିବାରୁ ସମସ୍ତେ ଦୁଃଖିତ ହୋଇ ଭାବିଲେ, ‘ଏହି ରାମ ବଡ଼ ନିର୍ଦ୍ଦୟ: ଦୟା କାହାକୁ କହନ୍ତି ତାହା ଏହାଙ୍କୁ ଜଣା ନାହିଁ ।’ ପୁଣି ଭାବିଲେ, ‘ବିଧାତା ଯାହା କର୍ମରେ ଲେଖିଛି, ତାହା ନିଶ୍ଚୟ ଭୋଗିବାକୁ ହେବ ।’ ସେହି ସମୟରେ ସେହି ବୀରଶ୍ରେଷ୍ଠ ରାମଚନ୍ଦ୍ର ପ୍ରିୟାକୁ ଦଗ୍‌ଧ କରାଇ ଥିବାରୁ ହତାଶ ହୋଇ ବନ୍ଧୁ ବନ୍ଧୁ ବୋଲି କ୍ରନ୍ଦନ କରିବାକୁ ଲାଗିଲେ । ରାମଚନ୍ଦ୍ର ପ୍ରଥମେ ସୂର୍ଯ୍ୟକାନ୍ତ ମଣିର ଭାବକୁ ଧାରଣ କରିଥିଲେ, ପରେ ଚନ୍ଦ୍ରକାନ୍ତ ମଣିର ଭାବକୁ ଧାରଣ କଲେ । ଅର୍ଥାତ୍ ସୂର୍ଯ୍ୟକାନ୍ତ ମଣି ସୂର୍ଯ୍ୟ କିରଣ ପାଇବା ସଙ୍ଗେ ସଙ୍ଗେ ଜଳି ଉଠିଲା ପରି ରାମ ସୀତାଙ୍କୁ ଦେଖିବା ସଙ୍ଗେ ସଙ୍ଗେ କ୍ରୋଧରେ ଜଳି ଉଠିଲେ ଓ ପରେ ସୀତା ଅଗ୍ନିରେ ପ୍ରବେଶ କରିବାରୁ ଚନ୍ଦ୍ର କିରଣ ପାଇ ଚନ୍ଦ୍ରକାନ୍ତ ମଣିରୁ ଜଳ ନିର୍ଗତ ହେଲାପରି ସ୍ୱୀୟ ଚକ୍ଷୁରୁ ଅଶ୍ରୁ ବିସର୍ଜନ କଲେ । ଏହା ଦେଖି ପଣ୍ଡିତମାନେ ମନେ କଲେ କି, ରାମଚନ୍ଦ୍ର ନିଜର କୁଳପ୍ରତି ଆଦର ରଖିଥିବାରୁ ଲୋକାପବାଦରୁ ରକ୍ଷା ପାଇବା ନିତାନ୍ତ ଦରକାର ମନେକରି ସୀତାଙ୍କୁ ଦେଖି କ୍ରୋଧରେ ଜଳି ଉଠିଲେ ଏବଂ ସୀତାଙ୍କ ପ୍ରତି ସ୍ନେହ ରଖିଥିବାରୁ ବିକଳ ହୋଇ କାନ୍ଦିଲେ ।

 

୧୦ମ ପଦ :- ବାଳିଶବଚନେ-ବାତୁଳ ବଚନରେ । ବାଳୀଶବଚନେ-ହେ ବାଳୀ ! ଈଶ (ସ୍ୱାମୀ) ବଚନରେ । ଦୋଷାକାର-ଚନ୍ଦ୍ର । କୃଶାନୁସାସନ-ଅଗ୍ନିରେ ଝାସ ଦେବା ।

 

୧୦ମ ପଦ :- ରାମଚନ୍ଦ୍ର ଶୋକାଳିତହୋଇ କହିଲେ, ‘‘ଗୋ ସୀତା ! ଏହି ମୂର୍ଖର କଥାରେ ତୁମ୍ଭର ଜୀବନ ତ୍ୟାଗ କରିବା ଉଚିତ ହେଲା କି ? ଅର୍ଥାତ୍ ତୁମ୍ଭେ ପଣ୍ଡିତା ହୋଇ ସୁଦ୍ଧା କ୍ରୋଧାନ୍ଧର କଥାରେ ପ୍ରାଣତ୍ୟାଗ କଲ, ମାତ୍ର ଏହା ଠିକ୍ ହେଲାନାହିଁ । ଅଥବା ହେ ବାଳୀ ! ତୁମ୍ଭେ ସ୍ୱାମୀଙ୍କର କଥାନୁସାରେ ଯାହା ପ୍ରାଣତ୍ୟାଗ କଲ, ତାହା ତୁମ୍ଭ ପକ୍ଷରେ ଉଚିତ ହୋଇଅଛି ମାତ୍ର ବର୍ତ୍ତମାନ ମୋର ସଂସାର ବୁଡ଼ିଗଲା (ଅର୍ଥାତ୍ ଗୃହିଣୀ ଅଭାବରେ ଗୃହଧର୍ମ ନଷ୍ଟ ହେଲା) । ଚନ୍ଦ୍ର କର୍ପୂରପରି ନିର୍ମଳ ଓ ଶୀତଳ ହୋଇଥିବାରୁ ଚନ୍ଦ୍ରମା ଏହି ନାମକୁ ଧାରଣ କଲେ ସୁଦ୍ଧା ଅନ୍ୟ ଅର୍ଥରେ ଦୋଷାକର (ସମସ୍ତ ଦୋଷର ସ୍ଥାନ ବା ନିଶାପ୍ରତି) ଏହି ନାମରେ ପରିଚିତ ହୁଏ ନାହିଁ କି ? ତୁ ମହାସତୀ ହୋଇସୁଦ୍ଧା ଅସତୀ ଏହି ଦୋଷକୁ ପ୍ରାପ୍ତ ହୁଅନ୍ତୁ l ରେ ବରାଙ୍ଗୀ ! ରାବଣ ତୋତେ ଛୁଇଁବାକୁ ଯୋଗ୍ୟ କି? (ଯୋଗ୍ୟ ନୁହେଁ) l ତଥାପି ମୁଁ ତୋତେ କାହିଁକି ଅଗ୍ନି ପରୀକ୍ଷା କରାଇଲି, ତାହା ଉତ୍ତମରୂପେ ମନରେ ବିଚାର କର । ଆଉ ଅଧିକ ସମୟ ଅଗ୍ନିକୁ ଆଶ୍ରୟ କରି ରହନାହିଁ କିମ୍ବା ସେହି ଅଗ୍ନିରେ ଦଗ୍‌ଧ ହୁଅନାହିଁ ।’’

 

ବାରିଦ ଅଙ୍କରେ ଲୀନ ହୋଇଥାଇ ପ୍ରକାଶଇ ଯଥା ଚଞ୍ଚଳା

ବିକାଶିବୁ ମୋ ଭାଗ୍ୟେ ସେହି ଲୀଳା ।

ବୋଲିବାକୁ ଜଳ-                   ମଗ୍ନ ଜନପ୍ରାୟ

ବାହାର ହେଲେ ନିର୍ମଳା ସେ । ବରାଙ୍ଗୀ ।

ବେଢ଼ିଥିଲା ଜନେ ଜୟ ଘୋଷିଲେ । ବିଧୁ ରାହୁମୁଖୁଁ ମୁକ୍ତ ଭାଷିଲେ ।

ବିହାୟସରୁ ବିହାୟସ ପରାଏ ସେକାଳେ ଖସିଆସିଲେ ଯେ । ବିବୁଧେ । ୧୧ ।

 

ବିଦିତ ଶିରୀ ପଞ୍ଚାସ୍ୟ ଆଦି କରି ପରେତରାଟ ବରୁଣହିଁ ।

ବାସବର ତ ପରିମଳ ଶୋହି ।

ବିଳସନ୍ତା ହେଲେ                   ମୟୁରେ ଗନ୍ଧର୍ବେ

ମରୁତେ ଅପୁର୍ବ ନୋହି ସେ । ବିଦୁଷେ ।

ବିଚିତ୍ର ଏ ଅଜଜ ତେ ରୁଚିର । ବୋଲେ ଶ୍ରୀ ତ୍ୟକ୍ତ କରିବା ବେଭାର ।

ବିଷ୍ଣୁ ତୁମ୍ଭେ ରାଜୁକୁମାର ସ୍ୱଭାବେ ଯୁବା ବୟସରେ ସର ହେ । ବିଚାର । ୧୨ ।

 

ବୃଷାଞ୍ଜନ କହି ବାସୁକି ଶ୍ରୀ ଯେହି ତୁମ୍ଭେ ମୋହପରି ଭୋଗରେ ।

ବସୁନ୍ଧରା ଫୁଟି ଜାତ ଯୋଗରେ ।

ବହ୍ନି ଯାହାକୁ                   ଜୀର୍ଣ୍ଣ କରି ନ ପାରେ

ଆନ କେ ଧର୍ଷିବ ତାରେ ହେ । ବିଚାର ।

ବୋଲେ ରାଘବ ଜନ ଅପବାଦ ବିଧ୍ୱଂସିଲାଇ ଭଲ ଏ କି ମନ୍ଦ ।

ବିଶ୍ଵମ୍ଭର ଯେବେ ମୁହିଁ ମୋତେ ତେବେ ସେବିବେ ଭୂଦେବବୃନ୍ଦ ହେ । ବିନୟେ । ୧୩ ।

 

ବ୍ରହ୍ମା ବୋଇଲେ ମୋ ପୁତ୍ର ଶିବ ବୋଲେ ମୋ ମିତ୍ର ଜାଣି ଅନୁସାରେ ।

ବିହରିବେ ତାଙ୍କ ପୁତ୍ର ସେବାରେ ।

ବର୍ତ୍ତିବେ ସୈନ୍ୟ                   ରକ୍ଷ ଦୁଷ୍ଟବିହୀନ

ତେବେ ଆଜ୍ଞା ପାଳନରେ ହେ । ବିବୁଧେ ।

ବୃଷ୍ଟିସୁଧା ଯେ ବସନ୍ତ ମରୁତ । ବଶେ ସମନ୍ତ ଥିଲା ପଲ୍ଲବିତ ।

ବଂଶ ଦୁଷ୍ଟରମୃତ୍ୟୁଭାବେ ରହିଲେ ଥିଲା ଜନେ ଆଚମ୍ବିତ ହେ । ବିଦୁଷେ । ୧୪ ।

 

ବ୍ୟାପାରେ ବଳି ବିନିଦ୍ରଜନ ଯଥା ଯୁଦ୍ଧାର୍ଥେ ତଥା ସର୍ବେ ଧାଇଁ ।

ବେନି ଦିଗ ମନ୍ତ୍ରି ଏ ନିବର୍ତ୍ତାଇ ।

ବାହୁଡ଼ିଲେ ଶୂରେ                   ସର୍ବେ ଅଯୋଧ୍ୟାକୁ

ଜବେ ଯିବା କେହି କହି ହେ । ବୀରେନ୍ଦ୍ର ।

ବିଭୀଷଣ ପୁଷ୍ପକ ସମର୍ପଇ । ବଇଦେହୀଙ୍କି ମନ୍ଦୋଦରୀ ତହିଁ ।

ବିଳୋ ଇ‍ରହିଲେ ଶ୍ରୀରାମ ସବଳେ ବସନ୍ତେ ଗଗନେ ଯାଇ ସେ ବିମାନେ । ୧୫ ।

 

୧୧ଶ ପଦ :- ବାରିଦ-ଅଙ୍କରେ-ମେଘ-କ୍ରୋଡ଼ରେ । ଚଞ୍ଚଳା-ବିଜୁଳି । ବିଧୁ-ଚନ୍ଦ୍ର । ବିହାୟସରୁ-ଆକାଶରୁ । ବିହାୟସ- ପକ୍ଷୀ । ବିବୁଧେ-ଦେବତାମାନେ ।

 

୧୧ଶ ପଦ :- ‘‘ବିଜୁଳି ମେଘ ଦେହରେ ଲୀନ ହୋଇ ରହି ଯେପରି ପୁଣି ପ୍ରକାଶିତ ହୁଏ, ସତେ କଣ ତୁ ମୋର ଭାଗ୍ୟବଶରୁ ଅଗ୍ନି ମଧ୍ୟରୁ ପ୍ରକାଶିତ ହୋଇ; ବିଜୁଳୀ ମେଘର ଦେହରେ କ୍ରୀଡ଼ା କଲାପରି ମୋର ବକ୍ଷରେ କ୍ରୀଡ଼ା କରିବୁ?’ ରାମଚନ୍ଦ୍ର ଏହିପରି କହିବା ସମୟରେ ଜଳ ମଧ୍ୟରେ ପଡ଼ିଥିବା ଲୋତକ ଜଳରୁ ବାହାର ହେଲାପରି ସେହି ନିର୍ମଳ ଦୋଷ ଶୂନ୍ୟା ସତୀ ଅଗ୍ନି ମଧ୍ୟରୁ ବାହାର ହେଲେ ।’’ ତତ୍ପରେ ସେହି ସୁନ୍ଦରୀ ସୀତାଙ୍କର ଚାରିଆଡ଼େ ବେଢ଼ି ରହିଥିବା ଲୋକମାନେ ଜୟଧ୍ୱନି ପୂର୍ବକ କହିଲେ ‘ଚନ୍ଦ୍ର ରାହୁ ମୁଖରୁ ମୁକ୍ତ ହେଲା ।’’ ସେହି ସମୟରେ ଆକାଶରୁ ପକ୍ଷୀମାନେ ଖସିଲା ପରି ଶୂନ୍ୟରୁ ଦେବତାମାନେ ଖସି ଆସିଲେ ।

 

୧୨ଶ ପଦ :- ଶିରୀ-ଲକ୍ଷ୍ମୀ, ସୀତା । ପଞ୍ଚସ୍ୟ-ମହାଦେବ । ପରେତରାଟ-ଯମ । ଅଜଜାତ-ଦଶରଥ ।

 

୧୨ଶ ପଦ :- ସୀତା ଅଗ୍ନିରୁ ବାହାରି ଅଛନ୍ତି, ଏହା ଜାଣି ମହାଦେବଙ୍କ ଠାରୁ ଆରମ୍ଭକରି ଯମ, ବରୁଣ ଇନ୍ଦ୍ର ପ୍ରଭୃତି ଦେବତାମାନେ ଅନୁରକ୍ତି ପ୍ରକାଶ କରିବା ନିମିତ୍ତ ନିର୍ମଳ ହୃଦୟରେ ସେହି ସ୍ଥାନରେ ଉପସ୍ଥିତ ହୋଇଥିଲେ । (ଅର୍ଥାତ୍ ନିଜ ନିଜର ପ୍ରକୃତ ରୂପଧାରଣକରି ଆସିଥିଲେ) ଏବଂ ସେହିପରି କିନ୍ନର, ଗନ୍ଧର୍ବ ଓ ଅଣଚାଷଟିଯାକ ପବନ ମଧ୍ୟ ଅପୂର୍ବ ଆଶ୍ଚର୍ଯ୍ୟଦାୟକ ମୂର୍ତ୍ତି ଧାରଣ ନ କରି ଆସି ସେହି ସ୍ଥାନରେ ଉପସ୍ଥିତ ହେଲେ, (ଅର୍ଥାତ୍ ଏମାନେ ମଧ୍ୟ ସେହିପରି ନିଜ ନିଜର ରୂପ ଧାରଣକରି ଆସିଥିଲେ) । ହେ ପଣ୍ଡିତମାନେ ଦେବତାମାନେ ବ୍ରାହ୍ମଣାଦି ରୂପ ଧାରଣକରି ସମୟ ସମୟରେ ଆସିଥିଲେ ସୁଦ୍ଧା ବର୍ତ୍ତମାନ ଯାହା ନିଜ ନିଜର ପ୍ରକୃତ ରୂପ ଧାରଣକରି ଭୂଲୋକକୁ ଆସିଲେ ଏଥିରେ କିଛିମାତ୍ର ଆଶ୍ଚର୍ଯ୍ୟ ନାହିଁ କିନ୍ତୁ ଦଶରଥ ଯାହା ଆସି ସେହି ସ୍ଥାନରେ ଉପସ୍ଥିତ ହେଲେ ଏହାହିଁ ଆଶ୍ଚର୍ଯ୍ୟ । ସେହି ଦଶରଥ ନିଜର ମନୋରମ କଣ୍ଠରେ ମନୋରମ କଥା ରାମଙ୍କୁ କହିଲେ, ‘‘ତୁମ୍ଭେ ବିଷ୍ଣୁ, ସ୍ୱଭାବତଃ ରାଜକୁମାର, ପୁଣି ଶ୍ରେଷ୍ଠ ଯୁବକ, ଏ ସମୟରେ ‘ଶ୍ରୀ’ ଲକ୍ଷ୍ମୀଙ୍କୁ ଅଥବା ଗୃହଲକ୍ଷ୍ମୀ ସୀତାଙ୍କୁ ତ୍ୟାଗ କରିବା ଉଚିତ ନୁହେଁ; ଏହା ମନରେ ବିଚାର କର ।’’

 

୧୩ଶ ପଦ :- ବୃଷାଞ୍ଜନ-ମହାଦେବ । ଶ୍ରୀ-ବିଷ, କୀର୍ତ୍ତି । ବହ୍ନି-ଅଗ୍ନି । ଭୂଦେବବୃନ୍ଦ-ବ୍ରାହ୍ମଣସମୂହ ।

 

୧୩ଶ ପଦ :- ତତ୍ପରେ ମହାଦେବ କହିଲେ ‘‘ହେ ରାମଚନ୍ଦ୍ର । ଭୋଗରେ ତୁମ୍ଭେ ମୋ ସମାନ ଅଟ (ଅର୍ଥାତ୍ ମୁଁ ଯେଉଁ ଯେଉଁ ପଦାର୍ଥ ଉପଭୋଗ କରେ, ତୁମ୍ଭେ ସେହି ସେହି ପଦାର୍ଥ ଉପଭୋଗ କର ।) ମୁଁ ବାସୁକୀ ନାଗରାଜ ଶେଷଦେବ ଓ ‘ଶ୍ରୀଗରଳକୁ ଉପଭୋଗ କରେ ତୁମ୍ଭେ ମଧ୍ୟ ସେହି ‘ଶେଷଦେବ ଲକ୍ଷ୍ମଣ ଓ ‘ଶ୍ରୀ ସୀତାଙ୍କୁ ଉପଭୋଗ କର (ଅର୍ଥାତ୍ ମୁଁ ସେ ଦୁହିଙ୍କୁ ଛାଡ଼ି ନ ପାରିଲାପରି ତୁମ୍ଭେ ଏ ଦୁହିଙ୍କୁ ଛାଡ଼ି ନ ପାର) (ଯେଉଁ ସୀତା ଉତ୍ତମ ଯୋଗରେ (ବେଳାରେ) ଭୂମିକୁ ଭେଦକରି ଜନ୍ମ ହୋଇଅଛନ୍ତି (ଅର୍ଥାତ୍ ଅଯୋନିଜା ଅଟନ୍ତି), ଯାହାଙ୍କୁ ଅଗ୍ନି ମଧ୍ୟ ଖାଇ ଜୀର୍ଣ୍ଣକରି ପାରିଲା ନାହିଁ, ତାହାଙ୍କୁ ଅନ୍ୟ କେହି ପୁରୁଷ ‘ଧର୍ଷଣ’ ବଳାତ୍କାରପୂର୍ବକ ଆକ୍ରମଣ କରି ପାରିବ କି ? ତୁମ୍ଭେ ଏହା ବିଚାର କର ।’’ ମହାଦେବଙ୍କଠାରୁ ଏପରି କଥା ଶୁଣି ରାମ କହିଲେ, ‘‘ମୁଁ ସୀତାଙ୍କୁ ଅଗ୍ନି ପରୀକ୍ଷା କରିବାଦ୍ୱାରା ଲୋକନିନ୍ଦାକୁ ଧ୍ୱଂସ କଲି; କିନ୍ତୁ ଏହା କରିବା ମୋର ଉଚିତ କି ଅନୁଚିତ ଆପଣ ବୁଝନ୍ତୁ । ଯଦି ମୁଁ ପ୍ରକୃତରେ ନାରାୟଣ ଅଟେ, ତାହାହେଲେ ତ ମୋତେ ବିପ୍ରମାନେ ବିନୟ ପୂର୍ବକ ସେବା କରିବେ।’’

 

୧୪ଶ ପଦ :- ରାମଙ୍କର ଏହି କଥାଶୁଣି ବ୍ରହ୍ମା କହିଲେ, ‘‘ମୋ ପୁତ୍ର ବଶିଷ୍ଠ ଏବଂ ଶିବଙ୍କ ବାକ୍ୟ ସତ୍ୟ ଅଟେ । ମୋର ମିତ୍ର ବାମଦେବ ଋକ୍ଷ ଆପଣଙ୍କୁ ବିଷ୍ଣୁ ବୋଲି ଜାଣିପାରି ଅନୁସରଣ କରିଅଛନ୍ତି, ଏମାନଙ୍କର ପୁତ୍ରମାନେ ମଧ୍ୟ ଆପଣଙ୍କୁ ସେବାକରି କାଳ କଟାଇବେ ।’’ ଏହା ଶୁଣି ରାମଚନ୍ଦ୍ର କହିଲେ, ‘‘ହେ ଦେବତାମାନେ ! ଦୁଷ୍ଟ ରାକ୍ଷସମାନଙ୍କ ବ୍ୟତୀତ ମରି ପଡ଼ିଥିବା ଋକ୍ଷ ଓ କପିମାନେ ଆମ୍ଭର ଆଦେଶ ପାଳନ କରି ବଞ୍ଚନ୍ତୁ ।’’ ଏହା ଶୁଣି ଦେବତାମାନେ ଅମୃତ ବୃଷ୍ଟି କରିବାରୁ, ବସନ୍ତ ପବନ ବହିଲେ ଯେପରି ସମସ୍ତ ବୃକ୍ଷମାନେ ପଲ୍ଲବିତ ହୁଅନ୍ତି ସେହିପରି ସମସ୍ତ ଋକ୍ଷ ଓ କପି ସୈନ୍ୟମାନେ ଜୀଇଁ ଉଠିଲେ; କିନ୍ତୁ ସେହି ବସନ୍ତ ପବନଦ୍ୱାରା ବାଉଁଶ ବୃକ୍ଷ ପଲ୍ଲବିତ ନ ହେଲାପରି; ଦୁଷ୍ଟ ରାବଣବଂଶୀୟ ଅସୁରମାନେ ବଞ୍ଚି ନ ଉଠି ପଡ଼ି ରହିଲେ । ହେ ପଣ୍ଡିତମାନେ ! ଏହା ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟାନ୍ୱିତ ହେଲେ ।

 

୧୫ଶ ପଦ :- ଯେପରି ଲୋକମାନେ କାର୍ଯ୍ୟକ୍ଷତ୍ରରେ ଅତ୍ୟଧିକ ପରିଶ୍ରମକରି କ୍ଲାନ୍ତି ହୋଇ ଶୋଇ ପଡ଼ନ୍ତି ଏବଂ ପରେ ନିଦ୍ରାରୁ ଉଠି ସ୍ୱସ୍ୱ କାର୍ଯ୍ୟରେ ଲାଗନ୍ତି, ସେହିପରି ଅମୃତ ବୃଷ୍ଟିଦ୍ୱାରା ଋକ୍ଷ ଓ କପି ସୈନ୍ୟମାନେ ନିଦ୍ରାରୁ ଉଠି ପୁନର୍ବାର ଯୁଦ୍ଧ କରିବା ନିମିତ୍ତ ଧାଇଁଲେ । ଏହା ଦେଖି ରାମଚନ୍ଦ୍ର ଓ ବିଭୀଷଣ-ଏହି ଦୁହିଙ୍କ ପକ୍ଷରୁ ମନ୍ତ୍ରୀମାନେ ଦୌଡ଼ିଯାଇ ସେମାନଙ୍କୁ ନିବର୍ତ୍ତାଇଲେ । ତତ୍‌ପରେ ସମସ୍ତ ଦେବତାମାନେ ସ୍ୱର୍ଗକୁ ଫେରିଗଲେ ଓ ରାମଚନ୍ଦ୍ର ‘ଶୀଘ୍ର ଅଯୋଧ୍ୟାକୁ କିପରି ଯିବା’ ଏହି କଥା କହିଲେ । ଏହା ଶୁଣି ବିଭୀଷଣ ପୁଷ୍ପକଯାନ ରାମଙ୍କୁ ଅର୍ପଣ କଲେ ଓ ମନ୍ଦୋଦରୀ ସୀତାଙ୍କ ନିକଟରେ ବିନତି କରିବାକୁ ଳାଗିଲେ । ରାମଚନ୍ଦ୍ର ସୈନ୍ୟମାନଙ୍କ ସହିତ ସେହି ଯାନରେ ଆରୋହଣ କରିବାରୁ ତାହା ଆକାଶ ମାର୍ଗରେ ଗମନ କଲା ।

 

ବର୍ଣ୍ଣ ବର୍ଣ୍ଣନେ ଅମରବରମଣି ମରକତ କରି ଯାହାରେ ।

ବାଚକ ସେ ପ୍ରିୟାରେ ସ୍ନେହଭରେ ।

ବସିବା ଦମ୍ପତ୍ତି                         ସମ୍ପତ୍ତିରେ ରଥେ

ପ୍ରତେ ନ ଥିଲା ମନରେ ରେ । ବାନ୍ଧବି ।

ବାଳାମଣି ଶୁଣି କଲେ ଉତ୍ତର । ବିପତ୍ତି କି ସାକ୍ଷୀ ଗୁଡ଼ିଏ ମୋର ।

ବିରସ ହରଷ ସ୍ପରଶକୁ ଦରଶନ କଲା ଦଇବର ହେ ବାନ୍ଧବ । ୧୬ ।

 

ବିଦର୍ପକର ଦର୍ପକର ରୁଚି ଯେ ଭାରତୀ ରଚି ସେ ବିଚିତ୍ରେ ।

ବହେ ତୃଣାଙ୍କୁର ମେରୁ ତୋ ଗାତ୍ରେ ।

ବନ୍ଧ ବନ୍ଧନ                         ନଳହେତୁ ଜଳରେ

ତଥା ରହିଛନ୍ତି ଗୋତ୍ରେ ରେ । ବାନ୍ଧବି ।

ବରୁଣର ପ୍ରସନ୍ନ ମନେ ଧ୍ୟାୟି । ବିହିଏସ୍ତାନେ କୁଶଶଯ୍ୟା ମୁହିଁ ।

ବାମାକ୍ଷୀ ଭାଷେ ଅଶୋକବନ ଦିଶେ ଏଥେଁ ମୁଁ ମହୀରେ ଶୋଇ ହେ । ବାନ୍ଧବ । ୧୭ ।

 

ବ୍ୟବସ୍ଥିତେ ଦେଖ ମାଲ୍ୟବନ୍ତ କେଶି । ମାଲ୍ୟବନ୍ତ ରାମ କଥିତ ।

ବଞ୍ଚିବାରେ ବରଷା କି ବ୍ୟଥିତ ।

ବରଗିଲୁଁଦୂତ                         ତୋପାଶେ ଉଦନ୍ତ

ଘେନି ସେ ବାହୁଡି ସ୍ଥିତରେ । ବାନ୍ଧବି ।

ବୃକ୍ଷ ଶିଂଶପାଏ ସେ ସୀତା ବୋଲି । ବ୍ୟଥାବଶେ ମୁଁ ଯଥା ଆଶ୍ରା କଲି ।

ବାରତା ପାଇଁ ତା ତଳେ ଆଶାବୃର୍ଦ୍ଧି ଆଶାମାନ ଚାହୁଁଥିଲି ହେ । ବାନ୍ଧବ । ୧୮ ।

 

ବିକୁକ୍ଷିବଂଶୀ ବୋଲନ୍ତି କ୍ଷୀଣକୁକ୍ଷି ଅନା ଏ ଋଷ୍ୟମୁକ ଦିଶେ ।

ବ୍ୟପିଥିଲା ସନ୍ତାପ ତମନିଶି ।

ବାୟୁଜ ଅରୁଣ                         ସହ ମିତ୍ର ସମ୍ବା

ଦରେ ହୃଦପଦ୍ମ ତୋଷିରେ । ବାନ୍ଧବି ।

ବିଦ୍ଧ କଉଶିକଭବ ଗୁପ୍ତରେ । ବଇଦେହୀ ପ୍ରଣାମ ତାହା କରେ ।

ବିହୀନ । ମୁଁ ଚନ୍ଦ୍ରତାରା ଭୂଷଣରେଦୀନ ହୋଇ ଏହିଠାରେ ହେ । ବାନ୍ଧବ । ୧୯ ।

 

ବିଚ୍ଛେଦି ଥିଲା ଦମ୍ଭ ତରୁଣି-ବିଚ୍ଛେଦ-ପରଶୁ ତୋହର ।

ବାହୁବନ୍ଦେ ପଡିଲୁଁ କବନ୍ଧର ।

ବିନାଦର କଲା                         ସୋଦର ଏ ସ୍ଥାନେ

ଗିର ଆଦରି ରାମର ଯେ । ବରାଙ୍ଗୀ ।

ବୋଲେ ତୁମ୍ଭେ ବଳବନ୍ତ କେଶରୀ । ବିଚାର ମୁଁ ଅବଳା ସୁକୁମାରୀ ।

ବିଲୋକନ କର ଏ ପଞ୍ଚବଟୀକି ଏହି ସିନା କଷ୍ଟକାରୀ ହେ । ବାନ୍ଧବ । ୨୦ ।

 

୧୬ଶ ପଦ :- ଅମରବରମଣ- ଇନ୍ଦ୍ର ନୀଳମଣି । ଦମ୍ପତି ସମ୍ପତିହୋଇ- ସ୍ତ୍ରୀ ଓ ପୁରୁଷ ଏକତ୍ର ହୋଇ ।

 

୧୬ଶ ପଦ :- ଯାହାଙ୍କର ଶରୀର କାନ୍ତିକୁ ବର୍ଣ୍ଣନା କରିବାକୁ ହେଲେ ମହାନୀଳମଣି କିମ୍ବା ମରକତ ମଣିର ତେଜ ସହିତ ସମାନ କରି ବର୍ଣ୍ଣନା କରିବାକୁ ହୁଏ, ସେହି ରାମଚନ୍ଦ୍ର ଅତି ସ୍ନେହରେ ପ୍ରିୟା ସୀତାଙ୍କୁ କହିଲେ, ‘ଗୋ ବାନ୍ଧବୀ ! ଏହି ରଥରେ ଆମ୍ଭେ ଦୁହେଁ ଗୃହସ୍ଥ ଓ ଗୃହିଣୀ ହୋଇ ବସିବା ବୋଲି ମୋ ମନରେ ବିଶ୍ୱାସ ହେଉ ନ ଥିଲେ ।’’ ସ୍ତ୍ରୀ ଶ୍ରେଷ୍ଠା ସୀତା ଉତ୍ତର କଲେ, ‘‘ଏହି ଯାନ ମୋର ବିପତ୍ତି ଓ ସମ୍ପତ୍ତି ସମୟରେ ସାକ୍ଷୀ ଅଟେ । ହେ ବାନ୍ଧବ ! ମୋତେ ବିପତ୍ତି ଆକ୍ରମଣ କରିବା ଓ ମୋତେ ସମ୍ପତ୍ତି ସ୍ପର୍ଶ କରିବା ଅର୍ଥାତ୍ ମୋର ମନ୍ଦଦଶା ଓ ଭଲଦଶା ଉଭୟକୁ ଏହି ଯାନ ଦୈବ ଯୋଗରେ ଦେଖିଲା ।’’

 

୧୭ଶ ପଦ :- ଦର୍ପକ-କନ୍ଦର୍ପ । ଭାରତୀ-ବଚନ । ଗୋତ୍ରେ-ପର୍ବତମାନେ ।

 

୧୭ଶ ପଦ :- କନ୍ଦର୍ପଠାରୁ ଅଧିକସୁନ୍ଦର ରାମଚନ୍ଦ୍ର ସୀତାଙ୍କଠାରୁ ଏହା ଶୁଣି ବିଚିତ୍ର ଭାବରେ କହିଲେ ‘ଗୋ ବାନ୍ଧବୀ । ଯେପରି ତୁମ୍ଭ ଦେହରେ ‘ତୃଣାଙ୍କୁ, ଘାସ ଗଜାପରି ଅତ୍ୟନ୍ତ କ୍ଷୀଣ କଟୀ ପ୍ରଦେଶ ‘ମେରୁ’ ପର୍ବତ ତୁଲ୍ୟ ଅତ୍ୟନ୍ତ ଉନ୍ନତ କୁଚକୁ ବହନ କରିଅଛି’ ସେହିପରି ନଳ ନାମକ ବାନର ଯୋଗୁଁ ‘‘ବନ୍ଧବନ୍ଧନ’’ ବନ୍ଧ ରୂପରେ ବନ୍ଧା ଯାଇଥିବା ଅର୍ଥାତ୍ ବନ୍ଧୁ ନିର୍ମାଣ କରିବା ନିମିତ୍ତ ବ୍ୟବହୃତ ହୋଇଥିବା ପର୍ବତମାନେ ପତଳାଜଳ ଉପରେ ରହିଅଛନ୍ତି । (ଏଠାରେ କ୍ଷୀଣକଟୀସହ ପତଳାଜଳ ଓ କୁଚ ସହିତ ପର୍ବତ ଉପମିତ) । ବରୁଣ ମୋତେ ପ୍ରସନ୍ନ ହେବେ,- ଏହି କଥା ମନରେ ଭାବି ମୁଁ ଏହି ସ୍ଥାନରେ କୁଶଶଯ୍ୟା କରିଥିଲି ।’’ ସୀତା କହିଲେ, ‘‘ହେ ନାଥ । ଏହି ଦେଖା ଯାଉଥିବା ଅଶୋକବନରେ ମୁଁ ଭୂଇଁରେ ଶୋଇଥିଲି । (ଅର୍ଥାତ୍ ଆମ୍ଭ ଦୁହିଙ୍କର ଦଶା ସମାନ ହୋଇଥିଲା ) ।’’

 

୧୮ଶ ପଦ :- ଆଶାମାନ-ଦିଗସବୁ ।

 

୧୮ଶ ପଦ :- ତତ୍‌ପରେ ରାମ କହିଲେ, ‘‘ହେ ମାଳାବିମଣ୍ଡିତ କେଶି ! ସ୍ତର ହୋଇ ଦେଖ, ଏ ଯେଉଁ ମାଲ୍ୟବନ୍ତ ପର୍ବତ ଦେଖାଯାଉଅଛି, ସେହି ପର୍ବତ ଉପରେ ରହି ମୁଁ ଦୁଃଖର ସହିତ ଅତି ଶୋକରେ ବର୍ଷାକାଳ ଅତିବାହିତ କରିଥିଲି ଏବଂ ସେହିଠାରୁ ତୁମ୍ଭ ନିକଟକୁ ଦୂତ ପଠାଇଥିଲି । ସେହି ଦୁତ ତୁମ୍ଭଠାରୁ ବାର୍ତ୍ତା ଆଣି ଏହିଠାରେ ଉପସ୍ଥିତ ହୋଇଥିଲା । ’’ ସୀତା କହିଲେ, ହେ ନାଥ ! ଏହି ବୃକ୍ଷର ନାମ ଶିଂଶପା । ମୁଁ ଦୁଃଖିତା ହୋଇ ଏହି ବୃକ୍ଷର ମୂଳକୁ ଆଶ୍ରୟ କରିଥିଲି ଏବଂ ତୁମ୍ଭର ବାର୍ତ୍ତା ପାଇବା ସକାଶେ ଆଶା ପୋଷଣ କରି ଦିଗମାନଙ୍କୁ ନିରୀକ୍ଷଣ କରୁଥିଲି ।’’

 

୧୯ଶ ପଦ :- କଉଶିକଭବ-ଇନ୍ଦ୍ରପୁତ୍ର (ବାଳି) ।

 

୧୯ଶ ପଦ :- ରାମଚନ୍ଦ୍ର କହିଲେ, ‘‘ରେ କ୍ଷୀଣୋଦରି । ଦେଖ, ଏହି ଦେଖା ଯାଉଥିବା ପର୍ବତର ନାମ ଋଷ୍ୟମୁକ । ଜଗତକୁ ଅନ୍ଧକାରଦ୍ୱାରା ଆବୃତ କରିଥିବା ରାତ୍ରର ଶେଷରେ ଅରୁଣ (ସୂର୍ଯ୍ୟ ସାରଥୀ) ଉଦୟ ହେବା ସଙ୍ଗେ ସଙ୍ଗେ ସୂର୍ଯ୍ୟ ଉଦୟ ହେବାର ‘ସମ୍ବାଦ’ ସୂଚନା ପାଇ, ପଦ୍ମିନୀ ଆନନ୍ଦିତା ହେଲାପରି; ମତେ ଆବୃତ କରିଥିବା ତୁମ୍ଭର ବିଯୋଗ ଦୁଃଖରୂପ ଅନ୍ଧକାର ରାତ୍ରିର ଶେଷରେ ହନୁମାନ ରୂପୀ ଅରୁଣଙ୍କ ସହିତ ସୂର୍ଯ୍ୟପୁତ୍ର ସୁଗ୍ରୀବ ପ୍ରକାଶିତ ହୋଇ (ମୋତେ ଦେଖା ଦେଇ) ତୁମ୍ଭର ସମ୍ବାଦଦ୍ୱାରା ମୋର ହୃଦୟ ପଦ୍ମକୁ ଆନନ୍ଦିତ କରାଇଲେ । (ଅର୍ଥାତ୍ ମୁଁ ଏହି ଋଷ୍ୟମୁକ ନିକଟରେ ଉପସ୍ଥିତ ହୁଅନ୍ତେ ହନୁମାନ ଓ ସୁଗ୍ରୀବ ଆସି ତୁମ୍ଭଙ୍କୁ ରାବଣ ନେଇଥିବାର ସମ୍ବାଦ ଦେଲେ) । ହେ ବାନ୍ଧବୀ । ମୁଁ ଏହିଠାରେ ଲୁଚିରହି ଇନ୍ଦ୍ରପୁତ୍ର ବାଳିକୁ ଶରବଦ୍ଧ କଲି । ସୀତା ଏହି ସବୁକଥା ସତ୍ୟ ମନେ କଲେ ଏବଂ କହିଲେ, ‘‘ହେ ନାଥ । ମୁଁ ଦୁଃଖିତା ହୋଇ ଏହିଠାରେ ଅତି ଉଜ୍ଜ୍ୱଳସ୍ୱର୍ଣ୍ଣଅଳଙ୍କାରମାନଙ୍କୁ ତ୍ୟାଗ କରିଥିଲି) ।’’

 

୨୦ଶ ପଦ :- ବିନାଦର-ଭୟଶୂନ୍ୟ ।

 

୨୦ଶ ପଦ :- ରାମ କହିଲେ, ‘‘ରେ ତରୁଣୀ ! ତୋବିଯୋଗ ରୂପ କୁଠାର ମୋର ଧୈର୍ଯ୍ୟରୂପ ବୃକ୍ଷକୁ ଛେଦନ କରିଥିଲା । ସେହି ସମୟରେ ଆମ୍ଭେ ଦୁହେଁ କବନ୍ଧ ରାକ୍ଷସର ବାହୁ ବନ୍ଧନରେ ପଡ଼ିଥିଲୁଁ, କିନ୍ତୁ ଲକ୍ଷ୍ମଣ ଏହି ସ୍ଥାନରେ ସେହି କବନ୍ଧ ଅସୁରକୁ ମାରି ଭୟ ଦୂର କଲା ।’’ ସୁନ୍ଦରୀ ସୀତା ରାମଚନ୍ଦ୍ରଙ୍କର ଏହି କଥାକୁ ଆଦରର ସହିତ ଶୁଣି କହିଲେ, ‘‘ହେ ନାଥ । ତୁମ୍ଭେ ସିଂହତୁଲ୍ୟ ବଳଶାଳୀ ଅଟ; ମାତ୍ର ମୁଁ ବଳହୀନା ହୋଇ ଥିବାରୁ ‘ସୁକୁମାରୀ କଷ୍ଟ ସହିପାରେ ନାହିଁ । ଏହି ପଞ୍ଚବଟୀ ବନକୁ ଦେଖନ୍ତୁ । ଏହି ବନ ସିନା ଆମ୍ଭଙ୍କୁ ଏତେ ଦୁଃଖ ପ୍ରଦାନ କରିଥିଲା ।’’

 

ବାହୁଜବର ବୋଇଲେ ବନଦୋଷ ବାନ୍ଧିବି ମନରେ ନ ଘେନ ।

ବଣିଜର ଭାବ କରି ବର୍ଦ୍ଧନ ।

ବସାଇ ବିଚ୍ଛେଦ                         ତୁଳପାତ୍ରେ ତୁଳି

ଦେଲା ସିନା ପ୍ରେମଧନରେ ବାନ୍ଧବି ।

ବାରେ ନିରେଖ ଚି କୁଟ ଗରି । ବିନୋଦକୁ ଥିଲୁ ଏଥେଁ ଆଦରି ।

ବୋଲୁଁଭରଦ୍ୱାଜ ବନେ ମିଳେ ରଥ ରହ ବେଲି ଯେଣୁ ସୁରି ସେ । ବୀରେନ୍ଦ୍ର । ୨୧ ।

 

ବ୍ୟୋମରେ ଅମରେ ଗମନ୍ତି କି ଋଷି କୁମରେ ମନେ କରିଥିଲେ ।

ବଳ ତ୍ରିବିଧରେ ଯହୁ ଦେଖିଲେ ।

ବଳି ତିରସ୍କାର                         ତ୍ରିବିତ୍ରମ୍ ତହିଁ

ଦେଖି ଗୁରୁଙ୍କୁ କହିଲେ ସେ । ବିଦୁଷେ ।

ବ୍ୟଗ୍ର ହୋଇ ପୂଜନ କଲେ ଆସି । ବେଳୁଁ ବେଳ ହୋଇଲେ ଅତି ତୋଷୀ

ବିଭିନ୍ନକର ହିରଣ୍ୟପ୍ରଭ ରଙ୍ଗେ ସେ ନରକେଶରୀ ଭାଷି ସେ । ବିଦୁଷେ । ୨୨ ।

 

ବସାଇ ଆଶ୍ରମେ ଆସନେ ଶୁଣିଲେ କାନ୍ତବିଚ୍ଛେଦ କଷ୍ଟ ଖେଦ ।

ବଧ କରିବା କବନ୍ଧ ତ୍ରବ୍ୟାଦ ।

ବିଦ୍ଧ ସପ୍ତଶାଳ                         ସୁଗ୍ରୀବ ସପକ୍ଷ

ବପୀନ୍ଦ୍ର କରିବା ଭିଦ ହେ । ବିଦୁଷେ ।

ବାରିପରେ ମହୀଧର ଭାସିବା । ବଂଶ ସହିତେ ରାବଣ ନାଶିବା ।

ବହିଲା ଗର୍ବ ସର୍ବ ମୋର ହୋଇଛି ଶୁଣି ମୁନି ପ୍ରଂଶସିବା ଯେ ବାତଜ । ୨୩ ।

 

ବନ୍ଦ୍ୟ ବନ୍ଦନୀୟ ଜାଣି ତାର ମନ ବାରୁଣୀବନେ ପଠିଆଇଁ ।

ବିଚ୍ଛନ୍ଦରେ ମହାଭୁଜ ଦେଖାଇ ।

ବିନ୍ଦାଣମଲ୍ଲସ୍ତମ୍ଭରେ                   କଳାପ୍ରାୟ

ଯୁଦ୍ଧାରମ୍ଭେ ଫୁଟି ରହି ସେ । ବାତଜ ।

ବିଭାବରୀ ସମ୍ମୁଖରେ ଯେମନ୍ତେ । ବନରୁହରେ ବନ୍ଦୀ ମଧୁବ୍ରତ ।

ବିମୁକ୍ତ କଲା ତହିଁରୁ ରାମନାମ ସ୍ମରଣ ହୋଇ ପ୍ରଭାତ ସେ । ବିଦୁଷେ । ୨୪ ।

 

ବୋଧ କଲେ ପ୍ରଭୁ ଭେଟୁ ଆସି ତେଜହୀନେ ଦେଇ ଏହି ଲକ୍ଷତ ।

ବ୍ୟାଘ୍ର ନାସାଛିଦ୍ର ଘାତେ ବ୍ୟଥିତ ।

ବିମର୍ଦ୍ଦନେ କ୍ଷମ                         କଦା ନେ ହେ, ହୋଏ

କି ତା ପ୍ରାକର୍ମ ନିନ୍ଦିତ ହେ । ବାତଜ ।

ବିଘ୍ନହୀନେ ଯା ରଭସ ତ୍ରାସିତ । ବିଜୟ ତୁ ହୁଅ ଆଜୁଁ ଜଗତ ।

ବୋଲିଣ କୈକେୟ ପାଶକୁ ପ୍ରେଷିତ ଜାଣିବାପାଇଁ ଉଦନ୍ତ ସେ । ବୀରେନ୍ଦ୍ର । ୨୫ ।

 

୨୧ଶ ପଦ :- ବାହୁଜବର-କ୍ଷତ୍ରିୟଶ୍ରେଷ୍ଠ । ବିନୋଦ-କ୍ରୀଡ଼ା ।

 

୨୧ଶ ପଦ :- ତାହା ଶୁଣି କ୍ଷତ୍ରିୟଶ୍ରେଷ୍ଠ ରାମଚନ୍ଦ୍ର କହିଲେ, ‘‘ହେ ବାନ୍ଧବୀ ! ବନର ଦୋଷ ହେଲେ ସୁଦ୍ଧା ତାହା ମନରେ ଘେନ ନାହିଁ । କାରଣ ବେପାରୀ ବିକ୍ରୟ ପଦାର୍ଥମାନଙ୍କୁ ବହୁ ପରିମାଣରେ ସଂଗ୍ରହ କରି ନିକିତିରେ ତୌଲିଲାପରି ପଞ୍ଚବଟୀ ଆମ୍ଭ ଦୁହିଁଙ୍କର ପ୍ରେମ ରୂପ ଧନକୁ ବଢ଼ାଇ ବିରହରୂପ ନିକିତିରେ ତୁଳି ହେଲା । (ଅର୍ଥାତ୍ ବିଚ୍ଛେଦ ହେତୁ ଆମ୍ଭ ଦୁହିଁଙ୍କର ପରସ୍ପର ମଧ୍ୟରେ ଥିବା ପ୍ରଗାଢ଼ ସ୍ନେହ ଜଣା ପଡ଼ିଗଲା) । ହେ ବାନ୍ଧବୀ । ଥରେମାତ୍ର ଚିତ୍ରକୁଟ ପର୍ବତକୁ ଦେଖ । ଯେ ହେତୁ ଆମ୍ଭେ ଦିନେ ଏଠାରେ ଆଦର ପୂର୍ବକ ବିହାର କରିଥିଲେ ।’’ ଏହିପରି କହୁ କହୁ ରଥ ଭରଦ୍ୱାଜ୍ ଋଷିଙ୍କ ଆଶ୍ରମ ନିକଟରେ ପହଞ୍ଚିଲା, ତେଣୁ ରାମଚନ୍ଦ୍ର ‘ରହ’ ବୋଲି ସ୍ମରଣ କରନ୍ତେ ରଥ ସେହିଠାରେ ରହିଲା ।

 

୨୨ଶ ପଦ :- ରାମଚନ୍ଦ୍ର ପୁଷ୍ପକ ଯାନରେ ବସି ଯାଉଥିବା ସମୟରେ ଋଷିବାଳକମାନେ ଦେଖି ମନେକଲେ, ‘ଦେବତାମାନେ ବ୍ୟୋମଯାନରେ ବସି ଆକାଶରେ ଯାଉଛନ୍ତି କି ? ତତ୍ପରେ ସେହି ରଥରେ ଭଲ୍ଲୁକ, ବାନର, ରାକ୍ଷସ, ଏହି ତିନି ଜାତୀୟ ସୈନ୍ୟମାନଙ୍କୁ ଓ ବଳିକୁ ଲାଞ୍ଛନା କରିବା ନିମିତ୍ତ ବାମନରୂପ ଧାରଣ କରିଥିବା ବିଷ୍ଣୁ (ରାମଚନ୍ଦ୍ର)ଙ୍କୁ ଦେଖି ଯାଇ ଗୁରୁଙ୍କୁ କହିଲେ, ହେ ପଣ୍ତିତମାନେ ! ଭରଦ୍ୱାଜ ଋଷି ଅତ୍ୟନ୍ତ ବ୍ୟଗ୍ର ହୋଇ ଆସି ରାମଙ୍କୁ ପୂଜା କଲେ, ଆଦର ସହିତ ଅଭ୍ୟର୍ଥନା କଲେ ଏବଂ ଅତିଶୟ ଆନନ୍ଦିତ ହୋଇ କହିଲେ, ‘‘ହେ ରାମଚନ୍ଦ୍ର ! ଆପଣ ହିରଣ୍ୟକଶିପୁ ପରି ଅତ୍ୟନ୍ତ ପରାକ୍ରମଶାଳୀ ରାବଣକୁ ଯୁଦ୍ଧରେ ନରସିଂହଙ୍କ ପରି ସ୍ୱୀୟ ହସ୍ତରେ ବିଦୀର୍ଣ୍ଣ କଲେ ।’’

 

୨୩ଶ ପଦ :- କ୍ରବ୍ୟାଦ - ଅସୁର । ମହୀଧର - ପର୍ବତ ।

 

୨୩ଶ ପଦ :- ହେ ପଣ୍ଡିତମାନେ ! ଭରଦ୍ୱାଜଋଷି ଆଶ୍ରମ ମଧ୍ୟରେ ରାମଙ୍କୁ ଆସନରେ ବସାଇ ତାଙ୍କଠାରୁ ସୀତା ହରଣ ଜନିତ ଦୁଃଖ, କବନ୍ଧର ବିକାଶ, ସପ୍ତଶାଳ ଭେଦ, ସୁଗ୍ରୀବର ମିତ୍ରତା ସମ୍ପାଦନ, ବାଳି ବଧ, ସେତୁବନ୍ଧ ନିର୍ମାଣ, ସବଂଶେ ରାବଣର ବଧ, - ଏହି ସମସ୍ତ ବିଷୟ ଶୁଣି ତାଙ୍କୁ ବହୁତ ପ୍ରଶଂସା କଲେ । ରାମଚନ୍ଦ୍ରଙ୍କୁ ପ୍ରଶଂସା କରିବାର ଶୁଣି ହନୁମାନ ଗର୍ବର ସହିତ ମନରେ ଭାବିଲା, ଏ ସମସ୍ତ ମୋହଦ୍ୱାରା ହୋଇଅଛି ।

 

୨୪ଶ ପଦ :- ପୂଜ୍ୟମାନଙ୍କର ମଧ୍ୟ ପୁଜନୀୟ ରାମଚନ୍ଦ୍ର ହନୁମାନର ମନକଥା ଜାଣିପାରି ତାହାକୁ ବାରୁଣୀ ନାମକ ବନକୁ ପ୍ରେରଣ କଲେ । ହନୁମାନ ସେହି ବନରେ ଉପସ୍ଥିତ ହୁଅନ୍ତେ ରାମଚନ୍ଦ୍ରଙ୍କ ମାୟାରେ ମହାଭୁଜ ନାମକ ଅସୁର ସମ୍ମୁଖରେ ପ୍ରବେଶ କଲା । ମାଲଖମ୍ବରେ ମାଲମାନେ ବିନ୍ଧାଣ କଲା ପରି ହନୁମାନ ତାହା ସହିତ ମଲ୍ଲଯୁଦ୍ଧ ଆରମ୍ଭ କଲା, ମାତ୍ର ତାହାକୁ ଜିଣି ନ ପାରି ହତୋତ୍ସାହ ହୋଇ ପଡ଼ିଲା । ସନ୍ଧ୍ୟା ସମୟରେ ପଦ୍ମଫୁଲ ମଧ୍ୟରେ ଭ୍ରମରବନ୍ଦୀ ହେଲାପରି ହନୁମାନ ମହାଭୂଜଦ୍ୱାରା ବନ୍ଦୀ ହେଲା । ହେ ପଣ୍ଡିତ ! ହନୁମାନ ତତ୍‌ପରେ ରାମନାମ ସ୍ମରଣ କରିବାରୁ ପ୍ରଭାତ କାଳରେ ଭ୍ରମରପଦ୍ମ ମଧ୍ୟରୁ ମୁକ୍ତ ହେଲା ପ୍ରାୟ ସେ ମହାଭୁଜ ବନ୍ଧନରୁ ମୁକ୍ତ ହେଲା ।

 

୨୫ଶ ପଦ :- ରଭସ - ଶୀଘ୍ର । କୈକେୟ - ଭରତ । ଉଦନ୍ତ - ବାର୍ତ୍ତା । ବିଘ୍ନହୀନ - ଭୟଶୂନ୍ୟ ।

 

୨୫ଶ ପଦ :- ହନୁମାନ ନିସ୍ତେଜ ହୋଇ ଆସି ରାମଙ୍କୁ ସାକ୍ଷାତ୍‌ କଲା । ଏହି ସମୟରେ ରାମଚନ୍ଦ୍ର ତାକୁ ସାନ୍ତ୍ୱନା ଦେବାନିମିତ୍ତ ଦୃଷ୍ଟାନ୍ତ ଦେଇ କହିଲେ ‘‘ବାଘକୁ ଯନ୍ତାରେ ଧରି ତାହାର ନାକ ଫୋଡ଼ି ପକାଇଲେ, ସେ ଉକ୍ତପୀଡ଼ାରେ ବ୍ୟଥିତ ହୋଇଥିବା ସମୟରେ ଅନ୍ୟକୁ ବଧ କରିବାକୁ ସମର୍ଥ ହୁଏ କି ? ଏହା ବୋଲି କଣ ତାହାର ପରାକ୍ରମକୁ ନିନ୍ଦା କରିବା ଉଚିତ ? ହେ ହନୁମାନ ! ତୁମ୍ଭେ ମହାଭୁଜଠାରୁ ହଠାତ୍‌ ଯେଉଁ ଭପ୍ରୋକ୍ତ ହୋଇଅଛ, ସେହି ଭୟ ଅପସାରିତ ହୋଇଅଛି । ସେଥିପାଇଁ ତୁମ୍ଭର ଶୌର୍ଯ୍ୟର ଆଶଙ୍କା କରିବାରୁ କଥା କିଛି ନାହିଁ । ତୁମ୍ଭେ ଆଜିଠାରୁ ଜଗତରେ ଏକମାତ୍ର ବିଜୟୀ ହୁଅ ।’’ ବୀରଶ୍ରେଷ୍ଠ ରାମଚନ୍ଦ୍ର ହନୁମାନକୁ ଏହି ବର ଦେଇ ‘ରାମ ଅଯୋଧ୍ୟାକୁ ଆସୁଅଛନ୍ତି’ ଏହିବାର୍ତ୍ତା ଜଣାଇବା ନିମିତ୍ତ ତାକୁ ଭରତଙ୍କ ନିକଟକୁ ପଠାଇଲେ ।

 

ବଦାଇଥିଲେ ଶୃଙ୍ଗବେରପାଳକି ମେଳି ହୋଇ ରାଗ ଜାଣିଲା ।

ବରାଟକ ବିନା ଗିରେ କିଣିଲା ।

ବ୍ୟୋମନାସିକା ପରା             ହୋଇ ଆକାଶେ

ବିଳାସ ପ୍ରକାଶ କଲା ସେ । ବାତଜ ।

ବଲ୍ମୀକରୁ ଯେମନ୍ତ ଇନ୍ଦ୍ରଚାପ । ବ୍ୟାପି ନଭରେ ଧରେ ପ୍ରଭାରୂପ ।

ବିଚିତ୍ରତା ଦେଖି ଅଯୋଧ୍ୟାଗମନେ ଉତ୍ସୁକ ଶବରାଧୀପ ସେ । ବିଦୁଷେ । ୨୬ ।

 

ବିଭର୍ତ୍ତି କରିଛି ଭରତ ଭରତଖଣ୍ଡ ଲକ୍ଷନୃପ ସସୈନ୍ୟେ ।

ବହେ ନନ୍ଦୀଗ୍ରାମ ଲକ୍ଷ ଏସନେ ।

ବହୁତ ତାରକା                         ନଭ ପ୍ରତିବିମ୍ବେ

ଜଳପାତ୍ରକେ ଯେସନେ ହେ । ବିଦୁଷେ ।

ବିତର୍କଇ ତା ଦେଖି ହନୁମନ୍ତ । ବୈମାତକରେ ଲକ୍ଷ୍ମଣ ଭରତ ।

ବାସିତ ପୁଷ୍ପ ସେ ଏ କଣ୍ଟକପାତ୍ର ଏକା କେତକୀରୁ ଜାତ ହେ । ବିଧାତ । ୨୭ ।

 

ବୋଲାବୋଲି ହେଉଁ ଲଙ୍କା କଟକାଇ ଲଗ୍ନ କେଉଁଦିନ ଶ୍ରବଣେ ।

ବିବେକ ତା ଲାଙ୍ଗଳୀ ସୁଲକ୍ଷଣେ ।

ବାହ୍ୟ କର୍କଶ                         ଦେଖାଇ ରସଗର୍ଭ

ବୋମୁଁ ଖସି ଭରତେ ପ୍ରଣିପତ୍ୟ । ବିଗ୍ରହରେ ଦେଖି ସେହୁ ଜଡିତ ।

ବାର୍ତ୍ତାକି ବାର୍ତ୍ତାକି ପୁଚ୍ଛୁଁ ଜୟ କରି ପ୍ରଭୁ ବିଜୟ ଭାଷିତ ସେ । ବାତଜ । ୨୮ ।

 

ବାରବାମାମୁଖୁଁ ଧାତ୍ରୀ ଶୁଣି ଭଣୁ ଜନୟିତ୍ରୀଗଣ ଆସିଲେ

ବାଣୀ ସଲକ୍ଷଣଟିକି ଭାଷିଲେ

ବୋଇଲେ ରାମଚନ୍ଦ୍ର,                   ଉଦେ ପୂର୍ଣ୍ଣରେ

କ୍ଷୀଣେ ସିନା ମୁଞ୍ଚିଥିଲେ । ବାତଜ

ବିଧାଇକି ବହୁତ ରୂପେ ଦେଇ । ବିଚାରନ୍ତେ ପାଛୋଟି ଯିବା ତହିଁ ।

ବିମାନେ ଗଗନେ ଆସନ୍ତି ସିନାସେ ସ୍ୱନାମ ଲକ୍ଷରେ ବହି ସେ । ବାତଜ । ୨୯ ।

 

ବନୌକା ଆଶ୍ରମେ ପୁଷ୍ପକାଳ ଶେଷ କରି ଅଶେଷ ତୋଷଭର ।

ବଇଦେହୀ ଭୋଗରେ ତତପର ।

ବିଗତ ଅନଙ୍ଗ-                         ଜ୍ଵର ସାନ୍ଵିପାତ

ଭୟ ସ୍ୟନ୍ଦନ ବିହାର ସେ । ବୀରେନ୍ଦ୍ର ।

ବାଦ୍ୟ ଶୁଭନ୍ତେ ଧରଣୀଉଛୁଳି । ବାହୁ ଉର୍ଦ୍ଧ୍ଵେ ନପତିବୃନ୍ଦ ତୋଳି

ବହୁତ କାକତଚକୀ ରଜ୍ଜୂଧୃତ କୁତୁକୀ କି ଦୃଷ୍ଟିଶାଳୀ ସେ ବିଦୁଷେ । ୩୦ ।

 

୨୬ଶ ପଦ :- ବଦାଇଥିଲେ - କହିଥିଲେ । ଶୃଙ୍ଗବେରପାଳକି - ଗୁହକ ଶବର । ରାଗ - ସ୍ନେହ, ଅନୁରାଗ । ବରାଟକ - କଉଡ଼ି । ବ୍ୟୋମନାସିକା - ଭାରତିଆ ପକ୍ଷୀ । ବାଲ୍ମୀକରୁ - ଉଇହୁଙ୍କାରୁ । ଇନ୍ଦ୍ରଚାପ - ଇନ୍ଦ୍ରଧନୁ ।

 

୨୬ଶ ପଦ :- ରାମଚନ୍ଦ୍ର ହନୁମାନକୁ କହିଥିଲେ ଯେ, ‘‘ତୁମ୍ଭେ ଅଯୋଧ୍ୟାକୁ ଯିବା ବାଟରେ ଶୃଙ୍ଗବେର ପୁରର ଶାସନକର୍ତ୍ତା ଗୁହକ ନାମକ ଶବରକୁ ଆମ୍ଭର ଆଗମନବାର୍ତ୍ତା କହିଦେଇ ଯିବ । ତେଣୁ ହନୁମାନ ବାଟରେ ଗୁହକ ସହିତ ସାକ୍ଷାତ କରି ଉକ୍ତ ବିଷୟ କହିବାବେଳେ ରାମଙ୍କଠାରେ ତାହାର ଯେ ପ୍ରଗାଢ଼ ଅନୁରାଗ ଅଛି, ତାହା ସେ ଭଲରୂପେ ଜାଣିପାରିଲା, କାରଣ ସେ ଶବରରାଜ କଉଡ଼ି ବ୍ୟତୀତ କେବଳ କଥାବାର୍ତ୍ତାରେ ହନୁମାନକୁ କିଣିପକାଇଲା । ସେଠାରୁ ବିଦାୟହୋଇ ହନୁମାନ ଭରତିଆ ପକ୍ଷୀପରି ଆକାର୍ଶମାର୍ଗରେ ଗମନ କରି ଗଲା । ହେ ପଣ୍ଡିତମାନେ । ସାନ୍ଦ୍ରମେଘରୁ ଇନ୍ଦ୍ରଧନୁ ଉତ୍‌ପନ୍ନ ହୋଇ ଆକାଶରେ ବ୍ୟାପ୍ତ ହେଲେ ଆକାଶ ଯେଉଁ ଶୋଭା ଧାରଣକରେ, ହନୁ ଅଯୋଧ୍ୟାକୁ ଯିବା ସମୟରେ ଠିକ୍‌ ସେହିପରି ନାନାରଙ୍ଗରେ ରଞ୍ଜିତ ହେବାର ଦେଖି, ଗୁହକ ଶବର ଆନନ୍ଦିତ ହେଲା ।

୨୭ଶ ପଦ :- ହନୁମାନ ନନ୍ଦିଗ୍ରାମକୁ ଆସି ଦେଖିଲା ଯେ, ଭରତ ଭରତଖଣ୍ଡରୁ ଲକ୍ଷ ଲକ୍ଷ ରାଜାମାନଙ୍କୁ ଅଣାଇଁ ସୈନ୍ୟମାନଙ୍କ ସହିତ ରଖି ତେଣୁ ନନ୍ଦିଗ୍ରାମ ଜଳପାତ୍ରରେ ପ୍ରତିବିମ୍ବିତ ହୋଇଥିବା ତାରକା ବିମଣ୍ଡିତ ଆକାଶରେ ଦେଖାଯାଉଅଛି । ହେ ପଣ୍ଡିତମାନେ ! ଏହା ଦେଖି ହନୁମାନ ମନେକଲା, ‘ରାମଚନ୍ଦ୍ରଙ୍କର ସାବତ ଭାଇ ଓ ଲକ୍ଷ୍ମଣ ଦୁହେଁ କେତକୀ ବୃକ୍ଷର ପତ୍ର ଓ ପୁଷ୍ପର ଗୁଣକୁ ଦାରଣ କରିଅଛନ୍ତି । କାରଣ କେତକୀର ବଡ଼ ପୁତ୍ର ଯେପରି କଣ୍ଟକଯୁକ୍ତ ଓ ସାନପୁଅ ପୁଷ୍ପ ଯେପରି ସୁବାସିତ ହୋଇଥାଏ; ସେହିପରି ବଡ଼ ଭରତ ରାମଙ୍କଠାରେ ‘କଣ୍ଟକଭାବ, ଶତ୍ରୁ ଭାବ ବହିଅଛନ୍ତି ଓ କନିଷ୍ଠ ଲକ୍ଷ୍ମଣ ‘ବାସିତ’ ସ୍ନେହଭାବକୁ ବହି ଅଛନ୍ତି ହେ ବିଧାତା ! ତୁ ସମସ୍ତ ଘଟନ ଘଟାଇ ପାରୁ ।

 

୨୮ଶ ପଦ :- ଲାଙ୍ଗଳୀ - ନାରିକେଳ । ବିଗ୍ରହରେ - ଦେହରେ ।

 

୨୮ଶ ପଦ :- ଏହି ସମୟରେ ସେହି ନନ୍ଦୀଗ୍ରାମସ୍ଥ ସୈନିକମାନେ ‘ଲଙ୍କାକୁ କେଉଁଦିନ ଯୁଦ୍ଧଯାତ୍ରା କରିବାକୁ ଲଗ୍ନ ସୁଝୁଛି?’ ଏହି କଥା କଥାବାର୍ତ୍ତା ହେଉଥିବାର ଶୁଣି ହନୁମାନ ବିଚାରିଲା, ‘ଭରତ ନାରିକେଳ ଫଳର ଲକ୍ଷଣରେ ବିଭୂଷିତ ଅଟନ୍ତି, ତେଣୁ ଏମାନଙ୍କର ବାହାର କର୍କଶ ଦେଖା ଯାଉଥିଲେ ମଧ୍ୟ ଭିତର ରାମଙ୍କ ପ୍ରତି ଅନୁରାଗରେ ପୂର୍ଣ୍ଣ ହୋଇଅଛି ।’ ଏହିପରି ବିଚାର କରି ହନୁମାନ ସଙ୍ଗେ ସଙ୍ଗେ ଆକାଶରୁ ଅବତରଣ କରି ଭରତଙ୍କୁ ଅଭିନନ୍ଦନ କଲା । ଭରତ ହନୁମାନକୁ ଦେଖି ଆଲିଙ୍ଗନ ପୂର୍ବକ ‘ଖବର କଣ, ଖବର କଣ ବୋଲି ପଚାରିବାରୁ ହନୁମାନ କହିଲା, ‘‘ପ୍ରଭୁ ରାବଣକୁ ଜୟକରି ଅଯୋଧ୍ୟାକୁ ଫେରୁଅଛନ୍ତି ।’’

 

୨୯ଶ ପଦ –ବାର ବାମମୂଖୁଁ - ବେଶ୍ୟାମାନଙ୍କ ମୁଖରୁ । ଧାତ୍ରି - ଧାଈ । ଜନୟିତ୍ରୀଗଣ - ମାତାମାନେ ।

 

୨୯ଶ ପଦ :- ‘ରାମ ଆସିଲେଣି’ ଏହି କଥା ବେଶ୍ୟାମାନଙ୍କ ମୁଖରୁ ଧାଈମାନେ ଶୁଣି ରାମଙ୍କର ମା ମାନଙ୍କ ନିକଟରେ କହିବାରୁ, ସେମାନେ ଆସି ହନୁମାନ ନିକଟରେ ଉପସ୍ଥିତ ହୋଇ ପଚାରିଲେ, ‘‘ରାମଚନ୍ଦ୍ର ସର୍ବଶୁଭରେ ଲକ୍ଷ୍ମଣଙ୍କ ସହିତ ଆସୁଛନ୍ତିଟି କି ?’’ ହନୁମାନ କହିଲା, ‘‘ଚନ୍ଦ୍ର ଯେପରି କ୍ଷୀଣ ହେଲେ ‘ସଲକ୍ଷଣ’ ଚିହ୍ନଯୁକ୍ତ ହୁଅନ୍ତି ନାହିଁ ଏବଂ ପୂର୍ଣ୍ଣ ହେଲେ ଚିହ୍ନଯୁକ୍ତ ହୁଅନ୍ତି; ସେହିପରି ରାମଚନ୍ଦ୍ର ସୀତାଙ୍କୁ ହରାଇଥିବା ସମୟରେ ସିନା କ୍ଷୀଣ ହୋଇଥିଲେ ବର୍ତ୍ତମାନ ପୂର୍ଣ୍ଣଭାଗରେ ପ୍ରକାଶିତ ହୋଇ ଅଛନ୍ତି; ସଲକ୍ଷଣ ନ ହେବେ କାହିଁକି? (ଅର୍ଥାତ୍‌ ରାମ ରାବଣକୁ ମାରି ସୀତାଙ୍କୁ ଉଦ୍ଧାରକରି ଶକ୍ତିବିଦ୍ଧ ଲକ୍ଷ୍ମଣଙ୍କୁ ମୁଁ ନେଇଯାଇଥିବା ଗନ୍ଧମାର୍ଦ୍ଦନସ୍ଥ ଔଷଧଦ୍ୱାରା ଆାରୋଗ୍ୟ କରି ଆନନ୍ଦରେ ଆସୁଅଛନ୍ତି) ।’’ ଏହା ଶୁଣିବା ସଙ୍ଗେ ସଙ୍ଗେ ଭରତ ଜନନୀମାନଙ୍କ ସହିତ ବହୁତ ବଧାଇ (ପୁରଷ୍କାର) ହନୁମାନକୁ ଦେଲେ ଏବଂ ରାମଙ୍କୁ ପାଛୋଟି ଆଣିବାକୁ ଯିବାପାଇଁ ବିଚାର କରନ୍ତେ, ହନୁମାନ କହିଲା’ ‘‘ରାମଚନ୍ଦ୍ର ‘ସ୍ୱନାମ ଲକ୍ଷରେ ରମଣୀୟ ଚନ୍ଦ୍ରଙ୍କ ପରି ବିମାନରେ ବସି ଆକାଶମାର୍ଗରେ ଆଗମନ କରୁଅଛନ୍ତି । ତେଣୁ ପଦବ୍ରଜରେ ତାଙ୍କୁ ପାଛୋଟି ଆଣିବାକୁ ଯିବା ଅସମ୍ଭବ ) ।’’

 

୩୦ଶ ପଦ :- ବନୌକାଆଶ୍ରମେ - ଭରଦ୍ୱାଜ ଆଶ୍ରମରେ । ପୁଷ୍ପକାଳ - ରାତ୍ରିକାଳ, (ରାତ୍ରିରେ ପୁଷ୍ପମାନେ ବିକାଶିତ ହେବାରୁ ତାକୁ ପୁଷ୍ପକାଳ କହନ୍ତି) । ଅନଙ୍ଗଜ୍ୱର - କାମଜ୍ୱର । ସ୍ୟନ୍ଦନ - ରଥ ।

 

୩୦ଶ ପଦ :- ରାମଚନ୍ଦ୍ର ବନବାସୀ ଭରଦ୍ୱାଜ ଋଷିଙ୍କ ଆଶ୍ରମରେ ସେ ଦିନକ ରହି ଉତ୍‌ଫୁଲ୍ଲ ମନରେ ସୀତାଙ୍କ ସହିତ ସମ୍ବୋଗରେ ରତି ହେବାଦ୍ୱାରା କାମଜ୍ୱର ରୂପ ସନ୍ନିପାତରୁ ଆରୋଗ୍ୟ ଲାଭ କରିବା ପରେ ରାତ୍ରିର ଶେଷରେ (ପ୍ରାତଃକାଳରେ) ରଥରେ ଉପବେଶନ କଲେ । ହେ ପଣ୍ଡିତମାନେ । ଏହି ସମୟରେ ବାଦ୍ୟନାଦରେ ପୃଥିବୀ ଉଛୁଳି ଉଠିବାରୁ କୌତୁକୀ ଲୋକ ବାହୁ ଟେକାକିଗଜଚକୀର ଦଉଡ଼ିକୁ କୌତୁକରେ ଧରି ଶୂନ୍ୟକୁ ଚାହିଁଲା ପରି ନନ୍ଦୀଗ୍ରାମରେ ରୁଣ୍ଡ ହୋଇଥିବା ରାଜାମାନେ ଆନନ୍ଦରେ ଶୂନ୍ୟଗ୍ରାମୀ ରଥକୁ ଚାହିଁଲେ ।

 

ବାଲ୍ୟଅବସ୍ଥା ସୁମରଣା ନିର୍ଜରେ ସାରଣୀ ଫିଙ୍ଗିଲା ପରିରେ ।

ବିମାନ ଯେ ଖସି ଆସି ସତ୍ଵରେ ।

ବିଳସି ପାରାବତ                         ବୃକ୍ଷେ ବସିବା

ପରାୟେ ସ୍ଥିତ ମହୀରେ ସେ । ବିମାନ ।

ବ୍ୟୋମକେଶ ବୋଲାନ୍ତି ତ୍ରିଲୋଚନ । ବୁଝିବାରେ ଉପମା ବିଦ୍ୟମାନ ।

ବିଭୂଷିଥିଲେ ପାରିଜାତମାଳକୁ ଖସି ସେ ହେଲା ପତନ କି । ବିଦୁଷେ । ୩୧ ।

 

ବନ୍ଧାଇ କି ଚୂଡ଼ା ରସା ରସାଳସା ଆକାଶ ବେଶକାରୀ ବଶେ ।

ବିରାଜଇ ଋକ୍ଷପ୍ରଭାଜାଳେ ସେ ।

ବନ୍ୟସ୍ତ କର୍ପୂର                         କାଠିକି ସୁକରେ

ରାମଗର୍ଭ ଦିବ୍ୟବାସେ । ବିଦୁଷେ ।

ବାହାରନ୍ତେ ସେ ରଥୁ ରଘୁମଣି । ବିକାଶେ କି ପୂର୍ବାଦ୍ରିରୁ ତରଣି ।

ବିପ୍ର ନୃପତି କଳାପ କରାଞ୍ଜଳି ନିଉଁଚ୍ଛାଳି ସ୍ତୁତି ଭଣି ହେ । ବିଦୁଷେ । ୩୨ ।

 

ବଡ଼ଦେଉଳ ଅଗ୍ରତରେ ଗୁଣ୍ଡିଚା ରଥ ଯେ ଦେଖିଛି ତରକ ।

ବିଲୋକନେ ବିଳସୀ ସର୍ବଲୋକ ।

ବିଦିତ ନରେଶେ                         ଉତ୍ସବ ସେଠାରେ

ଏ ନବଦିନ ସଂଖ୍ୟକ ହେ । ବିଦୁଷେ ।

ବେନି ସୋଦର ନମସ୍କାର ଅନ୍ତେ । ବଧୂ ନେଇ ଆନନ୍ଦେ ମାତୃବ୍ରାତେ

ବିଶେଷତ ଶୁଭରତ ସୁଭରତ ଶ୍ରୀ ରାମ କଟାକ୍ଷପାତେ ହେ । ବିଦୁଷେ । ୩୩ ।

 

ବାନରପତିରେ କେଶରୀ ସରିରେ ନରପତି ବିଧି ଆଦରେ ।

ବିପ୍ରବିଧି ସୁଷେଣ ଜାମ୍ବବରେ ।

ବଭୀଷଣେ ରାମ                         ଆଚାର ପ୍ରଚାର

ପ୍ରଶସିତ ସମସ୍ତରେ ହେ । ବିଦୁସେ ।

ବାଚକ ସେ କୃତାର୍ଥ ହେଲୁଁ ସର୍ବ । ବିଜେ ସଭାରେ ସମ୍ଭାରେ ରଘବ ।

ବିରଚି ସ୍ଥାନ ଚରଚି ସେ ଅନ୍ତରେ ସୁମତି-ସୁମନ୍ନ ଭାବ ହେ । ବିଦୁଶେ । ୩୪ ।

 

ବର୍ଦ୍ଧକି ବର୍ଦ୍ଧନ ଶୋଭା ଅଯୋଧ୍ୟାରେ ସେ ଦିନୁଁ ଅତି ଯତ୍ନେ କରୁଁ ।

ବିଶ୍ୱକର୍ମା ବାଞ୍ଛିତ କୃତେ ଗୁରୁ ।

ବିଜ୍ୱଳିତ ସେତ                         ଅନନ୍ତ ମଣିରେ

ଅନନ୍ତ ମଣିରେ ଚାରୁ ଏ । ବିଦୁଷେ ।

ବିଚାରଣା ଏ ଅଳକାଶୋଭିତା । ବଇଧବ୍ୟ ଅବସ୍ଥା ଆଲିଙ୍ଗତା ।

ବିଶେଷ ଅଙ୍କାର ମୁଞ୍ଚି ଗଲା କି କେବଳ କରିଣ ଚିନ୍ତା ଏ ବିଦୁଷେ । ୩୫ ।

 

 

୩୧ଶ ପଦ :- ନିର୍ଜରେ-ଯୁବକମାନେ । ସାରଣୀ-ଖେଳନା ବିଶେଷ । ତ୍ରିଲୋଚନ-ମହାଦେବ ।

 

୩୧ଶ ପଦ :- ଯୁବକମାନେ ପିଲାଦିନର କଥାକୁ ଭାବି ଯେପରି ମାରଣୀ ଫିଙ୍ଗନ୍ତି, ସେହିପରି ପୁଷ୍ପକ ବିମାନ ଅତିଶୀଘ୍ର ଆକାଶରୁ ଖସି ପାରାମାନ ଉଡ଼ିଆସି ବୃକ୍ଷଉପରେ ବସିଲାପରି ପୃଥିବୀ ଉପରେ ଅବସ୍ଥାନ କଲା ।

 

ହେ ପଣ୍ଡିତମାନେ ! ମହାଦେବ ବ୍ୟୋମକେଶ ନାମରେ ପରିଚିତ ଅଟନ୍ତି । ପୁଷ୍ପକ ବିମାନର ପତନ ହେବା ଦେଖି କବି ଏହି ଉପମାକୁ ମନରେ ଆଣିଲେ; - ‘ବ୍ୟୋମକେଶ’ ମହାଦେବଙ୍କ କେଶରେ ଥିବା ପାରିଜାତ ମାଳା ଖସି ପଡ଼ିଲା କି ?

 

୩୨ଶ ପଦ :- ପୁଷ୍ପକଯାନ ଭୂମିରେ ଉପସ୍ଥିତ ହୁଅନ୍ତେ ତାହାକୁ ଦେଖି ମନେହେଲା ପୃଥ୍ଵୀନାରୀ ଆକାଶରୂପୀ ବେଶକାରୀଦ୍ୱାରା ନିଜର ଚୁଡ଼ା (ଖୋଷା)କୁ ବନ୍ଧାଇଅଛି କି ? କାରଣ ଚୂଡ଼ା ଚନ୍ଦ୍ରଝୁମ୍ପା ପ୍ରଭୃତି କେଶାଳଙ୍କାରମାନଙ୍କ ଦ୍ୱାରା ବିଭୁଷିତା ହେଲାପରି ଏହି ଯାନ ଭାଲୁମାନଙ୍କର ଶାରୀରିକ ତେଜରେ ବିଭୂଷିତ ହୋଇଅଛି ଏବଂ ଅନାୟାସରେ ଚୂଡ଼ାର ମଧ୍ୟରେ ସୁନାର ଝରାକାଠି ଖଞ୍ଜି ତାକୁ ମନୋହର ପୁଷ୍ପମାଳଦ୍ୱାରା ସୁବାସିତ କଲାପରି, ଏହି ଯାନରେ ରାମଚନ୍ଦ୍ର ଓ ରାକ୍ଷସମାନେ କିଛିମାତ୍ର କଷ୍ଟ ଅନୁଭବ ନ କରି ବସିଥିବାରୁ ତାହା ମନୋହର ଦେଖାଯାଉଅଛି । ହେ ପଣ୍ଡିତମାନେ ! ସେହି ରଥରୁ ରାମଚନ୍ଦ୍ର ବାହାର ହୁଅନ୍ତେ ତାହାଙ୍କୁ ଦେଖି ମନେହେଲା, ଉଦୟ ପର୍ବତରୁ ସୂର୍ଯ୍ୟ ପ୍ରକାଶିତ ହେଲେ କି ? ସୂର୍ଯ୍ୟୋଦୟ ସମୟରେ ବ୍ରାହ୍ମଣମାନେ ହାତଯୋଡ଼ି ରାମଙ୍କୁ ସ୍ତୁତି କଲେ ।

 

୩୩ଶ ପଦ :- ମାତୃହାତେ - ମାଆମାନେ ।

 

୩୩ଶ ପଦ :- ପୁରୁଷୋତ୍ତମ କ୍ଷେତ୍ରସ୍ଥ ଜଗନ୍ନାଥ ଦେବଙ୍କ ଦେଉଳ ଆଗରେ ଯେଉଁମାନେ ଗୁଣ୍ଡିଚା ଏବଂ ବାହୁଡ଼ା ରଥ ଦେଖିଛନ୍ତି, ସେମାନେ ଅନୁମାନ କରନ୍ତୁ । ସେହି ବାହୁଡ଼ାବିଜେ ସମୟରେ ଯେପରି ଲୋକମାନେ ଜଗନ୍ନାଥଙ୍କୁ ଦେଖିବାକୁ ଅଭିଳାଷ ପ୍ରକାଶ କରିଥାନ୍ତି, ରାମଙ୍କର ବାହୁଡ଼ା ଯାତ୍ରା ସମୟରେ ସେହିପରି ଲୋକମାନେ ତାଙ୍କୁ ଦେଖିବାକୁ ଉଚ୍ଛନ୍ନ ହୋଇଥିଲେ । ପୁରୁଷୋତ୍ତମ କ୍ଷେତ୍ରରେ ସ୍ଥାନୀୟ ରାଜାଙ୍କଦ୍ୱାରା ବାହୁଡ଼ାବିଜୟ ପାଇଁ ନଅଦିନ ପର୍ଯ୍ୟନ୍ତ ଉତ୍ସବ ଅନୁଷ୍ଠିତ ହୋଇଥାଏ । ସେହିପରି ନନ୍ଦୀଗ୍ରାମରେ ଏହି ଉତ୍ସବ ରାଜାମାନଙ୍କଦ୍ୱାରା ଗୋଟିଏ ନୂତନ ଦିବସ ବୋଲି ନିର୍ଦ୍ଧାରିତ ହୋଇ ଅନୁଷ୍ଠିତ ହୋଇଥିଲା । ହେ ପଣ୍ଡିତମାନେ । ରଥରୁ ରାମ ଓ ଲକ୍ଷ୍ମଣ ଅବତରଣ କରିବା ସଙ୍ଗେ ଭରତ ଓ ଶତ୍ରୁଘ୍ନ ରାମଙ୍କୁ ନମସ୍କାର କରିସାରିବା ପରେ, ମାମାନେ ବୋହୁକୁ ନେଇ ଆନନ୍ଦରେ ଅନ୍ତଃପୁରକୁ ଗମନ କଲେ । ତତ୍ପରେ ରାମଚନ୍ଦ୍ରଙ୍କ ଦୃଷ୍ଟିପାତରୁ ତାଙ୍କର ମନକଥା ବୁଝିପାରି ସୁଶାସକ ଭରତ ସମସ୍ତଙ୍କୁ ଚର୍ଚ୍ଚା କରିବାକୁ ଲାଗିଲେ ।

 

୩୪ଶ ପଦ :- ଭରତ ସିଂହତୁଲ୍ୟ ପରାକ୍ରମୀ ସୁଗ୍ରୀବଙ୍କୁ ରାଜବିଧିରେ ସମ୍ମାନିତ କଲେ, ସୁଷେଣ ଓ ଜାମ୍ବବଙ୍କୁ ବ୍ରାହ୍ମଣ ସନ୍ତାନ ହୋଇଥିବାରୁ ବ୍ରାହ୍ମଣ ବିଧିରେ ଅଭିନନ୍ଦନ କଲେ । ତତ୍ପରେ ବିଭୀଷଣଙ୍କଠାରେ ରାମଚନ୍ଦ୍ର ଯେପରି ଆଚରଣ କରିଥିଲେ, ସେହିପରି ବ୍ୟବହାର କଲେ । ଭରତଙ୍କର ବ୍ୟବହାରରେ ସମସ୍ତେ ସନ୍ତୁଷ୍ଟ ହୋଇ ତାହାଙ୍କୁ ପ୍ରଶଂସା କରିବାକୁ ଲାଗିଲେ ଏବଂ କହିଲେ, ‘‘ହେ ଭରତ ! ଆମ୍ଭେ ତୁମ୍ଭର ସତ୍କାରରେ କୃତାର୍ଥ ହେଲୁ ।’’ ଏହି ସମୟରେ ରାମଚନ୍ଦ୍ର ମହାସମାରୋହରେ ସଭାରେ ବିଜେ କଲେ ଏବଂ ସୁବିବେଚକ ସୁମନ୍ତ ମନ୍ତ୍ରୀ ରାମଙ୍କ ସହିତ ଆସିଥିବା ସୈନିକମାନଙ୍କୁ ରହିବା ପାଇଁ ଘର ଦେଇ ଚର୍ଚ୍ଚା କରିବାକୁ ଲାଗିଲେ ।

 

୩୫ଶ ପଦ :- ସମ୍ଭାରେ - ଆଡ଼ମ୍ବର ସହିତ ।

 

୩୫ଶ ପଦ :- ରାମଚନ୍ଦ୍ର ଅଯୋଧ୍ୟାରେ ଉପସ୍ଥିତ ହେବା ଦିନଠାରୁ ବଢ଼ାଇମାନେ ଆସି ଅଯୋଧ୍ୟାପୁରର ଶୋଭାକୁ ବଢ଼ାଇବାକୁ ଲାଗିଲେ । ତାହା ଦେଖି ବିଶ୍ୱକର୍ମା ସେହି ବଢ଼ାଇମାନଙ୍କୁ ଗୁରୁ କରିବାକୁ ଇଚ୍ଛାକଲେ । (ଅର୍ଥାତ୍‌ ବଢ଼ାଇମାନଙ୍କର ଶିଳ୍ପଚାତୁରୀ ବିଶ୍ୱକର୍ମା ଶିଳ୍ପ ଚାତୁରୀଠାରୁ ବଳି ପଡ଼ିଲା) ପୂର୍ବେ ଯେଉଁ ଅଯୋଧ୍ୟା’ ଅନନ୍ତ ଶେଷେବତାରୀ ଲକ୍ଷ୍ମଣଙ୍କ ତେଜରେ ଅତିଶୟ ଉଜ୍ଜ୍ୱଳା ହୋଇଥିଲା, ବର୍ତ୍ତମାନ ସେହି ଅଯୋଧ୍ୟା ବହୁସଂଖ୍ୟକ ମଣିମାନଙ୍କର ତେଜରେ ଭୂଷିତ ହୋଇ ଅତି ମନୋହର ଦେଖାଗଲା । ହେ ପଣ୍ଡିତମାନେ । ଏହି ସମୟରେ ଅଯୋଧ୍ୟାର ଶୋଭା ଦେଖି ମନେ ହେଲା, ନାନାବିଧ ଶୋଭାର ଆଶ୍ରୟସ୍ଥଳୀ ଅଳକାପୁରୀ (ସୁରନଗରୀ) ବୈଧବ୍ୟ ଦଶା ପ୍ରାପ୍ତ ହୋଇ ସମସ୍ତ ଅଳଙ୍କାର ତ୍ୟାଗ ପୂର୍ବକ ଚିନ୍ତାରେ କେଉଁଆଡ଼େ ଚାଲିଗଲା କି ? (ନଚେତ୍‌ ପୃଥିବୀ ଏ ସ୍ୱର୍ଗୀୟ ଶୋଭାରେ ଭୂଷିତ ହୁଅନ୍ତା କିପରି ?)

 

ବୋଲଇ ଯେ ଲଙ୍କା ତହିଁ କରୁ ଶଙ୍କା ତା ପୁଷ୍ପ ଲଙ୍କାକେଶୁଁ ଖସି ।

ବିମଳିନ ପତନ ହୋଇ ଦିଶି ।

ବୟସ୍ଥା ଯହିଁ                         ଅମରବତୀ କହି

ବାର୍ଦ୍ଧକୀ ସ୍ୱଭାବ ଦିଶି ହେ । ବିଦୁଷେ ।

ବସେ ଭୋଗବତୀ ପଦତଳରେ । ବିଶ୍ୱସିତା ଦାସୀଭାବ ବଳରେ ।

ବଇକୁଣ୍ଠ ଯେହି ନାମେ ମର୍ତ୍ତ୍ୟେ ନାହିଁ ତା ତୁଲେ ତୁଳେ ତୁଳରେ ହେ । ବିଦୁଷେ । ୩୬ ।

 

ବିନୟ କୈକେୟ ପାଦୁକାକୁ ଥୋଇ ରଘୁବଂଶଈଶ ଛାମୁରେ ।

ବହ ନୃପ ପଦକୁ ତତପରେ ।

ବାସୁକୀ ବିନା                   ଧରା ଭାରା ଧାରଣ

ଆନ ସୋଦରେ କି ଚିରେ ହେ । ବୀରେନ୍ଦ୍ର ।

ବୋଲୁ ଶତ୍ରୁଘ୍ନ ଯଥାର୍ଥ ଉଚ୍ଚାରି । ବୋଲେ ସୁମନ୍ତ୍ର ହେଉ ଏ ସେପରି ।

ବିଷ୍ଣୁଙ୍କୁ ଅନୁସରି ବ୍ରହ୍ମା ଯେମନ୍ତ ସୃଷ୍ଟିପାଳନାକୁ କରି ହେ । ବୀରେଶ । ୩୭ ।

 

ବିଶିଷ୍ଟ ବିଶିଷ୍ଠ ଗୁରୁପୁଷ୍ୟା ଯୋଗେ ଅଭିଷେକ ହେବ । ଭାଷିତ ।

ବାମଦେବ କହି ହେଲେ ଏମନ୍ତ ।

ବନେ ଦୂଷଣ                         ନାଶିଅଛ ଅନୁଜ-

ପ୍ରସୂ ଦୂଷଣ ହର ତ ହେ । ବୀରେନ୍ଦ୍ର ।

ବିଭୁଅଙ୍ଗୀକୃତେ ଏହା ଶୁଣିଲେ । ବାୟୁପୁତ୍ରକୁ ଜାମ୍ବବ ଭଣିଲେ ।

ବାଳଖିଳ୍ୟାସହ ସନକାଦିମୁନି ଗଙ୍ଗାଦି ଜଳ ଆଣିଲେ ହେ । ବିଦୁଷେ । ୩୮ ।

 

ବିଭିନ୍ନ କଲେ ସଟାଯହୁଁ ହରିର ଅରଣ୍ୟବିହାର ଅନ୍ତର ।

ବସିବାକୁ ସମ୍ରାଟ ପଦବୀର

ବିଭୂଷି କୁନ୍ତଳ-                         ଦେଶ ପୁଷ୍ପପର

ଅଙ୍ଗଦେଶ ମନୋହର ହେ । ବିଦୁଷେ ।

ବହି ଅନନ୍ତ ଶୋଭା ମହୀଧାର୍ଯ୍ୟେ । ବିଧୂନକ୍ଷତ୍ରମାଳାରେ ବିରାଜେ ।

ବୋଇଲେ କନ୍ଦର୍ପ କୋଟିଏ ଗୋଟିଏ ଦଶନେ ଜନସମାଜେ ହେ ବିଦୁଷେ । ୩୯ ।

 

ବାଦ୍ୟଶବଦର ଗମକ ଚମକ ଦାନବେନ୍ଦ୍ର ଦାନ କରଣ ।

ବିଚାରିଲେ ମାଇଲେଣି ରାବଣ ।

ବାଜଣା ସାଜଣା                         କାହିଁକି ଏଣିକି

ମାରିବା ଇଛେ ଲବଣ ସେ । ବୀରେନ୍ଦ୍ର ।

ବ୍ୟାଳଶ୍ରେଷ୍ଠ ଦେଖିବା ଅଭିଷେକ । ବୋଲାବୋଲି ହୋଇ ଯିବା ଉତ୍ସୁକ ।

ବଚନେ ଭାବିତ ଲୋଚନେ ଦେଖିବେ ମହାଭାଗ୍ୟବନ୍ତ ଲୋକ ହେ । ବିଧିରେ । ୪୦ ।

 

୩୬ଶ ପଦ :- ଲଙ୍କା - ରାକ୍ଷସପୁର, ବିଟପୀ-ସ୍ତ୍ରୀ । ବାର୍ଦ୍ଧକୀ - ବୃଦ୍ଧାବସ୍ଥା । ଭୋଗବତୀ - ପାତାଳାପୁର ।

 

୩୬ଶ ପଦ :- ସେହି ନବନିର୍ମିତ ଅଯୋଧ୍ୟାପୁରୀର ଶୋଭା ଆବିର୍ଭାବ ହେବା ଦିନଠାରୁ ଲଙ୍କା କୁଳଟା ବୋଲାଇଲା । କାରଣ ଲଙ୍କା ରାବଣର ରାଜଧାନୀ ହେବା ପୂର୍ବରୁ କୁବେରଙ୍କ ରାଜଧାନୀ ହୋଇଥିଲା । ବର୍ତ୍ତମାନ ଅଯୋଧ୍ୟାପୁରୀର ଶୋଭାକୁ ଦେଖି ମୁଁ ଏହା ସହ ସମାନ ହେବି ନାହିଁ’ ବୋଲି ଭାବି ତାହାର କେଶରୁ ‘ପୁଷ୍ପଲଙ୍କା’ ଫୁଲ ପେଣ୍ଡା ଖସାଇ ପକାଇଲା ଓ ଫଳରେ ମଳିନ ଦେଖାଗଲା । ଯୁବତୀ (ଶୌନ୍ଦର୍ଯ୍ୟଶାଳିନୀ) ଇନ୍ଦ୍ରପୁରୀ ଅଯୋଧ୍ୟାର ଶୋଭା ଦେଖି ବୃଦ୍ଧାବସ୍ଥା ପ୍ରାପ୍ତ ହେଲାପରି ଦେଖାଗଲା । ହେ ପଣ୍ଡିତମାନେ ! ପାତାଳପୁରୀ ଅତି ବିଶ୍ୱସ୍ତା ଦାସୀ ପରି ପାଦତଳରେ ବସି ରହିଲା । (ପାତାଳପୁରୀ ନିମ୍ନଦେଶରେ ଥିବାରୁ ଦାସୀ ବୋଲି ବର୍ଣ୍ଣନା କରାଗଲା) । କେବଳ ବୈକୁଣ୍ଠପୁରର ନାମ ମର୍ତ୍ତ୍ୟରେ ନ ଥିବାରୁ ତାହା ସହିତ ଏହି ଅଯୋଧ୍ୟାକୁ ତୁଳନା କରିବାକୁ ହେବ । (ଅର୍ଥାତ୍‌ ଏକମାତ୍ର ବୈକୁଣ୍ଠ ସହିତ ତୁଳନୀୟ ଅଟେ) ।

 

୩୭ଶ ପଦ :- କିଛିଦିନପରେ ଦିନେ ଭରତ ରଘୁବଂଶଶ୍ରେଷ୍ଠ ରାମଙ୍କ ନିକଟରେ ରାମଙ୍କର ପୂର୍ବ ଦତ୍ତ କଠାଉ ଦୁଇଟି ରଖି ବିନୟାନ୍ୱିତ ହୋଇ କହିଲେ, ‘‘ବର୍ତ୍ତମାନ ରାଜପଦ ବହନ କରନ୍ତୁ । ଯେପରି ବାସୁକିଙ୍କ ବ୍ୟତୀତ ତାଙ୍କର ଅନ୍ୟ ଭାଇମାନେ ପୃଥିବୀର ଭାର ବହନ କରିବାକୁ ସମର୍ଥ ନୁହଁନ୍ତି, ସେହିପରି ବହୁକାଳ ପର୍ଯ୍ୟନ୍ତ ଏହି ରାଜ୍ୟଭାର ଧାରଣ କରିବାକୁ ଆପଣଙ୍କ ଭିନ୍ନ ଆପଣଙ୍କର ଅନ୍ୟ କୌଣସି ଭାଇ ସକ୍ଷମ ହେବେ ନାହିଁ । ଭାତୃ ଭକ୍ତ ଭରତ ଏହା କହିଲା ବେଳେ ଶତ୍ରୃଘ୍ନ ତାହା ଶୁଣି ଯଥାର୍ଥ ବୋଲି କହିଲେ । ସୁମନ୍ତ୍ର କହିଲେ, ‘‘ହେ ବୀରଶ୍ରେଷ୍ଠ ରାମଚନ୍ଦ୍ର । ବ୍ରହ୍ମା ଯେପରି ବିଷ୍ଣୁଙ୍କୁ ଅନୁସରି ସୃଷ୍ଟି ପାଳନ କରନ୍ତି, ସେହିପରି ଏମାନେ ଆପଣଙ୍କୁ ଅନୁସରି ରାଜ୍ୟପାଳନ କରିଅଛନ୍ତି ।

 

୩୮ଶ ପଦ :- ଅନୁଜପ୍ରସ - ଭରତର ମାତା ( କୈକେୟୀ ) ।

 

୩୮ଶ ପଦ :- ଏହି ସମୟରେ ଋଷିଶ୍ରେଷ୍ଠ ବଶିଷ୍ଟ କହିଲେ, ‘‘ଗୁରୁବାର ଦିନ ପୁଷ୍ୟା ନକ୍ଷତ୍ର ଅଛି, ଏହାକୁ ଗୁରୁପୁଷ୍ୟା ଯୋଗକହନ୍ତି । ଏହି ଯୋଗରେ ଆପଣ ଅଭିଷିକ୍ତ ହୁଅନ୍ତୁ ।’’ ତତ୍ପରେ ବାମଦେବ ଋଷି କହିଲେ, ‘‘ହେ ବୀର ଶ୍ରେଷ୍ଠ ! ଆପଣ ଦଣ୍ଡକାରଣ୍ୟରେ ଦୁଷଣ ନାମକ ରାକ୍ଷସକୁ ବିନାଶ କରିଅଛନ୍ତି; ବର୍ତ୍ତମାନ ବିମାତା କୈକେୟୀଙ୍କର ଦୋଷହରଣ କରନ୍ତୁ ଅର୍ଥାତ୍‌ ରାଜ୍ୟରେ ଅଭିଷିକ୍ତ ହେବାଦ୍ୱାରା ତାଙ୍କ ଦୋଷ କ୍ଷମା କରନ୍ତୁ ।’’ ବିଭୁ ରାମଚନ୍ଦ୍ର ବାମ ଦେବଙ୍କଠାରୁ ଏହି କଥା ଶୁଣିବା ପରେ ରାଜା ହେବାକୁ ସ୍ୱୀକାର କଲେ । ହେ ପଣ୍ଡିତମାନେ ! ରାମଚନ୍ଦ୍ରଙ୍କ ସ୍ୱୀକୃତ ପାଇ ଜାମ୍ବବ ମନ୍ତ୍ରୀ ହନୁମାନକୁ କହିବାରୁ ସେ ଯାଇ ବାଳାଖିଲ୍ୟାଋଷିମାନଙ୍କ ସହିତ ସନକାଦିଋଷିମାନଙ୍କୁ ନିମନ୍ତ୍ରଣ ଦେଲେ ଓ ଗଙ୍ଗାଦିତୀର୍ଥମାନଙ୍କର ଜଳ ଆଣିଲେ ।

 

୩୯ଶ ପଦ :- ସଟା - ସିଂହର କେଶର, କେଶ । ହରି - ସିଂହ । ଅନନ୍ତ - ଶେଷଦେବ, ଅସୀମ, ଆକାଶ ।

 

୩୯ଶ ପଦ :- ସିଂହ ଅରଣ୍ୟରେ ବିହାର କରି ବାହାର ହେଲେ ଯେପରି ତାହାର କେଶର ସବୁ ଇତସ୍ତତ ହୋଇଥାଏ; ସେହିପରି ରାମଚନ୍ଦ୍ର ବନବହିହାର ଶେଷ କରି ଅଯୋଧ୍ୟାକୁ ଆସି ରାଜପଦରେ ଅଭିଷିକ୍ତ ହେବା ନିମିତ୍ତ ମୁଣ୍ଡରେ ଥିବାଜଟାମାନଙ୍କୁ ବିଭିନ୍ନ କଲେ । ତତ୍‌ପରେ ସେ କେଶଗୁଚ୍ଛକୁ ପୁଷ୍ପମାନଙ୍କ ଦ୍ୱାରା ଓ ଶରୀରକୁ ଅତି ସୁନ୍ଦର ଭୁଷଣମାନଙ୍କଦ୍ୱାରା ବିଭୁଷିତ କଲେ । ହେ ପଣ୍ଡିତମାନେ ! ରାମଚନ୍ଦ୍ର ଭୁଭାରବହନ କରିବା ନିମିତ୍ତ ଅନୁପମ ଶୋଭାଧାରଣ କରି ନକ୍ଷତ୍ରମାନଙ୍କ ମଧ୍ୟରେ ଚନ୍ଦ୍ରଶୋଭା ପାଇଲା ପ୍ରାୟ ଶୋଭା ପାଇଲେ । ଏହି ସମୟରେ ଲୋକମାନେ ତାହାଙ୍କୁ ଦେଖି, ‘କୋଟିଏ କନ୍ଦର୍ପ ଏକତ୍ରିତ ହୋଇ ଗୋଟିଏ ମୂର୍ତ୍ତି ଧାରଣ କରି ଅଛନ୍ତ କି ?’’

 

୪୦ଶ ପଦ :- ଗମକ - ଗହଳି । ଦାନ - ଛେଦନ । ବ୍ୟାଜଶ୍ରେଷ୍ଠ - ବାସୁକି ।

 

୪୦ଶ ପଦ :- ଏହି ସମୟରେ ବାଜୁଥିବା ବାଦ୍ୟମାନଙ୍କର ଗହଳିଶବ୍ଦ ଶୁଣି ଲୋକମାନେ ବିଚାର କଲେ, ‘ରାମଚନ୍ଦ୍ର ପ୍ରଧାନ ପ୍ରଧାନ ରାକ୍ଷସମାନଙ୍କୁ ମାରିବା ନିମିତ୍ତ ଏହି ବାଦ୍ୟ ବଜାଇ ବାହାରୁଅଛନ୍ତି କି ?’ ପୁଣି ଭାବିଲେ ‘ରାବଣକୁ ତ ମାରି ସାରିଲେଣି, ଆଉ କାହିଁକି ଏପରି ବାଦ୍ୟ ବାଜୁଅଛି ? ଆଉ କଣ ଲବଣାସୁରକୁ ମାରିବାପାଇଁ ଇଚ୍ଛା କରୁଛନ୍ତି କି ? କିଛିକ୍ଷଣ ପରେ ଲୋକମାନେ ‘ରାମ ଅଭିଷେକ ହେଉ ଥିବାରୁ ବାଜା ବାଜିଛି - ଏହା ଜାଣିପାରି ଅଭିଷେକ ଦେଖିଯିବା ପାଇଁ ପରଷ୍ପର ମଧ୍ୟରେ ଆନନ୍ଦର ସହିତ କଥାବାର୍ତ୍ତା ହେଲେ । ସେତେବେଳେ ବାସୁକି ଏହି କଥା ଭାବିଲେ, ଏହି ଲୋକମାନେ ଅତ୍ୟନ୍ତ ଭାଗ୍ୟବାନ୍; ତେଣୁ ସ୍ୱୀୟଚକ୍ଷୁରେ ରାମାଭିଷେକ ଦେଖିବେ । ମୋର ତ ଭାଗ୍ୟ ଛୋଟ, ରାମାଭିଷେକ ଦେଖିବି କୁଆଡ଼ୁ ? (ମୁଁ ତ ପୃଥିବୀର ଭାର ଛାଡ଼ି ଯାଇପାରିବି ନାହିଁ ) ।’

 

ବାଜୀଗଜ ରଥ ପତ୍ତ ଚତୁରଙ୍ଗ ପରମ୍ପରା ହୋଇ ଏ ଥିଲା ।

ବିଧି ଏକ ନୂତନ ତହିଁ ହେଲା ।

ବାନର ଋକ୍ଷ                         ରାକ୍ଷସଙ୍କର ମେଳ ।

ହିଂସହୀନରାମଲୀଳା ହେ । ବିଦୁଷେ ।

ବଇଜୟନ୍ତୀ ଉଡ଼େ ବ୍ରାତ ବ୍ରାତ । ବନ୍ଦିବୃନ୍ଦ ବନ୍ଦନରେ ଉନ୍ମତ୍ତ ।

ବିଭୀଷଣ ସୁଗ୍ରୀବାଦି ମହୀପତି ଯାନମାନ ଆରୋହିତ ହେ । ବିବୁଧେ । ୪୧ ।

 

ବିଭ୍ରାଜ ହେଲେ ତ୍ରିଭୁବନକିରୀଟ ମର୍କତମଣି ସତ ରାମ ।

ବିଧିରେ ତ ଅଯୋଧ୍ୟା ନିଜଧାମ ।

ବପୁଷ୍ମନ୍ତେ ମୁକ୍ତ                         ବୋଇବେ କିଞ୍ଚିତେ

ଭାବିଲେ ଜନମି ପ୍ରେମ ହେ । ବିଦୁଷେ ।

ବୟାଳିଶପଦେ ଛାନ୍ଦ ମଧୁର । ବୋଲେ ଉପେନ୍ଦ୍ର ଭଞ୍ଜ ବୀରବର ।

ବୈହାସିକ ହେବେ ନ ବୁଝିଲା ଜନେତହିଁ କି କେଉଁ ବିଚାର ହେ । ବିବୁଧେ । ୪୨ ।

 

୪୧ଶ ପଦ :- ବିଭ୍ରାଜ - ଶୋଭିତ । ବପୁଷ୍ମନ୍ତେ - ଶରୀରଧାରୀମାନେ । ବୈହାସିକ - ଉପହାସିତ ।

 

୪୧ଶ ପଦ :- ଅଶୁ, ହସ୍ତୀ, ରଥ ଓ ପଦାତିକମାନଙ୍କ ଦ୍ୱାରା ଚତୁରଙ୍ଗବଳ ଗଠିତ ହେବାର ବହୁକାଳରୁ ନିୟମଥିଲା; କିନ୍ତୁ ଅଯୋଧ୍ୟାରେ ରାମାଭିଷେକ ଦିନଠାରୁ ଏକ ନୂତନ ନିୟମ ପ୍ରଣୟନ କରାଗଲା ଭାଲୁ, ବାନର ଓ ରାକ୍ଷସମାନେ ହିଂସାଶୂନ୍ୟ ହୋଇ ଏହି ସମୟରେ ଅସଂଖ୍ୟ ପତାକା ଉଡ଼ିଲା ଭାଟମାନେ ରାମଚନ୍ଦ୍ରଙ୍କ ସ୍ତୁତି ପଠନ କରିବାରେ ଉନ୍ମତ୍ତ ହେଲେ ପାଗଳ ଯେପରି ସର୍ବଦା ପ୍ରଳାପ କରୁଥାଏ, ଭାଟମାନେ ସେହିପରି ଅନବରତ ସ୍ତୁତି ପାଠକରିବାରେ ଲାଗିଲେ) ଏ ବଂ ବିଭୀଷଣ ଓ ସୁଗ୍ରୀବ ପ୍ରଭୃତି ରାଜାମାନେ ନାନାବିଧ ଯାନରେ ବସି ଅଭିଷେକ ସ୍ଥଳକୁ ଅଳଙ୍କୃତ କଲେ ।

 

୪୨ଶ ପଦ :- ସ୍ୱର୍ଗ, ମର୍ତ୍ତ୍ୟ ପାତାଳ ଏହି ତିନି ଭୁବନର ମୁକୁଟରେ ଖଚିତ ହୋଇଥିବା ଇନ୍ଦ୍ର ନୀଳମଣି ତୁଲ୍ୟ କାନ୍ତିବିଶିଷ୍ଟ ରାମଚନ୍ଦ୍ର ସେହି ଅଭିଷେକ ସମୟରେ ପ୍ରକୃତ ‘ତ୍ରିଭୁବନ ମୁକୁଟ ମରକତମଣି, ବିଶ୍ୱବିଜୟୀ ମହାରାଧିରାଜ ପରି ଦେଖାଗଲେ ଅର୍ଥାତ୍‌ ବୈଷ୍ଣବ ତେଜଧାରଣ କଲେ) ଏହା ସତ୍ୟ; ଯେହେତୁ ଅଯୋଧ୍ୟା’ ଅନ୍ୟ ଯୋଦ୍ଧମାନଙ୍କର ପ୍ରବେଶ ଶୂନ୍ୟ ସ୍ୱକୀୟ ବାସସ୍ଥାନ ଅର୍ଥାତ ବୈକୁଣ୍ଠପୁରୀ ପ୍ରକୃତରେ ଏହି ଅଯୋଧ୍ୟା ନଗରୀ ଅଟେ । (ଏଣୁ କିଛିମାତ୍ର ସନ୍ଦେହ କରିବା ଉଚିତ ନୁହେଁ ହେ ପଣ୍ଡିତମାନେ ! ସେହି ଅଭିଷେକକାଳୀନ ରାମଚନ୍ଦ୍ରଙ୍କୁ ଭାବି ହୃଦୟରେ ଅଳ୍ପ ମାତ୍ର ବୈଷ୍ଣବ ପ୍ରେମ ଜନ୍ମିଲେ ଶରୀରମାନେ ନିଶ୍ଚୟ ଲାଭ କରିବେ । ଏହି ମନୋହର ଛାନ୍ଦକୁ ଉପେନ୍ଦ୍ରଭଞ୍ଜ ବୟାଳିଶ ପଦରେ ରଚନା କଲେ । ହେ ପଣ୍ଡିତମାନେ । ଏହାକୁ ବୁଝି ନ ପାରିବା ଲୋକମାନେ ଅର୍ଥାତ୍‌ ମୂର୍ଖମାନେ ଯଦି ମୋତେ ଉପହାସ କରନ୍ତି, ତାହାହେଲେ ମୋର ସେମାନଙ୍କ ପ୍ରତି ଆଉ କିଛି ମାତ୍ର କହିବାକୁ ନାହିଁ ।

 

ଦ୍ୱିପଞ୍ଚାଶତ ଛାନ୍ଦ

(ରାଗ – ମଙ୍ଗଳ)

 

ବର୍ଣ୍ଣନେ କବି ଅଶେଷ ଯେଉଁ ମହୋତ୍ସବ ।

ବଂଶଚିତ ଚରିତରେ ବିଞ୍ଜେ ଅର୍ଥ ହେବ ହେ । ୧ ।

ବ୍ରହ୍ମପୁତ୍ର କହିବାର ଗୁରୁପୁଷ୍ୟାଯୋଗେ ।

ବାରୁଣାଳୟ କୃପାରେ ଯେ ସେ ସୀତାସଙ୍ଗେ ଯେ । ୨ ।

ବିଶାରଦ ଗଭୀର ଗୁଣରେ ଅତିଅନ୍ତ ।

ବିଳସିତ ରଙ୍ଗେ ବହୁଭୁବନେ ରାଜିତ ହେ । ୩ ।

ବକ ବାଜୀ ଶାମଳ କୁମ୍ଭୀରେ ସ୍ଥାନ ପୂର୍ଣ୍ଣ ।

ବିଦିତ ଶଙ୍ଖ ମଧୁରୀ ଆନକ ନିସ୍ଵନ ଯେ । ୪ ।

ବିଦ୍ୱାନ ଅନନ୍ତ ଯହିଁ ଆନ ଲକ୍ଷ ନାହିଁ ।

ବିସ୍ତୃତ ତାରତର ନେତ୍ରରେ ଚାରୁ ମୋହି ହେ । ୫ ।

 

୧ମ ପଦ :- ଅର୍ଥୀହେବ - ବାଞ୍ଛିତ ଫଳ ପ୍ରାପ୍ତ ହେବ ।

 

୧ମ ପଦ :- ଯେଉଁ ରାମଙ୍କର ଅଭିଷେକ ମହୋତ୍ସବ କବିମାନଙ୍କର ବର୍ଣ୍ଣନାଦ୍ୱାରା ଶେଷହୁଏ ନାହିଁ ସେହି ରାମଚନ୍ଦ୍ରଙ୍କର ଚରିତରେ ଚିତନିବେଶ କର, ସେ ତୁମ୍ଭମାନଙ୍କୁ ନିଶ୍ଚୟ ଅଭିଳଷିତ ଫଳ ପ୍ରଦାନ କରିବେ ।

 

୨ୟ ପଦ :- ବ୍ରହ୍ମପୁତ୍ର - ବଶିଷ୍ଠ । ବରୁଣାଜୟକୃପାରେ - କୃପ ସମୁଦ୍ରର ।

 

୨ୟ ପଦ :- କୃପାସିନ୍ଧୁ ରାମଚନ୍ଦ୍ର ବଶିଷ୍ଠଙ୍କ କହିବାନୁସାରେ ଗୁରୁପୁଷ୍ୟାଯୋଗ ଉପସ୍ଥିତ ହୁଅନ୍ତେ ସୀତାଙ୍କୁ ସଙ୍ଗରେ ଘେନି ଅଭିଷେକ ହେବା ନିମିତ୍ତ ରତ୍ନସିଂହାସନରେ ବିଜେ କଲେ ।

୩ୟ ପଦ –ସମୁଦ୍ରଯେପରି ଅତ୍ୟନ୍ତ ଗଭୀର ଗୁଣରେ ବିଶାରଦ ଅର୍ଥାତ୍‌ ଅତି ଗଭୀର, ତରଙ୍ଗାକୁଳିତ ଓ ଅପରିମିତ ଜଳପୂର୍ଣ୍ଣ ଅଟେ; ଏହି କୁରୁଣାସିନ୍ଧୁ ରାମଚନ୍ଦ୍ର ମଧ୍ୟ ସେହିପରି ସଦ୍‌ଗୁଣରେ ଅତ୍ୟନ୍ତଗଭୀର ଅର୍ଥାତ୍‌ ଦୟାଦାକ୍ଷିଣ୍ୟାଦି ବହୁଗୁଣସମ୍ପନ୍ନ ସୁଚତୁର- ବା କାର୍ଯ୍ୟଦକ୍ଷ ଓ ଚଉଦଭୁବନରେ ବିଖ୍ୟାତ ଅଟନ୍ତି ।

 

୪ର୍ଥ ପଦ :- ସମୁଦ୍ରରେ ଯେପରି କୌଣସି କୌଣସି ସ୍ଥଳ ବକପକ୍ଷୀ, ଶ୍ୟାମପକ୍ଷୀ, ସିନ୍ଧୁ ଘୋଟକ ଓ କୁମ୍ଭୀରମାନଙ୍କ ଦ୍ୱାରାପୂର୍ଣ୍ଣ, ଶଙ୍ଖ ନାନକ ଜଳଜନ୍ତୁର ବାସସ୍ଥାନ ଓ ଅନ୍ୟାନ୍ୟ ଜନଜନ୍ତୁମାନଙ୍କର ମନୋହର ଶବ୍ଦରେ ଝଙ୍କାରିତ ଅଟେ, ସେହିପରି ଏହି କରୁଣାସିନ୍ଧୁ ରାମଙ୍କର ଅଭିଷେକ ସ୍ଥାନ ଶିରୋଦେଶରେ ବକଶ୍ୟାମଳମଣ୍ଡିତ ବୀରମାନଙ୍କଦ୍ୱାରା ପରିବେଷ୍ଟିତ ଘୋଡ଼ା ଓ ହାତୀମାନଙ୍କ ଦ୍ୱାରା ପୂର୍ଣ୍ଣ ଓ ଶଙ୍ଖ, ମହୁରୀ ଢୋଲ ପ୍ରଭୃତି ବାଦ୍ୟମାନଙ୍କଦ୍ୱାରା ଶବ୍ଦିତ ଅଟେ ।

 

୫ମ ପଦ :- ବିତାନ - ଚାନ୍ଦୁଆ - ଆକାଶ ।

 

୫ମ ପଦ :- ସେହି ଅଭିଷେକ ସ୍ଥାନ ‘ଅନନ୍ତ’ ବହୁସଂଖ୍ୟକ ଚାନ୍ଦୁଆମାନଙ୍କଦ୍ୱାରା ଆଚ୍ଛାଦିତ, ତେଣୁ ତାହାକୁ ଅନ୍ୟ କୌଣସି ବସ୍ତୁର ସହିତ ତୁଳନା ନ କରି ‘ଅନନ୍ତ’ ଆକାଶ ସହିତ ତୁଳନା କରିବା ଉଚିତ । କାରଣ ଆକାଶ ଯେପରି ଅତିବିସ୍ତୃତ, ଉଜ୍ଜ୍ୱଳ ଓ ମନୋରମ ହୋଇଥିବାରୁ ଦର୍ଶକର ନୟନକୁ ମୋହିତ କରେ; ସେହିପରି ଏହି ଚାନ୍ଦୁଆସବୁ ମନୋହର ବସ୍ତୁମାନଙ୍କଦ୍ୱାରା ନିର୍ମିତ ହୋଇ ଅତି ବିସ୍ତୃତ ହୋଇଥିବାରୁ ଲୋକମାନଙ୍କୁ ମୋହିତ କରୁଅଛି ।

 

ବିସ୍ତାରକ ସୁମନସପଦ୍ଧତି ଆହୁରି ।

ବିଧୃତ ଚନ୍ଦ୍ର ଝଲକାବଳୀ କି ମାଧୁରୀ ଯେ । ୬ ।

ବିଳାସବଶରେ ଘନସାର ପ୍ରଚରିତ ।

ବିଜ୍ଜଳ ଛାୟାମଣ୍ଡପ କନ୍ୟାସ୍ତମ୍ଭ କୃତ ଯେ । ୭ ।

ବାଡ଼ମୋହିନୀ ସ୍ଵଭାବେ ବିବୁଧରଞ୍ଜିତ ।

ବିଭାତିରେ ତମଚକ୍ର ହୋଇଛି ଖଣ୍ଡତ ଯେ । ୮ ।

ବିମ୍ବ ନିର୍ମଳ ଦେଖାଇ ସେ ବେଦିକାସାର

ବହନର ଭ୍ରମ ଏତ ଅବଜାତପୁର ଯେ । ୯ ।

ବରଷାର ପରା ଭୂଭୃତଶିର ମଣ୍ଡନ ।

ବିଜେ ଚଞ୍ଚଳା ଘନରଞ୍ଜନ ଭଦ୍ରାସ(ଶ)ନ ଯେ । ୧୦ ।

 

୬ଷ୍ଠ ପଦ –ସୁମନସପଦ୍ଧତି - ନକ୍ଷତ୍ରଦାଣ୍ଡ, ପୁଷ୍ପମାଳା । ଚନ୍ଦ୍ର ଝଲକାବଳୀ - ଚନ୍ଦ୍ରକିରଣ ସମୂହ, ଅଳଙ୍କାର ବିଶେଷ।

 

୬ଷ୍ଠ ପଦ :- ଆହୁରି ମଧ୍ୟ ଆକାଶ ଚତୁର୍ଦ୍ଦିଗ ବ୍ୟାପ୍ତ ଏବଂ ବହୁସଂଖ୍ୟକ ତାରା ଓ ଚନ୍ଦ୍ରଙ୍କ କିରଣ ଦ୍ୱାରା ମଣ୍ଡିତ ହୋଇ ମନୋହର ଦେଖାଯାଉଥାଏ, ଅଭିଷେକ ସ୍ଥାନ ମଧ୍ୟ ଚତୁର୍ଦ୍ଦିଗ ବିସ୍ତୃତ ବହୁସଂଖ୍ୟକ ପୁଷ୍ପମାଳ ଓ ସ୍ୱର୍ଣ୍ଣନିର୍ମିତ ଝରାମାନଙ୍କଦ୍ୱାରା ବିମଣ୍ଡିତହୋଇ ଅପୂର୍ବ ଶୋଭା ଧାରଣ କରିଅଛି ।

 

୭ମ ପଦ :- ଘନସାର - କର୍ପୂର । ବିଜ୍ୱଳ - ଅତିଶୟ ଦୀପ୍ତିମନ୍ତ ।

 

୭ମ ପଦ :- ସେହି ଅଭିଷେକ ସ୍ଥାନରେ ଲୋକମାନେ କର୍ପୂର ଗୁଣ୍ଡା ଦ୍ୱାରା ଫଗୁଖେଳ ଖେଳୁ ଥିବାରୁ ଚତୁର୍ଦ୍ଦିଗ କର୍ପୂର ଗୁଣ୍ଡାରେ ପୂର୍ଣ୍ଣ ହୋଇଅଛି ଏବଂ ସେହି ସ୍ଥାନରେ ନିର୍ମିତ ହୋଇଥିବା ଅତି ମନୋହର ଛାମୁଣ୍ଡିଆର ସ୍ତମ୍ଭମାନଙ୍କରେ କୃତ୍ରିମ କନ୍ୟାମାନଙ୍କର ମୂର୍ତ୍ତି ଖଞ୍ଜା ଯାଇଅଛି ।

 

୮ମ ପଦ :- ବାଡ଼ - କାନ୍ଥ । ଭା - କାନ୍ତି ବା ଦୀପ୍ତି । ତମତନ୍ତ୍ର - ଅନ୍ଧାକାରସମୂହ ।

 

୮ମ ପଦ :- କାନ୍ଥମାନଙ୍କରେ ମରା ଯାଇଥିବା ଅତି ସୁନ୍ଦରୀ ସ୍ତ୍ରୀ ଛବି ଗୁଡ଼ିକ ଦେବତାମାନଙ୍କୁ ମଧ୍ୟ ମୋହିତ କରୁଅଛି ଏବଂ ସେହି ଛବି ଗୁଡ଼ିକର ତେଜରେ ଅନ୍ଧକାର ବିଦୁରିତ ହେଉଅଛି ।

 

୯ମ ପଦ :- ଅବ୍‌ଜାତପୁର - ବ୍ରହ୍ମାଙ୍କର ସ୍ଥାନ ।

 

୯ମ ପଦ :- ଆଉ ମଧ୍ୟ ସେହି ବେଦୀର ମଧ୍ୟଭାଗ ଏପରି ନିର୍ମଳ ହୋଇଅଛି ଯେ, ସେଥିରେ ନିକଟସ୍ଥ ସମସ୍ତ ଲୋକ, ଜୀବ, ଅନ୍ୟାନ୍ୟ ବସ୍ତୁମାନଙ୍କର ପ୍ରତିବିମ୍ବ (ଛାଇ) ଦେଖା ଯାଉଅଛି, ତେଣୁ ତାହାକୁ ଦେଖିଲେ ‘ଏହା ବ୍ରହ୍ମାଙ୍କ ପୁର କି ?’ ଏହି ଭ୍ରମଜ୍ଞାନ ମନରେ ଉତ୍ପନ୍ନ ହେଉଅଛି ।

 

୧୦ମ ପଦ :- ଭୁଭୃତା - ପର୍ବତ, ରାଜା । ଭଦ୍ର - ଭଦଭଦଳିଆ ପକ୍ଷୀ । ଅଶନ - ଗ୍ରାସ । ଭଦ୍ରାସନ - ସିଂହାସନ । ଚଞ୍ଚଳା - ବିଦ୍ୟୁତ, ସୀତା ।

 

୧୦ମ ପଦ :- ସେହି ଅଭିଷେକ ସମୟ ବର୍ଷାକାଳର ଶୋଭାକୁ ଧାରଣକଲା, କାରଣ ବର୍ଷାକାଳରେ ଯେପରି ମେଘସବୁ ପର୍ବତ ଶିଖରଦେଶକୁ ମଣ୍ଡିତ କରନ୍ତି ଅର୍ଥାତ୍‌ ପର୍ବତ ଉପରେ ଆଶ୍ରୟ ନିଅନ୍ତି, ବିଦ୍ୟୁତ୍‌ମେଘ ଦେହରେ ରଞ୍ଜିତ ହୋଇଥାଏ ଏବଂ ‘ଭଦ୍ରାଶନ’ ଭଦଭଦଳିଆ ପକ୍ଷୀମାନଙ୍କୁ ପ୍ରଚୁର ଖାଦ୍ୟ ମିଳେ ସେହିପରି ରାଜାମାନଙ୍କର ଶିରୋମଣ୍ଡନ ରାମଚନ୍ଦ୍ର ନିଜ ମେଘ ତୁଲ୍ୟ ଶରୀର କାନ୍ତି ଦ୍ୱାରା ଅଭିଷେକ ମଣ୍ଡପର ଉପରି ଦେଶକୁ ବିମଣ୍ଡିତ କରି, ବିଦ୍ୟୁତଗୌରୀ ସୀତାଙ୍କୁ କୋଳରେ ଧରି ବ୍ରାହ୍ମଣମାନଙ୍କୁ ଉପଯୁକ୍ତ ଭୋଜନ ବା ଭଦ୍ରବ୍ୟକ୍ତିମାନଙ୍କୁ ଉପଯୁକ୍ତ ଆସନ ପ୍ରଦାନ ପୂର୍ବକ ସିଂହାସନରେ ବିଜେ କଲେ ।

 

ବିରାଜିତ ଶାରଙ୍ଗପତ୍ରିରେ ହୋଇଛନ୍ତି ।

ବେଗେ ଅମ୍ବର ପ୍ରକାଶ ଭରତ କରନ୍ତି ଯେ । ୧୧ ।

ବିଶଦ ଲକ୍ଷ୍ମଣେ ଛତ୍ର ହୋଇଲା ଉଦୟ ।

ବାତଜାତ ପୟରେ ଦୀପିତ ସେ ସମୟ ଯେ । ୧୨ ।

ବର୍ହିପ୍ରଭା ଶତ୍ରୁଘ୍ନ ଚାମର ଚଳାଉଛ ।

ବିଭୀଷଣ ଯୁକ୍ତ ଚନ୍ଦ୍ରହାସେ ହୋଇଅଛ ଯେ । ୧୩

ବିଦ୍ୟ ପ୍ଳବଗ ବରହିପୁଚ୍ଛ ପ୍ରଚାଳନ ।

ବିଧିପୂର୍ବେ ସାର ଦିଶେ ସକଳ ଭୂବନେ ଯେ । ୧୪ ।

ବିଭ୍ରାଜିତ ବାରିଝରୀ ତାରାଭବ ଯହିଁ ।

ବିଶେଷିତ ଜ୍ୟୋତିର୍ବିଦ ଋକ୍ଷପତି ତହିଁ ଯେ । ୧୫ ।

 

୧୧ଶ ପଦ :- ଶାରଙ୍ଗ ପତ୍ରୀରେ - ଧନୁଶର ଦ୍ୱାରା । ଅମ୍ବର - ବସ୍ତ୍ର ।

୧୧ଶ ପଦ :- ସେହି ସମୟରେ - ରାମଚନ୍ଦ୍ର ଧନୁ ଓ ଶରଦ୍ୱାରା ସୁଶୋଭିତ ହୋଇଥିଲେ ଓ ଭରତ ତାହାଙ୍କ ନିକଟରେ ବସ୍ତ୍ର ଚାଳନ କରୁଥିଲେ ।

 

୧୨ଶ ପଦ :- ବିଶଦ ଛତ୍ର - ଶୁକ୍ଳ ଛତ୍ର । ବାତଜାତ - ହନୁମାନ ।

 

୧୨ଶ ପଦ :- ବୀର ଲକ୍ଷ୍ମଣ ଶ୍ୱେତଛତ୍ର ଧାରଣ କରିଥିଲେ ଏବଂ ହନୁମାନ ପାଦ ସେବା କରୁଥିଲେ ।

 

୧୩ଶ ପଦ :- ବର୍ହିପ୍ରଭା ଚାମର - ମୟୁରପୁଚ୍ଛ ପଙ୍ଖା । ଚନ୍ଦ୍ରହାସ - ଖଡ଼୍‌ଗ ।

 

୧୩ଶ ପଦ :- ଶତ୍ରୁଘ୍ନ ମୟୁରପୁଚ୍ଛ ନିର୍ମିତ ପଙ୍ଖା ଚାଳନ କରୁଥିଲେ, ବିଭୀଷଣ ଖଣ୍ଡା ଧରି ସେହି ସ୍ଥାନରେ ଦଣ୍ଡାୟମାନ ହୋଇଥିଲେ ।

 

୧୪ଶ ପଦ :- ପ୍ଲବଗ - ବେଙ୍ଗ । ପ୍ଲବଗବର – ସୁଗ୍ରୀବ, ବରହିମୟୁର ।

 

୧୪ଶ ପଦ :- ଆଉ ମଧ୍ୟ ସେହି ଅଭିଷେକ ସମୟ ଶରତ୍‌କାଳର ଶୋଭାଧାରଣ କଲା । କାରଣ ଶରତ୍‌କାଳରେ ଯେପରି ବେଙ୍ଗମାନେ ପ୍ରକାଶିତ ହୁଅନ୍ତି ଓ ମୟୁରମାନେ ପୁଚ୍ଛ ଉତ୍ତୋଳନ କରି ଜନମାନଙ୍କର ମନକୁ ହରଣ କରନ୍ତି; ସେହିପରି ଏହି ସମୟରେ ରାଜାମାନଙ୍କର ପୂର୍ବ ପ୍ରଚଳିତ ପ୍ରଥାନୁସାରେ ସୁଗ୍ରୀବମନୋହର ମୟୁର ପୁଚ୍ଛଗୁଚ୍ଛ ସଂଚାଳିତ କରିବାରୁ ସେହି ସ୍ଥାନ ସମଗ୍ର ଭୁବନଠାରୁ ଅଧିକ ସୁନ୍ଦର ଦେଖାଗଲା । (ଅର୍ଥାତ୍‌ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ପ୍ରଭୃତି ଚତୁର୍ଦ୍ଦଶ ଭୁବନର ଶୋଭା ଅପେକ୍ଷା ଅଭିଷେକ ମଣ୍ଡପର ଶୋଭା ଅଧିକ ଦେଖାଗଲା ।)

 

୧୫ଶ ପଦ :- ପୁଣି ଶରତକାଳରେ ଯେପରି ସର୍ବତ୍ରନିର୍ଝରର ଜଳଧାରା ପ୍ରବାହିତ ହେଉଥାଏ ଏବଂ ‘ତାରାଭାବ’ ବଧୂ ଗ୍ରହ ନାମରେ ପରିଚିତ ତାରା ଓ ଅନ୍ୟାନ୍ୟ ତାରାମାନଙ୍କ ସହିତ ଚନ୍ଦ୍ର ଅତିଶୟ ତେଜ ଧାରଣ କରିଥାନ୍ତି ଅର୍ଥାତ ଆକାଶ ନିର୍ମଳ ହୋଇଥିବାରୁ ପରିଷ୍କୃତ ଦେଖା ଯାଉଥାନ୍ତି; ସେହିପରି ଅଭିଷେକ ସ୍ଥଳରେ ଅତ୍ୟନ୍ତ ତେଜସ୍ୱୀ ମହାବୀର ଜାମ୍ବବ ଓ ଅଙ୍ଗଦ ଜଳପୂର୍ଣ୍ଣ ଝରୀ ଧରି ମନୋହର ଦେଖା ଯାଉଥିଲେ ।

 

ବିକଶିତ କୁମୁଦାଦି ସୁମନ ରଭସେ ।

ବିମଳ ଅଗସ୍ତି ଭରଦ୍ଵାଜ ବାକ୍ୟ ଘୋଷେ ଯେ । ୧୬ ।

ବିହିତ ଏ ସରୁପକ ଶ୍ଳେଷରିତି ପୁଣ ।

ବେଢ଼ି ସପ୍ତଋଷି ମିଳି କର୍ମର କାରଣ ଯେ । ୧୭ ।

ବରଳିଭୂତ ତପସ୍ଵୀଗଣେ କରେ ଦାନ ।

ବିଟପୀ ରମ୍ଭା ସୁଷମା ଘଟ ବାରିପୂର୍ଣ୍ଣ ଯେ । ୧୮ ।

ବନ୍ଦନୀୟ ଦ୍ଵୀପିନାଥେ ପାଶେ ଅନୁସରି ।

ବିଶୁଦ୍ଧ ଲକ୍ଷଣ ଦାନ ହୋଇଛି ମାଧୁରି ଯେ । ୧୯ ।

ବାଦ୍ୟନାଦ ବଳି ଶୁଭେ ରସନାର ସ୍ଵନ ।

ବାରନାରୀସାର ନୃତ୍ୟଗୀତର ବିଧାନ ଯେ । ୨୦ ।

 

୧୬ଶ ପଦ :- ସୁମନ-ପୁଷ୍ପ । ଭରଦ୍ୱାଜ-ଭଦଭଦଳିଆ ପକ୍ଷୀ ।

 

୧୬ଶ ପଦ :- ଶରତ କାଳରେ କୁମୁଦଆଦି ପୁଷ୍ପମାନେ ଶୀଘ୍ର ବିକଶିତ ହୁଅନ୍ତି, ନିର୍ମଳ ଅଗସ୍ତି ନକ୍ଷତ୍ର ଦୃଶ୍ୟ ହୁଅନ୍ତି ଏବଂ ଭଦଭଦଳିଆ ପକ୍ଷୀ ସୁମଧୁର ସ୍ୱରରେ ବୋବାନ୍ତି, ସେହିପରି ଏଠାରେ କୁମୁଦାଦି ବୀରମାନେ ଅନ୍ତରର ସହିତ ହରଷିତ ହେଲେ; ଅଗସ୍ତି, ଭରଦ୍ୱାଜ ଆଦି ମୁନିମାନେ ନିର୍ମଳ ଚିତ୍ତରେ ବେଦବାକ୍ୟକୁ ପାଠକଲେ ।

 

୧୭ଶ ପଦ :- ଏହି ଗୀତ ସ୍ୱରୂପ ରୂପକ ଆଶ୍ଲେଷରେ ରଚିତ ହେଲା । ସପ୍ତଋଷିମାନେ ମିଳି ଅଭିଷେକ କର୍ମ ଆରମ୍ଭ କଲେ ।

 

୧୮ଶ ପଦ :-ବରବିଭୂତି-ଅନେକ ସମ୍ପତ୍ତି । ବିଟପି ରମ୍ଭା-କଦଳୀ ଗଛ ।

 

୧୮ଶ ପଦ :- ଅଭିଷେକ ଶେଷରେ ରାମଚନ୍ଦ୍ର ତପସ୍ୱୀମାନଙ୍କୁ ବହୁତ ସମ୍ପତ୍ତି ଦାନକଲେ । ନଗର କଦଳୀଗଛ ଏବଂ ଜଳପୂର୍ଣ୍ଣଘଟର ଶୋଭାରେ ପୂରି ରହିଥିଲା ।

 

୧୯ଶ ପଦ :- ବନ୍ଦନୀୟ-ପୂଜନୀୟ । ଦ୍ୱୀପିନାଥେ-ରାଜାମାନେ ।

 

୧୯ଶ ପଦ :- ପୂଜନୀୟ ରାଜାମାନେ ସେହି ସମୟରେ ରାମଚନ୍ଦ୍ରଙ୍କୁ ଅନୁସରଣ କରି ପାଶରେ ଉଭାଥିଲେ । ତତ୍ପରରେ ମଦଜଳବାହି ମତହସ୍ତୀମାନଙ୍କ ଉପରେ ବସି ରାମଚନ୍ଦ୍ରଙ୍କର ଅନୁଗାମୀ ହେଲେ, (ରାମଚନ୍ଦ୍ର ଶୋଭାଯାତ୍ରା କରି ନଗର ଭ୍ରମଣ କରିବାରୁ ରାଜାମାନେ ହସ୍ତୀ ଉପରେ ବସି ପଛେ ପଛେ ଗଲେ ) ।

 

୨୦ଶ ପଦ :- ସେତେବେଳେ ସ୍ତ୍ରୀମାନଙ୍କର ହୁଳହୁଳି ଶବ୍ଦ ନାନାବିଧ ବାଦ୍ୟମାନଙ୍କର ନାଦକୁ ବୁଡ଼ାଇ ଦେଇ ଶୁଣାଗଲା । (ହୁଳହୁଳି ଶବ୍ଦରେ ବାଦ୍ୟନାଦ ଆଉ ଶୁଣାଗଲା ନାହିଁ ) । ଶ୍ରେଷ୍ଠ ବେଶ୍ୟାମାନେ ନୃତ୍ୟ ଗୀତ କରିବାକୁ ଲାଗିଲେ ।

 

ବ୍ୟୋମ ଆଚ୍ଛାଦିତ ଶୂରପ୍ରଭା ସାଧୁ ଚାହିଁ ।

ବୃଦ୍ଧି ସକଳ ଲୋକ ପ୍ରମୋଦ ଯହିଁ ହୋଇ ଯେ । ୨୧ ।

ବ୍ୟକ୍ତ ଗନ୍ଧର୍ବଗାୟକ ରସାଳେ ମାଧୁର୍ଯ୍ୟ ।

ବସନ୍ତ ମଙ୍ଗଳ ରାଗେ ଏକଭାଗେ ଭଜ ଯେ । ୨୨ ।

ବ୍ରହ୍ମା ହର ସ୍ତୁତି ଶ୍ରୁତିରଞ୍ଜନ ସ୍ଵଭାବେ ।

ବନ୍ଦିବଚନ ହୋଇଛି ସେକାଳ ଉତ୍ସବ ଯେ । ୨୩ ।

ବହୁତ ନେତ୍ର ଆନନ୍ଦ ବିସ୍ତାରି ଦର୍ଶନ ।

ବହୁତ ମୁଖରେ କୀର୍ତ୍ତି ଶେଷ ଅଭାଜନ ଯେ । ୨୪ ।

ବାଡବଜାତ ପ୍ରଭାବିହୀନରେ ଭାବିତ ।

ବିଶ୍ଵେ ସାର ରାମ କାମ ଦାନକରି ସ୍ଥିତ ଯେ । ୨୫ ।

 

୨୧ଶ ପଦ :- ଶୂର - ବୀର । ବ୍ୟୋମ - ଆକାଶ ।

 

୨୧ଶ ପଦ :- ସେହି ସ୍ଥାନରେ ଥିବା ବୀରମାନେ ସେମାନଙ୍କ ବୀରତ୍ୱ ବଳରେ ଆକାଶକୁ ଆଚ୍ଛାଦିତ କରି ପକାଇଲେ । ତାହା ଦେଖି ଦର୍ଶକମାନେ ଆନନ୍ଦିତ ହେଲେ ।

 

୨୨ଶ ପଦ :- ସଙ୍ଗୀତ ଗାୟକମାନେ ରସଯୁକ୍ତ ମନୋହର ‘ବସନ୍ତ ମଙ୍ଗଳ’ ରାଗରେ ଏକ ସ୍ୱରରେ ଗାନ କରିବାକୁ ଲାଗିଲେ ।

 

୨୩ଶ ପଦ :- ସେହି ଅଭିଷେକ ସମୟରେ ବ୍ରହ୍ମା, ମହାଦେବ ଦୁହେଁ ବେଦବିହିତ ମାର୍ଗରେ [କର୍ଣ୍ଣ ରସାୟନ ସ୍ୱରରେ] ସ୍ତୁତି କରିବାକୁ ଲାଗିଲେ । ଉତ୍ସବ କାଳରେ ଭାଟମାନେ ସ୍ତୁତିକଲା ପ୍ରାୟ ତାହା ସେହି ଅଭିଷେକ ଉତ୍ସବ ସମୟରେ ପ୍ରତୀତ ହେଲା ।

 

୨୪ଶ ପଦ :- ସେହି ଅଭିଷେକ ଉତ୍ସବ ଦର୍ଶନ କରି ବହୁବ୍ୟକ୍ତିଙ୍କ ନେତ୍ର ଆନନ୍ଦିତ ହେଲା । ଆଉ ମଧ୍ୟ ବହୁତ ଲୋକ ମୁଖରେ ସେ ସମୟରେ କୀର୍ତ୍ତି ବର୍ଣ୍ଣନାଦ୍ୱାରା ଶେଷକରି ପାରିଲେ ନାହିଁ ।

 

ଅନ୍ୟାର୍ଥ - ସେହି ଅଭିଷେକ ଉତ୍ସବ ଦେଖି ‘ବହୁନେତ୍ର’ ମହାଦେବ ଆନନ୍ଦିତ ହେଲେ, ଆଉ ‘ବହୁମୁଖ’ ବ୍ରହ୍ମା ତାହା ବର୍ଣ୍ଣନା କରିବାକୁ ଅକ୍ଷମ ହେଲେ ।

 

୨୫ଶ ପଦ :- ଅଶ୍ୱିନୀକୁମାର ରାମଚନ୍ଦ୍ରଙ୍କ ଶୋଭା ଦେଖି ପ୍ରଭାହୀନ ହୋଇ ଭାବନା କଲେ, ‘ଦାନବଶତ୍ରୁ ରାମଚନ୍ଦ୍ର ଏ ସଂସାରରେ ନୂତନ କନ୍ଦର୍ପ ଅବତାର ହୋଇଅଛନ୍ତି । (ତେଣୁ ଏହାଙ୍କ ସମାନ ଆଉ କେହି ହୋଇ ନ ପାରେ ) । ’’

 

ବିସ୍ତାରି ଏ ଭାବେ ମତି ବିଧାତାକୁମର ।

ବ୍ରହ୍ମାଣ୍ଡଭାଣ୍ଡରେ ଚକ୍ରବର୍ତ୍ତୀ ଚାପଧର ଯେ । ୨୬ ।

ବିଚାରନ୍ତି ପୁଣ୍ୟଜନ ବରଶ୍ରୀ ଆଶ୍ରିତ ।

ବିକ୍ଷେପକ ମେଘପୁଷ୍ପ ସଧୀର ମରୁତ ଯେ । ୨୭ ।

ବିବେକ ଜନିତ ଯେ ଯୋଗୀରେ ଧର୍ମରାଜେ ।

ବସୁଧାରେ ସତ୍ୟ ଅବତାର ଏ ଉପୁଜେ ଯେ । ୨୮ ।

ବୈକୁଣ୍ଠ ଶ୍ରୀ କି ଏ ନିଶ୍ଚେଁ ମାର୍କେଣ୍ଡେୟ ଭାଳେ ।

ବିହ୍ଵଳ ମୁଁ ପୂର୍ବେ ଅବିଧିରେ ଦେଖି ଡୋଳେ ଯେ । ୨୯ ।

ବର୍ତ୍ତମାନ ଧନ୍ୟ ଦେଖି ଅପୁର୍ବ ଉତ୍ସବ ।

ବଡ଼ାଇ ଏ ତୋଷସିଦ୍ଧି ଭବିଷ୍ୟେ ନୋହିବ ଯେ । ୩୦ ।

 

୨୬ଶ ପଦ :- ବିଧାତାକୁମର ବଶିଷ୍ଠ ଏହି ଭାବକୁ ବିସ୍ତାର ପୂର୍ବକ ସ୍ତୁତିକରି କହିଲେ, ‘‘ଏହି ବ୍ରହ୍ମାଣ୍ଡ ମଧ୍ୟରେ ରାମଚନ୍ଦ୍ର ଏକମାତ୍ର ଚକ୍ରବର୍ତ୍ତୀ ଅଟନ୍ତି ।’’

 

୨୭ଶ ପଦ :- ପୁଣ୍ୟଜନ - ସୁକୃତୀ ଲୋକମାନେ । ଶ୍ରୀ - ଶୋଭା । ମରୁତ - ପବନ । ମେଦପୁଷ୍ପ - ଜଳ ।

 

୨୭ପଦ :- ପୁଣ୍ୟବନ୍ତ ଲୋକମାନେ ତାହା ଦେଖି ବିଚାର କଲେ, ‘‘ଏହି ସ୍ଥାନ ଆଜି ଉତ୍କୃଷ୍ଟ ଶୋଭାରେ ମଣ୍ଡିତ ହୋଇଅଛି ।’’ ପବନ ଧୀର ଧୀର ବହି ଜଳକଣା ନିକ୍ଷେପ କରୁଅଛି । (ମଙ୍ଗଳ ସୂଚକ ନିକ୍ଷିପ୍ତ କୁଶବିନ୍ଦୁ ଜଳ ବୃଷ୍ଟି ପ୍ରାୟ ପ୍ରତୀତ ହେଉଅଛି ) ।

 

୨୮ଶ ପଦ :- ଯୋଗୀଜନମାନେ ବିଚାର କଲେ, ‘‘ସ୍ୱୟଂ ଧର୍ମ ରାମ ରୁପରେ ଅବତ୍ତୀର୍ଣ୍ଣହୋଇ ଅଛନ୍ତି । ସତ୍ୟ ନର ଦେହରେ ପୃଥିବୀରେ ଜନ୍ମି ଅଛନ୍ତି । ’’

 

୨୯ଶ ପଦ :- ମାର୍କଣ୍ଡେୟ ମୁନି ତାହା ଦେଖି ଚିନ୍ତାକଲେ, ‘ଏ ନିଶ୍ଚୟ ବିଷ୍ଣୁ ଓ ଲକ୍ଷ୍ମୀ ଅଟନ୍ତି । ମୁଁ ପୂର୍ବେ (ମାଲ୍ୟବନ୍ତ ପର୍ବତରେ) ବୁଲୁ ଥିବା ଅବସ୍ଥାରେ ଏହାଙ୍କୁ ନେତ୍ରରେ ଦେଖି ମଧ୍ୟ ଭୋଳହୋଇ ଚିହ୍ନିପାରି ନଥିଲି ।’

 

୩୦ଶ ପଦ :- ‘ବର୍ତ୍ତମାନ ଏହି ଅପୂର୍ବ ଅଭିଷେକୋତ୍ସବ ଦେଖି ଧନ୍ୟ ହେଲି । ଏହା ଦର୍ଶନ କରି ମୁଁ ଯେପରି ସନ୍ତୁଷ୍ଟ ହେଲି, ଏପରି ଆଉ ଭବିଷ୍ୟତରେ ହୋଇ ପାରିବ ନାହିଁ ।’

 

ବନ୍ଦାପନାବିଧି ଶେଷ ଅଗୋଚର ଦ୍ରବ୍ୟେ ।

ବାସବର ପୁରଷ୍କାର ଲଭି ତହିଁ ସର୍ବେ ଯେ । ୩୧ ।

ବସତି ଯେ ସୁମନା ନାଗର-ଗତି ହେଲା ।

ବିଚିତ୍ର ପ୍ରତିମା ଦୋଇ ଈକ୍ଷଣେ ରହିଲା ଯେ । ୩୨ ।

ବଲ୍ମୀକରୁ ଜ୍ୟୋତି ଜାତ ସତ ଏ ପୁରାଣେ ।

ବିଳାସକ ହୃଦୟ-ପୁଷ୍କରେ କ୍ଷଣେ କ୍ଷଣେ ଯେ । ୩୩ ।

ବାଞ୍ଛାପୂର୍ଣ୍ଣ ଚତୁରବର୍ଗରେ ପ୍ରଭୁ କଲେ ।

ବିଧାନ କମଳା ସାରପାକେ ଭୋଜ୍ୟ ଦେଲେ ଯେ । ୩୪ ।

ବିଧୁ ସିନ୍ଧୁ ସ୍ଵର୍ଗପ୍ରାୟ ସେ ଅମୃତାକର ।

ବାମା ଗଜରାଜ କି ସଂଯୋଗ କଟକର ଯେ । ୩୫ ।

 

୩୧ଶ ପଦ :- ବହୁମ୍ୟ ଓ ଅଦୃଷ୍ଟପୂର୍ବ ଦ୍ରବ୍ୟସମ୍ଭାରରେ ବନ୍ଦାପନା ବିଧି ଶେଷ ହେଲା । ତତ୍ପରେ ସମସ୍ତେ ଉତ୍ତମ ବୟସକୁ ପୁରଷ୍କାର ସ୍ୱରୂପ ଲାଭ କଲେ ।

 

୩୨ଶ ପଦ :- ସୁମନା - ସ୍ତ୍ରୀ । ବିଚିତ୍ର ପ୍ରତିମା - ମନୋହର ରୂପ । ଈକ୍ଷଣ - ଚକ୍ଷୁ ।

 

୩୨ଶ ପଦ :- ଅଯୋଧ୍ୟା ନଗରୀ ସୁରସିକ ପୁରୁଷ ତୁଲ୍ୟ ହୋଇ ସ୍ତ୍ରୀମାନଙ୍କ ଚିତ୍ତକୁ ମୋହିଲା ଏବଂ ସର୍ବଦା ମନୋହର ବେଶ ଧାରଣ ପୂର୍ବକ ସ୍ତ୍ରୀମାନଙ୍କ ନେତ୍ରରେ ଲାଖି ରହିଲା ।

୩୩ଶ ପଦ :- ବାଲ୍ମୀକରୁ-ବାଲିହୁଙ୍କାରୁ । ହୃଦୟପୁଷ୍କରେ-ହୃଦରୂପ ଆକାଶରେ ।

 

୩୩ଶ ପଦ :- ଯେପରି ଉଇହୁଙ୍କାରୁ ଇନ୍ଦ୍ରଧନୁ ଜାତ ହେବା କଥା ସତ ବୋଲି ପୁରାଣରେ କଥିତ ଅଛି, ସେହିପରି ରାମଚନ୍ଦ୍ରଙ୍କ ଅଙ୍ଗରୁ ଶୋଭା ଜନ୍ମି ସେହି ସ୍ତ୍ରୀମାନଙ୍କ ହୃଦୟ ରୂପ ଆକାଶରେ ପ୍ରତିକ୍ଷଣ ପ୍ରକାଶିତ ହେଲା ।

 

୩୪ଶ ପଦ :- ରାମଚନ୍ଦ୍ର ସମସ୍ତଙ୍କର ମନକାମନାପୂର୍ଣ୍ଣକଲେ । ଲକ୍ଷ୍ମୀ ରୂପିଣୀ ସୀତା ଉତ୍ତମପାକ ପ୍ରସ୍ତୁତକରି ସମସ୍ତଙ୍କୁ ଭୋଜନ ଦେଲେ ।

 

୩୫ଶ ପଦ :- ବିଧୁ - ଚନ୍ଦ୍ର । ସିନ୍ଧୁ - ସମୁଦ୍ର । କଟକ –ବଳୟ l ଗଜରାଜ - ହସ୍ତିଶ୍ରେଷ୍ଠ ।

 

୩୫ଶ ପଦ :- ସେହି ଖାଦ୍ୟ ପଦାର୍ଥସବୁ ଅମୃତର ଆକାର ହୋଇଥିବାରୁ ଚନ୍ଦ୍ର, ସମୁଦ୍ର ଓ ସ୍ୱର୍ଗପ୍ରାୟ ହୋଇଥିଲା । (ଚନ୍ଦ୍ର, ସମୁଦ୍ର ଓ ସ୍ୱର୍ଗ ଅମୃତର ଆବର ଅଟନ୍ତି) । ପୁଣି ‘କଟକ’ ଲବଣରେ ଯୁକ୍ତ ହୋଇଥିବାରୁ ବୋଧ ହେଲା, ସ୍ତ୍ରୀ ଗଜରାଜରେ ଯୁକ୍ତ ହେଲା କି ? (ସ୍ତ୍ରୀ ‘କଟକ’ ବଳୟରେ ଯୁକ୍ତ ହୋଇଥାନ୍ତି ଏବଂ ଶ୍ରେଷ୍ଠ ‘କଟକ’ ବନ୍ତଭୂଷିତ ବଳୟରେ ଯୁକ୍ତ ହୋଇଥାଏ)

 

ବାଳସୂର୍ଯ୍ୟ ଯୁବାଗୟାକ ନି ରାଗଯୁକ୍ତ ।

ବୈଶାଖ ପୁଷ୍ପ କନ୍ଦର୍ପ କି ମଧୁରେ ଯୁକ୍ତ ଯେ । ୩୬ ।

ବାଚକ ହୋଇଲା ସୁଧା ଅଶନ ଭାବିବ ।

ବୁଶ୍ଵ ଘନ କମଳ ସାରଙ୍ଗ ପ୍ରାୟ ଚିତ୍ତ ଯେ । ୩୭ ।

ବହୁରୂପା ନଳିନୀ ତାର ଧାରିରେ ସୀତା ।

ବିକାଶିତ ରୁଚିରେ ସେ ସମସ୍ତ ତୋଷିତା ଯେ । ୩୮ ।

ବିରସ ରାମ ଆଜ୍ଞାରେ ସେ ଭାବ ସମ୍ମତେ ।

ବାହୁଡ଼ି ଯୋଗୀ ହୋଇଲେ ସ୍ଵପୁରେ ସମସ୍ତେ ଯେ । ୩୯ ।

ବାସର ନିଶାରେ ମଧୁସୂଦନ ସହଜେ ।

ବୁଶ୍ଵଧାତ୍ରୀଜାତ ପଦ୍ମବାସୀ ରସେ ମଜ୍ଜେ ଯେ । ୪୦ ।

 

୩୬ଶ ପଦ :- ସେହି ଖାଦ୍ୟ ‘ରାଗ’ କଟୁରସରେ ଯୁକ୍ତ ହୋଇଥିବାରୁ ବାଳସୂର୍ଯ୍ୟ, ଯୁବକ ଓ ଗାୟକମାନଙ୍କ ସହିତ ସମାନ ହୋଇଅଛି (ବାଳସୂର୍ଯ୍ୟ, ଯୁବକ ଓ ଗାୟକମାନେ ‘ରାଗ’ ଯଥାକ୍ରମେ ରକ୍ତିମା, ପ୍ରୀତି ଓ ରାଗରାଗଣୀରେ ଯୁକ୍ତ ହୋଇଥାନ୍ତି) । ପୁଣି ସେହି ଖାଦ୍ୟ ମଧୁର ଗୁଣରେ ଯୁକ୍ତ ହୋଇଥିବାରୁ ବୈଶାଖ, ପୁଷ୍ପ ଓ କନ୍ଦର୍ପର ସମାନ ହୋଇଅଛି । ବୈଶାଖ ‘ମଧୁ’ ଚୈତ୍ର, ‘ମଧୁ’ ମକରନ୍ଦ ଓ କନ୍ଦର୍ପ ‘ମଧୁ’ ବସନ୍ତରେ ଯୁକ୍ତ ହୋଇଅଛି ।

 

୩୭ଶ ପଦ :- ମନୁଷ୍ୟମାନେ ଅମୃତ ଭୋଜନକରି, ଚାତକପକ୍ଷୀ ମେଘଜଳ ପାନକରି ଆନନ୍ଦ ହେଲାପରି ସଂସାରସ୍ଥ ସମସ୍ତଙ୍କ ମନ ଆନନ୍ଦରେ ପୂର୍ଣ୍ଣ ହେଲା ।

 

୩୮ଶ ପଦ :- ନାନାଳଙ୍କାର ଭୂଷିତା ଲକ୍ଷ୍ମୀସ୍ୱରୂପା ସୀତାଙ୍କ ପାକରେ ସମସ୍ତେ ସନ୍ତୁଷ୍ଟ ହେଲେ ।

 

୩୯ଶ ପଦ :- ରାମଚନ୍ଦ୍ର ଆଦେଶ ପାଇ ଉତ୍ସବକୁ ଆସିଥିବା ସମସ୍ତ ଲୋକମାନେ ଏବଂ ଯୋଗୀମାନେ ସରସ ଚିତ୍ତରେ ନିଜ ଇଚ୍ଛାମୁତାବକ ସ୍ୱସ୍ୱ ସ୍ଥାନକୁ ବାହୁଡ଼ିଗଲେ ।

 

୪୦ଶ ପଦ :- ମଧୁସୂଧନ ରାମ ଦିନରାତି ଲକ୍ଷ୍ମୀରୂପୀ ସୀତାଙ୍କ ସଙ୍ଗରେ ପରମାନନ୍ଦରେ ମଜ୍ଜି ରହିଲେ ।

 

ବୈଦେହୀଶ ବିଳାସ ଏ ଗୀତ ମନୋରମ ।

ବାନଛାନ୍ଦେ ଶେଷ ଆହ୍ୟ ବକାର ନିୟମ ଯେ । ୪୧ ।

ବାଲ୍ମୀକିସଦନେ ଯାଇ ଜାନକୀ ରହୀବା ।

ବଧ ଲବଣର କୁଶ ଲବ ଜନ୍ମ ହେବା ଯେ । ୪୨ ।

ବିରଚିବ ଯାଗ ରାମସୁତ ଗୀତ ଗାନ ।

ବୈଦେହୀ ଆଣିବା ପୁଣି ପାତାଳେ ଗମନ ଯେ । ୪୩ ।

ବିଧୁର ହେବା ଲକ୍ଷ୍ମଣ ରାମ ମାତୃଭ୍ରାତ ।

ବହ୍ନିରେ ପଶିବା ଘେନି ସ୍ଵାମୀର ସଙ୍କେତ ଯେ । ୪୪ ।

ବସୁଧାଭୃତ କରିଣ ଲବକୁଶ ବେନି ।

ବୈକୁଣ୍ଠ ଗମିବା ରାମ ସ୍ଵଜନଙ୍କୁ ଘେନି ଯେ । ୪୫ ।

ବିଭଙ୍ଗ ରସ ବୋଲିଣ ନ ବର୍ଣ୍ଣିଲି ଏତେ ।

ବୁଧେ ବୋଲିଛନ୍ତି ଏହା ଦୋଷ ଛାନ୍ଦଗୀତେ ଯେ । ୪୬ ।

 

୪୧ଶ ପଦ :- ଏହି ବୈଦେହିଶବିଳାସ ମନୋହର ଗୀତ ଅଟେ । ବ ଆଦ୍ୟରେ ରହିବା ନିୟମରେ ରଚିତ ହୋଇ ବାଆନ ଛାନ୍ଦରେ ଏହା ଶେଷ ହେଲା ।

୪୨ଶ ଠାରୁ ୪୬ଶ ପଦ :- ବାଲ୍ମିକୀ ଆଶ୍ରମରେ ସୀତାଙ୍କର ଅବସ୍ଥାନ, ଲବଣ ଦୈତ୍ୟର ବଧ, କୁଶ ଲବଙ୍କର ଜନ୍ମ ରାମଙ୍କର ଅଶ୍ୱମେଧ ଯାଗ କରଣ, ଲବ କୁଶଙ୍କର ରାମାୟଣ ଗାନ’ ସୀତାଙ୍କୁ ପୁନର୍ବାର ଆନୟନ, ପୁଣି ତାଙ୍କର ପାତାଳ ପୁରକୁ ଗମନ, ରାମଙ୍କ ସଙ୍ଗେ ଲକ୍ଷ୍ମଣଙ୍କର ବିଚ୍ଛେଦ ଘଟନ, କୌଶଲ୍ୟାଦି ମାତାଙ୍କର ଅଗ୍ନି ପ୍ରବେଶନ ଏବଂ ଲବ କୁଶଙ୍କ ଅଭିଷେକ କାରଣ ଓ ସ୍ୱଜନ ସହ ରାମଙ୍କର ବୈକୁଣ୍ଠ ଗମନ ଇତ୍ୟାଦି ବିଷୟମାନ ବିଭଙ୍ଗ ରସବୋଲି ଏଥିରେ କଲୁନାହିଁ । ଏ ସବୁ ବିଷୟ ଛାନ୍ଦଗୀତରେ ବର୍ଣ୍ଣନା କରିବା ଦୋଷାବହ ବୋଲି ପଣ୍ଡିତମାନେ କହିଅଛନ୍ତି ।

 

ବରହିବଂଶେ ଉଭବ ନୃପ-ଧନଞ୍ଜୟ ।

ବିଶିଷ୍ଟେ ଘୁମୁସରଅଧିପ ଗୁଣାଳୟ ଯେ । ୪୭ ।

ବେନି ଅର୍ଥେ ସେ କବି ଗଣେଶ ବୋଲି ଜାଣ ।

ବନ୍ଦନ ତଦ୍ଧତ ତାଙ୍କ ନନ୍ଦନ ପ୍ରମାଣ ଯେ । ୪୮ ।

ବସୁଧାପତି ସେ ନୀଳକଣ୍ଠ ନାମେ ଖ୍ୟାତ ।

ବିଧାନରେ ମୁଁ ହିଁ ତାହାଙ୍କର ଜ୍ୟେଷ୍ଠସୁତ ଯେ । ୪୯ ।

ବୀରବର ପଦ ଉପଇନ୍ଦ୍ର ମୋର ନାମ ।

ବାରେ ବାରେ ସେବାରେ ମନାଇଁ ସୀତାରାମ ଯେ । ୫୦ ।

ବିଚିତ୍ର କବିତ୍ଵମାର୍ଗେ ପ୍ରସରିଲା ବୁଦ୍ଧି ।

ବିରଚିଲା ରାମାୟଣ ଏ ମୋ ବଡ଼ସିଦ୍ଧି ଯେ । ୫୧ ।

ବାନପଦରେ ଆଦର କଲି ଛାନ୍ଦ ପ୍ରାନ୍ତ ।

ବୁଧେ ସରସକର୍କଶେ ରସାଳ ଏ ସତ ଯେ । ୫୨ ।

 

୪୭ଶ-୪୯ଶ ପଦ :- ମୟୁରବଂଶଉଦ୍ଭବ (ଭଞ୍ଜବଂଶ ଜାତ) ବିଶିଷ୍ଟ ଗୁଣଶାଳୀ ରାଜା ଧନଞ୍ଜୟ ଘୁମୁସର ରାଜ୍ୟରେ ରାଜା ହୋଇଥିଲେ । ସେ ରାଜା ଗଣେଶଙ୍କ ପରି କବି ଥିଲେ । ତାର ପୁତ୍ର ମଧ୍ୟ ସେହିପରି ବନ୍ଦନୀୟ ହୋଇଥିଲେ । ତାଙ୍କର ନାମ ନୀଳକଣ୍ଠ; ମୁଁ ତାଙ୍କର ଜ୍ୟେଷ୍ଠପୁତ୍ର ଅଟେ ।

 

୫୦ ଓ ୫୧ଶ ପଦ :- ମୋର ନାମ ବୀରବର ଉପଇନ୍ଦ୍ର ବୋଲି ଖ୍ୟାତ । ସୀତା ରାମଙ୍କୁ ସେବା କରିବା ହେତୁ ଆଶ୍ଚର୍ଯ୍ୟ କବିତାମାର୍ଗରେ ମୋହର ବୁଦ୍ଧି ପ୍ରସରିଲା, ତେଣୁ ଏ ରାମାୟଣ ରଚନା କଲି ।

 

୫୨ଶ ପଦ :- ଆଦରର ସହିତ ବାଆନ ପଦରେ ଏ ଛାନ୍ଦକୁ ଶେଷକଲି । ପଣ୍ଡିତମାନେ ଏହାକୁ ‘ରସାଳ’ ଆମ୍ବ ଫଳପରି କଠିନ ଓ ରସପୂର୍ଣ୍ଣ ମନେ କରିବେ । (ଯେପରି କଠିନ, ସେହପରି ସରସ ଏହା ବୁଝି ପାରିବେ ) ।